ଧ୍ରୁବତାରା

ଗଲା ମଙ୍ଗଳବାର ଅପରାହ୍‌ଣ ବେଳକୁ ଯେଉଁ ସମ୍ବାଦଟି ଆମ ରାଜ୍ୟରେ ବିଜୁଳି ବେଗରେ ପ୍ରସାରିତ ହୋଇ ଜନ ମାନସରେ ପୁଲକ ଜାତ କରିଥିଲା, ତାହା ପ୍ରଥମ ଓଡ଼ିଆ ଭାବେ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନରେ ପ୍ରବେଶ କରିବାର ଦୃଢ଼ ସମ୍ଭାବନା ସୃଷ୍ଟିରେ କେବଳ ସୀମିତ ନ ଥିଲା; ଏହାର ଆଉ ଗୋଟିଏ କାରଣ ମଧୢ ଥିଲା ଭାରତୀୟ ଗଣତନ୍ତ୍ରର ପରାକାଷ୍ଠା ପ୍ରତିପାଦନ; ଯାହା ତୃଣମୂଳ ସ୍ତରରେ ରାଜନୈତିକ କାର୍ଯ୍ୟ ଆରମ୍ଭ କରିଥିବା ଜଣେ ବ୍ୟକ୍ତିଙ୍କୁ ଅବଲୀଳା କ୍ରମେ ରାଷ୍ଟ୍ରର ସର୍ବୋଚ୍ଚ ପଦ ମଣ୍ତନ କରି ପାରିବାର ସୁଯୋଗ ପ୍ରଦାନ କରିଛି। କହିବା ଅନାବଶ୍ୟକ ଯେ ଆମ ରାଜ୍ୟରେ ଦ୍ରୌପଦୀ ମୁର୍ମୁ ଜଣେ ପରିଚିତ ବ୍ୟକ୍ତିତ୍ବ, ଯାହା ପଛରେ ବିଦ୍ୟମାନ ରାଜ୍ୟ ରାଜନୀତିରେ ତାଙ୍କ ସଫଳତାର ଭୂମିକା। କିନ୍ତୁ, ଅବଶିଷ୍ଟ ରାଷ୍ଟ୍ର ସକାଶେ ସେ ପ୍ରାୟତଃ ଅପରିଚିତ। ଏହା ସତ୍ତ୍ବେ କହିବାରେ ଦ୍ବିଧା ନାହିଁ ଯେ ଏହି ନେତ୍ରୀ ଯଦି ପରବର୍ତ୍ତୀ ରାଷ୍ଟ୍ରପତି ରୂପେ ନିର୍ବାଚିତ ହୁଅନ୍ତି, ତାହା ହେଲେ ତାଙ୍କ ନିରହଙ୍କାରୀ ବ୍ୟକ୍ତିତ୍ବ, ନିରାଡ଼ମ୍ବର ଜୀବନ ଶୈଳୀ ତଥା ଜୀବନାନୁଭୂତି ଦ୍ବାରା ପରିପୁଷ୍ଟ ବୁଦ୍ଧିମତ୍ତା ସମସ୍ତଙ୍କୁ ଅନାୟାସରେ ସ୍ପର୍ଶ କରିଯିବ। ଏହି ପରିପ୍ରେକ୍ଷୀରେ ଓଡ଼ିଶାର ରାଇରଙ୍ଗପୁର ଭଳି ଏକ ଅଜ୍ଞାତ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରୁ ନୂଆଦିଲ୍ଲୀର ରାଇସେନା ହିଲ୍‌ସକୁ ଏକ ବିରଳ ସମ୍ଭାବ୍ୟ ଯାତ୍ରା ଏକ କ୍ଷୁଦ୍ର ଆଲୋଚନା ଲାଗି ଅବକାଶ ସୃଷ୍ଟି କରିଥାଏ।

ଏହି ସ୍ତମ୍ଭର ପାଠକ-ପାଠିକାମାନେ ଅବଗତ ଥିବେ ଯେ ରାଷ୍ଟ୍ରପତି ପଦ ଲାଗି ଏନ୍‌.ଡି.ଏ.ର ସର୍ବ-ସମର୍ଥିତ ପ୍ରାଥୀ ଦ୍ରୌପଦୀ ମୁର୍ମୁଙ୍କ ବିପକ୍ଷରେ ବିରୋଧୀ ମେଣ୍ଟ ପକ୍ଷରୁ ଅଭିଜ୍ଞ ରାଜନେତା ଯଶବନ୍ତ ସିହ୍ନା ଅବତୀର୍ଣ୍ଣ ହୋଇଛନ୍ତି। ମନେ ହୁଏ, ଅଟଳ ବିାହରୀ ବାଜପେୟୀଙ୍କ ଏନ୍‌.ଡି.ଏ. ସରକାର ଅମଳରେ କେନ୍ଦ୍ର ମନ୍ତ୍ରୀ ରହିଥିବା ଏବ˚ ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ଜଣେ ଆଇ.ଏ.ଏସ୍‌. ଅଧିକାରୀ ଭାବେ ଦାୟିତ୍ବ ସ˚ପାଦନ କରିଥିବା ତଥା ଜଣେ ବିଦ୍ବାନ ରାଜନେତା ରୂପେ ପରିଗଣିତ ହେଉଥିବା ଯଶବନ୍ତ ସିହ୍ନା ବିଜେପି ପରିତ୍ୟାଗ କରି ତୃଣମୂଳ କ˚ଗ୍ରେସରେ ଯୋଗ ଦେବା ପରେ ହୁଏ’ତ ବିଜେପି ବିରୋଧୀ ଶିବିର ଜଣେ ଜାତୀୟ ସ୍ତରର ପ୍ରଭାବଶାଳୀ ବ୍ୟକ୍ତତ୍ବଙ୍କୁ ଲାଭ କରି ପାରିଥିବା ଧାରଣାର ବଶବର୍ତ୍ତୀ ହୋଇ ତାଙ୍କୁ ହିଁ ରାଷ୍ଟ୍ରପତି ପଦ ଲାଗି ପ୍ରାର୍ଥୀ ଭାବେ ଚୟନ କରିଥିବେ। କିନ୍ତୁ ସତ କଥାଟି ହେଲା, ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ ରୂପେ ମନୋନୀତ କରାଯିବା ପଛରେ ଏନ୍‌.ଡି.ଏ. ମେଣ୍ଟ ଯେଉଁ ସୂକ୍ଷ୍ମ ବିବେଚନାବୋଧର ପ୍ରମାଣ ଦେଇଛି, ତାହା ଯଶଵନ୍ତ ସିହ୍ନାଙ୍କ ଚୟନ ପଛରେ ଆଦୌ ଦୃଶ୍ୟମାନ ହୋଇ ନ ଥାଏ। ବିଜେପି ପକ୍ଷରୁ ପ୍ରଦତ୍ତ ବୟାନ ଅନୁସାରେ ରାଷ୍ଟ୍ରପତି ପଦ ଲାଗି ପ୍ରାର୍ଥୀ ଚୟନ ବେଳେ ଯେଉଁ ତିନିଟି ବିଭାବ ସର୍ବାଧିକ ଗୁରୁତ୍ବ ପାଇଥିଲେ; ସେଗୁଡ଼ିକ ହେଲେ ପ୍ରାର୍ଥୀ ପୂର୍ବ ଭାରତରୁ ହୋଇଥିବା ଉଚିତ, ଦ୍ବିତୀୟରେ ସେ କୌଣସି ଏକ ଜନଜାତି ସ˚ପ୍ରଦାୟରୁ ହୋଇଥିବା ବିଧେୟ ଏବ˚ ତୃତୀୟରେ ସେ ଜଣେ ମହିଳା ହୋଇଥିବା ଆବଶ୍ୟକ।

କହିବା ବାହୁଲ୍ୟ ଯେ ଦ୍ରୌପଦୀ ମୁର୍ମୁ ଏହି ତିନିଟି ଯାକ ସର୍ତ୍ତକୁ ଅତ୍ୟନ୍ତ ସଫଳତାର ସହିତ ପୂରଣ କରି ପ୍ରସ୍ତାବିତ ପ୍ରାୟ ୨୦ ସରିକି ପ୍ରାର୍ଥୀଙ୍କ ମଧୢରୁ ସର୍ବ ସମ୍ମତ ପ୍ରାର୍ଥୀ ରୂପେ ଆବିର୍ଭୂତ ହେଲେ। ସୁତରା˚, ଏହା କହିଲେ ଅତ୍ୟୁକ୍ତି ହେବନାହିଁ ଯେ ଏନ୍‌.ଡି.ଏ.ର ଏହି ପ୍ରକରଣରେ ତିନିଟି ଅବହେଳିତ କ୍ଷେତ୍ରକୁ ରାଷ୍ଟ୍ରର ସର୍ବୋଚ୍ଚ ସ୍ତରରେ ପ୍ରତିନିଧିତ୍ବ ପ୍ରଦାନର ଉଦ୍ୟମ କରାଯାଇଛି। ସେହି ଦୃଷ୍ଟିରୁ ଦ୍ରୌପଦୀ ମୁର୍ମୁଙ୍କ ପ୍ରାର୍ଥିତ୍ବକୁ ଏନ୍‌.ଡି.ଏ. ବାହାରର ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ମଧୢ ସମର୍ଥନ ଜ୍ଞାପନ କରିବାର ଇଚ୍ଛା ପ୍ରକଟିତ ହେଲାଣି। କହିବା ନିଷ୍ପ୍ରୟୋଜନ ଯେ ଆମ ରାଜ୍ୟର ବିଜେଡି ଦ୍ବାରା ଦ୍ରୌପଦୀଙ୍କ ପ୍ରାର୍ଥିତ୍ବକୁ ସ˚ପୂର୍ଣ୍ଣ ସମର୍ଥନ ପ୍ରଦାନ କରିବାର ପ୍ରତିଶ୍ରୁତି ଦିଆ ସରିଛି। ସେ ଜଣେ ଓଡ଼ିଆ ହୋଇଥିବା ସହିତ ଜନଜାତି ସ˚ପ୍ରଦାୟର ମହିଳା ହୋଇଥିବା କାରଣରୁ ବିଜେଡିର ରାଜନୈତିକ ମତାଦର୍ଶର ନିକଟତମ ହୋଇ ସ୍ବାଭାବିକ ସମର୍ଥନ ଲାଭ କରି ପାରିଛନ୍ତି। ସେହିଭଳି ଆନ୍ଧ୍ର ପ୍ରଦେଶର କ୍ଷମତାସୀନ ଵାଇଏସ୍‌ଆର କ˚ଗ୍ରେସ ପକ୍ଷରୁ ଦ୍ରୌପଦୀଙ୍କ ପ୍ରାର୍ଥିତ୍ବକୁ ସମର୍ଥନ ଜ୍ଞାପନ କରାଯିବ ବୋଲି କୁହାଯାଇଛି।

ଯଶବନ୍ତ ସିହ୍ନା ଝାଡ଼ଖଣ୍ତର ସନ୍ତାନ ହୋଇଥିବା କାରଣରୁ ଯଦିଓ ଜେ.ଏମ୍‌.ଏମ୍‌. ନେତା ତଥା ଝାଡ଼ଖଣ୍ତ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସମର୍ଥନ ବାବଦରେ ଅନିଶ୍ଚିତତା ରହିଛି (ଏହା‌ ଲେଖା ହେଲା ପର୍ଯ୍ୟନ୍ତ), ତଥାପି ଅନେକ ରାଜନୈତିକ ପର୍ଯ୍ୟବେକ୍ଷକଙ୍କ ମତରେ ଜନଜାତି ସ˚ପ୍ରଦାୟର ଜଣେ ପ୍ରଭାବଶାଳୀ ଯୁବନେତା ତଥା ଜନଜାତି ସମସ୍ୟାକୁ ସର୍ବଦା ଅଗ୍ରାଧିକାର ପ୍ରଦାନ କରୁଥିବା ହେମନ୍ତ ସୋରେନ ଦ୍ରୌପଦୀଙ୍କ ପ୍ରାର୍ଥିତ୍ବକୁ ସମର୍ଥନ ଜ୍ଞାପନ କରିବାର ସମ୍ଭାବନା ଅଧିକ। ଏହା ମଧୢ ଆଉ ଏକ ବାସ୍ତବତା ଯେ ଝାଡ଼ଖଣ୍ତରୁ ହୋଇଥିବା ସତ୍ତ୍ବେ ଯଶବନ୍ତ ସିହ୍ନାଙ୍କ ସା˚ଭ୍ରାନ୍ତ୍ୟ, ହୁଏ’ତ ତାଙ୍କୁ ଜନ ମାନସରେ ଭୂମି ପୂତ୍ରର ମାନ୍ୟତା ଦେଇ ନ ଥିବ, ଯେଉଁ କାରଣରୁ ଦ୍ରୌପଦୀ ଯେମିତି ଓଡ଼ିଶାରେ ଆନନ୍ଦର ତରଙ୍ଗ ସୃଷ୍ଟି କରିଛନ୍ତି, ଯଶବନ୍ତ ସିହ୍ନା ସେଭଳି କରି ପାରି ନାହାନ୍ତି। ସୁତରାଂ, ହେମନ୍ତଙ୍କ ଲାଗି ଦ୍ରୌପଦୀଙ୍କ ସପକ୍ଷରେ ନିଷ୍ପତ୍ତି ନେବାରେ ବିଶେଷ ଅସୁବିଧା ସୃଷ୍ଟି ହୋଇ ନ ପାରେ। ଏବ˚ ଏହା ମଧୢ ପାଶୋରି ଗଲେ ହେବ ନାହିଁ ଯେ ଝାଡ଼ଖଣ୍ତର ପ୍ରଥମ ମହିଳା ରାଜ୍ୟପାଳ ଭାବେ ଦ୍ରୌପଦୀ ମୁର୍ମୁ ତାଙ୍କ ଛଅ ବର୍ଷର ଅବଧି ମଧୢରେ ମୁଖ୍ୟମନ୍ତ୍ରୀ ହେମନ୍ତଙ୍କ ସହିତ ଏକ ସୌହାର୍ଦ୍ଦ୍ୟମୂଳକ ସଂପର୍କ ରଖିପାରିବାରେ ସମର୍ଥ ହୋଇଥିଲେ। ଏଭଳି ସ୍ଥିତିରେ ଦ୍ରୌପଦୀଙ୍କ ଲାଗି ଉପଲବ୍‌ଧ ସା˚ସଦ ଏବ˚ ବିଧାୟକଙ୍କ ସମର୍ଥନ ଯେତିକି ମୂଲ୍ୟ ଠୁଳ କରିପାରିବାର ସମ୍ଭାବନା ରଖିଛି, ତହିଁରେ ତାଙ୍କ ବିଜୟର ଆଶା ବେଶ୍‌ ଉଜ୍ଜ୍ବଳ।

ଏନ୍‌.ଡି.ଏ. ଲାଗି ପ୍ରାର୍ଥିତ୍ବ ଘୋଷଣା କରିବା ସମୟରେ ବିଜେପିର ଅଧୢକ୍ଷ ଜେ.ପି ନାଡ୍‌ଡା ଦ୍ରୌପଦୀଙ୍କ ରାଜନୈତିକ ସଫଳତା ଏବ˚ ସାମର୍ଥ୍ୟ ଉପରେ ବିଶେଷ ଗୁରୁତ୍ବ ଆରୋପ କରିଥିଲେ। ଏହା ମଧୢ ଏକ ବାସ୍ତବତା ଯେ ଆଜିକୁ ଛଅ ଦଶନ୍ଧି ତଳେ ମୟୁରଭଞ୍ଜର ଏକ ଅତ୍ୟନ୍ତ ଅଖ୍ୟାତ ଆଦିବାସୀ ବହୁଳ ଅଞ୍ଚଳରୁ ଜଣେ ଝିଅ ଉଚ୍ଚ ଶିକ୍ଷାର ସ୍ବପ୍ନ ଦେଖିବା ସହିତ ତାକୁ ସାକାର କରିବା ଓ ତା’ ପରେ ଜନ ଜୀବନରେ ଆପଣା ସ˚ପୃକ୍ତିର ପଦ ଚିହ୍ନ ଛାଡ଼ି ଯିବା ଲାଗି ରାଜନୀତିରେ ଯୋଗ ଦେବା ସହିତ ତହିଁରେ ଚମକପ୍ରଦ ସଫଳତା ହାସଲ କରିବା ଯେ ଏକ ବିରଳ ଉଦାହରଣ, ତହିଁରେ ସନ୍ଦେହ ନାହିଁ। ରାଜ୍ୟ ରାଜନୀତିରେ ୨୦୦୦ ମସିହାରେ ପ୍ରବେଶ କରିବା ପରେ ଦ୍ରୌପଦୀ ମୁର୍ମୁ ଦୁଇ ଥର ବିଧାୟିକା ହେବା ସହିତ ମନ୍ତ୍ରୀ ଭାବେ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ମଧୢ ସମ୍ଭାଳିଛନ୍ତି। ୨୦୦୭ ମସିହାରେ ସର୍ବଶ୍ରେଷ୍ଠ ବିଧାୟକ ଭାବେ ସେ ନୀଳକଣ୍ଠ ପୁରସ୍କାର ବିଜୟିନୀ ମଧ୍ୟ ହୋଇଛନ୍ତି। ୨୦୧୫ ମସିହା ମେ ମାସରେ ଝାଡ଼ଖଣ୍ତର ରାଜ୍ୟପାଳ ଭାବେ ମଧୢ ସେ ଏକ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ସାମ୍ବିଧାନିକ ଦାୟିତ୍ବକୁ ମଧ୍ୟ ଖୁବ୍‌ ପାରଦର୍ଶିତାର ସହିତ ନିର୍ବାହ କରିଛନ୍ତି। ସୁତରା˚, ତାଙ୍କ ପୃଷ୍ଠଭୂମି ଯେ ତାଙ୍କ ପ୍ରାର୍ଥିତ୍ବକୁ ଅଧିକ ଯୋଗ୍ୟତା ପ୍ରଦାନ କରିଥାଏ, ତାହା କହିବା ଅନାବଶ୍ୟକ।

ଯେଉଁମାନେ ଦ୍ରୌପଦୀ ମୁର୍ମୁଙ୍କ ସ˚ପର୍କରେ ବିଶେଷ ଅବଗତ ନ ଥିଲେ, ସେମାନେ ଏବେ ଜାଣିବାକୁ ପାଇଲେଣି ଯେ କିଭଳି ମାତ୍ର ଛଅ ବର୍ଷର ବ୍ୟବଧାନରେ ସେ ନିଜର ପତି ଓ ଦୁଇ ପୁତ୍ରଙ୍କୁ ଜଣକ ପରେ ଜଣେ ହରାଇବାର ଅକଥନୀୟ ଏବ˚ ଅସହନୀୟ ଦୁର୍ଭାଗ୍ୟ ଦେଇ ଗତି କରିଛନ୍ତି। ସ୍ବାଭାବିକ ଭାବେ ଏଭଳି ଦୁର୍ଘଟଣାମାନ ତାଙ୍କୁ ବିମର୍ଷର ଏକ ନିରନ୍ଧ୍ର କୂପ ମଧୢକୁ ନିକ୍ଷେପ କରିଥିବ। କିନ୍ତୁ ଯାହା ତାଙ୍କୁ ତହିଁରୁ ଉଦ୍ଧାର କରି ଲୋକ-ଜୀବନ ମଧୢକୁ ଫେରାଇ ଆଣିଥିବ, ତାହା ହେଉଛି ନିଜ ଅଞ୍ଚଳର ଜନ ଜୀବନ ସହିତ ସ˚ପୃକ୍ତ ରହି କାର୍ଯ୍ୟ କରିବାର ଅଦମ୍ୟ ଇଚ୍ଛା। ଝାଡ଼ଖଣ୍ତର ରାଜ୍ୟପାଳ ପଦରୁ ଅବ୍ୟାହତି ନେବା ପରେ ଏକ ଟେଲିଭିଜନ ଚ୍ୟାନେଲକୁ ପ୍ରଦତ୍ତ ସାକ୍ଷାତକାରରେ ସେ ଯାହା କହିଥିଲେ, ତାହା ହେଲା ବ୍ୟକ୍ତିଗତ ଜୀବନର ଦୁର୍ବିଷହ ଟ୍ରାଜେଡି ଇତ୍ୟାଦିକୁ ଅତିକ୍ରମ କରି ଲୋକ-ଜୀବନରେ ସେ ତିଷ୍ଠି ରହି ପାରିଥିବା ପଛରେ ଯେଉଁ ଗୋଟିଏ କାରଣ ରହିଛି, ତାହା ହେଲା ନିଜ କୁଟୁମ୍ବ ବାହାରେ ଏକ ବ୍ୟାପକ ଓ ବିଶାଳ କୁଟୁମ୍ବ(ସାଧାରଣ ଜନତା) ସହିତ ସ˚ପର୍କ ରଖି ସେମାନଙ୍କ ସେବାରେ ନିୟୋଜିତ ରହିବା ଲାଗି ଏକ ଅତୁଟ ଆଗ୍ରହ। ଏହା ହିଁ ତାଙ୍କୁ ଉଦାହରଣୀୟ କରିଛି।

ତେଣୁ, ପରିଶେଷରେ ଏତିକି କୁହାଯାଇପାରେ ଯେ ପୂର୍ବ ଭାରତରୁ ହୋଇଥିବା ଅଥବା ମହିଳା ହୋଇଥିବା କିମ୍ବା ଜନଜାତି ସ˚ପ୍ରଦାୟର ହୋଇଥିବା ଭଳି କାରଣମାନ ଦ୍ରୌପଦୀ ମୁର୍ମୁଙ୍କ ଲାଗି ଯେ ସୁବିଧାଦାୟକ ହୋଇଛି ତାହା ବିଚାର କରିବା ଭ୍ରମାତ୍ମକ ହେବ। ବର˚ ଏହି କାରଣମାନ ସତ୍ତ୍ବେ ସେ ଆଜି ଯେଉଁଠାରେ ଉପନୀତ ବା ଯାହା ହେବାକୁ ଯାଉଛନ୍ତି, ତାହା ତାଙ୍କୁ ଉତ୍ତର ଆକାଶର ଏକମାତ୍ର ଧ୍ରୁବତାରାରେ ପରିଣତ କରିଛି। ଏଣିକି ସେ ଦିଗବାରେଣି ରୂପେ ପରିଚିତ ହେବେ।

ସମ୍ବନ୍ଧିତ ଖବର