‘‘ମୁଦ୍ରାସ୍ଫୀତି ହେଉଛି ବିନା ଆଇନ୍‌ରେ ବସା ଯାଉଥିବା ଟିକସ’’। ପ୍ରଖ୍ୟାତ ଅର୍ଥନୀତିଜ୍ଞ ମିଲ୍‌ଟନ୍‌ ଫ୍ରିଡ୍‌ମ୍ୟାନ୍‌ଙ୍କର ମୁଦ୍ରାସ୍ଫୀତି ସମ୍ପର୍କରେ ଏହି ମନ୍ତବ୍ୟ ଚମକ ସୃଷ୍ଟି କରିବା ପାଇଁ ଉଦ୍ଦିଷ୍ଟ ହୋଇଥିଲେ ହେଁ, ଏହା ସତ୍ୟତା ଉପରେ ଆଧାରିତ। ଟିକସ କରଦାତା- ନାଗରିକ ପକେଟ୍‌ରୁ ପଇସା କାଢ଼ି ନେଇ ତା’ର ଆର୍ଥିକ ସ୍ଥିତିକୁ ଦୁର୍ବଳ କରି ଦେଇଥାଏ। ମୁଦ୍ରାସ୍ଫୀତି ଅର୍ଥାତ୍‌ ଦରଦାମ୍‌ ବୃଦ୍ଧିର ନାଗରିକ ଉପରେ ପ୍ରଭାବ ମଧୢ ଠିକ୍‌ ଏହିପରି ହୋଇଥାଏ। ମୁଦ୍ରାସ୍ଫୀତି ଯୋଗୁଁ ନାଗରିକ ପାଖରେ ଉପଲବ୍‌ଧ ଅର୍ଥର କ୍ରୟ ଶକ୍ତିରେ ହ୍ରାସ ଘଟିବା ଯୋଗୁଁ ନାଗରିକର ଆର୍ଥିକ ସ୍ଥିତିରେ ଅବନତି ଘଟିଥାଏ; ଏହା ତା’ ପକେଟ୍‌ରୁ ପଇସା କାଢ଼ି ନେବା ଭଳି।

Advertisment

ତେବେ ଟିକସ ଓ ମୁଦ୍ରାସ୍ଫୀତି ମଧୢରେ ଏହି ସାମଞ୍ଜସ୍ୟ ଥିଲେ ହେଁ, ସେମାନଙ୍କ ମଧୢରେ ଗୋଟିଏ ବିଶେଷ ପାର୍ଥକ୍ୟ ରହିଥାଏ; ତାହା ହେଲା ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ଏକ ବିଧିବଦ୍ଧ ଭାବରେ ପ୍ରଣୟନ କରାଯାଇଥିବା ଆଇନ ବଳରେ ସରକାର ଟିକସ ବସାଇଥା’ନ୍ତି, କିନ୍ତୁ ବଜାରରେ ଦରଦାମ୍‌ ବୃଦ୍ଧି କୌଣସି ଆଇନର ଅନୁମୋଦନ ଆବଶ୍ୟକ କରେ ନାହିଁ। ମୁଦ୍ରାସ୍ଫୀତିକୁ ତେଣୁ ଛଦ୍ମବେଶୀ ଟିକସ ରୂପେ ବିଚାର କରାଯାଇଥାଏ। କିନ୍ତୁ ଏହି ଛଦ୍ମବେଶ ଯେତେ ନିଖୁଣ ହୋଇଥିଲେ ହେଁ ମୁଦ୍ରାସ୍ଫୀତିର ଦ˚ଶନ ଯେତେବେଳେ ଅସହ୍ୟ ହୁଏ, ସେତେବେଳେ ଏହା ନାଗରିକମାନଙ୍କ ମନରେ ସରକାରଙ୍କ ପ୍ରତି ସେଇଭଳି ବିରାଗ ସୃଷ୍ଟି କରିଥାଏ, ଯେଉଁଭଳି ସୃଷ୍ଟି କରିଥାଏ କୌଣସି ଲଙ୍ଗଳା ଟିକସ।

ଭାରତ ସରକାରଙ୍କ ବିଚାରରେ ବୋଧହୁଏ ବର୍ତ୍ତମାନ ଦେଶରେ ମୁଦ୍ରାସ୍ଫୀତି ପରିସ୍ଥିତି ସେଇଭଳି ଜନ ଅସନ୍ତୋଷ ସୃଷ୍ଟିର ଦ୍ବାର ଦେଶରେ ପହଞ୍ଚିଗଲାଣି। ଏହାର ଏକ ସତର୍କ ସୂଚନା ସ୍ବରୂପ ଏପ୍ରିଲ୍‌ରେ ଦେଶରେ ଖାଉଟି ମୁଦ୍ରାସ୍ଫୀତି ହାରରେ ଲଗାତାର ବୃଦ୍ଧି ଘଟି ୭.୮ ଶତା˚ଶ ଛୁଇଁଥିବା ବେଳେ (ସର୍ବୋଚ୍ଚ ନିର୍ଦ୍ଧାରିତ ନିରାପଦ ସୀମା ହେଉଛି ୬ ଶତା˚ଶ), ପାଇକାରୀ ମୁଦ୍ରାସ୍ଫୀତି ହାର ହୋଇଥିଲା ଏହାର ପ୍ରାୟ ଦୁଇଗୁଣ, ୧୫.୧ ଶତା˚ଶ। ଉଚ୍ଚା ପାଇକାରୀ ମୁଦ୍ରାସ୍ଫୀତି କ୍ରମେ ଖାଉଟି ମୁଦ୍ରାସ୍ଫୀତିକୁ ମଧୢ ପ୍ରଭାବିତ କରିବାର ଦୃଢ଼ ସମ୍ଭାବନା ରହିଛି।

ଏହି ମୁଦ୍ରାସ୍ଫୀତି ନିଆଁକୁ ଯାହା ଆକ୍ଷରିକ ଭାବେ ଇନ୍ଧନ ଯୋଗାଇଛି ବୋଲି କୁହାଯାଇପାରେ, ତାହା ହେଉଛି ଆକାଶଛୁଆଁ ଜୈବ ଇନ୍ଧନ ସବୁର ଦର- ପେଟ୍ରୋଲ, ଡିଜେଲ୍‌, ଏଲ୍‌ପିଜି ଆଦିର ଦର। ୟୁକ୍ରେନ୍‌ ଯୁଦ୍ଧ, ଭାରତର ଆମଦାନି-ନିର୍ଭରଶୀଳତା ଆଦି ଏହି ଇନ୍ଧନ ଦର ବୃଦ୍ଧି ପଛରେ ରହିଥିବା କାରଣମାନ ମଧୢରୁ କେତେକ ହୋଇଥିଲେ ହେଁ, ଏହାର ଏକ ବିଶେଷ କାରଣ କିନ୍ତୁ ହେଉଛି କୌଣସି ଫ୍ରିଡ୍‌ମ୍ୟାନ୍‌-ସୂଚିତ ଛଦ୍ମବେଶ ପରିଧାନ କରିନଥିବା ସରକାରୀ ଟିକସ। କାରଣ ଯାହା ଦେଶବାସୀ ଜାଣି ସାରିଛନ୍ତି, ତାହା ହେଲା ସେମାନଙ୍କୁ ନିଜର ଗାଡ଼ି ମଟର ଚଳାଇବା ପାଇଁ ଆବଶ୍ୟକ ପେଟ୍ରୋଲ, ଡିଜେଲ୍‌ର ଯେଉଁ ଦାମ୍‌ ଦେବାକୁ ପଡୁଛି, ତାହାର ଏକ ମୁଖ୍ୟ ଅ˚ଶ (୪୦-୫୦ ଶତା˚ଶ) ହେଉଛି କେନ୍ଦ୍ର ଓ ରାଜ୍ୟ ସରକାରମାନେ ଏହି ପଦାର୍ଥମାନଙ୍କ ଉପରେ ଲଦି ଦେଇଥିବା ଏକ୍‌ସାଇଜ୍‌ ଶୁଳ୍‌କ ଓ ଭ୍ୟାଟ୍‌। ଏଣୁ ଏଥିରେ ସନ୍ଦେହ ନାହିଁ ଯେ ଏହି ଅସନ୍ତୋଷ ଅଧିକ ଦାନା ବାନ୍ଧିବା ପୂର୍ବରୁ ସରକାର ଦେଶର ମୁଦ୍ରାସ୍ଫୀତି ଦୃଶ୍ୟପଟରୁ ଏହି ଲଙ୍ଗଳା ଚେହେରାକୁ ଯେତେଦୂର ସମ୍ଭବ ହଟାଇବାକୁ ଏବେ ଏକ ଉଦ୍ୟମ କରିଛନ୍ତି। ଏହା ଅନୁସାରେ ଶନିବାର ଦିନ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ୍‌ ଉପରେ ଆଦାୟ କରୁଥିବା ଏକ୍‌ସାଇଜ୍‌ ଶୁଳ୍‌କରେ ଲିଟର‌୍‌ ପିଛା ଯଥାକ୍ରମେ ୮ଟଙ୍କା ଓ ୬ ଟଙ୍କା ହ୍ରାସ ଘୋଷଣା କରିଛନ୍ତି।

ସେତିକି ନୁହେଁ, ଏହି ଟିକସ ହ୍ରାସ ଯୋଗୁଁ କେନ୍ଦ୍ର ସରକାର ବାର୍ଷିକ ପ୍ରାୟ ଏକ ଲକ୍ଷ କୋଟି ଟଙ୍କାରୁ ଅଧିକ ପରିମାଣର ରାଜସ୍ବ ହରାଇବାକୁ ଯାଉଥିଲେ ହେଁ, ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଯୋଜନା ଅନ୍ତର୍ଗତ ପ୍ରାୟ ୯ କୋଟି ସ˚ଖ୍ୟକ ହିତାଧିକାରୀମାନଙ୍କ ପାଇଁ ଇନ୍ଧନ ଗ୍ୟାସ୍‌ ସିଲିଣ୍ତର‌୍‌ ପିଛା ୨୦୦ ଟଙ୍କା ଲେଖାଏଁ ସବ୍‌ସିଡି ପ୍ରଦାନ ପାଇଁ ମଧୢ ଘୋଷଣା କରିଛନ୍ତି। ସରକାରଙ୍କୁ ଏ ବାବଦରେ ପ୍ରାୟ ୬,୦୦୦ କୋଟି ଟଙ୍କାରୁ ଅଧିକ ଅତିରିକ୍ତ ବ୍ୟୟ ବହନ କରିବାକୁ ପଡ଼ିବ। ଏହି ସବ୍‌ସିଡି ସମାଜର ଦୁର୍ବଳତମ ଶ୍ରେଣୀର ସେଇ ସଦସ୍ୟମାନଙ୍କ ପାଇଁ ମହଙ୍ଗା ମାଡ଼ କିଛିଟା ଲାଘବ କରିବା ପାଇଁ ଉଦ୍ଦିଷ୍ଟ ଥିବାବେଳେ ଇନ୍ଧନ ଦରରେ ହ୍ରାସ ସିଧା ସଳଖ ମଧୢବିତ୍ତ ଓ ନିମ୍ନ ମଧୢବିତ୍ତ ପକେଟ୍‌ ଉପରୁ ବୋଝ ହାଲୁକା କରିବ। ଅନ୍ୟାନ୍ୟ ଦ୍ରବ୍ୟ ଓ ସେବାର ଉତ୍ପାଦନରେ ଇନ୍ଧନ ଏକ ଗୁରୁତ୍ବପୂର୍ଣ୍ଣ ଉପାଦାନ ହୋଇଥିବା ଯୋଗୁଁ, ଇନ୍ଧନ ଦର ହ୍ରାସ ସେସବୁର ଦରବୃଦ୍ଧିକୁ ମଧୢ ସ˚ଯତ କରିବ ବୋଲି ଆଶା କରାଯାଉଛି।

ମନେ ରଖିବା କଥା ତୈଳ କମ୍ପାନିମାନେ ଯେତେବେଳେ ସେମାନେ ଯୋଗାଉଥିବା ତୈଳ ଦରରେ ଏକ ବୃଦ୍ଧି ଘଟାନ୍ତି, ଖାଉଟି ପାଇଁ ସେଇ ବୃଦ୍ଧିର ପରିମାଣ ସେଇ ବୃଦ୍ଧି ଠାରୁ ଅଧିକ ହୋଇଥାଏ, କାରଣ ସେଇ ବର୍ଦ୍ଧିତ ଦର ଉପରେ ଟିକସ (ଭ୍ୟାଟ୍‌) ମଧୢ ଲାଗିଥାଏ। ଏବେ ରାଜ୍ୟ ସରକାରମାନେ ଯଦି ଭ୍ୟାଟ୍‌ ହ୍ରାସ କରିବାକୁ ଆଗେଇ ଆସନ୍ତି, ତେବେ ଭବିଷ୍ୟତରେ ତୈଳ କମ୍ପାନିମାନେ ଦର ବୃଦ୍ଧି କଲେ ଖାଉଟିମାନଙ୍କ ପାଇଁ ତାହାର ଦ˚ଶନରେ କିଛିଟା ଉପଶମ ଘଟିବ। ସରକାର କେତେ ପ୍ରକାର ଇସ୍ପାତ ପଦାର୍ଥ ଓ ପ୍ଲାଷ୍ଟିକ୍‌ ଶିଳ୍ପରେ ବ୍ୟବହୃତ କଞ୍ଚାମାଲ ଉପରୁ ଆମଦାନି ଶୁଳ୍‌କ ହ୍ରାସ ଓ ରପ୍ତାନି ଶୁଳ୍‌କ ବୃଦ୍ଧି କରି ସେ କ୍ଷେତ୍ରରେ ଦରଦାମ୍‌କୁ ନିୟନ୍ତ୍ରଣ ମଧୢରେ ରଖିବା ପାଇଁ ଉଦ୍ୟମ କରିଛନ୍ତି।

ସବ୍‌ସିଡି ପ୍ରଦାନ ମାଧୢମରେ ସରକାର ଅନ୍ୟ ଯେଉଁ ଏକ ଗୁରୁତ୍ବପୂର୍ଣ୍ଣ ସ୍ପର୍ଶକାତର ଶ୍ରେଣୀକୁ ମୁଦ୍ରାସ୍ଫୀତି ଆଘାତରୁ କେତେକା˚ଶରେ ସୁରକ୍ଷିତ ରଖିବାକୁ ପ୍ରୟାସ କରିଛନ୍ତି, ସେମାନେ ହେଉଛନ୍ତି କୃଷକ। କୃଷିରେ ବହୁଳ ବ୍ୟବହୃତ ରାସାୟନିକ ସାରର ମୁଖ୍ୟ ଉପାଦାନ ପେଟ୍ରୋ-ପଦାର୍ଥର ଆମଦାନି ମୂଲ୍ୟରେ ଘଟି ଚାଲିଥିବା ବୃଦ୍ଧିର ପ୍ରଭାବକୁ ଦୁର୍ବଳ କରିବା ପାଇଁ ସରକାର ସାର ଉପରେ ପ୍ରଦାନ କରାଯାଉଥିବା ସବ୍‌ସିଡିରେ ବୃଦ୍ଧି ଘୋଷଣା କରିଛନ୍ତି, ଯାହା ଯୋଗୁଁ ଏ ବାବଦରେ ସରକାର ଆଉ ୧.୧୦ ଲକ୍ଷ କୋଟି ଟଙ୍କାର ବ୍ୟୟ ଭାର ବହନ କରିବେ ଏବ˚ ଏଥିପାଇଁ ମୋଟ ସରକାରୀ ବ୍ୟୟ ହେବ ୨.୧୫ ଲକ୍ଷ କୋଟି ଟଙ୍କା। ଅନୁମାନ କରାଯାଉଛି ଜୁନ୍‌ ଠାରୁ ସରକାରଙ୍କର ଇନ୍ଧନ ଟିକସ ହ୍ରାସ ଯୋଗୁଁ ଦେଶରେ ମୁଦ୍ରାସ୍ଫୀତି ହାରରେ ପ୍ରାୟ ୦.୨୦ ଶତା˚ଶ ହ୍ରାସ ଘଟିବ, ଯାହା କ୍ଷୀଣ ହୋଇଥିଲେ ମଧୢ ଏକ ମନସ୍ତାତ୍ତ୍ବିକ ଆଶ୍ବସ୍ତି ସୃଷ୍ଟି କରିବ। ଅପରପକ୍ଷେ ସରକାରଙ୍କର ଉପରୋକ୍ତ ହାତଖୋଲା ସବ୍‌ସିଡି ପ୍ରଦାନ କେତେକ ଶ୍ରେଣୀ ପାଇଁ ମୁଦ୍ରାସ୍ଫୀତିଜନିତ କଷ୍ଟ ମଧୢ ଲାଘବ କରିବ।

ଅର୍ଥଶାସ୍ତ୍ରର ନିୟମ ଅନୁସାରେ ମୁଦ୍ରାସ୍ଫୀତି ସମୟରେ ସରକାର ଯଦି ଆୟ ଅପେକ୍ଷା ଅଧିକ ବ୍ୟୟ କରି, ବଜେଟ୍‌ ନିଅଣ୍ଟର ଆକାର ବଢ଼ାଇ ଚାଲନ୍ତି, ତାହା ମୁଦ୍ରାସ୍ଫୀତି ପରିସ୍ଥିତିକୁ ଆହୁରି ସ˚ଗିନ୍‌ କରି ତୋଳିବା କଥା। କିନ୍ତୁ ସୌଭାଗ୍ୟବଶତଃ ଚଳିତ ବିତ୍ତବର୍ଷରେ ସରକାରଙ୍କର ପ୍ରକୃତ ଟିକସ ରାଜସ୍ବ ସ˚ଗ୍ରହ ବଜେଟ୍‌ରେ ଧାର୍ଯ୍ୟ ଲକ୍ଷ୍ୟ ଠାରୁ ଅଧିକ ହେବାର ଦୃଢ଼ ସମ୍ଭାବନା ଦେଖାଯାଉଛି। ଏହାର ମୁଖ୍ୟ କାରଣ ହେଉଛି ‘ଜିଏସ୍‌ଟି’ ସ˚ଗ୍ରହରେ ଦେଖାଯାଇଥିବା ଆଶାତୀତ ସଫଳତା। ଗତ ନ’ ମାସ ଧରି ‘ଜିଏସ୍‌ଟି’ ସ˚ଗ୍ରହ ପରିମାଣ ବେଶ୍‌ ଉଚ୍ଚ ହୋଇ ଚାଲି ଏପ୍ରିଲ୍‌ରେ ତାହା ୧.୬୮ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଲା।

ରାଜ୍ୟମାନଙ୍କୁ ସେମାନଙ୍କର ଅ˚ଶ ହସ୍ତାନ୍ତରିତ କଲା ପରେ କେନ୍ଦ୍ର ସରକାରଙ୍କ ପାଖରେ ୧୯.୩୫ ଲକ୍ଷ କୋଟି ଟଙ୍କାର ଟିକସ ରାଜସ୍ବ ଉପଲବ୍‌ଧ ହେବ ବୋଲି ବଜେଟ୍‌ରେ ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା, ଚଳିତ ବିତ୍ତବର୍ଷରେ କେନ୍ଦ୍ର ସରକାରଙ୍କୁ ତା’ଠାରୁ ପ୍ରାୟ ୧.୫ ଲକ୍ଷ କୋଟି ଟଙ୍କା ଅଧିକ ମିଳିବ ବୋଲି ଅନୁଶୀଳନକାରୀମାନେ ନିଶ୍ଚିତ ମତ ପ୍ରକାଶ କରୁଛନ୍ତି। ଏହା ସାହାଯ୍ୟରେ ସରକାର ଯଦି ରାଜକୋଷୀୟ ନିଅଣ୍ଟକୁ ପୂର୍ବ ଘୋଷିତ ‘ଜିଡିପି’ର ୬.୪ ଶତା˚ଶ ମଧୢରେ ସୀମିତ ରଖିପାରନ୍ତି, ତେବେ ମୁଦ୍ରାସ୍ଫୀତି ଦମନ ପାଇଁ ସରକାର ବର୍ତ୍ତମାନ ନେଇଥିବା ପଦକ୍ଷେପ ଭବିଷ୍ୟତରେ ନୂତନ ମୁଦ୍ରାସ୍ଫୀତିର କାରଣ ହେବ ନାହିଁ।