ବିଦାୟ କଟ୍‌-ଅଫ୍!

କେତେକ ପ୍ରସଙ୍ଗରେ ଅର୍ଥନୀତିଜ୍ଞମାନେ ‘ରସାତଳ ଗମନ’ ବା ‘ରସାତଳକୁ ଦୌଡ଼’ (‘ରେସ୍ ଟୁ ଦି ବଟମ୍’) କଥା କହିବା ଜଣାଶୁଣା। ଯେମିତି, ନିଜ ରାଜ୍ୟକୁ ଶିଳ୍ପୋଦ୍ୟୋଗୀମାନଙ୍କୁ ଆକୃଷ୍ଟ କରିବା ପାଇଁ ସେ ରାଜ୍ୟର ସରକାର ଯଦି କେତେକ ପରିବେଶ ସୁରକ୍ଷା ସମ୍ପର୍କିତ କଟକଣା କୋହଳ କରି ଦିଅନ୍ତି, ସେ ଦୌଡ଼ରେ ସେହି ରାଜ୍ୟକୁ ପଛରେ ପକାଇ ସେମାନଙ୍କୁ ନିଜ ରାଜ୍ୟ ଆଡ଼କୁ ଆକର୍ଷିତ କରିବା ଉଦ୍ଦେଶ୍ୟରେ ଅନ୍ୟ ଏକ ରାଜ୍ୟ ସରକାର ସେଠାରେ ବଳବତ୍ତର ଥିବା ପରିବେଶ କଟକଣାକୁ ଆହୁରି ଅଧିକ ହୁଗୁଳା କରି ଦେଇ ପାରନ୍ତି।

ସେପରି ଘଟିଲେ ପରବର୍ତ୍ତୀ ପଦକ୍ଷେପ ସ୍ବରୂପ ପ୍ରଥମ ରାଜ୍ୟରେ ପରିବେଶ କଟକଣାକୁ ପୂର୍ବ ଅପେକ୍ଷା ଆହୁରି ଢିଲା କରି ଦିଆଯାଇ ଦ୍ବିତୀୟ ରାଜ୍ୟକୁ ପୁଣି ପଛରେ ପକାଇ ଦିଆଯାଏ। ଦ୍ବିତୀୟ ରାଜ୍ୟ କିନ୍ତୁ ଚୁପ୍ ହୋଇ ନ ବସି ଏଥର ନିଜ ପରିବେଶ ସୁରକ୍ଷା ନିୟମାବଳୀରେ ଆହୁରି ସଂଶୋଧନ ଘଟାଇ ତାହାକୁ ପ୍ରଥମ ରାଜ୍ୟ ଅପେକ୍ଷା ଆହୁରି ଅଧିକ ନିବେଶକ-ଅନୁକୂଳ କରି ପକାଇଥାଏ। ଏହା ପରେ ପ୍ରଥମ ରାଜ୍ୟ ପୁଣି ଦ୍ବିତୀୟ ରାଜ୍ୟକୁ ପଛରେ ପକାଇବାକୁ; ତା’ପରେ ଦ୍ବିତୀୟ ରାଜ୍ୟ ପୁଣି ପ୍ରଥମକୁ ପଛରେ ପକାଇବାକୁ; ପ୍ରଥମ ପୁଣି ଦ୍ବିତୀୟକୁ …. ଲାଗି ପଡ଼ନ୍ତି। ପରିବେଶ କଟକଣାର ଏହି ତଳମୁହାଁ ଦୌଡ଼ରେ ସେତିକି ବେଳେ ଅନ୍ତ ଘଟିବ, ଯେତେବେଳେ ଉଭୟ ରାଜ୍ୟରେ ଲାଗୁ ହେଉଥିବା ସମସ୍ତ ପରିବେଶ କଟକଣା ସମ୍ପୂର୍ଣ୍ଣ ଉଠିଯିବ; କୋହଳ କରିବା ପାଇଁ ଆଉ କିଛି ବାକି ନ ଥିବ। ପରିବେଶର ଭାଗ୍ୟ ରସାତଳରେ ପଡ଼ି ରହିବ।

ଆମ ଦେଶରେ ନାମଜାଦା କେତେକ ଉଚ୍ଚ ଶିକ୍ଷାନୁଷ୍ଠାନ ମାନଙ୍କରେ ସ୍ଥାନଟିଏ ପାଇବା ପାଇଁ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଯେଉଁ ପ୍ରତିଯୋଗିତା ଚାଲିବା ଦେଖାଯାଇଥାଏ, ସେ ଦୌଡ଼କୁ ଯଦି ଏହି ‘ରସାତଳ ଦୌଡ଼’ ସହିତ ତୁଳନା କରାଯାଏ, ତେବେ ତାହାକୁ ଏହାର ଠିକ୍ ବିପରୀତ, ‘ଶିଖରକୁ ଦୌଡ଼’ ରୂପେ ବର୍ଣ୍ଣନା କରାଯାଇ ପାରେ। ଏହା ବର୍ତ୍ତମାନ ଦେଶସାରା କାହାକୁ ଅଜଣା ନୁହେଁ ଯେ, ଉଦାହରଣ ସ୍ବରୂପ ଦିଲ୍ଲୀ ବିଶ୍ବବିଦ୍ୟାଳୟ ଭଳି ଏକ ମର୍ଯ୍ୟାଦାଜନକ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ପ୍ରବେଶ କରିବା ପାଇଁ ଚାହୁଁଥିବା ଜଣେ ଛାତ୍ର କୌଣସି ଏକ ନିର୍ଦ୍ଦିଷ୍ଟ ବୋର୍ଡ ଅଧୀନରେ ଦେଇଥିବା ପରୀକ୍ଷାରେ ୯୯ ଶତାଂଶ ମାର୍କ ରଖିଥିଲେ ହେଁ, ସ୍ଥାନଟିଏ ପାଇବା ତା’ ପାଇଁ ଅନିଶ୍ଚିତ ହୋଇଯାଏ, ଯେତେବେଳେ ସେ ଏଭଳି ପ୍ରତିଦ୍ବନ୍ଦ୍ବୀମାନଙ୍କର ସମ୍ମୁଖୀନ ହୁଏ, ଯେଉଁମାନେ ସେମାନଙ୍କ ବୋର୍ଡ କରିଥିବା ପରୀକ୍ଷାରେ ୧୦୦ ଶତାଂଶ ମାର୍କ ଲାଭ କରିଥାନ୍ତି।

ମସ୍ତିଷ୍କର ଏହି ପ୍ରତିଯୋଗିତା ଏ ଯେଉଁ ଉପରମୁହାଁ ଦୌଡ଼ ସୃଷ୍ଟି କରିଛି, ତାହାର ଅନ୍ତିମ ଫଳର ଉପରବର୍ଣ୍ଣିତ ତଳମୁହାଁ ‘ରସାତଳକୁ ଦୌଡ଼’ର ଫଳ ସହିତ ସାମଞ୍ଜସ୍ୟ ରହିଛି ବୋଲି ଶିକ୍ଷାବିତ୍‌ମାନେ କେବେ ଠାରୁ ଆଶଙ୍କା ପ୍ରକାଶ କରି ଆସୁଛନ୍ତି। ଏହା ଅଘୋଷିତ ହୋଇଥିଲେ ହେଁ, ନିଜ ପିଲାମାନେ ଯେପରି ଉପରୋକ୍ତ ପ୍ରତିଯୋଗିତାରେ ପଛରେ ପଡ଼ି ନ ଯିବେ, ବୋଧହୁଏ ତାହା ନିଶ୍ଚିତ କରିବା ପାଇଁ କେତେକ ବୋର୍ଡ ଆୟୋଜନ କରୁଥିବା ପରୀକ୍ଷା ଠାରୁ ମୂଲ୍ୟାୟନ ପର୍ଯ୍ୟନ୍ତର ମାନକୁ କୋହଳ କରି ଦେଉଛନ୍ତି ବୋଲି ସନ୍ଦେହ ପ୍ରକାଶ ପାଇ ଆସୁଛି। ଠିକ୍ ଯେମିତି ଉପର ଉଦାହରଣରେ ପରିବେଶ ସୁରକ୍ଷା କଟକଣାର ମାନକୁ ଧୀରେ ଧୀରେ କୋହଳ କରି ଦିଆଯାଇଥାଏ। ଏହି ‘ଶିଖରକୁ ଦୌଡ଼’ର ଅନ୍ତିମ ପରିଣାମ ହେବ- ‌ଶେଷରେ ଯେଉଁ ପିଲାମାନେ ଏଥିରେ ସଫଳ ହେବେ, ଦାବି କରା ଯାଇ ପାରିବ ନାହିଁ ସେମାନେ ହେଉଛନ୍ତି ବାସ୍ତବରେ ସର୍ବାଧିକ ମେଧାବୀ।

ଏହି ଅସ୍ବସ୍ତିକର ନାଟକରେ ଯେଉଁ ଚରିତ୍ର ଖଳନାୟକ ରୂପେ ଆବିର୍ଭୂତ ହୋଇଛି, ସେ ଅବଶ୍ୟ ହେଉଛି ବହୁଚର୍ଚ୍ଚିତ- ‘କଟ୍-ଅଫ୍ ମାର୍କ‌୍’। ଏହା ଏପରି କୁଖ୍ୟାତି ଅର୍ଜନ କରିଛି ଯେ, ପ୍ରତିବର୍ଷ ଦିଲ୍ଲୀ ବିଶ୍ବବିଦ୍ୟାଳୟ ଦ୍ବାରା ପ୍ରକାଶିତ ଅସ୍ବାଭାବିକ ଭାବରେ ଉଚ୍ଚ କଟ୍-ଅଫ୍ ମାର୍କ‌୍ ଜାତୀୟ ସମ୍ବାଦରେ ପରିଣତ ହୋଇ ଦେଶବ୍ୟାପୀ ଚାଞ୍ଚଲ୍ୟ ସୃଷ୍ଟି କରିଥାଏ। ତାକୁ ଦେଖିଲେ ମନେ ହୁଏ, ‌ସତେ ଯେମିତି ଜଣେ କେହି ବଦ୍ଧ ପାଗଳ ଏକ ଅତି ଉଚ୍ଚ ପାଣିଟାଙ୍କି ଉପରକୁ ଚଢ଼ି ଯାଇ ତଳେ ଛିଡ଼ା ହୋଇଥିବା ଦର୍ଶକମାନଙ୍କ ମଧ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରୁଛି! ବର୍ତ୍ତମାନ ‘ୟୁନିଭର୍ସିଟି ଗ୍ରାଣ୍ଟ୍‌ସ କମିସନ୍’ (‘ୟୁଜିସି’) ଦେଶର ୪୫ଟି ଯାକ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ସ୍ନାତକ ପାଠ୍ୟକ୍ରମମାନଙ୍କ‌େର ନାମ ଲେଖାଇବା ପାଇଁ ଗୋଟିଏ ମାତ୍ର ବାଧ୍ୟତାମୂଳକ ସାଧାରଣ ପ୍ରବେଶିକା ପରୀକ୍ଷା ପ୍ରବର୍ତ୍ତନ ଘୋଷଣା କରି ଦେଶର ସମ୍ପୃକ୍ତ ଶିକ୍ଷାୟତନମାନଙ୍କରେ ସେଇ ପାଗଳ କଟ୍-ଅଫ୍ ମାର୍କ‌୍ର ରାଜୁତିରେ ଅନ୍ତ ଘଟାଇଛି।

ଏହା ଅନୁସାରେ ପ୍ରତିବର୍ଷ ଜୁଲାଇରେ ‘ନେସନାଲ୍ ଟେଷ୍ଟିଙ୍ଗ୍ ଏଜେନ୍‌ସି’ (‘ଏନ୍‌ଟିଏ’) ଏକ ଦେଶବ୍ୟାପୀ କମ୍ପ୍ୟୁଟର୍‌ଚାଳିତ ‘କମନ୍ ୟୁନିଭର୍ସିଟି ଏଣ୍ଟ୍ରାନ୍‌ସ ଟେଷ୍ଟ୍‌’ (‘କୁଏଟ୍’) ଅନୁଷ୍ଠିତ କରିବ। ଏହି ପରୀକ୍ଷାରେ ଅଂଶଗ୍ରହଣ ନିମିତ୍ତ ଯୋଗ୍ୟ ବିବେଚିତ ହେବା ପାଇଁ ଦ୍ବାଦଶ ଶ୍ରେଣୀର ବୋର୍ଡ ପରୀକ୍ଷାରେ ମିଳିଥିବା ମାର୍କ‌୍କୁ ବିଚାରକୁ ନିଆଯିବ, କିନ୍ତୁ ସେ ମାର୍କ‌୍ର ବିଶ୍ବବିଦ୍ୟାଳୟର ପାଠ୍ୟକ୍ରମରେ ନାମଲେଖା ପାଇଁ ଯୋଗ୍ୟତା ନିରୂପଣରେ ଆଉ କୌଣସି ଭୂମିକା ରହିବ ନାହିଁ। ଏହାଦ୍ବାରା ବିଭିନ୍ନ ବୋର୍ଡ ଦ୍ବାରା ଅନୁସୃତ ପରୀକ୍ଷା ଓ ମୂଲ୍ୟାୟନ ମାନରେ ଦେଖା ଯାଉଥିବା ଚିନ୍ତାଜନକ ତାରତମ୍ୟ ପ୍ରାର୍ଥୀଙ୍କର ଯୋଗ୍ୟତାକୁ ଆଉ ପ୍ରଭାବିତ କରିବ ନାହିଁ; ସେମାନେ ଏଥର ସମସ୍ତେ ଏକ ସମତଳ ଖେଳପଡ଼ିଆରେ ଏକାପ୍ରକାର ନିୟମ ପାଳନ କରି ଖେଳିବେ, ଯେଉଁଥିରେ ପ୍ରକୃତ ଯୋଗ୍ୟ ଖେଳାଳିମାନେ ହିଁ ବିଜୟର ସ୍ବାଦ ଚାଖିବେ। ପୂର୍ବର ଉଦ୍‌ଭ୍ରାନ୍ତ କଟ୍-ଅଫ୍ ମାର୍କ‌୍ ଉଚ୍ଚ ପାଣିଟାଙ୍କି ଉପରୁ ଓହ୍ଲାଇ ଚୁପ୍‌ଚାପ୍ ଅନ୍ତର୍ଦ୍ଧାନ ହୋଇଯିବ। ଖେଳପଡ଼ିଅାରୁୁ ସମସ୍ତ ଖାଲ ଢିପ ଦୂର କରି ତାହାକୁ ସମ୍ପୂର୍ଣ୍ଣ ସମତୁଲ କରିବା ପାଇଁ ଏହି ‘କୁଏଟ୍’ ପରୀକ୍ଷା କୌଣସି ଗୋଟିଏ କି ଦୁଇଟି ଭାଷା (ଯେମିତି, ଇଂରେଜୀ, ହିନ୍ଦୀ)ରେ ପରିଚାଳିତ ‌ନ ହୋଇ ୧୩ଟି ବିଭିନ୍ନ ଭାଷାରେ ଅନୁଷ୍ଠିତ ହେବ।

‘କୁଏଟ୍’ ବ୍ୟବସ୍ଥା ପିଲାମାନଙ୍କର ଅନ୍ୟ ଏକ ଗୁରୁ ବୋଝକୁ ମଧ୍ୟ ହାଲୁକା କରିଥାଏ। ସେମାନଙ୍କୁ ଆଉ ପୂର୍ବ ଭଳି ଏକାଧିକ ପ୍ରବେଶିକା ପରୀକ୍ଷା ଦେବା ପାଇଁ ପଡ଼ିବ ନାହିଁ କିମ୍ବା ସେଥିପାଇଁ ବାରମ୍ବାର ସମୟ ଓ ସମ୍ବଳ ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ। ଏଠାରେ କିନ୍ତୁ ଯେଉଁ ଏକ ନୂତନ ଆଶଙ୍କା ଉଙ୍କି ମାରିଥାଏ, ତାହା ହେଲା ଦେଶରେ ଶକ୍ତିଶାଳୀ ହୋଇ ଚାଲିଥିବା କୋଚିଙ୍ଗ୍ ବ୍ୟବସାୟ ଗୁଡ଼କୁ ଜନ୍ଦା ଘେରିବା ଭଳି ଚତୁର ଭାବରେ ଏ ନୂତନ ବ୍ୟବସ୍ଥାକୁ କବଳିତ କରିବାର ସମ୍ଭାବନା। ଏହି ନୂତନ ପରୀକ୍ଷାର ଗଠନ ଯେତେ ଅଧିକ ଯନ୍ତ୍ରବତ୍ ହେବ, କୋଚିଙ୍ଗ୍ ବ୍ୟବସାୟୀମାନେ ତା’ର ରହସ୍ୟ ଭେଦ କରିବା ସମ୍ଭାବନା ସେତେ ଅଧିକ ହେବ। ଯନ୍ତ୍ରସୁଲଭ କୌଣସି ପରୀକ୍ଷା ମାଧ୍ୟମରେ ପ୍ରାର୍ଥୀମାନଙ୍କର ମେଧାର ପ୍ରକୃତ ଆକଳନ ମଧ୍ୟ କରାଯାଇ ପାରିବ ନାହିଁ। ଏଣୁ ଯେତେଦୂର ସମ୍ଭବ ଏହି ପରୀକ୍ଷାରେ ଘୋଷା ଜ୍ଞାନ ଓ ସୃଜନାତ୍ମକ ଜ୍ଞାନର ଆକଳନ ମଧ୍ୟରେ ଏକ ସନ୍ତୁଳନ ରକ୍ଷା କରିବା ‘ଏନ୍‌ଟିଏ’ର ଦାୟିତ୍ବ ହେବା ଉଚିତ।

ଏହା ମଧ୍ୟ ମନେରଖିବା ଉଚିତ ଯେ କେବଳ ଦେଶର କତିପୟ ବିଶ୍ବବିଦ୍ୟାଳୟମାନଙ୍କ ପାଇଁ ଉଦ୍ଦିଷ୍ଟ ପ୍ରବେଶିକା ପରୀକ୍ଷାରେ ଘଟିବାକୁ ଯାଉଥିବା ଏହି ଗୋଟିଏ ମାତ୍ର ସଂସ୍କାର ଉଚ୍ଚ ଶିକ୍ଷା କ୍ଷେତ୍ରରେ ଥିବା ଆମର ସମସ୍ତ ଅଭାବ ପୂରଣ କରି ପକାଇବ ନାହିଁ। ଦେଶରେ ଉଚ୍ଚ ଶିକ୍ଷା ଆଶାୟୀ ପିଲାମାନଙ୍କ ସଂଖ୍ୟାରେ ଘଟିଚାଲିଥିବା ଲଗାତାର ବୃଦ୍ଧି ସହିତ ତାଳ ଦେଇ ଉଚ୍ଚମାନର ଶିକ୍ଷାନୁଷ୍ଠାନ ସଂଖ୍ୟାରେ ବୃଦ୍ଧି ଏ କ୍ଷେତ୍ରରେ ଚାପ ହ୍ରାସ କରିବା ଦିଗରେ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ହେବ। ସରକାର ଏଥର ଏ ଦିଗରେ ଧ୍ୟାନ ଦେବେ ବୋଲି ଆଶା କରାଯାଏ।

ସମ୍ବନ୍ଧିତ ଖବର