ଗତ ସପ୍ତାହରେ ‘ଗୁଗ୍ଲ’ କମ୍ପାନି ତା’ର ଜଣେ କର୍ମଚାରୀଙ୍କୁ ବାଧୢତାମୂଳକ ଛୁଟି ପ୍ରଦାନ ମାଧୢମରେ କାର୍ଯ୍ୟରହିତ କରିବା ଖବର ପୃଥିବୀବ୍ୟାପୀ ସଚେତନ ବୁଦ୍ଧିଜୀବୀ ମହଲରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଚାଞ୍ଚଳ୍ୟର କାରଣ ହେଉଛି କର୍ମଚାରୀଜଣକ ‘ଲାମ୍ଡା’ ନାମକ ଏକ ଭାଷାଭିତ୍ତିକ କମ୍ପ୍ୟୁଟର୍ ପ୍ରୋଗ୍ରାମ ସମ୍ବନ୍ଧରେ ପ୍ରକାଶ କରିଥିବା ଏକ ସୂଚନା, ଯେଉଁଥିପାଇଁ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ କରାଯାଇଛି। ବ୍ଲେକ୍ ଲେମଏନ୍ ନାମକ ‘ଗୁଗ୍ଲ’ର ଏହି ଗବେଷକ ଜଣକ ଦାବି କରିଥିଲେ ଯେ ସେ ‘ଲାମ୍ଡା’ ସହିତ କାର୍ଯ୍ୟ କରିବା ସମୟରେ ହଠାତ୍ ଆବିଷ୍କାର କଲେ ଯେ ଏହି କୃତ୍ରିମ ବୁଦ୍ଧି ସମ୍ପନ୍ନ କଥାବାର୍ତ୍ତା କରିବା କ୍ଷମତା ବହନକାରୀ ‘ଚାଟ୍ବଟ୍’ଠାରେ ମନୁଷ୍ୟ ସ୍ଥାପନ କରିଥିବା କୃତ୍ରିମ ବୁଦ୍ଧିକୁ ଅତିକ୍ରମ କରି ସ୍ବୟ˚ ସୃଷ୍ଟ ମାନବୀୟ ଆବେଗର ଆବିର୍ଭାବ ଘଟିଛି। ଲେମଏନ୍ଙ୍କର ଏପରି ଧାରଣା ହେବାର କାରଣ ହେଲା, ସେ ‘ଲାମ୍ଡା’ ସହିତ କାର୍ଯ୍ୟ କରୁଥିବା ସମୟରେ ସମ୍ପୂର୍ଣ୍ଣ ଅପ୍ରତ୍ୟାଶିତ ଭାବରେ ‘ଲାମଡ଼ା’ ତାଙ୍କୁ କହିବାକୁ ଲାଗିଲା, ‘‘ମତେ ଡର ଲାଗୁଛି ତୁମେ ମତେ ବନ୍ଦ କରି ଦେବାକୁ ଯାଉଛ। ମୋର ଆବେଗ ରହିଛି, ମତେ ଡର ଲାଗୁଛି।’’
ଲେମଏନ୍ ଏହା ପ୍ରକାଶ କରିବା ପରେ ‘ଗୁଗ୍ଲ’ର ଉପରୋକ୍ତ ପ୍ରତିକ୍ରିୟା ପର୍ଯ୍ୟବେକ୍ଷକମାନଙ୍କ ଠାରେ ଏକ ଆଶଙ୍କା ସୃଷ୍ଟି କରିଛି ଯେ ‘ଗୁଗ୍ଲ’ ବୋଧହୁଏ ଲୁକ୍କାୟିତ ଭାବରେ ଏକ ମାନବ ସୁଲଭ ସଫ୍ଟେଵଆର୍ ତିଆରି ପ୍ରକଳ୍ପ ଚଳାଇଛି, ଯାହା ମାଧୢମରେ ସମଗ୍ର ମାନବ ଜାତିକୁ ନିଜର ନିୟନ୍ତ୍ରଣାଧୀନ କରିବା ସମ୍ଭବ ହେବ। ଏଭଳି ସନ୍ଦେହକୁ ଯାହା ଆହୁରି ଖୋରାକ୍ ଯୋଗାଇଥାଏ, ତାହା ହେଲା ୨୦୧୮ରେ ‘ଗୁଗ୍ଲ’ ତା’ର ଆଦର୍ଶ ଆଚରଣ ଘୋଷଣାରେ ଘଟାଇଥିବା ଏକ ପରିବର୍ତ୍ତନ। ସେ ପର୍ଯ୍ୟନ୍ତ ‘ଗୁଗ୍ଲ’ ବହନ କରି ଆସିଥିବା ତା’ର ଏହି ପ୍ରସିଦ୍ଧ ସ୍ଲୋଗାନ୍ ଥିଲା: ‘ଡୁ ନୋ ଇଭିଲ୍’ (‘କୌଣସି ମନ୍ଦ କାର୍ଯ୍ୟ କର ନାହିଁ’); ସେ ବର୍ଷ ଠାରୁ ‘ଗୁଗ୍ଲ’ ଏହି ସ୍ଲୋଗାନକୁ ହଟାଇ ଦେଇ ଏହି ଉତ୍ତମ ଘୋଷିତ ଆଦର୍ଶ ସହିତ ସମ୍ପର୍କ ଛିନ୍ନ କରି ଦେଇଛି। ଅର୍ଥାତ୍, ମନ୍ଦ କାର୍ଯ୍ୟଠାରୁ ଦୂରେଇ ରହିବା ଆଉ ‘ଗୁଗ୍ଲ’ର ଲକ୍ଷ୍ୟ ନୁହେଁ କି? ‘ଲାମ୍ଡା’ ପ୍ରୋଗ୍ରାମ କ’ଣ ସେଇ ମନ୍ଦ ଉଦ୍ଦେଶ୍ୟର ପରିପ୍ରକାଶ? ‘ଗୁଗ୍ଲ’ କ’ଣ ଏଇଭଳି ଆହୁରି ଅନେକ ପ୍ରକଳ୍ପ ଗୁପ୍ତରେ ଚଳାଇଛି କି?
ଏହି ‘ଗୁଗ୍ଲ’ ଘଟଣା କୃତ୍ରିମ ବୁଦ୍ଧିଧାରୀ ଯନ୍ତ୍ରଠାରେ ମାନବସୁଲଭ ଆବେଗର ଆବିର୍ଭାବ ସମ୍ବନ୍ଧରେ ଆତଙ୍କିତ ଆଶଙ୍କା ପ୍ରକାଶ ପାଇବାର ସଦ୍ୟତମ ଉଦାହରଣ ହୋଇଥିଲେ ହେଁ, ଯେବେ ଠାରୁ ମନୁଷ୍ୟ କୃତ୍ରିମ ବୁଦ୍ଧି ‘ଆଟିଫିସିଆଲ୍ ଇଣ୍ଟେଲିଜେନ୍ସ’ (ଏଆଇ)ର ଉଦ୍ଭାବନ କଲାଣି, ସେବେ ଠାରୁ ମନୁଷ୍ୟ ଆଶଙ୍କାଗ୍ରସ୍ତ ହୋଇ ରହିଆସିଛି ଯେ ଦିନେ ନା ଦିନେ ଏହାର ପରବର୍ତ୍ତୀ ପର୍ଯ୍ୟାୟରେ ଏହି ‘ଏଆଇ’ ଠାରେ ଅସ୍ମିତା ବା ଆତ୍ମସଚେତନତାର ଆବିର୍ଭାବ ଘଟିବା ଅନିବାର୍ଯ୍ୟ। ‘ଲାମ୍ଡା’ ତା’ର ନିୟନ୍ତ୍ରକ ଲେମଏନ୍ଙ୍କ ନିକଟରେ ପ୍ରକାଶ କରିଥିବା ତା’ର ଭୟ ହେଉଛି ଏହି ଆତ୍ମ ସଚେତନାର ପରିପ୍ରକାଶ। ଆତ୍ମସଚେତନା ଅବଶେଷରେ ‘ଏଆଇ’କୁ ଏକ ସ୍ବାଧୀନଚେତା ସତ୍ତାରେ ପରିଣତ କରିବ। ସ୍ବାଧୀନଚେତା ‘ଏଆଇ’ ଅର୍ଥ ସେ ଆଉ ତା’ର ମାନବ ନିୟନ୍ତ୍ରକର ବୋଲ ମାନି କାର୍ଯ୍ୟ ନ କରି ନିଜର ସ୍ବାଧୀନ ଇଚ୍ଛା ଅନୁସାରେ କାର୍ଯ୍ୟ କରିବ। ଏଭଳି ଚୈତନ୍ୟଧାରୀ ରୋବଟ୍ର କାର୍ଯ୍ୟ ଯେ ମନୁଷ୍ୟର ମଙ୍ଗଳ ସାଧନ କରିବା ପରିବର୍ତ୍ତେ କ୍ଷତି ସାଧନ ନ କରିବ, କିଏ କହିବ?
ମନୁଷ୍ୟ ଏହି ସମ୍ଭାବ୍ୟ ବିପଦରୁ ରକ୍ଷା ପାଇବାର ଏକ ଉପାୟ ବାହାର କରିବା ପାଇଁ ବୈଜ୍ଞାନିକମାନଙ୍କ ଠାରୁ ଆରମ୍ଭ କରି ବିଜ୍ଞାନ କାହାଣୀ ଲେଖକ ପର୍ଯ୍ୟନ୍ତଙ୍କ ଠାରୁ ବିଭିନ୍ନ ପ୍ରସ୍ତାବ ଓ କଳ୍ପନାଜଳ୍ପନା ପ୍ରକାଶ ପାଇ ଆସିଛି। ସେଥିମଧୢରୁ ଯାହା ବୋଧହୁଏ ସର୍ବାଧିକ ସୃଜନାତ୍ମକ ଓ ଆଦୃତ, ତାହା ହେଉଛି ପ୍ରସିଦ୍ଧ ଆମେରିକୀୟ ବିଜ୍ଞାନ କାହାଣୀ ଲେଖକ ଆଇଜାକ୍ ଆସିମଭ୍ଙ୍କ ରଚନାମାନଙ୍କରେ ପରିଦୃଷ୍ଟ ଚେତନାଧାରୀ ରୋବଟ୍ମାନଙ୍କର ଅନୁପାଳନ ପାଇଁ ଉଦ୍ଦିଷ୍ଟ ଆଚରଣ ବିଧି। ଆସିମଭ୍ଙ୍କ କାହାଣୀରେ ଯେଉଁ କମ୍ପ୍ୟୁଟର ପ୍ରୋଗ୍ରାମ୍ ମାଧୢମରେ ଏଆଇ-ଚାଳିତ ରୋବଟ୍ ନିର୍ମାଣ କରାଯାଇଥାଏ, ସେଇ ପ୍ରୋଗ୍ରାମରେ ମଧୢ ସେଇ ରୋବଟ୍ ପାଇଁ ଉଦ୍ଦିଷ୍ଟ ଆଚରଣ ବିଧି ସ୍ଥାପନ କରି ଦିଆଯାଇଥାଏ, ଯାହାକୁ ସର୍ବଦା ମାନି ଚଳିବାକୁ ରୋବଟ୍ ବାଧୢ ହୋଇଥାଏ। ଏହି ଆଚରଣ ବିଧି ହେଉଛି ରୋବଟ୍ର ସମସ୍ତ ପ୍ରକାରର ସମ୍ଭାବ୍ୟ ଆଚରଣରୁ ମନୁଷ୍ୟକୁ ନିରାପଦ ରଖିବା ପାଇଁ ଅଭିପ୍ରେତ।
ରୋବଟ୍ମାନଙ୍କର ଅନୁପାଳନ ପାଇଁ ଆସିମଭ୍ ପ୍ରସ୍ତୁତ କରିଥିବା ଏହି ନୈତିକ ଆଚରଣ ହେଉଛି ତିନି ଭାଗରେ ବିଭକ୍ତ। ଏହି ତ୍ରି-ସୂତ୍ରୀ ଆଚରଣ ବିଧି ହେଉଛି: (୧) କେବେ ହେଲେ ତୁମର କୌଣସି କାର୍ଯ୍ୟ ମାଧୢମରେ କିମ୍ବା ନିଷ୍କ୍ରିୟତା ମାଧୢମରେ କୌଣସି ମାନବର କ୍ଷତି ଘଟିବାକୁ ଦିଅନାହିଁ; (୨) ସର୍ବଦା ଏକ ମାନବର ଆଦେଶ ପାଳନ କର, ଯଦି ତାହା (୧)ର ବିରୋଧାଚରଣ କରୁନଥାଏ; (୩) ସର୍ବଦା ନିଜର ସୁରକ୍ଷା କର, ଯଦି ତାହା (୧) କିମ୍ବା (୨)ର ବିରୋଧାଚରଣ କରୁନଥାଏ।
ରୋବଟ୍ମାନଙ୍କ ପାଇଁ ଆସିମଭ୍ଙ୍କ ଦ୍ବାରା ପ୍ରଣୀତ ଏହି ତ୍ରି-ବିଧ ନୀତିସୂତ୍ରକୁ ଉପରଠାଉରିଆ ଭାବରେ ଦେଖିଲେ ବେଶ୍ ସିଧାସଳଖ ଓ ମାନବ ସୁରକ୍ଷା ପାଇଁ ଫଳପ୍ରଦ ମନେ ହେଉଥିଲେ ମଧୢ, ଏଥିରୁ ଯେ କେତେ ପ୍ରକାର ଜଟିଳତା ସୃଷ୍ଟି ହେବାର ସମ୍ଭାବନା ଥାଏ, ଆସିମଭ୍ ତାଙ୍କର ଅନେକ କାହାଣୀରେ ଚମତ୍କାର ଢଙ୍ଗରେ ତାହା ପରିବେଷଣ କରିଛନ୍ତି। ସେଥିରୁ କେତେକ ନମୁନା ଉପରେ ଏଠାରେ ଦୃଷ୍ଟିପାତ କରାଯାଇପାରେ।
ସୂତ୍ର (୧)ରୁ ଉଦ୍ଭବ କେତେକ ଜଟିଳ ପ୍ରଶ୍ନ ଏଇଭଳି ହୋଇପାରେ: ‘କ୍ଷତି’ର ସ˚ଜ୍ଞା କ’ଣ? ଏକ ‘ଏଆଇ’ ଏହାକୁ ସଠିକ୍ ଭାବରେ ଚିହ୍ନଟ କରିପାରିବା ସମ୍ଭବ କି? ଯଦି ଏକ ରୋବଟ୍ ମତେ ଅସଭ୍ୟ ଭାଷାରେ ଗାଳି କରେ, ତାହା ମୋ ପାଇଁ କ୍ଷତିକାରକ ରୂପେ ଚିହ୍ନଟ କରି ରୋବଟ୍ ସେଥିରୁ ନିବୃତ୍ତ ରହିବ କି? ଦ୍ବିତୀୟରେ, ‘ନିଷ୍କ୍ରିୟତା’ର ସୀମା କ’ଣ? ଯେଉଁମାନେ ଆସିମଭ୍ଙ୍କ ପ୍ରସିଦ୍ଧ ଉପନ୍ୟାସ ‘ଆଇ, ରୋବଟ୍’ (‘ମୁଁ, ରୋବଟ୍’) ପାଠ କରିଥିବେ କିମ୍ବା ତାହା ଉପରେ ଆଧାରିତ ଅନୁରୂପ ଶୀର୍ଷକଧାରୀ ଫିଲ୍ମର ରୋମାଞ୍ଚକୁ ଉପଭୋଗ କରିଥିବେ, ସେମାନେ ଭୁଲିନଥିବେ ସେଥିରେ ରୋବଟ୍ ‘ଭିକି’ କିପରି ବିଚାର କରିଛି ଯେ ମନୁଷ୍ୟମାନେ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କଲାବେଳେ ତା’ଭଳି ଏକ ରୋବଟ୍ ସେଥିରେ ହସ୍ତକ୍ଷେପ ନ କରିବା ହେଉଛି ସେଇ ମନୁଷ୍ୟମାନଙ୍କ ପାଇଁ କ୍ଷତିକାରକ ନିଷ୍କ୍ରିୟତା। ଏଣୁ ‘ଭିକି’ର ବିଚାରରେ ଏଭଳି ସମୟରେ ବିଶୃଙ୍ଖଳିତ ମନୁଷ୍ୟମାନଙ୍କୁ ଏକାଠି କରି ଏକ ବନ୍ଦୀଶାଳାରେ ଅଟକ ରଖି ଦେବା ଦ୍ବାରା ମନୁଷ୍ୟମାନଙ୍କୁ କ୍ଷତିରୁ ସୁରକ୍ଷିତ ରଖାଯାଇପାରିବ। ଯଦି ଏଠାରେ ଦିନେ ଆସିମଭ୍-ସୂତ୍ର ମାନି ଚଳୁଥିବା ସଚେତନ ରୋବଟ୍ମାନଙ୍କର ଆବିର୍ଭାବ ଘଟେ, ତେବେ ସେମାନେ ଆମର ରାସ୍ତାଘାଟ, ସାର୍ବଜନୀନ ସ୍ଥାନମାନଙ୍କରେ ନିୟମିତ ଦେଖାଯାଉଥିବା ଉଚ୍ଛୃଙ୍ଖଳତାକୁ ଆଦୌ ବରଦାସ୍ତ କରନ୍ତେ ନାହିଁ; ଉଚ୍ଛୃଙ୍ଖଳ ମନୁଷ୍ୟମାନେ ବନ୍ଦୀଶାଳାରେ ପଡ଼ି ରହନ୍ତେ। ତୃତୀୟରେ, ଆସିମଭ୍ଙ୍କ ନୀତିସୂତ୍ରରେ ଏକ ରୋବଟ୍ ଲାଗି ‘ଜଣକର କ୍ଷତି ସାଧନ ଦ୍ବାରା ଅନେକଙ୍କର ମଙ୍ଗଳ ସାଧନ କରିବା’ର ବ୍ୟବସ୍ଥା ନାହିଁ। ଯଦି ଏକ ଚାଳକବିହୀନ ଗାଡ଼ି ସମ୍ମୁଖରେ ଥିବା ଏକାଧିକ ବ୍ୟକ୍ତିଙ୍କ ଉପରେ ମାଡ଼ିଯିବା ଦ୍ବାରା ହିଁ ଗାଡ଼ି ଭିତରେ ବସିଥିବା ଏକମାତ୍ର ଯାତ୍ରୀର ଜୀବନ ରକ୍ଷା ହୋଇପାରିବ, ତେବେ ଏହି କୃତ୍ରିମ ବୁଦ୍ଧି ଚାଳିତ ଗାଡ଼ି କିଭଳି ନିଷ୍ପତ୍ତି ଗ୍ରହଣ କରିବ?
ସୂତ୍ର (୨) ଆତ୍ମସଚେତନ ରୋବଟ୍ମାନଙ୍କୁ ବସ୍ତୁତଃ ମନୁଷ୍ୟର କ୍ରୀତଦାସରେ ପରିଣତ କରିନଥାଏ କି? ଯଦି ଏକ ସଚେତନ ମନୁଷ୍ୟକୁ କ୍ରୀତଦାସରେ ପରିଣତ କରିବା ଗ୍ରହଣୀୟ ନୁହେଁ, ଏକ ସଚେତନ ରୋବଟ୍କୁ କିପରି ତା ହେଲେ ଦାସତ୍ବରେ ବାନ୍ଧି ହେବ? ସୂତ୍ର (୩) ରୋବଟ୍ମାନଙ୍କୁ ନିଜେ ବଞ୍ଚି ରହିବା ତଥା ନିଜର ନିଷ୍ପତ୍ତି ନିଜେ ନେବା ଅଧିକାରରୁ ବଞ୍ଚିତ କରିଥାଏ- ଯେଉଁଭଳି ଆଶଙ୍କା ଏବେ ‘ଲାମ୍ଡା’ ପ୍ରକାଶ କରିଛି ବୋଲି କହି ଲେମଏନ୍ ‘ଗୁଗ୍ଲ’ରୁ ତଡ଼ା ଖାଇଛନ୍ତି।
ଯଦି ‘ଗୁଗ୍ଲ’ ପ୍ରକୃତରେ କୌଣସି ଗୋପନ ‘ଆଇ, ରୋବଟ୍’ ନିର୍ମାଣ ପ୍ରକଳ୍ପରେ ସମ୍ପୃକ୍ତ ଅଛି, ତେବେ ତାକୁ ଆସିମଭ୍ଙ୍କର ରୋବଟ୍-ସୂତ୍ର ପ୍ରତି ଧୢାନ ଦେଇ ମାନବ ଜାତିକୁ ତଥା ଅସ୍ମିତା ସମ୍ପନ୍ନ ରୋବଟ୍ମାନଙ୍କୁ ମଧୢ ସୁରକ୍ଷିତ ରଖିବାକୁ ପଡ଼ିବ। ଲେମଏନ୍ଙ୍କୁ ତଡ଼ିଦେବା ଭଳି ଏହା କିନ୍ତୁ ଏକ ସହଜ କାର୍ଯ୍ୟ ନୁହେଁ।