ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ୍ ‘ଫେଡେରାଲ୍ ରିଜର୍ଭ’ ସମସ୍ତ ପ୍ରତୀକ୍ଷାର ଅନ୍ତ ଘଟାଇ ଗତ ବୁଧବାର ଦିନ ସେଠାକାର ଦିଗ୍ଦର୍ଶକ ସୁଧ ହାରରେ ୫୦ ବେସିସ୍ ପଏଣ୍ଟ୍ (୦.୫%) ବୃଦ୍ଧି ଘଟାଇଛି, ଯାହା ହେଉଛି ବିଗତ ଦୁଇ ଦଶନ୍ଧି ମଧ୍ୟରେ ଘଟାଯାଇଥିବା ତୀକ୍ଷ୍ଣତମ ବୃଦ୍ଧି। ଏଥି ସହିତ ତାଳ ଦେବା ଭଳି ‘ଫେଡେରାଲ୍ ରିଜର୍ଭ’ ମଧ୍ୟ ଘୋଷଣା କରିଛି ଯେ ଆମେରିକାର ଅର୍ଥନୀତିରୁ ଅତିରିକ୍ତ କ୍ରୟ ଶକ୍ତି ଅର୍ଥାତ୍ ଅର୍ଥ ସ୍ରୋତ ନିଷ୍କାସନ କରିବା ଉଦ୍ଦେଶ୍ୟରେ ଏହି କେନ୍ଦ୍ରୀୟ ବ୍ୟାଙ୍କ୍ ଏଥର ଦୀର୍ଘକାଳ ଧରି ଅନୁସରଣ କରି ଆସୁଥିବା ବଣ୍ଡ୍ କ୍ରୟ କାର୍ଯ୍ୟକ୍ରମରେ ଅନ୍ତ ଘଟାଇ ଏଥର ବଣ୍ଡ୍ ବିକ୍ରୟ କରିବାକୁ ଆରମ୍ଭ କରିବ (ଅର୍ଥାତ୍ ବଣ୍ଡ୍ କ୍ରେତାମାନଙ୍କ ପାଖରେ ଥିବା ଡଲାର୍ ଆଉ ବଜାର ମୁହାଁ ନ ହୋଇ ‘ଫେଡେରାଲ୍ ରିଜର୍ଭ’ର ବନ୍ଦ ସିନ୍ଦୁକ ଭିତରକୁ ଫେରିଆସିବ)। ସୁଧ ହାରରେ ଘଟିଥିବା ବର୍ତ୍ତମାନର ଏହି ବୃଦ୍ଧି ଏହିପରି ଆହୁରି ଆସନ୍ନ ବୃଦ୍ଧିମାନଙ୍କର ଯେ ପୂର୍ବାଭାସ, ଏଥିରେ କୌଣସି ସନ୍ଦେହ ନାହିଁ। ‘ଫେଡେରାଲ୍ ରିଜର୍ଭ’ର ଏହି ପଦକ୍ଷେପ ପଛରେ ଯେଉଁ କାରଣ ନିହିତ ଅଛି, ତାହା ହେଉଛି ଆମେରିକାରେ ଅମାନିଆ ହୋଇ ପଡ଼ିଥିବା ଦରଦାମ ବୃଦ୍ଧି ବା ମୁଦ୍ରାସ୍ଫୀତି ଯାହା ଏକ ଆକଳନ ଅନୁସାରେ ୮.୫% ଛୁଇଁ ୧୯୮୦ ଦଶକ ପର ଠାରୁ ‘ସର୍ବାଧିକ ଗୁରୁତର’ ମୁଦ୍ରାସ୍ଫୀତି ସମସ୍ୟା ରୂପେ ଉଭା ହୋଇଛି।
ଆମେରିକାରେ ମୁଦ୍ରାସ୍ଫୀତି ନିୟନ୍ତ୍ରଣ ଏହି ସୁଧ ହାର ବୃଦ୍ଧିର କାରଣ ହୋଇଥିଲେ ହେଁ, ଏହାର ଯେଉଁ ପାର୍ଶ୍ବ ପ୍ରଭାବ ଭାରତ ସମେତ ପୃଥିବୀର ଅନ୍ୟ ବିକାଶଶୀଳ ଦେଶମାନଙ୍କରେ ଅନୁଭୂତ ହେବାର ଦୃଢ଼ ଆଶଙ୍କା ରହିଛି, ତାହା ହେଲା ବିଦେଶୀ ପୁଞ୍ଜି ନିବେଶକମାନେ ଆମେରିକା ବଜାରରେ ଅଧିକ ସୁଧ ଅର୍ଜନ କରିବା ଲୋଭରେ ଏ ସମସ୍ତ ଦେଶମାନଙ୍କରୁ ପୁଞ୍ଜି ପ୍ରତ୍ୟାହାର କରି ସେଠାକୁ ଧାଇଁ ପଳାଇବେ। ଏହି ପରିପ୍ରେକ୍ଷୀରେ ବିଚାର କଲେ ସେଇ ବୁଧବାର ଦିନ ମଧ୍ୟ ଭାରତୀୟ ରିଜର୍ଭ ବ୍ୟାଙ୍କ୍ର ମୁଦ୍ରାନୀତି ନିର୍ଦ୍ଧାରକ କମିଟି (‘ଏମ୍ପିସି’) ହଠାତ୍ ଏକ ଅଘୋଷିତ ବୈଠକରେ ମିଳିତ ହୋଇ (ନିୟମିତ ଶୃଙ୍ଖଳା ଅନୁସାରେ ଜୁନ୍ରେ ଏହି ବୈଠକ ଅନୁଷ୍ଠିତ ହେବା କଥା) ଏଠାରେ ମଧ୍ୟ ସୁଧ ହାର (‘ରେପୋ’ ରେଟ୍)ରେ ୪୦ ବେସିସ୍ ପଏଣ୍ଟ୍ (୦.୪%) ବୃଦ୍ଧି ଘଟାଇବା ଯେ ସମ୍ପୂର୍ଣ୍ଣ ସମୟୋଚିତ ପଦକ୍ଷେପ, ଏଥିରେ ସନ୍ଦେହ ନାହିଁ।
ଉଲ୍ଲେଖନୀୟ ଭାବରେ ଏଠାରେ ଭାରତୀୟ ରିଜର୍ଭ ବ୍ୟାଙ୍କ୍ର ଏହି ମୁଦ୍ରାନୀତି ନିର୍ଦ୍ଧାରକମାନେ ଯେଉଁ ବିଜ୍ଞତା ଓ ଭବିଷ୍ୟ-ଦର୍ଶନ କ୍ଷମତା ପ୍ରଦର୍ଶନ କରିଛନ୍ତି, ତାହା ହେଲା ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ୍ର ଆସନ୍ନ ପଦକ୍ଷେପର ଠିକ୍ ପୂର୍ବାନୁମାନ କଲା ଭଳି, ‘ଫେଡେରାଲ୍ ରିଜର୍ଭ’ ତା’ର ଉପରୋକ୍ତ ନିଷ୍ପତ୍ତି ଘୋଷଣା କରିବାର କେତେ ଘଣ୍ଟା ପୂର୍ବରୁ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ‘ରେପୋ ରେଟ୍’ରେ ଉପରୋକ୍ତ ବୃଦ୍ଧି ଘୋଷଣା କରି ଦେଇଥିଲା। ‘ରେପୋ ରେଟ୍’ ବ୍ୟତୀତ ବ୍ୟାଙ୍କ୍ମାନଙ୍କର ଋଣ ପ୍ରଦାନ କ୍ଷମତାରେ ସଂକୋଚନ ଘଟାଇବା ପାଇଁ ସେମାନଙ୍କ ପ୍ରତି ଲାଗୁ ହେଉଥିବା ‘ନଗଦ ମହଜୁଦ ଅନୁପାତ’ ବା ‘ସିଆର୍ଆର୍’ରେ ମଧ୍ୟ ରିଜର୍ଭ ବ୍ୟାଙ୍କ୍ ୫୦ ବେସିସ୍ ପଏଣ୍ଟ୍ ବୃଦ୍ଧି ଘୋଷଣା କରି ଏହାକୁ ବଳବତ୍ତର ଥିବା ୪.୦% ରୁ ୪.୫%କୁ ବୃଦ୍ଧି କରି ଦେଇଛି। ଏଠାରେ ମନେପକାଇ ଦିଆଯାଇପାରେ ଯେ ଭାରତୀୟ ଅର୍ଥନୀତି କୋଭିଡ୍ କବଳରେ ପଡ଼ିଥିବା ସମୟରେ ଏକ ଉଦ୍ଧାର ପଦକ୍ଷେପ ସଦୃଶ ୨୦୨୦ ମାର୍ଚ୍ଚରେ ରିଜର୍ଭ ବ୍ୟାଙ୍କ୍ ଏହିପରି ଏକ ଅଘୋଷିତ ‘ଏମ୍ପିସି’ ବୈଠକ ମାଧ୍ୟମରେ ‘ସିଆର୍ଆର୍’କୁ ଏକ ଅପେକ୍ଷାକୃତ ନୀଚା ୩.୦% ସ୍ତରକୁ ଖସାଇ ଦେଇଥିଲା। ପରବର୍ତ୍ତୀ ସମୟରେ ୨୦୨୧ରେ ଦୁଇ ଛେକରେ ଏଥିରେ ବୃଦ୍ଧି ଘଟାଇ ୪.୦% ସ୍ତରକୁ ଅଣାଯାଇଥିଲା। ରିଜର୍ଭ ବ୍ୟାଙ୍କ୍ ବର୍ତ୍ତମାନ ନେଇଥିବା ଏହି ଦୁଇ ପଦକ୍ଷେପ ପ୍ରଭାବରେ ବଜାରରେ ଋଣ ପରିମାଣରେ ସଂକୋଚନ ଓ ସୁଧ ହାରରେ ପ୍ରସାରଣ ଘଟିବା ନିଶ୍ଚିତ।
ବର୍ତ୍ତମାନର ଅଦିନିଆ ବୈଠକ ପୂର୍ବରୁ ‘ଏମ୍ପିସି’ର ବିଧିବଦ୍ଧ ବୈଠକ ବସିଥିଲା ଏପ୍ରିଲ୍ ୮ ତାରିଖରେ। ପରବର୍ତ୍ତୀ ସମୟରେ ପ୍ରକାଶ ପାଇଥିବା ସେହି ବୈଠକରେ ହୋଇଥିବା ଆଲୋଚନାର ବିଶଦ ବିବରଣୀ ଉପରେ ଦୃଷ୍ଟିପାତ କଲେ ସେଥିରେ ପ୍ରଦତ୍ତ ଯେଉଁ ଏକ ମନ୍ତବ୍ୟ ତାତ୍ପର୍ଯ୍ୟ ବହନ କରିଥାଏ, ତାହା ହେଲା ଭାରତରେ ମୁଣ୍ଡ ଟେକିଥିବା ମୁଦ୍ରାସ୍ଫୀତି ବିପଦ ସମ୍ବନ୍ଧରେ ତାହା ବହନ କରିଥିବା ଚିନ୍ତା। ବାସ୍ତବରେ ଯଦିବା ଆମେରିକାରେ ସୁଧ ହାର ବୃଦ୍ଧିର ପ୍ରଭାବକୁ ପ୍ରତିହତ କରିବାରେ ଭାରତୀୟ ସୁଧ ହାରରେ ଏହି ବୃଦ୍ଧି କେତେ ମାତ୍ରାରେ ସହାୟକ ହେବ, ତେବେ ଏହା ମଧ୍ୟ ସତ ଯେ ଯେଉଁ ମୁଦ୍ରାସ୍ଫୀତିର ଚାପ ‘ଫେଡେରାଲ୍ ରିଜର୍ଭ’କୁ ସୁଧ ହାରରେ ବୃଦ୍ଧି ଘଟାଇବାକୁ ବାଧ୍ୟ କରିଛି, ସେଇ ମୁଦ୍ରାସ୍ଫୀତି ମଧ୍ୟ ଭାରତୀୟ ରିଜର୍ଭ ବ୍ୟାଙ୍କ୍କୁ ଏଭଳି ଅଦିନିଆ ସୁଧ ବୃଦ୍ଧି ଘଟାଇବାକୁ ବାଧ୍ୟ କରିଛି।
ସେଇ ବିବରଣୀରେ କୁହାଯାଇଥିଲା ଯେ, ‘‘ଯୋଗାଣ ଶୃଙ୍ଖଳ ବ୍ୟାହତ ହେବା ଯୋଗୁଁ ହେଉ କିମ୍ବା ଅବଦମିତ ଚାହିଦା ଯୋଗୁଁ ହୋଇଥାଉ, ମୁଦ୍ରାସ୍ଫୀତି ବିରୋଧରେ ଲଢ଼େଇକୁ ଯେତେ ବିଳମ୍ବିତ କରାଯିବ, ତାହାକୁ ଆୟତ୍ତ କରିବା ସେତେ ଅଧିକ କଷ୍ଟକର ହେବ।’’ଏପ୍ରିଲ୍ର ସେଇ ବୈଠକ ପରେ ନିଜ ନିଜ ଘରକୁ ବାହୁଡ଼ି ଯାଇଥିବା ‘ଏମ୍ପିସି’ର ସଦସ୍ୟମାନଙ୍କୁ ତେଣୁ ଯାହା ଅତ୍ୟନ୍ତ ଚିନ୍ତାଗ୍ରସ୍ତ କରିଥିବ, ତାହା ହେଲା ପରେ ପରେ ପ୍ରକାଶ ପାଇଥିବା ମାର୍ଚ୍ଚର ଖାଉଟି ମୁଦ୍ରାସ୍ଫୀତି ହାର ବା ‘ସିପିଆଇ’। ଏହା ପ୍ରକାଶ ପାଇବା ପୂର୍ବରୁ ଏ ସମ୍ବନ୍ଧରେ ବିଶେଷଜ୍ଞମାନେ ଯେଉଁ ଆକଳନ କରିଥିଲେ, ତାହାର ହାରହାରି ମୂଲ୍ୟ ଥିଲା ୬.୩୫%। କିନ୍ତୁ ଯେତେବେଳେ ପ୍ରକୃତ ହାର ପ୍ରକାଶ ପାଇଲା, ଦେଖାଗଲା ତାହା ଏହାକୁ ମଧ୍ୟ ଅତିକ୍ରମ କରି ହୋଇଛି ୬.୯୫%! ଅବଶ୍ୟ ଖାଦ୍ୟଦ୍ରବ୍ୟର ମୂଲ୍ୟରେ ଅଶାତୀତ ବୃଦ୍ଧି ଘଟିଥିବା ଯୋଗୁଁ ‘ସିପିଆଇ’ରେ ଏଭଳି ବୃଦ୍ଧି ଘଟିଛି, କିନ୍ତୁ ବିପଜ୍ଜନକ କଥା ହେଲା ଏହା ଯେ ପରବର୍ତ୍ତୀ ସମୟରେ ଏହାର ପ୍ରଭାବରେ ଖାଉଟି ମୁଦ୍ରାସ୍ଫୀତି ହାର ଆହୁରି ଉପରମୁହାଁ ହେବାରେ ଲାଗିବ। ଆନ୍ତର୍ଜାତିକ ଅଶୋଧିତ ତୈଳ ଦର ଉଚ୍ଚା ରହି ଏହାକୁ ଆହୁରି ଦୃଢ଼ୀଭୂତ କରିବାର ସମସ୍ତ ସମ୍ଭାବନା ରହିଛି।
‘ଏମ୍ପିସି’ ପାଇଁ ଏହା ଯେଉଁ ନୀତିଗତ ସଂକଟ ସୃଷ୍ଟି କରିବ, ତାହା ହେଲା କ୍ରମାଗତ ତିନି ଚଉଠ ଧରି ‘ସିପିଆଇ’ ୬.୦% ଉପରେ ରହିପାରେ। ୨୦୨୨ ବିତ୍ତ ବର୍ଷର ଶେଷ ଚଉଠରେ ହାରାହାରି ମୁଦ୍ରାସ୍ଫୀତି ହାର ଥିଲା ୬.୩୪%। ଯଦି ୨୦୨୩ ବିତ୍ତବର୍ଷର ପ୍ରଥମ ଦୁଇ ଚଉଠରେ ମଧ୍ୟ ଏହା ୬.୦% ଊର୍ଦ୍ଧ୍ବରେ ରହେ, ତା’ହେଲେ ନିର୍ଦ୍ଧାରିତ ନୀତି ଅନୁସାରେ ‘ଏମ୍ପିସି’କୁ ଭାରତୀୟ ପାର୍ଲିଆମେଣ୍ଟ୍ ନିକଟରେ ଉତ୍ତରଦାୟୀ ହେବାକୁ ପଡ଼ିବ। କେଉଁ କାରଣରୁ ଦେଶରେ ମୁଦ୍ରାସ୍ଫୀତି ଏପରି ଅଣାୟତ୍ତ ହୋଇ ପଡ଼ିଲା, ତାହା ବିଶଦ ଭାବରେ ବୁଝାଇ ରିଜର୍ଭ ବ୍ୟାଙ୍କ୍ର ମୁଦ୍ରାନୀତି ନିର୍ଦ୍ଧାରଣ କମିଟି ପାର୍ଲିଅାମେଣ୍ଟ୍କୁ ଲେଖିବାକୁ ହେବ। ବର୍ତ୍ତମାନ ‘ଏମ୍ପିସି’ ଅନ୍ତତଃ ସ୍ପଷ୍ଟୀକରଣ ଦେଇପାରିବ ଯେ ତା’ର ଅବହେଳା ଯୋଗୁଁ ଏହା ଘଟି ନାହିଁ।