ଚାରି ମସ୍କେଟିଅର୍‌

ଆଥସ୍‌, ପର୍ଥସ୍‌, ଆରାମିସ୍‌, ଡାର୍ଟାନିଅନ୍‌। ଭାରତର ଯେଉଁ ଖେଳପ୍ରେମୀମାନେ ଆଲେକ୍‌ଜାଣ୍ତର‌୍‌ ଡୁମାଙ୍କର ବିଶ୍ବପ୍ରସିଦ୍ଧ ଉପନ୍ୟାସ, ‘ଦି ଥ୍ରୀ ମସ୍କେଟିଅର୍ସ’ ସହିତ ପରିଚିତ, ସେମାନେ ବର୍ତ୍ତମାନ ନିଶ୍ଚିତ ରୂପେ ଭାରତର ବାଡମିଣ୍ଟନ୍‌ ଜଗତରେ ଡୁମାଙ୍କ ଉପନ୍ୟାସର ଏହି ଦୁର୍ଦ୍ଧର୍ଷ ଯୋଦ୍ଧା ଚତୁଷ୍ଟୟଙ୍କର ନୂତନ ଅବତାରରେ ଆବିର୍ଭାବ ଘଟିଛି ବୋଲି କୁହାକୁହି ହେଉଥିବେ। ଏମାନେ ହେଲେ- ଲକ୍ଷ ସେନ୍‌, ଚିରାଗ ସେଟ୍ଟି, ସାତ୍ବିକସାଇରାଜ ରାଙ୍କିରେଡ୍‌ଡୀ ଓ କିଦାମ୍ବି ଶ୍ରୀକାନ୍ତ। ଏହି ଚାରି ଯୋଦ୍ଧା ମିଶି ଭାରତ ପାଇଁ ଥମାସ୍‌ କପ୍‌ ଟୁର୍ନାମେଣ୍ଟରେ ଯେଉଁ ବିଜୟ ହାସଲ କରିଛନ୍ତି, ତାହା ଏହି ଟୁର୍ନାମେଣ୍ଟର ୭୩ ବର୍ଷର ଇତିହାସରେ ପ୍ରଥମ।

ପୃଥିବୀରେ ପୁରୁଷମାନଙ୍କ ପାଇଁ ଉଦ୍ଦିଷ୍ଟ ବାଡମିଣ୍ଟନ୍‌ ପ୍ରତିଯୋଗିତାରେ ‘ଥମାସ୍‌ କପ୍‌’ ହେଉଛି ସର୍ବାଧିକ ମର୍ଯ୍ୟାଦା ବହନକାରୀ ଟୁର୍ନାମେଣ୍ଟ। ଏଥିପୂର୍ବରୁ ଭାରତର ଏହି ପ୍ରତିଯୋଗିତାରେ କେବେହେଲେ ଫାଇନାଲ୍‌ରେ ମଧୢ ପ୍ରବେଶ କରିପାରିନଥିଲା; ତିନି ଥର ମାତ୍ର ସେମିଫାଇନାଲ୍‌ ପର୍ଯ୍ୟନ୍ତ ଯାଇପାରିଥିଲା। ଶେଷ ଥର ଭାରତ ସେମିଫାଇନାଲ୍‌ରେ ପହଞ୍ଚି ପାରିଥିଲା ଚାରି ଦଶନ୍ଧିରୁ ଅଧିକ କାଳ ତଳେ-୧୯୭୯ରେ। ବର୍ତ୍ତମାନ ଭାରତ ପାଇଁ ଏହି ଚାରି ମସ୍କେଟିଅର‌୍‌ ଆଣିଥିବା ସମ୍ମାନର ଗୁରୁତ୍ବ ହୃଦୟଙ୍ଗମ କରିବା ପାଇଁ ସୂଚାଇବା ଉଚିତ ହେବ ଯେ ‘ଥମାସ୍‌ କପ୍‌’ର ଏହି ସୁଦୀର୍ଘ ଇତିହାସରେ ଏପର୍ଯ୍ୟନ୍ତ ମାତ୍ର ପାଞ୍ଚଟି ଦେଶ ଏହି କପ୍‌ ଜିଣିବାରେ ସଫଳ ହୋଇଥିଲେ, ଭାରତ ହେଉଛି ଷଷ୍ଠ। ଆଉ ସେମାନଙ୍କର ଏହି ଲଢ଼େଇ ଯେ ଆଦୌ ସହଜ ନ ଥିଲା, ତାହା ବୁଝିବା ପାଇଁ ମନେ ରଖିବା ଦରକାର ଯେ ଯେଉଁ ଦେଶ ଫାଇନାଲ୍‌ ମ୍ୟାଚରେ ସେମାନଙ୍କର ପ୍ରତିପକ୍ଷ ଥିଲା ସେଇ ଇଣ୍ତୋନେସିଆ ହେଉଛି ପୃଥିବୀର ଅଗ୍ରଗଣ୍ୟ ବାଡମିଣ୍ଟନ୍‌ ଶକ୍ତି, ଯିଏ ୩୦ ଥର ଆୟୋଜିତ ହୋଇଥିବା ଏହି ଟୁର୍ନାମେଣ୍ଟରୁ ଥରେ ନୁହେଁ କି ଦୁଇ ଥର ନୁହେଁ, ୧୪ ଥର ଏହି କପ୍‌ ଜିତିପାରିଛି।

ଇଣ୍ତୋନେସିଆ ମଧୢ ଦୁଇ ବର୍ଷ ତଳେ ଅନ୍ୟତମ ବାଡମିଣ୍ଟନ୍‌ ଶକ୍ତି ଚୀନ୍‌କୁ ପରାସ୍ତ କରି ଏହାର ପୂର୍ବବର୍ତ୍ତୀ ଟୁର୍ନାମେଣ୍ଟରେ ବିଜୟ ଲାଭ କରିଥିଲା ଏବ˚ ସେଇ ବିଜୟୀ ଟିମ୍‌ର ଅଧିକା˚ଶ ସଦସ୍ୟ ଏଥର ମଧୢ ବ୍ୟାଙ୍କକ୍‌ରେ ଅନୁଷ୍ଠିତ ଫାଇନାଲ୍‌ରେ ଭାରତ ବିରୋଧରେ ଖେଳୁଥିଲେ। ତଥାପି ଭାରତ ଫାଇନାଲ୍‌ରେ କେବଳ ବିଜୟ ଲାଭ କଲା, ତାହା ନୁହେଁ, ତିନିଟି ଯାକ ମ୍ୟାଚ୍‌-ଦୁଇଟି ସିଙ୍ଗ୍‌ଲସ ଓ ଗୋଟିଏ ଡବ୍‌ଲସ୍‌- ଜିଣି ୩-୦ରେ ବିଜୟ ହାସଲ କଲା।

ଏହି ଟୁର୍ନାମେଣ୍ଟରେ ଭାରତର ଏକ ନମ୍ବର ସିଙ୍ଗ୍‌ଲସ ଖେଳାଳି ମାତ୍ର ୨୦ ବର୍ଷୀୟ ଲକ୍ଷ ସେନ୍‌ ଯେଉଁ ଧୈର୍ଯ୍ୟ ଓ ସାହସର ପରିଚୟ ଦେଇଥିଲେ, ତାହା ଅତୁଳନୀୟ କହିଲେ ଅତ୍ୟୁକ୍ତି ହେବ ନାହିଁ। ଟୁର୍ନାମେଣ୍ଟ ଆରମ୍ଭରେ ଖାଦ୍ୟ ବିଷାକ୍ତ ହେବା ଯୋଗୁଁ ସେ ଅସୁସ୍ଥ ହୋଇ ପଡ଼ିଥିଲେ। ନିୟମ ଅନୁସାରେ ପ୍ରତ୍ୟେକ ଟିମ୍‌ ତା’ର ପ୍ରଥମ ସିଙ୍ଗ୍‌ଲସ୍‌ ମ୍ୟାଚ୍‌ରେ ତା’ର ଏକ ନମ୍ବର ଖେଳାଳିକୁ ଅବତୀର୍ଣ୍ଣ କରାଇବା ପାଇଁ ବାଧୢ। ଲକ୍ଷ ସେନ୍‌ ଏଣୁ ଲଢ଼ିବା ପାଇଁ ବାଧୢ ହେଲେ ଏବ˚ ପରପର ତିନିଟି ସିଙ୍ଗ୍‌ଲସ୍‌ ମ୍ୟାଚ୍‌ରେ ପରାଜୟ ବରଣ କରି ଚାଲିଲେ। ରୢାଙ୍କିଙ୍ଗ୍‌ ଅନୁସାରେ ଲକ୍ଷ ସେନ୍‌ ହେଉଛନ୍ତି ପୃଥିବୀର ୯ ନମ୍ବର ସିଙ୍ଗ୍‌ଲସ୍‌ ଖେଳାଳି; ଏହି ତିନିଟି ଯାକ ମ୍ୟାଚ୍‌ରେ ତାଙ୍କର ପ୍ରତିପକ୍ଷମାନେ ଥିଲେ ତାଙ୍କ ଠାରୁ ଉଚ୍ଚତର ରୢାଙ୍କ ଧାରଣକାରୀ ଖେଳାଳି- ସେମାନଙ୍କ ମଧୢରୁ ଜଣେ ମଧୢ ଥିଲେ ପୃଥିବୀର ଏକ ନମ୍ବର ଖେଳାଳି, ଡେନ୍‌ମାର୍କର ଭିକ୍ଟର ଆକ୍ସେଲ୍‌ସେନ୍‌। କିନ୍ତୁ ସେଇ ଲକ୍ଷ ସେନ୍‌ ଯେତେବେଳେ ଫାଇନାଲ୍‌ର ପ୍ରଥମ ସିଙ୍ଗ୍‌ଲସ୍‌ ମ୍ୟାଚ୍‌ରେ ବିଶ୍ବର ୪ ନମ୍ବର ଖୋଳାଳି ଆନ୍ଥୋନୀ ଜିନ୍‌ଟିଙ୍ଗ୍‌ଙ୍କର ସମ୍ମୁଖୀନ ହେଲେ ଓ ପ୍ରଥମ ଗେମ୍‌ଟି ୮-୨୧ରେ ହାରିଗଲେ, ସେତେବେଳେ ସେ ଅପୂର୍ବ ଧୈର୍ଯ୍ୟ ଓ ଏକାଗ୍ରତାର ପରିଚୟ ଦେଇ ପର ଦୁଇଟି ଗେମ୍‌ ୨୧-୧୭ ଓ ୨୧-୧୬ରେ ଜିଣି ମ୍ୟାଚ୍‌ରେ ବିଜୟ ଲାଭ କରି ଫାଇନାଲ୍‌ରେ ଭାରତର ବିଜୟର ମୂଳଦୁଆ ପକାଇଲେ। ଏହା ଅଲୌକିକ ମନେହୁଏ ନାହିଁ କି? ଟୁର୍ନାମେଣ୍ଟରେ ସେ ଏପର୍ଯ୍ୟନ୍ତ ଖେଳିଥିବା ସମସ୍ତ ମ୍ୟାଚ୍‌ରେ ପରାଜିତ ହୋଇଥିଲେ; କିନ୍ତୁ ତାହାକୁ କୌଣସି ମାନସିକ ଚାପରେ ପରିଣତ ହେବାକୁ ନ ଦେଇ ଫାଇନାଲ୍‌ର ପ୍ରଥମ ମ୍ୟାଚ୍‌ରେ ହିଁ ବିଜୟ ଲାଭ କରି ନିଜର ଟିମ୍‌କୁ ପରବର୍ତ୍ତୀ ମ୍ୟାଚ୍‌ ଗୁଡ଼ିକରେ ଚାପମୁକ୍ତ କରିଦେଲେ।

ଭାରତର ଡବ୍‌ଲସ୍‌ ଯୋଡ଼ି ରାଙ୍କିରେଡ୍‌ଡୀ ଓ ଚିରାଗ ସେଟ୍ଟିଙ୍କର ଯେତେ ପ୍ରଶ˚ସା କଲେ ମଧୢ ଯଥେଷ୍ଟ ହେବ ନାହିଁ। କ୍ବାର୍ଟର ଫାଇନାଲ୍‌ ଓ ସେମି ଫାଇନାଲ୍‌ରେ ସେମାନଙ୍କର ଡବ୍‌ଲସ୍‌ ମ୍ୟାଚ୍‌ ବିଜୟ ଭାରତକୁ ଫାଇନାଲରେ ପହଞ୍ଚାଇବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା। ଫାଇନାଲ୍‌ରେ ଯେଉଁ ଦୁଇଜଣ ଇଣ୍ତୋନେସୀୟ ଖେଳାଳି ସେମାନଙ୍କର ପ୍ରତିପକ୍ଷ ଥିଲେ, ସେ ଦୁଇଜଣ ହେଉଛନ୍ତି ବିଶ୍ବ ଡବ୍‌ଲସ୍‌ ଖେଳାଳି ମାନ୍ୟତା ତାଲିକାରେ ଯଥାକ୍ରମେ ୧ ନମ୍ବର ଓ ୨ ନମ୍ବର ରୢାଙ୍କ୍‌ଧାରୀ ମହମ୍ମଦ ଆହସାନ୍‌ ଓ କେଭିନ୍‌ ସଞ୍ଜୟ ସୁକାମୁଲ୍‌ଜୋ। ଭାରତୀୟ ଯୋଡ଼ି ମ୍ୟାଚ୍‌ର ପ୍ରଥମ ଗେମ୍‌ ୧୮-୨୧ରେ ହାରିଗଲେ। ସେମାନେ କିନ୍ତୁ ଆରମ୍ଭର ବିପର୍ଯ୍ୟୟ ଯୋଗୁଁ ଭାଙ୍ଗି ନ ପଡ଼ି ଦ୍ବିତୀୟ ଗେମ୍‌ରେ ଅବିଶ୍ବାସ୍ୟ ଆତ୍ମବିଶ୍ବାସର ପରିଚୟ ଦେଇ ଚାରି ଚାରିଟି ମ୍ୟାଚ୍‌ ପଏଣ୍ଟ ରକ୍ଷା କରିବାରେ ସଫଳ ହୋଇ ୨୩-୨୧ରେ ଗେମ୍‌ଟି ଜିଣି ନେଲେ। ତୃତୀୟ ଗେମ୍‌ଟିକୁ ସେମାନେ ଏଭଳି ସଙ୍କଟ ମଧୢକୁ ନ ଠେଲି ୨୧-୧୯ରେ ଜିତି ମ୍ୟାଚ୍‌ଟି ହାତେଇ ନେଇଥିଲେ।

ଚାରି ମସ୍କେଟିଅର‌୍‌ଙ୍କ ମଧୢରୁ ଯାହାଙ୍କର ପ୍ରଦର୍ଶନ ଏହି ଟୁର୍ନାମେଣ୍ଟରେ ସବୁଠାରୁ ତ୍ରୁଟିଶୂନ୍ୟ ଓ ଚମକପ୍ରଦ ହୋଇଛି, ସେ ହେଉଛନ୍ତି ବିଶ୍ବର ପୂର୍ବତନ ଏକ ନମ୍ବର ରୢାଙ୍କ୍‌ଧାରୀ କିଦାମ୍ବି ଶ୍ରୀକାନ୍ତ। ଶାରୀରିକ ଆହତ ଅବସ୍ଥାରୁ ପ୍ରତ୍ୟାବର୍ତ୍ତନ ପରେ ଏ ପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରିପାରିନଥିବା ଶ୍ରୀକାନ୍ତ ନିଜର ଫର୍ମ ଫେରି ପାଇବା ପାଇଁ ସତେ ଯେମିତି ଏହି ସର୍ବଶ୍ରେଷ୍ଠ ଟୁର୍ନାମେଣ୍ଟକୁ ଅପେକ୍ଷା କରିଥିଲେ। ଏହି ଟୁର୍ନାମେଣ୍ଟରେ ସେ ଖେଳିଥିବା ପାଞ୍ଚଟି ଯାକ ମ୍ୟାଚ୍‌ରେ କିଦାମ୍ବି ଶ୍ରୀକାନ୍ତ ବିଜୟ ଲାଭ କରି ଭାରତର ବିଜୟର ଭିତ୍ତିଭୂମିକୁ ସୁଦୃଢ଼ କରିଥିଲେ।

ଏହି ଚାରି ମସ୍କେଟିଅର‌୍‌ଙ୍କର ନିର୍ଭୀକ ଲଢେ଼ଇ ଭାରତ ପାଇଁ ବିଜୟ ଆଣି ଦେଇଛି ସତ, କିନ୍ତୁ ଯେଉଁ ଦୁଇଜଣ ସେନାପତିଙ୍କର ଦୂରଦର୍ଶୀ, ଉତ୍ସର୍ଗୀକୃତ, ପ୍ରଗାଢ଼ ଉଦ୍ୟମ ବିନା ଏହି ଯୋଦ୍ଧାମାନଙ୍କର ସୃଷ୍ଟି ସମ୍ଭବ ହୋଇନଥାନ୍ତା, ଏହି ଅବସରରେ ଦେଶବାସୀ ସେମାନଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରିବା ସର୍ବାଦୌ ଆବଶ୍ୟକ। ସେମାନେ ହେଉଛନ୍ତି ପ୍ରକାଶ ପାଡୁକୋଣେ ଓ ପୁଲେଲା ଗୋପୀଚାନ୍ଦ। ବିଶ୍ବ ବାଡ୍‌ମିଣ୍ଟନ୍‌ ଜଗତରେ ଏ ଦୁଇ ଜଣଙ୍କର ଚମକପ୍ରଦ ସଫଳତା ଯେ ପରବର୍ତ୍ତୀ ସମୟରେ ଅନେକ ଭାରତୀୟ ଯୁବକଯୁବତୀଙ୍କୁ କ୍ରିକେଟ୍‌ର ସର୍ବଗ୍ରାସୀ ପ୍ରଭାବରୁ ମୁକୁଳାଇ ବାଡମିଣ୍ଟନ୍‌ ରୢାକେଟ୍‌ ଧରିବାକୁ ଉତ୍ସାହିତ କରିଥିଲା, ତାହା ନୁହେଁ, ଏମାନଙ୍କ ମଧୢରୁ ଯୋଗ୍ୟ ଖେଳାଳିମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଆବଶ୍ୟକ ତାଲିମ ପ୍ରଦାନ ନିମିତ୍ତ ଅନୁଷ୍ଠାନ ପ୍ରତିଷ୍ଠା କରି ପାଡୁକୋଣେ ଓ ଗୋପୀଚାନ୍ଦ ସେମାନଙ୍କର ଉତ୍ସାହକୁ ଆଜିର ସଫଳତାରେ ରୂପାନ୍ତରିତ କରିଛନ୍ତି।

ବାସ୍ତବରେ ରବିବାର ଦିନ ବ୍ୟାଙ୍କକ୍‌ରେ ଯେଉଁ ଚାରିଜଣ ତାରକା ଇତିହାସ ରଚନା କରିଥିଲେ, ସେମାନଙ୍କ ମଧୢରୁ ଲକ୍ଷ ସେନ୍‌ ପ୍ରକାଶ ପାଡୁକୋଣେଙ୍କ ଏକାଡେମୀରେ ତାଲିମ ନେଇଥିବା ବେଳେ କିଦାମ୍ବି ଶ୍ରୀକାନ୍ତ, ଚିରାଗ ସେଟ୍ଟି ଓ ସାତ୍ବିକସାଇରାଜ ରାଙ୍କିରେଡ୍‌ଡୀ ଗୋପୀଚାନ୍ଦ ଏକାଡେମୀରେ ତାଲିମ ନେଇଛନ୍ତି। ଭାରତର ଏହି ବାଡମିଣ୍ଟନ୍‌ ସଫଳତା କାହାଣୀରେ ଯାହା ହେଉଛି ଆହୁରି ଆନନ୍ଦଦାୟକ, ତାହା ହେଲା ଏହି ଖେଳରେ ଭାରତୀୟ ଯୁବତୀମାନେ ମଧୢ ହାସଲ କରିଥିବା ବିଶ୍ବସ୍ତରୀୟ ସଫଳତା, ଯେଉଁଠି ଦୁଇ ଉଜ୍ଜ୍ବଳତମ ତାରକା ହେଉଛନ୍ତି ସାଇନା ନେହ୍‌ଵାଲ୍‌ ଏବ˚ ପିଭି ସିନ୍ଧୁ। ଏଥିରେ ଆଶ୍ଚର୍ଯ୍ୟ ହେବାର ନାହିଁ ଯେ ଏ ଦୁଇ ଜଣ ମଧୢ ହେଉଛନ୍ତି ଗୋପୀଚାନ୍ଦ ଏକାଡେମୀର ଶିଷ୍ୟା। ଆଜିର ଆନନ୍ଦମୟ ମୁହୂର୍ତ୍ତରେ ଆମେ ସେ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛୁ।

ସମ୍ବନ୍ଧିତ ଖବର