ଗଲା ମଙ୍ଗଳବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ଟେକ୍‌ସାସ୍‌ ପ୍ରଦେଶର ୟୁଭାଲ୍‌ଡେ ଠାରେ ଗୋଟିଏ ପ୍ରାଥମିକ ସ୍କୁଲ୍‌ର ଚତୁର୍ଥ ଗ୍ରେଡ୍‌ ଶ୍ରେଣୀ କକ୍ଷରେ ପ୍ରବେଶ କରି ଜଣେ ଅଠର ବର୍ଷ ବୟସ୍କ ତରୁଣ ସେମି-ଅଟୋମେଟିକ୍‌ ରାଇଫଲ ଦ୍ବାରା ୧୯ ଜଣ ଶିଶୁ ଏବ˚ ୨ ଜଣ ଶିକ୍ଷକଙ୍କୁ ହତ୍ୟା କରିବା ଘଟଣା କେବଳ ସେହି ଦେଶରେ ନୁହେଁ, ସାରା ପୃଥିବୀରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହାର କାରଣ ଆମେରିକାରେ ଅତି ଦ୍ରୁତ ନିୟମିତତାରେ ଘଟି ଚାଲିଥିବା ଗଣସ˚ହାରମାନ; ଯେମିତି କି ଆତତାୟୀଙ୍କ ଗୁଳିରେ ଗଲା ମେ ୧୪ରେ ବଫାଲୋର ଏକ ସୁପର ମାର୍କେଟ୍‌ରେ ୧୦ ଜଣ ବା ଏପ୍ରିଲ ୧୨ରେ ନ୍ୟୁୟର୍କର ବ୍ରୁକଲିନ ଠାରେ ୧୦ ଜଣ ଟଳି ପଡ଼ିଛନ୍ତି। ଏହି ସ˚ଦର୍ଭରେ ‘ଵାସି˚ଟନ୍‌ ପୋଷ୍ଟ୍’ରେ ଗଲା ୨୬ ତାରିଖରେ ପ୍ରକାଶିତ ଏକ ଆଲେଖ୍ୟ କହିଥାଏ ଯେ ୨୦୨୨ ମସିହାର ୧୪୫ ଦିନ ନ ଯାଉଣୁ ଆମେରିକା ଛୋଟ-ବଡ଼ କରି ୨୩୨ଟି ଗଣ ଗୁଳି ଚାଳନା କାଣ୍ତମାନ ଦେଖି ସାରିଲାଣି। ଯଦିଓ ଯୁକ୍ତରାଷ୍ଟ୍ର ଆମେରିକାରେ ଆଗ୍ନେୟାସ୍ତ୍ରର ଅତ୍ୟନ୍ତ ସୁଲଭ ଉପଲବ୍‌ଧତା ଏବ˚ ସେ ସବୁକୁ ପାଖରେ ରଖିବାର ଅପୂର୍ବ ସ୍ବାଚ୍ଛନ୍ଦ୍ୟ ଓ ଆଗ୍ରହ ବିରୋଧରେ ସ˚ପ୍ରତି ଜନମତ ଦୃଢ଼ ହେବାରେ ଲାଗିଲାଣି, ତଥାପି ଅତ୍ୟନ୍ତ ବିସ୍ମୟକର ଭାବେ ଏହା ବିରୋଧରେ ଆଇନ ପ୍ରଣୟନ କଲା ଭଳି ରାଜନୈତିକ ସାହସ ପରିଦୃଷ୍ଟ ହୋଇ ପାରୁନାହିଁ। ପୃଥିବୀର ସର୍ବାଧିକ ସଭ୍ୟ, ବିକଶିତ ତଥା ଗଣତନ୍ତ୍ରର ଅନ୍ୟତମ ଅନତିକ୍ରମ୍ୟ ଦୃଷ୍ଟାନ୍ତ ରୂପେ ପ୍ରଦର୍ଶିତ ହୋଇ ଆସୁଥିବା ଏହି ଦେଶର ଜନଜୀବନରେ ଏଭଳି ଏକ ଆଦିମ ଜଙ୍ଗଲୀ ସ˚ସ୍କୃତି ସକ୍ରିୟ ରହିବା ଏକ ବିଡ଼ମ୍ବନା, ଯାହା ଏକ କ୍ଷୁଦ୍ର ଆଲୋଚନା ଲାଗି ଅବକାଶ ସୃଷ୍ଟି କରିଥାଏ।

Advertisment

ପ୍ରକାଶ ଥାଉ କି ସ˚ପ୍ରତି ଆମେରିକା ହେଉଛି ପୃଥିବୀର ସର୍ବାଧିକ ବନ୍ଧୁକଧାରୀଙ୍କ ରାଷ୍ଟ୍ର; ଯେଉଁଠି ମୁଣ୍ତ ପିଛା ଆଗ୍ନେୟାସ୍ତ୍ରର ସ˚ଖ୍ୟା ହେଉଛି ୧.୨; ଅର୍ଥାତ୍‌ ପ୍ରତି ୧୦୦ ଜଣରେ ୧୨୦ଟି ବନ୍ଧୁକ (ସ୍ବିଜରଲାଣ୍ତ୍‌ର ‘ସ୍ମଲ୍‌ ଆର୍ମ‌୍‌ସ ସର୍ଭେ’ ପ୍ରୋଜେକ୍‌ଟ ରିପୋର୍ଟ)। ପୃଥିବୀର ଜନସ˚ଖ୍ୟାର ମାତ୍ର ୪% ଜନସାଧାରଣଙ୍କୁ ଧାରଣ କରିଥିବା ଏହି ଦେଶରେ ବନ୍ଧୁକ ସ˚ଖ୍ୟା ହେଉଛି ପୃଥିବୀର ସମୁଦାୟ ବନ୍ଧୁକ ସ˚ଖ୍ୟାର ୪୨ ପ୍ରତିଶତ। ୧୯୬୮ ମସିହାରୁ ୨୦୧୭ ମଧୢରେ ୧.୫ ନିୟୁତ ଆମେରିକୀୟ ବନ୍ଧୁକ ଗୁଳିରେ ପ୍ରାଣ ହରାଇଛନ୍ତି, ଯାହା ୧୭୭୫ରେ ଆମେରିକାର ସ୍ବାଧୀନତା ସ˚ଗ୍ରାମ ଠାରୁ ଆରମ୍ଭ କରି ଏ ପର୍ଯ୍ୟନ୍ତ ଆମେରିକା ସଂପୃକ୍ତ ଥିବା ସମସ୍ତ ଯୁଦ୍ଧରେ ଘଟିଥିବା ଆମେରିକୀୟଙ୍କ ମୃତ୍ୟୁ ସ˚ଖ୍ୟା ଠାରୁ ଅଧିକ। ଉଲ୍ଲେଖଯୋଗ୍ୟ ଯେ ୨୦୨୦ ମସିହାରେ (ପାନ୍‌ଡେମିକ୍‌ ଲକ୍‌ଡାଉନ୍‌ କାଳରେ) ୪୫,୦୦୦ରୁ ଅଧିକ ଆମେରିକୀୟ ବନ୍ଧୁକ ଗୁଳିରେ ମୃତ୍ୟୁବରଣ କରିଛନ୍ତି। ଏଭଳି ସ୍ଥଳେ ଆମେରିକାରେ ଏକ ଆଗ୍ନେୟାସ୍ତ୍ର ନିୟନ୍ତ୍ରଣକାରୀ ଆଇନ ସମ୍ଭବ ହୋଇ ନ ପାରିବା ବିସ୍ମୟକର ବୋଧ ହୋଇଥାଏ।

ତେବେ, ଉଲ୍ଲେଖଯୋଗ୍ୟ ଯେ ସଂପ୍ରତି ଆମେରିକାରେ ବନ୍ଧୁକ ନିୟନ୍ତ୍ରଣର ସମର୍ଥକଙ୍କ ସ˚ଖ୍ୟା କ୍ରମେ ବୃଦ୍ଧି ପାଇବାରେ ଲାଗିଲାଣି। କିନ୍ତୁ ଏହା ସତ୍ତ୍ବେ ବନ୍ଧୁକ ସ୍ବାଧୀନତାର ସମର୍ଥକମାନଙ୍କ ସ୍ବରର ଉଚ୍ଚାଟ ଏବ˚ ସ୍ବଭାବଗତ ଭାବେ ସେମାନଙ୍କ ଆକ୍ରମଣାତ୍ମକ ଆଭିମୁଖ୍ୟ ବନ୍ଧୁକ ନିୟନ୍ତ୍ରଣ ଲାଗି ଉଠୁଥିବା ସ୍ବରକୁ ନିଷ୍ପ୍ରଭ କରି ଦେଇଛି। ପ୍ରକାଶ ଥାଉ କି ୨୦୦୮ ମସିହାରେ ତତ୍କାଳୀନ ସିନେଟର ଭାବେ ବାରାକ ଓବାମା ବନ୍ଧୁକ ନିୟନ୍ତ୍ରଣ ସପକ୍ଷରେ ଯୁକ୍ତି ବାଢ଼ି ଅତ୍ୟନ୍ତ କ୍ରୂର ବାଚନିକ ଆକ୍ରମଣର ଶିକାର ହୋଇଥିଲେ, ଯହିଁରେ ତାଙ୍କୁ ‘ସ୍ବାଧୀନ ଅଭିବ୍ୟକ୍ତି’ ବା ‘ମୁକ୍ତ ବିଚାର’ର ବିରୋଧୀ ଏବ˚ ଅଗଣତାନ୍ତ୍ରିକ ନିୟନ୍ତ୍ରଣର ପକ୍ଷପାତୀ ବୋଲି ଅଭିହିତ କରାଯାଇଥିଲା। ପ୍ରକାଶ ଥାଉ କି ଅାମେରିକାରେ ଅତ୍ୟନ୍ତ ପ୍ରତିପତ୍ତିଶାଳୀ ଅସ୍ତ୍ରଶସ୍ତ୍ର ନିର୍ମାଣ ଉଦ୍ୟୋଗ ଏବ˚ ‘ନେସ୍‌ନାଲ ରାଇଫଲ୍‌ସ ଆସୋସିଏସନ୍‌’ ବିରୋଧରେ ଛିଡ଼ା ହେବା ଲାଗି ଏ ପର୍ଯ୍ୟନ୍ତ ଦୃଢ଼ ରାଜନୈତିକ ଇଚ୍ଛା ଶକ୍ତି ପରିଦୃଷ୍ଟ ହୋଇପାରିନାହିଁ।

ବନ୍ଧୁକ ଧାରଣ କରିବାର ସ୍ବାଧୀନତାର ସମର୍ଥକମାନେ ୨୦୨୦ର ଗୋଟିଏ ପରିସ˚ଖ୍ୟାନକୁ ଦର୍ଶାଇ କହିଥାଆନ୍ତି ଯେ ସେହି ବର୍ଷ ଆମେରିକାରେ ବନ୍ଧୁକ ଗୁଳିରେ ମୃତ୍ୟୁବରଣ କରିଥିବା ୪୫,୦୦୦ ବ୍ୟକ୍ତିଙ୍କ ମଧୢରୁ ଅଧାରୁ ଅଧିକ ଅର୍ଥାତ୍‌ ୫୪% ଆତ୍ମହତ୍ୟା କରିଛନ୍ତି; ସୁତରାଂ, ଏହା ସ୍ପଷ୍ଟ କରିଥାଏ ଯେ ଗୁଳି ଦ୍ବାରା ସ˚ଘଟିତ ହତ୍ୟା ଘଟଣାର ସ˚ଖ୍ୟା ତୁଳନାତ୍ମକ ଭାବେ କମ୍‌। ଏ ସ˚ଦର୍ଭରେ ବନ୍ଧୁକ ସମର୍ଥକଙ୍କ ପକ୍ଷରୁ ଆଉ ଏକ ପରିସ˚ଖ୍ୟାନ ବଳରେ ଦର୍ଶାଯାଇଥାଏ ୨୦୦୦ରୁ ୨୦୧୪ ମଧୢରେ ଗଣ ଗୁଳି ଚାଳନାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ହାର ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରତି ଏକ ନିୟୁତ ଜନସ˚ଖ୍ୟାରେ ୧.୫ ହୋଇଥିବା ବେଳେ ସ୍ବିଜରଲାଣ୍ତ ଓ ଫିନ୍‌ଲାଣ୍ତ ଭଳି କମ୍‌ ଅପରାଧପ୍ରବଣ ଦେଶରେ ତାହା ଯଥାକ୍ରମେ ୧.୭ ଏବ˚ ୩.୪; କିନ୍ତୁ ଏଭଳି ଏକ ପରିସ˚ଖ୍ୟାନର ଛଦ୍ମ ଆବରଣ ତଳେ ଲୁଚିଥିବା ସତ୍ୟଟି ହେଲା ଏହି ସମୟ ଭିତରେ ଯୁକ୍ତରାଷ୍ଟ୍ର ଆମେରିକାରେ ୧୩୩ଟି ଗଣ ଗୁଳି ଚାଳନା ଘଟଣା ଘଟିଥିବା ବେଳେ ସ୍ବିଜରଲାଣ୍ତ୍‌ରେ ମାତ୍ର ଗୋଟିଏ ଘଟଣାରେ ୧୪ ଏବ˚ ଫିନ୍‌ଲାଣ୍ତରେ ଦୁଇଟି ଘଟଣାରେ ୧୮ ଜଣ ଲୋକ ମୃତ୍ୟୁବରଣ କରିଥିଲେ। କହିବା ଅନାବଶ୍ୟକ ଯେ ଜନସ˚ଖ୍ୟା ତୁଳନାରେ ମୃତକଙ୍କ ସ˚ଖ୍ୟାର ଅନୁପାତ ହିସାବରେ କମ୍‌ ଜନସ˚ଖ୍ୟା ବିଶିଷ୍ଟ ସ୍ବିଜରଲାଣ୍ତ ବା ଫିନ୍‌ଲାଣ୍ତରେ ମୃତ୍ୟୁ ହାର ତୁଳନାରେ ଅଧିକ ଜନସ˚ଖ୍ୟା ବିଶିଷ୍ଟ ଆମେରିକାର ମୃତ୍ୟୁ ହାର କମ୍‌ ଦିଶିଥାଏ, ଯାହାକୁ ବନ୍ଧୁକ ସମର୍ଥକମାନେ କୌଶଳରେ ବ୍ୟବହାର କରିଛନ୍ତି।

ଆମେରିକାରେ ଘଟୁଥିବା ଏଭଳି ହତ୍ୟାକାଣ୍ତ ପରିପ୍ରେକ୍ଷୀରେ ଅନେକ ପର୍ଯ୍ୟବେକ୍ଷକ ହତ୍ୟାକାରୀମାନଙ୍କ ମାନସିକ ଅସୁସ୍ଥତା ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରିଥାଆନ୍ତି; ଯେମିତି ଟେକ୍‌ସାସ୍‌ ସ୍କୁଲ୍‌ ଘଟଣାରେ ଯୁବ ଆତତାୟୀ ବାଲ୍ୟ କାଳରୁ ପ୍ରଦର୍ଶନ କରି ଆସୁଥିବା ନିଷ୍ଠୁର ସ୍ବଭାବ। ସେମିତି ଆମେରିକାରେ ଆତ୍ମହତ୍ୟା ଘଟଣାରେ ବୃଦ୍ଧି ମଧ୍ୟ ଆମେରିକୀୟମାନଙ୍କ ଭିତରେ କ୍ରମ ବର୍ଦ୍ଧମାନ ମାନସିକ ଅସୁସ୍ଥତାର ନିଦର୍ଶନ। । କିନ୍ତୁ ଏ ସ˚ଦର୍ଭରେ ଆଡାମ୍‌ ଲା˚କ୍‌ଫୋର୍ଡ ନାମକ ଜଣେ ଗବେଷକଙ୍କ ଦ୍ବାରା ପ୍ରସ୍ତୁତ ନିଷ୍କର୍ଷ କହିଥାଏ ଯେ ଆମେରିକା ତୁଲ୍ୟ ଧନୀ ଓ ବିକଶିତ ରାଷ୍ଟ୍ରଗୁଡ଼ିକରେ ମାନସିକ ରୋଗୀଙ୍କ ହାର ଊଣା ଅଧିକେ ଆମେରିକା ସହିତ ସମତୁଲ; କିନ୍ତୁ ତଜ୍ଜନିତ ଆତ୍ମହତ୍ୟା ବା ହତ୍ୟା ଘଟଣାରେ ଆମେରିକା ସେମାନଙ୍କୁ ଅନେକ ପଛରେ ପକାଇ ଦେଇଥିବାର ଏକମାତ୍ର କାରଣ ହେଉଛି ଆମେରିକାରେ ବନ୍ଧୁକର ଅନନ୍ୟ ସୁଲଭତା। ଏ ସ˚ଦର୍ଭରେ କାଲିଫର୍ନିଆ ବିଶ୍ବବିଦ୍ୟାଳୟର ଦୁଇ ଗବେଷକ ଫ୍ରାଙ୍କ୍‌ଲିନ ଜିମିଙ୍ଗ ଏବ˚ ଗର୍ଡନ ହକି˚ଙ୍କ ଅନ୍ତର୍ଦୃଷ୍ଟିସ˚ପନ୍ନ ସୂଚନା ବେଶ୍‌ କୌତୂହଳପ୍ରଦ, ଯାହା କହିଥାଏ ଯେ ପୃଥିବୀର ବଡ଼ ବଡ଼ ସହରରେ ହେଉଥିବା ଲୁଟ୍‌ତରାଜର ସ˚ଖ୍ୟାରେ ଏକ ସମତୁଲତା ଥିବା ବେଳେ କୌଣସି ଗୋଟିଏ ସାଧାରଣ ଲୁଟ ଘଟଣାରେ ଜଣେ ଲଣ୍ତନ ନିବାସୀଙ୍କ ତୁଳନାରେ ଜଣେ ନ୍ୟୁୟର୍କ ବାସିନ୍ଦାଙ୍କ ଗୁଳି ଚୋଟରେ ମୃତ୍ୟୁର ସମ୍ଭାବନା ୫୪ ଗୁଣ ଅଧିକ; ଯହିଁରେ ଚୋର ବା ଚୋରିର ଶିକାର ଅଥବା ଉଭୟ ବନ୍ଧୁକ ଗୁଳିରେ ନିହତ ହେବାର ଆଶଙ୍କା ରହିଛି, କାରଣ ପ୍ରତ୍ୟେକଙ୍କ ନିକଟରେ ବନ୍ଧୁକଟିଏ ଥିବା ନିିଃସନ୍ଦେହ। ଆଡାମ୍‌ ଲା˚କ୍‌ଫୋର୍ଡ ତାଙ୍କ ଗବେଷଣାରେ ୧୩୦ଟି ଅନୁଶୀଳନରେ ସ୍ପଷ୍ଟ କରିଛନ୍ତି ଯେ ପୃଥିବୀର ଅନ୍ତତଃ ୧୦ଟି ଦେଶ ବନ୍ଧୁକ ନିୟନ୍ତ୍ରଣ ଆଇନ ପ୍ରବର୍ତ୍ତନ କରି ସେଠାକାର ବନ୍ଧୁକ ଅପରାଧକୁ ବହୁ ଗୁଣରେ ହ୍ରାସ କରି ପାରିଛନ୍ତି। କିନ୍ତୁ ଆମେରିକାରେ ବନ୍ଧୁକ ନିୟନ୍ତ୍ରଣକୁ ‘ଗଣତନ୍ତ୍ରର କଣ୍ଠରୋଧ’ ଭଳି ନିର୍ବୋଧ ତର୍କ ରୂପେ ଏ ଯାବତ୍‌ ଉପସ୍ଥାପନ କରାଯାଉଛି।

ଗଲା ଫେବ୍ରୁଆରି ମାସରେ ‘ଆନାଲ୍‌ସ ହଥ୍‌ ଇଣ୍ଟରନାଲ ମେଡିସିନ୍‌’ ପକ୍ଷରୁ ପ୍ରକାଶିତ ଏକ ହିସାବ କହିଥାଏ ଯେ ଜାନୁଆରି, ୨୦୧୯ରୁ ଏପ୍ରିଲ ୨୦୨୧ ମଧୢରେ ଆମେରିକାରେ ୭.୫ ନିୟୁତ ନୂତନ ବନ୍ଧୁକ କ୍ରେତା ସୃଷ୍ଟି ହୋଇଛନ୍ତି, ଯେଉଁମାନଙ୍କ ପରିବେଷ୍ଟନୀରେ ୫ ନିୟୁତ ଶିଶୁ ଏବ˚ କିଶୋରଙ୍କ ସମେତ ୧୧ ନିୟୁତ ବ୍ୟକ୍ତି ବନ୍ଧୁକ ପରିଚୟ ହାସଲ କରିଛନ୍ତି। ଏଥିରୁ ଆମେରିକାରେ ବନ୍ଧୁକ ଧାରଣ କରିବାର ରୋମା˚ଚ ନେଇ ଏକ ଧାରଣା ସୃଷ୍ଟି ହୋଇଥାଏ। ବନ୍ଧୁକ ସମର୍ଥକମାନେ ଜଣେ ଆମେରିକୀୟ ନାଗରିକର ଆତ୍ମରକ୍ଷା କରିବାର ସ୍ବାଧୀନତାକୁ ବନ୍ଧୁକ ଧାରଣ କରିବାର ମୁଖ୍ୟ ଉଦ୍ଦେଶ୍ୟ ଭାବେ ଦର୍ଶାଇ ଥାଆନ୍ତି। କିନ୍ତୁ ସେହି ବନ୍ଧୁକଟି ଯେ ନିଜ ମନୋଭାବ ଅଭିବ୍ୟକ୍ତ କରିବାର ଏକ ଘାତକ ମାଧୢମରେ ପରିଣତ ହୋଇପାରେ, ଏ ନେଇ କ’ଣ ସେମାନେ ଅଜ୍ଞ? ନିଶ୍ଚିତ ଭାବେ ‘ନା’। ସେମାନେ ବୋଧହୁଏ ଅଭିବ୍ୟକ୍ତିର ସ୍ବାଧୀନତାକୁ ମଧୢ ଏକ ଚରମ ପର୍ଯ୍ୟାୟକୁ ନେଇଯିବାକୁ ଚାହାନ୍ତି, ଯେଉଁଥି ଲାଗି ଆତତାୟୀ ହାତରେ କଲମ ଭଳି ବନ୍ଧୁକଟିଏ ଶୋଭା ପାଏ ଏବ˚ ନିଜର ଭାବ ବ୍ୟକ୍ତ କରିବା ଲାଗି ସେ ୟୁଭାଲ୍‌ଡେ ଠାରେ ୨୧ ଜଣଙ୍କୁ ହତ୍ୟା କରି ଦେଇପାରେ!