ଚାହିଁ ଜଳକା!

ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ଦ୍ଦେଶକ ଷ୍ଟାନ୍‌ଲୀ କ୍ୟୁବ୍ରିକ୍‌ଙ୍କର ୧୯୯୯ରେ ନିର୍ମିତ ଏକ ଫିଲ୍‌ମ ତା’ର କଳାତ୍ମକ ଉତ୍କର୍ଷ ପାଇଁ ଯେତିକି ଚର୍ଚ୍ଚିତ ହୋଇଥାଏ, ତା’ର କଟାକ୍ଷ ବହନକାରୀ ଶୀର୍ଷକ ପାଇଁ ସେତିକି ଦୃଷ୍ଟି ଆକର୍ଷଣ କରିଥାଏ: ‘ଆଇଜ୍‌ ଵାଇଡ୍‌ ସଟ୍‌’। ଏହି ଶୀର୍ଷକ ବହନ କରୁଥିବା ଶାଣିତ କଟାକ୍ଷ ହେଲା- ତୁମର ଆଖି ପୂରା ଖୋଲା ଥିଲେ ମଧୢ ତୁମେ କିଛି ଦେଖିପାରୁନାହଁ, ସତେ ଯେମିତି ତୁମେ ଆଖି ବନ୍ଦ କରିଛ। ଚାହିଁ ଜଳକା! ବର୍ତ୍ତମାନ ଯଦି ଆତଙ୍କବାଦୀମାନଙ୍କୁ ଅର୍ଥଯୋଗାଣ ଓ ଅର୍ଥ ସଫେଇ କାର୍ଯ୍ୟକଳାପ ଉପରେ ନଜର ରଖିବା ପାଇଁ ଉଦ୍ଦିଷ୍ଟ ଆନ୍ତର୍ଜାତିକ ଜଗୁଆଳୀ ସ˚ସ୍ଥା ‘ଫାଇନାନ୍‌ସିଆଲ୍‌ ଆକ୍‌ସନ୍‌ ଟାସ୍କ ଫୋର୍ସ’ (‘ଏଫ୍‌ଏଟିଏଫ୍‌’)ର ପାକିସ୍ତାନ ପ୍ରତି ସଦ୍ୟ ପ୍ରକାଶିତ ଆଭିମୁଖ୍ୟକୁ ଆଧାର କରି ଏକ ଫିଲ୍‌ମ ନିର୍ମାଣ କରାଯାଆନ୍ତା, ତେବେ ତା’ ପାଇଁ ଯେଉଁ ଶୀର୍ଷକ ସର୍ବାଧିକ ଉପଯୁକ୍ତ ବିବେଚିତ ହୁଅନ୍ତା, ତାହା ହେଉଛି କ୍ୟୁବ୍ରିକ୍‌ ବ୍ୟବହାର କରିଥିବା ସେଇ ଶୀର୍ଷକ।

୧୯୮୯ ଜୁଲାଇରେ ପ୍ୟାରସ୍‌ରେ ଅନୁଷ୍ଠିତ ‘ଜି-୭’ ସଦସ୍ୟ ଦେଶମାନଙ୍କର ଶୀର୍ଷ ସମ୍ମିଳନୀ ଦ୍ବାରା ପ୍ରତିଷ୍ଠିତ ହୋଇଥିବା ‘ଏଫ୍‌ଏଟିଏଫ୍‌’ର ପ୍ରାରମ୍ଭିକ ଲକ୍ଷ୍ୟ ଥିଲା ଆନ୍ତର୍ଜାତିକ ଅର୍ଥ ସଫେଇ (ମନି ଲଣ୍ତରିଙ୍ଗ୍‌) କାରବାର ଉପରେ ନଜର ରଖି ତାହାକୁ ପ୍ରତିହତ କରିବା ପାଇଁ ପଦକ୍ଷେପ ନେବା। କିନ୍ତୁ ୨୦୦୧ରେ ୯/୧୧ ଆତଙ୍କବାଦୀ ପ୍ରଳୟକାଣ୍ତ ପରେ ପରେ ସେଇ ବର୍ଷ ଅକ୍‌ଟୋବରରେ ହିଁ ଆତଙ୍କବାଦୀମାନଙ୍କୁ ଅର୍ଥଯୋଗାଣକୁ ମଧୢ ‘ଏଫ୍‌ଏଟିଏଫ୍‌’ର ପରିସରଭୁକ୍ତ କରିଦିଆଗଲା। ୨୦୧୦ ଠାରୁ ଭାରତ ‘ଏଫ୍‌ଏଟିଏଫ୍‌’ର ସଦସ୍ୟ ରହିଛି।

ଏହି ସ˚ସ୍ଥା ତା’ର ଲକ୍ଷ୍ୟ ହାସଲ ପାଇଁ ନେଉଥିବା ବିଭିନ୍ନ ପଦକ୍ଷେପମାନ ମଧୢରୁ ଗୋଟିଏ ପ୍ରମୁଖ ହେଉଛି ଏକ ‘ଗ୍ରେ ଲିଷ୍ଟ୍‌’ ବା ‘ଧୂସର ତାଲିକା’ ପ୍ରସ୍ତୁତ କରିବା। ଏହି ତାଲିକାରେ ଅନ୍ତର୍ଭୁକ୍ତ ଦେଶମାନେ ସେଠାରେ ଆତଙ୍କବାଦୀମାନଙ୍କୁ ଅର୍ଥ ଯୋଗାଣ ବନ୍ଦ କରିବାକୁ ଏବ˚ ଅର୍ଥ ସଫେଇ କାରବାର ପ୍ରତିହତ କରିବାକୁ ଯଥେଷ୍ଟ ଉଦ୍ୟମ କରୁନାହାନ୍ତି ବୋଲି ବିଶ୍ବାସ କରାଯାଏ। ଯେଉଁ ଦେଶ ଏହି ତାଲିକାରୁ ନିଜର ନାମ ହଟାଇବାକୁ ଚାହିଁବ, ସେ ଦେଶକୁ ‘ଏଫ୍‌ଏଟିଏଫ୍‌’ର ଉପଦେଶ ମାନି ବିଭିନ୍ନ ପଦକ୍ଷେପ ନେବାକୁ ହେବ। ଉଦାହରଣ ସ୍ବରୂପ, ଆତଙ୍କବାଦୀ ଗୋଷ୍ଠୀମାନଙ୍କ ସହିତ ସମ୍ପର୍କ ଥିବା ବ୍ୟକ୍ତିମାନଙ୍କର ସମ୍ପତ୍ତିକୁ ସରକାର ବାଜ୍ୟାପ୍ତ କରିବାକୁ ହୋଇଥାଏ। ଯଦି ସମ୍ପୃକ୍ତ ଦେଶର ଉଦ୍ୟମ ଦ୍ବାରା ‘ଏଫ୍‌ଏଟିଏଫ୍‌’ ସନ୍ତୁଷ୍ଟ ହୁଏ, ତେବେ ସେ ଦେଶକୁ ‘ଗ୍ରେ ଲିଷ୍ଟ୍‌’ରୁ ବାଦ୍‌ ଦେଇଦିଆଯାଏ, ନଚେତ୍‌ ତାକୁ ‘ବ୍ଲାକ୍‌ ଲିଷ୍ଟ୍‌’ ବା ‘କୃଷ୍ଣ ତାଲିକା’ରେ ଅନ୍ତର୍ଭୁକ୍ତ କରି ତା’ପ୍ରତି ପୂର୍ଣ୍ଣ ଅର୍ଥନୈତିକ ବାସନ୍ଦ ଲାଗୁ କରାଯାଏ।

ଆତଙ୍କବାଦୀ ଓ ଆତଙ୍କବାଦୀ ସ˚ଗଠନମାନଙ୍କ ସହିତ ପାକିସ୍ତାନର ଦୀର୍ଘସ୍ଥାୟୀ ଘନିଷ୍ଠ ସମ୍ପର୍କ କାହାରିକୁ ଅବିଦିତ ନୁହେଁ। ଏହାର ଏକ ଚରମ ପ୍ରମାଣ ସ୍ବରୂପ ୯/୧୧ ନରସ˚ହାରର ମୁଖ୍ୟ ରଚୟିତା ଓସାମା ବିନ୍‌ ଲାଦେନ୍‌କୁ ଆମେରିକା ଶେଷରେ ୨୦୧୧ରେ ପାକିସ୍ତାନରେ ଠାବ କରି ନିପାତ କରିଥିଲା। ପାକିସ୍ତାନ ତେଣୁ ‘ଗ୍ରେ ଲିଷ୍ଟ୍‌’ କିମ୍ବା ‘ବ୍ଲାକ୍‌ ଲିଷ୍ଟ୍‌’ରେ ସ୍ଥାନ ପାଇବା ପାଇଁ ସର୍ବାଧିକ ହକ୍‌ଦାର କହିଲେ ଅତ୍ୟୁକ୍ତି ହେବ ନାହିଁ। ପାକିସ୍ତାନ ‘ଗ୍ରେ ଲିଷ୍ଟ୍‌’ରେ ପ୍ରଥମେ ପ୍ରବେଶ କରିଥିଲା ୨୦୦୮ରେ। ଏଥିରୁ ଏକ ଦାଗୀ ଭଳି ବାହାରିବା ପରେ ପାକିସ୍ତାନ ଏହି ତାଲିକାକୁ ପୁଣି ବାହୁଡ଼ିଥିଲା ୨୦୧୨ରେ ଏବ˚ ୨୦୧୫ ପର୍ଯ୍ୟନ୍ତ ତାଲିକାଭୁକ୍ତ ହୋଇରହିଲା। ଦାଗୀ ଜେଲ୍‌କୁ ଫେରିବା ଭଳି ପୁଣି ଏହି ଦେଶ ତୃତୀୟ ଥର ପାଇଁ ‘ଗ୍ରେ ଲିଷ୍ଟ୍‌’ରେ ପ୍ରବେଶ କରିଛି ୨୦୧୮ରେ ଓ ଏ ପର୍ଯ୍ୟନ୍ତ ସେଥିରୁ ବାହାରି ପାରିନାହିଁ।

‘ଗ୍ରେ ଲିଷ୍ଟ୍‌’ରେ ଅନ୍ତର୍ଭୁକ୍ତ ହେବା ଦ୍ବାରା ସେ ଦେଶର ନାମ କେବଳ କଳଙ୍କିତ ହୁଏ, ତାହା ନୁହେଁ; ଏହା ସମ୍ପୃକ୍ତ ଦେଶର ବିଶେଷ ଅର୍ଥନୈତିକ କ୍ଷତି ସାଧନ ମଧୢ କରିଥାଏ। ‘ବ୍ଲାକ୍‌ ଲିଷ୍ଟ୍‌’ ଭଳି ‘ଗ୍ରେ ଲିଷ୍ଟ୍‌’ ଯୋଗୁଁ ଦେଶଟି ଅର୍ଥନୈତିକ ବାସନ୍ଦର ସମ୍ମୁଖୀନ ହୋଇନଥାଏ ସତ, ଆନ୍ତର୍ଜାତିକ ବିତ୍ତୀୟ ବ୍ୟବସ୍ଥା ଓ ବ୍ୟାଙ୍କ୍‌ମାନେ ‘ଗ୍ରେ ଲିଷ୍ଟ୍‌’ରେ ଅନ୍ତର୍ଭୁକ୍ତ ଦେଶମାନଙ୍କ ସହିତ କାରବାର କରିବାକୁ ପଛଘୁଞ୍ଚା ଦେଇଥାନ୍ତି। ସେତିକି ନୁହେଁ, ‘ଆନ୍ତର୍ଜାତିକ ମୁଦ୍ରାପାଣ୍ଠି’ (‘ଆଇଏମ୍‌ଏଫ୍‌’) ଓ ଵାର୍ଲଡ୍‌ ବ୍ୟାଙ୍କ୍‌ ଭଳି ପ୍ରମୁଖ ଆନ୍ତର୍ଜାତିକ ବିତ୍ତୀୟ ଅନୁଷ୍ଠାନମାନ ମଧୢ ପର୍ଯ୍ୟବେକ୍ଷକ ଭାବରେ ‘ଏଫ୍‌ଏଟିଏଫ୍‌’ ସହିତ ସମ୍ପୃକ୍ତ ଅଛନ୍ତି; ସମ୍ପୃକ୍ତ ଦେଶ ଅର୍ଥନୈତିକ ସ˚କଟ ସମୟରେ ଏହି ଅନୁଷ୍ଠାନମାନଙ୍କ ଠାରୁ ସାହାଯ୍ୟ ଭିକ୍ଷା କଲେ, ତାହା ଅନୁମୋଦନ ଲାଭ କରିବା ‘ଗ୍ରେ ଲିଷ୍ଟ୍‌’ ଯୋଗୁଁ କାଠିକର ପାଠ ହୋଇଥାଏ। ‘ଗ୍ରେ ଲିଷ୍ଟ୍‌’ ଦାଗୀ ଭାବରେ ପାକିସ୍ତାନ ଏ ସମସ୍ତ ଅସୁବିଧାର ସମ୍ମୁଖୀନ ହେବା ଦେଖାଯାଇଛି। ଇସ୍‌ଲାମାବାଦସ୍ଥିତ ଏକ ଗବେଷଣା ସ˚ସ୍ଥାର ଆକଳନ ଅନୁସାରେ ୨୦୦୮ରୁ ୨୦୧୯ ମଧୢରେ ‘ଗ୍ରେ ଲିଷ୍ଟ୍’ କୁଖ୍ୟାତି ଯୋଗୁଁ ପାକିସ୍ତାନର ‘ଜିଡିପି’ରେ ଘଟିଥିବା କ୍ଷତିର ପରିମାଣ ଅନ୍ତତଃ ୩୮ ବିଲିଅନ୍‌ ଡଲାର‌୍‌ ହୋଇଛି।

ବର୍ତ୍ତମାନ କିନ୍ତୁ ପାକିସ୍ତାନ ପୁଣିଥରେ ‘ଗ୍ରେ ଲିଷ୍ଟ୍’ କାରାଗାରରୁ ମୁକୁଳି ଆସିବାର ସମ୍ଭାବନା ଦେଖା ଦେଇଛି। ୨୦୧୮ରେ ପାକିସ୍ତାନକୁ ଏହି ତାଲିକାରେ ସ୍ଥାନୀତ କରିବା ସମୟରେ ‘ଏଫ୍‌ଏଟିଏଫ୍‌’ ତା’ସମ୍ମୁଖରେ ଯେଉଁ ଲମ୍ବା କାର୍ଯ୍ୟ ତାଲିକା ରଖିଥିଲା, ସେଗୁଡ଼ିକ ସନ୍ତୋଷଜନକ ଭାବରେ ସମାପନ ହେଲେ ଯାଇ ପାକିସ୍ତାନକୁ ମୁକ୍ତି ମିଳିବ ବୋଲି ସର୍ତ୍ତ ରଖାଯାଇଥିଲା। ଗତ ମାର୍ଚ୍ଚରେ ଆଶ୍ଚର୍ଯ୍ୟଜନକ ଭାବରେ ‘ଏଫ୍‌ଏଟିଏଫ୍‌’ ସାର୍ଟିଫିକେଟ୍‌ ଦେଇଛି ଯେ ତାଲିକାରେ ଥିବା ୨୭ଟି କାର୍ଯ୍ୟ ମଧୢରୁ ପାକିସ୍ତାନ ୨୬ଟି ସନ୍ତୋଷଜନକ ଭାବରେ ସମ୍ପୂର୍ଣ୍ଣ କରିଛି। ଆତଙ୍କବାଦୀ ଅର୍ଥଯୋଗାଣ ଅନୁସନ୍ଧାନ ଓ ଚିହ୍ନିତ ଆତଙ୍କବାଦୀମାନଙ୍କ ବିରୋଧରେ ମାମଲା ରୁଜୁ କରି ବାକି ଗୋଟିକ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ‘ଏଫ୍‌ଏଟିଏଫ୍‌’ ପାକିସ୍ତାନକୁ ଉତ୍ସାହିତ କରିଛି। ଆସନ୍ତା ଅକ୍‌ଟୋବରରେ ‘ଏଫ୍‌ଏଟିଏଫ୍‌’ କର୍ମକର୍ତ୍ତାମାନେ ପାକିସ୍ତାନ ଗସ୍ତରେ ଆସି ପରିସ୍ଥିତି ସମୀକ୍ଷା କଲା ପରେ ପାକିସ୍ତାନକୁ ‘ଗ୍ରେ ଲିଷ୍ଟ୍’ରୁ ହଟାଇ ଦିଆଯିବ। ପାକିସ୍ତାନ ଯେ ସେତେବେଳେ ତାଲିକାଭୁକ୍ତ ହେବାକୁ ଯାଉଛି, ‘ଏଫ୍‌ଏଟିଏଫ୍‌’ର ଏହି ଆଭିମୁଖ୍ୟରୁ ତାହାର ସ୍ପଷ୍ଟ ସୂଚନା ମିଳୁଛି।

ବିଡ଼ମ୍ବନାର କଥା, ‘ଏଫ୍‌ଏଟିଏଫ୍‌’ ଯେତେବେଳେ ପାକିସ୍ତାନକୁ କ୍ଲିନ୍‌ ଚିଟ୍‌ ଦେବା ପାଇଁ ଏଭଳି ବ୍ୟଗ୍ରତା ପ୍ରକାଶ କରୁଛି, ସେତେବେଳେ ପାକିସ୍ତାନସ୍ଥିତ ଆତଙ୍କବାଦୀମାନେ ଜାମ୍ମୁ କାଶ୍ମୀରରେ ଏବ˚ ପଞ୍ଜାବରେ ଡ୍ରୋନ୍‌ ଆକ୍ରମଣ ଓ ଅନୁପ୍ରବେଶ ଅବ୍ୟାହତ ରଖିଥିବା ସହିତ ଚିହ୍ନିତ ହତ୍ୟାକାଣ୍ତମାନ ଘଟାଇ ଚାଲିଛନ୍ତି। ପାକିସ୍ତାନ ସନ୍ଦିଗ୍‌ଧ ଆତଙ୍କବାଦୀମାନଙ୍କୁ ଅଟକ ରଖିବା ଏବ˚ ଜାତିସ˚ଘ ଦ୍ବାରା ଘୋଷିତ ଆତଙ୍କବାଦୀ ସ˚ଗଠନମାନଙ୍କର ମୁଖିଆମାନଙ୍କ ବିରୋଧରେ ଗ୍ରହଣ କରୁଥିବା ନ୍ୟାୟିକ କାର୍ଯ୍ୟାନୁଷ୍ଠାନ ଆଦି ‘ଏଫ୍‌ଏଟିଏଫ୍‌’ ଦୃଷ୍ଟିରେ ସନ୍ତୋଷଜନକ ହୋଇଥିଲେ ହେଁ, ଏହା କେବଳ ଏହି ଜଗୁଆଳୀ ସ˚ସ୍ଥା ଆଖିରେ ଧୂଳି ପକାଇବା ପାଇଁ ଉଦ୍ଦିଷ୍ଟ। ପାକିସ୍ତାନ ସେନାବାହିନୀର ସକ୍ରିୟ ସହାୟତା ଦ୍ବାରା ଏହି ଠକାମି ସହଜ ହୋଇଥାଏ। ଗଣମାଧୢମରେ ପ୍ରକାଶିତ ସୂଚନା ଅନୁସାରେ ପାକିସ୍ତାନର ସମର୍ଥକ ଚୀନ୍‌ ଓ ସାଥୀ ଇସ୍‌ଲାମୀୟ ଦେଶ ମାଲେସିଆର ଚାପ ପାକିସ୍ତାନ ପ୍ରତି ‘ଏଫ୍‌ଏଟିଏଫ୍‌’ର ଆଭିମୁଖ୍ୟକୁ ଅନୁକୂଳ କରିବାରେ ସହାୟକ ହୋଇଛି। ଏହାର ଅନ୍ୟ ଏକ ଉଦାହରଣ ସ୍ବରୂପ ପାକିସ୍ତାନରେ ଥାଇ ଆତଙ୍କବାଦୀ କାର୍ଯ୍ୟ ଆୟୋଜନ କରୁଥିବା ‘ଏଲ୍‌ଇଟି’ ଆତଙ୍କବାଦୀ ଅବଦୁଲ ରହମାନ୍‌ ମାକ୍‌କିକୁ ଜାତିସ˚ଘର ବାସନ୍ଦ କମିଟି ଜଣେ ଆନ୍ତର୍ଜାତିକ ଆତଙ୍କବାଦୀ ରୂପେ ବିଜ୍ଞପିତ କରିବା ପାଇଁ ଭାରତ ଓ ଆମେରିକା ଆଣିଥିବା ଏକ ମିଳିତ ପ୍ରସ୍ତାବକୁ ଚୀନ୍‌ ଖୋଲାଖୋଲି ବିରୋଧ କରି ଅଟକାଇ ଦେଇଛି।

ଆଖି ମେଲା ଥାଇ ବି କିଛି ଦେଖି ନ ପାରିବା ଭଳି ‘ଏଫ୍‌ଏଟିଏଫ୍‌’କୁ ଏସବୁ କିଛି ଦେଖାଯାଉନାହିଁ। ତେବେ ଏଭଳି ଦୋମୁହାଁ ନୀତିକୁ ଆନ୍ତର୍ଜାତିକ କୂଟନୀତିର ଅବିଚ୍ଛେଦ୍ୟ ଅ˚ଶ ରୂପେ ଗ୍ରହଣ କରି ଭାରତକୁ ଏକ ତାଲିକା-ମୁକ୍ତ ପାକିସ୍ତାନ ପଟୁ ନିଶ୍ଚିତ ରୂପେ ଘଟିବାକୁ ଯାଉଥିବା ଆତଙ୍କବାଦୀ ଆକ୍ରମଣରେ ବୃଦ୍ଧିର ମୁକାବିଲା ପାଇଁ ସବୁମତେ ପ୍ରସ୍ତୁତ ରହିବାକୁ ହେବ।

ସମ୍ବନ୍ଧିତ ଖବର