ସୁନେଲି ପ୍ରଲେପ

୧୯୬୪ର କିଂବଦନ୍ତି ପାଲଟିଥିବା ଜେମ୍‌ସ ବଣ୍ଡ୍ ଫିଲ୍‌ମ ‘ଗୋଲ୍‌ଡଫିଙ୍ଗର୍‌’ର ଯେଉଁ ଦୃଶ୍ୟଟି ସର୍ବାଧିକ କାଳ ପାଇଁ ଦର୍ଶକର ମନରେ ଲାଖି ରହି ଯାଇଥାଏ, ତାହା ହେଉଛି ଏକ ସଂକ୍ଷିପ୍ତ ଦୃଶ୍ୟ ଯେଉଁଥିରେ ଭିଲେନ୍ ଅରିକ୍ ଗୋଲ୍‌ଡଫିଙ୍ଗର୍ ଦ୍ବାରା ବଣ୍ଡ୍ ଗାର୍ଲ‌୍ ଚରିତ୍ର ଜିଲ୍ ମାଷ୍ଟର୍ସନ୍‌ଙ୍କ ହତ୍ୟା ସଂଘଟିତ ହୋଇଛି। ସୁନ୍ଦରୀ ଅଭିନେତ୍ରୀ ସାର୍ଲି ଇଟନ୍ ଅଭିନୀତ ଏହି ଚରିତ୍ରର ଅପରାଧ ଥିଲା ଗୋଲ୍‌ଡଫିଙ୍ଗର୍‌କୁ ଧୋକା ଦେବା। ମୁନି ମତିଭ୍ରମକାରିଣୀ ମାଷ୍ଟର୍ସନ୍ ପ୍ରତିପକ୍ଷକୁ ଅନ୍ୟମନସ୍କ କରାଇ ଜୁଆ ଖେଳ ଟେବୁଲ୍‌ରେ ସର୍ବଦା ଗୋଲ୍‌ଡଫିଙ୍ଗର୍‌କୁ ଜିଣିବାରେ ସାହାଯ୍ୟ କରିଥାଏ। ସେଇ ସହଯୋଗୀ ଜଣକ ଯେତେବେଳେ ଓଲଟା ଜେମ୍‌ସ ବଣ୍ଡ୍ ଦ୍ବାରା ଆକର୍ଷିତ ହୋଇ ଗୋଲ୍‌ଡଫିଙ୍ଗର୍‌ର ଯୋଜନା ପଣ୍ଡ କରିଦିଏ, ସେତେବେଳେ ଗୋଲ୍‌ଡଫିଙ୍ଗର୍‌ ମାଷ୍ଟର୍ସନ୍‌ଙ୍କୁ ମୃତ୍ୟୁଦଣ୍ଡ ପ୍ରଦାନ କରେ।

ବିକୃତ ବୁଦ୍ଧିଧାରୀ ଗୋଲ୍‌ଡଫିଙ୍ଗର୍‌ କିନ୍ତୁ କୌଣସି ଗତାନୁଗତିକ ଉପାୟ- ବନ୍ଧୁକ, ଫାଶୀ, ବିଷପାନ …- ଦ୍ବାରା ଏହି ହତ୍ୟାକାଣ୍ଡ ଘଟାଏ ନାହିଁ। ଗୋଲ୍‌ଡଫିଙ୍ଗର୍‌ର ନିଶା ହେଉଛି ସୁନା; ସେ ଏଇ ପୀତ ଧାତୁକୁ ହିଁ ହତ୍ୟାର ଆୟୁଧ ରୂପେ ବ୍ୟବହାର କରେ। ସେ ମାଷ୍ଟର୍ସନ୍‌ଙ୍କର ସାରା ଶରୀରକୁ ଏକ ସୁନେଲି ପ୍ରଲେପ ଦ୍ବାରା ଆବୃତ କରିଦିଏ। ପରବର୍ତ୍ତୀ ସମୟରେ ଗୁପ୍ତଚର ବଣ୍ଡ୍ ତା’ର ନିୟନ୍ତ୍ରଣକାରୀ ଅଫିସର୍‌ ‘ଏମ୍’ଙ୍କୁ ଏ ସମ୍ପର୍କରେ ବୁଝାଇ ଦେଇଛି ଯେ ‘ଚର୍ମ ଶ୍ବାସରୁଦ୍ଧ ଅବସ୍ଥା’ ଯୋଗୁଁ ଜିଲ୍ ମାଷ୍ଟର୍ସନ୍‌ଙ୍କର ମୃତ୍ୟୁ ଘଟିଥିଲା। ଅର୍ଥାତ୍ ସୁନେଲି ପ୍ରଲେପ ଦ୍ବାରା ମାଷ୍ଟର୍ସନ୍‌ଙ୍କ ଶରୀରର ସମସ୍ତ ଲୋମକୂପ ବନ୍ଦ ହୋଇ ଯିବାରୁ ତାଙ୍କର ଏହି ଦଶା ଘଟିଥିଲା।

କାହାଣୀ ଓ ବାସ୍ତବତାର ବିଭାଜକକୁ ଲିଭାଇ ଦେଇ ସେ ସିନେମାର ଅନେକ ଦର୍ଶକ ଅନେକ ଦିନ ପର୍ଯ୍ୟନ୍ତ ଏକଥା ମଧ୍ୟ ବିଶ୍ବାସ କରିଥିଲେ ଯେ ଏହି ଦୃଶ୍ୟର ସୁଟିଙ୍ଗ୍ ପରେ ସେଇ ସୁନେଲି ପ୍ରଲେପଜନିତ ‘ଚର୍ମ ଶ୍ବାସରୁଦ୍ଧ ଅବସ୍ଥା’ ଯୋଗୁଁ ଅଭିନେତ୍ରୀ ସାର୍ଲି ଇଟନ୍‌ଙ୍କର ସେଇ ସୁଟିଙ୍ଗ୍ ସେଟ୍‌ରେ ହିଁ ମୃତ୍ୟୁ ଘଟିଥିଲା। ଏହା ଅବଶ୍ୟ ସତ ନ ଥିଲା, ଯେମିତି ‘ଚର୍ମ ଶ୍ବାସରୁଦ୍ଧ ଅବସ୍ଥା’ଜନିତ ମୃତ୍ୟୁ ଘଟିବା ମଧ୍ୟ ବିଜ୍ଞାନ ସମ୍ମତ ନୁହେଁ ବୋଲି ବିଶେଷଜ୍ଞମାନେ କହିଥା’ନ୍ତି। ‌େ‌ତବେ ବିଶେଷଜ୍ଞମାନେ ମଧ୍ୟ ଏକମତ ହୋଇଥା’ନ୍ତି ଯେ ଯଦି ଦୀର୍ଘ ସମୟ ଧରି ଶରୀରର ଲୋମକୂପମାନ ଏଭଳି ନିବୁଜ ଅବସ୍ଥାରେ ରହନ୍ତି, ତେବେ ଶରୀରରୁ ଝାଳ ବାହାରି ପାରିବ ନାହିଁ ଓ ଝାଳର ବ‌ାଷ୍ପୀକରଣ ଓ ତଜ୍ଜନିତ ଶରୀରର ଶୀତଳୀକରଣ ସମ୍ଭବ ହେବ ନାହିଁ। ଏଥିଯୋଗୁଁ ଶରୀର ଅଂଶୁଘାତ ସଦୃଶ ଆଘାତର ସମ୍ମୁଖୀନ ହେବ, ଯାହା ଘାତକ ସାବ୍ୟସ୍ତ ହୋଇପାରେ।

ମନୁଷ୍ୟ ପରି ଉଷ୍ଣ ରକ୍ତଧାରୀ ପ୍ରାଣୀମାନେ ସେମାନଙ୍କର ଶରୀରର ଆଭ୍ୟନ୍ତରୀଣ ଉତ୍ତାପ ଏକ ନିର୍ଦ୍ଦିଷ୍ଟ ସୀମା ମଧ୍ୟରେ ସ୍ଥିର ରହିବା ଆବଶ୍ୟକ କରନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଏହି ବାଷ୍ପୀକରଣ-ଶୀତଳୀକରଣ କୌଶଳ ମାଧ୍ୟମରେ ଏହା ହାସଲ କରିଥା’ନ୍ତି- ମନୁଷ୍ୟର ଝାଳ ବାହାରି, କୁକୁର ଜିଭ ବାହାର କରି, ଘୁଷୁରି ପଙ୍କରେ ଲୋଟି…। ଏମାନଙ୍କର ଏହି ଆଚରଣକୁ ତାପ ମାପିବା ପାଇଁ ବ୍ୟବହୃତ ଥର୍ମୋମିଟର୍‌ର ପାରଦ ପେଟିକା (ବଲ୍‌ବ)କୁ ଏକ ଓଦା କନାରେ ଗୁଡ଼ାଇ ରଖିବା ସହିତ ତୁଳନା କରାଯାଏ। କନାର ଆର୍ଦ୍ରତାର ବାଷ୍ପୀକରଣ-ଶୀତଳୀକରଣ ଘଟି ଥର୍ମୋମିଟର ପ୍ରଦର୍ଶିତ କରୁଥିବା ତାପମାନରେ ହ୍ରାସ ଘଟାଇଥାଏ, ଯାହା ପାରିପାର୍ଶ୍ବିକ ତାପମାନ ଠାରୁ କମ୍ ହୋଇଥାଏ। ଏହାକୁ ‘ଓଦା ବଲ୍‌ବ ତାପମାନ’ କୁହାଯାଇଥାଏ (ଇଂରେଜୀରେ- ‘ୱେଟ୍ ବଲ୍‌ବ ଟେମ୍ପରେଚର୍’)। ସୂଚାଇବା ଅନାବଶ୍ୟକ, ପାରିପାର୍ଶ୍ବିକ ବାୟୁମଣ୍ଡଳରେ ଯଦି ଆର୍ଦ୍ରତା ଅଧିକ ଥାଏ, ତା’ହେଲେ ଓଦା କନା ରୂପକ ଝାଳର ଏହି ବାଷ୍ପୀକରଣ-ଶୀତଳୀକରଣ ପ୍ରକ୍ରିୟା ଧିମେଇଯିବ ଏବଂ ‘ଓଦା ବଲ୍‌ବ ତାପମାନ’ ଅପେକ୍ଷାକୃତ ଉଚ୍ଚା ହେବ। ଚିକିତ୍ସା ଶାସ୍ତ୍ର ଅନୁସାରେ ମନୁଷ୍ୟ ପାଇଁ ‘ଓଦା ବଲ୍‌ବ ତାପମାନ’ ସହନର ସର୍ବୋଚ୍ଚ ସୀମା ହେଉଛି ୩୫ଂ ସେଲ୍‌ସିଅସ୍। ଯଦି ଆପେକ୍ଷିକ ଆର୍ଦ୍ରତା ୫୦% ହୋଇଥାଏ, ତେବେ ୪୫ଂ ସେଲ୍‌ସିଅସ୍ ପ୍ରକୃତ ତାପମାନ ଏଥି ସହିତ ସମାନ ହୋଇଥାଏ; ଯଦି ଆପେକ୍ଷିକ ଆର୍ଦ୍ରତା ୭୫% ହୁଏ, ତେବେ ବାୟୁମଣ୍ଡଳର ପ୍ରକୃତ ତାପମାନ ୩୯ଂ ସେଲ୍‌ସିଅସ୍ ଛୁଇଁବ‌ା ବେଳକୁ ଏଭଳି ପରିସ୍ଥିତି ଉପୁଜି ଥାଏ। ଏହାର ଅର୍ଥ ବାୟୁମଣ୍ଡଳରେ ଅ‌ାପେକ୍ଷିକ ଆର୍ଦ୍ରତା ଯେତେ ଅଧିକ ଥିବ, ସେ ଅଞ୍ଚଳର ଅଧିବାସୀମାନେ ସେତେ ଶୀଘ୍ର ଜିଲ୍ ମାଷ୍ଟର୍ସନ୍‌ଙ୍କ ଦଶା ଭୋଗିବାର ସମ୍ଭାବନା ଦେଖା ଦେବ।

୨୦୨୦ରେ ପ୍ରକାଶିତ କିମ୍ ଷ୍ଟାନ୍‌ଲୀ ରବିନସନ୍‌ଙ୍କର ଜଳବାୟୁ ପରିବର୍ତ୍ତନଭିତ୍ତିକ ଉପନ୍ୟାସ ‘ଦି ମିନିଷ୍ଟ୍ରି ଫର୍ ଦି ଫିଉଚର୍’ରେ ଭାରତ ପାଇଁ ଏଇଭଳି ଏକ ଚିତ୍ରର ପରିକଳ୍ପନା କରାଯାଇଛି, ଯେଉଁଥିରେ ତାପ ଲହରୀ ଯୋଗୁଁ ଉତ୍ତର ଭାରତର ସମତଳ ଅଞ୍ଚଳରେ ୩୫ଂ ସେଲ୍‌ସିଅସ୍ (୯୫ଂ ଫାରେନ୍‌ହାଇଟ୍) ‘ଓଦା ବଲ୍‌ବ ତାପମାନ’ ଲାଗି ରହିବା ଯୋଗୁଁ ପ୍ରାୟ ଦୁଇ କୋଟି ଲୋକଙ୍କର ମାଷ୍ଟର୍ସନ୍‌ଙ୍କ ଭଳି ମୃତ୍ୟୁ ଘଟିଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ‘ଓଦା ବଲ୍‌ବ ତାପମାନ’ ୩୫ଂ ସେଲ୍‌ସିଅସ୍ ହେବା ଘାତକ ସାବ୍ୟସ୍ତ ହୋଇଥିଲେ ହେଁ, ଏହା ୩୨ଂ ସେଲ୍‌ସିଅସ୍ ଛୁଇଁବା ପରେ ଘର ଭିତରୁ ପଦାକୁ ଗୋଡ଼ କାଢ଼ିବା ମନୁଷ୍ୟ ପାଇଁ ଘୋର କ୍ଷତିକାରକ ହୋଇଥାଏ। ଏଣୁ ୩୨ଂ ସେଲ୍‌ସିଅସ୍ ‘ଓଦା ବଲ୍‌ବ ତାପମାନ’କୁ ସେଇ ଉପନ୍ୟାସ ବର୍ଣ୍ଣିତ ୩୫ଂ- ପ୍ରଳୟ ଆଗମନର ପୂର୍ବ ସୂଚନା ବହନକାରୀ ଏକ ସତର୍କ ଘଣ୍ଟି ରୂପେ ବିଚାର କରାଯାଇପାରେ।

ଚିନ୍ତାର ବିଷୟ ହେଲା ଭାରତରେ ବୋଧହୁଏ ସତକୁ ସତ ଏବେ ସେଇ ଘଣ୍ଟିର ଶବ୍ଦ ଶୁଭିବାକୁ ଆରମ୍ଭ କଲାଣି। ଏକ ମର୍ଯ୍ୟାଦାଜନକ ଆନ୍ତର୍ଜାତିକ ପ୍ରକାଶନ ସଂସ୍ଥା ଦ୍ବାରା ଭାରତର ଛ’ଟି ବଡ଼ ବଡ଼ ସହରର ବିମାନବନ୍ଦର ଠାରେ ରେକର୍ଡ କରାଯାଉଥିବା ଦୈନିକ ତାପମାନ ଓ ଆପେକ୍ଷିକ ଆର୍ଦ୍ରତାର ଅନୁଶୀଳନ କରାଯାଇ ଆବିଷ୍କାର କରାଯାଇଛି ଯେ ଗତ ପାଞ୍ଚ ବର୍ଷ ଧରି ସେମାନଙ୍କ ମଧ୍ୟରୁ ଚାରିଟିରେ ‘ଓଦା ବଲ୍‌ବ ତାପମାନ’ ୩୨ଂ ସେଲ୍‌ସିଅସ୍ ଅତିକ୍ରମ କରି ଚାଲିଛି। ଚଳିତ ମେ ପହିଲା ତାରିଖରେ ଚେନ୍ନାଇରେ ଏହା ୩୨.୬ଂ ସେଲ୍‌ସିଅସ୍ ଛୁଇଁଥିଲା, ଯାହା ବିଗତ ଦଶ ବର୍ଷ ମଧ୍ୟରେ ଥିଲା ସର୍ବୋଚ୍ଚ। ସେଦିନ ସେଠାରେ ବାୟୁମଣ୍ଡଳର ପ୍ରକୃତ ତାପମାନ ଥିଲା ୩୮ଂ ସେଲ୍‌ସିଅସ୍ ଏବଂ ଆପେକ୍ଷିକ ଆର୍ଦ୍ରତା ଥିଲା ୬୮%। ଦିଲ୍ଲୀରେ ସେ ଦିନ ପ୍ରକୃତ ତାପମାନ ଥିଲା ଏହା ଠାରୁ ଅଧିକ, ୪୦ଂ ସେଲ୍‌ସିଅସ୍, କିନ୍ତୁ ସେଠାକାର ଶୁଷ୍କ ବାୟୁମଣ୍ଡଳର ଆପେକ୍ଷିକ ଆର୍ଦ୍ରତା ମାତ୍ର ୨୩% ହୋଇଥିବାରୁ, ଦିଲ୍ଲୀ ପାଇଁ ପ୍ରଯୁଜ୍ୟ ‘ଓଦା ବଲ୍‌ବ ତାପମାନ’ ଥିଲା ଏକ ସହନୀୟ ସ୍ତରରେ, ୨୪ଂ ସେଲ୍‌ସିଅସ୍।

ଗବେଷଣାରୁ ଜଣାପଡ଼ିଥାଏ ଯେ ଭାରତର ପୂର୍ବ ଉପକୂଳ ଓ ଉତ୍ତର-ପଶ୍ଚିମ ଅଞ୍ଚଳରେ ରେକର୍ଡ କରାହୋଇଥିବା ‘ଓଦା ବଲ୍‌ବ ତାପମାନ’ହେଉଛି ପୃଥିବୀର ସର୍ବୋଚ୍ଚ ମଧ୍ୟରୁ ଅନ୍ୟତମ। ୨୦୨୦ରେ ପୂର୍ବରେ କଲିକତା ଓ ପଶ୍ଚିମରେ ଅହମଦାବାଦରେ ଅନେକ ଦିନ ଧରି ‘ଓଦା ବଲ୍‌ବ ତାପମାନ’ ୩୧ଂ ସେଲ୍‌ସିଅସ୍ ଅତିକ୍ରମ କରିବା ଦେଖାଯାଇଥିଲା। ଦିଲ୍ଲୀର ଶୁଷ୍କ ଜଳବାୟୁ ସତ୍ତ୍ବେ ୨୦୧୮ ଜୁଲାଇର ମୌସୁମୀ ଭିଜା ଆର୍ଦ୍ର ପରିବେଶରେ ସେଠାରେ ମଧ୍ୟ ‘ଓଦା ବଲ୍‌ବ ତାପମାନ’ ୩୨ଂ ସେଲ୍‌ସିଅସ୍ ସ୍ପର୍ଶ କରିବା ଦେଖାଯାଇଥିଲା।

ଏହି ପରିସ୍ଥିତିର ବିପଜ୍ଜନକ ଦିଗ ହେଉଛି ଏହା ଯେ ସ୍ଥାନୀୟ ଜଳ ଯୋଗାଣ, ବିଦ୍ୟୁତ୍ ଶକ୍ତି ଯୋଗାଣ ଆଦିରେ ଉନ୍ନତୀକରଣ ମାଧ୍ୟମରେ ଏହାର କଷ୍ଟ ଲାଘବ କରାଯାଇ ପାରେ, କିନ୍ତୁ ସମସ୍ୟାର ମୂଳୋତ୍ପାଟନ କରାଯାଇ ପାରିବ ନାହିଁ। କାରଣ ଯେଉଁ ‌ସୁନେଲି ପ୍ରଲେପ ଯୋଗୁଁ ଆମ ଅଞ୍ଚଳର ‘ଓଦା ବଲ୍‌ବ ତାପମାନ’ରେ ଏପରି ବୃଦ୍ଧି ଘଟୁଛି, ତାହା ସାରା ପୃଥିବୀର ପରିବେଶ ଉପରେ ବୋଳି ଦିଆଯିବାରେ ଲାଗିଛି, ଯାହାର ନାମ ହେଉଛି ‘ଗ୍ରୀନ୍ ହାଉସ୍ ଗ୍ୟାସ୍’। ଏବଂ ଏହାକୁ ପୃଥିବୀ ରୂପକ ଜିଲ୍ ମାଷ୍ଟର୍ସନ୍‌ଙ୍କ ଶରୀରରେ ଯିଏ ବୋଳି ଚାଲିଛି, ସେ ଜଣେ ମାତ୍ର ଭିଲେନ୍ ଗୋଲ୍‌ଡଫିଙ୍ଗର୍‌ ନୁହେଁ, ଏଠ‌ାରେ ଭିଲେନ୍ ହେଉଛି ସମଗ୍ର ମାନବ ଜାତି। ଏଣୁ ସାରା ମାନବ ସମାଜ ନିର୍ଗମନ ନିୟନ୍ତ୍ରଣ ନିମିତ୍ତ ମିଳିତ ପଦକ୍ଷେପ ନ ନେଲେ ଧରିତ୍ରୀକୁ କେହି ଚର୍ମ ଶ୍ବାସରୁଦ୍ଧ ହେବାରୁ ରକ୍ଷା କରିପାରିବ ନାହିଁ କିମ୍ବା ଆମକୁ ‘ଓଦା ବଲ୍‌ବ ତାପମାନ’ରେ ସିଝିବାରୁ ତ୍ରାହି ମିଳିବ ନାହିଁ।

ସମ୍ବନ୍ଧିତ ଖବର