ଶୁଖୁଆ ଝୋଳ!

‘ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି’ (‘ଆଇଏମ୍‌ଏଫ୍‌’) ଅନୁସାରେ ଚଳିତ ବର୍ଷ ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ହାର ଏକ ଉଲ୍ଲେଖନୀୟ ୮% ହେବାକୁ ଯାଉଛି, ଯାହା ହେବ ପୃଥିବୀର ବୃହତ୍‌ ଦେଶମାନଙ୍କ ମଧୢରେ ସର୍ବୋଚ୍ଚ। ଏହି ସ˚ସ୍ଥା ମଧୢ ଭବିଷ୍ୟବାଣୀ କରିଛି ଯେ ୨୦୨୭ ସୁଦ୍ଧା ଭାରତ ପୃଥିବୀର ପଞ୍ଚମ ବୃହତ୍ତମ ଅର୍ଥନୀତିରେ ପରିଣତ ହେବାକୁ ଯାଉଛି, ଯେତେବେଳେ ଏହାର ‘ମୋଟ ବାର୍ଷିକ ଜାତୀୟ ଉତ୍ପାଦ’ (‘ଜିଡିପି’) ବଜାର ମୂଲ୍ୟ ଅନୁସାରେ ଅନ୍ୟୂନ ୫ ଟ୍ରିଲିଅନ୍‌ ଡଲାର୍‌ ସ୍ପର୍ଶ କରିଥିବ। ସେଆର ବଜାର (ଷ୍ଟକ୍‌ ମାର୍କେଟ୍‌) ଆକାର ଅନୁସାରେ ଭାରତୀୟ ବଜାରର ଆକାର ପୃଥିବୀର ଚତୁର୍ଥ ସର୍ବବୃହତ୍‌ ମର୍ଯ୍ୟାଦା ଲାଭ କରି ସାରିଲାଣି- ଆମେରିକା, ଚୀନ୍‌ ଓ ଜାପାନ ପରକୁ। ‘ୟୁନିକର୍ନ’ମାନଙ୍କର ସ˚ଖ୍ୟା ଅନୁସାରେ (ଷ୍ଟକ୍‌ ମାର୍କେଟ୍‌ରେ ପଞ୍ଜିକୃତ ହୋଇନଥିବା ପ୍ରତ୍ୟେକ ୧ ବିଲିଅନ୍‌ ଡଲାର‌୍‌ରୁ ଅଧିକ ମୂଲ୍ୟ ବହନ କରୁଥିବା ‘ଷ୍ଟାର୍ଟ-ଅପ୍‌’ ଉଦ୍ୟୋଗମାନ ‘ୟୁନିକର୍ନ’ ରୂପେ ଅଭିହିତ) ଭାରତରେ ଏହି ଏକ ଶିଙ୍ଗଧାରୀ ପୌରାଣିକ ଅଶ୍ବ ଦଳ ହେଉଛନ୍ତି ପୃଥିବୀର ତୃତୀୟ ସର୍ବବୃହତ୍‌- ପ୍ରାୟ ୧୦୦ରୁ ଅଧିକ। ପ୍ରଥମ ଦୁଇଟି ସ୍ଥାନରେ ରହିଛନ୍ତି- ଆମେରିକା ଓ ଚୀନ୍‌।

ଆଗାମୀ ଦଶନ୍ଧିରେ ଯେଉଁ ଚାରିଟି ସ୍ତମ୍ଭ ଉପରେ ଭାରତର ଏହି ଅଭିବୃଦ୍ଧି ଆଶ୍ରୟ ନେଇ ଦୃଢ଼ ଭାବରେ ଆଗକୁ ବଢ଼ିବାରେ ଲାଗିବ, ବିଶେଷଜ୍ଞ ଅନୁଶୀଳନକାରୀମାନେ ତାହା ଚିହ୍ନଟ କରିଛନ୍ତି। ପ୍ରଥମ ସ୍ତମ୍ଭଟି ହେଉଛି- ଏକ ଏକକ ଜାତୀୟ (ସର୍ବଭାରତୀୟ) ବଜାରର ଆବିର୍ଭାବ; ଦ୍ବିତୀୟ ସ୍ତମ୍ଭ ହେଉଛି- ଅକ୍ଷୟ ଶକ୍ତି ବ୍ୟବହାରରେ ଅଗ୍ରଗତି ଓ ଆନ୍ତର୍ଜାତିକ ଯୋଗାଣ ଶୃଙ୍ଖଳର ଚୀନ୍‌ ଉପରେ ନିର୍ଭରଶୀଳତା ସ˚କୋଚନ ଯୋଗୁଁ ଭାରତୀୟ ଶିଳ୍ପ କ୍ଷେତ୍ରରେ ଘଟିବାକୁ ଯାଉଥିବା ସମ୍ପ୍ରସାରଣ; ତୃତୀୟ ସ୍ତମ୍ଭ ହେଉଛି- ସୂଚନା ଜ୍ଞାନ କୌଶଳ (ଆଇଟି) କ୍ଷେତ୍ରରେ ଭାରତ ଦଖଲ କରି ରହି ଆସିଥିବା ଅଗ୍ରଣୀ ସ୍ଥାନ; ଚତୁର୍ଥ ସ୍ତମ୍ଭ ହେଉଛି- ‘ୟୁପିଏ’ ସରକାର ଅମଳରୁ ଆରମ୍ଭ ହୋଇ ଭାରତରେ କାର୍ଯ୍ୟ କରୁଥିବା ଏହି ଜ୍ଞାନ କୌଶଳଭିତ୍ତିକ ବିଭିନ୍ନ ଜନମଙ୍ଗଳକାରୀ ନିରାପତ୍ତା କବଚମାନ (ଖାଦ୍ୟ ନିରାପତ୍ତାରୁ ସ୍ବାସ୍ଥ୍ୟ ନିରାପତ୍ତା ପର୍ଯ୍ୟନ୍ତ), ଯାହା ଏହି ପ୍ରତିଯୋଗିତାମୂଳକ ଅର୍ଥନୈତିକ ଅଗ୍ରଗତି ସହିତ ତାଳ ଦେଇ ପାରି ନ ଥିବା ଦୁର୍ବଳ ଶ୍ରେଣୀକୁ ନିରାପତ୍ତା ପ୍ରଦାନ କରିଥାଏ।

ବିଶେଷଜ୍ଞମାନଙ୍କ ମତରେ ଏହି ଚାରିଗୋଟି ସ୍ତମ୍ଭ ମଧୢରୁ ଯେଉଁଟି ହେଉଛି ସର୍ବାଧିକ ଗୁରୁତ୍ବପୂର୍ଣ୍ଣ, ତାହା ହେଉଛି ପ୍ରଥମଟି- ଏକ ଏକକ ଜାତୀୟ ବଜାରର ଆତ୍ମପ୍ରକାଶ, ଯେଉଁଠି ଅଧିକରୁ ଅଧିକ ଉଦ୍ୟୋଗ ଓ ଖାଉଟିମାନେ ଅତୀତର ଅଦକ୍ଷ ନଗଦ-ଭିତ୍ତିକ କାରବାର ପରିତ୍ୟାଗ କରି ଏକ ଆଧୁନିକ ବିତ୍ତୀୟ ବ୍ୟବସ୍ଥା ଆପଣାଇବାରେ ଲାଗିଛନ୍ତି। ପାଞ୍ଚ ବର୍ଷ ତଳେ ଦେଶର ଦୁଇ-ପଞ୍ଚମା˚ଶ ଉତ୍ପାଦନ ଓ ପ୍ରାୟ ୯୦% ନିଯୁକ୍ତି ଏହି ପୁରୁଣା କାଳିଆ ବ୍ୟବସ୍ଥା ଉପରେ ନିର୍ଭରଶୀଳ ଥିଲା, ଯାହା ବହୁସ˚ଖ୍ୟକ ଆଞ୍ଚଳିକ ବଜାର ଏବ˚ ନଗଦ ବ୍ୟବହାରକାରୀ ଅଣଆନୁଷ୍ଠାନିକ ବ୍ୟବସାୟର ପାଶରୁ ମୁକୁଳି ପାରୁ ନ ଥିଲା। ସେ ସମୟରେ ରାଜ୍ୟ-ରାଜ୍ୟ ମଧୢରେ ବାଣିଜ୍ୟ କାରବାର ସମ୍ମୁଖୀନ ହେଉଥିବା କୃତ୍ରିମ, ଅଲ˚ଘ୍ୟ ମନେ ହେଉଥିବା ପ୍ରତିବନ୍ଧମାନଙ୍କୁ ଦୂର କରି ସାରା ଦେଶକୁ ଗୋଟିଏ ଏକକ ବଜାରରେ ପରିଣତ କରିବାରେ ଯେଉଁ ଗୋଟିଏ ବିତ୍ତୀୟ ସ˚ସ୍କାର ମୁଖ୍ୟ ଭୂମିକା ନିର୍ବାହ କରିଛି, ତାହା ହେଉଛି ଏକ ସର୍ବଭାରତୀୟ ‘ଗୁଡ୍‌ସ ଆଣ୍ତ୍‌ ସର୍ଭିସେସ୍‌ ଟ୍ୟାକ୍‌ସ’ (‘ଜିଏସ୍‌ଟି’) ବା ‘ଦ୍ରବ୍ୟ ଓ ସେବା କର’ର ପ୍ରବର୍ତ୍ତନ, ଯେଉଁ ଉଦ୍ୟମ ନରେନ୍ଦ୍ର ମୋଦୀ ସରକାରର ଆଗମନର ବହୁ ପୂର୍ବରୁ ଆରମ୍ଭ ହୋଇଥିଲା ଓ ମୋଦୀ ସରକାର ତାହାକୁ ଦ୍ରୁତ ଗତିରେ ଆଗେଇ ନେବାକୁ ଉଚିତ ମନେ କରିଥିଲା। ଗତ ମାସରେ ଏହି ‘ଜିଏସ୍‌ଟି’ ସ˚ଗ୍ରହ ପରିମାଣ ଦେଶର ମାସିକ ‘ଜିଡିପି’ର ୮% ସହିତ ସମାନ ହୋଇ ଏକ ରେକର୍ଡ ସୃଷ୍ଟି କରିଥିଲା।

ଭାରତୀୟ ଅର୍ଥନୀତି ଏଇଭଳି ଏକ ଜୟଯାତ୍ରା ପଥରେ ଅଗ୍ରସର ହେବାକୁ ଆରମ୍ଭ କରିଥିବା ବେଳେ ଭାରତୀୟ ନ୍ୟାୟପାଳିକାର ସର୍ବୋଚ୍ଚ ଅନୁଷ୍ଠାନ ସୁପ୍ରିମ୍‌ କୋର୍ଟ କିନ୍ତୁ ଗତ ୧୮ ତାରିଖରେ ଏପରି ଏକ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି ଯାହା ଏହି ପୂର୍ବ ବର୍ଣ୍ଣିତ ପ୍ରଥମ ସ୍ତମ୍ଭଟିକୁ ଦୋହଲାଇ ଦୁର୍ବଳ କରି ଦେଇ ସେ ଯାତ୍ରା ପଥରେ ପୁଣି ଏକ ପୁରୁଣା ପ୍ରତିବନ୍ଧ ଆବିର୍ଭାବର ସମ୍ଭାବନା ସୃଷ୍ଟି କରିଛି।

ପୂର୍ବରୁ ପ୍ରଚଳିତ ଥିବା କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କ ଦ୍ବାରା ଆଦାୟ କରାଯାଉଥିବା ସେଣ୍ଟ୍ରାଲ୍‌ ଏକ୍‌ସାଇଜ୍‌, ସର୍ଭିସ୍‌ ଟ୍ୟାକ୍‌ସ, ଭ୍ୟାଟ୍‌ ଆଦି ବହୁବିଧ ପରୋକ୍ଷ କରମାନଙ୍କ ସ୍ଥାନରେ ଗୋଟିଏ ମାତ୍ର ସର୍ବଭାରତୀୟ ପରୋକ୍ଷ ଟିକସ ଆଇନ ବଳବତ୍ତର କରିବା ଥିଲା ‘ଜିଏସ୍‌ଟି’ ପ୍ରବର୍ତ୍ତନର ଉଦ୍ଦେଶ୍ୟ। ଏହି ନୂତନ ବ୍ୟବସ୍ଥା କାର୍ଯ୍ୟକାରୀ କରିବାରେ କେନ୍ଦ୍ର ରାଜ୍ୟମାନଙ୍କ ମଧୢରେ ତାଳମେଳ ରକ୍ଷା କରିବା ଉଦ୍ଦେଶ୍ୟରେ ସମ୍ବିଧାନରେ ଧାରା-୨୭୯ଏ ଖଞ୍ଜା ଯାଇ ଏକ ‘ଜିଏସ୍‌ଟି କାଉନ୍‌ସିଲ୍‌’ ଗଠନର ବ୍ୟବସ୍ଥା କରାଯାଇଛି, ଯେଉଁଥିରେ ଉଭୟ କେନ୍ଦ୍ର ଓ ରାଜ୍ୟମାନଙ୍କର ପ୍ରତିନିଧିମାନେ କାର୍ଯ୍ୟ କରିଥା’ନ୍ତି। ‘ଜିଏସ୍‌ଟି’ ସମ୍ପର୍କିତ ସମସ୍ତ ପ୍ରସଙ୍ଗ- ଆଇନ ପ୍ରଣୟନରୁ କର ହାର ନିର୍ଦ୍ଧାରଣ, ଆଦାୟ ପ୍ରଣାଳୀ ଆଦି ପର୍ଯ୍ୟନ୍ତ- ଏହି କାଉନ୍‌ସିଲ୍‌ରେ ଆଲୋଚିତ ହୋଇ ନିଷ୍ପତ୍ତି ନିଆଯିବା ପରେ ତାହାକୁ ସମ୍ପୃକ୍ତ ସମସ୍ତ ପକ୍ଷ ଗ୍ରହଣ ଓ ପାଳନ କରିଥା’ନ୍ତି। କାଉନ୍‌ସିଲ୍‌ରେ ଏହି ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟା ଯେପରି ନ୍ୟାୟୋଚିତ ହୁଏ, ସେଥିପାଇଁ ମଧୢ ଆବଶ୍ୟକ ବ୍ୟବସ୍ଥା କରାଯାଇଛି।

ଗୁରୁବାର ଦିନ ଭାରତ ସରକାର ଓ ମୋହିତ ମିନେରାଲ୍‌ସ ନାମକ କମ୍ପାନି ମଧୢରେ ସାମୁଦ୍ରିକ ମାଲ୍‌ ପରିବହନ ଉପରେ ‘ଆଇଜିଏସ୍‌ଟି’ ଲାଗୁ ହେବା ନେଇ ଉପୁଜିଥିବା ବିବାଦର ବିଚାର କରି ସୁପ୍ରିମ୍‌ କୋର୍ଟ ଯେଉଁ ରାୟ ଦେଇଛନ୍ତି, ତାହାର ଏଠାରେ ଟିକିନିଖି ଆଲୋଚନା ନ କରି ଏତିକି କହିଲେ ଯଥେଷ୍ଟ ହେବ ଯେ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ‘ଜିଏସ୍‌ଟି କାଉନ୍‌ସିଲ୍‌’ର ନିଷ୍ପତ୍ତି ମାନିବା କୌଣସି ପକ୍ଷ ପାଇଁ ବାଧୢତାମୂଳକ ନୁହେଁ, ତାହା କେବଳ ସେମାନଙ୍କୁ ପ୍ରବର୍ତ୍ତାଇବା ପାଇଁ ଉଦ୍ଦିଷ୍ଟ। ଅତଏବ ‘ଜିଏସ୍‌ଟି’ ସମ୍ପର୍କିତ ଆଇନ ପ୍ରଣୟନ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟମାନଙ୍କର ସ୍ବାଧୀନତା ଅବ୍ୟାହତ ରହିଛି।

‘ଜିଏସ୍‌ଟି କାଉନ୍‌ସିଲ୍‌’ ଯଦି ଏଭଳି ଏକ ନପୁ˚ସକ ଅନୁଷ୍ଠାନରେ ପରିଣତ ହୁଏ, ତାହାର ସମ୍ଭାବ୍ୟ ପରିଣାମ କ’ଣ ହୋଇପାରେ ଦେଖାଯାଉ। ରାଜ୍ୟମାନେ ଯଦି ସେମାନଙ୍କ ପ୍ରତି ଲାଗୁ ହେଉଥିବା ‘ଜିଏସ୍‌ଟି’ ଆଇନ୍‌ରେ ସ˚ଶୋଧନ ଘଟାନ୍ତି, ତେବେ ଏକ ସର୍ବଭାରତୀୟ ସାଧାରଣ କର ପରିବର୍ତ୍ତେ ପୁଣି ପୂର୍ବ ଭଳି ବିବିଧତାର ଆବିର୍ଭାବ ଘଟିବ। ‘ଜିଏସ୍‌ଟି’ ପ୍ରବର୍ତ୍ତନ ଯୋଗୁଁ ରାଜ୍ୟମାନେ ସମ୍ମୁଖୀନ ହୋଇଥିବା ପ୍ରାରମ୍ଭିକ କ୍ଷତି କେନ୍ଦ୍ର ସରକାରଙ୍କ ଦ୍ବାରା ଭରଣା ହେବା ପାଇଁ କରାଯାଇଥିବା ବ୍ୟବସ୍ଥାର ଅବଧି ଜୁନ୍‌ରେ ସମାପ୍ତ ହେବାକୁ ଯାଉଛି। ଏହା ପରେ କୌଣସି କୌଣସି ରାଜ୍ୟ ତାହା ସ୍ଥାନରେ ନିଜର ଆୟ ବୃଦ୍ଧି ପାଇଁ କୌଣସି କୌଣସି ଦ୍ରବ୍ୟ କିମ୍ବା ସେବାର ଯୋଗାଣ ଉପରେ ଯଦି ଭିନ୍ନ ହାରରେ ‘ଜିଏସ୍‌ଟି’ ଲାଗୁ କରନ୍ତି, ତେବେ ‘ଜିଏସ୍‌ଟି’ ପ୍ରବର୍ତ୍ତନର ମୌଳିକ ଉଦ୍ଦେଶ୍ୟ ପଣ୍ତ ହେବ। ଆନ୍ତଃରାଜ୍ୟ କାରବାର ପ୍ରତି ଲାଗୁ ହେଉଥିବା ‘ଆଇଜିଏସ୍‌ଟି’ ହାର ହେଉଛି କେନ୍ଦ୍ର ଓ ରାଜ୍ୟ ‘ଜିଏସ୍‌ଟି’ ହାରର ସମାହାର। ରାଜ୍ୟ ‘ଜିଏସ୍‌ଟି’ ହାର ଯଦି ଭିନ୍ନ ଭିନ୍ନ ହୁଏ, ତେବେ ରାଜ୍ୟମାନଙ୍କ ମଧୢରେ ‘ଆଇଜିଏସ୍‌ଟି’ ବଣ୍ଟନରେ ସମସ୍ୟା ଦେଖାଦେବ। ବିଭିନ୍ନ ରାଜ୍ୟରେ ଥିବା ବନ୍ଦରମାନ ଦେଇ ଆସୁଥିବା ଆମଦାନି ଦ୍ରବ୍ୟ ଉପରେ କ’ଣ ଭିନ୍ନ ଭିନ୍ନ ହାରରେ ‘ଆଇଜିଏସ୍‌ଟି’ ଲାଗୁ ହେବ? ଏହି ବିବିଧତା ଚାପରେ ‘ଜିଏସ୍‌ଟି’ ପରିଚାଳନାରେ ବ୍ୟବହୃତ ‘ଜିଏସ୍‌ଟିଏନ୍‌’ ଢ଼ାଞ୍ଚା ଭୁଶୁଡ଼ି ପଡ଼ିବାର ସମସ୍ତ ସମ୍ଭାବନା ରହିଛି।

ଏଣିକି ‘ଜିଏସ୍‌ଟି କାଉନ୍‌ସିଲ୍‌’ର ଆଲୋଚନାରେ ଅ˚ଶ ଗ୍ରହଣ କରିବା ରାଜ୍ୟମାନଙ୍କ ପାଇଁ ଏକ ନିରର୍ଥକ କାର୍ଯ୍ୟ ରୂପେ ବିବେଚିତ ହୋଇପାରେ। ଯଦି ବାର ବର୍ଷର ତପସ୍ୟା ଏପରି ଶୁଖୁଆ ଝୋଳରେ ପରିଣତ ହୁଏ, ଦେଶ ପାଇଁ ଏହାଠାରୁ ଅଧିକ ଦୁର୍ଭାଗ୍ୟଜନକ ଆଉ କ’ଣ ହୋଇପାରେ?

ସମ୍ବନ୍ଧିତ ଖବର