‘ହୁ’ର ହିସାବ

୨୦୨୦ ମସିହା ଜୁନ୍‌ ମାସ ୧୪ ତାରିଖରେ ବଲିଉଡ୍‌ ଅଭିନେତା ସୁଶାନ୍ତ ସି˚ହ ରାଜପୁତଙ୍କ ଆକସ୍ମିକ ମୃତ୍ୟୁ ଏକ ଆତ୍ମହତ୍ୟା ନା ଯୋଜନାବଦ୍ଧ ହତ୍ୟାକାଣ୍ତ? କିମ୍ବା ଏହା ପଛରେ କେଉଁ କାରଣ ନିହିତ ଥାଇପାରେ?; ଏଭଳି କିଛି ବିଷୟ ଉପରେ ଯାବତୀୟ ଅନୁମାନ ଲଗାଇ ଭାରତର ଗଣମାଧୢମ ଏକ ଅତ୍ୟନ୍ତ ବ୍ୟସ୍ତତାଭରା ଆଠ ମାସ କାଳ ବିତାଇ ଦେଇଥିଲେ ସିନା, କୌଣସି ଉପସ˚ହାରରେ ଉପନୀତ ହୋଇ ପାରି ନ ଥିଲେ। କିନ୍ତୁ, ମନେ ହୁଏ ଯେ ସେମାନେ ଯଦି ‘ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନ’ ବା ‘ଡବ୍ଲ୍ୟୁ.ଏଚ୍‌.ଓ.’ (‘ହୁ’)ର ସଦ୍ୟତମ ସୂତ୍ରଟି ଅବଲମ୍ବନ କରନ୍ତେ, ତେବେ ସହଜରେ କାରଣଟିକୁ ପ୍ରତିଷ୍ଠା କରି କହନ୍ତେ ଯେ ତାହା ଥିଲା ‘କୋଭିଡ୍‌-୧୯’ର ପ୍ରଭାବ। ପ୍ରକାଶ ଥାଉ କି ଗଲା ଗୁରୁବାର ‘ହୁ’ ଏହି ସୂତ୍ର ଅବଲମ୍ବନ କରି ଏକ ନୂତନ କୋଭିଡ୍‌ ମୃତ୍ୟୁ ସ˚ଖ୍ୟାର ହିସାବ ସହିତ ଆବିର୍ଭୂତ ହୋଇଛି, ଯହିଁରେ ସମଗ୍ର ପୃଥିବୀରେ ଆଧିିକାରିକ ଭାବେ ସ୍ବୀକୃତ କୋଭିଡ୍‌ ମୃତ୍ୟୁ ସ˚ଖ୍ୟା ଠାରୁ ୧୪.୯ ନିୟୁତ ଅଧିକ ଲୋକ ମରଣ ମୁହଁରେ ପଡ଼ିଛନ୍ତି ବୋଲି କୁହାଯାଇଛି। ଭାରତ ପରିପ୍ରେକ୍ଷୀରେ ତାହା ସରକାରୀ ଭାବେ ପ୍ରଦତ୍ତ କୋଭିଡ୍‌ ମୃତ୍ୟୁ ସ˚ଖ୍ୟା (ପ୍ରାୟ୫ ଲକ୍ଷ)ର ପ୍ରାୟ ଦଶ ଗୁଣ ଅର୍ଥାତ୍‌ ୪.୭ ନିୟୁତ; ଯାହା ସ୍ବାଭାବିକ ଭାବେ ଭାରତ ସରକାରଙ୍କ ଦ୍ବାରା ଏକ ଅତ୍ୟନ୍ତ ଦୃଢ଼ ପ୍ରତିବାଦର ସାମ୍‌ନା କରିବା ସହିତ ଏକ ବିବାଦକୁ ଜନ୍ମ ଦେଇଛି।

ପ୍ରକାଶ ଥାଉ କି ଏହି ହିସାବ ଲାଗି ‘ହୁ’ ଦ୍ବାରା ଏକ ଅତ୍ୟନ୍ତ ସରଳ ମାର୍ଗର ଆଶ୍ରୟ ନିିଆଯାଇଛି, ଯାହା ଅନୁସାରେ ୨୦୨୦ ଜାନୁଆରି ୧ ତାରିଖ ଠାରୁ ୨୦୨୧ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ କାଳ ଖଣ୍ତ ମଧୢର ଘଟିଥିବା ସମସ୍ତ ମୃତ୍ୟୁ ସ˚ଖ୍ୟାର ଏକ ତୁଳନା ‘ପାନ୍‌ଡେମିକ୍‌’ ପୂର୍ବବର୍ତ୍ତୀ ବର୍ଷ ୨୦୧୮ ବା ୨୦୧୯ ମସିହା ସହିତ କରାଯାଇ ସ˚ଖ୍ୟାଗତ ଆଧିକ୍ୟର ଆକଳନ କରାଯାଇଛି ଏବ˚ ତହିଁରୁ ଏହି ଅତିରିକ୍ତ ମୃତ୍ୟୁ ସ˚ଖ୍ୟାକୁ କୋଭିଡ୍‌ ଜନିତ ବୋଲି ଦର୍ଶାଯାଇଛି। ଧରିନିଆଯାଉ ଜଣେ ବ୍ୟକ୍ତି ସେହି ସମୟରେ କ୍ୟାନ୍‌ସରରେ ପ୍ରାଣତ୍ୟାଗ କରିଛନ୍ତି ବା ଆତ୍ମହତ୍ୟା କରିଛନ୍ତି; କିନ୍ତୁ ‘ହୁ’ର ଭାବନା ଅନୁସାରେ ଖୁବ୍‌ ସମ୍ଭବ ଯେ ପାନ୍‌ଡେମିକ୍‌ କାରଣରୁ ଜରୁରୀ ହସ୍‌ପିଟାଲ ସେବା ଲାଭ କରି ନ ପାରି କ୍ୟାନ୍‌ସର ରୋଗୀ ଜଣକ ମୃତ୍ୟୁ ମୁଖରେ ପଡ଼ିଲେ ଅଥବା କରୋନାକାଳୀନ ‘ଲକ୍‌ଡାଉନ୍‌’ ଜନିତ ଦୁର୍ଦଶାରୁ ଜାତ ମାନସିକ ଅବସାଦ ଆତ୍ମହତ୍ୟାଟିର କାରଣ ହେଲା! ସୁତରା˚, ଏ ସମସ୍ତ ମୃତ୍ୟୁ କୋଭିଡ୍‌ ଜନିତ! ତେବେ, ସେ ଯାହା ହେଉ, ଏ ପରିପ୍ରେକ୍ଷୀରେ ଭାରତର ପ୍ରତିବାଦ ‘ହୁ’ ଦ୍ବାରା ଅବଲମ୍ବନ କରାଯାଇଥିବା ପଦ୍ଧତିକୁ ନେଇ, ଯାହା ସନ୍ଦିଗ୍‌ଧ ଉତ୍ସରୁ ଆହରଣ କରାଯାଇଥିବା ‘ଡାଟା’ ଏବ˚ ଏକ ଅବିଶ୍ବାସ୍ୟ ‘ଗାଣିତିକ ମଡେଲ୍‌’ ଉପରେ ପର୍ଯ୍ୟବସିତ, ବୋଲି ଭାରତର ଅଭିଯୋଗ, ଯେଉଁଥି ଲାଗି ଭାରତ ପରିପ୍ରେକ୍ଷୀରେ ଏଭଳି ମୁଣ୍ତ ଘୂରାଇଗଲା ଭଳି କୋଭିଡ୍‌ ମୃତ୍ୟୁ ସ˚ଖ୍ୟା ‘ହୁ’ର ହିସାବରୁ ବାହାରିଛି।

ପ୍ରକାଶ ଥାଉ କି ଏହି ହିସାବ ପ୍ରସ୍ତୁତି ଚାଲିଥିବା ବେଳେ ମଧୢ ଭାରତ ସରକାରଙ୍କ ଦ୍ବାରା ଅନ୍ତତଃ ଛଅଟି ପତ୍ର ଜରିଆରେ ପ୍ରତିବାଦ ପ୍ରକଟ କରାଯାଇଛି। ଭାରତ ସରକାରଙ୍କ ଆପତ୍ତିର ଏକ ମୂଳ କାରଣ ହେଲା, ‘ହୁ’ ଦ୍ବାରା ପ୍ରଦର୍ଶିତ ପାତରଅନ୍ତର; ଯହିଁରେ ବିଶ୍ବର ରାଷ୍ଟ୍ରଗୁଡ଼ିକୁ ଦୁଇଟି ସୋପାନରେ ବିଭକ୍ତ କରାଯାଇ ଭାରତକୁ ଦ୍ବିତୀୟ ସୋପାନରେ ରଖାଯାଇଛି। ପ୍ରଥମ ସୋପାନରେ ଉପସ୍ଥିତ ରାଷ୍ଟ୍ରଗୁଡ଼ିକ ଠାରୁ ସେମାନଙ୍କ ଦ୍ବାରା ପ୍ରଦତ୍ତ ସରକାରୀ ତଥ୍ୟକୁ ଅନାୟାସରେ ଗ୍ରହଣ କରାଯାଇଥିବା ସ୍ଥଳେ ଭାରତ ଭଳି ଦ୍ବିତୀୟ ସୋପାନରେ ଥିବା ରାଷ୍ଟ୍ରଗୁଡ଼ିକ ଲାଗି ଏକ ‘ଗାଣିତିକ ମଡେଲ୍‌’ର ଆଶ୍ରୟ ନିଆଯାଇ ଏକ ଅନୁମାନ ଲଗାଇବାର ଉଦ୍ୟମ କରାଯାଇଛି। ଏହା ସ୍ବାଭାବିକ ଯେ ଭାରତର ବିଶାଳତା ଏବ˚ ଜନ-ସାନ୍ଦ୍ରତା ଦୃଷ୍ଟିରୁ କୋଭିଡ୍‌ର ଘନଘଟା ମଧୢରେ ଏଭଳି ଏକ ଅନୁମାନ-ଭିତ୍ତିକ ଆକଳନ ସ˚ଶୟ ସୃଷ୍ଟି କରିବା ଅନିବାର୍ଯ୍ୟ।

ତେବେ, ଏହି ସ˚ଦର୍ଭରେ ‘ଵର୍ଲଡ୍‌ ମୋର୍ଟାଲିଟି ଡାଟାସେଟ୍‌’ ନାମକ ପ୍ରସିଦ୍ଧ ଅନ୍ତର୍ଜାତୀୟ ସ˚ଗଠନ, ଯାହା ‘ହୁ’ର ଏହି ପ୍ରକଳ୍ପର ଏକ ଗୁରୁତ୍ବପୂର୍ଣ୍ଣ ଅ˚ଶୀଦାର, ପକ୍ଷରୁ ଜଣେ ବିଶେଷଜ୍ଞ ଏରିଏଲ୍‌ କର୍ମ‌୍‌ଲିନ୍‌ସ୍କି ପ୍ରଦାନ କରିଥିବା ବକ୍ତବ୍ୟ ଭାରତର ଆରୋପକୁ ଖଣ୍ଡନ କରି ସ୍ପଷ୍ଟ କରିଥାଏ ଯେ ୨୦୨୦ ମସିହା, ନଭେମ୍ବର ମାସରେ ଭାରତ ସରକାରଙ୍କୁ ୨୦୨୦ ମସିହାରେ ଭାରତରେ ହୋଇଥିବା ସମସ୍ତ ମୃତ୍ୟୁ ନେଇ ‘ଡାଟା’ ମଗାଯାଇଥିଲା, ଯାହ ଦେବାକୁ ଭାରତ ସରକାର ପ୍ରତ୍ୟାଖ୍ୟାନ କରିଥିଲେ। ଅପର ପକ୍ଷରେ ରୁଷିଆ ଭଳି ଏକ ଏକଛତ୍ରବାଦୀ ରାଷ୍ଟ୍ର ପକ୍ଷରୁ ତାହା ମିଳିଥିଲା, ଏପରିକି ଚୀନ୍‌ ଭଳି ଏକ ନିବୁଜ ରାଷ୍ଟ୍ର ମଧୢ ଏକ ମୋଟାମୋଟି ଡାଟା ପ୍ରଦାନ କରିଥିଲେ। ତେଣୁ ଭାରତର ‘ସିଭିଲ୍‌ ରେଜିଷ୍ଟ୍ରେସନ୍‌ ସିଷ୍ଟମ୍‌’ ବା ‘ସି.ଆର‌୍‌.ଏସ୍‌’ ଭଳି ଏକ ସୂଚନା ଉତ୍ସର ଅନୁପସ୍ଥିତିରେ କେତେକ ବିଶ୍ବସନୀୟ ପ˚ଜୀକରଣ ଅନୁଷ୍ଠାନ, ସ୍ବାଧୀନ ଅନୁଶୀଳନ ସ˚ସ୍ଥା ଏବ˚ ଅନ୍ୟାନ୍ୟ ସୂତ୍ରରୁ ଡାଟା ସ˚ଗ୍ରହ କରାଯାଇ ଏହି ଆକଳନ କରାଯାଇଛି, ଯହିଁରେ ଅନୁସୃତ ପଦ୍ଧତି, ତାଙ୍କ ମତରେ, ସମସ୍ତ ସନ୍ଦେହର ଊର୍ଦ୍ଧ୍ବରେ। ତେବେ, ଏହା ମଧ୍ୟ ସାବ୍ୟସ୍ତ ହୋଇଥାଏ ନିକଟରେ ଭାରତ ସରକାରଙ୍କ ଦ୍ବାରା ପ୍ରକାଶିତ ୨୦୨୦ ମସିହାର ‘ସି.ଆର‌୍‌.ଏସ୍‌’ ତଥ୍ୟରୁ, ଯାହା କହିଛି ଯେ ୨୦୧୯ ତୁଳନାରେ ୨୦୨୦ ମସିହାରେ ୬ ପ୍ରତିଶତ ଅଧିିକ ମୃତ୍ୟୁ ଘଟିଛି, ଯାହା ସ˚ଖ୍ୟା ଅନୁସାରେ ପ୍ରାୟ ୫ ଲକ୍ଷ। ‘ହୁ’ ଦ୍ବାରା ୨୦୨୦ ମସିହା ଲାଗି ପ୍ରଦତ୍ତ ଅତିରିକ୍ତ ମୃତ୍ୟୁ ସ˚ଖ୍ୟା ପ୍ରାୟ ୮ ଲକ୍ଷ ସହିତ ତାହା କିଛିଟା ତୁଳନୀୟ ମଧ୍ୟ। ଜାତିସଂଘର ଏକ ଆଳକନ ଅନୁସାରେ ଭାରତରେ ସାଧାରଣ ଅବସ୍ଥାରେ ବିଭିନ୍ନ କାରଣରୁ ପ୍ରତି ୧୦ଟି ମୃତ୍ୟୁରୁ ୩ଟି ମୃତ୍ୟୁର ପ˚ଜୀକରଣ ହୋଇ ନ ଥିାଏ ଏବ˚ କୋଭିଡ୍‌ ସମୟରେ ଦେଶର ସ୍ଥିତି ଏକପ୍ରକାର ଅଣାୟତ୍ତ ହୋଇ ପଡ଼ିଥିବା ବେଳେ ୨୦୨୦ ସି.ଆର୍‌.ଏସ୍‌ ପ˚ଜୀକରଣରେ ମଧୢ କମ୍‌ ସ˚ଖ୍ୟା ଦର୍ଶାଯାଇଥିବା ପ୍ରାୟ ନିଶ୍ଚିତ। ଏହି ପରିପ୍ରେକ୍ଷୀରେ ଭାରତର ପ୍ରତିବାଦ ଦୁର୍ବଳ ଭଳି ମନେ ହେବା ସ୍ବାଭାବିକ।

କହିବା ବାହୁଲ୍ୟ ଯେ ‘ହୁ’ର ରିପୋର୍ଟରେ ପ୍ରଦର୍ଶିତ ସ˚ଖ୍ୟା ଦ୍ବାରା କୋଭିଡ୍‌ ମୁକାବିଲାରେ ସଫଳତା ନେଇ କେନ୍ଦ୍ର ସରକାରଙ୍କ ଦ୍ବାରା ସୃଷ୍ଟ ବ୍ୟାଖ୍ୟାନ ନିଷ୍ପ୍ରଭ ଦିଶୁଛି ଏବ˚ ସରକାରଙ୍କ ଭାବମୂର୍ତ୍ତି କ୍ଷୁଣ୍ଣ ହୋଇଛି। ଏହା ହିଁ ହେଉଛି ପ୍ରତିବାଦର ମୂଳ କାରଣ। କିନ୍ତୁ ସତ୍ୟକୁ ଲୁକ୍କାୟିତ କରି ରଖିବାର ଉଦ୍ୟମ ମଧୢ ଯେ ଅପରିପକ୍ବତା, ତାହା କହିବା ଅନାବଶ୍ୟକ। ଏହି ପରିପ୍ରେକ୍ଷୀରେ ସରକାରଙ୍କ ଦ୍ବାରା ପ୍ରଦତ୍ତ ‘ଡାଟା’ରେ ତାଳମେଳ ନ ରହିବା ମଧୢ ସରକାରଙ୍କ ଲାଗି ଅସ୍ବସ୍ତିର କାରଣ ହୋଇଥାଏ। ଏହିଭଳି ଅନେକ ଉଦାହରଣ ମଧୢରୁ ଗୋଟିଏ ହେଲା ସର୍ବସାଧାରଣଙ୍କ ଲାଗି ଉପଲବ୍‌ଧ ଏକ ପୋର୍ଟାଲ୍‌ରେ ସନ୍ନିବେଶିତ ଆନ୍ଧ୍ର ପ୍ରଦେଶ ସରକାରଙ୍କ ସି.ଆର‌୍‌.ଏସ୍‌ ଡାଟା, ଯହିଁରେ କୋଭିଡ୍‌ ମୃତ୍ୟୁ ସ˚ଖ୍ୟାକୁ ୨.୫୩ ଲକ୍ଷ ବୋଲି ଦର୍ଶାଯାଇଛି; ଅଥଚ ସରକାରଙ୍କ ଦ୍ବାରା ପ୍ରଦତ୍ତ ‘ଡାଟା’ ଅନୁସାରେ ତାହା ମାତ୍ର ୧୫ ହଜାର। ଏଭଳି ସ୍ଥଳେ ୨୦୨୧ ମସିହାର ମଧୢ-ଭାଗରେ କୋଭିଡ୍‌ର ଦ୍ବିତୀୟ ତରଙ୍ଗ ଯେଉଁ କରୁଣ ହାହାକାର, ଅମ୍ଳଜାନର ତୀବ୍ର ଅଭାବ ଏବ˚ ଡାକ୍ତରଖାନାରେ ଉତ୍କଟ ସ୍ଥାନାଭାବ ସୃଷ୍ଟି କରିଥିଲା, ତାହା ସ୍ମରଣକୁ ଆଗଲେ ମନେ ହୁଏ ଯେ ସରକାର ଭାବମୂର୍ତ୍ତିର ଆଟୋପରୁ ମୁକ୍ତ ହୋଇ ସତ୍ୟର ସମ୍ମୁଖୀନ ହେବା ହିଁ ହେଉଛି ଶ୍ରେୟସ୍କର।

ଅବଶ୍ୟ, ‘ହୁ’ ଦ୍ବାରା ପ୍ରଦତ୍ତ ମୃତ୍ୟୁ ସ˚ଖ୍ୟାକୁ କୋଭିଡ୍‌-ମୃତ୍ୟୁ ବୋଲି ଗ୍ରହଣ କରିବାରେ କୁଣ୍ଠା ରହିପାରେ। ସେହି ଦୃଷ୍ଟିରୁ ଏହି ସ˚ଖ୍ୟାକୁ କୋଭିଡ୍‌ କାଳରେ ଘଟିଥିବା ଅତିରିକ୍ତ ମୃତ୍ୟୁ ବୋଲି ବର୍ଣ୍ଣନା କରାଯିବା ବୋଧହୁଏ ଉଚିତ ହୁଅନ୍ତା। କିନ୍ତୁ ଏହା ମଧୢ ସତ ଯେ ପ୍ରକୃତ ‘ଡାଟା’କୁ ନଜରଅନ୍ଦାଜ କରାଯିବାର ଉଦ୍ୟମ ହେଉଛି ଅବିମୃଶ୍ୟକାରିତାର ପରିଚାୟକ। ‘ଡାଟା’ ହେଉଛି ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ୧୯୩୦ ମସିହା ବେଳକୁ ୟୁ.କେ. ଏବ˚ ଯୁକ୍ତରାଷ୍ଟ୍ର ଆମେରିକାରେ ଫୁଓଫୁସ କ୍ୟାନ୍‌ସରର ମାତ୍ରାଧିକ ବୃଦ୍ଧିର ‘ଡାଟା’ ହିଁ ଧୂମପାନ ସହିତ କର୍କଟର ସ˚ପର୍କକୁ ସାବ୍ୟସ୍ତ କରିଥିଲା। ସେହିଭଳି ଅଷ୍ଟମ ଦଶକରେ ସାନ୍‌ ଫ୍ରାନ୍‌ସିସ୍‌କୋରେ ସମଲିଙ୍ଗୀ ଯୁବକମାନଙ୍କ ମୃତ୍ୟୁ ସ˚ଖ୍ୟାରେ ମାତ୍ରାଧିକ ବୃଦ୍ଧିର ‘ଡାଟା’ ଏଚ୍‌.ଆଇ.ଭି ଏଡ୍‌ସକୁ ଲୋକଲୋଚନକୁ ଆଣିଥିଲା। ସୁତରା˚, କୋଭିଡ୍‌ ମୃତ୍ୟୁକୁ ନେଇ ପ୍ରକୃତ ‘ଡାଟା’କୁ ସ୍ବୀକାର କରାଗଲେ ତାହା ଭାରତର ଜନ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ବିକାଶ ଘଟାଇବାରେ ସହାୟକ ହେବ। ତାକୁ ନଜରଅନ୍ଦାଜ କରିବାର ଅର୍ଥ ହେଉଛି ଚକ୍ଷୁ ଖୋଲିବା ଲାଗି ବିନାଶକାରୀ କୋଭିଡ୍‌ ପ୍ରଦାନ କରିଥିବା ଏକ ଦୁର୍ଲଭ ସୁଯୋଗକୁ ହାତଛଡ଼ା କରିଦେବା।

ସମ୍ବନ୍ଧିତ ଖବର