ବହିର୍ମସ୍ତିଷ୍କ

ମନୁଷ୍ୟର ‘ମସ୍ତିଷ୍କ’ (‘ମାଇଣ୍ଡ୍’) କହିଲେ କାହାକୁ ବୁଝାଏ? ଅନେକଙ୍କୁ ଏହା ଏକ ନିର୍ବୋଧ ପ୍ରଶ୍ନ ଭଳି ମନେ ହୋଇପାରେ; କାରଣ ଏହାର ଉତ୍ତର ଏତେ ସରଳ ଯେ, ଏହା ପ୍ରଶ୍ନଯୋଗ୍ୟ ହୋଇ ନ ଥାଏ। ସେଇ ସମସ୍ତଙ୍କୁ ଜଣାଥିବା ପ୍ରଶ୍ନର ସରଳ ଉତ୍ତରଟି ହେଲା- ମନୁଷ୍ୟର ଦୁଇ କାନ ମଧ୍ୟବର୍ତ୍ତୀ ଅଞ୍ଚଳରେ ଥିବା ଖପୁରି ମଧ୍ୟରେ ନିବୁଜ ହୋଇଥିବା କୋମଳ ବସ୍ତୁ, ଯେଉଁଠି ଆମର ସମସ୍ତ ମାନସିକ ପ୍ରକ୍ରିୟା ସଂଘଟିତ ହୋଇଥାଏ। ଏହି ପ୍ରକ୍ରିୟାର ଅନ୍ୟ ନାମ ହେଉଛି ‘ବୌଦ୍ଧିକ ପ୍ରକ୍ରିୟା’, ଯାହାର ରହସ୍ୟ ଭେଦ କରିବାକୁ ବିଜ୍ଞାନ ଏ ପର୍ଯ୍ୟନ୍ତ ସଫଳ ହୋଇପାରିନାହିଁ। ମନୁଷ୍ୟ ଏହି ପ୍ରକ୍ରିୟା ମାଧ୍ୟମରେ ହିଁ ଦୁନିଆ ସହିତ ଓ ପରସ୍ପର ମଧ୍ୟରେ ସମ୍ପର୍କ ପ୍ରତିଷ୍ଠା କରିଥାଏ।

ମସ୍ତିଷ୍କ ଭିତରେ ଜାଗ୍ରତ ଅବସ୍ଥାରେ ଅହରହ ଚାଲିଥିବା ଏହି ପ୍ରକ୍ରିୟା ପ୍ରକୃତରେ ହେଉଛି କେତେଗୁଡ଼ିଏ ଉପ-ପ୍ରକ୍ରିୟାର ସମଷ୍ଟି ବୋଲି କୁହାଯାଇପାରେ, ଯେଉଁଥିରେ ଅନ୍ତର୍ଭୁକ୍ତ ଥାଏ: ସ୍ମୃତି, ଧ୍ୟାନ, ଅଙ୍ଗ ସଞ୍ଚାଳନ ନିୟନ୍ତ୍ରଣ, ନିଷ୍ପତ୍ତି ନେବାର ସ୍ବାଧୀନତା, ସ୍ପର୍ଶବୋଧ ଇତ୍ୟାଦି। ଏଥର ଯଦି କେହି ପ୍ରଶ୍ନ କରେ ଯେ ଜଣେ ବ୍ୟକ୍ତି ସମ୍ପୃକ୍ତ ଥିବା ଏ ସମସ୍ତ ବୌଦ୍ଧିକ କ୍ରିୟାକଳାପ କ’ଣ କେବଳ ତା’ର ସେଇ ମସ୍ତିଷ୍କ ବୋଲାଉଥିବା ଦୁଇ କାନ ମଧ୍ୟବର୍ତ୍ତୀ ଇଲାକାରେ ହିଁ ସଂଘଟିତ ହୋଇଥାଏ?; ତାହାର ଉତ୍ତର କ’ଣ ହେବ? ସରଳ ନା ଜଟିଳ?

ଏହି ପ୍ରଶ୍ନର ଯେଉଁ ଏକ ଅଭାବିତ ଉତ୍ତର ପ୍ରାୟ ୨୫ ବର୍ଷ ତଳେ ପ୍ରଥମେ ପ୍ରକାଶ ପାଇ ବୌଦ୍ଧିକ ଜଗତ୍‌ରେ ‌ଚହଳ ପକାଇ ଦେଇଥିଲା, ତାହା ଥିଲା ଦୁଇ ଜଣ ଦାର୍ଶନିକ- ବ୍ରିଟିସ୍ ଦାର୍ଶନିକ ଆଣ୍ଡି କ୍ଲାର୍କ‌୍ ଓ ଅଷ୍ଟ୍ରେଲୀୟ ଦାର୍ଶନିକ ଡେଭିଡ୍ ଚାମର୍ସ‌୍ଙ୍କର ୧୯୯୮ରେ ପ୍ରକାଶିତ ମିଳିତ ଭାବରେ ରଚିତ ନିବନ୍ଧ, ‘ଦି ଏକ୍‌ସଟେଣ୍ଡେଡ୍ ମାଇଣ୍ଡ୍’ (‘ସମ୍ପ୍ରସାରିତ ମସ୍ତିଷ୍କ’)। ଏହି ନିବନ୍ଧରେ ଦାର୍ଶନିକ ଦ୍ବୟ ଯୁକ୍ତି କରିଥିଲେ ଯେ, ଯଦି ଉପରୋକ୍ତ ପ୍ରକ୍ରିୟାମାନଙ୍କ ଦ୍ବାରା ‘ମସ୍ତିଷ୍କ’ର ସଂଜ୍ଞା ନିରୂପିତ ହୋଇଥାଏ, ତେବେ ଏହି ପ୍ରକ୍ରିୟା ସମ୍ପାଦନ ପାଇଁ ଆମେମାନେ ବ୍ୟବହାର କରୁଥିବା ପ୍ରବିଧି ଓ ଉପକରଣମାନ ମଧ୍ୟ ଆମ ମସ୍ତିଷ୍କର ଅଂଶ ରୂପେ ବିବେଚିତ ହେବେ ନାହିଁ କାହିଁକି? ସେମାନଙ୍କ ନିବନ୍ଧର ଶୀର୍ଷକ ସୂଚାଉଥିବା ଭଳି, ମସ୍ତିଷ୍କର ସମ୍ପ୍ରସାରିତ ଅଂଶ। ଏହା ଅନୁସାରେ ଆମ ଡାଇରିରୁ ସ୍ମାର୍ଟ‌୍ ଫୋନ୍ ପର୍ଯ୍ୟନ୍ତ, କାଲ୍‌କୁଲେଟର୍‌ରୁ କମ୍ପ୍ୟୁଟର୍ ପର୍ଯ୍ୟନ୍ତ, ସମସ୍ତ ହେଉଛନ୍ତି ଆମ ମସ୍ତିଷ୍କର ଅଂଶ; ଅତଏବ ଆମ ପରିଚୟର ମଧ୍ୟ ଅଂଶ।

ଏହି ଚିନ୍ତାଧାରାର ଆଧାରରେ ଦାର୍ଶନିକ ଦ୍ବୟ ଯେଉଁ ଏକ ସମ୍ପୂର୍ଣ୍ଣ ଅପ୍ରତ୍ୟାଶିତ ନୈତିକ ପ୍ରଶ୍ନ ଉତ୍‌ଥାପନ କରିଥିଲେ, ଏଠାରେ ତାହା ଉଲ୍ଲେଖ କରିବାର ଅବକାଶ ନାହିଁ। ଏଠାରେ କିନ୍ତୁ ସେଇ ନିବନ୍ଧ ପ୍ରତି ଦୃଷ୍ଟି ଆକର୍ଷଣ କରିବାର କାରଣ ହେଉଛି ଏହା ଯେ, ସେତେବେଳେ ଯଦି ଅନେକଙ୍କୁ ଏହି ‘ସମ୍ପ୍ରସାରିତ ମସ୍ତିଷ୍କ’ ଧାରଣା ଅପରିଚିତ ବା ଉଦ୍ଭଟ ମନେ ହେଉଥିଲା, ବର୍ତ୍ତମାନ ବୋଧହୁଏ ଏପରି ଆଉ କେହି ନ ଥିବେ, ଯାହା ମନରେ (ବା ମସ୍ତିଷ୍କରେ!) ଆଉ ସେଭଳି ତିଳେ ହେଲେ ସନ୍ଦେହର ଅବକାଶ ଥିବ।
‘ସମ୍ପ୍ରସାରିତ ମସ୍ତିଷ୍କ’ ଧାରଣା ଆଜି ଯଦି କେଉଁ ଗୋଟିଏ ସାଧନକୁ ଆଶ୍ରା କରି ଏ ପରି ଗଭୀର ଓ ସର୍ବବ୍ୟାପୀ ହୋଇ ଯାଇଛି, ତାହା ହେଉଛି ‘ସ୍ମାର୍ଟ‌୍ ଫୋନ୍‌’ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହାର ସତ୍ୟତା ସେତିକି ବେଳେ ଏକ ନିଷ୍ଠୁର ଅନୁଭୂତିରେ ପରିଣତ ହୁଏ, ଯେତିକି ବେଳେ ଜଣକର ସ୍ମାର୍ଟ‌୍ ଫୋନ୍‌ଟି ହଜିଯାଏ। ଅନ୍ଧ ତାଙ୍କର ଲଉଡ଼ି ହଜାଇ ଦେଇ ସମ୍ପୂର୍ଣ୍ଣ ଅସହାୟ ହୋଇ ପଡ଼ୁଥିବା ଭଳି ସ୍ମାର୍ଟ‌୍ ଫୋନ୍‌ଟି ହଜାଇ ଦେଇଥିବା ବ୍ୟକ୍ତି ଜଣକ ନିଜକୁ ସେଇ ଭଳି ଅସହାୟ ମନେ କରି ନ ଥା’ନ୍ତି କି? ତାଙ୍କୁ ଲାଗେ ନା’ କି ସତେ ଯେମିତି ସେ ତାଙ୍କ ମସ୍ତିଷ୍କରୁ ଖଣ୍ଡେ କିମ୍ବା ସମ୍ପୂର୍ଣ୍ଣ ମସ୍ତିଷ୍କଟିକୁ ହଜାଇ ଦେଇଛନ୍ତି? ସୂଚନା ମନେ ରଖିବାରୁ ଆରମ୍ଭ କରି ଗନ୍ତବ୍ୟ ସ୍ଥଳୀକୁ ବାଟ ପାଇବା ପର୍ଯ୍ୟନ୍ତ, ପାଣିପାଗ ଯାଞ୍ଚ କରିବାରୁ ଆରମ୍ଭ କରି ଅନ୍‌ଲାଇନ୍ ବଜାର ସଉଦା କରିବା ପର୍ଯ୍ୟନ୍ତ, ବ୍ୟାଙ୍କ୍ କାରବାରରୁ ଆରମ୍ଭ କରି ଆଲୋଚନା ଚକ୍ରରେ ଅଂଶ ଗ୍ରହଣ କରିବା ପର୍ଯ୍ୟନ୍ତ- ଆଜିକାଲି ଏପରି କୌଣସି ମାନବୀୟ ନିଷ୍ପତ୍ତିର କଳ୍ପନା କରିବା କଷ୍ଟ, ଯେଉଁଥିରେ ସ୍ମାର୍ଟ‌୍ ଫୋନ୍ ସମ୍ପୃକ୍ତ ବ୍ୟକ୍ତିର ସମ୍ପ୍ରସାରିତ ମସ୍ତିଷ୍କ ଭଳି କାର୍ଯ୍ୟ କରି ନ ଥାଏ।

ଅଧିକ ନିର୍ଦ୍ଦିଷ୍ଟ ଭାବରେ କହିଲେ, ଆମର ଏହି ସମ୍ପ୍ରସାରିତ ମସ୍ତିଷ୍କ ବା ବହିର୍ମସ୍ତିଷ୍କ ହେଉଛି ପ୍ରକୃତରେ ସ୍ମାର୍ଟ‌୍ ଫୋନ୍‌ର କେନ୍ଦ୍ରସ୍ଥଳୀରେ ଥାଇ ତା’ର କାର୍ଯ୍ୟକୁ ନିୟନ୍ତ୍ରଣ କରୁଥିବା ଏକ ବୈଦୁତିକ ନିର୍ଦ୍ଦେଶାବଳୀ ବହନକାରୀ କ୍ଷୁଦ୍ର ସିଲିକନ୍ ଚିପ୍ ବା ସେମିକଣ୍ଡକ୍ଟର୍। ବାସ୍ତବରେ କେବଳ ସ୍ମାର୍ଟ‌୍ ଫୋନ୍‌ ନୁହେଁ, ଉଭୟ ଯୁଦ୍ଧ ଓ ଶାନ୍ତି ସମୟରେ ବ୍ୟବହୃତ ଏପରି କୌଣସି ପ୍ରବିଧି ବା ଯନ୍ତ୍ର ବା ଉପକରଣ ଏବେ ଦେଖିବାକୁ ମିଳେ ନାହିଁ ଯେଉଁଥିରେ ଏହି ସେମିକଣ୍ଡକ୍ଟର୍ ହିଁ ଅସଲ ନିୟନ୍ତ୍ରକର ଭୂମିକା ନିର୍ବାହ କରି ନ ଥାଏ। କୁହାଯାଇପାରେ, ଯେଉଁ ମାନବ ସଭ୍ୟତା ଏ ପର୍ଯ୍ୟନ୍ତ ମନୁଷ୍ୟର ମସ୍ତିଷ୍କ ଦ୍ବାରା ନିୟନ୍ତ୍ରିତ ହୋଇ ଆସୁଥିଲା, ତାହା କ୍ରମେ ଅଧିକରୁ ଅଧିକ ଏହି ସେମିକଣ୍ଡକ୍ଟର୍ ରୂପକ ସମ୍ପ୍ରସାରିତ ମସ୍ତିଷ୍କ ଦ୍ବାରା ନିୟନ୍ତ୍ରିତ ହେବାକୁ ଲାଗିଲାଣି।

ଏହି ଅନିବାର୍ଯ୍ୟ ବିବର୍ତ୍ତନର ସୁଦୂରପ୍ରସାରୀ ତାତ୍ପର୍ଯ୍ୟ କୌଣସି ଚିନ୍ତାଶୀଳ ବ୍ୟକ୍ତିଙ୍କର ଦୃଷ୍ଟି ଏଡ଼ାଇ ପାରୁନଥିବ। ତାହା ହେଲା, ଆଗାମୀ ସମୟରେ ଯେଉଁ ଦେଶ ବା ଯେଉଁ ଶକ୍ତି ଏହି ସେମିକଣ୍ଡକ୍ଟର୍‌ର ପ୍ରସ୍ତୁତି ଓ ଉତ୍ପାଦନକୁ ନିୟନ୍ତ୍ରଣ କରିବ, ସେଇ ହିଁ ଶେଷରେ ମାନବ ସଭ୍ୟତାକୁ ନିୟନ୍ତ୍ରଣ କରିବ। ଯଦି ଏହି ପରିପ୍ରେକ୍ଷୀରେ ବିଚାର କରାଯାଏ, ତେବେ ନିକଟରେ ଆମ ଦେଶର ପ୍ରଧାନମନ୍ତ୍ରୀ, ଅର୍ଥମନ୍ତ୍ରୀ ଏବଂ ଇଲେକ୍‌ଟ୍ରୋନିକ୍‌ସ ଓ ଆଇଟି ମନ୍ତ୍ରୀ ଭାରତରେ ସେମାନଙ୍କର କାରଖାନା ସ୍ଥାପନ କରିବା ପାଇଁ ପୃଥିବୀର ସେମିକଣ୍ଡକ୍ଟର୍ ଉତ୍ପାଦନକାରୀ କମ୍ପାନିମାନଙ୍କୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଯେଉଁଭଳି ନିମନ୍ତ୍ରଣ କରିବା ଦେଖା ଯାଇଛି, ତାହା ଏ କ୍ଷେତ୍ରରେ ବହୁ ପ୍ରଚାରିତ ଆତ୍ମନିର୍ଭରତା ହାସଲ କରି ଆମର ସମ୍ପ୍ରସାରିତ ମସ୍ତିଷ୍କର ସ୍ବାଧୀନତା ବଜାୟ ରଖିବା ଦିଗରେ ଏକ ପ୍ରକୃଷ୍ଟ ତଥା ନିଶ୍ଚିତ ପଦକ୍ଷେପ ଭଳି ମନେ ହୋଇ ପାରେ।

କିନ୍ତୁ କଠୋର ସତ୍ୟ ହେଲା ଏହା ଯେ, ଏଭଳି ଉଦ୍ୟମ ସ୍ବାଗତଯୋଗ୍ୟ ହୋଇଥିଲେ ହେଁ ଆମର ଲକ୍ଷ୍ୟ ହାସଲ ପାଇଁ ଯଥେଷ୍ଟ ନୁହେଁ। ତାହାର କାରଣ ହେଉଛି ସେମିକଣ୍ଡକ୍ଟର୍ ଉତ୍ପାଦନ ପ୍ରକ୍ରିୟାରେ ପରିଦୃ‌ଷ୍ଟ ହେଉଥିବା ଘୋର ଜଟିଳତା। ‘ଇଣ୍ଟେଲ୍’, ‘ସାମ୍‌ସଙ୍ଗ୍’, ‘ଟିଏସ୍‌ଏମ୍‌ସି’ ଭଳି ଯେଉଁ ପୃଥିବୀର ଛାମୁହାଁ ସେମିକଣ୍ଡକ୍ଟର୍ ନିର୍ମାଣକାରୀ କମ୍ପାନିମାନଙ୍କୁ ଭାରତ ଏଠାକୁ ଆକର୍ଷିତ କରିବାକୁ ଉଦ୍ୟମ କରୁଛି, ସେମାନେ ସେମିକଣ୍ଡକ୍ଟର୍ ଉତ୍ପାଦନ କରିବା ପାଇଁ ଯେଉଁ ଅତ୍ୟନ୍ତ ସୂକ୍ଷ୍ମ ତଥା ଜଟିଳ ଯନ୍ତ୍ରପାତି ବ୍ୟବହାର କରନ୍ତି, ତାହା ସେମାନେ କତିପୟ ଆମେରିକୀୟ କମ୍ପାନିମାନଙ୍କ ଠାରୁ କ୍ରୟ କରିଥା’ନ୍ତି, ଯେଉଁମାନେ ସାରା ପୃଥିବୀର ସେମିକଣ୍ଡକ୍ଟର୍ ଶିଳ୍ପକୁ ନିୟନ୍ତ୍ରଣ କରୁଥିଲେ‌ ହେଁ ବସ୍ତୁତଃ ଅନାମଧ୍ୟେୟ କହିଲେ ଅତ୍ୟୁକ୍ତି ହେବ ନାହିଁ। ଉଦାହରଣ ସ୍ବରୂପ, ‘ଆପ୍ଲାଏଡ୍ ମାଟେରିଆଲ୍‌ସ’, କିମ୍ବା ‘ଏଏସ୍‌ଏମ୍‌ଏଲ୍’ କିମ୍ବା ‘କେଏଲ୍‌ଏ’ କିମ୍ବା ‘ଲାମ୍ ରିସର୍ଚ୍ଚ’ ଭଳି କମ୍ପାନିମାନଙ୍କର ନାମ ଆମ ପାଇଁ ଏକ ସମ୍ପୂର୍ଣ୍ଣ ଅପରିଚିତ ନାମ ହୋଇଥିଲେ ହେଁ, ଚୀନ୍ ସମେତ ପୃଥିବୀ ସାରାର ସେମିକଣ୍ଡକ୍ଟର୍ ନିର୍ମାତାମାନେ ଏହି କମ୍ପାନିମାନଙ୍କ ଦ୍ବାରା ନିର୍ମିତ ହୋଇଥିବା ସୂକ୍ଷ୍ମାତିସୂକ୍ଷ୍ମ ଯନ୍ତ୍ରାଂଶ ବ୍ୟବହାର କରି ସେମିକଣ୍ଡକ୍ଟର୍ ଚିପ୍ ଉପରେ କୋଟି କୋଟି ସଂଖ୍ୟକ ବିଭିନ୍ନ ନିର୍ଦ୍ଦେଶବହନକାରୀ ଇଲେକ୍ଟ୍ରିକ୍ ସର୍କିଟ୍‌ମାନ ଅଙ୍କନ କରିଥା’ନ୍ତି।

ବର୍ତ୍ତମାନ ୟୁକ୍ରେନ୍ ଯୁଦ୍ଧ ପରିପ୍ରେକ୍ଷୀରେ ଦେଖାଯାଇଛି ଆମେରିକା ସରକାରଙ୍କ ନିର୍ଦ୍ଦେଶରେ ଏହି କମ୍ପାନିମାନେ ସେମାନଙ୍କର ଚୀନ୍ ଓ ରୁଷିଆର କମ୍ପାନିମାନଙ୍କ ସହିତ ଥିବା ସମସ୍ତ ବାଣିଜ୍ୟିକ ସମ୍ପର୍କ ଛିନ୍ନ କରିବାକୁ ବାଧ୍ୟ ହୋଇଛନ୍ତି। ଯଦି କୌଣସି ସମାନ କାରଣରୁ ଭାରତ ଉପରେ ଆମେରିକା ସରକାରଙ୍କ ବିଷଦୃଷ୍ଟି ପଡ଼େ, ତେବେ? ଆତ୍ମନିର୍ଭରତାକୁ ନିଜର ଆଦର୍ଶରେ ପରିଣତ କରିଥିବା ଭାରତ ତେଣୁ ପ୍ରକୃତ ଆତ୍ମନିର୍ଭରତା ହାସଲ କରିବ ସେତିକିବେଳେ, ଯେତେବେଳେ ଏଠାରେ କେବଳ ସେମିକଣ୍ଡକ୍ଟର୍ ଉତ୍ପାଦନକାରୀମାନେ ଗାଡ଼ିଗାଡ଼ି ସେମିକଣ୍ଡକ୍ଟର୍ ଚିପ୍ ନିର୍ମାଣ କରିବା ଦେଖାଯିବ, ତାହା ନୁହେଁ, ଯେତେବେଳେ ଭାରତୀୟ ବୈଜ୍ଞାନିକ ଓ ଇଂଜିନିଅର୍‌ମାନେ ଏଠାରେ ମଧ୍ୟ ସେମିକଣ୍ଡକ୍ଟର୍-ପ୍ରସ୍ତୁତକାରୀ ଯନ୍ତ୍ରମାନ ନିର୍ମାଣ କରି ଭାରତୀୟ ସମ୍ପ୍ରସାରିତ ମସ୍ତିଷ୍କର ସ୍ବାୟତ୍ତତାକୁ ଅକ୍ଷୁଣ୍ଣ ରଖିବେ। ଏଥିପାଇଁ ଆବଶ୍ୟକ ମେଧା ଭାରତରେ ଉପଲବ୍‌ଧ ଅଛି; ତାହାକୁ ଫଳପ୍ରସୂ କରିବା ପାଇଁ ଲୋଡ଼ା ଅକୁଣ୍ଠ ସରକାରୀ ପ୍ରୋତ୍ସାହନ। ଏ କ୍ଷେତ୍ରରେ ଏ ପର୍ଯ୍ୟନ୍ତ ଦେଖାଯାଇଥିବା ଅନ୍ୟ ସମସ୍ତ ପ୍ରତିଦ୍ବନ୍ଦ୍ବୀମାନଙ୍କର ବିଫଳତା କିନ୍ତୁ ପ୍ରମାଣିତ କରିଥାଏ ଯେ ଏହା ଏକ ଦୁଃସାଧ୍ୟ କାର୍ଯ୍ୟ।

ସମ୍ବନ୍ଧିତ ଖବର