‘ଭାଷା ଖେଳ’
‘‘ଈଶ୍ବରଙ୍କ ଆଗମନ ଘଟିଛି। ମୁଁ ତାଙ୍କୁ ୫:୧୫ ଟ୍ରେନ୍ରେ ଭେଟିଲି’’। କେବଳ ବିି˚ଶ ଶତାବ୍ଦୀ ନୁହେଁ, ବୋଧହୁଏ ଅର୍ଥଶାସ୍ତ୍ରର ସମଗ୍ର ଇତିହାସରେ ସର୍ବୋଚ୍ଚ ମେଧା ସମ୍ପନ୍ନ ତଥା ବିଚକ୍ଷଣତମ ଅର୍ଥନୀତିଜ୍ଞ ରୂପେ ବିବେଚିତ ଜନ୍ ମେନାର୍ଡ କେନ୍ସ ୧୯୨୯ରେ ତାଙ୍କ ପତ୍ନୀ ପ୍ରସିଦ୍ଧ ବ୍ୟାଲେରିନା ଲିଡିଆ ଲୋପୋକୋଭାଙ୍କୁ ଏକ ପତ୍ର ଲେଖି ଏହା ଜଣାଇଥିଲେ। କେନ୍ସଙ୍କ ଭଳି ଜଣେ ଉତ୍ତୁଙ୍ଗ ଆତ୍ମବଡ଼ିମା ସମ୍ପନ୍ନ ପ୍ରତିଭାଧର ଏଠାରେ ଯାହାଙ୍କୁ ଈଶ୍ବର ରୂପେ ଦେଖିଥିଲେ, ସେ ଥିଲେ ଦୀର୍ଘ ୧୬ ବର୍ଷର ଆତ୍ମନିର୍ବାସନ ପରେ କେମ୍ବ୍ରିଜ ବିଶ୍ବବିଦ୍ୟାଳୟକୁ ବାହୁଡ଼ିଥିବା ଅଷ୍ଟ୍ରୀୟ ମୂଳର ଦାର୍ଶନିକ ସୁଦର୍ଶନ ୪୦ ବର୍ଷୀୟ ଲୁଡ୍ଵିଗ୍ ଵିଟ୍ଗେନ୍ଷ୍ଟାଇନ୍।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ୧୬ ବର୍ଷର ଅନୁପସ୍ଥିତି ସମୟରେ ଏହି ଦେବସୁଲଭ ଦାର୍ଶନିକ ପ୍ରଥମ ବିଶ୍ବ ଯୁଦ୍ଧରେ ଅଷ୍ଟ୍ରିଆ ପକ୍ଷରୁ ଏକ ସୈନିକ ଭାବରେ ପ୍ରତ୍ୟକ୍ଷ ଭାଗ ନେଇ କେବଳ ଯେ ସାହସିକତା ପାଇଁ ମେଡାଲ୍ ଲାଭ କରିଥିଲେ, ତାହା ନୁହେଁ, ସେଇ ରଣଭୂମିରେ ହିଁ ତାଙ୍କ ଜୀବଦ୍ଦଶାରେ ପ୍ରକାଶିତ ତାଙ୍କର ଏକମାତ୍ର ପୁସ୍ତକ, ମାତ୍ର ୮୦ ପୃଷ୍ଠା ସମ୍ବଳିତ ଯୁଗାନ୍ତକାରୀ ‘ଟ୍ରାକ୍ଟାଟସ୍ ଲଜିକୋ ଫିଲସଫିକସ୍’ ରଚନା କରିଥିଲେ। ୧୯୫୧ରେ ଵିଟ୍ଗେନ୍ଷ୍ଟାଇନ୍ଙ୍କ ମୃତ୍ୟୁପରେ ତାଙ୍କର ଛାତ୍ରମାନଙ୍କୁ ସେ ପ୍ରଦାନ କରିଥିବା ବକ୍ତୃତା ସବୁକୁ ଭିତ୍ତି କରି ୧୯୫୩ରେ ତାଙ୍କର ଯେଉଁ ଦ୍ବିତୀୟ ପୁସ୍ତକ ପ୍ରକାଶିତ ହୋଇଥିଲା, ତାହାର ଶୀର୍ଷକ ଥିଲା- ‘ଫିଲସଫିକାଲ୍ ଇନ୍ଭେଷ୍ଟିଗେସନ୍ସ’ (‘ଦାର୍ଶନିକ ଅନୁସନ୍ଧାନ’)। ତାଙ୍କର ଏହି ଦ୍ବିତୀୟ ପୁସ୍ତକରେ ଦାର୍ଶନିକ ସମସ୍ୟାମାନଙ୍କର ଭାଷାଗତ ମୂଳଭିତ୍ତି ସମ୍ପର୍କରେ ଧାରଣା ସ୍ପଷ୍ଟ କରିବା ପାଇଁ ଵିଟ୍ଗେନ୍ଷ୍ଟାଇନ୍ ‘ଲାଙ୍ଗୁଏଜ୍ ଗେମ୍ସ’ ବା ‘ଭାଷା ଖେଳ’ ନାମକ ଏକ ଅଭିବ୍ୟକ୍ତି ବ୍ୟବହାର କରିଥିଲେ। ତାଙ୍କର ସେଇ ‘ଭାଷା ଖେଳ’କୁ ଏଠାରେ ନିମ୍ନମତେ ଉପସ୍ଥାପନ କରାଯାଇପାରେ।
କଳ୍ପନା କରାଯାଉ ଦୁଇ ଜଣ ଭିନ୍ନ ଦେଶାଗତ ଓ ଭିନ୍ନ ଭାଷାଭାଷୀ ପ୍ରବାସୀ ଶ୍ରମିକ ଇଟା ଯୋଡ଼େଇ କରି ଏକ କାନ୍ଥ ନିର୍ମାଣ କରୁଛନ୍ତି। ମନେକର ଜଣେ ହେଉଛି ହିନ୍ଦୀ ଭାଷୀ ଭାରତୀୟ, କେଶବ ଓ ଅନ୍ୟ ଜଣକ ହେଉଛି ମାଣ୍ତାରିନ୍ ଭାଷୀ ଚୀନା, ହୁଆଙ୍ଗ୍। ମନେକର କେଶବ କାନ୍ଥ ଉଠାଇବା ପାଇଁ ଇଟା ଯୋଡ଼େଇ କରୁଛି ଏବ˚ ହୁଆଙ୍ଗ୍ ଏଥିପାଇଁ ତାକୁ ଇଟା, ମସଲା ଆଦି ଯୋଗାଇ ଦେଉଛି। ବେଳେ ବେଳେ ହୁଏତ ବିରକ୍ତି ଭଙ୍ଗ ପାଇଁ ସେମାନେ ନିଜ ନିଜର ଭୂମିକା ଅଦଳବଦଳ କରୁଛନ୍ତି। ମନେକର ସେମାନେ ବ୍ୟବହାର କରୁଥିବା ତିନିଟି ମାତ୍ର ପଦାର୍ଥ ହେଉଛି- ଇଟା, ମସଲା ଓ କରଣି। କାନ୍ଥଟି ତିଆରି କରିବା ପାଇଁ କେଶବ ଓ ହୁଆଙ୍ଗ୍ ମଧୢରେ କଥୋପକଥନର ଆବଶ୍ୟକତା ମାତ୍ର ତିନିଟି ସରଳ ଆଦେଶ ମଧୢରେ ସୀମିତ ହୋଇଥାଏ। ଏହି ତିନିଟି ଆଦେଶ ହେଲା: ‘ମତେ ଇଟା ଦିଅ’; ‘ମତେ ମସଲା ଦିଅ’; ‘ମତେ କରଣି ବଢ଼ାଇ ଦିଅ’। ଯଦିବା କେଶବ ଓ ହୁଆଙ୍ଗ୍ ପରସ୍ପରର ଭାଷା ବୁଝି ପାରନ୍ତି ନାହିଁ, ସେମାନେ ମନଇଚ୍ଛା ଯେକୌଣସି ତିନିଟି ଧ୍ବନି ବାଛିବାରେ ସହମତ ହୋଇପାରନ୍ତି, ଯାହା ଉପରୋକ୍ତ ତିନିଟି ଆଦେଶର ପ୍ରତିନିଧି ରୂପେ କାର୍ଯ୍ୟ କରିଥାନ୍ତି। ଏହି ଧ୍ବନି ତିନିଟି ମନେ କରାଯାଉ ହେଉଛନ୍ତି ଏଇଭଳି: ‘ଗାଃ’- ମତେ ମସଲା ଦିଅ; ‘ବାଃ’- ମତେ ଇଟା ଦିଅ; ‘ମାଃ’- ମତେ କରଣିଟି ଦିଅ।
କେଶବ ଓ ହୁଆଙ୍ଗ୍ ଉଦ୍ଭାବନ କରିଥିବା ଏହି ଭାଷା ଖେଳ ହୁଏତ ଦୁହେଁ ମିଶି ଏକ କାନ୍ଥ ତିଆରି କରିବାରେ ସଫଳ ହେବା ପାଇଁ ଯଥେଷ୍ଟ, କିନ୍ତୁ ଏହି ସରଳ ଆବଶ୍ୟକତାକୁ ଅତିକ୍ରମ କରି ଏହା ମାଧୢମରେ ଉଭୟଙ୍କ ମଧୢରେ କୌଣସି ଅଧିକ ଜଟିଳ ଭାବର ଆଦାନ-ପ୍ରଦାନ ଯେ ଏହି ମୌଳିକ ବ୍ୟବସ୍ଥା ଦ୍ବାରା ସମ୍ଭବ ହେବ ନାହିଁ, ଏଥିରେ କୌଣସି ସନ୍ଦେହ ନାହିଁ। ଉଦାହରଣ ସ୍ବରୂପ, କେଶବ ଯଦି ହୁଆଙ୍ଗ୍କୁ ଜଣାଇବାକୁ ଚାହେଁ ଯେ ମସଲା ବେଶୀ ପାଣିଆ ହୋଇଯାଉଛି, କିମ୍ବା ମସଲା ପ୍ରସ୍ତୁତ କରିବାରେ ବ୍ୟବହୃତ ବାଲିରୁ ଆହୁରି ଭଲ ଭାବରେ ଗୋଡ଼ି ବାଛି ଅଲଗା କରାଯିବା ଦରକାର- ତେବେ ‘ଗାଃ’, ‘ବାଃ’,‘ମାଃ’ ମାଧୢମରେ ତାହା ପ୍ରକାଶ କରିବା ସମ୍ଭବ ହେବ ନାହିଁ। ସେଇଭଳି କେଶବ ଯଦି କହିବାକୁ ଚାହେଁ ଯେ ହୁଆଙ୍ଗ୍ର ମସଲା ଗୋଳାଇବା ବେଶ୍ ସଫା ସୁତୁରା କିମ୍ବା ହୁଆଙ୍ଗ ଯଦି କେଶବର ଇଟା ଯୋଡ଼େଇ ଅତ୍ୟନ୍ତ ନିଖୁଣ ବୋଲି ପ୍ରଶ˚ସା କରିବାକୁ ଚାହେଁ, ତେବେ ସେମାନଙ୍କ ସୀମିତ ସାଧାରଣ ଭାଷା ମାଧୢମରେ ତାହା ମଧୢ ସମ୍ଭବ ହେବ ନାହିଁ। ମନୁଷ୍ୟ ମଧୢ ହେଉଛି ଏକ ଆବେଗ ବହନକାରୀ ପ୍ରାଣୀ; ଉଭୟ ହୁଆଙ୍ଗ୍ ଓ କେଶବ ଆନନ୍ଦ, ବିଷାଦ, ଆଶା, ହତାଶା ଆଦିର ଅନ୍ତଃସ୍ରୋତ ଦ୍ବାରା ପ୍ରଭାବିତ ହୋଇଥାନ୍ତି, ଯାହାକୁ ଜଣେ ଅନ୍ୟ ଜଣକ ନିକଟରେ ପ୍ରକାଶ କରିବାକୁ ଚାହିଁବା ହେଉଛି ସ୍ବାଭାବିକ ମାନବୀୟ ପ୍ରବୃତ୍ତି। ଆମ ଉଦାହରଣରେ କିନ୍ତୁ ହୁଆଙ୍ଗ୍ ଓ କେଶବ ମଧୢରେ ଏପରି ମାନବୀୟ ଭାବର ଆଦାନ ପ୍ରଦାନ ସମ୍ଭବ ନୁହେଁ।
ଭାଷାର ଏହି ସୀମାବଦ୍ଧତା ଯୋଗୁଁ ଯେଉଁ ଦାର୍ଶନିକ ସମସ୍ୟା ସୃଷ୍ଟି ହୋଇଥାଏ ବୋଲି ଵିଟ୍ଗେନ୍ଷ୍ଟାଇନ୍ ପ୍ରମାଣ କରିବାକୁ ଚେଷ୍ଟା କରିଥିଲେ, ଏଠାରେ ତାହା ଆମ ପାଇଁ ଗୁରୁତ୍ବ ବହନ କରି ନ ଥାଏ; ଆମ ପାଇଁ ଯାହା ଗୁରୁତ୍ବ ବହନ କରିଥାଏ, ତାହା ହେଲା ଵିଟ୍ଗେନ୍ଷ୍ଟାଇନ୍ଙ୍କର ଏହି ଭାଷା ଖେଳର ଅବିଶ୍ବସନୀୟ ଭାବରେ ଆମର ଜାତୀୟ ନିରାପତ୍ତା ସହିତ ରହିଥିବା ସମ୍ପର୍କ। ପ୍ରଥମ ବିଶ୍ବ ଯୁଦ୍ଧରେ ଅ˚ଶଗ୍ରହଣ ସମୟରେ ଶତ୍ରୁ ପକ୍ଷ ସହିତ ସମ୍ମୁଖ ସମରରେ ବ୍ୟାପୃତ ହେବା ଵିଟ୍ଗେନ୍ଷ୍ଟାଇନ୍ଙ୍କର ‘ଭାଷା ଖେଳ’ ଆବିଷ୍କାରକୁ କେତେ ଦୂର ପ୍ରଭାବିତ କରିଥିଲା, ଵିଟ୍ଗେନ୍ଷ୍ଟାଇନ୍ ସେ ସମ୍ବନ୍ଧରେ କୌଣସି ସୂଚନା ଦେଇନାହାନ୍ତି; କିନ୍ତୁ ଭାରତର ଉତ୍ତର ସୀମାନ୍ତରେ ଚୀନା ସୈନ୍ୟ ଓ ଭାରତୀୟ ସୈନ୍ୟମାନଙ୍କ ମଧୢରେ ବାରମ୍ବାର ଘଟି ଆସୁଥିବା ଖଣ୍ତଯୁଦ୍ଧମାନରେ ଯେ ଵିଟ୍ଗେନ୍ଷ୍ଟାଇନ୍ଙ୍କର ଉପର ବର୍ଣ୍ଣିତ ଭାଷା ଖେଳର ଏକ ଭୂମିକା ଥାଇପାରେ, ଭାରତ ସରକାର ନେଇଥିବା ଏକ ଭାଷା ତାଲିମ ପଦକ୍ଷେପ ସମ୍ପର୍କରେ ସଦ୍ୟ ପ୍ରକାଶିତ ଏକ ସୂଚନା ତାହା ପ୍ରମାଣିତ କରିଥିବା ଭଳି ମନେହୁଏ।
ଭାରତ-ଚୀନ୍ ମଧୢରେ ରହିଥିବା ସୁଦୀର୍ଘ ପ୍ରାୟ ୩,୫୦୦ କି.ମି ମୁଖ୍ୟତଃ ଅନିର୍ଦ୍ଦିଷ୍ଟ ସୀମାରେଖାରେ ପଇଁତରା ମାରି ଚୀନା ଅନୁପ୍ରବେଶ ପ୍ରତିହତ କରିବା ଦାୟିତ୍ବ ବହନ କରିଥାଏ ‘ଇଣ୍ତୋଟିବ୍ବେଟାନ୍ ବର୍ଡର୍ ପୁଲିସ’ ବାହିନୀ ବା ‘ଆଇଟିବିପି’। ସରକାରୀ ସୂଚନା ଅନୁସାରେ ନିକଟ ଅତୀତରେ ଏଠାରେ ଘଟିଥିବା ଚୀନା ଅନୁପ୍ରବେଶ ଘଟଣା ସ˚ଖ୍ୟା ହେଉଛି ଏଇଭଳି: ୨୦୧୫-୪୨୮, ୨୦୧୬-୨୯୬, ୨୦୧୭-୪୭୩, ୨୦୧୮-୪୦୪, ୨୦୧୯-୬୬୩। ଏ ସମସ୍ତ ମଧୢରେ ସର୍ବାଧିକ ଗୁରୁତର ଘଟଣା ହେଉଛି ୨୦୧୭ରେ ଡୋକ୍ଲାମ୍ଠାରେ ଘଟିଥିବା ୭୩ ଦିନର ମୁହାଁମୁହିଁ ଅବସ୍ଥା ଓ ୨୦୨୦ରେ ଗଲ୍ଵାନ୍ଠାରେ ଘଟିଥିବା ସ˚ଘର୍ଷ, ଯେଉଁଥିରେ ୨୦ ଜଣ ଭାରତୀୟ ଯଵାନ୍ ଓ ଅଜଣା ସ˚ଖ୍ୟକ ଚୀନ୍ ସୈନ୍ୟଙ୍କର ମୃତ୍ୟୁ ଘଟିଥିଲା।
ଉଭୟ ପକ୍ଷରେ ଭୁଲ୍ ବୁଝାମଣା ଯୋଗୁଁ ଯେପରି ଏଭଳି ଘଟଣା ନ ଘଟେ, ତାହା ନିଶ୍ଚିତ କରିବା ପାଇଁ ଉଭୟ ପକ୍ଷର କମାଣ୍ତର୍ମାନଙ୍କ ମଧୢରେ ‘ହଟ୍ଲାଇନ୍’ ବ୍ୟବସ୍ଥା ଓ ସାମୟିକ କଥାବାର୍ତ୍ତା ଜାରି ରହିଥିବା ସତ୍ତ୍ବେ ଏଭଳି ଘଟଣାମାନ ଘଟୁଥିବାରୁ ବର୍ତ୍ତମାନ ବିଶ୍ବାସ କରାଯାଉଛି ଯେ ଯଦି ସୀମାନ୍ତରେ ପଇଁତରା ମାରୁଥିବା ‘ଆଇଟିବିପି’ ଯଵାନ୍ ଓ ଚୀନା ସୈନ୍ୟମାନଙ୍କ ମଧୢରେ ତତ୍କ୍ଷଣାତ୍ ସ୍ପଷ୍ଟ କଥାବାର୍ତ୍ତା ସମ୍ଭବ ହୋଇପାରନ୍ତା, ତା’ହେଲେ ଅନେକ ସ˚ଘର୍ଷ ମୂଳରେ ଥିବା ଭୁଲ୍ ବୁଝାମଣା ମୂଳରୁ ଦୂର ହୋଇଯାଆନ୍ତା। ଏକ ସାଧାରଣ ଭାଷାର ଅଭାବରୁ କାନ୍ଥ ନିର୍ମାଣରେ ବ୍ୟାପୃତ କେଶବ ଓ ହୁଆଙ୍ଗ୍ଙ୍କ ମଧୢରେ ଭାବର ଆଦାନ ପ୍ରଦାନ ନ ହୋଇ ପାରିଲେ, ତା’ର ପରିଣାମ ହି˚ସ୍ର ନ ହୋଇପାରେ: କିନ୍ତୁ ସୀମା ଏପଟେ ସେପଟେ ଥିବା କେଶବ ଓ ହୁଆଙ୍ଗଙ୍କ ମଧୢରେ ଭାଷାର ଅବୋଧ ପ୍ରତିବନ୍ଧ କିପରି ଭୟାବହ ପରିଣତି ସୃଷ୍ଟି କରିପାରେ, ତାହା ଆମେ ଦେଖିବାରେ ଲାଗିଛନ୍ତି।
ଏଇଭଳି ଚିନ୍ତାଧାରା ଅନୁସରଣ କରି ‘ଆଇଟିବିପି’ ବର୍ତ୍ତମାନ ତା’ର ପଇଁତରା ଦାୟିତ୍ବ ନିର୍ବାହ କରୁଥିବା ଯଵାନ୍ମାନଙ୍କୁ ଚୀନା ଭାଷା ମାଣ୍ତାରିନ୍ ଶିଖାଇବା କାର୍ଯ୍ୟକ୍ରମ ହାତକୁ ନେଉଛି, ଯାହା ଅନୁସାରେ ପ୍ରାୟ ୬,୦୦୦ରୁ ଅଧିକ ଯଵାନ୍ ଏହି ଭାଷା ଶିକ୍ଷା କରି ସାରିଲେଣି। (ମୋଟ ‘ଆଇଟିବିପି’ ବାହିନୀର ପ୍ରାୟ ୭ ଶତା˚ଶ)। କ୍ରମେ ଅଧିକ ସ˚ଖ୍ୟକ ଯଵାନ୍ ମାଣ୍ତାରିନ୍ରେ ତାଲିମ ନେବା ଯୋଜନା ରହିଛି। ଉଭୟ ପକ୍ଷର ସୈନ୍ୟମାନଙ୍କ ମଧୢରେ, ‘ଗାଃ’, ‘ବାଃ’, ‘ମାଃ’ର ପ୍ରତିବନ୍ଧ ଦୂର ହେବା ପରେ ସୀମାରେ ସ˚ଘର୍ଷ କେତେ ହ୍ରାସ ପାଇବ, ତାହା ଭବିଷ୍ୟତ କହିବ; କିନ୍ତୁ ‘ଆଇଟିବିପି’ର ଏହି ପଦକ୍ଷେପ ସାବ୍ୟସ୍ତ କରିଥାଏ ଯେ ଵିଟ୍ଗେନ୍ଷ୍ଟାଇନଙ୍କର ‘ଭାଷା ଖେଳ’ କେବଳ ଏକ ଦାର୍ଶନିକ ସୁଲଭ କଳ୍ପନା ବିଳାସ ନୁହେଁ, ସୀମା ସୁରକ୍ଷା ଭଳି ଏକ କଠୋର ବାସ୍ତବତାପୂର୍ଣ୍ଣ କ୍ଷେତ୍ରରେ ମଧୢ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିପାରେ।