ଗତ ମାସ ପୂର୍ବରୁ ପାଖାପାଖି ପ୍ରାୟ ଦୀର୍ଘ ଚାରି ବର୍ଷ ଧରି ଭାରତୀୟ ରିଜର୍ଭ ବ୍ୟାଙ୍କ୍ ତାହାର ନିର୍ଣ୍ଣାୟକ ସୁଧ ହାର ‘ରେପୋରେଟ୍’ରେ ଆଦୌ ବୃଦ୍ଧି ଘଟାଇ ନ ଥିଲା। ସୁଧ ହାର ବୃଦ୍ଧି ପ୍ରତି ରିଜର୍ଭ ବ୍ୟାଙ୍କ୍ ପ୍ରଦର୍ଶନ କରିଥିବା ଏଭଳି ଦୀର୍ଘ କୁଣ୍ଠା ପଛରେ ନିହିତ ଥିବା ଅର୍ଥନୈତିକ ଦର୍ଶନ ସମ୍ବନ୍ଧରେ ଯେଉଁମାନେ ପରିଚିତ, ସେମାନଙ୍କୁ ଯେଉଁ ଏକ ତଥ୍ୟ ଆମୋଦଦାୟକ ମନେ ହୋଇପାରେ, ତାହା ହେଲା ପ୍ରାଚୀନ୍ ଗ୍ରୀକ୍ ଦାର୍ଶନିକମାନଙ୍କର ସୁଧ ପ୍ରତି ପ୍ରଦର୍ଶିତ କୁଣ୍ଠା ଓ ଭାରତର କେନ୍ଦ୍ରୀୟ ବ୍ୟାଙ୍କ୍ର ଏହି କୁଣ୍ଠା ମଧୢରେ ରହିଥିବା ଯୁଗପତ୍ ସାମଞ୍ଜସ୍ୟ ଓ ପାର୍ଥକ୍ୟ।
ଦାର୍ଶନିକମାନଙ୍କ ଦୃଷ୍ଟିରେ ଅବଶ୍ୟ ସମୟ ହେଉଛି ଏକ ନିରବଚ୍ଛିନ୍ନ ପ୍ରବାହ; ଏବ˚ ସୁଧ ହେଉଛି ସମୟର ସନ୍ତାନ। ସୁଧ ତେଣୁ ଏହାର ସ˚ଗ୍ରହକାରୀର ସମ୍ପଦରେ ନିରବଚ୍ଛିନ୍ନ ବୃଦ୍ଧି ଘଟାଇଥାଏ। ଆରିଷ୍ଟୋଟଲ୍ କହିଥିବା ଭଳି ସୁଧ ହେଉଛି ସମ୍ପଦର ସନ୍ତାନ ଏବ˚ ସମ୍ପଦ ଏହା ମାଧୢମରେ ନୂତନ ସମ୍ପଦକୁ ଜନ୍ମ ଦେବା ଗ୍ରହଣୀୟ ନୁହେଁ। ଏହାର କାରଣ ହେଲା, ସେ କାଳରେ ଗ୍ରୀକ୍ ନଗର ରାଷ୍ଟ୍ରର ସାମଗ୍ରିକ ସମ୍ପଦ (ଆଜିକାଲିର ଭାଷାରେ- ‘ଜିଡିପି’)ରେ ପିଢ଼ି ପରେ ପିଢ଼ି କୌଣସି ବୃଦ୍ଧି ଘଟୁନଥିଲା ତଥା ଜନସ˚ଖ୍ୟାରେ ମଧୢ କୌଣସି ବୃଦ୍ଧି ଘଟୁନଥିଲା କହିଲେ ଚଳେ। ଏଣୁ ଏହା ହୃଦୟଙ୍ଗମ କରିବା କଷ୍ଟକର ନୁହେଁ ଯେ, ଯଦି ସମାଜର ଗୋଟିଏ ଗୋଷ୍ଠୀ (ସୁଧ ଆଦାୟକାରୀ ଗୋଷ୍ଠୀ)ର ଆୟରେ ସୁଧ ମାଧୢମରେ ନିରବଚ୍ଛିନ୍ନ ବୃଦ୍ଧି ଘଟି ଚାଲେ, ତେବେ ଏଥିଯୋଗୁଁ ଯେଉଁ ଘୋର ଅସ୍ଥିରତା ସୃଷ୍ଟି ହେବ, ତାହା ସମାଜ ବା ରାଷ୍ଟ୍ରର ସ୍ଥିତିକୁ ବିପନ୍ନ କରିବ।
ସୁଧ ହାରରେ ବୃଦ୍ଧି ଘଟାଇ ନ ଦେବା ପାଇଁ ରିଜର୍ଭ ବ୍ୟାଙ୍କ୍ ଏଠାରେ ଯେଉଁ ନିଷ୍ପତ୍ତି ଗ୍ରହଣ କରିବା ଦେଖାଯାଇଥିଲା, ତାହାର ମଧୢ ସେହିପରି ଦେଶର ସାମଗ୍ରିକ ଆୟର ଅଭିବୃଦ୍ଧିରେ ଦେଖା ଦେଇଥିବା ସ୍ଥାଣୁତା ସହିତ ଘନିଷ୍ଠ ସମ୍ପର୍କ ଥିଲା; କେବଳ ପାର୍ଥକ୍ୟ ଏତିକି ଯେ ଏହି ଶିଥିଳ ଅଭିବୃଦ୍ଧିରେ ପ୍ରାଣ ସଞ୍ଚାର କରି ତାହାକୁ ତ୍ବରାନ୍ବିତ କରିବା ଥିଲା ସୁଧ ହାରକୁ ନୀଚା ରଖିବା ପଛରେ ଥିବା ରିଜର୍ଭ ବ୍ୟାଙ୍କ୍ର ଉଦ୍ଦେଶ୍ୟ। ଉଲ୍ଲେଖ ନିଷ୍ପ୍ରୟୋଜନ, ଦୁଇ ବର୍ଷ ତଳେ ଦେଶର ଅର୍ଥନୀତିକୁ ଚୀନା କରୋନା ଜନିତ କୋଭିଡ୍ ପାଣ୍ତେମିକ୍ ବିପର୍ଯ୍ୟସ୍ତ କରିବାର ପ୍ରାୟ ଦୁଇ ବର୍ଷ ପୂର୍ବରୁ ମଧୢ ଧିମେଇବାକୁ ଆରମ୍ଭ କରିଥିବା ଆମ ଦେଶର ଅର୍ଥନୀତିକୁ ସହାୟକ ହେବା ପାଇଁ ରିଜର୍ଭ ବ୍ୟାଙ୍କ୍ ତା’ର ସୁଧ ହାରକୁ ନୀଚା ରଖି ଚାଲିଥିଲା। ଜଣାଣୁଣା ଭାବରେ ନୀଚା ସୁଧ ହାର ପୁଞ୍ଜିନିବେଶ ଓ ଋଣ ଗ୍ରହଣକୁ ପ୍ରୋତ୍ସାହିତ କରିବା ସହିତ ବଜାରରେ ସାମଗ୍ରିକ ଚାହିଦାରେ ବୃଦ୍ଧି ଘଟାଇ ଥାଏ। କୋଭିଡ୍ ସୃଷ୍ଟ ଲକ୍ଡାଉନ୍ ଦ୍ବାରା ଧରାଶାୟୀ ହୋଇଥିବା ଅର୍ଥନୀତିକୁ ପୁଣି ନିଜ ଗୋଡ଼ରେ ଛିଡ଼ା ହେବାରେ ନୀଚା ସୁଧ ସହାୟକ ହେବ ବୋଲି ବିଶ୍ବାସ କରାଯିବା ସମ୍ପୂର୍ଣ୍ଣ ଯୁକ୍ତିଯୁକ୍ତ ଥିଲା।
ସୁଧ ପ୍ରତି ରିଜର୍ଭ ବ୍ୟାଙ୍କ୍ ନିଜର ଏଭଳି ଗ୍ରୀକ୍ ଦାର୍ଶନିକସୁଲଭ ଆଭିମୁଖ୍ୟରେ ପରିବର୍ତ୍ତନ ଘଟାଇବାର ଏକ ପ୍ରଥମ ସୂଚନା ଦେଖିବାକୁ ମିଳିଥିଲା ଗତ ମାସରେ ଯେତେବେଳେ ଏହାର ମୁଦ୍ରାନୀତି ନିର୍ଦ୍ଧାରକ କମିଟି (‘ଏମ୍ପିସି’) ଏକ ଅଦିନିଆ ବୈଠକରେ ମିଳିତ ହୋଇ ରେପୋ ରେଟ୍ରେ ୪୦ ବେସିସ୍ ପଏଣ୍ଟ୍ (୦.୪%) ବୃଦ୍ଧି ଘଟାଇବାକୁ ନିଷ୍ପତ୍ତି ନେଇଥିଲା। ଗତ ବୁଧବାର ଦିନ ସେଇ ଧାରାକୁ ଆଗେଇ ନେଇ ରିଜର୍ଭ ବ୍ୟାଙ୍କ୍ ଏହି କମିଟିର ନିୟମିତ ଦ୍ବିମାସିକ ବୈଠକରେ ରେପୋ ରେଟ୍ରେ ଆହୁରି ୫୦ ବେସିସ୍ ପଏଣ୍ଟ୍ (୦.୫%) ବୃଦ୍ଧି ଘଟାଇବାକୁ ନିଷ୍ପତ୍ତି ନେଇ ଏବେ ନିଶ୍ଚିତ ଭାବରେ ଆରିଷ୍ଟୋଟଲ୍ଙ୍କର ସଖ୍ୟ ତ୍ୟାଗ କରିଛି ବୋଲି କୁହାଯାଇପାରେ। ଏହି ଦୁଇ ଦଫା ବୃଦ୍ଧି ପରେ ରେପୋ ରେଟ୍ ୪%ରୁ ବୃଦ୍ଧି ପାଇ ବର୍ତ୍ତମାନ ପହଞ୍ଚିଛି ୪.୯%ରେ ଏବ˚ ନିକଟ ଭବିଷ୍ୟତରେ ଏଥିରେ ଆହୁରି ବୃଦ୍ଧି ଘଟି ଚାଲିବାର ଦୃଢ଼ ସମ୍ଭାବନା ରହିଛି।
ଅର୍ଥନୀତିର ଅଭିବୃଦ୍ଧିକୁ ସହାୟତା ପ୍ରଦାନ କରିବା ଉଦ୍ୟମ ପରିତ୍ୟାଗ କରି ରିଜର୍ଭ ବ୍ୟାଙ୍କ୍ ତା’ର ସୁଧ ହାରରେ ବୃଦ୍ଧି ଘଟାଇ ଚାଲିବାକୁ ନିଷ୍ପତ୍ତି ନେବା ପଛରେ ଯେଉଁ କାରଣ ନିହିତ ଅଛି, ତାହା ଅବଶ୍ୟ ସୁବିଦିତ- ମୁଦ୍ରାସ୍ଫୀତିର ନିୟନ୍ତ୍ରଣ। ମୁଦ୍ରାସ୍ଫୀତି ରିଜର୍ଭ ବ୍ୟାଙ୍କ୍ ପାଇଁ ଚିନ୍ତାର କାରଣ ଯେଉଁଥି ପାଇଁ ହୋଇଛି, ତାହା ହେଲା ଏପ୍ରିଲ୍ରେ କେବଳ ଯେ ଖାଉଟି ମୁଦ୍ରାସ୍ଫୀତି ହାର ୭.୮% ହୋଇଛି, ତାହା ନୁହେଁ, ବିଗତ ତିନି ମାସ ଧରି ଖାଉଟି ମୁଦ୍ରାସ୍ଫୀତି ହାର ଲଗାତାର ୬% ଠାରୁ ଅଧିକ ହୋଇ ଚାଲିଛି। ନିୟମ ଅନୁସାରେ ଏହି ୬% ସୀମା ହେଉଛି ରିଜର୍ଭ ବ୍ୟାଙ୍କ୍ ପାଇଁ ଖାଉଟି ମୁଦ୍ରାସ୍ଫୀତିର ସର୍ବୋଚ୍ଚ ଗ୍ରହଣୀୟ ସୀମା ଏବ˚ ଲାଗ ଲାଗ ତିନି ମାସ ଧରି ଏହି ସୀମା ଲ˚ଘନ ରିଜର୍ଭ ବ୍ୟାଙ୍କ୍ ଠାରେ ଏକ ଛାନିଆଁ ଭାବ ସୃଷ୍ଟି କରିଥିବା ନିଶ୍ଚିତ। ରିଜର୍ଭ ବ୍ୟାଙ୍କ୍ ପାଇଁ ଖାଉଟି ମୁଦ୍ରାସ୍ଫୀତି ହାରର ଯେଉଁ ନିରାପଦ ବଳୟ ସ୍ଥିରୀକୃତ ହୋଇଛି, ତାହା ହେଲା: ୪-୬%।
ଉଲ୍ଲେଖଯୋଗ୍ୟ, ଆମ ଦେଶରେ ଏହି ମୁଦ୍ରାସ୍ଫୀତି ହାର ୪% ତଳେ ଥିବା ଶେଷ ଥର ପାଇଁ ଦେଖାଯାଇଥିଲା ୨୦୧୯ରେ କୋଭିଡ୍ ପାଣ୍ତେମିକ୍ ଆରମ୍ଭ ହେବା ପୂର୍ବରୁ।
ସାମ୍ପ୍ରତିକ ପରିସ୍ଥିତିରେ ବିଭିନ୍ନ କାରଣମାନଙ୍କର ମିଳିତ ପ୍ରଭାବରେ ଦରଦାମରେ ବୃଦ୍ଧି ଘଟି ଚାଲିବା ଅବ୍ୟାହତ ରହିଛି। କୋଭିଡ୍ ପାଣ୍ତେମିକ୍ ଯୋଗୁଁ ଆନ୍ତର୍ଜାତିକ ଯୋଗାଣ ଶୃଙ୍ଖଳ ଛିଡ଼ି ଛିଡ଼ି ଯିବାରୁ ବିଭିନ୍ନ ଦ୍ରବ୍ୟର ଉତ୍ପାଦନ ଓ ଯୋଗାଣ ବ୍ୟାହତ ଓ ସ˚କୃଚିତ ହୋଇ ଦରଦାମ ଉପରେ ଚାପ ସୃଷ୍ଟି କରିଛି। ୟୁକ୍ରେନ୍ ଯୁଦ୍ଧ ଓ ସେଥିଯୋଗୁଁ ଲାଗୁ ହୋଇଥିବା ଅଥନୈତିକ ବାସନ୍ଦର ମିଳିତ ପ୍ରଭାବ ଏହି ପରିସ୍ଥିତିକୁ ଆହୁରି ଗୁରୁତର କରିଛି। ଏହାର ଏକ ପାର୍ଶ୍ବ ପ୍ରଭାବ ସ୍ବରୂପ ଆନ୍ତର୍ଜାତିକ ତୈଳ ଓ ଇନ୍ଧନ ଦରରେ ଘଟିଥିବା ତୀକ୍ଷ୍ଣ ବୃଦ୍ଧି ଦରଦାମ ପରିସ୍ଥିତିକୁ ନିୟନ୍ତ୍ରଣ ବାହାରକୁ ନେଇ ଯାଇଛି। ବଜାରର ଯୋଗାଣ ପାର୍ଶ୍ବରେ ଏଭଳି ସମସ୍ୟାମାନ ମୁଣ୍ତ ଟେକିଥିବା ବେଳେ ଯଦି ଏକ ହୁଗୁଳା ମୁଦ୍ରାନୀତି ଯୋଗୁଁ ଚାହିଦା ପାର୍ଶ୍ବରେ ଚାପ ବୃଦ୍ଧି ପାଏ, ସେଥିଯୋଗୁଁ ଦରଦାମରେ ବୃଦ୍ଧି ଦ୍ରୁତତର ହେବା ସୁନିଶ୍ଚିତ। ଏହା ହିଁ ହେଉଛି ରିଜର୍ଭ ବ୍ୟାଙ୍କ୍ ରେପୋ ରେଟ୍ରେ ଘଟାଇଥିବା ଏବ˚ ଆଗକୁ ଘଟାଇବାକୁ ଯାଉଥିବା ବୃଦ୍ଧିର କାରଣ (ନିକଟରେ ରିଜର୍ଭ ବ୍ୟାଙ୍କ୍ ଗଭର୍ନର ଶକ୍ତିକାନ୍ତ ଦାସ ଏହି ବୃଦ୍ଧିର ଅନିବାର୍ଯ୍ୟତା ପ୍ରତି ଦୃଷ୍ଟି ଆକର୍ଷଣ କରି କହିଥିଲେ ଯେ ଏହା ଜାଣିବା ପାଇଁ କୌଣସି ବିଚକ୍ଷଣ ବିଜ୍ଞତାର ଆବଶ୍ୟକତା ନାହିଁ, ବା ଇ˚ରେଜୀରେ- ‘ନୋ ବ୍ରେନର୍’!)
‘ରେପୋ ରେଟ୍’ ହେଉଛି ରିଜର୍ଭ ବ୍ୟାଙ୍କ୍ ଅନ୍ୟ ବ୍ୟାଙ୍କ୍ମାନଙ୍କୁ ପ୍ରଦାନ କରୁଥିବା ଋଣ ଉପରେ ଆଦାୟ କରୁଥିବା ସୁଧର ହାର। ରେପୋ ରେଟ୍ରେ ବୃଦ୍ଧି ଘଟିଲେ ଏହି ବ୍ୟାଙ୍କ୍ ମାନଙ୍କର ନିଜର ଋଣ ଖର୍ଚ୍ଚରେ ବୃଦ୍ଧି ଘଟେ ଏବ˚ ଏମାନେ ନିଜର ଗ୍ରାହକମାନଙ୍କୁ ପ୍ରଦାନ କରୁଥିବା ଋଣ ଉପରେ ଆଦାୟ କରୁଥିବା ସୁଧ ହାରରେ ବୃଦ୍ଧି ଘଟାନ୍ତି (ଏମାନେ ଅବଶ୍ୟ ବିଳମ୍ବିତ ଭାବରେ ଜମାକାରୀଙ୍କୁ ପ୍ରଦାନ କରୁଥିବା ସୁଧରେ ମଧୢ ବୃଦ୍ଧି ଘଟାନ୍ତି)। କହିବା ବାହୁଲ୍ୟ, ଏହାର ଅନ୍ତିମ ପରିଣାମ ସ୍ବରୂପ ଦେଶରେ ଋଣ ମହଙ୍ଗା ହୋଇଯାଏ, ନିବେଶ ଓ ଖାଉଟି ଖର୍ଚ୍ଚ ପରିମାଣରେ ସ˚କୋଚନ ଘଟେ, ଯାହା ଯୋଗୁଁ ଦ୍ରବ୍ୟ ଓ ସେବା ଆଦିର ଯୋଗାଣ ଉପରେ ଚାପ ହ୍ରାସ ପାଏ। ଅନ୍ୟ ଭାବରେ କହିଲେ ମୁଦ୍ରାସ୍ଫୀତି ନିୟନ୍ତ୍ରଣ ମଧୢକୁ ଆସିଥାଏ। କିନ୍ତୁ ସମସ୍ୟା ହେଲା, ନିବେଶ ଓ ଚାହିଦାରେ ସ˚କୋଚନ ଯୋଗୁଁ ଅଭିବୃଦ୍ଧି ମଧୢ ବାଧାପ୍ରାପ୍ତ ହୁଏ। ଆଗାମୀ ଦିନମାନଙ୍କରେ ଏ ଦୁଇ ପରସ୍ପର ବିରୋଧୀ ଶକ୍ତି ମଧୢରେ ସନ୍ତୁଳନ ରକ୍ଷା କରିବା ହେବ ରିଜର୍ଭ ବ୍ୟାଙ୍କ୍ ସମ୍ମୁଖରେ ପ୍ରଧାନ ଆହ୍ବାନ।