କ୍ଷୁଦ୍ର ଅଥଚ ବୃହତ୍
ଏକବି˚ଶ ଶତାବ୍ଦୀର ପ୍ରଥମ ଦୁଇ ଦଶନ୍ଧି ପୂର୍ଣ୍ଣ ହେବା ବେଳକୁ ପୃଥିବୀ ଯେଉଁ ଭଳି ପରିସ୍ଥିତିମାନର ସମ୍ମୁଖୀନ ହେବାରେ ଲାଗିଛି, ତାହା ଆମ ସମସ୍ତଙ୍କୁ ଶହେ ବର୍ଷ ପୂର୍ବେ ମାନବ ଜାତି ଭୋଗିଥିବା ବିଭିନ୍ନ କଷଣକୁ ସ୍ମରଣ କରାଇ ଦେଇଥାଏ; ଯେମିତି କି ଏକ ଅତ୍ୟନ୍ତ ଭୟାବହ ପାନ୍ଡେମିକ୍ (୧୯୧୮ର ସ୍ପେନିସ୍ ଫ୍ଲୁ) ଅଥବା ମନୁଷ୍ୟର ଅହ˚କାର ପ୍ରସୂତ ପାଗଳାମିରୁ ସୃଷ୍ଟ ଅନାବଶ୍ୟକ ଯୁଦ୍ଧ (୧୯୧୪-୧୯୧୮, ପ୍ରଥମ ବିଶ୍ବଯୁଦ୍ଧ) ଇତ୍ୟାଦି। ସୁତରା˚, ଶହେ ବର୍ଷ ତଳେ ଘଟିଥିବା ଭଳି ଆଜି ମଧ୍ୟ ପୃଥିବୀ ପ୍ରାୟ ସମତୁଲ ହତାଶାର ଘନଘଟା ମଧୢ ଦେଇ ଗତି କରୁଛି! ତେବେ, ଅତୀତର ଏଭଳି ବିଷାଦ ରୋମନ୍ଥନ ବେଳେ ଏକ କ୍ଷୁଦ୍ର ଆଶାର ଆଲୋକ ଅତି ସନ୍ତର୍ପଣରେ ଉଭା ହୋଇ ଦୂର ଭବିଷ୍ୟତ୍କୁ ହଠାତ୍ ଯେମିତି ଆଲୋକିତ କରି ପକାଇଛି, ତାହା କେବଳ ସାନ୍ତ୍ବନାଦାୟକ ନୁହେଁ, ନିମିଷକ ଲାଗି ହେଲେ ମଧୢ ହତାଶାକୁ ଦୂର କରି ସ୍ବପ୍ନ ସଂଚାର କରିବାରେ ସକ୍ଷମ ମଧ୍ୟ ହୋଇଛି। ଏ କଥା ଏହା ମଧୢ ପ୍ରମାଣ କରିଛି ଯେ ମାନବ ଜାତିର ଗୋଟିଏ ଉଦ୍ଭ୍ରାନ୍ତ ଅ˚ଶ ନିଜର ବିଲୋପ ସାଧନ ସକାଶେ ଉଦ୍ଗ୍ରୀବ ଥିବା ବେଳେ, ମୁଷ୍ଟିମେୟ କେତେକ ମନୁଷ୍ୟ ନିରବରେ ନିଭୃତ ବିଜ୍ଞାନଗାରରେ ବିନିଦ୍ର ରଜନୀ ଅତିବାହିତ କରି ମାନବ ଜାତିର ପରିତ୍ରାଣ ସକାଶେ ମାର୍ଗ ଉନ୍ମୋଚନ କରିବାରେ ବ୍ରତୀ ଅଛନ୍ତି। ଏହି ପରିପ୍ରେକ୍ଷୀରେ ନିକଟରେ ‘ନ୍ୟୁୟର୍କ ଟାଇମ୍ସ’ରେ ପ୍ରକାଶିତ ଏକ ସମ୍ବାଦ ବିଶେଷ ପ୍ରଣିଧାନଯୋଗ୍ୟ, ଯହିଁରୁ ଜାଣିବାକୁ ମିଳିଛି ଯେ କ୍ୟାନ୍ସର ଭଳି ଦୁରାରୋଗ୍ୟ ଏବ˚ ସର୍ବାଧିକ ପ୍ରାଣଘାତୀ ରୋଗ କବଳରୁ ସ˚ପୂର୍ଣ୍ଣ ମୁକ୍ତି ଲାଭ କରିବାର ଆଶା ଅତ୍ୟନ୍ତ ଉଜ୍ଜ୍ବଳ। ‘ନ୍ୟୁ ଇ˚ଲାଣ୍ତ ଜର୍ନାଲ ଅଫ୍ ମେଡିସିନ୍’ରେ ପ୍ରକାଶିତ ଗବେଷକ ଡାକ୍ତର ଲୁଇ ଏ ଡିଆଜ୍ ଜୁନିଅରଙ୍କ ନିବନ୍ଧକୁ ଆଧାର କରି ‘ନ୍ୟୁୟର୍କ ଟାଇମ୍ସ’ରେ ଗଲା ସପ୍ତାହରେ ପ୍ରକାଶିତ ସମ୍ବାଦଟି କହିଥାଏ ଯେ ଏକ ନୂତନ ଔଷଧର ପରୀକ୍ଷାମୂଳକ ପ୍ରୟୋଗ ପରେ ଏଥିରେ ଅ˚ଶ ଗ୍ରହଣ କରିଥିବା ସମସ୍ତ ୧୨ଜଣ ଯାକ କ୍ୟାନ୍ସର ରୋଗୀ ସ˚ପୂର୍ଣ୍ଣ ରୂପେ ଆରୋଗ୍ୟ ହୋଇ ପାରିଛନ୍ତି। ପ୍ରୟୋଗଟି କ୍ଷୁଦ୍ରକାୟ ହୋଇଥିଲେ ମଧୢ କ୍ୟାନ୍ସର ଗବେଷଣାର ସୁଦୀର୍ଘ ଇତିହାସରେ ଏଭଳି ଶତ ପ୍ରତିଶତ ସଫଳତା ହେଉଛି ପ୍ରଥମ।
Sambad is now on WhatsApp
Join and get latest news updates delivered to you via WhatsApp
ଏଠାରେ ପ୍ରକାଶ ଥାଉ କି କ୍ୟାନ୍ସର୍ର ସଫଳ ଚିକିତ୍ସା ଦିଗରେ ବୈପ୍ଳବିକ ସାବ୍ୟସ୍ତ ହୋଇଥିବା ପଦ୍ଧତିଟି ହେଉଛି ‘ଇମ୍ୟୁନୋଥେରାପି’, ଯହିଁରେ ମନୁଷ୍ୟର ‘ଇମ୍ୟୁନ୍ ସିଷ୍ଟମ୍’ ବା ‘ରୋଗ ପ୍ରତିରୋଧକ ବ୍ୟବସ୍ଥା’କୁ ରୋଗ ମୁକ୍ତ ଲାଗି ବ୍ୟବହାର କରାଯାଇଥାଏ। କ୍ୟାନ୍ସର ରୋଗ ପ୍ରାୟତଃ ଦୁରାରୋଗ୍ୟ ହେବାର କାରଣ ହେଲା ଏହାକୁ ସୃଷ୍ଟି କରୁଥିବା ‘କାର୍ସିନୋମା ସେଲ୍ (କ୍ୟାନ୍ସର ଜୀବକୋଷ) ଗୁଡ଼ିକ ଅଣ୍ଟି ଛୁରୀ ଭଳି କାର୍ଯ୍ୟ କରିଥାଆନ୍ତି। କ୍ୟାନ୍ସର୍ର କାରଣ ଏବ˚ ଏହାର ଚିକିତ୍ସାରେ ‘ଇମ୍ୟୁନୋ ଥେରାପି’ର ଭୂମିକାକୁ ସରଳ ଭାବେ ବୁଝିବାକୁ ଚେଷ୍ଟା କଲେତାହା ଏହିଭଳି ହେବ: ଆମ ଶରୀରର ‘ଇମ୍ୟୁନ୍ ସିଷ୍ଟମ୍’ ଶରୀର ସକାଶେ କ୍ଷତିକାରକ ସମସ୍ତ ତତ୍ତ୍ବ(ଜୀବାଣୁ, ଭୂତାଣୁ ଇତ୍ୟାଦି)କୁ ଚିହ୍ନି ପାରି ପ୍ରତିରକ୍ଷା ଲାଗି ତତ୍କ୍ଷଣାତ୍ ସକ୍ରିୟ ହୋଇ ଉଠେ। ଅଥଚ, ଦୁଷ୍ଟ ‘କ୍ୟାନ୍ସର ସେଲ୍’ଗୁଡ଼ିକୁ ତାହା ଚିହ୍ନି ପାରି ନ ଥାଏ। ଏହାର କାରଣ ‘କ୍ୟାନ୍ସର ସେଲ୍’ଗୁଡ଼ିକ ମନୁଷ୍ୟର ଆପଣା ‘ଡିଏନ୍ଏ’ରୁ ସମ୍ଭୂତ ହେଉଥିବାରୁ ‘ଇମ୍ୟୁନ୍ ସିଷ୍ଟମ୍’ ସେଗୁଡ଼ିକୁ ମଧୢ ଅତ୍ୟନ୍ତ ଅନ୍ତରଙ୍ଗ ବୋଲି ବିଚାର କରିଥାଏ। ଏହାର ସୁଯୋଗ ନେଇ ଏହି ମାରାତ୍ମକ ଜୀବକୋଷଗୁଡ଼ିକ ଅନିୟନ୍ତ୍ରିତ ଭାବେ ବୃଦ୍ଧି ପାଇ ଚାଲନ୍ତି ଏବ˚ ମନୁଷ୍ୟର ପ୍ରାଣକୁ ଧାରଣ କରିଥିବା ଭଲ ଜୀବକୋଷଗୁଡ଼ିକୁ ନଷ୍ଟ କରି ଚାଲନ୍ତି। ଏଭଳି ସ୍ଥଳେ ‘ଇମ୍ୟୁନୋ ଥେରାପି’ର ଏକ ଅ˚ଶ ଭାବେ ‘ଡୋଷ୍ଟାରଲିମାବ୍’ ନାମକ ଏହି ନୂତନ ଔଷଧଟି ‘ଇମ୍ୟୁନ୍ ସିଷ୍ଟମ୍’କୁ ଏକ ଦିବ୍ୟ ଦୃଷ୍ଟି ପ୍ରଦାନ କରିଛି ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ; ଯାହା ଫଳରେ ଶରୀରକୁ ଭିତରୁ ଭିତରୁ ମାରି ଚାଲିଥିବା ‘ଅନ୍ତରଙ୍ଗ ଶତ୍ରୁ’ର ପ୍ରକୃତ ଚେହେରାକୁ ଦେଖି ପାରି ‘ଇମ୍ୟୁନ୍ ସିଷ୍ଟମ୍’ ତତ୍କ୍ଷଣାତ୍ ଏହି ‘ଘର ଢିଙ୍କି କୁମ୍ଭୀର’ର ବିନାଶ ଲାଗି ତତ୍ପର ହୋଇ ଉଠେ।
ପ୍ରକାଶ ଥାଉ କି ଏହି ପ୍ରୟୋଗରେ ସ୍ବେଚ୍ଛାକୃତ ଭାବେ ଅନ୍ତର୍ଭୁକ୍ତ ହୋଇଥିବା ସମସ୍ତ ୧୨ ଜଣ ରୋଗୀ ‘ବୃହଦନ୍ତ୍ର କ୍ୟାନ୍ସର୍’ର ବିଭିନ୍ନ ସ୍ତରରେ ପୀଡ଼ିିତ ଥିଲେ ଏବ˚ ‘କେମୋ’ ଓ ‘ରେଡିଓ’ ଥେରାପିର ନରକ ଯନ୍ତ୍ରଣା ମଧୢ ଦେଇ ଯାଉଥିଲେ। ସୁତରା˚, ସେମାନେ ଏକ ଅତ୍ୟନ୍ତ କ୍ଷୀଣ ଆଶା ନେଇ ଏହି ପ୍ରୟୋଗରେ ଅ˚ଶ ଗ୍ରହଣ କରିଥିଲେ। ଏହାର ସର୍ତ୍ତ ସ୍ବରୂପ ସେମାନେ ଲାଭ କରୁଥିବା ସମସ୍ତ ଚିକତ୍ସା ବନ୍ଦ କରି ଦିଆଯାଇଥିଲା ଏବ˚ ପ୍ରତି ତିନି ସପ୍ତାହରେ ଥରେ ହିସାବରେ ଛଅ ମାସ ଲାଗି ସେମାନଙ୍କୁ ‘ଡୋଷ୍ଟାରଲିମାବ୍’ର ଇଂଜେକ୍ସନ ଦିଆଯାଇଥିଲା। ଛଅ ମାସ ପରେ ସମସ୍ତଙ୍କୁ ଚକିତ କରି ସବୁ ଅ˚ଶଗ୍ରହଣକାରୀଙ୍କ ଠାରେ କ୍ୟାନ୍ସର ଅନ୍ତର୍ଦ୍ଧାନ ହୋଇଯିବା ଦେଖିବାକୁ ମିଳିଥିଲା। ପ୍ରକାଶ ଥାଉ କି ୨ ବର୍ଷ ତଳେ ସମାପ୍ତ ହୋଇଥିବା ଏହି ପ୍ରୟୋଗର ଅ˚ଶଗ୍ରହଣକାରୀମାନେ ଏ ଯାବତ୍ କ୍ୟାନ୍ସର୍ମୁକ୍ତ ହୋଇ ରହିଛନ୍ତି। ଅବଶ୍ୟ ଏହି ପ୍ରୟୋଗର କ୍ଷୁଦ୍ରତା ଦୃଷ୍ଟିରୁ ଏହାକୁ କ୍ୟାନ୍ସର ନିବାରଣର ଏକ ଗ୍ୟାରେଣ୍ଟି ରୂପେ ଗ୍ରହଣ କରାଯାଇ ପାରୁନାହିଁ। ଏକ ଅତ୍ୟନ୍ତ ବ୍ୟାପକ ପ୍ରୟୋଗରେ ସଫଳତା କେବଳ ଏହିଭଳି ଗ୍ୟାରେଣ୍ଟି ପ୍ରଦାନ କରିପାରେ। କିନ୍ତୁ ଏହା ମଧୢ ସତ ଯେ ଏହି ନୂଆ ଔଷଧର ସଫଳତା ପୃଥିବୀକୁ କ୍ୟାନ୍ସର୍ମୁକ୍ତ କରିବାରେ ପ୍ରତିବନ୍ଧ ସୃଷ୍ଟି କର୍ୁଥିବା ବନ୍ଦ ଦରଜାଟିକୁ କିଞ୍ଚିତ ଖୋଲି ଦେଇ ଧାରେ ଆଲୁଅ ଦେଖାଇବାକୁ ସାହାଯ୍ୟ କରିଛି।
କହିବା ଅନାବଶ୍ୟକ ଯେ ପୃଥିବୀ ଉପରେ ଯେଉଁ ରୋଗର ବୋଝ ସର୍ବାଧିକ, ତାହା ହେଉଛି କ୍ୟାନ୍ସର। ‘ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନ’ ବା ‘ହୁ’ ଅନୁସାରେ ୨୦୨୦ ମସିହାରେ ସାରା ପୃଥିବୀରେ ୧ କୋଟି ଲୋକ କ୍ୟାନ୍ସର୍ରେ ମୃତ୍ୟୁବରଣ କରିଥିଲେ, ଅର୍ଥାତ୍ ପ୍ରତି ୬ଟି ମୃତ୍ୟୁରୁ ଗୋଟିଏ କ୍ୟାନ୍ସର୍ଜନିତ ଥିଲା। ଏହି ପରିପ୍ରେକ୍ଷୀରେ ଭାରତର ସ୍ଥିତି ମଧୢ ଉଦ୍ବେଗଜନକ। ବିଗତ ଦଶକ ମଧୢରେ କ୍ୟାନ୍ସର ପୀଡ଼ିତଙ୍କ ସ˚ଖ୍ୟାରେ ବାର୍ଷିକ ବୃଦ୍ଧି ୧.୧%ରୁ ଉଠି ୨%ରେ ପହଞ୍ଚିଲାଣି। ୨୦୨୦ ମସିହାରେ ଭାରତରେ ପୁରୁଷ ବର୍ଗରେ ପ୍ରତି ଏକ ଲକ୍ଷରେ ୯୪ ଜଣ ଏବ˚ ମହିଳା ବର୍ଗରେ ପ୍ରତି ଏକ ଲକ୍ଷରେ ୧୦୩ ଜଣ କ୍ୟାନ୍ସର ପୀଡ଼ିତ ହୋଇଥିଲେ। ସେହି ବର୍ଷ ଆମ ଦେଶରେ କ୍ୟାନ୍ସର ପୀଡ଼ିତଙ୍କ ସ˚ଖ୍ୟା ଥିଲା ୧୩, ୯୨, ୧୭୯, ଯାହା ଭାରତକୁ ଅନ୍ୟତମ ସର୍ବାଧିକ କ୍ୟାନ୍ସର ପୀଡ଼ିତଙ୍କ ଦେଶରେ ପରିଣତ କରିଛି। ଏହି ରୋଗ ଏବ˚ ତା’ର ଚିକିତ୍ସା ରୋଗୀଙ୍କୁ କେବଳ ମରଣାନ୍ତକ ଯନ୍ତ୍ରଣା ବା ତାଙ୍କ ପ୍ରିୟଜନମାନଙ୍କୁ ଅକଳ୍ପନୀୟ ମାନସିକ ଯାତନା ଦେଇ ନ ଥାଏ, ଏହା ମଧୢ ପରିବାରଟିକୁ ଚରମ ଆର୍ଥିକ ଦୁଃସ୍ଥିତି ମଧୢକୁ ନିକ୍ଷେପ କରିଥାଏ। କ୍ୟାନ୍ସରର ଚିକିତ୍ସା କୌଣସି ନିମ୍ନବିତ୍ତ, ଏପରି କି ମଧ୍ୟବିତ୍ତ ପରିବାରକୁ ମଧୢ ସ˚ପୂର୍ଣ୍ଣ ନିଃସ୍ବ ଏବ˚ ଦେବାଳିଆ କରି ଦେଇପାରେ। ଏକ ଗବେଷକ ଦଳ ଦ୍ବାରା ହୋଇଥିବା ଅନୁଧୢାନ କହେ ଯେ କ୍ୟାନ୍ସର ଚିକିତ୍ସାରେ ହେଉଥିବା ପ୍ରତ୍ୟକ୍ଷ ଖର୍ଚ୍ଚ ସହିତ ପରୋକ୍ଷ ଖର୍ଚ୍ଚ ମିଶିଯାଇ ପରିବାରକୁ ଧରାଶାୟୀ କରି ଦେଇଥାଏ। ସେମାନଙ୍କ ଆକଳନ କହିଥାଏ ଯେ ରୋଗୀ ଯଦି ପରିବାରର ମୁଖ୍ୟ ଆୟକାରୀ ହୋଇଥାଆନ୍ତି, ତେବେ ତାଙ୍କ ଆୟ ଶୂନ୍ୟତା ଏବ˚ ତାଙ୍କ ପ୍ରମୁଖ ସେବାକାରୀଙ୍କ ଆୟରେ ହ୍ରାସ ପରିବାରର ମାସିକ ଆୟରେ ୮୦ ପ୍ରତିଶତ ସ˚କୋଚନ ଘଟାଇପାରେ। ଚିକିତ୍ସା ଲାଗି ଡାକ୍ତରଖାନା ଯିବା-ଆସିବା ଓ ଆନୁଷଙ୍ଗିକ ଖର୍ଚ୍ଚ ପରିବାରର ମାସିକ ଆୟରେ ୮% କ୍ଷୟ ଘଟାଇପାରେ। ସେହି ଆକଳନ କହିଥାଏ ଯେ ଭାରତରେ ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣେ କ୍ୟାନ୍ସର ରୋଗୀଙ୍କ ପରିବାରକୁ ମାସିକ ହାରାହାରି ପ୍ରାୟ ୩୪ ହଜାର ଟଙ୍କା ବ୍ୟୟ କରିବାକୁ ପଡ଼ିଥାଏ। ଏଥିରୁ କ୍ୟାନ୍ସର୍ର ବୋଝ କିଭଳି ନିଷ୍ପେଷକ ହୋଇପାରେ, ତାହା କେବଳ ଅନୁମାନସାପେକ୍ଷ।
ଉଲ୍ଲେଖଯୋଗ୍ୟ ଯେ ପୃଥିବୀକୁ କ୍ୟାନ୍ସର-ମୁକ୍ତ କରିବାର ଏକ କ୍ଷୁଦ୍ର ପ୍ରତିଶ୍ରୁତି ବହନ କରି ଆବିର୍ଭୂତ ହୋଇଥିବା ‘ଡୋଷ୍ଟାରଲିମାବ୍’ର ମୂଲ୍ୟ ଭାରତୀୟ ମୁଦ୍ରାରେ ପ୍ରାୟ ୮ ଲକ୍ଷ ୫୫ ହଜାର ଟଙ୍କା; ଯାହା ଅଧିକା˚ଶ ଭାରତୀୟଙ୍କ ଲାଗି ଅପହଞ୍ଚ। ଅବଶ୍ୟ ଏହା ସତ ଯେ ଥରେ ସଫଳତାର ସମସ୍ତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଗଲେ, ଏହି ଔଷଧ ସାର୍ବଜନୀନ ହେବା ଲାଗି ବାଟ ଫିଟିଯିବ। ଯଦି ତାହା ହୁଏ, ତେବେ ଏହି କ୍ଷୁଦ୍ର ପ୍ରୟୋଗ ମାନବ ଜାତିର ପରିତ୍ରାଣ ଦିଗରେ ବୃହତ୍ତମ ପଦକ୍ଷେପ ରୂପେ ବିବେଚିତ ହେବ।