‘ବିଷାଦ ବିଜ୍ଞାନ’ ରୂପେ ଅର୍ଥଶାସ୍ତ୍ରର ନାମକରଣ କରିଥିଲେ ଊନବିଂଶ ଶତାବ୍ଦୀର ପ୍ରସିଦ୍ଧ ବ୍ରିଟିସ୍ ଦାର୍ଶନିକ-ଐତିହାସିକ ଥମାସ୍ କାର୍ଲାଇଲ୍। ସେମାନଙ୍କ ଶାସ୍ତ୍ରର ଏପରି ବଦନାମ ପାଇଁ ଅର୍ଥଶାସ୍ତ୍ରର ଛାତ୍ରଛାତ୍ରୀମାନେ କିନ୍ତୁ କାର୍ଲାଇଲ୍ଙ୍କୁ ଦାୟୀ କରି ନ ଥା’ନ୍ତି। ସେମାନେ ଏଥିପାଇଁ ଦାୟୀ କରିଥା’ନ୍ତି ଅଷ୍ଟାଦଶ ଶତାବ୍ଦୀର ମହାନ୍ ବ୍ରିଟିସ୍ ଅର୍ଥନୀତିଜ୍ଞ ଥମାସ୍ ରବର୍ଟ ମାଲ୍ଥସ୍ଙ୍କୁ। କାରଣ ୧୭୯୮ରେ ପ୍ରକାଶିତ ଯୁବକ ମାଲ୍ଥସ୍ଙ୍କର ଏକ ୫୦,୦୦୦ ଶବ୍ଦ ସମ୍ବଳିତ ନିବନ୍ଧ ପାଠ କଲା ପରେ ତାହାର ପ୍ରତିକ୍ରିୟା ସ୍ବରୂପ କାର୍ଲାଇଲ୍ ଅର୍ଥଶାସ୍ତ୍ରର ଏପରି ନାମକରଣ କରିଥିଲେ।
‘ଆନ୍ ଏସେ ଅନ୍ ଦି ପ୍ରିନ୍ସିପ୍ଲ ଅଫ୍ ପପୁଲେସନ୍ ଆଜ୍ ଇଟ୍ ଆଫେକ୍ଟ୍ସ ଦି ଫିଉଚର୍ ଇମ୍ପ୍ରୁଭ୍ମେଣ୍ଟ୍ ଅଫ୍ ସୋସାଇଟି’ (‘ସମାଜର ଭବିଷ୍ୟତ ଉନ୍ନତିକୁ ପ୍ରଭାବିତ କରୁଥିବା ଜନସଂଖ୍ୟାର ନିୟମ ସମ୍ବନ୍ଧରେ ଏକ ନିବନ୍ଧ’) ଶୀର୍ଷକ ବହନ କରୁଥିବା ଏହି ନିବନ୍ଧରେ ମାଲ୍ଥସ୍ ସାବ୍ୟସ୍ତ କରିବାକୁ ଚାହିଁଥିଲେ ଯେ ମନୁଷ୍ୟର ପ୍ରଜନନ ପ୍ରବୃତ୍ତି ଯୋଗୁଁ ଜନସଂଖ୍ୟାରେ ଘଟୁଥିବା ବୃଦ୍ଧି ଏଥିପାଇଁ ଆବଶ୍ୟକ ଖାଦ୍ୟ ଯୋଗାଣରେ ବୃଦ୍ଧିକୁ ଅନିବାର୍ଯ୍ୟ ଭାବରେ ପଛରେ ପକାଇ ଦେଇଥାଏ। ଏଣୁ ସମୟ କ୍ରମେ ମାନବ ସମାଜ ଉନ୍ନତି ପଥରେ ଅଗ୍ରସର ହେବା ପରିବର୍ତ୍ତେ, ଏହାର ଅନ୍ତିମ ପରିଣାମ ସ୍ବରୂପ ବିଲୟର ସମ୍ମୁଖୀନ ହେବା ନିଶ୍ଚିତ। ଏହାକୁ ପାଠ କଲା ପରେ ପାଠକର ମନ ହର୍ଷରେ ଉଲ୍ଲସିତ ହେବ ନା ବିଷାଦରେ ଭରି ହୋଇ ଯିବ? କାର୍ଲାଇଲ୍ ତେଣୁ ମାଲ୍ଥସ୍ଙ୍କ ବିଦ୍ୟାକୁ ‘ବିଷାଦ ବିଜ୍ଞାନ’ (‘ଡିସ୍ମାଲ୍ ସାଇନ୍ସ’) ରୂପେ ଅଭିହିତ କରିବାରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ।
ଏହା ବର୍ତ୍ତମାନ କିନ୍ତୁ ନିୟମିତ ଚର୍ଚ୍ଚାର ବିଷୟ ବସ୍ତୁ ପାଲଟି ସାରିଛି ଯେ ମାଲ୍ଥସ୍ଙ୍କର ସେଇ କାଳ ତୁଣ୍ଡିଆ ଭବିଷ୍ୟବାଣୀ ପ୍ରକାଶ ପାଇବା ପରେ ଦୁଇ ଶତାବ୍ଦୀରୁ ଅଧିକ କାଳ ଅତିବାହିତ ହୋଇ ସାରିଥିଲେ ହେଁ ଏବଂ ପୃଥିବୀର ଜନସଂଖ୍ୟାରେ ବହୁଗୁଣ ବୃଦ୍ଧି ଘଟିସାରିଥିଲେ ହେଁ ମନୁଷ୍ୟ ବିଲୟର ସମ୍ମୁଖୀନ ହେବା ପରିବର୍ତ୍ତେ ତା’ର ହାରାହାରି ଆୟୁଷରେ ବୃଦ୍ଧି ଘଟିବାରେ ଲାଗିଛି। ଅଧିକରୁ ଅଧିକ ଲୋକ ଖାଦ୍ୟାଭାବର ସମ୍ମୁଖୀନ ହେବା ପରିବର୍ତ୍ତେ ମାନବ ଜାତି କ୍ଷୁଧା ଉପରେ ବିଜୟ ଲାଭ କରିବା ପଥରେ ଅଗ୍ରସର ହେବାରେ ଲାଗିଛି। ଏକ ସର୍ବେକ୍ଷଣ ଅନୁସାରେ ପୃଥିବୀର ମଧ୍ୟମ ଆୟ ବିଶିଷ୍ଟ ଦେଶମାନଙ୍କରେ ୨୦୦୬ରୁ ୨୦୨୦ ମଧ୍ୟରେ ଖାଦ୍ୟାଭାବଜନିତ ଅପପୁଷ୍ଟିର ଶିକାର ହୋଇଥିବା ଲୋକସଂଖ୍ୟାରେ ହ୍ରାସ ଘଟିଥିଲା ୧୬୨ ନିୟୁତ ବା ଏକ-ଚତୁର୍ଥାଂଶ। ଅପରପେକ୍ଷ ପୃଥିବୀର ନିମ୍ନ ଆୟବିଶିଷ୍ଟ ଦେଶମାନଙ୍କରେ (ମୁଖ୍ୟତଃ ଆଫ୍ରିକାର ସାହାରା ମରୁଭୂମି ନିକଟବର୍ତ୍ତୀ ଅଞ୍ଚଳ) ଅପପୁଷ୍ଟିଗ୍ରସ୍ତମାନଙ୍କର ସଂଖ୍ୟାରେ ବୃଦ୍ଧି ଘଟିଥିଲା, ଏହାର ମାତ୍ର ପ୍ରାୟ ଚାରିଭାଗରୁ ଭାଗେ- ୪୩ ନିୟୁତ। ଅର୍ଥାତ୍ ପୃଥିବୀରେ କ୍ଷୁଧିତଙ୍କ ସଂଖ୍ୟାରେ ବୃଦ୍ଧି ଅପେକ୍ଷା ହ୍ରାସ ଘଟିଛି ବହୁ ଅଧିକ।
ଏ ସମ୍ପର୍କରେ ଭାରତର ଏକ ପରିସଂଖ୍ୟାନ ଚିତ୍ରକୁ ଆହୁରି ସ୍ପଷ୍ଟ କରିଥାଏ। ୨୦୦୬ରେ ଭାରତର ଏକ ତୃତୀୟାଂଶରୁ ଅଧିକ ମହିଳା ଓଜନ ନ୍ୟୂନତା ପ୍ରଦର୍ଶନ କରୁଥିଲେ; ୨୦୧୯ରେ ଏଭଳି ମହିଳାଙ୍କର ଅନୁପାତରେ ପ୍ରାୟ ୫୦ ଶତାଂଶ ହ୍ରାସ ଘଟିଥିବା ପରିଦୃଷ୍ଟ ହୋଇଥିଲା। ସେତିକି ନୁହେଁ, ଏହି ସମୟ ମଧ୍ୟରେ ଜନସଂଖ୍ୟାରେ ଅତିରିକ୍ତ ଶାରୀରିକ ଓଜନଧାରିଣୀ ମହିଳାଙ୍କ ଅନୁପାତରେ ପ୍ରାୟ ଦୁଇ ଗୁଣ ବୃଦ୍ଧି ଘଟିଥିଲା। ପୃଥିବୀର ମଧ୍ୟମ ଆୟବିଶିଷ୍ଟ ଦେଶମାନଙ୍କରେ ପୁରୁଷମାନଙ୍କ ଠାରେ ମଧ୍ୟ ଏହି ମେଦବହୁଳତା ଅନୁରୂପ ଭାବରେ ବୃଦ୍ଧି ପାଇବାରେ ଲାଗିଛି।
ଭାରତକୁ ଏହାର ଏକ ପ୍ରତିନିଧିମୂଳକ ନମୁନା ରୂପେ ଗ୍ରହଣ କରାଯାଉ। ଗତ ଗୁରୁବାର ଦିନ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଉନ୍ମୋଚନ କରିଥିବା ‘ନେସନାଲ୍ ଫାମିଲି ହେଲ୍ଥ ସର୍ଭେ-୫’ (ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣର ପଞ୍ଚମ ପର୍ଯ୍ୟାୟ) ରିପୋର୍ଟ ଅନୁସାରେ ଭାରତରେ ବର୍ତ୍ତମାନ ପ୍ରତି ଚାରି ଜଣରେ ଜଣେ ହେଉଛି ମେଦବହୁଳ। ମେଦବହୁଳ ମହିଳାଙ୍କର ଅନୁପାତ ଏହାର ପୂର୍ବବର୍ତ୍ତୀ ସର୍ବେକ୍ଷଣ ଅନୁସାରେ ୨୧ ଶତାଂଶ ଥିବା ବେଳେ ବର୍ତ୍ତମାନ ବୃଦ୍ଧି ପାଇ ହୋଇଛି ୨୪ ଶତାଂଶ ଏବଂ ପୁରୁଷମାନଙ୍କ ପାଇଁ ସେଇ ଅନୁପାତ ୧୯ ଶତାଂଶରୁ ବୃଦ୍ଧି ପାଇ ହୋଇଛି ୨୩ ଶତାଂଶ। ଦେଶର ସହରାଞ୍ଚଳରେ ମେଦବହୁଳତା ଅନୁପାତ ୩୩ ଶତାଂଶ ହୋଇଥିବା ବେଳେ ଗ୍ରାମାଞ୍ଚଳରେ ଏହା ଠାରୁ ବହୁତ କମ୍, ୨୦ ଶତାଂଶ ହୋଇଥାଏ।
ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ଯେଉଁ ସମୟରେ ଜନସଂଖ୍ୟାରେ ମେଦବହୁଳତା ଅନୁପାତରେ ଏପରି ବୃଦ୍ଧି ଘଟିଛି, ସେଇ ସମୟରେ ପରିବାରର ସମ୍ପଦରେ ମଧ୍ୟ ଅନୁରୂପ ବୃଦ୍ଧି ଘଟିଥିବା ଜଣାଯାଇଛି। ମହିଳାମାନଙ୍କ ପାଇଁ ଏହି ବୃଦ୍ଧିର ମାତ୍ରା ୧୦ ଶତାଂଶରୁ ୩୯ ଶତାଂଶ ପର୍ଯ୍ୟନ୍ତ ହୋଇଥିବା ବେଳେ ପୁରୁଷମାନଙ୍କ ପାଇଁ ଏହା ୧୦ ଶତାଂଶରୁ ୩୭ ଶତାଂଶ ପର୍ଯ୍ୟନ୍ତ ହୋଇଛି। ମାଲ୍ଥସ୍ଙ୍କୁ ଅପ୍ରମାଣିତ କଲା ଭଳି ଅଭାବରେ ବୃଦ୍ଧି ଘଟିବା ପରିବର୍ତ୍ତେ ପ୍ରାଚୁର୍ଯ୍ୟରେ ବୃଦ୍ଧି ଘଟି ଚାଲିଛି ଏବଂ ତା’ ସହିତ ତାଳ ଦେଇ ପୁଷ୍ଟିହୀନତାରେ ବୃଦ୍ଧି ଘଟିବା ପରିବର୍ତ୍ତେ ମେଦବହୁଳତାରେ ବୃଦ୍ଧି ଘଟି ଚାଲିଛି।
କିନ୍ତୁ ମାଲ୍ଥସ୍ ସୂଚାଇଥିବା ମାନବଜାତିର ବିଲୟ ପ୍ରକ୍ରିୟା ସିନା ଏଭଳି ଅପ୍ରମାଣିତ ହୋଇଛି, ତାଙ୍କର ସିଦ୍ଧାନ୍ତ ଯେ ତଥାପି ସତ୍ୟ ସାବ୍ୟସ୍ତ ହୋଇପାରେ, ସେଭଳି ସମ୍ଭାବନାକୁ ସମ୍ପୂର୍ଣ୍ଣ ଭାବେ ଏଡ଼ାଇ ଦେଇ ହେବ ନାହିଁ। କଥାରେ ଅଛି- ‘ଜଳ ବିହୁନେ ସୃଷ୍ଟି ନାଶ, ଜଳ ଗହଳେ ସୃଷ୍ଟି ନାଶ’। ମନୁଷ୍ୟ ସିନା ମାଲ୍ଥୁସୀୟ ଭୋକଉପାସକୁ ଏଡ଼ାଇ ଦେବାରେ ସଫଳ ହୋଇଛି, କିନ୍ତୁ ତା’ ବଦଳରେ ସେ ହାସଲ କରିଥିବା ପ୍ରାଚୁର୍ଯ୍ୟ ଶେଷରେ ତା’ର ବିଲୟର କାରଣ ହେବ କି? କାରଣ ପ୍ରାଚୁର୍ଯ୍ୟ ଯୋଗୁଁ ଯେଉଁ ମେଦବହୁଳତା ସୃଷ୍ଟି ହୁଏ, ତାହା ମଧୁମେହ, ଉଚ୍ଚରକ୍ତଚାପ ଓ ହୃଦ୍ରୋଗ ଆଦିକୁ ନିମନ୍ତ୍ରଣ କରି ଆଣେ। ଅଭାବଜନିତ ଅପପୁଷ୍ଟି ସ୍ଥାନରେ ଜନସଂଖ୍ୟାରେ ଏହି ମରଣାନ୍ତକ ବ୍ୟାଧିମାନଙ୍କର ପ୍ରାଦୁର୍ଭାବ ବୃଦ୍ଧି ପାଇ ଚାଲେ। ଏବେ ତ ଭାରତ ଭଳି ଦେଶରେ ଏହି ବ୍ୟାଧିମାନ ଏକ ପ୍ରକାର ମହାମାରୀ ଭଳି ମାଡ଼ି ଚାଲିବା ଦେଖାଗଲାଣି। କେତେକ ଗବେଷକଙ୍କ ମତରେ ଅଭାବର ମୁକାବିଲା କରିବାରେ ଅଭ୍ୟସ୍ତ ଆମର ଜିନ୍ ପ୍ରାଚୁର୍ଯ୍ୟକୁ ସମ୍ଭାଳି ପାରି ନ ଥାଏ; ତେଣୁ ଏ ଭଳି ପ୍ରାଚୁର୍ଯ୍ୟଜନିତ ବ୍ୟାଧିସବୁକୁ ଅଟକାଇ ପାରି ନ ଥାଏ।
ସମଗ୍ର ମାନବ ଜାତି ଦୃଷ୍ଟିକୋଣରୁ ଦେଖିଲେ ଏଇଭଳି ଆଉ ଏକ ସଂକଟ ମଧ୍ୟ ଦୃଷ୍ଟିଗୋଚର ହୋଇଥାଏ। ଅଭାବର ମୁକାବିଲା ପାଇଁ ଯୋଜନାବଦ୍ଧ ପଦକ୍ଷେପ ନିଆଯାଇ ପାରିଥାଏ। ଅତୀତରେ ଭାରତରେ ଖାଦ୍ୟ ସଂକଟ ଦେଖା ଯାଇଥିବା ବେଳେ ଆମେରିକା ‘ପିଏଲ୍-୪୮୦’ ଚୁକ୍ତି ଆଧାରରେ ଭାରତକୁ ଖାଦ୍ୟଶସ୍ୟ ଯୋଗାଇ ଥିଲା। ଆଫ୍ରିକାର କୌଣସି ଦେଶରେ ଖାଦ୍ୟାଭାବ ଦେଖାଦେଲେ ଇଉରୋପିଆନ୍ ୟୁନିଅନ୍ ହୁଏତ ସେଠାରେ ମାଗଣାରେ ଖାଦ୍ୟଶସ୍ୟ ଯୋଗାଇ ପାରେ। ଆମେରିକା ବା ୟୁରୋପ୍ର କୃଷକମାନେ ସେଠାକାର ସରକାରଙ୍କ ଠାରୁ ବିପୁଳ ପ୍ରୋତ୍ସାହନ ପାଇ ଶସ୍ୟ ଉତ୍ପନ୍ନ କରିଥା’ନ୍ତି। ସେ ଦେଶର କରଦାତାମାନେ ଏହି ପ୍ରୋତ୍ସାହନ ବୋଝ ବହନ କରିଥା’ନ୍ତି; ଅର୍ଥାତ୍ ପୃଥିବୀର ଅନ୍ୟତ୍ର କେଉଁଠି କ୍ଷୁଧା ନିବାରଣ ନିମିତ୍ତ ସେମାନେ ଅର୍ଥ ଦାନ କରିଥା’ନ୍ତି। କିନ୍ତୁ ଏଭଳି ସହଯୋଗ ଦ୍ବାରା ଯେଉଁଭଳି କ୍ଷୁଧା ନିବାରଣ କରି ମାଲ୍ଥୁସୀୟ ସଂକଟକୁ ଟାଳି ଦେଇ ହେବ, ସେଭଳି କୌଣସି ସହଯୋଗ ଦ୍ବାରା ପ୍ରାଚୁର୍ଯ୍ୟର ବିପଦକୁ ଟାଳିବା ସମ୍ଭବ ନୁହେଁ।
ଆଶ୍ଚର୍ଯ୍ୟ ମନେ ହୋଇପାରେ, ସେଇ ମାଲ୍ଥସ୍ଙ୍କୁ ଅନୁସରଣ କରି ହିଁ ଏ ବିପଦରୁ ମୁକ୍ତି ମିଳିପାରେ। ଜନସଂଖ୍ୟା ବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ ମାଲ୍ଥସ୍ ସେତେବେଳେ ଯେଉଁ ଏକମାତ୍ର ପ୍ରଜନନ ନିୟନ୍ତ୍ରଣକାରୀ ଉପାୟ ଅବଲମ୍ବନକୁ ଅନୁମୋଦନ ପ୍ରଦାନ କରିଥିଲେ, ତାହା ହେଲା- ଆତ୍ମସଂଯମ। ସେଇଭଳି ଆମ ପାଇଁ ପ୍ରାଚୁର୍ଯ୍ୟକୁ ମେଦ ବୃଦ୍ଧିେର ପରିଣତ ହେବାକୁ ନ ଦେବାର ଏକମାତ୍ର ଫଳପ୍ରଦ ଉପାୟ ହେଉଛି- ଆତ୍ମସଂଯମ। ପ୍ରଚୁର ଖାଦ୍ୟ ଉପଲବ୍ଧ ଥିଲେ ମଧ୍ୟ ଆମକୁ ବୈଦିକ ପରମ୍ପରା ଅନୁସରଣ କରିବାକୁ ପଡ଼ିବ: ‘ହିତଭୁକ୍, ମିତଭୁକ୍, ଋତଭୁକ୍’। ଆହାରରେ ଏଭଳି ସଂଯମ ପାଳନ ଥିଲା ଦୁଇଟି ପକ୍ଷୀ ପଚାରି ବୁଲୁଥିବା ଏହି ପ୍ରଶ୍ନର ଉତ୍ତର: ‘କଃ ଅରୁକ୍?’ ବା ‘କୋଽରୁକ୍?’ (‘ନିରୋଗ କିଏ?’)