ନୂଆ ବ୍ୟାଖ୍ୟାନର ବେଳ!

ଗଲା ଶନିବାର ଦିନ ରାଜ୍ୟର ପୌର ନିର୍ବାଚନର ଫଳାଫଳ ପ୍ରକାଶିତ ହୋଇଯାଇଛି। ଏହାର ମାତ୍ର ପଚିଶ ଦିନ ପୂର୍ବରୁ ପଞ୍ଚାୟତ ନିର୍ବାଚନର ଫଳ ପ୍ରକାଶ ପାଇବା ପରେ ଶାସକ ବିଜୁ ଜନତା ଦଳର ସାଫଲ୍ୟକୁ ନେଇ ଆଶାବାଦୀ ଥିବା ରାଜ୍ୟବାସୀ ସାଫଲ୍ୟର ବିପୁଳତାକୁ ନେଇ ଯେଉଁଭଳି ଚମତ୍କୃତ ହୋଇଥିଲେ, ପୌର ନିର୍ବାଚନ ଫଳାଫଳ ପ୍ରକାଶିତ ହେବା ପରେ ତାହାର ପୁନରାବୃତ୍ତି ଘଟିଛି। କେବଳ ସେତିକି ନୁହେଁ, ଏହା ସହିତ ବ୍ୟାବହାରିକ ରାଜନୀତି ବା କ୍ଷେତ୍ର ରାଜନୀତିକୁ ନେଇ ରହି ଆସିଥିବା କିଛି ପୁରୁଣା ଅବଧାରଣା ଯେ ଓଡ଼ିଶାରେ ଅପ୍ରାସଙ୍ଗିକ ହେବାରେ ଲାଗିଛି, ସେ ଭଳି ଧାରଣାଟିଏ ମଧୢ ସୃଷ୍ଟି ହେଲାଣି; ଯେମିତି କି ଏକ ଗଣତନ୍ତ୍ରରେ ଦୀର୍ଘ କାଳ ଧରି କ୍ଷମତାସୀନ ଦଳ ସତ୍ତା ବିରୋଧୀ ଆବେଗର ସମ୍ମୁଖୀନ ହୋଇ କ୍ଷମତାରୁ ଅପସାରିତ ହୋଇଥାଏ ଅଥବା ସା˚ଗଠନିକ ରାଜନୀତିରେ ବିଶେଷ ଅଭିଜ୍ଞତା ଆହରଣ କରିଥିବା ପୋଖତ ରାଜନେତା ହିଁ ଏକ ବିଶାଳ ଏବ˚ ସଫଳ ଦଳର ନେତୃତ୍ବ ନେବା ଲାଗି ଯୋଗ୍ୟ ହୋଇଥାଆନ୍ତି ଇତ୍ୟାଦି। ପ୍ରକାଶ ଥାଉ କି ୧୯୯୭ ମସିହାରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତୁଙ୍ଗ ରାଜନେତା ବିଜୁ ପଟ୍ଟନାୟକଙ୍କ ପରଲୋକ ପରେ ଦିଲ୍ଲୀରେ ବସବାସ କରୁଥିବା ଏବ˚ ରାଜନୀତି କ୍ଷେତ୍ରରେ ଅର୍ବାଚୀନ ତାଙ୍କ ପୁତ୍ର ନବୀନ ପଟ୍ଟନାୟକଙ୍କୁ ଆଣି ତାଙ୍କର ସମସ୍ତ କୁଣ୍ଠା ସତ୍ତ୍ବେ ଦଳର ନେତା ରୂପେ ଅଧିଷ୍ଠିତ କରାଇ ଦିଆଯାଇଥିଲା। କିନ୍ତୁ ବର୍ତ୍ତମାନ ତା’ର ପଚିଶ ବର୍ଷ ପରେ ସେହି କୁଣ୍ଠିତ ନେତା ଓ ତାଙ୍କ ନେତୃତ୍ବାଧୀନ ଦଳ ଦ୍ବାରା ନିରବଚ୍ଛିନ୍ନ ଭାବେ ପାଞ୍ଚଟି ପାଳିର ନିର୍ବାଚନୀ ବିଜୟ ଏବ˚ ସେହି ଦୁଇ ଦଶନ୍ଧିରୁ ଅଧିକ କାଳ ମଧ୍ୟରେ ରାଜ୍ୟର ତୃଣମୂଳ ସ୍ତରୀୟ ନିର୍ବାଚନରେ ଚମକପ୍ରଦ ପ୍ରଦର୍ଶନ ଓଡ଼ିଶା ପରିପ୍ରେକ୍ଷୀରେ ରାଜନୈତିକ ସାଫଲ୍ୟର ପୁରୁଣା ସୂତ୍ରଗୁଡ଼ିକୁ ସହସା ଅଚଳ କରିଦେବା ସହିତ ସତେ ଯେମିତି ତା’ର ପୁନର୍ଲିଖନ ଲାଗି ଅବକାଶ ସୃଷ୍ଟି କରିଛି!

ଏ ନେଇ ସମସ୍ତେ ଅବଗତ ଯେ ଆମ ରାଜ୍ୟରେ ଦୀର୍ଘ କାଳ ଧରି ପରାଜିତ ହୋଇ ଆସୁଥିବା ବିରୋଧୀ ରାଜନୈତିକ ଦଳଗୁଡ଼ିକ ବିଜେଡିର ଏଭଳି ସଫଳତା ଲାଗି ‘ଅର୍ଥ ବଳ’ ଓ ‘ବାହୁ ବଳ’ର ଭୂମିକା ଆଡ଼କୁ ଇଙ୍ଗିତ କରି ଆସିଛନ୍ତି। ସେମାନଙ୍କ ଦ୍ବାରା ସୃଷ୍ଟ ‘ନାରେଟିଭ୍‌’ ବା ବ୍ୟାଖ୍ୟାନ କହିଥାଏ ଯେ ଟଙ୍କା ଏବ˚ ମଦର ଅକାତର ବଣ୍ଟନ ଏବ˚ ଗୁଣ୍ଡାରାଜ୍‌ର ଭୟ ଭୋଟରମାନଙ୍କ ଆନୁଗତ୍ୟ ହାସଲ କରିବାରେ ସମର୍ଥ ହେଉଛି। ଏହି ପ୍ରସଙ୍ଗରେ ଆଲୋଚନା କଲା ବେଳେ କଲମ୍ବିଆ ବିଶ୍ବବିଦ୍ୟାଳୟର ରାଜନୀତି ବିଜ୍ଞାନର ଗବେଷକ ସାଇମନ ଚାଉକାର୍ଡ‌୍‌ଙ୍କ ଏ ସ˚କ୍ରାନ୍ତ ଏକ ଅନୁଶୀଳନ (ଶୀର୍ଷକ: ନିର୍ବାଚନ ରଣନୀତି ଭାବେ ଅର୍ଥ ଓ ଉପହାର ବଣ୍ଟନର ଭୂମିକା) ପ୍ରଣିଧାନଯୋଗ୍ୟ, ଯାହାର ନିଷ୍କର୍ଷ ହେଲା ଯେ ଭାରତ ସମେତ ପୃଥିବୀର ଅନେକ ଗଣତନ୍ତ୍ରରେ ଭୋଟରମାନଙ୍କୁ ପ୍ରଭାବିତ କରିବାର ଏକ ରଣନୀତି ସ୍ବରୂପ ନିର୍ବାଚନ ପୂର୍ବରୁ ବଣ୍ଟନ କରାଯାଉଥିବା ଅର୍ଥ କିମ୍ବା ଉପହାର ଏକ ଧାରାରେ ପରିଣତ ହୋଇଥିଲେ ହେଁ ଏହା ବାରମ୍ବାର ପ୍ରମାଣିତ ହେବାରେ ଲାଗିଛି ଯେ ଭୋଟରମାନଙ୍କ ରାଜନୈତିକ ଆନୁଗତ୍ୟକୁ ଏହା ସହଜରେ ଦୋହଲାଇ ପାରି ନ ଥାଏ।

ସେହିଭଳି ବାହୁବଳ ଉପରେ ଆଶ୍ରା କରିଥିବା ରାଜନୈତିକ ଦଳ ଯେ ନିର୍ବାଚନରେ ଭୋଟରମାନଙ୍କ ଦ୍ବାରା ପ୍ରତ୍ୟାଖ୍ୟାତ ହୁଅନ୍ତି, ତାହାର ମଧୢ ଦୃଷ୍ଟାନ୍ତ ରହିଛି; ଯେମିତି ଘଟିଥିଲା ପଶ୍ଚିବବଙ୍ଗ ରାଜନୀତିରେ, ଏକଦା ଅପରାଜେୟ ଭଳି ମନେ ହେଉଥିବା ସିପିଏମ୍‌ ଦଳର ବିଲୟ ସହିତ। ସୁତରା˚, ପ୍ରଖ୍ୟାତ ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର କହିଥିବା ଭଳି ବିରୋଧୀ ଦଳଗୁଡ଼ିକ ଦ୍ବାରା ଏଭଳି ବିଭ୍ରାନ୍ତିକର ‘ନାରେଟିଭ୍‌’ର ସୃଷ୍ଟି ଓ ତହିଁରେ ବିଶ୍ବାସ ସେମାନଙ୍କୁ ନିଜର ଦୁର୍ବଳତା ଚିହ୍ନଟ କରିବାରେ ଅସମର୍ଥ କରାଏ। ସେହିଭଳି ବିଜେଡିର ବିଜୟରେ ନିର୍ବାଚନକୁ ପରିଚାଳନା କରୁଥିବା ସରକାରୀ କଳର ସନ୍ଦେହାସ୍ପଦ ଭୂମିକାକୁ କେନ୍ଦ୍ର କରି ଆଉ ଏକ ‘ବ୍ୟାଖ୍ୟାନ’ ଗଢ଼ି ଉଠିଛି। କିନ୍ତୁ ଟିକିଏ ସାଧାରଣ ଜ୍ଞାନର ପ୍ରୟୋଗରେ ବୁଝିହୁଏ ଯେ ବୁଥ୍‌ଗୁଡ଼ିକରେ ସମସ୍ତ ଦଳର ଏଜେଣ୍ଟଙ୍କ ଅତ୍ୟନ୍ତ ସତର୍କ ଦୃଷ୍ଟି ତଳେ ଏଭଳି ଦୁରାଚାର କଦବା କ୍ବଚିତ ମୁଷ୍ଟିମେୟ ବିଜୟର କାରଣ ହୋଇପାରେ, କିନ୍ତୁ ଏଭଳି ବିପୁଳ ବିଜୟକୁ ସମ୍ଭବ କରି ପାରିବ ନାହିଁ। ତେବେ, ଏହି ସ˚ଦର୍ଭରେ ଯାହା ଉଦ୍‌ବେଗଜନକ, ତାହା ହେଲା ଏଭଳି ବ୍ୟାଖ୍ୟାନ ଦ୍ବାରା ‘ବିଶ୍ବାସ-ହାନି’ର ଯେଉଁ ବାତାବରଣ ସୃଷ୍ଟି ହୋଇଥାଏ, ତହିଁରେ ଗଲା ୨୫ ତାରିଖ ଦିନ ବିଜେବି କଲେଜ ଠାରେ ଷ୍ଟ୍ରଙ୍ଗ୍‌ରୁମ୍‌ରେ ଅନୁପ୍ରବେଶକୁ ନେଇ ସ˚ଘଟିତ ହୋଇଥିବା ଭଳି ଦୁର୍ଭାଗ୍ୟଜନକ ଘଟଣାମାନ ଦେଖିବାକୁ ମିଳିଥାଏ।

କେନ୍ଦ୍ରରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ବିଜେପି ଦଳ ଯେଉଁଭଳି ପ୍ରଭାବ ପ୍ରଦର୍ଶନ କରିଚାଲିଛି, ତାକୁ ଅବ୍ୟାହତ ରଖିବା ଲାଗି ଦଳ ପକ୍ଷରୁ ପଥିକୃତ୍‌ ଭାବେ ‘କ˚ମ୍ରେସ ମୁକ୍ତ ଭାରତ’ ଭଳି ଏକ ଅଭିଯାନର ସୂତ୍ରପାତ କରାଯାଇଛି; ଯାହା ଏକ ବିରୋଧୀ ଶୂନ୍ୟ ପରିବେଶରେ ବିଜେପିର ଏକକ-ନାୟକତ୍ବକୁ ବଳବତ୍ତର କରିବ। ତେବେ, ଓଡ଼ିଶାରେ ଏଭଳି କୌଣସି ଅଗଣତାନ୍ତ୍ରିକ ଉଦ୍ୟମ ବିନା ବିରୋଧୀ ଦଳଗୁଡ଼ିକ (ବିଜେପି ଭଳି ଅତ୍ୟନ୍ତ ଟାଣୁଆ ଦଳ ମଧୢ!) ଶକ୍ତିଶୂନ୍ୟ ତଥା ନିଷ୍ପ୍ରଭ ହୋଇ ପଡୁଥିବାର କାରଣ କ’ଣ ହୋଇପାରେ? ଏହାର କାରଣ କ’ଣ ଅତ୍ୟନ୍ତ ସୁଶୀଳ, ସ୍ବଳ୍ପ ତଥା ମିଷ୍ଟଭାଷୀ, ନିର୍ମଳ ଭାବମୂର୍ତ୍ତିର ଅଧିକାରୀ ଏବ˚ ଦରଦୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ରାଜ୍ୟବାସୀଙ୍କ ଅକୁଣ୍ଠ ଓ ନିଷ୍କପଟ ଶ୍ରଦ୍ଧା? ନା ଦାରିଦ୍ର୍ୟ ନିରାକରଣ ଲାଗି ଅସ˚ଖ୍ୟ ଜନମଙ୍ଗଳକାରୀ ଯୋଜନାର ସଫଳ ରୂପାୟନ? ନା ‘ମିସନ ଶକ୍ତି’ ଆନୁକୂଲ୍ୟରେ ‘ସ୍ବୟ˚ ସହାୟକ ଗୋଷ୍ଠୀ’ ମାଧୢମରେ ନାରୀ ସଶକ୍ତୀକରଣରେ ଉଦାହରଣୀୟ ସଫଳତା? ନା ଭୟାବହ ପ୍ରାକୃତିକ ଦୁର୍ବିପାକ ପରିପ୍ରେକ୍ଷୀରେ ଜନ ଜୀବନ ରକ୍ଷା କରିବାରେ ବିଶ୍ବ ବିଖ୍ୟାତ ପରାକାଷ୍ଠା ପ୍ରଦର୍ଶନ? ନା ଅବହେଳିତ ଜାତୀୟ କ୍ରୀଡ଼ା ହକିକୁ ପୃଷ୍ଠପୋଷକତା ପ୍ରଦାନ କରିବା ଭଳି ଏକ ମର୍ମସ୍ପର୍ଶୀ ଆଭିମୁଖ୍ୟ? ନା ଶ୍ରୀମନ୍ଦିର ବା ଲିଙ୍ଗରାଜ ମନ୍ଦିର ଭଳି ଓଡ଼ିଶାର ପରିଚୟ ବହନକାରୀ ଧର୍ମୀୟ ତଥା ଐତିହ୍ୟ ପୀଠଗୁଡ଼ିକୁ ପ୍ରାଣବନ୍ତ କରି ଗଢ଼ି ତୋଳିବାର ପ୍ରୟାସ?; ସମ୍ଭବତଃ ଏ ସବୁ ମିଶି ଯାଇ ରାଜନୀତିର ପରିଧି ଅତିକ୍ରମ କରି କେଉଁ ଏକ ସୂକ୍ଷ୍ମ କୋଣରେ ଜନସାଧାରଣଙ୍କ ହୃଦୟତନ୍ତ୍ରୀକୁ ସ୍ପର୍ଶ କରିବାରେ ସଫଳ ହୋଇଛି!

ତେଣୁ ଏହି ସ˚ଦର୍ଭରେ ବିରୋଧୀ ଦଳଗୁଡ଼ିକ ଲାଗି ଯାହା ପ୍ରଯୁଜ୍ୟ, ତାହା ହେଲା ନିଜ ପାଦ ତଳୁ ଖସି ଯାଉଥିବା ଭୂମିର ପୁନଃ ଅଧିକାର ସକାଶେ ନୂତନ ଭାବେ ଅଙ୍କ କଷିବା ଲାଗି ଆଗ୍ରହ ସୃଷ୍ଟି। ପ୍ରକାଶ ଥାଉ କି ଟେଲିଭିଜନ ଷ୍ଟୁଡିଓରେ ବିଦ୍ବାନ ବ୍ୟାଖ୍ୟାକାରମାନେ ଯେଉଁସବୁ ନିଷ୍କର୍ଷରେ ପହଞ୍ଚନ୍ତି, ତା’ ଠାରୁ ‘ସଡ଼କ ରାଜନୀତି’ରେ ପରିଦୃଷ୍ଟ ହେଉଥିବା ଅବଧାରଣା ଅନେକ ଭିନ୍ନ ହୋଇପାରେ; ଯାହାର ଆଭାସ ରୁଚିର ଶର୍ମା ଏବ˚ ତାଙ୍କ ଦଳ ଦ୍ବାରା ଏକ ଦୀର୍ଘ କାଳ ଧରି (୨୫ ବର୍ଷ) ଭାରତର ଦୈର୍ଘ୍ୟ ଓ ପ୍ରସ୍ଥ ପରିଭ୍ରମଣ ପରେ ଶର୍ମାଙ୍କ ଦ୍ବାରା ଲିଖିତ ବିଖ୍ୟାତ ପୁସ୍ତକ ‘ଡେମୋକ୍ରାସି ଅନ୍‌ ଦ ରୋଡ୍‌’ ରେ ମିଳିଥାଏ; ଏବ˚ ଭାରତରେ ସଡ଼କର ପଦାତିକମାନେ ହିଁ ଦଳଗୁଡ଼ିକର ନିର୍ବାଚନୀ ଭାଗ୍ୟ ନିର୍ଣ୍ଣୟ କରି ଥାଆନ୍ତି। ଏହି କଥାଟିକୁ ସମ୍ଭବତଃ ବିାଜେଡି ହୃଦୟଙ୍ଗମ କରି ସାରିଛି।

ଏହି ନିର୍ବାଚନରେ ୧୦୮ଟି ପୌରାଞ୍ଚଳ ମଧୢରୁ ୯୫ଟିରେ ବିଜେଡି ସ˚ଖ୍ୟାଗରିଷ୍ଠତା ହାସଲ କରିଛି ଏବ˚ ତିନିଟି ମେୟର ପଦ ସମେତ ୭୩ଟି ପୌରାଞ୍ଚଳରେ ଅଧୢକ୍ଷ ପଦ ଅକ୍ତିଆର କରିବାରେ ସମର୍ଥ ହୋଇଛି। ଯେଉଁ କତିପୟ ପୌରାଞ୍ଚଳରେ ଗୋଟିଏ ଦଳର ସ˚ଖ୍ୟାଗରିଷ୍ଠତା ସତ୍ତ୍ବେ ଅଧୢକ୍ଷ ରୂପେ ପ୍ରତିପକ୍ଷ ଦଳର ବ୍ୟକ୍ତି ନିର୍ବାଚିତ ହୋଇଛନ୍ତି, ସେଥିରେ ପରିଚାଳନାଗତ ବିଭ୍ରାଟ ଦେଖାଯିବା ନେଇ ଏକ ଆଶଙ୍କା ପ୍ରକାଶ ପାଉଛି, ଯାହା କେଉଁଠି ସତ୍ୟ ବା କେଉଁଠି ମିଥ୍ୟାରେ ପରିଣତ ହେବ, ତାହା ଭବିଷ୍ୟତ୍‌ କହିବ। ତେବେ ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଉଭୟ ପଞ୍ଚାୟତ ଏବ˚ ପୌର ନିର୍ବାଚନର ବିପୁଳ ସଫଳତା ପରିପ୍ରେକ୍ଷୀରେ ବିଜେଡି ଦଳ ଠାରୁ ଯାହା ଆଶା କରାଯାଏ, ତାହା ହେଲା ସଂଯମ ଓ ଶୃଙ୍ଖଳା। ବେଳେବେଳେ ଦୃଶ୍ୟମାନ ହେଉଥିବା ରାଜନୈତିକ ହି˚ସାକାଣ୍ତରେ କିଛି କର୍ମୀ ବା ନେତାଙ୍କ ସ˚ପୃକ୍ତି ଯେ ସ˚ପୂର୍ଣ୍ଣ ଅନାବଶ୍ୟକ, ଏହା କହିବା ବାହୁଲ୍ୟ ମାତ୍ର। ଯେଉଁଠାରେ ବିଜୟ ଏଭଳି ନିରଙ୍କୁଶ ଯେ ‘ଗଳା କଟା’ ପ୍ରତିଦ୍ବନ୍ଦ୍ବିତା ଲାଗି ଅବକାଶ ହିଁ ନାହିଁ, ସେଠାରେ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନର ପ୍ରବଣତା କାହିଁକି?

ସମ୍ବନ୍ଧିତ ଖବର