ଯେବେଠାରୁ ଚୀନା କରୋନା ଭୂତାଣୁ ଜନିତ କୋଭିଡ୍-୧୯ ମହାମାରୀ ବିରୋଧରେ ଲଢ଼ିବାରେ ସହାୟକ ହେବା ପାଇଁ ଟିକାର ଉଦ୍ଭାବନ ହେଲାଣି, ସେବେଠାରୁ ଏହି ଟିକାକୁ କେନ୍ଦ୍ର କରି ଭିନ୍ନ ଏକ ଲଢ଼େଇର ସୂତ୍ରପାତ ହେବା ମଧ୍ୟ ଦେଖାଯାଇଛି। ସମାଜରେ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ଟିକାକରଣକୁ ସେମାନଙ୍କର ଶାରୀରିକ ସାର୍ବଭୌମତ୍ବର ଉଲ୍ଲଂଘନ ରୂପେ ବିଚାର କରନ୍ତି। ଏମାନେ ଟିକାକରଣକୁ ବାଧ୍ୟତାମୂଳକ କରାଯିବା ଉଦ୍ୟମ ବିରୋଧରେ ସର୍ବଦା ଲଢ଼େଇ କରିବାକୁ ବାହାରି ପଡ଼ିବା ଦେଖାଯାଇଥାଏ। ଏହି ଲଢ଼େଇର ଏକ ସଦ୍ୟତମ ଦୃଶ୍ୟରେ ଭାରତର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମ୍ କୋର୍ଟଙ୍କର ଆବିର୍ଭାବ ଏଠାରେ ଏହି ଲଢ଼େଇକୁ ଏକ ନୂତନ ମୋଡ଼ ଦେଇଛି ବୋଲି ବିଚାର କରାଯାଇ ପାରେ।
ସୋମବାର ଦିନ କୋର୍ଟ ପ୍ରଦାନ କରିଥିବା ଏକ ରାୟରେ କହିଛନ୍ତି ଯେ କୌଣସି ବ୍ୟକ୍ତିକୁ ତା’ର ଇଚ୍ଛା ବିରୋଧରେ ଟିକା ଗ୍ରହଣ କରିବାକୁ ବାଧ୍ୟ କରାଯାଇ ପାରିବ ନାହିଁ। ଭାରତୀୟ ସମ୍ବିଧାନର ଧାରା-୨୧ ଜଣେ ବ୍ୟକ୍ତିକୁ ନିଜର ଶରୀର ଉପରେ ଯେଉଁ ଅଖଣ୍ଡ ଅଧିକାର ପ୍ରଦାନ କରିଥାଏ, ତାହା ମଧ୍ୟ ତାକୁ ଟିକା ନେବାକୁ ମନା କରି ଦେବାର ଅଧିକାର ପ୍ରଦାନ କରିଥାଏ ବୋଲି ସୁପ୍ରିମ୍ କୋର୍ଟ ତାଙ୍କ ରାୟରେ କହିଛନ୍ତି। ଅର୍ଥାତ୍ ବ୍ୟକ୍ତି ସ୍ବାଧୀନତା ଓ ଗୋଷ୍ଠୀ ଅଧିକାର ମଧ୍ୟରେ ଟିକାକରଣକୁ ନେଇ ଚାଲିଥିବା ଏହି ଲଢ଼େଇରେ ସୁପ୍ରିମ୍ କୋର୍ଟ ବର୍ତ୍ତମାନ ବ୍ୟକ୍ତି ସ୍ବାଧୀନତାକୁ ଅଗ୍ରାଧିକାର ପ୍ରଦାନ କରିଛନ୍ତି ବୋଲି ଏକ ଧାରଣା ସୃଷ୍ଟି ହୋଇଛି। ସୁପ୍ରିମ୍ କୋର୍ଟଙ୍କର ଏଭଳି ଆଭିମୁଖ୍ୟ ନିଶ୍ଚିତ ରୂପେ ଅନେକଙ୍କ ମନରେ ପୁଣି ସେଇ ପୁରୁଣା ପ୍ରଶ୍ନକୁ ଜନ୍ମ ଦେଇଥିବ: ବ୍ୟକ୍ତି ସ୍ବାଧୀନତା ଭଳି ବ୍ୟକ୍ତିର ସହଜାତ ପ୍ରକୃତିଦତ୍ତ ଅଧିକାରକୁ ସଂକୁଚିତ କରିବାର ଅଧିକାର ସମାଜ ଅର୍ଥାତ୍ ରାଷ୍ଟ୍ରର ଅଛି କି?
ଏ ପ୍ରଶ୍ନର ଉତ୍ତର ଖୋଜିବା ପାଇଁ ସପ୍ତଦଶ ଶତାବ୍ଦୀର ପ୍ରସିଦ୍ଧ ଇଂରେଜ୍ ରାଜନୈତିକ ଦାର୍ଶନିକ ଥମାସ୍ ହବ୍ସଙ୍କୁ ଅନୁସରଣ କରି ଏଇ ଭଳି ଏକ ଦୃଶ୍ୟର ପରିକଳ୍ପନା କରାଯାଇପାରେ। କଳ୍ପନା କର ତୁମେ ହେଉଛ ଶିକାର କରି, ଫଳମୂଳ ସଂଗ୍ରହ କରି ଜଙ୍ଗଲରେ ଗୁମ୍ଫାରେ ବାସ କରୁଥିବା ଜଣେ ଆଦିମ ମନୁଷ୍ୟ। ତୁମେ ଶିକାର କରି ଆଣିଥିବା ମାଂସ ଏବଂ ସଂଗ୍ରହ କରି ଆଣିଥିବା ଫଳମୂଳ ଉପରେ ସ୍ବାଭାବିକ ଭାବରେ ତୁମର ସମ୍ପୂର୍ଣ୍ଣ ଓ ଏକଚାଟିଆ ଅଧିକାର ରହିଛି। ଦିନେ କିନ୍ତୁ ତୁମ ଗୁମ୍ଫା ଦ୍ବାରଦେଶରେ ଜଣେ ବିଶାଳକାୟ ବ୍ୟକ୍ତିଙ୍କର ଆବିର୍ଭାବ ଘଟେ। ସେ ତୁମକୁ ଆଦେଶ ଦେବା ଭଙ୍ଗୀରେ ଦାବି କରନ୍ତି: ‘‘ମତେ ଖାଦ୍ୟ ଦିଅ’’। ତୁମେ କଷ୍ଟକରି ସଂଗ୍ରହ କରିଥିବା ଖାଦ୍ୟର ଏକ ଅଂଶ ଅନ୍ୟ ଜଣେ ଏପରି ଦାବି କରିବା ଦ୍ବାରା ଆଶ୍ଚର୍ଯ୍ୟାନ୍ବିତ ହୋଇ ତୁମେ ତାକୁ ପାଲଟା ପ୍ରଶ୍ନ ପଚାର: ‘‘କାହିଁକି?’’ ଏଥର ସେଇ ବିଶାଳକାୟ ବ୍ୟକ୍ତିଜଣକ ଛାତି ଫୁଲାଇ ଉତ୍ତର ଦିଏ: ‘‘ମୁଁ ତୁମର ଗୁମ୍ଫା ଜଗି ରହିଥାଏ ଓ ଅନ୍ୟ କାହାରିକୁ ସେଠାରେ ପୂରାଇ ଦିଏ ନାହିଁ।’’
ଏଇଠୁଁ ହିଁ ଘଟିଥିଲା ସର୍ବପ୍ରଥମ ସାମାଜିକ ଚୁକ୍ତିର ଜନ୍ମ। ହବ୍ସଙ୍କ ଚିନ୍ତାଧାରା ଅନୁସାରେ ସେଇ ବିଶାଳକାୟ ଶକ୍ତିଶାଳୀ ବ୍ୟକ୍ତି ଜଣକ ହେଉଛି ରାଷ୍ଟ୍ର ବା ସମାଜ, ଯାହାକୁ ସେ ଗୁମ୍ଫାବାସୀ ଆଦିମାନବ ନିଜର ଖାଦ୍ୟର ଏକ ଅଂଶ ହସ୍ତାନ୍ତର କରିବା ଭଳି ପ୍ରତ୍ୟେକ ନାଗରିକ ନିଜର ପ୍ରକୃତିଦତ୍ତ ଅଧିକାର ଓ ସ୍ବାଧୀନତାର କେତେକ ଅଂଶ ହସ୍ତାନ୍ତରିତ କରି ଦେଇଥାଏ। ହବ୍ସଙ୍କ ଯୁକ୍ତି ଅନୁସାରେ ଯଦି ଏହି ହସ୍ତାନ୍ତରିତ ଅଧିକାର ବ୍ୟବହାର କରି ରାଷ୍ଟ୍ରରୂପକ ଜଗୁଆଳି ଆମକୁ ସୁରକ୍ଷିତ ରଖନ୍ତା ନାହିଁ, ତା’ହେଲେ ଯେଉଁ ପ୍ରାକୃତିକ ପରିବେଶ ବିରାଜମାନ କରନ୍ତା, ସେଥିରେ ଯେଉଁ ଏକମାତ୍ର ନିୟମ କାର୍ଯ୍ୟ କରନ୍ତା, ତାହା ହେଉଛି- ଜୋର୍ ଯା’ର, ମୁଲକ ତା’ର। ଏଭଳି ପରିବେଶରେ ପ୍ରତ୍ୟେକ ମନୁଷ୍ୟର ଜୀବନ ହବ୍ସଙ୍କ ଭାଷାରେ ହୋଇଯାଇଥାଏ- ‘କଦର୍ଯ୍ୟ, ପଶୁତୁଲ୍ୟ ଓ ସଂକ୍ଷିପ୍ତ’। ଏଭଳି ଅବସ୍ଥାରୁ ଦୂରେଇ ରହିବା ପାଇଁ ଆମକୁ ନିଜର ବ୍ୟକ୍ତିଗତ ସାର୍ବଭୌମତା ତ୍ୟାଗ କରି ତାହାକୁ ଏକ ସାର୍ବଭୌମ ରାଷ୍ଟ୍ର ଠାରେ ନିହିତ କରିବାକୁ ହୋଇଥାଏ।
ଏହା ହଠାତ୍ ଉଦ୍ଭଟ ମନେ ହୋଇପାରେ, ପ୍ରକୃତି ଆମକୁ ଯେଉଁ ସାର୍ବଭୌମ ଅଧିକାର ପ୍ରଦାନ କରିଥାଏ, ତାହା ଅନୁସାରେ କାହାକୁ ହତ୍ୟା କରିବା କିମ୍ବା କାହାର ସମ୍ପଦ ଚୋରି କରିବା ହେଉଛି ଆମର ଜନ୍ମଗତ ଅଧିକାର। ରାଷ୍ଟ୍ର ବା ସମାଜର ଆବିର୍ଭାବ ପରେ ଆମେ ଆମର ଏହି ଅଧିକାର ତ୍ୟାଗ କରି ରାଷ୍ଟ୍ର ଠାରେ ସମର୍ପଣ କରି ଦେଇଥାଉ, କିନ୍ତୁ ପ୍ରତିବଦଳରେ ଆମେ ରାଷ୍ଟ୍ର ଠାରୁ ଯାହା ପାଇଥାଉ, ତାହା ହେଉଛି ନିରାପତ୍ତା ଓ ସମ୍ପତ୍ତି ମାଲିକାନା। ହବ୍ସଙ୍କ ଅନୁସାରେ ଏହି ନିରାପତ୍ତା ଓ ସମ୍ପତ୍ତି ମାଲିକାନା ବଳରେ ଆମେ ଯେଉଁ ନୂତନ ସ୍ବାଧୀନତା ଉପଭୋଗ କରିଥାଉ, ତାହା ହେଉଛି ଆମେ ପରିତ୍ୟାଗ କରି ରାଷ୍ଟ୍ର ଠାରେ ସମର୍ପଣ କରି ଦେଇଥିବା ସ୍ବାଧୀନତା ଠାରୁ ବହୁଗୁଣ ଅଧିକ।
ଉଦାହରଣ ସ୍ବରୂପ ଏଥି ଯୋଗୁଁ ଆମେ ଘର ଛାଡ଼ି କାମ ଧନ୍ଦା ଖୋଜିବାକୁ ବୃହତ୍ତର ସମାଜରେ ପ୍ରବେଶ କରିପାରୁ, ଯାହା ଫଳରେ ଅର୍ଥଶାସ୍ତ୍ରର ଜନକ ଆଡାମ୍ ସ୍ମିଥ୍ ପ୍ରଥମେ ସୂଚାଇଥିବା ଭଳି କାର୍ଯ୍ୟ କ୍ଷେତ୍ରରେ ଶ୍ରମ ବିଭାଜନ ସମ୍ଭବ ହୁଏ, ଶ୍ରମ ବିଭାଜନ ଯୋଗୁଁ ଉତ୍ପାଦନର ପରିମାଣ ଓ ପ୍ରକାର ଭେଦରେ ବହୁଗୁଣ ବୃଦ୍ଧି ଘଟେ; ସମାଜରେ ସାମଗ୍ରିକ ଓ ବ୍ୟକ୍ତିଗତ ଜୀବନଧାରଣ ମାନରେ ଚମକପ୍ରଦ ଉନ୍ନତି ଘଟେ। ଏହି କାରଣରୁ ରାଷ୍ଟ୍ର ଓ ବ୍ୟକ୍ତି ମଧ୍ୟରେ ଯେଉଁ ସାମାଜିକ ଚୁକ୍ତି ସମ୍ପାଦିତ ହୋଇଥାଏ, ତାହା ହେଉଛି ପ୍ରକୃତରେ ଗୋଟିଏ ପଟରେ ବ୍ୟକ୍ତି ସ୍ବାଧୀନତାରେ କାଟଛାଣ୍ଟ ଓ ଅନ୍ୟ ପଟରେ ନିରାପତ୍ତା ଓ ସମୃଦ୍ଧିରେ କାଟଛାଣ୍ଟ ମଧ୍ୟରେ ଏକ ସନ୍ତୁଳନ ରକ୍ଷାକାରୀ ବୁଝାମଣା। ସଭ୍ୟତାର ଇତିହାସ ସାରା ଏହି ବୁଝାମଣା ଏକ ଅସମାହିତ ବିବାଦର ରୂପ ନେଇ ଆସିଛି, ଯାହାର ଏକ ଅନ୍ୟତମ ପରିପ୍ରକାଶ ହେଉଛି ବର୍ତ୍ତମାନ ଟିକାଦାନକୁ କେନ୍ଦ୍ର କରି ଦେଖା ଯାଉଥିବା ବିବାଦ।
ସୁପ୍ରିମ୍ କୋର୍ଟଙ୍କ ରାୟ ସ୍ପଷ୍ଟ ରୂପେ ନିଜର ଶରୀରରେ କଣ୍ଟା ଫୁଟିବାକୁ ନ ଦେବା ପାଇଁ ବ୍ୟକ୍ତିର ପ୍ରକୃତିଦତ୍ତ ସ୍ବାଧୀନ ଅଧିକାର ସପକ୍ଷରେ ଯାଇଛି। କିନ୍ତୁ ସମାଜର ପ୍ରତ୍ୟେକ ସଦସ୍ୟ ଯଦି ଏହି ଅଧିକାର କାର୍ଯ୍ୟକାରୀ କରି କରୋନା ଭୂତାଣୁର ପ୍ରସାର ପ୍ରତିହତ କରିବା ପାଇଁ ଟିକା ଗ୍ରହଣ କରିବା ପରିବର୍ତ୍ତେ ଟିକା ଠାରୁ ଦୂରେଇ ରହନ୍ତି, ତେବେ ଏହାର ପରିଣାମ ଯାହା ହେବ, ତାହାର ବିଶଦ ବର୍ଣ୍ଣନାର ଆବଶ୍ୟକତା ନାହିଁ। ଏତିକି କହିଲେ ଯଥେଷ୍ଟ ହେବ, ଏଥିଯୋଗୁଁ ପ୍ରସାର ଲାଭ କରିଥିବା କୋଭିଡ୍ ପାଣ୍ଡେମିକ୍ଗ୍ରସ୍ତ ସମାଜରେ ମନୁଷ୍ୟର ଜୀବନ ହୋଇଯିବ ହବ୍ସ ବର୍ଣ୍ଣନା କରିଥିବା ଭଳି ‘କଦର୍ଯ୍ୟ, ପଶୁତୁଲ୍ୟ ଓ ସଂକ୍ଷିପ୍ତ’।
ଅପରପକ୍ଷେ ଖୋଦ୍ ସୁପ୍ରିମ୍ କୋର୍ଟ ମଧ୍ୟ ମନା କରି ପାରିବେ ନାହିଁ ଯେ ଭାରତରେ ଯେତିକି ଟିକାକରଣ କରାଯାଇ ପାରିଛି, ତାହା ଯୋଗୁଁ ଅସୁମାରି ଜୀବନ ସେଇ ହବ୍ସୀୟ ଦଶା ଭୋଗିବାରୁ ରକ୍ଷା ପାଇ ଯାଇଛନ୍ତି। ଏପରିକି ଯେଉଁ ଅପେକ୍ଷାକୃତ ଦୁର୍ବଳ କୋଭିଡ୍ର ତୃତୀୟ ଲହର ଆସିଥିଲା, ସେଥିରେ ମଧ୍ୟ ଯେଉଁମାନେ ହସ୍ପିଟାଲ୍ରେ ଚିକିତ୍ସିତ ହେବାକୁ ଭର୍ତ୍ତି ହେବାକୁ ବାଧ୍ୟ ହୋଇଥିଲେ, ସେମାନଙ୍କ ମଧ୍ୟରୁ ଅଧିକାଂଶ ଥିଲେ ସେଇମାନେ, ଯେଉଁମାନେ ଆଦୌ ଟିକା ନେଇ ନ ଥିଲେ।
କୋର୍ଟଙ୍କ ବିଚାର ଅନୁସାରେ, ଯେହେତୁ ବର୍ତ୍ତମାନ କୋଭିଡ୍ର ପ୍ରସାର ଶିଥିଳ ହୋଇଥିବା ଭଳି ମନେ ହେଉଛି, ବର୍ତ୍ତମାନ ସମସ୍ତଙ୍କୁ ବାଧ୍ୟତାମୂଳକ ଭାବରେ ଟିକାଦାନ କରିବାର ଆବଶ୍ୟକତା ନାହିଁ। ଅର୍ଥାତ୍, କୋର୍ଟଙ୍କ ମତରେ ସରକାର ବା ରାଷ୍ଟ୍ର ‘‘ନଈ ନ ଦେଖୁଣୁ ଲଙ୍ଗଳା ହେବା ଉଚିତ ନୁହେଁ।’’ କିନ୍ତୁ ଆମେ ଏହି ଚୀନା ଭୂତାଣୁଜନିତ ପାଣ୍ଡେମିକ୍ର ଯେଉଁଭଳି ବିଶ୍ବବ୍ୟାପୀ ଆଚରଣ ଦେଖିଆସିଛୁ, ତାହା ଆଉ ଏକ ଓଡ଼ିଆ ଢଗର ଅନୁସରଣକୁ ଅଧିକ ଯୁକ୍ତିଯୁକ୍ତ କରିଥାଏ: ‘‘ତିନ୍ତିବା ଆଗରୁ ଘର ଛାଇବା ଉଚିତ।’’