କଂ‌ଗ୍ରେସ ସଙ୍କଟ

ଉଦୟପୁରରେ ସ˚ପନ୍ନ କ˚ଗ୍ରେସ ଦଳର ଚିନ୍ତନ ବୈଠକର ନିର୍ଯାସ ପରିପ୍ରେକ୍ଷୀରେ ଯେଉଁ ଲଘୁ ଉଦାହରଣଟିଏ ଦେବାକୁ ଚାହୁଁଛୁ, ତାହା ହେଉଛି ଜନସୁମାରି ବେଳେ ନିଜକୁ ଛାଡ଼ି ଅନ୍ୟମାନଙ୍କୁ ଗଣିବାର ଅଭ୍ୟାସ। ଏ ବିଲକ୍ଷଣଟି ସାନ ପିଲାଙ୍କ କ୍ଷେତ୍ରରେ ବେଶି ଦେଖାଯାଇଥାଏ, ଯେଉଁମାନେ ଗଣିବା ବେଳେ ସମୟେ ସମୟେ ନିଜକୁ ଭୁଲି ଯାଇଥାଆନ୍ତି। ଭାରତର ୧୩୭ ବର୍ଷର ପୁରୁଣା କ˚ଗ୍ରେସ ଦଳକୁ କେହି କେହି ହାତୀ ସାଙ୍ଗରେ ତୁଳନା କରିଥାଆନ୍ତି। ଏହି ହାତୀଟି ଏବେ ବ୍ୟାଧି-ବାର୍ଦ୍ଧକ୍ୟଗ୍ରସ୍ତ ହୋଇ ଶୋଇପଡ଼ିଛି ଏବ˚ ତାକୁ ଉଠେଇବା ଲାଗି ସେହି ତିନିଜଣ ଆହ୍ବାନ ଦେଉଛନ୍ତି ଯେଉଁମାନେ ହାତୀର ମୁମୂର୍ଷୁ ଅବସ୍ଥା ଲାଗି ଦାୟୀ। ସେମାନେ ହେଲେ ସୋନିଆ ଗାନ୍ଧୀ, ରାହୁଳ ଗାନ୍ଧୀ ଏବ˚ ପ୍ରିୟଙ୍କା ଗାନ୍ଧୀ। ପାରଦର୍ଶିତା ପ୍ରଦର୍ଶନରେ ବିଫଳ ହୋଇଥିବା ଗାନ୍ଧୀ ପରିବାରର ଏହି ସଦସ୍ୟମାନଙ୍କ ପ୍ରସଙ୍ଗ ହିଁ ବର୍ତ୍ତମାନ ଦଳ ଭିତରେ ଓ ବାହାରେ ବେଶି ଚର୍ଚ୍ଚା ହେଉଛି। ଦଳକୁ ସଜାଡ଼ିବା ଲାଗି ଆସି ନିର୍ବାଚନ ରଣକୌଶଳୀ ପ୍ରଶାନ୍ତ କିଶୋର ଫେରିଯାଇଥିବାର କାରଣ ମଧ୍ୟ ଏଇଆ ବୋଲି ଚର୍ଚ୍ଚା ହେଉଅଛି।

ଉଦୟପୁର ଚିନ୍ତନ ବୈଠକରେ ଦଳର ଅଧୢକ୍ଷା ସୋନିଆ ଗାନ୍ଧୀ ଅନେକଗୁଡ଼ିଏ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଘୋଷଣା କରିଛନ୍ତି। ତାହା ଭିତରୁ କେତୋଟି ହେଲା, ତାଙ୍କର ଦଳ ଗୋଟିଏ ପରିବାରକୁ ଗୋଟିଏ ଟିକେଟ୍‌ ଦେବ, ଦ୍ବିତୀୟ କଥାଟି ହେଲା ୨୦୨୪ ନିର୍ବାଚନ ପାଇଁ ଶତକଡ଼ା ୫୦ ଭାଗ ସିଟ୍‌ରେ ୫୦ ବର୍ଷରୁ କମ୍‌ ବୟସର ପ୍ରାର୍ଥୀଙ୍କୁ ଅବତୀର୍ଣ୍ଣ କରାଯିବ। ତୃତୀୟ କଥାଟି ହେଲା, ଦଳର କୌଣସି ଗୁରୁତ୍ବପୂର୍ଣ୍ଣ ପଦପଦବିରେ କେହି ବ୍ୟକ୍ତି ପାଞ୍ଚବର୍ଷରୁ ଅଧିକ କାଳ ରହିବେ ନାହିଁ। ଏତଦ୍‌ଭିନ୍ନ ଅନ୍ୟ ଯେଉଁସବୁ ନିଷ୍ପତ୍ତି ନିଆଯାଉଛି ତାହା ଭିତରୁ ଗୋଟିଏ ହେଲା, ତରୁଣ କର୍ମୀମାନଙ୍କୁ ତାଲିମ ଦେବାଲାଗି ଏକ ଜାତୀୟ ତାଲିମ ପ୍ରତିଷ୍ଠାନର ଗଠନ। କ˚ଗ୍ରେସ ଦଳର ସଭାପତି ଆଗାମୀ ଗାନ୍ଧୀ ଜୟନ୍ତୀ, ୨ ଅକ୍‌ଟୋବରରୁ ‘ଭାରତ ଯୋଡ଼ୋ’ କାର୍ଯ୍ୟକ୍ରମର ଘୋଷଣା କରିଛନ୍ତି ଯାହା କାଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଚାଲିବ।

ସୋନିଆ ଗାନ୍ଧୀଙ୍କ ଘୋଷିତ ଉପର୍ଯ୍ୟୁକ୍ତ କଥାଗୁଡ଼ିକୁ ନେଇ କୌଣସି ସମସ୍ୟା ନାହିଁ। ତେବେ ସମସ୍ୟା ହେଉଛି ଧୂସର, ବିବର୍ଣ୍ଣ ପାଲଟିଥିବା ଏହି ଦଳ ଭିତରେ କିଏ ସବୁଜିମାର ଉତ୍ସାହ ଭରି ଦେଇ ପାରିବେ? ପ୍ରଶାନ୍ତ କିଶୋର ଗୋଟିଏ ସାକ୍ଷାତ୍‌କାରରେ ଦର୍ଶାଇଛନ୍ତି ଯେ ୨୦୧୯ରେ ଟିକେଟ୍‌ ପାଇଥିବା ପ୍ରାୟ ୧୭୦ ଜଣ ପ୍ରାର୍ଥୀ ଲଗାତର ଭାବେ ଦି ଥର ହାରିଛନ୍ତି। ସେପରି ପ୍ରାର୍ଥୀଙ୍କୁ ନେଇ ଦଳ ନିର୍ବାଚନକୁ ଗଲେ ରାଜନୈତିକ ସଫଳତା ମିଳିବ ନାହିଁ। ଗୋଟିଏ ପଟେ ପୁରୁଣା ଛତାକୁ ଏପଟ ସେପଟ କରାଯାଇଥିବା ବେଳେ ଅନ୍ୟ ପଟରେ ଦଳ ଯୁବ ନେତାମାନଙ୍କୁ ବ୍ୟବହାର କରି ଅଳିଆଗଦାକୁ ଫିଙ୍ଗି ଦେଉଥିବା, ଦଳରୁ ଇସ୍ତଫା ଦେଇଥିବା ହାର୍ଦ୍ଦିକ ପଟେଲଙ୍କ ପରି ନେତା ଅଭିଯୋଗ ବାଢ଼ିଛନ୍ତି। ଗତ କିଛି ବର୍ଷର ଅଭିଜ୍ଞତାରୁ କ˚ଗ୍ରେସ ଦଳ ପ୍ରତ୍ୟକ୍ଷ କରିଥିବ ଯେ, ତାଙ୍କ ପାଖରୁ ଦୂରେଇ ଯାଇଥିବା ବହୁ ନେତା ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି ଏବ˚ ଏଭଳି ନେତାଙ୍କ ମଧୢରୁ ଆଠଜଣ ଏବେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଅଛନ୍ତି, ଯାହାଙ୍କ ମଧୢରେ ତ୍ରିପୁରାରେ ଏବେ ଏବେ ଦାୟିତ୍ବ ନେଇଥିବା ମାନିକ ସାହା ଅନ୍ୟତମ। କଥାରେ ଯୁବକମାନଙ୍କୁ ଅଗ୍ରାଧିକାର ଦେଉଥିବା ଦଳ ଯଦି ରାଜସ୍ଥାନରେ ଗେହେଲଟଙ୍କ ବଳରେ ସଚିନ ପାଇଲଟଙ୍କୁ ଆଗକୁ ଛାଡ଼ିଥାଆନ୍ତା ତାହାହେଲେ ସେ କଥାର ବିଶ୍ବସନୀୟତା ପ୍ରତିଷ୍ଠିତ ହୋଇଥାଆନ୍ତା। ସେଭଳି ପଦକ୍ଷେପ ନିଆଯାଇଥିଲେ ମଧୢପ୍ରଦେଶର ଜ୍ୟୋତିରାଦିତ୍ୟ ସିନ୍ଧିଆ ଭାରତୀୟ ଜନତା ପାର୍ଟିକୁ ଚାଲିଯାଇନଥା’ନ୍ତେ। କ˚ଗ୍ରେସ ଦଳର ଦୁର୍ବଳତା ହେଉଛି ସମୟର ଆହ୍ବାନକୁ ବୁଝିନପାରିବା। ଅନ୍ୟ ପକ୍ଷେ ଭାରତୀୟ ଜନତା ପାର୍ଟି ସମୟର ଆହ୍ବାନ ବୁଝି ତଦନୁଯାୟୀ ତା’ର ରଣକୌଶଳ ବଦଳେଇ ଚାଲିଛି।

ଏହାଫଳରେ ୨୦୦୯ ନିର୍ବାଚନରେ ଜନତା ପାର୍ଟି ୭.୮ କୋଟି ଭୋଟ୍‌ ପାଇଥିଲା ବେଳେ ୨୦୧୪ରେ ତାହା ବଢ଼ି ୧୭.୧୬ କୋଟି ଏବ˚ ୨୦୧୯ରେ ୨୨.୯ କୋଟି ଭୋଟ୍‌ରେ ପହଞ୍ଚିଥିଲା। ଏହି ଦଳ ନିର୍ଦ୍ଦିଷ୍ଟ ବ୍ୟକ୍ତି ବଦଳରେ ଅନୁଷ୍ଠାନ ହିଁ ଗୁରୁତ୍ବପୂର୍ଣ୍ଣ ବୋଲି ବୁଝିଥିବାରୁ ଏହି ଦଳ ଏଲ୍‌. କେ. ଆଡ଼ଭାନୀଙ୍କ ବଦଳରେ ନରେନ୍ଦ୍ର ମୋଦୀଙ୍କୁ ସାମ୍ନାକୁ ଆଣିଥିଲା। ଭାଜପା ପାଇଁ ବାଜପେୟୀ-ଆଡଭାନୀ ଯୁଗକୁ ପଛରେ ଛାଡ଼ିଆସିବା ସହଜ ହୋଇଥିବାବେଳେ କ˚ଗ୍ରେସ ଦଳ ଏବେ ବି ନେହରୁ ଯୁଗ ପାଖରେ ଅଟକି ରହିଛି। ଦଳର ନେତା ବା ଦେଶର ପ୍ରଧାନମନ୍ତ୍ରୀ ଭାବେ ଗାନ୍ଧୀ ପରିବାର ନିଜ ସଦସ୍ୟ ଛଡ଼ା ଆଉ କାହାକୁ ଦେଖିପାରୁନାହିଁ, ଯାହା ଏହି ଦଳ ପାଇଁ ସବୁଠାରୁ ବଡ଼ ବିଡ଼ମ୍ବନା। ଏହି କାରଣ ଯୋଗୁଁ ଯେଉଁ ଦଳ ଏକଦା ଦଶନ୍ଧି ଦଶନ୍ଧି ଧରି ଶାସନ ଦାୟିତ୍ବରେ ରହୁଥିଲା, ଆଜି ସେ ଦଳ ପ୍ରାୟ ବିସ୍ମୃତି ଭିତରକୁ ଚାଲି ଆସିଲାଣି। ଦଳ ଭିତରେ ବରିଷ୍ଠ ନେତାମାନଙ୍କ ଭିତରେ ଗଭୀର ଅସ‌େନ୍ତାଷ ମଝିରେ ମଝିରେ ପଦାକୁ ଫୁଟି ଆସୁଛି।

କ˚ଗ୍ରେସ ପାଇଁ କେବଳ ନୁହେଁ, ଭାରତୀୟ ଗଣତନ୍ତ୍ର ଲାଗି ମଧୢ ଏକ ଦୃଢ଼ ବିରୋଧୀ ଦଳର ପ୍ରୟୋଜନ ରହିଛି। ଆଜି ଭାରତୀୟ ଜନତା ପାର୍ଟିକୁ ବିଭିନ୍ନ ରାଜ୍ୟର ଆଞ୍ଚଳିକ ଦଳଗୁଡ଼ିକ ଚ୍ୟାଲେଞ୍ଜ୍‌ ଦେଉଛନ୍ତି। ମାତ୍ର ଜାତୀୟ ସ୍ତରରେ ସେହି ଦଳଗୁଡ଼ିକର ଏକ ସାମ୍ମୁଖ୍ୟ ଗଠିତ ହେବା ଆଶା ଦିଶୁନାହିଁ। ପୁଣି ଶରଦ ପାଵାର, ମମତା ବାନାର୍ଜୀଙ୍କ ପରି ଏକଦା କ˚ଗ୍ରେସରେ ଥିବା ବିଶିଷ୍ଟ ନେତାନେତ୍ରୀ ଗାନ୍ଧୀ ପରିବାରର ସଭ୍ୟଙ୍କୁ ମିଳିତ ସାମ୍ମୁଖ୍ୟର ନେତା ଭାବେ ଗ୍ରହଣ କରିବେ ନାହିଁ। ଏହି ପ୍ରସଙ୍ଗକୁ ସୋନିଆ ଗାନ୍ଧୀ ଗମ୍ଭୀରତାର ସହ ନେବା ଦରକାର। ଓଡ଼ିଆରେ ଗୋଟିଏ କଥା ଅଛି ‘ପୁଅର ଦାୟ ନା ବାରଶହ ବଢ଼େଇର ଦାୟ’। ଏ କଥାଟି କୋଣାର୍କ ତୋଳା ପ୍ରସଙ୍ଗକୁ ନେଇ କୁହାଯାଏ, ଯେଉଁଠି ବାରଶହ ବଢ଼େଇଙ୍କ ସାର୍ଥ ପାଇଁ ସୁଦକ୍ଷ ଧର୍ମପଦଙ୍କୁ ପିତା ମୁରୁଛି ଦେଇଥିଲେ। କ˚ଗ୍ରେସ କ୍ଷେତ୍ରରେ ରାହୁଳ କିମ୍ବା ପ୍ରିୟଙ୍କା ଧର୍ମପଦୀୟ ଦକ୍ଷତା ଦେଖାଇ ପାରିନାହାନ୍ତି। ସେମାନଙ୍କ ପାଇଁ କ˚ଗ୍ରେସ ଅପରିହାର୍ଯ୍ୟ, ମାତ୍ର କ˚ଗ୍ରେସ ଦଳ ପାଇଁ ସେମାନେ ଅପରିହାର୍ଯ୍ୟ ନୁହନ୍ତି- ଏ କଥାଟି ଦଳ ଭିତରେ ଥିବା ବହୁ ବଡ଼ ଓ ବରିଷ୍ଠ ନେତା ଏକାଧିକବାର କହି ସାରିଛନ୍ତି; ମାତ୍ର ସୋନିଆ ତାହାକୁ ଠିକଣା ଢଙ୍ଗରେ ଶୁଣିଛନ୍ତି ବୋଲି ମନେହୁଏ ନାହିଁ।

ସମ୍ବନ୍ଧିତ ଖବର