ରକ୍ତସ୍ରାବୀ କ୍ଷତ!

ଗଲା ମାର୍ଚ୍ଚ ୨୧ ତାରିଖରେ ଏହି ସ୍ତମ୍ଭରେ ‘ଦ କାଶ୍ମୀର ଫାଇଲ୍‌ସ’ ଶୀର୍ଷକ ଲେଖାରେ ଇଙ୍ଗିତ କରାଯାଇଥିଲା ଯେ କାଶ୍ମୀର ଭଳି ଏକ ରକ୍ତସ୍ରାବୀ କ୍ଷତରୁ ରକ୍ତ କ୍ଷରଣ ବନ୍ଦ କରିବାକୁ ହେଲେ ଏକ ଅତ୍ୟନ୍ତ ଦକ୍ଷ ଚିକିତ୍ସକ ବା ସେହି ଅର୍ଥରେ ଦକ୍ଷ ଚିକିତ୍ସା ପ୍ରଣାଳୀର ଆବଶ୍ୟକତା ରହିଛି। କହିବା ଅନାବଶ୍ୟକ ଯେ କାଶ୍ମୀର ସଂକଟର ସମାଧାନ ସକାଶେ ସ୍ବାଧୀନତା ପରବର୍ତ୍ତୀ କାଳରୁ ଏ ଯାବତ୍‌ ସରକାରଗୁଡ଼ିକ ନିରବଚ୍ଛିନ୍ନ ଭାବେ ଅନେକ ପ୍ରକାର ଉଦ୍ୟମ କରି ଆସିଛନ୍ତି, ଯେଉଁ କ୍ରମରେ ୨୦୧୯ ମସିହା ଅଗଷ୍ଟ ମାସରେ ଧାରା ୩୭୦ର ଉଚ୍ଛେଦକୁ ସର୍ବାଧିକ ପ୍ରଭାବଶାଳୀ ଭାବେ ଦର୍ଶା ଯାଇପାରେ। ଏଠାରେ ସ୍ମରଣଯୋଗ୍ୟ ଯେ କାଶ୍ମୀର ଉପତ୍ୟକାରେ ସଘନ ଆତଙ୍କବାଦୀ ଗତିବିଧି, ବିଚ୍ଛିନ୍ନତାବାଦୀ ସ୍ବରର ଉଚ୍ଚାଟ ଏବ˚ ସରକାର ବା ପ୍ରଶାସନ ବିରୋଧୀ ତୁମୁୁଳ ବିକ୍ଷୋଭ ଅତ୍ୟନ୍ତ ପ୍ରଚଣ୍ତ ରୂପ ଧାରଣ କରିଥିବା ପରିପ୍ରେକ୍ଷୀରେ ଅତର୍କିତ ଭାବେ ଧାରା ୩୭୦ର ଉଚ୍ଛେଦ ସହିତ ଜାମ୍ମୁ କାଶ୍ମୀରକୁ ପ୍ରଦାନ କରାଯାଇଥିବା ସ୍ବତନ୍ତ୍ର ମାନ୍ୟତାରେ ବିଲୋପ ଘଟାଇ ତାକୁ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ରୂପେ ଭାରତ ସହିତ ଏକାକାର କରି ଦିଆଯିବା ପରେ ସେଠାରେ ବିଚ୍ଛିନ୍ନତାବାଦୀ ଓ ଆତଙ୍କବାଦୀ କାର୍ଯ୍ୟକଳାପ ବା ହିଂସ୍ର ଗଣ ବିକ୍ଷୋଭ ଭଳି ଘଟଣାରେ ତୀବ୍ର ହ୍ରାସ ଘଟିଛି। କିନ୍ତୁ ତା’ ପରିବର୍ତ୍ତେ ଯାହା ଦୃଶ୍ୟମାନ ହୋଇଛି, ତାହା ହେଲା ଏକ ‘ହିନ୍ଦୁ ନିର୍ଦ୍ଦିଷ୍ଟ’ ହତ୍ୟାକାଣ୍ତ ଧାରା! ସେହି ଦୃଷ୍ଟିରୁ ଏକ ଆଶଙ୍କା ବିଜଡ଼ିତ ପ୍ରଶ୍ନ ସୃଷ୍ଟି ହୋଇଥାଏ ଯେ ପୁନର୍ବାର କାଶ୍ମୀର ଉପତ୍ୟକାରେ ‘କାଶ୍ମୀର ଫାଇଲ୍‌ସ’ରେ ପ୍ରଦର୍ଶିତ ଦୃଶ୍ୟରାଜି ଭଳି ଘଟଣାମାନ ବାସ୍ତବରେ ସ˚ଘଟିତ ହେବାକୁ ଯାଉନାହିଁ ତ?

ଉଲ୍ଲେଖଯୋଗ୍ୟ ଯେ ନିକଟରେ ଘଟିଥିବା ‘ହିନ୍ଦୁ ନିର୍ଦ୍ଦିଷ୍ଟ’ ହତ୍ୟାକାଣ୍ତ ପରିପ୍ରେକ୍ଷୀରେ ଜାମ୍ମୁ କାଶ୍ମୀରର ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏବ˚ ମୁଫ୍‌ତି ମହମ୍ମଦ ସଇଦ୍‌ଙ୍କ ଦ୍ବାରା ପ୍ରଦତ୍ତ ମନ୍ତବ୍ୟ ‘ଦ କାଶ୍ମୀର ଫାଇଲ୍‌ସ’ରେ ପ୍ରଦର୍ଶିତ ହୋଇଥିବା ‘ଅର୍ଧ ସତ୍ୟ’ (ବା ସେମାନଙ୍କ ଭାଷାରେ ମିଥ୍ୟା ମଧୢ) ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରିଥାଏ, ଯାହା, ସେମାନଙ୍କ ମତରେ, ଉପତ୍ୟକାରେ ହିନ୍ଦୁ ବିରୋଧୀ ଆକ୍ରୋଶକୁ ପୁନର୍ବାର ଉତ୍ତାପ ପ୍ରଦାନ କରିଛି। ତେବେ, ଏହା ଯଦି ଠିକ୍‌, ତାହା ହେଲେ ‘ଦ କାଶ୍ମୀର ଫାଇଲ୍‌ସ’ ମୁକ୍ତିଲାଭ କରିବା ପୂର୍ବରୁ ଉପତ୍ୟକାରେ ଧାରାବାହିକ ଭାବେ ସମୟ ଅନ୍ତରାଳରେ ‘ହିନ୍ଦୁ ନିର୍ଦ୍ଦିଷ୍ଟ’ ହତ୍ୟାକାଣ୍ତମାନ ଘଟି ଚାଲି ଆସିଥିଲା କିପରି? ଏଠାରେ ପ୍ରକାଶ ଥାଉ କି ୨୦୧୯ ମସିହାରେ ଧାରା ୩୭୦କୁ ଉଚ୍ଛେଦ କରାଯିବା ସହିତ ଉପତ୍ୟକାକୁ ଏକ ଅତ୍ୟନ୍ତ ଶକ୍ତ ନିୟନ୍ତ୍ରଣ ବ୍ୟବସ୍ଥା ମଧୢରେ ରଖା ଯାଇଥିବା ସତ୍ତ୍ବେ ସେହି ବର୍ଷ ୧୭ ଜଣ ଅଣ କାଶ୍ମୀରୀ (ହିନ୍ଦୁ ସମେତ)ଙ୍କୁ ବାଛି ହତ୍ୟା କରାଯାଇଥିଲା। ସେହିଭଳି ୨୦୨୧ ମସିହାରେ ୪ ଜଣ କାଶ୍ମୀରୀ ପଣ୍ତିତ, ଜଣେ ଶିଖ୍‌ ଏବ˚ ୪ ଜଣ ଅଣ କାଶ୍ମୀରୀ ହିନ୍ଦୁଙ୍କୁ ନିଶାଣ କରି ହତ୍ୟା କରାଯାଇଥିଲା। ସୁତରା˚, ବର୍ତ୍ତମାନ ଘଟୁଥିବା ‘ହିନ୍ଦୁ ନିର୍ଦ୍ଦିଷ୍ଟ’ ହତ୍ୟାକାଣ୍ତମାନ ସେହି କୁତ୍ସିତ ଧାରା ପ୍ରବାହର ଏକ ଅ˚ଶ ହୋଇଥିବାର ସମ୍ଭାବନା ରହିଛି। ତେଣୁ, ଏଭଳି ଘଟଣା ପଛରେ ‘ଦ କାଶ୍ମୀର ଫାଇଲ୍‌ସ’ ଚଳଚ୍ଚିତ୍ରର ଏକ ନିର୍ଦ୍ଦିଷ୍ଟ ଭୂମିକା ରହିଛି ବୋଲି ନିଶ୍ଚିତ ଭାବେ କୁହାଯାଇ ନ ପାରେ।

କହିବା ବାହୁଲ୍ୟ ଯେ ମୁଷ୍ଟିମେୟ ବିଚ୍ଛିନ୍ନତାବାଦୀ ନେତାଙ୍କ ଶାଣିତ ସ୍ବର, ‘ଜେକେଏଲ୍‌ଏଫ୍‌’ ଭଳି ଆତଙ୍କବାଦୀ ସ˚ଗଠନ, ପାକିସ୍ତାନ ସରକାରଙ୍କ ଦ୍ବାରା ପ୍ରୋତ୍ସାହିତ ଏବ˚ ପ୍ରଶିକ୍ଷିତ ସୀମା ବାହାରର ଆତଙ୍କବାଦୀ ଏବ˚ କିଛି ସୁବିଧାବାଦୀ ରାଜନେତାଙ୍କ କାରଣରୁ କାଶ୍ମୀର ଉପତ୍ୟକାରେ ହିନ୍ଦୁ ଏବ˚ ମୁସଲମାନ ସ˚ପ୍ରଦାୟ ମଧୢରେ ବିଦ୍ବେଷ ସମୟ କ୍ରମେ ଘନୀଭୂତ ହୋଇ ନବମ ଦଶକ ବେଳକୁ ତା’ର ଚରମ ସୀମାରେ ପହଞ୍ଚି ଥିଲା; ଯାହା ଅବଶ୍ୟ ବର୍ତ୍ତମାନ ଅନେକଟା ନିଷ୍ପ୍ରଭାବୀ ହୋଇ ପଡ଼ିଥିବା ପରିଲକ୍ଷିତ ହେଉଛି। କିନ୍ତୁ ତାହା ସତ୍ତ୍ବେ ‘ହିନ୍ଦୁ ନିର୍ଦ୍ଦିଷ୍ଟ’ ହତ୍ୟାକାଣ୍ତ ଘଟଣାମାନ ନିୟମିତ ଅନ୍ତରାଳରେ ଘଟି ଚାଲିଛି! ଏହି ସ˚ଦର୍ଭରେ ବାସ୍ତବ କାରଣଟି ହେଲା କାଶ୍ମୀରରେ ଦୁଇ ସ˚ପ୍ରଦାୟ ମଧ୍ୟରେ ବିଶ୍ବାସହାନିର ବାତାବରଣ ବର୍ତ୍ତମାନ ସୁଦ୍ଧା ବଳବତ୍ତର ରହିଛି। ଏଭଳି ସ୍ଥଳେ କେନ୍ଦ୍ର ସରକାରଙ୍କ କେତେକ ଆଭିମୁଖ୍ୟ ପରିସ୍ଥିତିକୁ ଅଧିକ ଜଟିଳ କରି ପକାଉଛି। ଉଦାହରଣ ସ୍ବରୂପ କେନ୍ଦ୍ର ସରକାରଙ୍କ ଦ୍ବାରା ଖୋଲାଯାଇଥିବା ଏକ ‘େଵବ୍‌ ସାଇଟ୍‌’; ଯହିଁରେ କାଶ୍ମୀରୀ ପଣ୍ତିତମାନେ ପଳାୟନ କରିବା ପୂର୍ବରୁ ବିକ୍ରୟ କରି ଦେଇଥିବା ଭୂ-ସ˚ପତ୍ତିକୁ ପୁନର୍ବାର ଲାଭ କରିବା ଲାଗି ଆବେଦନ କରିପାରିବେ। ଏହି ବ୍ୟବସ୍ଥାନୁସାରେ ବହୁ ପୂର୍ବରୁ ଭୂ-ସ˚ପତ୍ତି ବିକ୍ରୟ କରାଯାଇଥିଲେ ସୁଦ୍ଧା ତାହା ମଧୢ ଦୁର୍ଦଶାଗ୍ରସ୍ତ ଅବସ୍ଥାର ବିକ୍ରୟ ବୋଲି ଗଣତି ହେବ। ସୁତରା˚, ଏହା ଦ୍ବାରା ସ୍ବାଭାବିକ ଭାବେ ଏହି ସବୁ ଭୂ-ସ˚ପତ୍ତିକୁ କ୍ରୟ କରିଥିବା ବା ବଳପୂର୍ବକ ଅକ୍ତିଆର କରିଥିବା ସ୍ଥାନୀୟ ବାସିନ୍ଦାଙ୍କ ମନରେ ଭୟ ସୃଷ୍ଟି ହୋଇଥିବ, ଯାହାର ସୁଯୋଗ ନେଇ ‘ଦ ରେଜିଷ୍ଟାନ୍‌ସ ଫ୍ରଣ୍ଟ୍‌’ ନାମକ ଏକ ଆତଙ୍କବାଦୀ ସ˚ଗଠନ (ଲସ୍‌କର ଏ ତୋଇବାର ଅ˚ଶ)ର ଆବିର୍ଭାବ ଘଟିଛି, ଯାହା ୨୦୨୧ରେ ହୋଇଥିବା ହିନ୍ଦୁ ହତ୍ୟାକାଣ୍ତର ରଚୟିତା ବୋଲି ଦାବି କରିଥାଏ। ଦ୍ବିତୀୟ କାରଣଟି ହେଲା, ଧାରା ୩୭୦ର ଉଚ୍ଛେଦ ପରେ କାଶ୍ମୀରରେ ସୃଷ୍ଟ ଏକ ଧାରଣା ଯେ ବିଜେପି ପକ୍ଷରୁ ଏହି ଉପତ୍ୟକାରେ ହିନ୍ଦୁମାନଙ୍କ ସଘନ ବସତି ସମ୍ଭବ କରାଇ ସେଠାକାର ଜନ ସ˚ରଚନାରେ ପରିବର୍ତ୍ତନ ଘଟାଇ ଦିଆଯିବ।

ସୁତରା˚, ହିନ୍ଦୁ ନିର୍ଦ୍ଦିଷ୍ଟ ହତ୍ୟାକାଣ୍ଡମାନ ଘଟାଇ ସେମାନଙ୍କୁ କାଶ୍ମୀରରେ ଜମିବାଡ଼ି କ୍ରୟ (ଧାରାା ୩୭୦ର ଉଚ୍ଛେଦ ପରେ ସମ୍ଭବ ‌ହୋଇଛି) କରି ବସବାସ କରିବାରୁ ନିରୁତ୍ସାହିତ କରିବା ଲାଗି ଏହା ଏକ ଉଦ୍ୟମ ବୋଲି ସନ୍ଦେହ କରାଯାଇଥାଏ। ପ୍ରକାଶ ଥାଉ କି ଇତିମଧ୍ୟରେ ପ୍ରାୟ ୨୦ ଜଣ ମୁସ୍‌ଲିମ ବିଜେପି ସଦସ୍ୟଙ୍କୁ ମଧୢ ଏହି କାରଣରୁ ହତ୍ୟା କରାଯାଇଛି। ସୁରକ୍ଷା କର୍ମୀଙ୍କ ପକ୍ଷରୁ କୁହାଯାଉଛି ଯେ ସ˚ପ୍ରତି ଏକ ନିର୍ଦ୍ଦିଷ୍ଟ ‘ହାଇବ୍ରିଡ୍‌ ଆତଙ୍କବାଦୀ’ ଶ୍ରେଣୀର ସଦସ୍ୟମାନେ ସକ୍ରିୟ ହୋଇଛନ୍ତି, ଯେଉଁମାନେ ଅନ୍‌ଲାଇନ୍‌ରେ ବନ୍ଧୁକ ବ୍ୟବହାର ଶିକ୍ଷା ଲାଭ କରିବା ପରେ ଇ-ମେଲ୍‌ରେ ‘ଟାର୍ଗେଟ୍‌’ର ପରିଚୟ ଲାଭ କରନ୍ତି। ତା’ପରେ ଠିକଣା ସମୟରେ ସେମାନଙ୍କୁ କୌଣସି ଅପରିଚିତ ଆଗନ୍ତୁକ ପିସ୍ତଲଟିଏ ଧରାଇ ଦିଏ,, ଯହିଁରେ ହତ୍ୟାକାଣ୍ତ ସ˚ଘଟିତ ହୋଇଥାଏ। କହିବା ବାହୁଲ୍ୟ, ଯେ ସନ୍ଦେହରୁ ଊର୍ଦ୍ଧ୍ବରେ ରହି ଅନାୟାସରେ କାର୍ଯ୍ୟ ହାସଲ କରିବା ଲାଗି ଆତଙ୍କବାଦର ଏହି ନୂଆ କୌଶଳର ଆବିର୍ଭାବ ଘଟିଛି। ସୁତରା˚, ଏହି ଶ୍ରେଣୀର ଆତଙ୍କବାଦୀଙ୍କୁ ଦମନ କରିବା ଲାଗି ନୂତନ ରଣନୀତିର ଆବଶ୍ୟକତା ରହିଛି, ଯାହା କେବଳ ସ୍ଥାନୀୟ ବାସିନ୍ଦାଙ୍କ ବିଶ୍ବାସ ଜିଣିବା ମାଧ୍ୟମରେ ସମ୍ଭବ ହୋଇପାରେ।

ପାଶୋରି ଗଲେ ହେବ ନାହିଁ ଯେ ଦାୟିତ୍ବହୀନ ମନ୍ତବ୍ୟ ପ୍ରଦାନ କରୁଥିବା ରାଜନେତା ବା ସମ୍ବେଦନଶୂନ୍ୟ ବ୍ୟୁରୋକ୍ରାଟ୍‌ ବା ଅଯଥାରେ ବଳ ପ୍ରୟୋଗ କରୁଥିବା ସୁରକ୍ଷା କର୍ମୀ ଅଥବା ଅନ୍ତର୍ଘାତୀ ଆତଙ୍କବାଦୀଙ୍କ ବ୍ୟତୀତ କାଶ୍ମୀରରେ ଆଉ ଏକ ବୃହତ୍‌ ଜନ ସମାଜ ବିଦ୍ୟମାନ, ଯାହା ମୃଦୁଭାଷୀ, ଅତିଥି ପରାୟଣ, ପ୍ରତିବେଶୀ ହିନ୍ଦୁମାନଙ୍କ ପ୍ରତି ଶ୍ରଦ୍ଧାଶୀଳ; ଯେଉଁମାନେ ଉପତ୍ୟକାରେ ଶାନ୍ତି ଚାହାନ୍ତି ଏବ˚ ଏହା ମଧୢ ଆଶା କରନ୍ତି ଯେ ଉପତ୍ୟକା ବାହାରେ ସାରା ଭାରତରେ ବିକ୍ଷିପ୍ତ ଭାବେ ରହି ଉଚ୍ଚ ଶିକ୍ଷା ଲାଭ କରୁଥିବା ଅଥବା ଚାକିରି କରିଥିବା ସେମାନଙ୍କ ସନ୍ତାନ ଓ ସ˚ପର୍କୀୟମାନେ ଏଭଳି ଅପରିଣାମଦର୍ଶୀ କାରଣରୁ ପ୍ରତିଶୋଧମୂଳକ ଆକ୍ରମଣର ଶିକାର ନ ହୁଅନ୍ତୁ। ପ୍ରକାଶ ଥାଉ କି ୨୦୨୧ ମସିହାରେ କାଶ୍ମୀରରେ ଯେଉଁ ପଣ୍ତିତମାନଙ୍କୁ ହତ୍ୟା କରାଯାଇଥିଲା, ସେମାନେ ସେହି ୮୦୦ ପଣ୍ତିତ ପରିବାର ମଧୢରେ ଅନ୍ତର୍ଭୁକ୍ତ, ଯେଉଁମାନେ ନବମ ଦଶକର ଘନଘଟା ମଧୢରେ ବି ଉପତ୍ୟକାକୁ ପରିତ୍ୟାଗ କରି ନ ଥିଲେ। କହିବା ଅନାବଶ୍ୟକ ଯେ ଏଥିଲାଗି ସେମାନେ ଜୁଟାଇ ପାରିଥିବା ସାହସ ପଛରେ ରହିଥିବ ସ୍ଥାନୀୟ ମୁସ୍‌ଲିମ ପରିବାରମାନଙ୍କର ସଦିଚ୍ଛା ଏବ˚ ସହଯୋଗ। ଏହିଭଳି କାଶ୍ମୀରୀମାନଙ୍କ ମନରେ ବିଶ୍ବାସ ଜନ୍ମାଇ ନ ପାରିଲେ କାଶ୍ମୀର ସମସ୍ୟାର ସମାଧାନ ସମ୍ଭବ ନୁହେଁ। ଏଥି ଲାଗି ବିଜ୍ଞ ‘ସିଭିଲ ସୋସାଇଟି’ର ସାହାଯ୍ୟ ଲୋଡ଼ା ଯାଇପାରେ। ସରକାର ଏକ ଅନୁକୂଳ ଏବ˚ ଦୂରଦୃଷ୍ଟିସ˚ପନ୍ନ ଆଭିମୁଖ୍ୟ ବଳରେ ଏହି ଜନ ସମାଜର ବିଶ୍ବାସ ଜିଣିବାର ଚେଷ୍ଟା କରି ପାରନ୍ତି। ‘ଦ କାଶ୍ମୀର ଫାଇଲ୍‌ସ’ ଚଳଚ୍ଚିତ୍ରଟି ଏଭଳି କାଶ୍ମୀରୀମାନଙ୍କୁ ପ୍ରଦର୍ଶନ କରିବାର ଉଦ୍ୟମ କରିନାହିଁ, ଯେଉଁମାନେ ଅସ˚ଖ୍ୟ କାଶ୍ମୀରୀ ପଣ୍ତିତଙ୍କ ଦୁର୍ଦଶା କାଳରେ ସେମାନଙ୍କୁ ସହାୟତା କରିଥିଲେ। ସବୁ କାଶ୍ମୀରୀଙ୍କୁ ଆତଙ୍କବାଦୀ ବୋଲି ଚିତ୍ରଣ କରିବା ବା ସେଭଳି ଏକ ଧାରଣା ସୃଷ୍ଟି କରିବାର ମନୋଭାବରେ ପରିବର୍ତ୍ତନ ନ ଘଟିଲେ କାଶ୍ମୀର ନାମକ କ୍ଷତରୁ ରକ୍ତସ୍ରାବ ବନ୍ଦ ହେବ ନାହିଁ।

ସମ୍ବନ୍ଧିତ ଖବର