ଏକବିଂଶ ଶତାବ୍ଦୀର ପ୍ରସିଦ୍ଧତମ ଉଦ୍ୟୋଗପତି ଏଲନ୍ ମସ୍କ୍ ବହୁଳ ବ୍ୟବହୃତ ସୋସିଆଲ୍ ନେଟ୍ୱାର୍କ କମ୍ପାନି ‘ଟ୍ବିଟର୍’କୁ କ୍ରୟ କରି ନିଜ ଦଖଲକୁ ନେଇ ଯିବା ଯେଉଁ ପ୍ରତିକ୍ରିୟା ସୃଷ୍ଟି କରିଛି, ଯଦି ତାହାର ସବୁଠାରୁ ଉପଯୁକ୍ତ ତୁଳନା, କୌଣସି ଏକ ଆପ୍ତବାକ୍ୟ ବହନ କରିଥାଏ, ତାହା ହେଉଛି ଏହି ଓଡ଼ିଆ ଢଗଟି: ‘କୁଆ ବସାରେ ଢାମଣା’। ଢାମଣା କୁଆ ବସାରେ ଖାଦ୍ୟ ସନ୍ଧାନରେ ପଶିଯିବା ପରେ କୁଆମାନେ ଯେମିତି ଚିତ୍କାର କରି ବସା ଛାଡ଼ି ଉଡ଼ିଯିବାରେ ଲାଗନ୍ତି, ବର୍ତ୍ତମାନ ‘ଟ୍ବିଟର୍’ କ୍ଷେତ୍ରରେ ସେଇଭଳି ଦୃଶ୍ୟ ଦେଖିବାକୁ ମିଳିଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ପୃଥିବୀର ସର୍ବଶ୍ରେଷ୍ଠ ଧନୀ ବା ସର୍ବଶ୍ରେଷ୍ଠ ପୁଞ୍ଜିପତି ‘ଟ୍ବିଟର୍’କୁ ତାଙ୍କର ଶିଳ୍ପ ବ୍ୟବସାୟ ସାମ୍ରାଜ୍ୟର ଅଂଶରେ ପରିଣତ କରିବା ଆସନ୍ନ ବୋଲି ଖବର ପ୍ରକାଶ ପାଇବାର ମାତ୍ର କେଇ ଘଣ୍ଟା ମଧ୍ୟରେ ଏହି ସୋସିଆଲ୍ ନେଟ୍ୱାର୍କ୍ର ପ୍ରଭାବଶାଳୀ ଉଦାର-ବାମପନ୍ଥୀ ବ୍ୟବହାରକାରୀମାନଙ୍କ ମଧ୍ୟରେ ଯେଉଁ ଆତଙ୍କ ସୃଷ୍ଟି ହୋଇଥିଲା ତାହାର ପ୍ରଭାବରେ କୁଆମାନେ ବସା ଛାଡ଼ି ପଳାଇବା ଭଳି ଏମାନଙ୍କ ମଧ୍ୟରୁ ଅନେକଙ୍କୁ ‘ଟ୍ବିଟର୍’ ଛାଡ଼ି ପଳାୟନ କରିବା ଦେଖାଯାଇଥିଲା।
ଏ ସମ୍ବନ୍ଧରେ ଏକ ସ୍ପଷ୍ଟ ଧାରଣା ପାଇବା ପାଇଁ ଏକ ମର୍ଯ୍ୟାଦାଜନକ ଆନ୍ତର୍ଜାତିକ ସମ୍ବାଦ ସଂସ୍ଥା ଦ୍ବାରା ଆମେରିକାର କଂଗ୍ରେସ୍ (ସଂସଦ)କୁ ନମୁନା ରୂପେ ଗ୍ରହଣ କରି କରାଯାଇଥିବା ଅନୁଶୀଳନରୁ ଯେଉଁ ଧାରା ପରିଦୃଷ୍ଟ ହୋଇଥିଲା, ତାହା ଏହାକୁ ସତ୍ୟ ସାବ୍ୟସ୍ତ କରିଥାଏ। ଜଣାଶୁଣା ଭାବରେ କଂଗ୍ରେସ୍ର ଡେମୋକ୍ରାଟିକ୍ ଦଳର ସଦସ୍ୟମାନେ ସାଧାରଣତଃ ବାମପନ୍ଥୀ ଚିନ୍ତାଧାରାର ସମର୍ଥକ ହୋଇଥା’ନ୍ତି; ରିପବ୍ଲିକାନ୍ ଦଳର ସଦସ୍ୟମାନେ ଏହାର ବିପରୀତ ଆଚରଣ ପ୍ରଦର୍ଶନ କରି ଦକ୍ଷିଣପନ୍ଥୀ ଚିନ୍ତାଧାରା ଅନୁସରଣ କରିଥା’ନ୍ତି। ଜ୍ୟାକ୍ ଡର୍ସି ପ୍ରତିଷ୍ଠିତ ଓ ନେତୃତ୍ବାଧୀନ ‘ଟ୍ବିଟର୍’ ଏ ପର୍ଯ୍ୟନ୍ତ ଯେଉଁ ପରିଚୟ ବହନ କରି ଆସିଥିଲା, ତାହା ହେଲା ମୁଖ୍ୟତଃ ବାମପନ୍ଥୀ କୁଆମାନଙ୍କର ଆଧିପତ୍ୟ ଥିବା ଏକ କୁଆବସା ରୂପେ, ଯେଉଁଠି ସେମାନଙ୍କର ବାମପନ୍ଥୀ କା’ କା’ ରବ ଦକ୍ଷିଣପନ୍ଥୀ ସ୍ବରକୁ ଦବାଇ ଦେଇଥାଏ କିମ୍ବା ତା’ର କଣ୍ଠରୋଧ କରି ଦେଇଥାଏ (ଯେମିତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଚରମ ଦକ୍ଷିଣପନ୍ଥୀ ଡୋନାଲ୍ଡ ଟ୍ରମ୍ପ୍ଙ୍କୁ ‘ଟ୍ବିଟର୍’ରୁ ବିତାଡ଼ିତ କରି ଦିଆଯାଇଛି)।
ଏପ୍ରିଲ୍ ୨୫ ତାରିଖରେ ଏଲନ୍ ମସ୍କ୍ ‘ଟ୍ବିଟର୍’କୁ କ୍ରୟ କରିବା ଚୂଡ଼ାନ୍ତ ହେଲା। ଏପ୍ରିଲ୍ ୨୬ରେ ଦେଖାଗଲା ଯେ କଂଗ୍ରେସ୍ର ଉପର ଗୃହ ସିନେଟ୍ର ଡେମୋକ୍ରାଟିକ୍ ଦଳର ସଦସ୍ୟମାନଙ୍କର ହାରାହାରି ‘ଟ୍ବିଟର୍’ ଅନୁଗାମୀ ସଂଖ୍ୟାରେ ଗୋଟିଏ ଦିନରେ ୦.୨ ଶତାଂଶ ସଂକୋଚନ ଘଟିଛି। ଆଉ ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ଡେମୋକ୍ରାଟିକ୍ ଦଳର ଯେଉଁ ନେତା ଜଣକ ସର୍ବାଧିକ ସଂଖ୍ୟକ ଅନୁଗାମୀ ହରାଇଛନ୍ତି, ସେ ହେଉଛନ୍ତି ଉପରାଷ୍ଟ୍ରପତି କମଳା ହାରିସ୍, ଯିଏ ଗୋଟିଏ ଦିନରେ ହରାଇଥିବା ‘ଟ୍ବିଟର୍’ ଅନୁଗାମୀ ସଂଖ୍ୟା ଥିଲା ୨୨,୦୦୦! ସେଇ ଗୋଟିଏ ଦିନରେ ଡେମୋକ୍ରାଟିକ୍ ଦଳର ସିନେଟର୍ମାନେ ପ୍ରତ୍ୟେକ ହରାଇଥିବା ହାରାହାରି ଅନୁଗାମୀ ସଂଖ୍ୟା ଥିଲା ୨,୭୦୦। ଏଲନ୍ ମସ୍କ୍ ଯେବେଠାରୁ ‘ଟ୍ବିଟର୍’ର ନୂତନ ମାଲିକ ହେବା ସମ୍ବାଦ ପ୍ରସାରିତ ହେଲାଣି, ନିଜକୁ ସମ୍ପୂର୍ଣ୍ଣ ଅବାଧ ଅଭିବ୍ୟକ୍ତିର ଉପାସକ ରୂପେ ଦାବି କରୁଥିବା ଏଲନ୍ ମସ୍କ୍ଙ୍କର ଏହି ନୀତିର ପରିଣାମ ସ୍ବରୂପ ‘ଟ୍ବିଟର୍’ରେ ମିଥ୍ୟାଚାରର ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିବ ବୋଲି ବାମପନ୍ଥୀମାନେ ସେବେଠାରୁ ଆଶଙ୍କା ପ୍ରକାଶ କରି ଆସୁଥିଲେ ଓ ମସ୍କ୍ ‘ଟ୍ବିଟର୍’ରେ ପ୍ରବେଶ କଲେ ସେମାନେ ପ୍ରସ୍ଥାନ କରିବେ ବୋଲି ଧମକ ଦେଇ ଆସୁଥିଲେ। ଏହା ଯେ ଫମ୍ପା ଧମକ ନ ଥିଲା ସେମାନଙ୍କର ଗଣ-ପ୍ରସ୍ଥାନ ବର୍ତ୍ତମାନ ତାହା ପ୍ରମାଣିତ କରିଛି। ଅପର ପକ୍ଷେ ମସ୍କ୍ଙ୍କ ଆଗମନ ପରେ କେତେକ ନୂଆ କୁଆଙ୍କୁ ମଧ୍ୟ ବସାରେ ପ୍ରବେଶ କରିବା ଦେଖାଯାଇଛି; ସେଇ ଗୋଟିଏ ଦିନରେ କଂଗ୍ରେସ୍ର ‘ରପବ୍ଲିକାନ୍ ଦଳ’ର ସଦସ୍ୟମାନଙ୍କର ‘ଟ୍ବିଟର୍’ ଅନୁସରଣକାରୀମାନଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି ୦.୮ ଶତାଂଶ।
ଇଲେକ୍ଟ୍ରିକ୍ କାର୍ ନିର୍ମାଣରୁ ମହାକାଶକୁ ରକେଟ୍ ପ୍ରେରଣ ପର୍ଯ୍ୟନ୍ତ କ୍ଷେତ୍ରରେ ଚମକପ୍ରଦ ବ୍ୟାବସାୟିକ ସଫଳତା ହାସଲ କରି ନିଜ ପାଇଁ ଶିଳ୍ପ ବ୍ୟବସାୟ ଜଗତ୍ରେ ଏକ ଅପହଞ୍ଚ ପରିଚୟ ସୃଷ୍ଟି କରିଥିବା ଏଲନ୍ ମସ୍କ୍ ବିଭିନ୍ନ ଆନ୍ତର୍ଜାତିକ ପ୍ରସଙ୍ଗରେ ନିଜର ଅଣପାରମ୍ପରିକ ଆଭିମୁଖ୍ୟ ପାଇଁ ମଧ୍ୟ ନିୟମିତ ଚର୍ଚ୍ଚାରେ ରହି ଆସିଥା’ନ୍ତି (ଯେମିତି ନିକଟରେ ୟୁକ୍ରେନ୍ ଯୁଦ୍ଧର ଅନ୍ତ ଘଟାଇବା ଉଦ୍ଦେଶ୍ୟରେ ସେ ରୁଷ୍ ରାଷ୍ଟ୍ରପତି ଭ୍ଲାଡିମିର୍ ପୁଟିନ୍ଙ୍କୁ ତାଙ୍କ ସହିତ ଏକ ମଲ୍ଲଯୁଦ୍ଧ ପାଇଁ ଆହ୍ବାନ ଦେଇ ଚାଞ୍ଚଲ୍ୟ ସୃଷ୍ଟି କରିବା ଦେଖା ଯାଇଥିଲା)। ମସ୍କ୍ଙ୍କର ‘ଟ୍ବିଟର୍’ ଦଖଲ ତାଙ୍କ ବ୍ୟକ୍ତିତ୍ବର ଏ ଉଭୟ ଦିଗର ମିଳନ ପାଇଁ ଏକ ବିରଳ ସୁଯୋଗ ସୃଷ୍ଟି କରିଥାଏ ବୋଲି ଏକ ଦୃଢ଼ ଧାରଣା ସୃଷ୍ଟି କରିଥାଏ।
ପ୍ରଥମେ ବ୍ୟବସାୟ। ଏଲନ୍ ମସ୍କ୍ଙ୍କ ପାଇଁ ‘ଟ୍ବିଟର୍’ ବହନ କରୁଥିବା ବ୍ୟାବସାୟିକ ସମ୍ଭାବନା ଜଳଜଳ ହୋଇ ଦେଖାଯାଇଥାଏ କହିଲେ ଭୁଲ୍ ହେବ ନାହିଁ। ୨୦୧୩ରେ ନିଜକୁ ଏକ ଯୌଥ ମୂଳଧନ କମ୍ପାନିରେ ପରିଣତ କରି ସେଆର୍ ବଜାରରେ ପ୍ରବେଶ କରିଥିବା ‘ଟ୍ବିଟର୍’ ବିଶ୍ବବ୍ୟାପୀ ପ୍ରାୟ ୪୦ କୋଟି ବ୍ୟବହାରକାରୀ ଭିତ୍ତିଭୂମି ଭଳି ଅପ୍ରତିଦ୍ବନ୍ଦ୍ବୀ ସଫଳତା ହାସଲ କରିଥିଲେ ହେଁ, ବିଗତ ଏହି ପ୍ରାୟ ଦଶ ବର୍ଷ ମଧ୍ୟରେ ଆଦୌ ବ୍ୟାବସାୟିକ ସଫଳତା ହାସଲ କରିପାରିନାହିଁ କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହାର ଏକ ପ୍ରମାଣ ସ୍ବରୂପ ‘ଟ୍ବିଟର୍’ କମ୍ପାନିର ବଜାର ମୂଲ୍ୟାୟନରେ ଏହି ଦଶ ବର୍ଷ ମଧ୍ୟରେ ଘଟିଥିବା ପରିବର୍ତ୍ତନକୁ ଏକ ସୂଚକ ରୂପେ ବ୍ୟବହାର କରାଯାଇପାରେ। ୨୦୧୩ରେ ସେଆର୍ ବଜାରରେ ପ୍ରବେଶ ପାଇଁ ଏହି କମ୍ପାନିର ଯେଉଁ ୩୧ ବିଲିଅନ୍ ଡଲାର୍ ମୂଲ୍ୟାୟନ କରାଯାଇଥିଲା, ଚଳିତ ବର୍ଷ ଆରମ୍ଭରେ ମସ୍କ୍ ଯେତେବେଳେ ଏହାର ସେଆର୍ କ୍ରୟ କରିବା ଆରମ୍ଭ କଲେ, ସେତେବେଳେ ତାହାର ବଜାର ମୂଲ୍ୟ ସେଇ ସ୍ତରରେ ହିଁ ଅପରିବର୍ତ୍ତିତ ଥିଲା କହିଲେ ଚଳେ; ଅର୍ଥାତ୍ ବିଗତ ଦଶ ବର୍ଷ ମଧ୍ୟରେ କମ୍ପାନିର ଅଂଶପତ୍ର ମୂଲ୍ୟରେ କୌଣସି ବୃଦ୍ଧି ଘଟିନାହିଁ, ଯେଉଁ ସମୟରେ ‘ଆପ୍ଲ’ରୁ ‘ଆମାଜନ୍’ ପର୍ଯ୍ୟନ୍ତ କମ୍ପାନିମାନଙ୍କର ଅଂଶପତ୍ର ମୂଲ୍ୟରେ ନଭଶ୍ଚୁମ୍ବୀ ବୃଦ୍ଧି ଘଟି ସେମାନଙ୍କୁ ନିବେଶକମାନଙ୍କର ବିଶ୍ବାସଭାଜନ କରାଇଛି।
‘ଟ୍ବିଟର୍’ର ବିପୁଳ ଲୋକପ୍ରିୟତା ସତ୍ତ୍ବେ, ଏହା ସେଇ ଭଳି ଲାଭ ସୃଷ୍ଟି କରି ନ ପାରିବା ପଛରେ ଯାହା ବୋଧହୁଏ ହେଉଛି ମୁଖ୍ୟ କାରଣ, ତାହା ହେଲା ଏହାର ପ୍ରତିଷ୍ଠାତା ଜ୍ୟାକ୍ ଡର୍ସିଙ୍କର ଆଭିମୁଖ୍ୟ। ‘ଫେସ୍ବୁକ୍’ କିମ୍ବା ‘ଇନ୍ଷ୍ଟ୍ରାଗ୍ରାମ୍’ ଭଳି ଏହାର ସାମାଜିକ ନେଟ୍ୱାର୍କ୍ ପ୍ରତିଦ୍ବନ୍ଦ୍ବୀମାନେ ଯେତେବେଳେ ବିଜ୍ଞାପନ ଓ ଗ୍ରାହକ ଭିତ୍ତିଭୂମିକୁ ଦୁହିଁବାର ବିଭିନ୍ନ କୌଶଳ ଆବିଷ୍କାର ଓ ପ୍ରୟୋଗ କରିବାରେ ବ୍ୟସ୍ତ ଥା’ନ୍ତି, ଡର୍ସି ସେତେବେଳେ ‘ଟ୍ବିଟର୍’ର ନୈତିକ ଦାୟିତ୍ବକୁ ଅଗ୍ରାଧିକାର ପ୍ରଦାନ କରିବାରେ ନିଜର ଧ୍ୟାନ କେନ୍ଦ୍ରୀଭୂତ କରିବା ଦେଖାଯାଇଥାଏ। ଏହି ନୀତି ଅନୁସରଣର ଅଂଶ ସ୍ବରୂପ ଡର୍ସିଙ୍କ ‘ଟ୍ବିଟର୍’ ଅନେକ ଏଭଳି ‘ଟ୍ବିଟ୍’ ସବୁକୁ ବାସନ୍ଦ କରିବା କିମ୍ବା ପୁନର୍ନିେର୍ଦ୍ଦଶିତ କରିବା ଦେଖାଯାଇଥାଏ, ଯେଉଁ ସବୁ ତାଙ୍କ ବିଚାରରେ ଅନୈତିକ କିମ୍ବା ଅସତ୍ୟ କିମ୍ବା ଜନସ୍ବାର୍ଥବିରୋଧୀ ହୋଇଥାଏ। ଏହା ଜଣେ ଆଇନଜୀବୀ କୌଣସି ଏକ ସନ୍ଦିଗ୍ଧ ଅପରାଧୀଙ୍କ ପାଇଁ ମାମଲା ଗ୍ରହଣ କରିବାକୁ ମନା କରି ଦେବା ଭଳି। କିନ୍ତୁ ଏହା ଦ୍ବାରା ‘ଟ୍ବିଟର୍’ ବାକ୍ ସ୍ବାଧୀନତାର କଣ୍ଠରୋଧ କରି କେବଳ ବାମପନ୍ଥୀମାନଙ୍କର ଏକ ଡାକବାଜି ଯନ୍ତ୍ରରେ ଯେ ପରିଣତ ହୋଇ ଯାଇଥିଲା, ତାହା ଉପରବର୍ଣ୍ଣିତ ଗଣ-ପ୍ରସ୍ଥାନରୁ ପ୍ରମାଣିତ ହୋଇଥାଏ।
ଏଲନ୍ ମସ୍କ୍ ଏବେ ଘୋଷଣା କରିଛନ୍ତି ଯେ ସେ ‘ଟ୍ବିଟର୍’କୁ ଏକ ବିଶୁଦ୍ଧ ବାକ୍ ସ୍ବାଧୀନତାର ମାଧ୍ୟମରେ ପରିଣତ କରିବେ। ଏହା ନିଶ୍ଚିତ ରୂପେ ‘ଟ୍ବିଟର୍’ ପାଇଁ ବ୍ୟାବସାୟିକ ସଫଳତା ଆଣିଦେବ; କିନ୍ତୁ ମସ୍କ୍ଙ୍କୁ ଏହା ମଧ୍ୟ ନିଶ୍ଚିତ କରିବାକୁ ହେବ ଯେ, ଅବାଧ ସ୍ବାଧୀନତା ଯେପରି ସ୍ବେଚ୍ଛାଚାରରେ ପରିଣତ ନ ହୁଏ। କିମ୍ବା ଆହୁରି ବିପଜ୍ଜନକ, ମିଥ୍ୟାଚାରରେ ପରିଣତ ନ ହୁଏ!