ମଧୁର ମଳୟ

୨୦୧୪ ମସିହାରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଭାରତୀୟ ଜନତା ପାର୍ଟି (ବିଜେପି) ଭାରତରେ କ୍ଷମତାସୀନ ହେବା ପର ଠାରୁ ପାଶ୍ଚାତ୍ୟ ଗଣମାଧୢମ ବିଶେଷ କରି ଆମେରିକା ଏବ˚ ବ୍ରିଟେନ୍‌ର ଇ˚ରେଜୀ ଗଣମାଧୢମ ଯେଉଁଭଳି ଭାବେ ଭାରତକୁ କାରଣେ ଅକାରଣେ ‘ରୋଷ୍ଟ୍’ (ତୀବ୍ର ସମାଲୋଚନା ଉଦ୍ଦେଶ୍ୟରେ ସାମାଜିକ ଗଣମାଧୢମ ବ୍ୟବହାରକାରୀଙ୍କ ଦ୍ବାରା ବହୁଳ ଭାବେ ବ୍ୟବହୃତ ଅଭିବ୍ୟକ୍ତି) କରି ଚାଲିଛନ୍ତି, ତାହାକୁ ଯଦି ଗ୍ରୀଷ୍ମ ପ୍ରବାହ ସହିତ ତୁଳନା କରାଯାଏ, ତେବେ ଗଲା ସପ୍ତାହରେ ସେହି ପାଶ୍ଚାତ୍ୟ ଗଣମାଧୢମର ଅନ୍ୟତମ ପୁରୋଧା ତଥା ନରେନ୍ଦ୍ର ମୋଦୀଙ୍କ ଶାସନର ତୀବ୍ର ସମାଲୋଚକ ‘ଦ ଇକୋନୋମିଷ୍ଟ୍’ ଦ୍ବାରା ଭାରତ ସ˚ଦର୍ଭରେ ପ୍ରସ୍ତୁତ ପ୍ରଚ୍ଛଦ ପ୍ରସଙ୍ଗ ବା ‘କଭର‌୍‌ ଷ୍ଟୋରି’କୁ ‘ମଧୁର ମଳୟ’ ଭାବେ ଅଭିହିତ କରାଯାଇପାରେ।

କହିବା ବାହୁଲ୍ୟ ଯେ ଏହା ଅସ˚ଖ୍ୟ ଭାରତୀୟ, ବିଶେଷତଃ ନରେନ୍ଦ୍ର ମୋଦୀଙ୍କ ଦୃଢ଼ ସମର୍ଥକମାନଙ୍କ ମନରେ ଏକ ଆନନ୍ଦ ମିଶ୍ରିତ ବିସ୍ମୟର ଭାବ ସୃଷ୍ଟି କରିଛି। ମୋଦୀ ଶାସନାଧୀନ ଭାରତ ପ୍ରତି ପାଶ୍ଚାତ୍ୟ ଗଣମାଧ୍ୟମର ମନୋଭାବ ସ୍ପଷ୍ଟ ହୋଇଥାଏ, ‘ନ୍ୟୁୟର୍କ ଟାଇମ୍‌ସ’ ଦ୍ବାରା କରାଯାଇଥିବା ଏକ ଅନ୍‌ଲାଇନ୍‌ ସାମ୍ବାଦିକ ମନୋନୟନ ପ୍ରକ୍ରିୟାରୁ, ଯହିଁରେ ଭାରତ ଲାଗି ପ୍ରାର୍ଥୀଙ୍କ ଯୋଗ୍ୟତା ପରିପ୍ରେକ୍ଷୀରେ ଯେଉଁ ସର୍ତ୍ତଟି ରହିଥିଲା, ତାହା ହେଉଛି ପ୍ରାର୍ଥୀ ଜଣକ ମୋଦୀ ଏବ˚ ତାଙ୍କର ‘ମସ୍‌କୁଲାର‌୍‌ ନେସ୍‌ନାଲିଜ୍‌ମ’ ବା ‘ପେଶୀବହୁଳ ଜାତୀୟତାବାଦ’ର ସମାଲୋଚକ ହୋଇଥିବା ଆବଶ୍ୟକ। ଏଠାରେ ପ୍ରକାଶ ଥାଉ କି ‘ଦ ଇକୋନୋମିଷ୍ଟ୍’ ପତ୍ରିକା ୨୦୧୪ ପୂର୍ବରୁ ଭାରତକୁ ଯେଉଁ ଚକ୍ଷୁରେ ଦେଖୁଥିଲା, ତା’ର ପରବର୍ତ୍ତୀ କାଳରେ ତହିଁରେ ପରିବର୍ତ୍ତନ ଘଟାଇ ମୋଦୀଙ୍କ ଶାସନର ତୀବ୍ର ସମାଲୋଚକରେ ପରିଣତ ହୋଇଥିଲା।

ତେବେ, ସେ ଯାହା ହେଉ, ସମସ୍ତଙ୍କୁ ବିସ୍ମିତ କରିଦେବା ଭଳି ଗତ ସପ୍ତାହର ‘ଦ ଇକୋନୋମିଷ୍ଟ୍’ ଯାହା କହିଛି, ତାହା ହେଲା ଭାରତ ଅତିି ଶୀଘ୍ର ଦ୍ରୁତତମ ଅଭିବୃଦ୍ଧିକ୍ଷମ ବୃହତ୍‌ ଅର୍ଥନୀତିରେ ପରିଣତ ହେବାକୁ ଯାଉଛି। ଏବ˚ କେବଳ ଆସନ୍ତା ବର୍ଷ ନୁହେଁ, ଆଗାମୀ କେଇ ବର୍ଷ ପର୍ଯ୍ୟନ୍ତ ଭାରତର ଏଭଳି ଚମକପ୍ରଦ ଅଭିବୃଦ୍ଧି ବଳବତ୍ତର ରହିବ। ଏହାକୁ ପ୍ରଚ୍ଛଦରେ ‘ଇଣ୍ତିଆସ୍‌ ମୋମେଣ୍ଟ୍‌’ ବା ‘ଭାରତର କ୍ଷଣ’ ବୋଲି ଅଭିହିତ କରାଯାଇଛି। ତେବେ, କେଉଁ ଦୃଷ୍ଟିରୁ ଏହି ପତ୍ରିକା ପକ୍ଷରୁ ଏଭଳି ଏକ ଭବିଷ୍ୟବାଣୀ କରାଯାଇଛି, ତାହା ଏକ କ୍ଷୁଦ୍ର ଆଲୋଚନା ଲାଗି ଅବକାଶ ସୃଷ୍ଟି କରିଥାଏ।

ଭାରତର ଏଭଳି ଆର୍ଥିକ ଅଭିବୃଦ୍ଧିର ସମ୍ଭାବନା ସକାଶେ ପତ୍ରିକା ପକ୍ଷରୁ ଚାରିଟି କାରଣ ଠାବ କରାଯାଇଛି। ପ୍ରଥମ କାରଣଟି ହେଲା ଭାରତ ଏକ ଅତ୍ୟନ୍ତ ବିଶାଳ ବଜାର ଭାବେ ଆବିର୍ଭୂତ ହେବା, ଯାହା ପୃଥିବୀର ସମସ୍ତ ବ୍ୟବସାୟକୁ ନିଜ ଆଡ଼କୁ ଆକର୍ଷଣ କରିବାରେ ଲାଗିଛି; ଦ୍ବିତୀୟ କାରଣଟି ହେଲା ଦେଶ ଭିତରେ ନାଗରିକମାନଙ୍କ ସ୍ଥାନାନ୍ତରଣ, ଯାହା ସେମାନଙ୍କୁ ଆଉ ନିଜ ନିଜ ଗାଁରେ କୃଷି-ନିର୍ଭର କରି ନ ରଖି ସହରମାନଙ୍କରେ ଉପାର୍ଜନ ବୃଦ୍ଧିର ସୁଯୋଗ ଅନ୍ବେଷଣ ଲାଗି ଆଗ୍ରହୀ କରିଛି ଏବ˚ ଏହାର ସୁଯୋଗ ନେଇ ବିଭିନ୍ନ ଉଦ୍ୟୋଗପତିମାନେ ମଧୢ ଶସ୍ତା ମାନବ ସମ୍ବଳ ଲାଭ କରି ଶିଳ୍ପ ବିକାଶକୁ ତ୍ବରାନ୍ବିତ କରି ପାରିଛନ୍ତି। ତୃତୀୟ କାରଣଟି ହେଲା ଏକ ସ୍ବଚ୍ଛଳ ମଧୢବିତ୍ତୀୟ ଉପଭୋକ୍ତା ବର୍ଗର ସୃଷ୍ଟି, ଯାହା ଅଧିକରୁ ଅଧିକ ଆୟ କରିବା ସହିତ ହାତଖୋଲା ବ୍ୟୟର ପ୍ରବଳ ପ୍ରବଣତା ପ୍ରଦର୍ଶନ କରୁଛି ଏବ˚ ଭାରତର ବିଶାଳ ବଜାରକୁ ଅଧିକରୁ ଅଧିକ ଚଳଚଞ୍ଚଳ କରିବାରେ ଲାଗିଛି। ଚତୁର୍ଥ କାରଣଟି ହେଲା ଭାରତରେ ସଫଳ ‘ଷ୍ଟାର୍ଟଅପ୍‌’ମାନଙ୍କ ଆବିର୍ଭାବ। ପ୍ରକାଶ ଥାଉ କି ଏଭଳି ‘ଟେକ୍‌-ୟୁନିକର୍ନ’ମାନଙ୍କ ସ˚ଖ୍ୟା ଦୃଷ୍ଟିରୁ ଯୁକ୍ତରାଷ୍ଟ୍ର ଆମେରିକା ଓ ଚୀନ୍‌ ପରେ ଭାରତ ହେଉଛି ତୃତୀୟ, ଯାହା ଏବେ ଶହେରେ ପହଞ୍ଚିଛି। ପୁନଶ୍ଚ ଏହି ‘ଷ୍ଟାର୍ଟଅପ୍‌’ଗୁଡ଼ିକ ବିଦେଶରୁ ପୁଞ୍ଜି ଆକର୍ଷଣ କରିବାରେ ସଫଳ ହୋଇ ଭାରତର ଅର୍ଥନୀତିକୁ ଆହୁରି ସୁଦୃଢ଼ କରି ପାରିଛନ୍ତି।

ପ୍ରକାଶ ଥାଉ କି ଆଧାର କାର୍ଡ ପ୍ରତ୍ୟେକ ଭାରତୀୟଙ୍କୁ ଏକ ‘ଇଲେକ୍ଟ୍ରୋନିକ୍‌’ ପରିଚିତି ପ୍ରଦାନ କରିଛି ଏବ˚ ଜନଧନ ବ୍ୟାଙ୍କ୍‌ ଖାତା ଦରିଦ୍ରତମ ଭାରତୀୟଙ୍କୁ ଆର୍ଥିକ ରୂପେ ସଶକ୍ତ କରିଛି। ଏହା ସହିତ ସ୍ମାର୍ଟ ଫୋନ୍‌ର ବହୁଳ ଉପଲବ୍‌ଧତା ଯେଉଁ କିମିଆ କରିଛି, ତା’ର ସୁଫଳ ସମାଜର ନିମ୍ନ ବର୍ଗର ଲୋକେ ଲାଭ କରୁଛନ୍ତି। ଏହା ଫଳରେ ସରକାରଙ୍କ ପକ୍ଷରୁ ଗରିବମାନଙ୍କୁ ଅର୍ଥ ପ୍ରଦାନ ପ୍ରକ୍ରିୟା ଅତ୍ୟନ୍ତ ସହଜ ତଥା ସ୍ବଚ୍ଛ ହୋଇପାରିଛି। ଏହି ପତ୍ରିକାର ଆକଳନ ଅନୁସାରେ ପ୍ରାୟ ୯୫ କୋଟି ଲୋକ ଏଭଳି ବ୍ୟବସ୍ଥା ଦ୍ବାରା ଉପକୃତ ହୋଇଛନ୍ତି। ଏହା ସହିତ ଭାରତୀୟ ସାଧାରଣ ନାଗରିକଙ୍କ ଜୀବନରେ ଟେକ୍‌ନୋଲୋଜିର ଉପସ୍ଥିତି ଅନେକ କ୍ଷେତ୍ରରେ ଅମଲାତନ୍ତ୍ରର କ୍ରୂର ଓ ଅନାବଶ୍ୟକ ପତିଆରାକୁ କ୍ଷୁଣ୍ଣ କରିଛି। ସୁତରା˚, ଏହା ଏଭଳି ଏକ ପରିବେଶ ସୃଷ୍ଟି କଲାଣି, ଯହିଁରେ ଅଭିବୃଦ୍ଧି ଅଧିକ ଦ୍ରୁତ ହେବା ଅନିବାର୍ଯ୍ୟ।

ତେବେ, ସେହି ପତ୍ରିକାରେ ଏହା ମଧୢ ସତର୍କ କରାଇ ଦିଆଯାଇଛି ଯେ ଲୋକପ୍ରିୟ ମୋଦୀ ସରକାର ଯଦି ଭିନ୍ନ ମତକୁ ଗ୍ରହଣ ନ କରି ଏବ˚ ପ୍ରଶ˚ସକମାନଙ୍କ ଗହଣରେ ରହି ନିଜକୁ ଅଭେଦ୍ୟ କରି ଦିଅନ୍ତି ଏବ˚ ସେହି କାରଣରୁ କେତେକ ଅପରିଣାମଦର୍ଶୀ ମନମୁଖୀ ନିଷ୍ପତ୍ତି ନିଅନ୍ତି, ତେବେ ତାହା ଏଭଳି ଅଭିବୃଦ୍ଧି ପଥରେ ବାଧକ ସାଜିପାରେ!

କହିବା ଅନାବଶ୍ୟକ ଯେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ସରକାର ବର୍ତ୍ତମାନ ଯେଉଁଭଳି ଅତ୍ୟନ୍ତ ଦୃଢ଼ ସ୍ଥିତିରେ ରହିଛି, ଆଗାମୀ ନିର୍ବାଚନରେ ତାହାକୁ ସ୍ଥାନଚ୍ୟୁତ କରିବା ପ୍ରାୟ ଅସମ୍ଭବ ଭଳି ବୋଧ ହୋଇଥାଏ। କିନ୍ତୁ ଏହା ମଧୢ ସତ ଯେ ୨୦୧୪ ପର ଠାରୁ ଆଜି ପର୍ଯ୍ୟନ୍ତ ଆଠ ବର୍ଷର ଅବଧିରେ ମୋଦୀଙ୍କ ନେତୃତ୍ବାଧୀନ ଭାରତରେ ସା˚ପ୍ରଦାୟିକ ଅସହିଷ୍ଣୁତାଜନିତ ଉଦ୍‌ବେଗ ଯେତିକି ଘନୀଭୂତ ହୋଇଛି, ତାହା ପୂର୍ବରୁ କେବେ ହୋଇ ନ ଥିଲା। ତେଣୁ, ଏହା ସ୍ବାଭାବିକ ଯେ ସା˚ପ୍ରଦାୟିକ ସ˚ହତି ରକ୍ଷା କରା ନ ଗଲେ, ଯେଉଁ ଅସ୍ଥିରତା ଦୃଶ୍ୟମାନ ହେବ, ତାହା ଏହି ଆର୍ଥିକ ଅଭିବୃଦ୍ଧି ପଥରେ ବାଧକ ସୃଷ୍ଟି କରିବ। ମନେ ରଖିବା ଉଚିତ ଯେ ଭାରତରେ ଏଭଳି ଅଭିବୃଦ୍ଧିର ପରିବେଶ ଯଦିଓ ମୋଦୀ ସରକାରଙ୍କ ଅମଳରେ ସୃଷ୍ଟି ହୋଇଛି, ଏହା ପଛରେ ଯେ କେବଳ ମୋଦୀ ସରକାରଙ୍କ ଭୂମିକା ନିହିତ, ତାହା ନୁହେଁ।

ଉଦାହରଣ ସ୍ବରୂପ ‘ଆଧାର’ ବା ‘ଜିଏସ୍‌ଟି’ ଭଳି ସଂସ୍କାରମୂଳକ ଚିନ୍ତା ଏହାର ପୂର୍ବବର୍ତ୍ତୀ ୟୁପିଏ ସରକାର ଅମଳରେ କରାଯାଇଥିଲା, କିନ୍ତୁ ତାକୁ ପ୍ରବର୍ତ୍ତନ କରିବାର ଇଚ୍ଛାଶକ୍ତିରେ ଅଭାବ ହେତୁ ଏହାର ଶ୍ରେୟ ମୋଦୀ ସରକାରଙ୍କୁ ନିକଟକୁ ଯାଇଛି। ସେମିତି ଇଣ୍ଟର୍‌ନେଟ୍‌ର ବିକାଶ ଏକ ପାଶ୍ଚାତ୍ୟ ପ୍ରଯୁକ୍ତି ବିପ୍ଳବର ଅ˚ଶ, ଯାହାର ସୁଯୋଗ ନେବାରେ ଭାରତ ଅତ୍ୟନ୍ତ ସଫଳ ହୋଇଛି। ସେମିତି ରୁଷିଆ ଓ ୟୁକ୍ରେନ୍‌ ମଧୢରେ ଅତର୍କିତ ଯୁଦ୍ଧକୁ ଦୈବୀକୃତ ବୋଲି କହିବା ଅଧିକ ଯୁକ୍ତିଯୁକ୍ତ ହେବ, ଯାହା ଉଭୟ ରୁଷିଆ ଏବ˚ ଚୀନ୍‌ର ପତିଆରାକୁ ପୂର୍ବାପେକ୍ଷା ଅଧିକ ଦୁର୍ବଳ କରିଛି ଏବ˚ ଭାରତର ପ୍ରଭାବକୁ ଅପେକ୍ଷାକୃତ ଦୃଢ଼ କରିବାରେ ସହାୟକ ହୋଇଛି। ସେମିତି ଚୀନ୍‌ର ଆର୍ଥିକ ଅଭିବୃଦ୍ଧି ମନ୍ଥର ହେବାର ଲକ୍ଷଣ ପ୍ରଦର୍ଶନ କରିବା ମଧୢ ବିଧି ସମ୍ମତ, କାରଣ ଚୀନ୍‌ର ବିକାଶର ଇ˚ଜିନ୍‌ ଭାବେ ପରିଚିତ ସା˚ଘାଇ ସମେତ ପ୍ରାୟ ୩୦ଟି ଚୀନ୍‌ ସହର ଅତ୍ୟନ୍ତ କଠୋର ଲକ୍‌ଡାଉନ୍‌ ଅଧୀନରେ ରହି ଚୀନ୍‌ର ଅର୍ଥନୀତିକୁ ଗଭୀର ଭାବେ ପ୍ରଭାବିତ କରିଛନ୍ତି।

ତେବେ, ଏହା ମଧୢ ସତ ଯେ ବର୍ତ୍ତମାନ କ୍ଷମତାସୀନ ଥିବା ମୋଦୀ ସରକାରଙ୍କ ଦୃଢ଼ ଶାସନ ଅନୁକୂଳ ଆଭିମୁଖ୍ୟ ପ୍ରଦର୍ଶନ କରି ଏହି ଅଭିବୃଦ୍ଧିର ସମ୍ଭାବନାକୁ ବାସ୍ତବରେ ପରିଣତ କରିବାକୁ ଯାଉଛି ଏବଂ ତାକୁ ବହୁ ବର୍ଷ ପର୍ଯ୍ୟନ୍ତ ବଳବତ୍ତର କରି ରଖି ପାରିବାର ସମ୍ଭାବନା ମଧ୍ୟ ସୃଷ୍ଟି କରିଛି।। କିନ୍ତୁ ଏହା ମଧୢ ଏକ ବାସ୍ତବତା ଯେ ଏକ ଦୃଢ଼ ସରକାର ଦ୍ବାରା ଲେଶ ମାତ୍ର ଅପରିଣାମଦର୍ଶିତାର ପ୍ରଦର୍ଶନ ଭାରତର ଏଭଳି ଚମକପ୍ରଦ ଯାତ୍ରାର ସମ୍ଭାବନାକୁ ଧୂଳିସାତ୍‌ କରି ଦେଇପାରେ।

ସମ୍ବନ୍ଧିତ ଖବର