ଇମରାନଙ୍କ କ୍ରିକେଟ୍‌

ପାକିସ୍ତାନର ପ୍ରଧାନମନ୍ତ୍ରୀ ତଥା ପୂର୍ବତନ ପ୍ରସିଦ୍ଧ ଅଲ୍‌ରାଉଣ୍ତର ଏବଂ ପାକିସ୍ତାନ କ୍ରିକେଟ୍‌ ଦଳର ଏକଦା କ୍ୟାପ୍‌ଟେନ୍‌ ଇମରାନ ଖାଁ ବର୍ତ୍ତମାନ ସମ୍ମୁଖୀନ ହେଉଥିବା ଘୋର ରାଜନୈତିକ ସ˚କଟ ପୃଷ୍ଠଭୂମିରେ ପ୍ରଦାନ କରୁଥିବା ମନ୍ତବ୍ୟଗୁଡ଼ିକରେ ଅନେକ କ୍ରିକେଟ୍‌ ସ˚ପର୍କିତ ଅଭିବ୍ୟକ୍ତିମାନ ଶୁଣିବାକୁ ମିଳୁଛି; ଯେମିତି କି କୌଣସି ଏକ ସ˚ଦର୍ଭରେ ସେ କହିଛନ୍ତି ଯେ ଭାରତ ସହିତ ତାଙ୍କ ଅଧିନାୟକତ୍ବରେ ଖେଳା ଯାଇଥିବା ୨୪ଟି ଏକଦିବସୀୟ କ୍ରିକେଟ୍‌ ମ୍ୟାଚ୍‌ ମଧୢରୁ ୧୯ଟିରେ ପାକିସ୍ତାନ ବିଜୟ ଲାଭ କରିଥିଲା; ଅଥଚ ଆଜି ପ୍ରାୟ ସବୁ କ୍ଷେତ୍ରରେ ପାକିସ୍ତାନ ପଛରେ ଅଥବା ସେ ସର୍ବଦା ‘ଅନ୍ତିମ ବଲ୍‌ ପଡ଼ିବା ଯାଏ ଖେଳି ଥାଆନ୍ତି’ ଅର୍ଥାତ୍‌ ଉପସ୍ଥିତ ରାଜନୈତିକ ସ˚କଟର ମୁକାବିଲା ସେ ଶେଷ କ୍ଷଣ ପର୍ଯ୍ୟନ୍ତ କରିବେ। ତାଙ୍କର ଏଭଳି ଆସ୍ଫାଳନ ପଛରେ ଯେଉଁ କାରଣଟି ନିହିତ, ତାହା ସମ୍ଭବତଃ ହେଉଛି ତାଙ୍କର ୩ ବର୍ଷ ୯ ମାସର କାର୍ଯ୍ୟ କାଳ ମଧ୍ୟରେ ପାକିସ୍ତାନରେ ପରିଦୃଷ୍ଟ ତୀବ୍ର ଆର୍ଥିକ ସ˚କଟ ଏବ˚ ଅପରିପକ୍ବ ତଥା ତ୍ରୁଟିପୂର୍ଣ୍ଣ ବୈଦେଶିକ ନୀତି ସକାଶେ ସେ ସମ୍ମୁଖୀନ ହେଉଥିବା ଉତ୍କଟ ସମାଲୋଚନା ପରିପ୍ରେକ୍ଷୀରେ ତାଙ୍କ ଅତୀତର କ୍ରିକେଟୀୟ ଔଜ୍ଜ୍ବଲ୍ୟ ସ˚ପର୍କରେ ରାଷ୍ଟ୍ରବାସୀଙ୍କୁ ସ୍ମରଣ କରାଇବାର ଉଦ୍ୟମ। ପ୍ରକାଶ ଥାଉ କି ଇମରାନ ଖାଁ ପାକିସ୍ତାନର ସ˚ସଦରେ ସେ ଦେଶର ଇତିହାସରେ ପ୍ରଥମ ଥର ଲାଗି ହେବାକୁ ଯାଉଥିବା ଅନାସ୍ଥା ଭୋଟ ପ୍ରକ୍ରିୟାର ସମ୍ମୁଖୀନ ହେବେ। ତେବେ, ପାକିସ୍ତାନର ରାଜନୈତିକ ତାରଲ୍ୟ ସମ୍ବନ୍ଧରେ କିଞ୍ଚିତ ଧାରଣା ରଖିଥିବା ବ୍ୟକ୍ତିବିଶେଷ ଏହା ମଧୢ ଜାଣିଥିବେ ଯେ ଏହି ସ୍ତମ୍ଭ ଲେଖା ହେବା ବେଳକୁ ପ୍ରଧାନମନ୍ତ୍ରୀ ପଦରେ ଥିବା ଇମରାନ ହୁଏ’ତ ଏହା ପ୍ରକାଶିତ ହେବା ବେଳକୁ ଗାଦିନସୀନ ହୋଇ ଥାଇ ନ ପାରନ୍ତି!

ଅନେକ ରାଜନୈତିକ ପର୍ଯ୍ୟବେକ୍ଷକ ପାକିସ୍ତାନର ରାଜନୀତିକୁ ଏକ ଦୁର୍ବୋଧ୍ୟ କମେଡି ବୋଲି ଅଭିହିତ କରନ୍ତି। ଏହାର ମୁଖ୍ୟ କାରଣ ହେଲା ଅତି ଦୟନୀୟ ଭାବେ ନିଜକୁ ଏକ ଗଣତନ୍ତ୍ର ରୂପେ ପରିଭାଷିତ କରିବାକୁ ବ୍ୟଗ୍ର ଏହି ରାଷ୍ଟ୍ରରେ ପ୍ରକୃତ କ୍ଷମତାର ସ୍ରୋତ ଜନାଦେଶ ବା ଗଣତାନ୍ତ୍ରିକ ଅନୁଷ୍ଠାନମାନରୁ ପ୍ରବାହିତ ନ ହୋଇ ସାମରିକ ‘ଏଷ୍ଟାବ୍ଲିସ୍‌ମେଣ୍ଟ୍‌’ରୁ ଝରିଥାଏ। ସ୍ବାଧୀନ ପାକିସ୍ତାନର ଏହି ‘ଦୁର୍ବୋଧ୍ୟ କମେଡି’ର ପ୍ରାୟ ୭୫ ବର୍ଷର କାଳଖଣ୍ତ ଦେଖିଛି ପ୍ରାୟ ୨୮ ବର୍ଷର ସିଧାସଳଖ ସାମରିକ ଶାସନ ଏବ˚ ଅବଶିଷ୍ଟ ସମୟ ତକ ଦେଖିଛି ମୁହୁର୍ମୁହୁଃ ଉଦୟ ଏବ˚ ଅସ୍ତ ହୋଇଥିବା ୧୭ ଜଣ ରାଷ୍ଟ୍ରପତି ଏବ˚ ୨୮ ଜଣ ପ୍ରଧାନମନ୍ତ୍ରୀ। କେବଳ ସେତିକି ନୁହେଁ ପାକିସ୍ତାନରେ କୌଣସି ନିର୍ବାଚିତ ପ୍ରଧାନମନ୍ତ୍ରୀ ତାଙ୍କ କାର୍ଯ୍ୟ କାଳର ପୂର୍ଣ୍ଣ ଅବଧି ପୂରଣ କରି ପାରି ନାହାନ୍ତି। ସେନାବାହିନୀ ଦ୍ବାରା ଶାସନ ଅଧିକାର ଏବ˚ ନିର୍ବାଚନ; ଏହି ଦୁଇ ପ୍ରକ୍ରିୟାର ଅଦଳବଦଳ ମଧୢ ଦେଇ ଗତି କରି ଚାଲିଥିବା ଏହି ରାଷ୍ଟ୍ରର ରାଜନୀତି ଆହୁରି ମଧ୍ୟ ଦେଖିଛି କ୍ଷମତାଧାରୀଙ୍କ ମନଗହନରେ ମଥା ଟେକୁଥିବା ଅତ୍ୟନ୍ତ ତୀବ୍ର ଅସୁରକ୍ଷାର ଭାବ, ଯାହା ସେଠାକାର ରାଜନୀତିକୁ ପ୍ରକାରାନ୍ତରେ ଏକ ‘ସାପ ଶିଡି’ ଖେଳରେ ପରିଣତ କରିଥାଏ।

ଗୋଟିଏ ଉଦାହରଣରୁ ଏହା ହୃଦ୍‌ବୋଧ କରିହେବ। ପାକିସ୍ତାନର ସାମରିକ ଶାସକ ଜେନେରାଲ ଜିଆ ଉଲ୍‌ ହକ୍‌ ୧୯୭୮ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜୁଲଫିକର ଅଲ୍ଲୀ ଭୁଟ୍ଟୋଙ୍କୁ ପ୍ରଥମେ ବନ୍ଦୀ କରି ପରେ ଏକ ପ୍ରାୟୋଜିତ ମାମଲାରେ ଦୋଷୀ ସାବ୍ୟସ୍ତ କରାଇ ଫାଶୀରେ ଝୁଲାଇ ଦେବା ବାଦ୍‌ ୧୦ ବର୍ଷ କାଳ ନିରଙ୍କୁଶ ଏକଛତ୍ରବାଦୀ ଶାସନ ଚଳାଇଥିଲେ। ତାଙ୍କ ଶାସନ କାଳରେ ସମ୍ଭବତଃ କୌଣସି ଏକ ରହସ୍ୟମୟ ବିବେକ-ଦ˚ଶନର ଶିକାର ହୋଇ ୧୯୮୫ ମସିହାରେ ସେ ଏକ ନିର୍ବାଚନର ଆୟୋଜନ କରାଇଥିଲେ; ଯାହା ଅତ୍ୟନ୍ତ ଉଦ୍ଭଟ ଭାବେ ଥିଲା ବିନା ରାଜନୈତିକ ଦଳରେ ଅନୁଷ୍ଠିତ ଏକ ନିର୍ବାଚନ, ଯହିଁରେ ମହମ୍ମଦ ଖାଁ ଜୁନେଜୋ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିଲେ। କିନ୍ତୁ ଏହା ପରେ ଜିଆ ଉଲ୍‌ ହକ୍‌ଙ୍କ ମନରେ ରହିଥିବା ଅସୁରକ୍ଷାର ଭାବନା ଏଭଳି ବୃଦ୍ଧି ପାଇଥିଲା ଯେ ସେ ସ˚ବିଧାନରେ ଅଷ୍ଟମ ସ˚ଶୋଧନ ଆଣି ପ୍ରଧାନମନ୍ତ୍ରୀଙ୍କୁ କ୍ଷମତାରୁ ଅପସାରଣ କରିବାର ନିରଙ୍କୁଶ କ୍ଷମତା ରାଷ୍ଟ୍ରପତିଙ୍କୁ (ଅର୍ଥାତ୍‌ ନିଜକୁ) ଅର୍ପଣ କରିଥିଲେ। ୧୯୮୮ ମସିହାରେ ଜିଆ ଉଲ୍‌ ହକ୍‌ଙ୍କ ମୃତ୍ୟୁ ଘଟିଥିଲା; କିନ୍ତୁ ଅଷ୍ଟମ ସ˚ଶୋଧନର ବଦଳରେ ପରବର୍ତ୍ତୀ ରାଷ୍ଟ୍ରପତି ଗୁଲାମ ଏରସାଦ ଖାଁ ପାଞ୍ଚ ବର୍ଷରୁ କମ୍‌ ସମୟ ମଧୢରେ ୩ ଜଣ ନିର୍ବାଚିତ ପ୍ରଧାନମନ୍ତ୍ରୀଙ୍କୁ ଗାଦିଚ୍ୟୁତ କରିଥିଲେ। ତେଣୁ, ତା’ ପରେ ସ˚ଖ୍ୟାଗରିଷ୍ଠତାର ସହିତ ବିଜୟୀ ହୋଇଥିବା ନଵାଜ ସରିଫ୍‌ ସ୍ବାଭାବିକ ଭାବେ ପ୍ରଥମେ ସେହି ଅଷ୍ଟମ ସ˚ଶୋଧନରେ ପରିବର୍ତ୍ତନ ଘଟାଇ ପ୍ରଧାନମନ୍ତ୍ରୀ ଅପସାରଣରେ ରାଷ୍ଟ୍ରପତିଙ୍କ କ୍ଷମତାକୁ ଶୂନ୍ୟ ପ୍ରାୟ କରି ଦେଇଥିଲେ। କିନ୍ତୁ ବିଡ଼ମ୍ବନା ହେଲା ତା’ର ମାତ୍ର କେଇ ବର୍ଷ ପରେ ୧୯୯୯ ମସିହାରେ ପୁଣି ଏକ ପରିବର୍ତ୍ତିତ ଘଟଣାକ୍ରମରେ ପାକିସ୍ତାନ ସେନାଧୢକ୍ଷ ଜେନେରାଲ ପରଭେଜ ମୁସାରଫଙ୍କ ନେତୃତ୍ବରେ ହୋଇଥିବା ଏକ ସାମରିକ ବିଦ୍ରୋହ ନଵାଜ ସରିଫଙ୍କୁ ଗାଦିଚ୍ୟୁତ କରିଥିଲା ଏବ˚ ମୁସାରଫ ପୁନର୍ବାର ସେହି ସ˚ଶୋଧନରେ ପରିବର୍ତ୍ତନ ଘଟାଇ ରାଷ୍ଟ୍ରପତିଙ୍କୁ ଏହି ସ˚ଦର୍ଭରେ ବଳୀୟାନ କରାଇଥିଲେ।

ପ୍ରଶ୍ନ ଉଠିଥାଏ ଯେ ଏଭଳି ଅସୁରକ୍ଷା ଭାବର କାରଣ କ’ଣ? ଏହାର କାରଣ ସମ୍ଭବତଃ ପାକିସ୍ତାନର ରାଜନୀତି ସାକ୍ଷୀ ଥିବା କ୍ଷମତା ଲାଗି ପ୍ରତାରଣାର ଏକ ଦୀର୍ଘ ଇତିହାସ। ପାକିସ୍ତାନର ପ୍ରଥମ ପ୍ରଧାନମନ୍ତ୍ରୀ ଲିଆକତ ଅଲ୍ଲୀ ଖାଁ ପକ୍ଷପାତ କରି ଅପେକ୍ଷାକୃତ ସ୍ବଳ୍ପ ଅଭିଜ୍ଞତାଧାରୀ ଏବ˚ କନିଷ୍ଠ ସାମରିକ ଅଫିସର ଆୟୁବ ଖାଁଙ୍କୁ ସେନାମୁଖ୍ୟରେ ପରିଣତ କରିଥିଲେ, ଯିଏ ପରବର୍ତ୍ତୀ କାଳରେ ପ୍ରଧାନମନ୍ତ୍ରୀ ଇସକନ୍ଦର ମୀର୍ଜାଙ୍କୁ ବହିଷ୍କାର କରି ପ୍ରାୟ ଏକ ଦଶନ୍ଧି କାଳ ରାଷ୍ଟ୍ରପତି ଭାବେ ଶାସନକୁ ନିଜ ଆୟତ୍ତରେ ରଖିିଥିଲେ। କହିବା ଅନାବଶ୍ୟ ଜୁଲଫିକର ଅଲ୍ଲୀ ଭୁଟ୍ଟୋଙ୍କ ଦ୍ବାରା ମନୋନୀତ ତାଙ୍କ ପ୍ରିୟ ସେନାଧିକାରୀ ଜିଆ ଉଲ୍‌ ହକ୍‌ ସେନାଧୢକ୍ଷ ହେବା ଅଥବା ନଵାଜ ସରିଫଙ୍କ ମନ ପସନ୍ଦର ସେନାଧିକାରୀ ପରଭେଜ ମୁସାରଫ୍‌ ଅଗତ୍ୟା ପାକିସ୍ତାନ ସେନା ବାହିନୀର ମୁଖ୍ୟ ହେବା ଅଥବା ଇମରାନ ଖାଁଙ୍କ ଦ୍ବାରା ବର୍ତ୍ତମାନର ସେନାଧୢକ୍ଷ ପରଭେଜ ବାଜୱାଙ୍କ ସମାପ୍ତ ପ୍ରାୟ କାର୍ଯ୍ୟ କାଳରେ ବୃଦ୍ଧି କରାଯିବା ଇତ୍ୟାଦି ପଛରେ ନିହିତ କାରଣ ହେଉଛି ସାମରିକ ଏଷ୍ଟାବ୍ଲିସ୍‌ମେଣ୍ଟ୍‌’ର ଗୁରୁତ୍ବ ଉପଲବ୍‌ଧି କରି ନିଜ ମନୋନୀତ ବ୍ୟକ୍ତିମାନଙ୍କୁ ସେନା ମୁଖ୍ୟ ଭାବେ ପଦାସୀନ କରାଇ ବା ସେମାନଙ୍କ ଲାଗି କିଛି ସୁବିଧା କରାଇ(ବାଜୱାଙ୍କ ଭଳି ପ୍ରଧାନମନ୍ତ୍ରୀମାନେ ସ୍ବଚ୍ଛନ୍ଦ ଶାସନ ଚଳାଇବାର ଆଶା ପୋଷଣ କରିବା; କିନ୍ତୁ, ତାହା ଅଚିରେ ସ˚ପୂର୍ଣ୍ଣ ଭ୍ରମାତ୍ମକ ସାବ୍ୟସ୍ତ ହୋଇଥିବା ଦେଖିବାକୁ ମିଳିଥାଏ, ଯହିଁରେ ଏହି ସାମରିକ ମୁଖ୍ୟମାନେ ସେମାନଙ୍କ ନିଯୁକ୍ତିଦାତା ବା ସମର୍ଥକ ପ୍ରଧାନମନ୍ତ୍ରୀଙ୍କୁ ବିତାଡ଼ିତ କରିଥାଆନ୍ତି। ବର୍ତ୍ତମାନ ଇମରାନଙ୍କ କ୍ଷୋଭ ଯେ ଚଳିତ ସ˚କଟ କାଳରେ ଜେନେରାଲ ବାଜୱା ନିରପେକ୍ଷ ରହିବାର ମନୋଭାବ ପ୍ରଦର୍ଶନ କରିଛନ୍ତି, ଯାହା ବିପକ୍ଷଙ୍କୁ ସମର୍ଥନ ଦେବା ଭଳି ପ୍ରତୀତ ହୋଇଥାଏ। ତେବେ ଇମରାନ ଖାଁ ଏହା ମଧୢ ପାଶୋରି ଯିବା ଉଚିତ ନୁହେଁ ଯେ ଏକ ସ˚ଖ୍ୟା ଲଘୁ ଦଳ ହୋଇଥିବା ସତ୍ତ୍ବେ ଯେଉଁ ବାଜୱାଙ୍କ ଅନୁକ˚ପାରୁ ଅନ୍ୟ ଦଳର ସମର୍ଥନ ଲାଭ କରି ସେ ଶାସନ କ୍ଷମତାକୁ ଆସିଥିଲେ, ତାହା କୌଣସି ପରିବର୍ତ୍ତିତ ଘଟଣାକ୍ରମରେ ଅନ୍ୟ କୌଣସି ରାଜନୈତିକ ଦଳ ପ୍ରତି ପ୍ରଦର୍ଶିତ ହେବାର ସମ୍ଭାବନା ରହିଥାଏ।

ଏଠାରେ ସ୍ମରଣଯୋଗ୍ୟ ଯେ ଇମରାନ ଖାଁ ଜଣେ ଅତ୍ୟନ୍ତ ଲଢୁଆ ସ୍ବଭାବର କ୍ରିକେଟ୍‌ ଖେଳାଳି ଥିଲେ। ପ୍ରକୃତରେ ସେ ଅନ୍ତିମ ବଲ୍‌ ଫିଙ୍ଗା ନ ହେବା ପର୍ଯ୍ୟନ୍ତ ସ˚ଘର୍ଷ ଜାରି ରଖୁୁଥିଲେ। ମାତ୍ର ସେହି ସମୟରେ ଏହା ମଧୢ ଶୁଣିବାକୁ ମିଳୁଥିଲା ଯେ ପାକିସ୍ତାନରେ ଅନୁଷ୍ଠିତ ହେଉଥିବା ଭାରତ ବିପକ୍ଷ ସମସ୍ତ କ୍ରିକେଟ୍‌ ମ୍ୟାଚ୍‌ରେ ଭାରତ ଏକାଦଶ ବିରୋଧରେ ପାକିସ୍ତାନ ପକ୍ଷରୁ ୧୩ ଜଣ ଖେଳୁଥିଲେ; ଯହିଁରେ ୧୧ ଜଣ ଖେଳାଳିଙ୍କ ସହିତ ଦୁଇ ଜଣ ଅମ୍ପାୟାର ମଧୢ ଅନ୍ତର୍ଭୁକ୍ତ ଥିଲେ, ଯେଉଁମାନେ ବିବାଦାସ୍ପଦ ନିଷ୍ପତ୍ତି ଦେଇ ପାକିସ୍ତାନକୁ ଜିଣାଇବାରେ ସହାୟକ ହେଉଥିଲେ! ଏବେ ସ˚ସଦରେ ଅନାସ୍ଥା ପ୍ରସ୍ତାବ ପରିପ୍ରେକ୍ଷୀରେ ଅନ୍ତିମ ବଲ୍‌ ପର୍ଯ୍ୟନ୍ତ ଖେଳିବାର ପଣ କରିଥିବା ଇମରାନଙ୍କୁ ସ˚ପ୍ରତି ଅ˚ପାୟାର୍‌ମାନଙ୍କ ସହାୟତା ତୁଲ୍ୟ ନିଜ ଦଳର ହଜାର ହଜାର ଉତ୍ତେଜିତ ସମର୍ଥକଙ୍କ ସହାୟତା ଉପଲବ୍‌ଧ ହେଉଛି, ଯେଉଁମାନେ ସଡ଼କରେ ହି˚ସା ଓ ରକ୍ତପାତ କରିବାକୁ ଉଦ୍‌ଗ୍ରୀବ।

ପାକିସ୍ତାନର ଶାସନ ଓ ପ୍ରଶାସନର ନାଭିକେନ୍ଦ୍ର ‘ସିନ୍ଧ ହାଉସ୍‌’ ଉପରେ ହୋଇଥିବା ଆକ୍ରମଣ ହେଉଛି ଏହାର ପ୍ରମାଣ। ଏହି ସଂଦର୍ଭରେ ପାକିସ୍ତାନର ଦୈନିକ ସମ୍ବାଦପତ୍ର ‘ଡନ୍‌’ରେ ବରିଷ୍ଠ ସ୍ତମ୍ଭକାର ଜାହିଦ ହୁସେନ୍‌ ଲେଖିଛନ୍ତି ଯେ ଆମେରିକାର ଡୋନାଲ୍‌ଡ ଟ୍ର˚ପ୍‌ଙ୍କ ଭଳି କ୍ଷମତାକୁ ଜାବୁଡ଼ି ଧରି ରଖିବା ଲାଗି ଯଦି ଇମରାନ ସଡ଼କ ହି˚ସାକୁ ପ୍ରଶ୍ରୟ ଦିଅନ୍ତି, ତେବେ ତାହା ପାକିସ୍ତାନ ଲାଗି ଅତ୍ୟନ୍ତ ଭୟାବହ ସାବ୍ୟସ୍ତ ହୋଇପାରେ। ଏବଂ ଏହା ଅନ୍ତିମ ବଲ୍‌ ଯାଏ ଖେଳିବା ଲାଗି ବଦ୍ଧପରିକର ଜଣେ କ୍ରିକେଟରଙ୍କ ଖେଳାଳିସୁଲଭ ମନୋଭାବର ପରିଚାୟକ ନୁହେଁ।

ସମ୍ବନ୍ଧିତ ଖବର