ଗର୍ଭ ବେଦନା

୧୯୭୧ରେ ଯେତେବେଳେ ଫ୍ରାନ୍‌ସରେ ଆଧୁନିକ ନାରୀବାଦର ଜନନୀ ରୂପେ ଖ୍ୟାତ ସିମନ୍‌ ଡି ବିଭ୍ବାଙ୍କ ନେତୃତ୍ବରେ ‘ମାନିଫେଷ୍ଟୋ ୩୪୩’ ନାମକ ଏକ ମହିଳାଙ୍କର ଗର୍ଭପାତ ଅଧିକାର ସମ୍ବଳିତ ଦାବିପତ୍ର ପ୍ରସାରିତ ହେଉଥିଲା, ଠିକ୍‌ ସେଇ ସମୟରେ ଏ ବ୍ୟାପାରରେ ପାଦେ ଆଗରେ ଥିବା ଭଳି ଭାରତରେ ଏକ ଆଇନ ପ୍ରଣୟନ ହୋଇଥିଲା- ‘ମେଡିକାଲ୍‌ ଟର୍ମିନେସନ୍‌ ଅଫ୍‌ ପ୍ରେଗ୍‌ନାନ୍‌ସି ଆକ୍‌ଟ (୧୯୭୧)’। ଏହି ଆଇନ୍‌ର ସାରମର୍ମ ହେଲା, ଏହା ଅନୁସାରେ ଭାରତରେ ଗର୍ଭପାତ ହେଉଛି ବୈଧ; ଗର୍ଭସଞ୍ଚାର ପରେ ୨୪ ସପ୍ତାହ ପୂର୍ଣ୍ଣ ହେବା ପୂର୍ବରୁ ଭାରତରେ ନାରୀମାନେ ଚାହିଁଲେ ନିଜର ଗର୍ଭପାତ ଡାକ୍ତରଙ୍କ ଦ୍ବାରା କରାଇ ପାରିବେ।

ଏହାର ଦୁଇ ବର୍ଷ ପରେ, ୧୯୭୩ରେ ଯାଇ ଆମେରିକାରେ ମହିଳାମାନଙ୍କୁ ଗର୍ଭପାତ ଅଧିକାର ମିଳିଲା। ସେ ବର୍ଷ ଆମେରିକାର ସୁପ୍ରିମ୍‌ କୋର୍ଟ ଆବିଷ୍କାର କଲେ ଯେ ସେ ଦେଶର ସମ୍ବିଧାନର ଚତୁର୍ଦ୍ଦଶ ସ˚ଶୋଧନ ଅନୁସାରେ ଗର୍ଭପାତ ନାରୀର ଏକ ଅବିଚ୍ଛେଦ୍ୟ ଅଧିକାରରେ ପରିଣତ ହୋଇଛି। ଏହା ଅନୁସାରେ ଟେକ୍‌ସାସ୍‌ ରାଜ୍ୟରେ ଗର୍ଭପାତକୁ ଏକ ଅପରାଧ ରୂପେ ପରିଗଣିତ କରି ପ୍ରଣୀତ ଆଇନ୍‌କୁ ସୁପ୍ରିମ୍‌ କୋର୍ଟ ମହିଳାଙ୍କର ସାମ୍ବିଧାନିକ ଅଧିକାରର ଉଲ୍ଲ˚ଘନ ବୋଲି ରାୟ ଦେଇଥିଲେ। ଏହି ମକଦ୍ଦମାରେ ବାଦୀ ଓ ପ୍ରତିବାଦୀ ଥିଲେ ନର୍ମା ମାକର୍ଭି ନାମକ ମହିଳା ଓ ଟେକ୍‌ସାସ୍‌ର ଡାଲାସ୍‌ କାଉଣ୍ଟିର ଡିଷ୍ଟ୍ରିକ୍‌ଟ ଆଟର୍ନି ହେନ୍‌ରି େଵଡ୍‌। ସେ ସମୟରେ ଏହାକୁ ସାମାଜିକ ତଥା ନୈତିକ ଦୃଷ୍ଟିକୋଣରୁ ଏକ ସ୍ପର୍ଶକାତର ପ୍ରସଙ୍ଗ ରୂପେ ବିଚାର କରାଯାଉଥିବାରୁ, ଅଭିଯୋଗକାରିଣୀ ନର୍ମା ମାକର୍ଭିଙ୍କ ପରିଚୟକୁ ଏକ ଛଦ୍ମନାମ ପ୍ରଦାନ କରାଯାଇ ଗୋପନୀୟ ରଖା ଯାଇଥିଲା- ଜେନ୍‌ ରୋ। ଆମେରିକାରେ ନାରୀମାନଙ୍କୁ ଗର୍ଭପାତ ଅଧିକାର ମିଳିବା ମୂଳରେ ଥିବା ସେଇ ମାମଲା ତେଣୁ ‘ରୋ ଭର୍ସସ୍‌ େଵଡ୍‌’ ମାମଲା ରୂପେ ପ୍ରସିଦ୍ଧି ଲାଭ କରି ଆସିଛି।

ଏବେ ପ୍ରାୟ ଅର୍ଦ୍ଧ ଶତାବ୍ଦୀ ପରେ ଆମେରିକାରେ ନାରୀମାନେ ସେଇ ମୌଳିକ ଅଧିକାର ହରାଇ ପୁଣିି ପୂର୍ବାବସ୍ଥାକୁ ଫେରିଯିବାର ଏକ ନିଶ୍ଚିତପ୍ରାୟ ସମ୍ଭାବନା ଦେଖା ଦେଇ କେବଳ ସେ ଦେଶରେ ନୁହେଁ, ସାରା ସଭ୍ୟ ଜଗତ୍‌ରେ ଚହଳ ସୃଷ୍ଟି କରିଛି। ଆମେରିକାର ସୁୁପ୍ରିମ୍‌ କୋର୍ଟ ନିକଟରେ ‘ଡବ୍‌ସ ଭର୍ସସ୍‌ ଜ୍ୟାକ୍‌ସନ୍‌ ଵିମେନ୍‌ସ ହେଲ୍‌ଥ ଅର୍ଗାନାଇଜେସନ୍‌’ ନାମକ ମିସିସିପି ରାଜ୍ୟର ଏକ ଗର୍ଭପାତ ମାମଲା ରାୟ ଅପେକ୍ଷାରେ ଅଛି। ଏହି ରାୟ ପ୍ରଦାନ ନିମିତ୍ତ ସୁପ୍ରିମ୍‌ କୋର୍ଟର ବିଚାରପତିମାନଙ୍କର ଏକ ସ˚ଖ୍ୟାଗରିଷ୍ଠ ମତ ଚିଠା ଆକାରରେ ପ୍ରସ୍ତୁତ ହୋଇ ଅନ୍ତିମ ରୂପରେଖକୁ ଅପେକ୍ଷା କରିଛି। ଏହି ଚିଠା ହେଉଛି ସ୍ବାଭାବିକ ଭାବରେ ଏକ ଗୋପନୀୟ ଦଲିଲ। କିନ୍ତୁ ଏକ ଅଦ୍ଭୁତପୂର୍ବ ଘଟଣା ଘଟି ଚଳିତ ମଇ ୨ ତାରିଖରେ ‘ପଲିଟିକୋ’ ନାମକ ଏକ ରାଜନୈତିକ ବ୍ୟାପାର ସମ୍ପର୍କିତ େଵବ୍‌ସାଇଟ୍‌ରେ ଏହି ସ˚ଖ୍ୟାଗରିଷ୍ଠ ମତ ଲିକ୍‌ ହୋଇ ପ୍ରକାଶ ପାଇଥିଲା, ଯେଉଁଥିରେ କୁହାଯାଇଛି ଯେ ‘ରୋ’ ମାମଲାରେ ସୁପ୍ରିମ୍‌ କୋର୍ଟଙ୍କ ରାୟ ମୂଳରୁ ଘୋର ଭ୍ରମାତ୍ମକ ହୋଇଛି ଏବ˚ ତାହାକୁ ଅସିଦ୍ଧ କରାଯିବା ନିହାତି ଆବଶ୍ୟକ।

ଉଲ୍ଲେଖଯୋଗ୍ୟ ଯେ ଭାରତୀୟ ଆଇନ୍‌ ଭଳି ‘ରୋ’ ମଧୢ ଭ୍ରୂଣରେ ପ୍ରାଣ ସଞ୍ଚାର ହେବା ପର୍ଯ୍ୟନ୍ତ, ଅର୍ଥାତ୍‌ ଗର୍ଭ ସଞ୍ଚାରର ୨୪ ସପ୍ତାହ ମଧୢରେ ସମ୍ପୃକ୍ତ ମହିଳାଙ୍କୁ ଗର୍ଭପାତ ଅଧିକାର ପ୍ରଦାନ କରିଥାଏ। ଉପରୋକ୍ତ ‘ଡବ୍‌ସ’ ମାମଲାର କେନ୍ଦ୍ରରେ ରହିଛି ୧୫ ସପ୍ତାହ ପରେ ଗର୍ଭପାତକୁ ନିଷିଦ୍ଧ କରିଥିବା ମିସିସିପି ରାଜ୍ୟର ଏକ ଆଇନ୍‌, ଯାହାକୁ ଏକ ତଳ କୋର୍ଟ ଅଟକାଇ ଦେଇଥିଲା। ସୁପ୍ରିମ୍‌ କୋର୍ଟ ଆସନ୍ତା କେତେ ସପ୍ତାହ ମଧୢରେ ପ୍ରଦାନ କରିବାକୁ ଯାଉଥିବା ରାୟ ଯଦି ତଳ କୋର୍ଟର ଆଦେଶକୁ ନାକଚ କରି ମିସିସିପି ଆଇନ ସପକ୍ଷରେ ଯାଏ, ତେବେ ‘ରୋ’ ଓ ତତ୍‌ସହିତ ଆମେରିକୀୟ ନାରୀମାନଙ୍କର ଗର୍ଭପାତ ଅଧିକାରର ବସ୍ତୁତଃ ଅନ୍ତ ଘଟିଲା ବୋଲି ବୁଝାପଡ଼ିବ। ଏପରି ଘଟିବାର ସମ୍ଭାବନା ଯେ ଦୃଢ଼, ତାହା ଟେକ୍‌ସାସ୍‌ ରାଜ୍ୟରେ ପ୍ରଣୟନ କରାଯାଇଥିବା ମାତ୍ର ଛ’ସପ୍ତାହ ପରେ ଗର୍ଭପାତକୁ ପରିସ୍ଥିତି ନିର୍ବିଶେଷରେ ନିଷିଦ୍ଧ କରୁଥିବା ଏକ ଆଇନ୍‌କୁ ଅଟକାଇବା ପାଇଁ ସୁପ୍ରିମ କୋର୍ଟ କୌଣସି ପଦକ୍ଷେପ ନେବାକୁ ବାରମ୍ବାର ସମ୍ମତ ନ ହେବାରୁ ସ୍ପଷ୍ଟ ହୋଇଥାଏ। ‘ରୋ’ ଯଦି ଏଇଭଳି ବିଲୟ ଲଭେ, ତାହେଲେ ୧୯୭୩ ପୂର୍ବର ସମୟ ଭଳି ଆମେରିକାରେ ଗର୍ଭପାତ ସମ୍ପର୍କିତ ଆଇନ ପ୍ରଣୟନ ପୁଣି ସେଠାକାର ରାଜ୍ୟମାନଙ୍କ ଉପରେ ନିର୍ଭର କରିବ। ରାଜ୍ୟମାନଙ୍କର ବର୍ତ୍ତମାନ ପ୍ରଦର୍ଶିତ ଆଭିମୁଖ୍ୟ ଅନୁସାରେ ଏପରି ଘଟିଲେ ଅନତି ବିଳମ୍ବେ ୫୦ଟି ରାଜ୍ୟ ମଧୢରୁ ଅର୍ଦ୍ଧେକ ରାଜ୍ୟରେ ଗର୍ଭପାତ ଅବୈଧ ହୋଇଯିବ।

ଏହାପରେ ସେ ଦେଶର ନାରୀମାନଙ୍କ ପାଇଁ ଆମେରିକା ପୁଣି ସେଇଭଳି ଏକ ସମୟକୁ ଫେରିଯିବ, ଯେଉଁଭଳି ସମୟ ଫ୍ରାନ୍‌ସରେ ଡି ବିଭ୍ବା ଓ ତାଙ୍କର ଅନ୍ୟ ୩୪୨ ଜଣ ଖ୍ୟାତନାମା ଫରାସୀ ମହିଳା ସାଥୀମାନଙ୍କୁ ଉପରୋକ୍ତ ମାନିଫେଷ୍ଟୋ ସ୍ବାକ୍ଷର କରିବାକୁ ପ୍ରବୃତ୍ତ କରିଥିଲା। ସ˚କ୍ଷେପରେ କହିଲେ, ସେ ସମୟର ଫ୍ରାନ୍‌ସରେ ଗର୍ଭପାତ ସେଠାକାର ଆଇନ୍‌ ଅନୁସାରେ ଏକ ଦଣ୍ତନୀୟ ଅପରାଧ ହୋଇଥିଲେ ହେଁ ଲକ୍ଷ ଲକ୍ଷ ମହିଳା ଲୁକ୍‌କାୟିତ ଭାବରେ ଏହାର ଆଶ୍ରୟ ନେବାରେ ଲାଗିଥିଲେ। ଏହି ଚୋରା ଗର୍ଭପାତ ଉପଯୁକ୍ତ ଡାକ୍ତରୀ ସହାୟତା ବିନା ସ˚ଘଟିତ ହେଉଥିବାରୁ ତାହା ଅନାବଶ୍ୟକ ଭାବରେ ଏକ ବିପଦସ˚କୁଳ କାର୍ଯ୍ୟରେ ପରିଣତ ହେଉଥିଲା। ମହିଳାମାନେ ସମ୍ମୁଖୀନ ହେଉଥିବା ଏହି ଚରମ ଲିଙ୍ଗଗତ ଅନ୍ୟାୟ ବିରୋଧରେ ଖୋଲା ଖୋଲି ପ୍ରତିବାଦ ଜଣାଇବା ଉଦ୍ଦେଶ୍ୟରେ ଉପରୋକ୍ତ ମାନିଫେଷ୍ଟୋ ଯେଉଁ ଘୋଷଣା ବହନ କରିଥିଲା, ତାହା ହେଲା, ତା’ର ସମସ୍ତ ୩୪୩ ଜଣ ସ୍ବାକ୍ଷରକାରଣୀମାନେ ପ୍ରତ୍ୟେକ କେବେ ନା କେବେ ଆଇନ୍‌ ଭଙ୍ଗ କରି ଚୋରାରେ ନିଜର ଗର୍ଭପାତ କରାଇଛନ୍ତି।

ଏଥିରେ କେହି ଦ୍ବିମତ ହେବାର ଅବକାଶ ନାହିଁ ଯେ ଜଣେ ନାରୀର ସମ୍ପୂର୍ଣ୍ଣ ଅବିଚ୍ଛେଦ୍ୟ ମୌଳିକତମ ଅଧିକାରମାନଙ୍କ ମଧୢରେ ଅଗ୍ରଗଣ୍ୟ ଯଦି କିଛି ଥାଏ, ତାହା ହେଉଛି ଗର୍ଭପାତର ଅଧିକାର। କାରଣ ଏହା ଯେଉଁ ଅକାଟ୍ୟ ନ୍ୟାୟୋଚିତ ସତ୍ୟ ଉପରେ ଆଧାରିତ, ତାହା ହେଲା ପ୍ରତ୍ୟେକ ବ୍ୟକ୍ତିର ନିଜର ଶରୀର ଉପରେ ଥିବା ସାର୍ବଭୌମ ଅଧିକାର। ନାରୀର ଗର୍ଭାଶୟ ହେଉଛି ତା’ର ଶରୀରର ଅ˚ଶ; ତାହାକୁ ସେ ସନ୍ତାନ ଉତ୍ପାଦନରେ ନିୟୋଜିତ କରିବ କି ନକରିବ, ସେ ନିଷ୍ପତ୍ତି ନେବାର ସମ୍ପୂର୍ଣ୍ଣ ଅଧିକା ହେଉଛି ସମ୍ପୃକ୍ତା ନାରୀର। ସିମନ୍‌ ଡି ବିଭ୍ବାଙ୍କ ବିଚାରରେ ପୁରୁଷ ପ୍ରଧାନ ସମାଜ କିନ୍ତୁ ନାରୀର ଗର୍ଭାଶୟକୁ ସମାଜର ସମ୍ପତ୍ତି ରୂପେ ବିଚାର କରି ତା’ର ବ୍ୟବହାରକୁ ସମାଜର ନିୟନ୍ତ୍ରଣାଧୀନ କରିଥାଏ।

ଆଶ୍ଚର୍ଯ୍ୟର କଥା, ପୃଥିବୀରେ ମୁକ୍ତି, ସମାନତା ଓ ଭ୍ରାତୃଭାବ ଧାରଣାର ମୂଳଭିତ୍ତି ରୂପେ ବିବେଚିତ ୧୭୮୯ର ଫରାସୀ ବିପ୍ଳବ କିନ୍ତୁ ଫରାସୀ ସମାଜର ଏହି ପୁରୁଷ-ପ୍ରଧାନ, ନାରୀ-ନ୍ୟୂନ ଚରିତ୍ରରେ କୌଣସି ପରିବର୍ତ୍ତନ ଘଟାଇ ପାରିନଥିଲା। ସେଇ ବିପ୍ଳବର ମୁଖ୍ୟ ହିତାଧିକାରୀ ନେପୋଲିଅନ୍‌ ତାଙ୍କର ସାମ୍ରାଜ୍ୟରେ ନାରୀମାନଙ୍କୁ ଯେଉଁ ସ୍ଥାନ ପ୍ରଦାନ କରିଥିଲେ, ତାହା ହେଲା, ‘‘ନାରୀମାନେ ସନ୍ତାନ ଉତ୍ପାଦନକାରୀ ମେସିନ୍‌ ଛଡ଼ା ଅନ୍ୟ କିଛି ନୁହଁନ୍ତି।’’ ଏହି ଚିନ୍ତାଧାରାକୁ ବିଦ୍ରୂପ କରି ଡି ବିଭ୍ବା କହିଥିଲେ, ନାରୀକୁ ଗର୍ଭପାତ ମାଧୢମରେ ଭ୍ରୂଣହତ୍ୟା କରିବାକୁ ନ ଦେଇ ସମାଜ ଚାହେଁ, ସେ କାରଖାନାମାନଙ୍କରେ ନିଷ୍ପେଷିତ ହେବା ପାଇଁ ଶସ୍ତା ଶ୍ରମିକ ଓ ଯୁଦ୍ଧ କ୍ଷେତ୍ରରେ ବଳି ପଡ଼ିବା ପାଇଁ ଯୁବ ସୈନିକ ଉତ୍ପାଦନ କରିଚାଲୁ। ଉଲ୍ଲେଖ ନିଷ୍ପ୍ରୟୋଜନ, ଏହି ଚିନ୍ତାଧାରାକୁ ଯାହା ପରିପୁଷ୍ଟ କରିଥାଏ, ତାହା ହେଉଛି ଏହା ପଛରେ ନିହିତ ଥିବା କ୍ୟାଥଲିକ୍‌ ଚର୍ଚ୍ଚର ଦୃଢ଼ ଅନୁମୋଦନ, ଯାହା ହେଉଛି ଆମେରିକାରେ ବର୍ତ୍ତମାନ ପରିଦୃଷ୍ଟ ହୋଇଥିବା ପଶ୍ଚାତ୍‌ମୁଖୀ ଧାରାର ମୁଖ୍ୟ କାରଣ।

ସାମାନ୍ୟତମ ସୁଯୋଗ ମିଳିଲେ ଆମେରିକା ବାକି ଦୁନିଆକୁ ନୀତିବାଣୀ ଶୁଣାଇବାକୁ କିପରି ଆଗେଇ ଆସେ, ତାହା ଭାରତ ଠାରୁ ଅଧିକ ଆଉ କେଉଁ ଦେଶ ଜାଣେ? ବର୍ତ୍ତମାନ ଗର୍ଭପାତକୁ ନିଷିଦ୍ଧ କରି ଏକବି˚ଶ ଶତାବ୍ଦୀର ଆମେରିକୀୟ ନାରୀମାନଙ୍କୁ ଡି ବିଭ୍ବା ବର୍ଣ୍ଣିତ ମଧୢଯୁଗୀୟ ପରାଧୀନତା ମଧୢକୁ ଠେଲିଦେବା ପାଇଁ ଉଦ୍ୟତ ଆମେରିକା ଯଦି କେଉଁ ଏକ ଦେଶକୁ ଆଦର୍ଶ ରୂପେ ଗ୍ରହଣ କରି ନିଜର ନାରୀମାନଙ୍କୁ ନ୍ୟାୟ ପ୍ରଦାନ କରିବା ଉଚିତ, ସେ ଦେଶ ହେଉଛି ଭାରତ।

ସମ୍ବନ୍ଧିତ ଖବର