କୁଟୁମ୍ବ ଚିନ୍ତା

‘‘ଯେତେବେଳେ ବି ମାନବ ଜାତି ଏକ ସଙ୍କଟର ସମ୍ମୁଖୀନ ହୋଇଥାଏ, ଭାରତ ତା’ର ସମାଧାନ ବାହାର କରିଥାଏ।’’ ଏହା ଥିଲା ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଜର୍ମାନୀ ଗସ୍ତ ସମୟରେ ସେଠାରେ ଏକତ୍ରିତ ହୋଇଥିବା ପ୍ରବାସୀ ଭାରତୀୟମାନଙ୍କୁ ଉଦ୍‌ବୋଧନ ଦେବା ଅବସରରେ ସେ ସେମାନଙ୍କୁ ଗର୍ବିତ କରିବା ପାଇଁ ପ୍ରଦାନ କରିଥିବା ଉତ୍ସାହବାଣୀ। ବିଶ୍ବବାସୀଙ୍କ ସହିତ ଭାରତୀୟମାନଙ୍କର ଏଭଳି ଏକାତ୍ମ ଭାବର ସେ ଯେଉଁ ତାଜା ପ୍ରମାଣ ସେଠାରେ ଉପସ୍ଥାପିତ କରିଥିଲେ, ତାହା ହେଲା, ‘‘ଯେଉଁ ସମୟରେ ପୃଥିବୀ ଏକ ଗହମ ଅଭାବର ସମ୍ମୁଖୀନ ହୋଇଛି, ଭାରତର କୃଷକମାନେ ସେତେବେଳେ ପୃଥିବୀକୁ ଭୋଜନ ଯୋଗାଇବାକୁ ଆଗେଇ ଆସିଛନ୍ତି।’’ ୟୁକ୍ରେନ୍ ଯୁଦ୍ଧ ଯୋଗୁଁ ପୃଥିବୀର ଏକ ମୁଖ୍ୟ ଗହମ ଉତ୍ପାଦନକାରୀ ଅଞ୍ଚଳରୁ ଯୋଗାଣ ବନ୍ଦ ହୋଇଯିବା ଫଳରେ ଆଫ୍ରିକା ଓ ଏସିଆର ଅନେକ ଦେଶରେ ଦେଖା ଦେଇଥିବା ଖାଦ୍ୟ ସମସ୍ୟ‌ାର ସମାଧାନକୁ ସତେ ଯେମିତି ଭାରତୀୟ କୃଷକମାନେ ନିଜର ଦାୟିତ୍ବ ରୂପେ ଗ୍ରହଣ କରିଛନ୍ତି, ମୋଦୀଙ୍କ ଦାବି ସେଇଭଳି ଏକ ଅତି ଉଚ୍ଚ ନୈତିକ ମାନବୀୟ ମୂଲ୍ୟବୋଧ ବହନ କରିଥାଏ। ସତେ ଯେମିତି ଆଧୁନିକ ଭାରତ ପ୍ରାଚୀନ ଭାରତର ସେଇ ପରମ୍ପରାକୁ ଏବେ ବି ଆଦର୍ଶ ରୂପେ ଗ୍ରହଣ କରୁଛି: ‘‘ବସୁଧୈବ କୁଟୁମ୍ବକମ୍’ (ସାରା ପୃଥିବୀର ବାସିନ୍ଦାମାନେ ହେଉଛନ୍ତି ଗୋଟିଏ କୁଟୁମ୍ବ)।

କିମ୍ବା, ଯେହେତୁ ବିଦେଶ ଭୂଇଁରେ ମୋଦୀ ଭାରତର ଏହି ଚରିତ୍ର ବର୍ଣ୍ଣନା କରିଥିଲେ, ସେଠାରେ ଭାରତୀୟ ସଂସ୍କୃତି ସମ୍ବନ୍ଧରେ ଅବଗତ ନ ଥିବା ୟୁରୋପୀୟମାନେ ବିଶ୍ବାସ କରିଥାଇ ପାରିଥା’ନ୍ତି ଯେ ଭାରତୀୟମାନେ ହେଉଛନ୍ତି ଏକ ସାମ୍ପ୍ରତିକ ଦାର୍ଶନିକ ଚିନ୍ତାଧାରାରେ ବିଶ୍ବାସୀ, ଯାହାର ନାମ ହେଉଛି- ‘ବିଶ୍ବେକଭାବ’ (‘କସ୍‌ମୋପୋଲିଟାନିଜ୍‌ମ’)। ଏହି ଚିନ୍ତାଧାରାର ମୁଖ୍ୟ ପ୍ରବର୍ତ୍ତକ ହେଉଛନ୍ତି ବର୍ତ୍ତମାନ ସମୟର ପ୍ରସିଦ୍ଧ ବ୍ରିଟେନ୍‌ରେ ଜନ୍ମିତ ଘାନା ମୂଳର ଦାର୍ଶନିକ କ୍ବାମେ ଆନ୍ଥୋନୀ ଆପ୍‌ପାୟା। ଏହା ଏକ ସୁପରିଚିତ ଧାରଣା ଭଳି ମନେ ହେଉଥିଲେ ମଧ୍ୟ ଆପ୍‌ପାୟାଙ୍କ ବିଶ୍ବେକଭାଗ ଏକ ବିଶେଷ ହେତୁବାଦୀ ଓ ମାନବବାଦୀ ତାତ୍ପର୍ଯ୍ୟ ବହନ କରିଥାଏ।

ଏହା ମୁଖ୍ୟତଃ ଦୁଇଟି ଭାବନା ଉପରେ ପ୍ରତିଷ୍ଠିତ। ପ୍ରଥମ, ପୃଥିବୀରେ ପ୍ରତ୍ୟେକ ବ୍ୟକ୍ତିର ପ୍ରତ୍ୟେକ ଅନ୍ୟ ବ୍ୟକ୍ତି ପ୍ରତି ନୈତିକ ଦାୟିତ୍ବ ରହିଛି। କୌଣସି ମନୁଷ୍ୟ ନୈତିକତା ଦୃଷ୍ଟିରୁ ଅପ୍ରାସଙ୍ଗିକ ନୁହେଁ; ଯାହାର ଅର୍ଥ ଯିଏ ଯେତେ ଦୂରରେ ଥାଉନା କାହିଁକି, ଯିଏ ଯେତେ କ୍ଷୁଦ୍ର ହୋଇଥାଉ ନା କାହିଁକି, ଆମେ‌ ପ୍ରତ୍ୟେକର ପ୍ରତ୍ୟେକଙ୍କ ପ୍ରତି କିଛି ନା କିଛି କର୍ତ୍ତବ୍ୟ ରହିଛି। ଦ୍ବିତୀୟ, ବିବିଧତାର ଆବଶ୍ୟକତା ରହିଛି। ବିବିଧତା ହେଉଛି ମନୁଷ୍ୟ ପାଇଁ ଗୁରୁତ୍ବପୂର୍ଣ୍ଣ। ସଂକ୍ଷେପରେ ଏହାର ସାରମର୍ମ ହେଲା ଏହା ଯେ, ଆମେ ଆମର ସ୍ବାତନ୍ତ୍ରୢ ପାଇଁ ଗର୍ବିତ, ଆମର ଏହି ସ୍ବାତନ୍ତ୍ରୢ କିନ୍ତୁ ଅନ୍ୟ ସମସ୍ତ ମନୁଷ୍ୟମାନଙ୍କ ପ୍ରତି ଆମର କର୍ତ୍ତବ୍ୟ ପଥରେ ବାଧା ସୃଷ୍ଟି କରିବା ଗ୍ରହଣୀୟ ନୁହେଁ। ଆପ୍‌ପାୟାଙ୍କର ଏହି ଚିନ୍ତାଧାରାର ମୂଳ ଉତ୍ସ ହେଉଛି ପ୍ରସିଦ୍ଧ ଜର୍ମାନ୍ ଦାର୍ଶନିକ ଇମାନୁଏଲ୍ କାଣ୍ଟ୍‌ଙ୍କର ସେଇ ସୁବିଦିତ ଚିନ୍ତାଧାରା, ଯାହା ଅନୁସାରେ ସିଏ ପୃଥିବୀରେ ଯେଉଁଠି ଥାଉନା କାହିଁକି, କେବଳ ଜଣେ ମନୁଷ୍ୟ ହୋଇଥିବା କାରଣରୁ ପ୍ରତ୍ୟେକ ମନୁଷ୍ୟ ଠାରେ ଏକ ଅନ୍ତର୍ନିହିତ ସମ୍ମାନ ଏବଂ ମୂଲ୍ୟ ନିହିତ ଥାଏ।

ଆମର ଏଠାରେ ଚର୍ଚ୍ଚିତ ପ୍ରସଙ୍ଗରେ ଆପ୍‌ପାୟା ବର୍ଣ୍ଣିତ ‘ବିଶ୍ବେକଭାବ’ର ଛାପ ସ୍ପଷ୍ଟ। ପ୍ରବାସୀ ଭାରତୀୟମାନଙ୍କୁ ମୋଦୀ ସଚେତନ କରାଇ ଦେଇଛନ୍ତି ଯେ ଭାରତୀୟ ଭାବରେ ଆମର ସ୍ବତନ୍ତ୍ର ସାଂସ୍କୃତିକ ପରିଚୟ ପାଇଁ ଆମେ ଗର୍ବିତ, କିନ୍ତୁ ସେଥି ସହିତ ଆମର ବିଶ୍ବେକଭାବଜନିତ ଦାୟିତ୍ବ ପ୍ରତି ମଧ୍ୟ ଆମେ ସଚେତନ; ଯେଉଁ କାରଣରୁ କେତେକ ଅବିବେକୀ ମନୁଷ୍ୟଙ୍କ ଦ୍ବାରା ସୃଷ୍ଟ ଯୁଦ୍ଧ ଯେତେବେଳେ କେତେକ ଅଞ୍ଚଳରେ ଅନାହାରର ଆତଙ୍କ ସୃଷ୍ଟି କରିଛି, ସେତେବେଳେ ସେଠାରେ ଥିବା ଅଜଣା ମଣିଷମାନଙ୍କୁ ସେ ବିପଦରୁ ଉଦ୍ଧାର କରିବା ପାଇଁ ଭାରତୀୟ କୃଷକମାନେ ଆଗେଇ ଆସିଛନ୍ତି। ଉଦାହରଣ ସ୍ବରୂପ ରୁଷ୍‌-ୟୁକ୍ରେନୀୟ ଗହମ ଉପରେ ନିର୍ଭରଶୀଳ ଇଜିପ୍‌ଟ ବର୍ତ୍ତମାନ ଗହମ ଆମଦାନି ପାଇଁ ଭାରତକୁ ଏକ ପ୍ରମୁଖ ଉତ୍ସ ରୂପେ ବିଜ୍ଞପିତ କରିଛି।

ଭାରତ ୨୦୨୧-୨୨ରେ ମୋଟ ୭.୨ ନିୟୁତ ଟନ୍ ଗହମ ରପ୍ତାନି କରିଥିଲା। ଚଳିତ ବର୍ଷ ତାହା ଦୁଇଗୁଣରୁ ଅଧିକ, ପ୍ରାୟ ୧୫ ନିୟୁତ ଟନ୍‌କୁ ବୃଦ୍ଧି ପାଇବ ବୋଲି ଲକ୍ଷ୍ୟ ରଖା ଯାଇଛି। କେବଳ ଘରୋଇ ରପ୍ତାନିକାରୀମାନଙ୍କ ଦ୍ବାରା ଖୋଲା ବଜାରରୁ ସଂଗୃହୀତ ଗହମ ନୁହେଁ, ସରକାର ସଂଗ୍ରହ କରି ସୃଷ୍ଟି କରିଥିବା ଆବଶ୍ୟକତାରୁ ଅଧିକ ଆକାରର ବିଶାଳ ବଫର ଷ୍ଟକ୍‌ର କିୟଦଂଶ ମଧ୍ୟ ଖାଦ୍ୟାଭାବ ସମ୍ଭାବନା ଥିବା ଅଞ୍ଚଳକୁ ରପ୍ତାନି କରିବା ପାଇଁ ଅନୁମତି ଲାଭ କରିବା ନିମିତ୍ତ ‘ବିଶ୍ବ ବାଣିଜ୍ୟ ସଂଗଠନ’ (‘ଡବ୍ଲ୍ୟୁଟିଓ’)ର ତତ୍‌ସମ୍ପର୍କିତ କଟକଣା କୋହଳ କରିବାକୁ ଭାରତ ସରକାର ଏହି ସଂଗଠନକୁ ରାଜି କରାଇବାକୁ ଉଦ୍ୟମ ଆରମ୍ଭ କରିଛନ୍ତି।

ଅବଶ୍ୟ ଭାରତର ଏହି ବିଶ୍ବେକଭାବ ସମ୍ବନ୍ଧରେ ସଗର୍ବରେ ଘୋଷଣା କଲା ବେଳେ ପ୍ରଧାନମନ୍ତ୍ରୀ ଯେଉଁ ଏକ ଛୋଟିଆ ପାର୍ଶ୍ବସୂଚନା ପ୍ରଦାନ କରିବାକୁ ବୋଧହୁଏ ଆବଶ୍ୟକ ମନେ କରିନଥିଲେ, ତାହା ହେଲା, ବିଦେଶ ବଜାରରେ ଦେଖା ଦେଇଥିବା ଗହମର ଉଚ୍ଚା ମୂଲ୍ୟ ଭାରତୀୟ ଗହମ ରପ୍ତାନିରେ ସମ୍ପୃକ୍ତ ସମସ୍ତଙ୍କ ପାଇଁ- କୃଷକରୁ ବେପାରୀମାନଙ୍କ ପର୍ଯ୍ୟନ୍ତ- ଲାଭଜନକ ହେବ ତଥା ସରକାରଙ୍କର ଗହମ ସଂଗ୍ରହ ଦାୟିତ୍ବ ଲାଘବ କରି ରାଜକୋଷ ଉପରେ ଚାପ ହ୍ରାସ କରିବ। ନିଃସନ୍ଦେହରେ ଏହି ଅଘୋଷିତ ପାର୍ଶ୍ବଫଳ ଭାରତର ପ୍ରଚାରିତ ବିଶ୍ବେକଭାବରେ କିଛି ଅଣ-ଆପ୍‌ପାୟା-ସୁଲଭ ସ୍ବାର୍ଥର ଦାଗ ଲଗାଇଥାଏ। ହୁଏତ ଏହି ନୈତିକ ବ୍ୟତିକ୍ରମର ପରିଣାମ ସ୍ବରୂପ କି କ’ଣ? ବର୍ତ୍ତମାନ ଭାରତର ସେଇ ମୋଦୀ-ଅଙ୍କିତ ଭାବମୂର୍ତ୍ତି ସାକାର ହେବା ପଥରେ ଏପରି ଅପ୍ରତ୍ୟାଶିତ ପ୍ରତିବନ୍ଧର ଆବିର୍ଭାବ ଘଟିଛି, ଯାହାକୁ ଲଂଘନ କରି ଆମର ବିଶ୍ବଭ୍ରାତୃତ୍ବ ପ୍ରମାଣିତ କରିବା ଆଉ ସମ୍ଭବ ନ ହୋଇପାରେ।

ଏହି କାରଣଟି ହେଉଛି ଗତ ମାସକ ତଳେ ଏଠାରେ ଘଟିଥିବା ଅଗ୍ନିବର୍ଷା। ରେକର୍ଡ ଅନୁସାରେ ଚଳିତ ବର୍ଷ ମାର୍ଚ୍ଚ ଥିଲା ଉତ୍ତପ୍ତତମ ମାର୍ଚ୍ଚ। ତାପ ଲହରୀ ପ୍ରଭାବରେ ଶହ ଶହ ଏକର ଗହମ କ୍ଷେତରେ ଅମଳ ବାଧାପ୍ରାପ୍ତ ହେବାର ଆଶଙ୍କା ସୃଷ୍ଟି ହୋଇଛି। କେତେକ ଅଞ୍ଚଳରେ ଏଥିଯୋଗୁଁ ଅମଳରେ ୫୦ ଶତାଂଶ ପର୍ଯ୍ୟନ୍ତ ହ୍ରାସ ଘଟିବାର ସମ୍ଭାବନା ରହିଛି ବୋଲି ଏକ ସର୍ବେକ୍ଷଣରୁ ସୂଚନା ମିଳିଛି। ଦୁଇ ମାସ ତଳ ପର୍ଯ୍ୟନ୍ତ ଯେଉଁ ପ୍ରବଳ ଅମଳ ଏବଂ ତାହା ସାହାଯ୍ୟରେ ଗତ ବର୍ଷ ରପ୍ତାନିରେ ଦେଖାଯାଇଥିବା ସର୍ବକାଳୀନ ରେକର୍ଡକୁ ଏ ବର୍ଷ ଅତିକ୍ରମ କରାଯାଇପାରିବ ବୋଲି ଆଶା ରଖାଯାଇଥିଲା, ତାହା ବର୍ତ୍ତମାନ ସେଇ ତାପ ଲହରୀର ଉତ୍ତାପରେ ବାଷ୍ପୀଭୂତ ହୋଇଯିବା ଭଳି ମନେ ହେଉଛି। ଦେଶର ଆଭ୍ୟନ୍ତରୀଣ ଚାହିଦା ମେଣ୍ଟାଇବା ପାଇଁ ଆବଶ୍ୟକ ଗହମ ଯୋଗାଣ ନିଶ୍ଚିତ କରିବା ବର୍ତ୍ତମାନ ସରକାରଙ୍କର ଅଗ୍ରାଧିକାର ଲାଭ କରିବା ଆରମ୍ଭ କଲାଣି।

ଗହମ ଯୋଗାଣ ପରିସ୍ଥିତି ଏଇ ଭଳି ଚାପଗ୍ରସ୍ତ ହେବା ସହିତ ତାଳ ଦେଇ ଦେଶରେ ଖୋଲା ବଜାରରେ ଗହମ ଦରରେ ଯେଉଁ ଭଳି ବୃଦ୍ଧି ଘଟିବା ଦେଖାଗଲାଣି, ତାହା ଘରୋଇ ବଜାରରେ ଗହମ ଦରକୁ ରପ୍ତାନି ବଜାରରେ ଗହମ ଦର ସହିତ ପ୍ରାୟ ସମାନ କରି ଦେଲାଣି କହିଲେ ଚଳେ। ଏପରି ପରିସ୍ଥିତିରେ ଭାରତୀୟ ଗହମ ଉତ୍ପାଦନକାରୀ ତଥା ବେପାରୀମାନେ ଏହାକୁ ରପ୍ତାନି କରିବା ପାଇଁ ଆଗ୍ରହୀ ନ ହେବା ସ୍ବାଭାବିକ। ଏଥିରେ ତେଣୁ ଆଶ୍ଚର୍ଯ୍ୟ ହେବାର ନାହିଁ ଯେ ସରକାର ତାଙ୍କର ମାଗଣା ଖାଦ୍ୟଶସ୍ୟ ବଣ୍ଟନ ଯୋଜନାରେ ଗହମ ଅଂଶକୁ ସଂକୁଚିତ କରି ଚାଉଳ ଅଂଶରେ ବୃଦ୍ଧି ଘଟାଇବା ଦେଖା ଗଲାଣି। ଇତି ମଧ୍ୟରେ ମୁଖ୍ୟତଃ ଖାଦ୍ୟଦ୍ରବ୍ୟ ଦରବୃଦ୍ଧି ଯୋଗୁଁ ଦେଶରେ ମୁଦ୍ରାସ୍ଫୀତି ପରିସ୍ଥିତି ଚିନ୍ତାଜନକ ହୋଇପଡ଼ିବାରୁ ରିଜର୍ଭ ବ୍ୟାଙ୍କ୍ ତାହାକୁ ନିୟନ୍ତ୍ରଣ କରିବା ଉଦ୍ଦେଶ୍ୟରେ ଅଦିନରେ ସୁଧ ବୃଦ୍ଧି କରିବାକୁ ବାଧ୍ୟ ହୋଇଛି। ଏପରି ପରିସ୍ଥିତିରେ ଭାରତରୁ ଗହମ ଭଳି ଏକ ମୁଖ୍ୟ ଖାଦ୍ୟଶସ୍ୟର ରପ୍ତାନି ଏହାର ଠିକ୍ ବିପରୀତ ଏକ ଫଳ ପ୍ରଦାନ କରି ପାରେ। ଏଣୁ ମନେ ହେଉଛି ମୋଦୀଙ୍କର ଆସ୍ଫାଳନ ସତ୍ତ୍ବେ ଭାରତ ଏବେ ଆପ୍‌ପାୟାଙ୍କ ବିଶ୍ବେକତାକୁ ଅନୁସରଣ କରିବା ପରିବର୍ତ୍ତେ ଆତ୍ମରକ୍ଷାକୁ ଅଧିକ ଗୁରୁତ୍ବ ‌ପ୍ରଦାନ କରି ଗହମ ରପ୍ତାନି ନ କରି ନିଜ ଘର ଭିତରେ ସାଇତି ରଖିବାକୁ ବାଧ୍ୟ ହେବ। ଆମେ ବଞ୍ଚିଲେ ଯାଇ କୁଟୁମ୍ବ ବଞ୍ଚିବ।

ସମ୍ବନ୍ଧିତ ଖବର