କୌଟିଲ୍ୟ ବିଚାର

ଇତିହାସରେ ବର୍ଣ୍ଣିତ ଅଛି ଯେ ପଣ୍ତିତ କୌଟିଲ୍ୟଙ୍କ ପରାମର୍ଶ କ୍ରମେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ସକାଶେ ଏକ ମହିଳା ଅଙ୍ଗରକ୍ଷୀ ବାହିନୀର ବ୍ୟବସ୍ଥା କରାଯାଇଥିଲା। ଏହା ପଛରେ ନିହିିତ କାରଣଟି ଥିଲା ଚନ୍ଦ୍ରଗୁପ୍ତଙ୍କ ମନକୁ ନିରନ୍ତର ଆଚ୍ଛନ୍ନ କରି ରଖିଥିବା ଏକ ଧାରଣା ଯେ ଚକ୍ରାନ୍ତକାରୀମାନେ ତାଙ୍କୁ ହତ୍ୟା କରିବାକୁ ସର୍ବଦା ତତ୍ପର ହୋଇ ରହିଛନ୍ତି। ସୁତରା˚, କୌଟିଲ୍ୟଙ୍କ ବିଚାରରେ ପୁରୁଷମାନଙ୍କ ତୁଳନାରେ ଅଧିକ ସ୍ଥିର-ଚିତ୍ତ ଏବ˚ ଧୈର୍ଯ୍ୟଶୀଳ ତଥା ଉଚ୍ଚତର ନୈତିକ ମୂଲ୍ୟବୋଧର ଅଧିକାରୀ ମହିଳାମାନେ ଅଧିକ ବିଶ୍ବାସଯୋଗ୍ୟ; ଏବ˚ ସେମାନଙ୍କ ଦୃଢ଼ ନୈତିକ ଆଦର୍ଶ ସେମାନଙ୍କୁ ଷଡ୍‌ଯନ୍ତ୍ରକାରୀଙ୍କ ପ୍ରଲୋଭନର ଶିକାର ହେବାକୁ କଦାଚିତ୍‌ ଦେବ ନାହିଁ। ବର୍ତ୍ତମାନ ମଧୢ ଅନେକ ଗବେଷଣା ତଥା ଅନୁଶୀଳନର ନିଷ୍କର୍ଷ ମଧୢ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀର ପ୍ରାଜ୍ଞ କୌଟିଲ୍ୟଙ୍କ ବିଚାର ସହିତ ସହମତ ହୋଇଥାନ୍ତି। ସୁତରା˚, ବିଗତ କିଛି ଦିନ ମଧୢରେ କେତେକ ମହିଳା ଉଚ୍ଚ ପଦାଧିକାରୀ ଅତିକାୟ ଦୁର୍ନୀତିମୂଳକ ମାମଲାମାନରେ ଛନ୍ଦି ହୋଇ ଗଣମାଧୢମର ଶିରୋନାମା ମଣ୍ତନ କରିଥିବା କାରଣରୁ ପ୍ରଶ୍ନ ଉଠିଥାଏ ଯେ ନୈତିକ ମୂଲ୍ୟବୋଧରେ ଲିଙ୍ଗୀୟ ବିଭାଜନକୁ ନେଇ ରହି ଆସିଥିବା ପୂର୍ବର ଧାରଣା କ୍ରମେ ଦୁର୍ବଳ ହୋଇପଡ଼ିବାର ସ˚କେତ ଦେଖାଇଲାଣି କି?

ପୃଥିବୀର ବିଭିନ୍ନ ରାଷ୍ଟ୍ରରେ ହେଉଥିବା ଦୁର୍ନୀତିକୁ ପର୍ଯ୍ୟବେକ୍ଷଣ କରୁଥିବା ଅନୁଷ୍ଠାନ ‘ଟ୍ରାନ୍‌ସପରେନ୍‌ସି ଇଣ୍ଟରନେସ୍‌ନାଲ’ ପକ୍ଷରୁ ମଧୢମ ଏବ˚ ନିମ୍ନ ଆୟକାରୀ ରାଷ୍ଟ୍ରଗୁଡ଼ିକରେ ତୀବ୍ର ଗତିରେ ବୃଦ୍ଧି ପାଉଥିବା ଦୁର୍ନୀତି ଉପରେ ଅଙ୍କୁଶ ଲଗାଇବା ଲାଗି ପ୍ରଦାନ କରାଯାଉଥିବା ବିଭିନ୍ନ ସୁପାରିସ ମଧୢରୁ ଗୋଟିଏ ହେଲା ରାଜନୀତି ଏବ˚ ସରକାରୀ ଚାକିରିରେ ମହିଳାଙ୍କ ସ˚ଖ୍ୟା ବୃଦ୍ଧି ଉପରେ ଗୁରୁତ୍ବ ଆରୋପ। ପ୍ରକାଶ ଥାଉ କି ଏହି ସୁପାରିସ ପଛରେ ରହିଛି ଅନେକ ଅନୁଶୀଳନମୂଳକ ସ˚ଦର୍ଭରୁ ପ୍ରାପ୍ତ ନିଷ୍କର୍ଷ ଏବ˚ ‘ବିଶ୍ବ ବ୍ୟାଙ୍କ୍‌’ ଦ୍ବାରା ପ୍ରଦାନ କରାଯାଇଥିବା ରିପୋର୍ଟ, ଯାହା ମହିଳାମାନଙ୍କୁ ନୈତିକତାର ପାହାଚ ଶ୍ରେଣୀରେ ପୁରୁଷମାନଙ୍କ ତୁଳନାରେ ଅଧିକ ଉଚ୍ଚତାରେ ବସାଇଥାଏ। ପ୍ରକାଶ ଥାଉ କି ଏହି ସୁପାରିସକୁ ଅନେକ ରାଷ୍ଟ୍ର ଅନୁସରଣ କଲେଣି; ଯେମିତି କି ପେରୁ ଏବ˚ ମେକ୍‌ସିକୋରେ ଗଠିତ କେବଳ ମହିଳାମାନଙ୍କ ଦ୍ବାରା ପରିଚାଳିତ ଟ୍ରାଫିକ୍‌ ନିୟନ୍ତ୍ରଣ ବ୍ୟବସ୍ଥା, ଯାହା ପୁରୁଷମାନଙ୍କ ଅମଳରେ ହେଉଥିବା ଲାଞ୍ଚ କାରବାରରେ ଦ୍ରୁତ ହ୍ରାସ ଘଟାଇଛି ବୋଲି କୁହାଯାଉଛି। ସୁତରା˚, ଏହା ମଧୢ କୌଟିଲ୍ୟଙ୍କ ବିଚାରକୁ ସାବ୍ୟସ୍ତ କଲା ଭଳି।

ଉଲ୍ଲେଖଯୋଗ୍ୟ ଯେ ଦୁର୍ନୀତିର ଏଭଳି ଲିଙ୍ଗୀୟ ବିଭାବ ସ˚ପର୍କରେ ବିଭିନ୍ନ ସମୟରେ ଅନେକ ଗୁରୁତ୍ବପୂର୍ଣ୍ଣ ମନସ୍ତାତ୍ତ୍ବିକ, ସମାଜତାତ୍ତ୍ବିକ ଏବ˚ କ୍ଷେତ୍ର ଅନୁଶୀଳନମୂଳକ ଗବେଷଣା ଓ ରିପୋର୍ଟମାନ ପ୍ରକଟିତ ହୋଇଛି। ସେଥି‌େର ପ୍ରକାଶ ପାଉଥିବା ମତାମତର ସାରାଂଶ ହେଲା ମହିଳାମାନେ ପ୍ରକୃତି ଦତ୍ତ ଭାବେ ଅଧିକ ଦରଦୀ (ଏକ ମା’ର ଗୁଣ) ହୋଇଥିବାରୁ ଏବଂ ବିପଦ ବରଣ କରିବାକୁ ସାହସ ଜୁଟାଇ ପାରୁ ନ ଥିବାରୁ ଦୁର୍ନୀତି ଭଳି ଏକ ଜନ-ଉତ୍ପୀଡ଼କ ଏବ˚ ବେଆଇନ କାର୍ଯ୍ୟ କରିବାକୁ ପଶ୍ଚାତ୍‌ପଦ ହୁଅନ୍ତି (ବିଶେଷ କରି ‘ଲଣ୍ତନ ସ୍କୁଲ୍‌ ଅଫ୍‌ ଇକୋନୋମିକ୍‌ସ’ରେ କାର୍ଯ୍ୟରତ ସମାଜତତ୍ତ୍ବବିତ୍‌ ଏବ˚ ଅପରାଧ ବିଶେଷଜ୍ଞା ଫ୍ରାନ୍‌ସିସ୍‌ ମେରୀ ହେଇଡେନ୍‌ସନ୍‌ଙ୍କ ଦ୍ବାରା କରାଯାଇଥିବା ଅନୁଧୢାନ ଦ୍ରଷ୍ଟବ୍ୟ)। ସେମିତି କ୍ଷେତ୍ର ଅନୁଧୢାନରୁ ଦେଖିବାକୁ ମିଳିଥାଏ ଯେ ସ୍ବଚ୍ଛ ଶାସନ ତଥା ସରକାରୀ ବ୍ୟବସ୍ଥାର ଅଧିକାରୀ ଦେଶଗୁଡ଼ିକରେ ରାଜନୀତି ଓ ସରକାରୀ କ୍ଷେତ୍ରରେ (ବେସରକାରୀ କାର୍ଯ୍ୟ କ୍ଷେତ୍ରରେ ମଧୢ) ଅଧିକ ସ˚ଖ୍ୟକ ମହିଳା ଆତଯାତ ହୁଅନ୍ତି, ଯେଉଁ ହାର ଦୁର୍ନୀତିଗ୍ରସ୍ତ ରାଷ୍ଟ୍ରଗୁଡ଼ିକରେ କମ୍‌। ଏଥିରୁ ଯେଉଁ ନିଷ୍କର୍ଷ ମିଳିଥାଏ ତାହା ହେଲା, ସମ୍ଭବତଃ ରାଜନୀତି ଏବଂ ପ୍ରଶାସନରେ ଅଧିକ ସ˚ଖ୍ୟକ ମହିଳାଙ୍କ ଉପସ୍ଥିତି ସେହି ସବୁ ଦୁର୍ନୀତି ମୁକ୍ତ ରାଷ୍ଟ୍ରରେ ଦୁର୍ନୀତି ଅପସାରଣରେ ସହାୟକ ହୋଇଛି।

କିନ୍ତୁ ଏହି ଆଲୋଚନା ବେଳେ ଆମ ଦେଶରେ ଦୃଶ୍ୟମାନ ହେଉଥିବା ବିଭିନ୍ନ ଉଦାହରଣ ସଂଦର୍ଭରେ ପ୍ରଶ୍ନ ଉଠିଥାଏ ଯେ ଚନ୍ଦା କୋଚରଙ୍କ ଭଳି କ୍ଷମତାଶାଳୀ ସି.ଇ.ଓ ବା ‘ସେବି’ର ପୂର୍ବତନ ମୁଖ୍ୟ ଚିତ୍ରା ରାମକୃଷ୍ଣ ଅଥବା ଜୟଲଳିତା କି ମାୟାବତୀ କି କାନିମୋଜୀଙ୍କ ଭଳି ରାଜନେତ୍ରୀ ବା ଝାଡ଼ଖଣ୍ତର ବରିଷ୍ଠ ଆଇ.ଏ.ଏସ୍‌. ଅଧିକାରୀ ପୂଜା ସିଂହଲ (ଆମ ରାଜ୍ୟରେ ଦୁର୍ନୀତି କାରଣରୁ ସ˚ପ୍ରତି ଚର୍ଚ୍ଚାକୁ ଆସିଥିବା ମୟୂରଭ˚ଜ ବଡ଼ସାହିର ତହସିଲଦାର ବା ସମ୍ବଲପୁରର ଭିଜିଲାନ୍‌ସ ଇନିସ୍‌ପେକ୍‌ଟର ବା ରାୟଗଡ଼ାର ଏକ୍‌ସାଇଜ୍‌ ଅଧିକାରୀ ମଧୢ) ଇତ୍ୟାଦି କ’ଣ ଗୋଟିଏ ଗୋଟିଏ ବ୍ୟତିକ୍ରମ? ନା ସେମାନେ ଦୁର୍ନୀତି ସ˚ଦର୍ଭରେ ସ୍ତ୍ରୀ ଓ ପୁରୁଷ ମଧ୍ୟରେ ରହି ଆସିଥିବା ଲିଙ୍ଗଗତ ବ୍ୟବଧାନର ଧାରଣାକୁ ଦୂର କରିବାକୁ ଉଦ୍‌ଗ୍ରୀବ? ଏହି ପରିପ୍ରେକ୍ଷୀରେ ପ୍ରସିଦ୍ଧ ଅନ୍ତର୍ଜାତୀୟ ପତ୍ରିକା ‘ଦ ଇକୋନୋମିଷ୍ଟ’ରେ ପ୍ରକାଶିତ ଏକ ନିବନ୍ଧ ପ୍ରଣିଧାନଯୋଗ୍ୟ, ଯହିଁରେ କୁହାଯାଇଛି ଯେ ସ୍ବଚ୍ଛ ଶାସନ ପ୍ରଦାନ କରୁଥିବା ରାଷ୍ଟ୍ରଗୁଡ଼ିକର ସ˚ସଦ ବା ସରକାରୀ ଦପ୍ତରରେ ମହିଳାମାନଙ୍କ ଉପସ୍ଥିତିର ସ˚ଖ୍ୟାଧିକ୍ୟ ଯେ ଦୁର୍ନୀତିକୁ ନିରୁତ୍ସାହିତ କରିଛି; ଏଭଳି ଧାରଣା ଅମୂଳକ ହୋଇପାରେ। ବର˚, ପୁରୁଷ ଓ ମହିଳା ନିର୍ବିଶେଷରେ ଏକ ସାର୍ବଜନୀନ ଉଦାରତା ତଥା ଦାୟିତ୍ବସ˚ପନ୍ନ ଓ ସଚ୍ଚୋଟ ମନୋଭାବ ଦ୍ବାରା ପରିପୁଷ୍ଟ ଶାସନ ବ୍ୟବସ୍ଥା ବା ‘ସିଷ୍ଟମ୍‌’ ସେଠାରେ ଅଧିକ ମହିଳାଙ୍କ ନିଯୁକ୍ତିକୁ ସମ୍ଭବ କରିଛି। ଏହି ପରିପ୍ରେକ୍ଷୀରେ ଆଲେଖ୍ୟଟିରେ କୁହାଯାଇଛି ଯେ ଯେଉଁ ସବୁ ଦୁର୍ନୀତି ବହୁଳ ରାଷ୍ଟ୍ରର ରାଜନୀତି ବା ପ୍ରଶାସନରେ, ସରକାରଙ୍କ ନୀତି ହେତୁ ବା ମହିଳାମାନଙ୍କ ମଧୢରେ ଶିକ୍ଷାର ପ୍ରସାର କାରଣରୁ ଅଧିକରୁ ଅଧିକ ମହିଳାଙ୍କ ଆବିର୍ଭାବ ଘଟିବାରେ ଲାଗିଛି, ସେଠାରେ ସେମାନେ ହୁଏ’ତ ପ୍ରାରମ୍ଭିକ ଭାବେ ଏକ ନୂତନ ଦୃଷ୍ଟାନ୍ତ ସ୍ଥାପନ କରିବା ଲାଗି ଦୁର୍ନୀତି ମୁକ୍ତ ହୋଇ ରହି ପାରନ୍ତି, କିନ୍ତୁ କ୍ରମେ ତାହା ଭ୍ରମାତ୍ମକ ସାବ୍ୟସ୍ତ ହେଲେ ବିସ୍ମିତ ହେବାର ବି‌େଶଷ କାରଣ ନାହିଁ।

କାରଣ ସେହି ସବୁ ରାଷ୍ଟ୍ରରେ ସଂସଦ ବା ସରକାରୀ କାର୍ଯ୍ୟାଳୟରେ ନାରୀମାନଙ୍କ ଦୁର୍ବଳ ଉପସ୍ଥିତି ହିଁ ସେଠାରେ ସରକାରୀ ଦୁର୍ନୀତିକୁ ଏକ ପୁରୁଷ ପ୍ରଧାନ କ୍ଷେତ୍ର କରି ରଖି ଆସିଛି। କହିବା ଅନାବଶ୍ୟକ ଯେ ସମସ୍ତ ଦୁର୍ନୀତିଗ୍ରସ୍ତ ବ୍ୟବସ୍ଥାରେ ଲାଞ୍ଚ ଦ୍ବାରା ଲବ୍‌ଧ ଅର୍ଥର ଗତି ମୂଳରୁ ଅଗ ପର୍ଯ୍ୟନ୍ତ ଏକ ଅତ୍ୟନ୍ତ ବ୍ୟବସ୍ଥିତ ଶୃଙ୍ଖଳ ମଧୢ ଦେଇ ହୋଇଥାଏ, ଯହିଁରେ ଗୋଟିଏ କଡ଼ିରେ ତାଳମେଳର ଅଭାବ ପରିଲକ୍ଷିତ ହେବା ଏହି ପ୍ରକରଣର ପରିଚାଳକମାନଙ୍କ ଲାଗି ବରଦାସ୍ତଯୋଗ୍ୟ ହୋଇ ନ ଥାଏ। ସୁତରା˚, ସେମାନେ ଯେନତେନ ପ୍ରକାରେଣ ଅନୁକୂଳ ମନୋଭାବ ସ˚ପନ୍ନ ବ୍ୟକ୍ତବିଶେଷଙ୍କୁ ଶୃଙ୍ଖଳର କଡ଼ି ଭାବେ ରୋପଣ କରିବାକୁ ଉଦ୍ୟମରତ ରହନ୍ତି। ସୁତରାଂ, ନିୟମହୀନତାର ଅନ୍ଧକାର ଭିତରେ ନିର୍ମିତ ଏଭଳି ଏକ ପୁରୁଷ ପ୍ରଧାନ ଶୃଙ୍ଖଳରେ ମହିଳାମାନଙ୍କୁ ଖଞ୍ଜିବା କୁଣ୍ଠା ଏବଂ ସନ୍ଦେହ ଜାତ କରିବା ସ୍ବାଭାବିକ। ତେଣୁ ମହିଳାମାନେ ଏଭଳି ଶୃଙ୍ଖଳରୁ ବହିର୍ଭୂତ ରହି ଅଗତ୍ୟା ଦୁର୍ନୀତିଗ୍ରସ୍ତ ହେବାରୁ ବର୍ତ୍ତି ଯାଆନ୍ତି। କିନ୍ତୁ ସ˚ପ୍ରତି ମହିଳାମାନଙ୍କ ଦ୍ବାରା ମୁଖର ହୋଇ ଉଠିଥିବା ସରକାରୀ କ୍ଷେତ୍ରରେ ଏଭଳି ସ୍ଥିତି ଆଉ ସମ୍ଭବ ହେଉନାହିଁ। ସୁତରା˚, ସେମାନେ ମଧୢ ସେହି ଶୃଙ୍ଖଳର କଡ଼ି ଭାବେ ଖ˚ଜା ହେଲେଣି। ସୁତରା˚, ମହିଳାମାନେ ଅଧିକରୁ ଅଧିକ ଦୁର୍ନୀତିଗ୍ରସ୍ତ ହେବାର ସମ୍ଭାବନା ଅଧିକ ହେଲାଣି ଏବ˚ ଏହି ଦୃଷ୍ଟିକୋଣରୁ ଦେଖିଲେ ମନେ ହୁଏ ଯେ ଅଗତ୍ୟା କୌଟିଲ୍ୟଙ୍କ ବିଚାର ଅଚିରେ ପ୍ରାସଙ୍ଗିକତା ହରାଇପାରେ!

ଏହା ସତ୍ତ୍ବେ ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ ଭାବେ ପୃଥିବୀ ସାରା ଏହି ଧାରଣା ଏ ଯାବତ୍‌ ବଳବତ୍ତର ରହିଛି ଯେ ମହିଳାମାନେ ପୁରୁଷଙ୍କ ତୁଳନାରେ ଅଧିକ ସଚ୍ଚୋଟ। ଯାହା ଫଳରେ କୌଣସି ମହିଳା ଗୁରୁତ୍ବପୂର୍ଣ୍ଣ ପଦ ବା ପଦବିର ଅଧିକାରୀ ହେଲେ ଏକ ପ୍ରକାର ଧାରଣା ସୃଷ୍ଟି ହୁଏ ଯେ ତାଙ୍କ ଦ୍ବାରା ଦୁର୍ନୀତିର ପ୍ରାବଲ୍ୟ ହ୍ରାସ ପାଇବାର ଆଶା ଉଜ୍ଜ୍ବଳ। ସେହି କାରଣରୁ ଅନେକ ରାଷ୍ଟ୍ରରେ ମହିଳା ରାଷ୍ଟ୍ରମୁଖ୍ୟ ଦୁର୍ନୀତି ଅଭିଯୋଗ ପରିପ୍ରେକ୍ଷୀରେ ଯେଉଁଭଳି ତୀବ୍ର ପ୍ରତିକ୍ରିୟାର ସମ୍ମୁଖୀନ ହୁଅନ୍ତି, ତାହା ସେମାନଙ୍କ ସ୍ଥାନରେ କୌଣସି ପୁରୁଷ ଥିଲେ ହୁଏ’ତ ଭୋଗି ନ ଥାଆନ୍ତେ। ଏହାର ଉଦାହରଣ ସ୍ବରୂପ ଦକ୍ଷିଣ କୋରିଆର ମହିଳା ରାଷ୍ଟ୍ରପତି ପାର୍କ ଗନ ହେଙ୍କ ବହିଷ୍କାର ଓ ୨୪ ବର୍ଷ ଦୀର୍ଘ କାରାଦଣ୍ତ ଆମ ସମକ୍ଷରେ ବିଦ୍ୟମାନ। କିନ୍ତୁ, ‘ଟ୍ରାନ୍‌ସପରେନ୍‌ସି ଇଣ୍ଟରନେସ୍‌ନାଲ’ ଏହା ମଧ୍ୟ କହିଥାଏ ଯେ ଇଣ୍ତୋନେସିଆ ବା ଭାରତ ଭଳି ଦେଶରେ ଯଦିଓ ମହିଳାମାନଙ୍କୁ ଅଧିକ ସଚ୍ଚୋଟ ବୋଲି ବିଚାର କରାଯାଏ, ତଥାପି ଦୁର୍ନୀତିଗ୍ରସ୍ତ ମହିଳାମାନଙ୍କ ପ୍ରତି ଏଠାରେ ଅଧିକ ସହନଶୀଳତା ପ୍ରଦର୍ଶନ କରାଯାଇଥାଏ; ଯେଉଁ କାରଣରୁ ଦୁର୍ନୀତି ଅଭିଯୋଗରେ ଜେଲ୍‌ରେ ରହିଥିବା ଜୟଲଳିତା ମୁକ୍ତ ହେବା ପରେ ପୁଣି ନିର୍ବାଚନ ଲଢ଼ି ବିପୁଳ ବିଜୟ ଲାଭ କରି ପାରନ୍ତି! ଏହି କାରଣରୁ କୌଟିଲ୍ୟଙ୍କ ଭୂମିରେ ମହିଳାମାନେ ଅଧିକ ଦୁର୍ନୀତିଗ୍ରସ୍ତ ହୋଇ ଏହି ପ୍ରାଜ୍ଞଙ୍କୁ ଭୁଲ୍‌ ବୋଲି ପ୍ରମାଣିତ କରିବାକୁ ବସିଛନ୍ତି କି? ଏହା କିନ୍ତୁ ଦୁର୍ଭାଗ୍ୟଜନକ!

ସମ୍ବନ୍ଧିତ ଖବର