ଭାରତୀୟମାନଙ୍କ ଭିତରେ ହିନ୍ଦୀ ଭାଷା ଭେଦେଇ ଦେବା ଲାଗି ହିନ୍ଦୀ ପ୍ରଧାନ ଅଞ୍ଚଳର ହୃଦ୍-ସ୍ଥଳ ତଥା ଭାରତର ରାଜଧାନୀ ଦିଲ୍ଲୀରୁ (ସ୍ବାଧୀନତା ପର ଠାରୁ) ହୋଇ ଆସିଥିବା ବିଧିବଦ୍ଧ ସରକାରୀ ଉଦ୍ୟମ ଯେତିକି ସଫଳତା ଲାଭ କରିଛି, ତା’ ଠାରୁ ସମ୍ଭବତଃ ଅଧିକ ସାଫଲ୍ୟର ଅଧିକାରୀ ହୋଇଛି ମରାଠା ଭାଷୀଙ୍କ ରାଜ୍ୟ ମହାରାଷ୍ଟ୍ରର ହୃଦ୍-ସ୍ଥଳ ମୁମ୍ବାଇରୁ ପ୍ରବାହିତ ହେଉଥିବା ହିନ୍ଦୀ ଭାଷାର ମୃଦୁ ସମୀରଣ; ଯାହା ଦକ୍ଷିଣରେ କୁମାରିକା ଠାରୁ ଉତ୍ତରରେ କାଶ୍ମୀର ବା ପଶ୍ଚିମରେ ଗୁଜରାଟ ଠାରୁ ପୂର୍ବରେ ତ୍ରିପୁରା ପର୍ଯ୍ୟନ୍ତ ସର୍ବତ୍ର ଭାରତୀୟମାନଙ୍କୁ ସ୍ପର୍ଶ କରିଛି; ଅନେକ ସମୟରେ ରସାଣିତ କରିଛି ମଧୢ। ଆଶା କରିବା ଯେ ଏହି ସ୍ତମ୍ଭର ପାଠକପାଠିକାମାନେ ଠଉରେଇ ସାରିବେଣି ଯେ ଏଠାରେ ମୁମ୍ବାଇରୁ ପ୍ରବାହିତ ଯେଉଁ ସମୀରଣ ବିଷୟରେ କୁହାଯାଉଛି ତାହାର ଉତ୍ପତ୍ତି ସ୍ଥଳ ହେଉଛି ବଲିଉଡ୍, ଯହିଁରୁ ପ୍ରସ୍ତୁତ ହୋଇ ଚାଲିଥିବା ଅସୁମାରି ହିନ୍ଦୀ ସିନେମାର ସ˚ଳାପ ଓ ସ˚ଗୀତ ଏକ ଅଖିଳ ଭାରତୀୟ ଗ୍ରହଣୀୟତା ଲାଭ କରି ଏହି ଭାଷାକୁ ଏକ ବ୍ୟାପକ ବିଦ୍ୟମାନ୍ୟତା ପ୍ରଦାନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଚଳଚ୍ଚିତ୍ର ଏବ˚ ଭାଷାର ପ୍ରାଧାନ୍ୟକୁ କେନ୍ଦ୍ର କରି କନ୍ନଡ଼ ଅଭିନେତା କେ. ସୁଦୀପ ଏବ˚ ବଲିଉଡ୍ ତାରକା ଅଜୟ ଦେବଗନଙ୍କ ମଧୢରେ ସୃଷ୍ଟି ହୋଇଥିବା ଏକ ମୃଦୁ ଟ୍ବିଟର୍ ସ˚ଘାତ ଏକ ଆଲୋଚନା ଲାଗି ଅବକାଶ ସୃଷ୍ଟି କରିଥାଏ, କାରଣ ଏହି ବିତର୍କ ସିନେମାର ସରହଦ ଅତିକ୍ରମ କରି ହିନ୍ଦୀ ଭାଷାକୁ ରାଷ୍ଟ୍ର ଭାଷାର ମାନ୍ୟତା ପ୍ରଦାନ କରିବା ଲାଗି ହେଉଥିବା ସରକାରୀ ଉଦ୍ୟମର ଯୌକ୍ତିକତାକୁ ପ୍ରଶ୍ନର ଘେରରେ ଛିଡ଼ା କରାଇଛି।
ତେବେ ଦୁଇ ଅଭିନେତାଙ୍କ ମତ ପାର୍ଥକ୍ୟର ପୃଷ୍ଠଭୂମି ସମ୍ବନ୍ଧରେ ଚୁମ୍ବକରେ କେବଳ ଏତିକି ଯେ ନିକଟରେ ଲାଗ ଲାଗ ମୁକ୍ତିଲାଭ କରିଥିବା ତିନିଟି ଦକ୍ଷିଣ ଭାରତୀୟ ସିନେମା (ପୁଷ୍ପା, ଆର୍ଆର୍ଆର୍ ଏବ˚ କେଜିଏଫ୍-୨) ଭାରତ ବ୍ୟାପୀ ଅଭୂତପୂର୍ବ ଲୋକପ୍ରିୟତା ହାସଲ କରିଥିବା ବେଳେ ବଲିଉଡ୍ ସିନେମାଗୁଡ଼ିକ ଅତ୍ୟନ୍ତ ମଳିନ ପ୍ରଦର୍ଶନ କରିଥିବା ପରିପ୍ରେକ୍ଷୀରେ କନ୍ନଡ଼ ଅଭିନେତା ସୁଦୀପ ପ୍ରଦାନ କରିଥିବା ମତଟି ଥିଲା ଏହା ଯେ ହିନ୍ଦୀ ଆଉ ଏକ ଅଖିଳ ଭାରତୀୟ ଭାଷା ହୋଇ ରହିନାହିଁ; ବର˚ ଦକ୍ଷିଣ ଭାରତୀୟ ସିନେମାର ଗ୍ରହଣୀୟତା ଦର୍ଶାଇଥାଏ ଯେ ଦକ୍ଷିଣ ଭାରତୀୟ ଭାଷାଗୁଡ଼ିକ ମଧୢ ଅଖିଳ ଭାରତୀୟ। ଏଭଳି ଏକ ମନ୍ତବ୍ୟର ପ୍ରତିକ୍ରିୟାରେ ବଲିଉଡ୍ ତାରକା ଅଜୟ ଦେବଗନ ସଜୋରେ କହିବା ଶୁଣାଯାଇଥିଲା ଯେ ହିନ୍ଦୀ ହେଉଛି ଭାରତର ଜାତୀୟ ଭାଷା; ସୁତରା˚ ସୁଦୀପଙ୍କ ମନ୍ତବ୍ୟ ମୂଲ୍ୟହୀନ। ସ୍ବାଭାବିକ ଭାବେ ଏହା ଏକ ବିବାଦକୁ ଜନ୍ମ ଦେଇଛି, ଯହିଁରେ ଦେବଗନଙ୍କ ସମାଲୋଚକମାନେ ମତ ପ୍ରକାଶ କରିଥାଆନ୍ତି ଯେ ହିନ୍ଦୀ ଭାରତର ଜାତୀୟ ଭାଷା ବୋଲି ରହି ଆସିଥିବା ଅବଧାରଣା ଏକ ପଥିକୃତ୍ ଚକ୍ରାନ୍ତର ପରିଣାମ, ଯାହା ଦିଲ୍ଲୀର କ୍ଷମତା କେନ୍ଦ୍ର ଦ୍ବାରା ଦୀର୍ଘ କାଳ ଧରି ଚାଲି ଆସିଛି!
ଏହା ସତ ଯେ ସ୍ବାଧୀନତା ବେଳକୁ ହିନ୍ଦୀ ଭାଷାଭାଷୀଙ୍କ ସ˚ଖ୍ୟା ଅନେକ ଆଞ୍ଚଳିକ ଭାଷାଭାଷୀଙ୍କ ସ˚ଖ୍ୟା ସହିତ ପ୍ରାୟ ସମାନ ଥିଲା। କେବଳ ସେତିକି ନୁହେଁ, ହିନ୍ଦୀ ଭାଷାର ମାନକୀକୃତ ସ୍ବରୂପ ନେଇ ସ୍ପଷ୍ଟତା ନ ଥିବାରୁ ୧୯୪୭ ମସିହାରେ ‘ସେଣ୍ଟ୍ରାଲ ହିନ୍ଦୀ ଡାଇରେକ୍ଟରେଟ୍’ ଗଠନ କରାଯାଇଥିଲା। କିନ୍ତୁ ସେହି ସମୟ ଠାରୁ ହିନ୍ଦୀକୁ ରାଷ୍ଟ୍ର ଭାଷା ରୂପେ ଗଢ଼ି ତୋଳିବା ଲାଗି ଉଦ୍ୟମ ହୋଇଯାଇଥିଲା, ଯାହାର ପ୍ରମାଣ ସ୍ବରୂପ ଭାରତୀୟ ସ˚ବିଧାନରେ ଧାରା ୩୫୧ର ଉପସ୍ଥିତି, ଯହିଁରେ ହିନ୍ଦୀର ପ୍ରସାର ଦିଗରେ କେନ୍ଦ୍ର ସରକାରଙ୍କ ଉଦ୍ୟମ ଉପରେ ନିର୍ଦ୍ଦିଷ୍ଟ ଭାବେ ଗୁରୁତ୍ବ ପ୍ରଦାନ କରାଯାଇଛି। ସେହିଭଳି ଅଣହିନ୍ଦୀ ଭାଷୀ ଅଞ୍ଚଳରେ ହିନ୍ଦୀର ପ୍ରସାର ଲାଗି ଆର୍ଥିକ ପ୍ରୋତ୍ସାହନ ପ୍ରଦାନ ଠାରୁ ପ୍ରାରମ୍ଭ କରି କେନ୍ଦ୍ର ସରକାରଙ୍କ ଅଧୀନରେ ଚାକିରି କରୁଥିବା ଅଣହିନ୍ଦୀ ଭାଷୀଙ୍କ ଲାଗି ହିନ୍ଦୀ ଟ୍ରେନି˚ ପ୍ରୋଗ୍ରାମ ପର୍ଯ୍ୟନ୍ତ ଅନେକ ବ୍ୟବସ୍ଥା ହିନ୍ଦୀର ପ୍ରସାର ଦିଗରେ ସରକାରୀ ପ୍ରଚେଷ୍ଟାର ନିଦର୍ଶନ। ୧୯୬୮ ମସିହାରେ ଇନ୍ଦିରା ଗାନ୍ଧୀଙ୍କ ଅମଳରୁ ଏ ଯାବତ୍ ବିଦ୍ୟାଳୟ ଶିକ୍ଷାରେ ବଳବତ୍ତର ରହିଆସିଥିବା ତ୍ରି-ଭାଷା ଶିକ୍ଷା ବ୍ୟବସ୍ଥା କ୍ରମରେ ମଧୢ ହିନ୍ଦୀ ପ୍ରଧାନ୍ୟ ପାଇଥାଏ। ଏହି ବ୍ୟବସ୍ଥାରେ ହିନ୍ଦୀ ଏବ˚ ଇ˚ରେଜୀ ସହିତ ଏକ ‘ମଡର୍ନ ଇଣ୍ତିଆନ୍ ଲା˚ଗୁଏଜ୍’ ବା ଏମ୍.ଆଇ.ଏଲ୍. ର ପ୍ରାବଧାନ କରାଯାଇଛି, ଯହିଁରେ ଆଶା କରାଯାଇଥାଏ ଯେ ଅଣହିନ୍ଦୀ ଭାଷୀ ରାଜ୍ୟର ସ୍କୁଲ୍ ପିଲାଏ ହିନ୍ଦୀ ଓ ଇ˚ରେଜୀ ସହିତ ଏମ୍.ଆଇ.ଏଲ୍. ଅଧୀନରେ କୌଣସି ଏକ ଭାରତୀୟ ଭାଷା ଶିଖିବେ, ଯେଉଁ କ୍ରମରେ ସେମାନଙ୍କ ମାତୃଭାଷା ପଢ଼ିବାର ସୁବିଧା ସେମାନେ ପାଇବେ ଏବ˚ ହିନ୍ଦୀ ଭାଷୀ ସ୍କୁଲ୍ର ପିଲାମାନେ ହିନ୍ଦୀ ଏବ˚ ଇ˚ରେଜୀ ଛଡ଼ା ଯେ କୌଣସି ଏକ ଆ˚ଚଳିକ ଭାଷା ପଢ଼ିବାର ସୁଯୋଗ ପାଇବେ; ଯେମିତି କି ଲକ୍ଷ୍ନୌର କୌଣସି ସ୍କୁଲ୍ର ପିଲାମାନେ ଇଚ୍ଛା କଲେ ତାମିଲ ବା କନ୍ନଡ଼ ବା ଓଡ଼ିଆ ପଢ଼ି ପାରିବେ। କଳ୍ପନାରେ ଏହା ଭଲ ଲାଗୁଥିଲେ ସୁଦ୍ଧା ବାସ୍ତବରେ ଯାହା ହୋଇଛି, ତାହା ହେଲା, ହିନ୍ଦୀ ଭାଷୀ ଅଞ୍ଚଳର ସ୍କୁଲ୍ଗୁଡ଼ିକରେ ତୃତୀୟ ଭାଷା ରୂପେ କୌଣସି ଆଧୁନିକ ଆଞ୍ଚଳିକ ଭାଷାର ଶିକ୍ଷା ଦିଆ ନ ଯାଇ ସ˚ସ୍କୃତ ଭାଷାରେ ଶିକ୍ଷା ପ୍ରଦାନ ଏବ˚ କେତେକ ଦକ୍ଷିଣ ଭାରତୀୟ ରାଜ୍ୟର ସ୍କୁଲ୍ଗୁଡ଼ିକରେ (ଶିକ୍ଷା ଏକ ରାଜ୍ୟ ବିଷୟ ହୋଇଥିବାରୁ) ଆଦୌ ହିନ୍ଦୀ ଶିକ୍ଷା ଦିଆ ନ ଯାଇ କେବଳ ଦୁଇଟି ଭାଷା ଅର୍ଥାତ୍ ଇ˚ରେଜୀ ଏବ˚ ମାତୃଭାଷାରେ ଶିକ୍ଷା ଦାନର ବ୍ୟବସ୍ଥା। ଏଥିରୁ ହିନ୍ଦୀ ଓ ଦକ୍ଷିଣ ଭାରତୀୟ ଭାଷାଭାଷୀଙ୍କ ମଧୢରେ ସୃଷ୍ଟ ବିଦ୍ବେଷ ସ୍ପଷ୍ଟ, ଯାହାର ଏକମାତ୍ର କାରଣ ହିନ୍ଦୀକୁ ସମଗ୍ର ଭାରତ ଲାଗି ଏକକ ସ˚ଯୋଗ ଭାଷା ବା ସରକାରୀ ଭାଷା ଭାବେ ପ୍ରତିଷ୍ଠା କରିବା ଦିଗରେ ଦିଲ୍ଲୀରେ ଆସୀନ ସରକାରଗୁଡ଼ିକର ପ୍ରବଣତା, ଯାହା ଦ୍ବାରା ହିନ୍ଦୀକୁ ଅନ୍ୟ ଭାଷାଭାଷୀଙ୍କ ଉପରେ ଲଦି ଦିଆଯାଉଛି ବୋଲି ଏକ ଧାରଣା ସୃଷ୍ଟି ହୋଇଥାଏ। ତେବେ, ଉଲ୍ଲେଖ ଥାଉ କି ହିନ୍ଦୀ ଭାଷାକୁ ରାଷ୍ଟ୍ର ଭାଷା ରୂପେ ବ୍ୟବସ୍ଥିତ କରିବା ଲାଗି ହୋଇଥିବା ଆଦ୍ୟ ଉଦ୍ୟମରେ ଗଠିତ ପ୍ରଥମ ସରକାରୀ ଭାଷା କମିସନଙ୍କ ନିକଟରେ ମାଡ୍ରାସ୍ ପ୍ରେସିଡେନ୍ସିର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତତ୍କାଳୀନ ରାଜ୍ୟସଭା ସା˚ସଦ ପି. ସୁବ୍ବାରାୟନ ବିରୋଧ କରିବା ସହିତ ସତର୍କ କରାଇ ଦେଇଥିଲେ ଯେ ଦକ୍ଷିଣ ବା ପୂର୍ବ ବା ପଶ୍ଚିମ ଭାରତୀୟ ଭାଷାଗୁଡ଼ିକ ଅତ୍ୟନ୍ତ ପ୍ରାଚୀନ ଏବ˚ ଏକ ଦୀର୍ଘ ତଥା ସମୃଦ୍ଧ ପର˚ପରାର ବାହକ ହୋଇଥିବା ସତ୍ତ୍ବେ ହିନ୍ଦୀକୁ ଅହେତୁକ ପ୍ରାଧାନ୍ୟ ପ୍ରଦାନ ଅବିମୃଶ୍ୟକାରିତା ହେବ। ତାଙ୍କ ମତର ଅନେକ ସମର୍ଥକ ଥିଲେ ମଧୢ କହିବା ବାହୁଲ୍ୟ ଯେ ସେ ସବୁ ମତକୁ କର୍ଣ୍ଣପାତ କରାଯାଇ ନ ଥିଲା।
ତେବେ, ଯାହା ପ୍ରଣିଧାନଯୋଗ୍ୟ, ତାହା ହେଲା ସ˚ପ୍ରତି ‘ମିଲେନିଏଲ୍’ ଏବ˚ ‘ଜେନ୍-ଜେଡ୍’(ବର୍ତ୍ତମାନ ପିଢ଼ି)ଙ୍କ ଆଧିପତ୍ୟ ଅଧୀନସ୍ଥ ପୃଥିବୀରେ କୌଣସି ଏକ ନିର୍ଦ୍ଦିଷ୍ଟ ଭାଷାର ଏକଛତ୍ରବାଦ ଭୂଲୁଣ୍ଠିତ ହେଉଥିବା ଦେଖିବାକୁ ମିଳିଥାଏ। ତାହା ହୋଇ ନ ଥିଲେ ୨୦୨୦ ମସିହାରେ କୋରିଆ ଭାଷାରେ ନିର୍ମିତ ଦକ୍ଷିଣ କୋରୀୟ ସିନେମା ‘ପାରାସାଇଟ୍’ ସର୍ବଶ୍ରେଷ୍ଠ ଚଳଚ୍ଚିତ୍ର ରୂପେ ହଲିଉଡ୍ର ପ୍ରତୀକ ପୁରସ୍କାର ଓସ୍କାର ଲାଭ କରି ପାରି ନ ଥାଆନ୍ତା ବା ଦକ୍ଷିଣ କୋରିଆର ପପ୍ ବ୍ୟାଣ୍ତ୍ ‘ବିଟିଏସ୍’ ବା ଧାରାବାହିକ ‘ସ୍କ୍ବିଡ୍ ଗେମ୍’ ଭାରତ ସମେତ ସମଗ୍ର ପୃଥିବୀରେ ଲୋକପ୍ରିୟତାର ଅଭୂତପୂର୍ବ ତରଙ୍ଗ ସୃଷ୍ଟି କରିପାରନ୍ତା ନାହିଁ ଅଥବା ଦକ୍ଷିଣ ଭାରତୀୟ ସିନେମାଗୁଡ଼ିକ ସମଗ୍ର ଭାରତର ଜନମାନସକୁ ପ୍ଳାବିତ କରି ବଲିଉଡ୍ ସିନେମାକୁ ସ˚ପୂର୍ଣ୍ଣ ନିଷ୍ପ୍ରଭ କରି ପକାନ୍ତା ନାହିଁ। ଏହା ଏକ ସ˚କେତ ଯେ ଭାଷାର ପ୍ରାଚୀର ତରଳି ଯାଉଛି। ଏକ ବିଡ଼ମ୍ବନା ହୋଇଥିଲେ ମଧ୍ୟ ଏହା କ’ଣ ସତ ନୁହେଁ ଯେ ବଲିଉଡ୍ ସିନେମାର ‘ଅଖିଳ ଭାରତୀୟତା’ ନେଇ ରହିଥିବା ଅବଧାରଣାର ଛାୟା ତଳେ ମଣିରତ୍ନମଙ୍କ ଭଳି ଅଦ୍ବିତୀୟ ନିର୍ଦ୍ଦେଶକ ବା ଇଲିୟା ରାଜାଙ୍କ ଭଳି ଐନ୍ଦ୍ରଜାଲିକ ସ˚ଗୀତ ନିର୍ଦ୍ଦେଶକ ବା କମଳ ହାସାନ ବା ରଜନୀକାନ୍ତଙ୍କ ଭଳି ପ୍ରଶ˚ସକଙ୍କ ଚକ୍ଷୁରେ ପ୍ରାୟ-ଈଶ୍ବରତ୍ବ ଲାଭ କରିଥିବା ଅଭିନେତା କେବଳ ଦକ୍ଷିଣ ଭାରତୀୟ କଳାକାର ହୋଇ ରହିଗଲେ!
ସମ୍ଭବତଃ ସେଭଳି ସ୍ଥିତି ସମାପ୍ତ ହେବାର ସମୟ ଏବେ ଉପନୀତ। ଏହା ଏକ ଶୁଭ ସୂଚନା। କାରଣ ଭାଷା, ଭାବ ଓ ସ˚ସ୍କୃତି ବିନିମୟରେ ମନୋର˚ଜନ କ୍ଷେତ୍ର ଏକ ପ୍ରଭାବୀ କୋମଳ ଶକ୍ତି ରୂପେ କାର୍ଯ୍ୟ କରିଥାଏ। ସେହି କାରଣରୁ ମରାଠୀ ସିନେମା ‘ସୈରାତ୍’ ବା ‘ନଟରଙ୍ଗ’ର ମଧୁର ଗୀତମାନ ଅଞ୍ଚଳ ନିର୍ବିଶେଷରେ ଭାରତୀୟମାନଙ୍କ ଓଷ୍ଠରେ କ˚ପନ ସୃଷ୍ଟି କରିବାରେ ସମର୍ଥ ହୋଇଛି। କିନ୍ତୁ ଏଭଳି ସ୍ଥଳେ ଭାଷା ଆଧାରରେ ଚଳଚ୍ଚିତ୍ରଗୁଡ଼ିକର ଶ୍ରେଷ୍ଠତ୍ବ ପ୍ରତିପାଦନ କରିବା ଲାଗି ଯଦି ତର୍କବିତର୍କ ପ୍ରାରମ୍ଭ ହୁଏ, ତେବେ ମନେ ରଖିବାକୁ ହେବ ଯେ ଭାଷା ବା ଭାବ ବା ସ୍ବର ବା ସ˚ସ୍କୃତିର ମଳୟକୁ ଗ୍ରହଣ କରିବା ଲାଗି ଉନ୍ମୁକ୍ତ ଝରକାମାନ ବନ୍ଦ ହୋଇଯାଇପାରେ। କାରଣ ଏହି ତର୍କବିତର୍କ ଅଯଥା ରାଜନୀତୀକରଣର ସୂତ୍ରପାତ କରିବ, ଯାହା ହୁଏ’ତ ପରିଶେଷରେ ଦକ୍ଷିଣ ଭାରତରେ ବଲିଉଡ୍ ସିନେମା ବା ଉତ୍ତର ଭାରତରେ ଦକ୍ଷିଣ ଭାରତୀୟ ସିନେମା ବିରୋଧରେ ଜନମତ ସୃଷ୍ଟି କରିବ। ରାଜନୈତିକ ଅପରିଣାମଦର୍ଶିତାରୁ ସୃଷ୍ଟ ଭାଷାଗତ ବୈଷମ୍ୟ ଏହା ଦ୍ବାରା ଆହୁରି ଘନୀଭୂତ ହେବ ଯାହା!