ଆମ ଦେଶର ରାଜନୀତି ସ˚ଦର୍ଭରେ ଅନେକ ଦ୍ରୁତ ଉପସ˚ହାରମାନ ଦୃଷ୍ଟିଗୋଚର ହୋଇଥାଏ। ଉଦାହରଣ ସ୍ବରୂପ ଗଲା ମାସରେ ଅନୁଷ୍ଠିତ ହୋଇଥିବା ପାଞ୍ଚଟି ରାଜ୍ୟର ନିର୍ବାଚନରେ ଭାରତୀୟ ଜନତା ପାର୍ଟି ବା ‘ବିଜେପି’ର ଚମକପ୍ରଦ ବିଜୟ ପରେ ସୃଷ୍ଟ ଧାରଣା ଯେ ୨୦୨୪ ମସିହାରେ ଅନୁଷ୍ଠିତ ହେବାକୁ ଥିବା ସାଧାରଣ ନିର୍ବାଚନରେ ଦଳର ବିଜୟ ସୁନିଶ୍ଚିତ ଏବ˚ ‘ବିଜେପି’ର ପ୍ରିୟତମ ଲକ୍ଷ୍ୟ ଏକ ‘କ˚ଗ୍ରେସ ମୁକ୍ତ ଭାରତ’ ଅଚିରେ ସମ୍ଭବପର ହେବାକୁ ଯାଉଛି। ସେହିଭଳି ଆଉ ଗୋଟିଏ ଧାରଣା ଯେ କ˚ଗ୍ରେସର ନେତୃତ୍ବ ଗାନ୍ଧୀ ପରିବାର ହାତରୁ ଅପସାରିତ ନ ହେଲେ ଦଳର ବିଲୟ ଅବଶ୍ୟମ୍ଭାବୀ ଏବ˚ ଯଦି ତାହା ହୁଏ, ତେବେ ଏହା ଦ୍ବାରା ସୃଷ୍ଟ ଶୂନ୍ୟ ସ୍ଥାନ ପୂରଣ କରିବାରେ ଆମ୍‌ ଆଦ୍‌ମୀ ପାର୍ଟି ବା ‘ଆପ୍‌’ (ପଞ୍ଜାବରେ ଦଳର ଅଭୂତପୂର୍ବ ସଫଳତା ଦୃଷ୍ଟିରୁ) ସମର୍ଥ ହେବାର ସମ୍ଭାବନା ଅତ୍ୟନ୍ତ ଅଧିକ। ସେମିତି ଆଉ ଏକ ଉପସ˚ହାର ହେଲା ନରେନ୍ଦ୍ର ମୋଦୀଙ୍କ ବିକଳ୍ପ ରୂପେ ବିରୋଧୀ ପକ୍ଷରୁ କୌଣସି ଚେହେରାର ଆବିର୍ଭାବ ଆଗାମୀ ପାଞ୍ଚ ସାତ ବର୍ଷ ଭିତରେ ଘଟିବାର ଆଶା ଅତ୍ୟନ୍ତ କ୍ଷୀଣ। କହିବା ବାହୁଲ୍ୟ ଯେ ବର୍ତ୍ତମାନ ପରିପ୍ରେକ୍ଷୀରେ ଏ ସମସ୍ତ ସମ୍ଭାବନା ଅତ୍ୟନ୍ତ ବାସ୍ତବବାଦୀ ଭଳି ମନେ ହୋଇଥାଏ। କିନ୍ତୁ ଇତିହାସରେ ଥିବା ଅନେକ ଦୃଷ୍ଟାନ୍ତ ତଥା ଏକ ଗଭୀର ଅନୁଶୀଳନ ପରିପ୍ରେକ୍ଷୀରେ ଅନେକ ରାଜନୈତିକ ବିଶ୍ଳେଷକ ଏ ସବୁକୁ ଭ୍ରାନ୍ତିରେ ବିଳାସ ଭାବେ ମଧୢ ଅଭିହିତ କରିଥାଆନ୍ତି।

Advertisment

ଏଠାରେ ସ୍ମରଣଯୋଗ୍ୟ ଯେ ୨୦୧୨ ମସିହାରେ ଅନୁଷ୍ଠିତ ହୋଇଥିବା ଉତ୍ତରପ୍ରଦେଶ ରାଜ୍ୟ ନିର୍ବାଚନରେ ସମାଜବାଦୀ ପାର୍ଟି (୨୨୦ଟି ବିଧାନସଭା ଆସନ) ଏବ˚ ବହୁଜନ ସମାଜ ପାର୍ଟି (୮୦ଟି ଆସନ) ବିପୁଳ ବିଜୟ ସହିତ ସରକାର ଗଠନ କରିଥିଲେ। ବିଜେପି ତହିଁରେ ଚତୁର୍ଥ ସ୍ଥାନରେ ଥିଲା। ଅଥଚ ଏହାର ଦୁଇ ବର୍ଷ ପରେ ଅର୍ଥାତ୍‌ ୨୦୧୪ ସାଧାରଣ ନିର୍ବାଚନରେ ଉତ୍ତରପ୍ରଦେଶର ସମୁଦାୟ ୮୦ଟି ସ˚ସଦୀୟ କ୍ଷେତ୍ର ଆସନରୁ ବିଜେପି ୭୧ଟି ଅଧିକାର କରିବାରେ ସମର୍ଥ ହୋଇଥିଲା। ସୁତରା˚, ୨୦୧୨ରେ ସୃଷ୍ଟ ଏକ ଧାରଣା ଯେ ୨୦୧୪ ନିର୍ବାଚନରେ ସମାଜବାଦୀ ପାର୍ଟି ଏବଂ ବହୁଜନ ସମାଜ ପାର୍ଟି ଅନୁରୂପ ସଫଳତା ପ୍ରଦର୍ଶନ କରିବ ପରିଶେଷରେ ଏକ ଭ୍ରାନ୍ତି ବୋଲି ହୃଦ୍‌ବୋଧ ହୋଇଥିଲା। ଅବଶ୍ୟ, ଏଭଳି ଏକ ଦୃଷ୍ଟାନ୍ତର ଅବତାରଣାରେ ଅନେକ ଏକମତ ନ ହୋଇ ପ୍ରଶ୍ନ କରିପାରନ୍ତି ଯେ ନରେନ୍ଦ୍ର ମୋଦୀଙ୍କ ଭଳି ଜଣେ ବଳିଷ୍ଠ ନେତାଙ୍କ ଉପସ୍ଥିତି ହେତୁ ବିଜେପି ୨୦୧୪ ମସିହାରେ ଯେଉଁ ସଫଳତା ଲାଭ କରିପାରିଲା, ୨୦୨୪ ମସିହା ବେଳକୁ ବିରୋଧୀ ପକ୍ଷରେ ସେଭଳି ଜଣେ ନେତାଙ୍କ ଆବିର୍ଭାବ ଘଟିବାର କୌଣସି ଆଭାସ ଏବେ ମିଳୁଛି କି? ଏହି ପରିପ୍ରେକ୍ଷୀରେ ୨୦୧୨ ମସିହା ବେଳକୁ ‘ବିଜେପି’ର ପ୍ରମୁଖ ନିର୍ବାଚନ ରଣନୀତିକାର ଭାବେ ଦାୟିତ୍ବ ନିର୍ବାହ କରୁଥିବା ପ୍ରଶାନ୍ତ କିଶୋର କହିଥାଆନ୍ତି ଯେ ସେତିକି ବେଳେ(୨୦୧୨ ମସିହାରେ) ଜାତୀୟ ଦୃଶ୍ୟପଟରେ ଅଦୃଶ୍ୟ ଥିବା ମୋଦୀ ପ୍ରକୃତରେ ୨୦୧୪ ମସିହାରେ ସମସ୍ତଙ୍କ ଆକି ଝଲସାଇ ଦେଇଥିଲେ। ତେଣୁ ୨୦୨୪ ମସିହାର ସାଧାରଣ ନିର୍ବାଚନ ବେଳକୁ ଯେ ମୋଦୀ ସମକକ୍ଷ ଏକ ବିରୋଧୀ ନେତୃତ୍ବ ଯେ ମୁଣ୍ତ ଟେକି ନ ଥିବ, ଏହା ନିଶ୍ଚିତ ଭାବେ କହିବା ଅଦୂରଦୃଷ୍ଟି ସଂପନ୍ନ ହୋଇପାରେ। ସପ୍ତମ ଦଶକରେ ଇନ୍ଦିରା ଗାନ୍ଧୀଙ୍କ ରାଜନୈତିକ ଏକାଧିପତ୍ୟ ସମୟରେ ଜୟପ୍ରକାଶ ନାରାୟଣ ଅଥବା ଅଷ୍ଟମ ଦଶକର ରାଜୀବ ଗାନ୍ଧୀଙ୍କ ପ୍ରଧାନମନ୍ତ୍ରିତ୍ବ କାଳରେ ବିଶ୍ବନାଥ ପ୍ରତାପ ସିଂହ ଅଥବା ୨୦୧୧ ମସିହାରେ ଆନ୍ନା ହଜାରେଙ୍କ ଆବିର୍ଭାବ ପରବର୍ତ୍ତୀ କାଳରେ ଶାସନ ପରିବର୍ତ୍ତନକୁ ସମ୍ଭବ କରାଇଥିଲା। ୨୦୨୦ ମସିହାରେ ଆରମ୍ଭ ହୋଇଥିବା ଏକ କ୍ଷୀଣ ପ୍ରତିବାଦ ଶୀଘ୍ର ଏକ ଅଟଳ କୃଷକ ଆନ୍ଦୋଳନରେ ପରିଣତ ହୋଇ ନରେନ୍ଦ୍ର ମୋଦୀଙ୍କ ଦୃଢ଼ ସରକାରକୁ ପଛଘୁଞ୍ଚା ଦେବାକୁ ବାଧୢ କରିଥିଲା। ତେଣୁ, ଏହା ସତ ନୁହେଁ କି ଯେ ଏକ ଗଣତନ୍ତ୍ରରେ କୌଣସି ନେତାଙ୍କ ଅପରାଜେୟତାର ଧାରଣା ଭ୍ରାନ୍ତିରେ ବିଳାସ ହୋଇପାରେ?

ତେବେ, ଏହାର ପରବର୍ତ୍ତୀ ପ୍ରଶ୍ନ ହେଲା ବର୍ତ୍ତମାନର କ˚ଗ୍ରେସ ଦ୍ବାରା ‘ବିଜେପି’ର ଅଗ୍ରଗତିକୁ ରୋକିବା ସମ୍ଭବପର କି? ଏହାର ଉତ୍ତର ନାସ୍ତିବାଚକ ହେବା ସ୍ବାଭାବିକ, କାରଣ ୨୦୧୪ ମସିହା ଠାରୁ ଏ ପର୍ଯ୍ୟନ୍ତ କ˚ଗ୍ରେସ ସମ୍ମୁଖୀନ ହୋଇଥିବା ନିର୍ବାଚନଗୁଡ଼ିକରୁ ୯୦ ପ୍ରତିଶତରୁ ଅଧିକରେ ପରାଜୟ ବରଣ କରିଛି, ଯେଉଁ ଧାରା ସମଗ୍ର ଭାରତରେ ତୃଣମୂଳ ସ୍ତର ପର୍ଯ୍ୟନ୍ତ ପରିଦୃଶ୍ୟ ହେବାରେ ଲାଗିଛି। ଏହି ସ˚ଦର୍ଭରେ କ˚ଗ୍ରେସକୁ ବଞ୍ଚାଇ ରଖିବା ଲାଗି ଦଳର ଶୀର୍ଷ ନେତୃତ୍ବରେ ପରିବର୍ତ୍ତନ ସହିତ ଦଳର ପୁନଃ ସ˚ରଚନା ଉପରେ ଅଧିକା˚ଶ ରାଜନୈତିକ ବିଶ୍ଳେଷକ ଗୁରୁତ୍ବ ଆରୋପ କରିଥାଆନ୍ତି। ସେହି ଦୃଷ୍ଟିରୁ କ˚ଗ୍ରେସର ଦଳୀୟ ନେତୃତ୍ବ ସହିତ ବିଦ୍ରୋହୀ ଭାବେ ଜଣାଶୁଣା ‘ଗ୍ରୁପ୍‌ ଅଫ୍‌ ୨୩’ର ନେତାମାନଙ୍କର ସ˚ପ୍ରତି ଆରମ୍ଭ ହୋଇଥିବା ମାନସ ମନ୍ଥନ ଏବ˚ ଘମାଘୋଟ ଆଲୋଚନା ବିଶେଷ ପ୍ରଣିଧାନଯୋଗ୍ୟ। କିନ୍ତୁ ଏକ କର୍କଶ ବାସ୍ତବତା ହେଲା, ଦଳର ଶୀର୍ଷ ନେତୃତ୍ବ ନେବା ସକାଶେ ଗାନ୍ଧୀ ପରିବାରର ବିକଳ୍ପ ଭାବେ ଅନ୍ୟ କୌଣସି ନେତାଙ୍କୁ ଦେଖିବାକୁ ମିଳି ନ ଥାଏ। ‘ଗ୍ରୁପ୍‌ ଅଫ୍‌ ୨୩’ଙ୍କ ମଧୢରୁ କୌଣସି ଜଣେ ହେଲେ ନେତା ସେମାନଙ୍କ ଜନାଧାର ଦୃଷ୍ଟିରୁ ହେଉ ଅଥବା ଦଳ ଉପରେ ସେମାନଙ୍କ ପ୍ରଭାବ ଦୃଷ୍ଟିରୁ ହେଉ; ଗାନ୍ଧୀ ପରିବାରର ସମତୁଲ ନୁହନ୍ତି। ତେଣୁ ଏଭଳି ସ୍ଥଳେ ଏକ ମୁମୂର୍ଷୁ ବୃକ୍ଷକୁ ପୁନରୁଜ୍ଜୀବିତ କରିବା ଲାଗି ମୂଳରେ ଜଳ ସି˚ଚନ କରିବାର ଆବଶ୍ୟକତା ଅଧିକ ନା ପତ୍ର ଉପରେ ହରମୋନ୍‌ ସି˚ଚନ କରିବା ଅଧିକ ଜରୁରୀ; ତାହାର ବିଚାର କଲେ ଏକ ସ˚ପୂର୍ଣ୍ଣ ଆଭିମୁଖ୍ୟଗତ ପରିବର୍ତ୍ତନର ଆବଶ୍ୟକତା ଆଡ଼କୁ ଇଙ୍ଗିତ ମିଳିଥାଏ। ସୁତରାଂ, କତିପୟ ରାଜନୈତିକ ବିଶ୍ଳେଷକଙ୍କ ମତରେ କ˚ଗ୍ରେସ ଦଳ ନିକଟରେ ମହଜୁଦ ହୋଇ ରହିଥିବା ସମ୍ବଳର ଉଚିତ ବିନିଯୋଗ ଏକାନ୍ତ ଜରୁରୀ। ଏଥି ଲାଗି ତୃଣମୂଳ ସ୍ତରରେ ରାଜନୈତିକ ସକ୍ରିୟତା ଏବ˚ ଆଗ୍ରହ ସୃଷ୍ଟି କରାଯିବା ସହିତ ରାଜ୍ୟ ସ୍ତରୀୟ ନେତୃତ୍ବକୁ ନିଷ୍ପତ୍ତି ନେବାରେ ଅଧିକ ସ୍ବାଧୀନତା ପ୍ରଦାନ ସର୍ବାଧିକ ମହତ୍ତ୍ବପୂର୍ଣ୍ଣ ବୋଲି ସେମାନେ ମତ ଦିଅନ୍ତି। ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଗଲା ପ୍ରାୟ ଦୁଇ ଦଶନ୍ଧି ଧରି କ˚ଗ୍ରେସ ଦଳ ପକ୍ଷରୁ ପ୍ରାଥମିକ ସଦସ୍ୟ ଗ୍ରହଣ ନେଇ କୌଣସି ପଦକ୍ଷେପ ନିଆଯାଇନାହିଁ, ଯାହା ଏକ ଉତ୍କଟ ରାଜନୈତିକ ଉଦାସୀନତାର ପ୍ରମାଣ। କହିବା ଅନାବଶ୍ୟକ ଯେ ତୃଣମୂଳ ସ୍ତରରେ ଏକ ଚଳଚଞ୍ଚଳ କ˚ଗ୍ରେସ ତା’ ପ୍ରତି ଏ ପର୍ଯ୍ୟନ୍ତ ଅନୁରକ୍ତ ହୋଇ ରହିଥିବା ବିଶାଳ ସ˚ଖ୍ୟକ ଭୋଟରଙ୍କ ଠାରେ ନୂତନ ଉତ୍ସାହ ସୃଷ୍ଟି କରିପାରନ୍ତା। ସେହି ଦୃଷ୍ଟିରୁ କ˚ଗ୍ରେସର ପୁନର୍ଜାଗରଣ ଲାଗି ଶୀର୍ଷ ସ୍ତରୀୟ ନେତୃତ୍ବ‌ର ପରିବର୍ତ୍ତନରେ ଅନିବାର୍ଯ୍ୟତା ମଧୢ ଏକ ଭ୍ରାନ୍ତି ଭଳି ଦିିଶି ନ ଥାଏ କି? ବରଂ ଏକ ଯୁଦ୍ଧ କାଳୀନ ଭିତ୍ତିରେ ଦଳର ପଦାତିକମାନଙ୍କ ଠାରେ ପ୍ରାଣ ସଂଚାର କରାଯିବାର ଉଦ୍ୟମ ଏକ ବାସ୍ତବ ଉପାୟ।

ଏହା ସ୍ମରଣରେ ରହିବା ଉଚିତ ଯେ ୨୦୧୯ ନିର୍ବାଚନରେ କ˚ଗ୍ରେସ ଲାଭ କରିଥିବା ଭୋଟ ସ˚ଖ୍ୟା ଥିଲା ପ୍ରାୟ ୧୨ କୋଟି, ଯାହା ସମୁଦାୟ ଭୋଟ୍‌ର ପ୍ରାୟ ୨୦ ପ୍ରତିଶତ ଯେତେବେଳେ କି ବିଜେପି ଲାଭ କରିଥିବା ଭୋଟ ହାର ଥିଲା ପ୍ରାୟ ୩୭ ପ୍ରତିଶତ। ଏହା ମଧୢ ସ୍ବୀକାର କରିବାରେ ଦ୍ବିଧା ନାହିଁ ଯେ ସ˚ପ୍ରତି ଅଖିଳ ଭାରତୀୟ ଚରିତ୍ର ବହନକାରୀ ଏକମାତ୍ର ବିରୋଧୀ ଦଳ ହେଉଛି କ˚ଗ୍ରେସ। ଏହା ସହିତ ଆଉ ଏକ ବାସ୍ତବତା ହେଲା ଏବେ ସୁଦ୍ଧା ଭାରତର ଅର୍ଧାଧିକ ରାଜ୍ୟର ଶାସନ ବିଜେପି ଅଧୀନରେ ନାହିଁ ଏବ˚ ସେଠାରେ ଥିବା ମୁଖ୍ୟତଃ ଆଞ୍ଚଳିକ ଦଳଗୁଡ଼ିକ ‘ବିଜେପି’ ବିରୋଧରେ ନିର୍ବାଚନ ଲଢ଼ିଥାଆନ୍ତି। କହିବା ନିଷ୍ପ୍ରୟୋଜନ ଯେ ‘ବିଜେପି’ର ଦକ୍ଷିଣପନ୍ଥୀ ରାଜନୈତିକ ମତାଦର୍ଶର ବିରୋଧୀ ସ୍ବରୂପ ଏହଭଳିି ଦଳମାନ ଏକ ସବଳ କ˚ଗ୍ରେସର ଆହ୍ବାନରେ ଏକଜୁଟ ହେବା ଲାଗି ଅଧିକ ଆଗ୍ରହୀ ହେବେ। ତେବେ, ବର୍ତ୍ତମାନ ପଞ୍ଜାବରେ ନିର୍ବାଚନ ଜିଣିବା ପରେ କିଛି ରାଜନୈତିକ ପର୍ଯ୍ୟବେକ୍ଷକ ଆଗ୍ରହାତିଶଯ୍ୟରେ ‘ଆପ୍‌’କୁ ଭବିଷ୍ୟତ୍‌ରେ କ˚ଗ୍ରେସର ଏକ ବିକଳ୍ପ ରୂପେ ଦେଖିଥାଆନ୍ତି। କିନ୍ତୁ ଏକ ସାଧାରଣ ଜ୍ଞାନ ସମ୍ବଳିତ ହିସାବ କହିଥାଏ ଯେ ଗଲା ନିର୍ବାଚନରେ ‘ଆପ୍‌’ ହାସଲ କରିଥିବା ପ୍ରାୟ ୨୭ ଲକ୍ଷ ଭୋଟ୍‌କୁ ଅନ୍ତତଃ ପକ୍ଷେ ୧୫ରୁ ୨୦ କୋଟିରେ ନ ପହଞ୍ଚାଇଲା ପର୍ଯ୍ୟନ୍ତ ‘ଆପ୍‌’ ଏକ ଅଖିଳ ଭାରତୀୟ ଦଳ ରୂପେ ଉପସ୍ଥିତି ଓ ପରିଚିତି ଲାଭ କରିପାରିବ ନାହିଁ, ଯାହା ଅତ୍ୟନ୍ତ କଷ୍ଟସାଧୢ ବୋଲି କହିବା ବାହୁଲ୍ୟ ମାତ୍ର। ତେଣୁ ‘ଆପ୍‌’ ଯେ ଅଚିରେ ଏକ କ˚ଗ୍ରେସ ଅତିକ୍ରମୀ ଅଖିଳ ଭାରତୀୟ ଦଳରେ ପରିଣତ ହେବ; ତାହା ମଧୢ ବର୍ତ୍ତମାନ ଲାଗି ଏକ ଭ୍ରାନ୍ତି ଭଳି ମନେ ହୋଇଥାଏ।