ଆୟୁଷ ଦୌଡ଼

‘‘ମାନବ ଜୀବନ ନୁହଁଇ କେବଳ ବର୍ଷ ମାସ ଦିନ ଦଣ୍ତ/ କର୍ମେ ଜିଏଁ ନର, କର୍ମ ଏକା ତା’ର ଜୀବନର ମାନଦଣ୍ତ।’’ କବି ଦୃଷ୍ଟିରେ କେବଳ ଜୀବନର ଦୈର୍ଘ୍ୟ କିପରି ମୂଲ୍ୟହୀନ ହୋଇଥାଏ, ଉତ୍କଳମଣିଙ୍କର ଏହି ସୁପରିଚିତ ପଦଟି ହେଉଛି ତାହାର ଏକ ଶକ୍ତିଶାଳୀ ଉପସ୍ଥାପନା। ଜୀବନର ମୂଲ୍ୟ ପ୍ରତି ତାଙ୍କର ଏହି ଆଭିମୁଖ୍ୟ ଯାହାର ସମ୍ପୂର୍ଣ୍ଣ ବିପରୀତ ହୋଇଥାଏ, ତାହା ହେଉଛି ଆମର ଏକ ଚିରାଚରିତ ପାରମ୍ପରିକ ଆଶୀର୍ବାଦ ବହନ କରିଆସିଥିବା ଭାବନା: ‘ଦୀର୍ଘାୟୁ ଭବଃ’।

ଏଭଳି ଦୃଷ୍ଟିଭଙ୍ଗୀର ଅଧିକାରୀ ହେବାରେ ଅବଶ୍ୟ ଗୋପବନ୍ଧୁ ଏକମାତ୍ର କବି ନୁହଁନ୍ତି। ଏଇଭଳି ଅନ୍ୟ ଅନେକ ଉଦାହରଣମାନଙ୍କ ମଧୢରୁ ଉତ୍କଳମଣିଙ୍କ କବିତାର ନିକଟତମ ରୂପେ ଯାହାକୁ ଏଠାରେ ଉଦ୍ଧାର କରାଯାଇପାରେ, ତାହା ବୋଧହୁଏ ହେଉଛି ଷୋଡ଼ଶ ଶତାବ୍ଦୀର ଇ˚ରେଜ କବି ବେନ୍‌ ଜନ୍‌ସନ୍‌ଙ୍କର ଏକ ପ୍ରସିଦ୍ଧ କବିତାର ଏଇ କେତୋଟି ଧାଡ଼ି: ‘‘ଇଟ୍‌ ଇଜ୍‌ ନଟ୍‌ ଗ୍ରୋଇଙ୍ଗ୍‌ ଲାଇକ୍‌ ଏ ଟ୍ରି ଇନ୍‌ ବଲ୍‌କ, ଡଥ୍‌ ମେକ୍‌ ମ୍ୟାନ୍‌ ବେଟର‌୍‌ ବି/ ଅର‌୍‌ ଷ୍ଟାଣ୍ତିଙ୍ଗ୍‌ ଲାଇକ୍‌ ଆନ୍‌ ଓକ୍‌, ଥ୍ରି ହଣ୍ତ୍ରେଡ୍‌ ୟିଅର‌୍‌/ ଟୁ ଫଲ୍‌ ଏ ଲଗ୍‌ ଆଟ୍‌ ଲାଷ୍ଟ, ଡ୍ରାଏ, ବାଲ୍‌ଡ୍‌, ଆଣ୍ତ ସିଅର‌୍‌/ଏ ଲିଲି ଅଫ୍‌ ଏ ଡେ, ଇଜ୍‌ ଫେଆରର‌୍‌ ଫାର‌୍‌ ଇନ୍‌ ମେ/ଅଲ୍‌ଦୋ ଇଟ୍‌ ଫଲ୍‌ ଆଣ୍ତ ଡାଏ ଦ୍ୟାଟ୍‌ ନାଇଟ୍‌, ଇଟ୍‌ ଵାଜ୍‌ ଦି ପ୍ଲାଣ୍ଟ ଆଣ୍ତ ଫ୍ଲାଵାର ଅଫ୍‌ ଲାଇଟ୍‌।’’ ବିଶାଳ ଗଣ୍ତି ଧରି ତିନିଶହ ବର୍ଷ କାଳ ଛିଡ଼ା ହେବା ପରେ ଶେଷରେ ଏକ ପତ୍ରହୀନ ଶୁଖିଲା କାଠଗଡ଼ରେ ପରିଣତ ହେଉଥିବା ଏକ ଓକ୍‌ ଗଛ ଅପେକ୍ଷା ଦିବାଲୋକର ଦୂତ ଭଳି ମାତ୍ର ଗୋଟିଏ ଦିନର ଆୟୁଷ ଧରି ପ୍ରସ୍ଫୁଟିତ ହୋଇ ମନ ମୋହୁଥିବା ଲିଲି ଫୁଲର ଜୀବନ ହେଉଛି ବହୁ ଅଧିକ ଅର୍ଥପୂର୍ଣ୍ଣ।

ସାଧାରଣ ମନୁଷ୍ୟମାନଙ୍କଠାରେ କିନ୍ତୁ ଏଭଳି କବି ସୁଲଭ ଅନ୍ତର୍ଦୃଷ୍ଟି ଥିବା ଆଶା କରାଯାଇନଥାଏ। ସେମାନେ ତେଣୁ ଜୀବନର ସର୍ବାଧିକ ସମ୍ଭବ ସମ୍ପ୍ରସାରଣକୁ ମନୁଷ୍ୟର ସର୍ବଶ୍ରେଷ୍ଠ ଉପଲବ୍‌ଧି ରୂପେ ବିଚାର କରିଥାନ୍ତି। ତେଣୁ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ଯେ ସଦ୍ୟ ପ୍ରକାଶିତ ‘ସାମ୍ପଲ୍‌ ରେଜିଷ୍ଟ୍ରେସନ୍‌ ସର୍ଭେ’ରୁ ଉପଲବ୍‌ଧ ଭାରତୀୟମାନଙ୍କର ହାରାହାରି ଆୟୁଷ ସମ୍ବନ୍ଧରେ ଏକ ସୂଚନା ଆମମାନଙ୍କ ମଧୢରେ ଏକ ସନ୍ତୋଷ ଓ ଉଲ୍ଲାସ ଭାବ ସୃଷ୍ଟି କରିଛି। ଏହି ସୂଚନା ଅନୁସାରେ ୨୦୧୫ରୁ ୨୦୧୯ ମଧୢରେ ଭାରତୀୟମାନଙ୍କର ଜନ୍ମକାଳୀନ ହାରାହାରି ଆୟୁଷ ୬୮.୬ ବର୍ଷରୁ ବୃଦ୍ଧି ପାଇ ହୋଇଛି ୬୯.୭ ବର୍ଷ; ଚାରି ବର୍ଷ ମଧୢରେ ଆମର ବଞ୍ଚି ରହିବାର ଆଶାରେ ବୃଦ୍ଧି ଘଟିଛି ଏକ ବର୍ଷରୁ ଅଧିକ।

ସେତିକି ନୁହେଁ, ଏହା ଆହୁରି ଚମକପ୍ରଦ ମନେହୁଏ ଯେତେବେଳେ ଆମେ ଏହାକୁ ଦେଶ ସ୍ବାଧୀନତା ଲାଭ କରିବା ସମୟର ଚିତ୍ର ସହିତ ତୁଳନା କରୁ। ସେତେବେଳେ ହାରାହାରି ଆୟୁଷ ଥିଲା ପ୍ରାୟ ୩୨ ବର୍ଷ ମାତ୍ର। ଅର୍ଥାତ୍‌ ଇ˚ରେଜ୍‌ମାନେ ଆମ ଦେଶ ଛାଡ଼ି ଚାଲିଯିବା ସମୟରେ ଜନ୍ମିତ ଶିଶୁମାନଙ୍କର ହାରାହାରି ବଞ୍ଚି ରହିବାର ଆଶା ଥିଲା ମାତ୍ର ୩୨ ବର୍ଷ। ସ୍ବାଧୀନତା ପ୍ରାପ୍ତିର ୭୫ ବର୍ଷ ପୂର୍ଣ୍ଣ ହୋଇ ଅମୃତ ମହୋତ୍ସବ ପାଳନ ଅବସରରେ ଏବେ ଭାରତରେ ଯେଉଁ ଶିଶୁ ଭୂମିଷ୍ଠ ହେବ, ସେ ତା’ର ଏହି ପୂର୍ବପୁରୁଷଙ୍କଠାରୁ ଦୁଇ ଗୁଣରୁ ଅଧିକ ଲମ୍ବା ଜୀବନ ଲାଭ କରିବାକୁ ଯାଉଛି। ଭାରତୀୟମାନେ ନିଜ ଦେଶର ଶାସନ ଭାର ନିଜ ହାତକୁ ନେବା ପରେ ନିଜର ଆୟୁଷରେ ଘଟାଇ ପାରିଥିବା ଏହି ବୃଦ୍ଧିକୁ ନିଶ୍ଚିତ ରୂପେ ସେମାନଙ୍କର ଆତ୍ମ ନିୟନ୍ତ୍ରଣ କ୍ଷମତାର ଏକ ଅକାଟ୍ୟ ପ୍ରମାଣ ରୂପେ ଗ୍ରହଣ କରାଯାଇପାରିବ।

କିନ୍ତୁ ଏହି ପ୍ରାରମ୍ଭିକ ସନ୍ତୋଷକୁ ଅତିକ୍ରମ କରି ଆମେ ଯଦି ଆମର ଏହି ସଫଳତାକୁ ଏକ ତୁଳନାତ୍ମକ ଦୃଷ୍ଟିରେ ଦେଖିବା ଏବ˚ ଏହାର ଅନ୍ତର୍ନିହିତ ତଥ୍ୟକୁ ଆଉ ଟିକିଏ ତଳେଇ କରି ଅନୁଶୀଳନ କରିବା, ତା’ହେଲେ ଆମର ସନ୍ତୋଷ ମଳିନ ପଡ଼ିବା ସହିତ ଆମର ଗର୍ବବୋଧରେ ଭଟ୍ଟା ପଡ଼ିପାରେ। ଆମର ହାରାହାରି ଆୟୁ କାଳରେ ପ୍ରାୟ ଗୋଟିଏ ବର୍ଷ ବୃଦ୍ଧି ଘଟାଇବାକୁ ଆମକୁ ଚାରି ବର୍ଷ ଲାଗିଛି ଓ ଦୁଇଟି ବର୍ଷ ବୃଦ୍ଧି ଘଟାଇବାକୁ ଲାଗିଛି ବିଗତ ପ୍ରାୟ ୧୦ ବର୍ଷ। କିନ୍ତୁ ଆୟୁଷରେ ଏହି ବୃଦ୍ଧି ହାସଲ କରିବା ପରେ ଆମେ ଯଦି ଆମର ଏହି ଉପଲବ୍‌ଧିକୁ ଅନ୍ୟମାନେ ଏ ବାବଦରେ ହାସଲ କରିଥିବା ସଫଳତା ସହିତ ତୁଳନା କରି ବସୁ, ତେବେ ଯାହା ପ୍ରଥମେ ଆମ ଦୃଷ୍ଟିରେ ପଡ଼େ, ତାହା ହେଲା ସାରା ପୃଥିବୀବାସୀଙ୍କ ପାଇଁ ହାରାହାରି ଆୟୁଷ ହେଉଛି ବର୍ତ୍ତମାନ ୭୨.୬ ବର୍ଷ- ଅର୍ଥାତ୍‌ ଭାରତବାସୀମାନଙ୍କ ଠାରୁ ପ୍ରାୟ ତିନିବର୍ଷ ଅଧିକ, ଯେଉଁଠି ପହଞ୍ଚିବା ପାଇଁ ଆମର ପୂର୍ବ ରେକର୍ଡ ଅନୁସାରେ ଆମକୁ ଆଉ ପ୍ରାୟ ଦେଢ଼ ଦଶନ୍ଧିରୁ ଅଧିକ ସମୟ ଲାଗିପାରେ; କିନ୍ତୁ ସେତେବେଳକୁ ହୁଏତ ବିଶ୍ବବାସୀଙ୍କ ହାରାହାରି ଆୟୁଷ ଆହୁରି ଉପରକୁ ଉଠିଯାଇଥାଇପାରେ।

ମନୁଷ୍ୟର ସାଧାରଣ ପ୍ରବୃତ୍ତି ଅନୁସାରେ ତୁମର ସଫଳତାର ଏକ ମାପକାଠି ହେଉଛି ତୁମର ପଡ଼ୋଶୀମାନଙ୍କ ଠାରେ ଏହା ସୃଷ୍ଟି କରୁଥିବା ଈର୍ଷା (ଅତୀତରେ ଏକ ଟେଲିଭିଜନ ସେଟ୍‌ର ପ୍ରସିଦ୍ଧ ବିଜ୍ଞାପନ ଭଳି: ‘‘ଓନର‌୍‌’ସ ପ୍ରାଇଡ୍‌, ନେବର‌୍‌’ସ ଏନ୍‌ଭି’’ ‘‘ମାଲିକର ଗର୍ବ, ପଡ଼ୋଶୀର ଈର୍ଷା’’।) ଦେଖାଯାଉ ଆମର ଯେଉଁ ଆୟୁଷରେ ବୃଦ୍ଧିକୁ ନେଇ ଆମେ ଗର୍ବ କରୁଛୁ, ତାହା ଆମ ପଡ଼ୋଶୀମାନଙ୍କ ଠାରେ କିଭଳି ଈର୍ଷାଭାବ ସୃଷ୍ଟି କରୁଥିବ। ପ୍ରାକୃତିକ ବିପର୍ଯ୍ୟୟ, ସଘନ ଜନସ˚ଖ୍ୟା ଓ ଚରମ ଦାରିଦ୍ର୍ୟ ଯୋଗୁଁ ବହୁଦିନ ଧରି ଆନ୍ତର୍ଜାତିକ ସହାୟତା ଉପରେ ନିର୍ଭରଶୀଳ ଥାଇ ଏକଦା ଏକ ‘ଭିକ୍ଷାଥାଳ ଦେଶ’ ରୂପେ ପରିଚିତ ହୋଇଥିବା ବା˚ଲାଦେଶ ହାସଲ କରି ପାରିଥିବା ଜନ୍ମକାଳୀନ ହାରାହାରି ଆୟୁଷ ହେଉଛି ବିଶ୍ବ ମାନକର ନିକଟବର୍ତ୍ତୀ ୭୨.୧ ବର୍ଷ। ସେହିପରି ହିମାଳୟର ପାଦଦେଶରେ ଅବସ୍ଥିତ ଦାରିଦ୍ର୍ୟ ପ୍ରପୀଡ଼ିତ ଭୂ-ଆବଦ୍ଧ କ୍ଷୁଦ୍ର ଦେଶ ନେପାଳରେ ବର୍ତ୍ତମାନ ହାରାହାରି ଆୟୁଷ ହେଉଛି ୭୦.୫ ବର୍ଷ। ଆଉ ହିମାଳୟ ଆରପଟରେ ଥିବା ଆମର ବିଶାଳ ପଡ଼ୋଶୀ ତଥା ଶତ୍ରୁ ଦେଶ ଚୀନ୍‌ରେ ହାରାହାରି ଆୟୁଷ ବିଶ୍ବ ପରିସ˚ଖ୍ୟାନକୁ ଅତିକ୍ରମ କରି ହୋଇଛି ୭୬.୯ ବର୍ଷ।

ଦେଶ ବାହାରୁ ଦୃଷ୍ଟି ହଟାଇ ଆମେ ଯଦି ଦେଶ ଭିତରର ଚିତ୍ର ଉପରେ ଦୃଷ୍ଟି ନିକ୍ଷେପ କରୁ, ତେବେ ଆମେ ରାଜ୍ୟ-ରାଜ୍ୟ ମଧୢରେ, ସହରାଞ୍ଚଳ-ଗ୍ରାମାଞ୍ଚଳ ମଧୢରେ ଚିତ୍ରରେ ବ୍ୟାପକ ତାରତମ୍ୟ ଦେଖିବାକୁ ପାଇଥାଉ। ଏକ ଉଦାହରଣ ସ୍ବରୂପ ହିମାଚଳ ପ୍ରଦେଶର ସହରାଞ୍ଚଳର ମହିଳାମାନେ ଉପଭୋଗ କରୁଥିବା ୮୨.୩ ବର୍ଷ ଆୟୁଷ ଦେଶରେ ସର୍ବୋଚ୍ଚ ହୋଇଥିବା ବେଳେ, ଛତିଶଗଡ଼ର ଗ୍ରାମାଞ୍ଚଳର ପୁରୁଷମାନଙ୍କର ୬୨.୮ ବର୍ଷର ହାରାହାରି ଆୟୁଷ ହେଉଛି ଦେଶରେ ସର୍ବନିମ୍ନ।

ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ଯେଉଁ ରାଜ୍ୟରେ ଶିଶୁ ମୃତ୍ୟୁହାର ନୀଚା, ସେଠାରେ ଜନସ˚ଖ୍ୟାର ହାରାହାରି ଆୟୁଷ ଉଚ୍ଚା ହୋଇଛି। ଏହାର ଅର୍ଥ ଶିଶୁଟିଏ ଜନ୍ମ ପରେ ପ୍ରଥମ ଦୁଇ ବର୍ଷ ଯଦି ନିରାପଦରେ ପାର କରିଦିଏ, ତାହେଲେ ପରବର୍ତ୍ତୀ ସମୟରେ ତା’ର ଆୟୁଷ ଦୀର୍ଘ ହେବାର ଅଧିକ ସମ୍ଭାବନା ଥାଏ। ଏଥରୁ ଯାହା ସାବ୍ୟସ୍ତ ହୋଇଥାଏ, ତାହା ହେଲା, ବୟସ୍କ ଲୋକମାନଙ୍କ ପାଇଁ ଉପଲବ୍‌ଧ ସ୍ବାସ୍ଥ୍ୟ ସେବା ଅପେକ୍ଷା ଶୈଶବାବସ୍ଥାରେ ପ୍ରଦତ୍ତ ସ୍ବାସ୍ଥ୍ୟ ଯତ୍ନ ବ୍ୟକ୍ତିର ଆୟୁଷ ନିର୍ଦ୍ଧାରଣ କରିବାରେ ଅଧିକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥାଏ। ଏଣୁ ଶିଶୁଟିଏ ଯଦି ଏହି ସମୟରେ ଉପଯୁକ୍ତ ପୁଷ୍ଟି, ନିରାପଦ ପାନୀୟ ଜଳ, ଠିକ୍‌ ସମୟରେ ଟିକାକରଣ, ଚିକିତ୍ସା ଆଦି ଲାଭ କରିପାରେ, ତାହେଲେ ତା’ର ଦୀର୍ଘଜୀବୀ ହେବାର ସମ୍ଭାବନା ଅଧିକ ହୋଇଥାଏ। ଏଥିସହିତ ମଧୢ ଅଙ୍ଗାଙ୍ଗୀ ଭାବରେ ଯୋଡ଼ି ହୋଇ ରହିଥାଏ- ମାତୃ ମଙ୍ଗଳ। ଉଭୟ ଗର୍ଭାବସ୍ଥାରେ ଓ ସନ୍ତାନ ପ୍ରସବ ପରିବର୍ତ୍ତୀ ସମୟରେ ମା’ର ଉତ୍ତମ ସ୍ବାସ୍ଥ୍ୟ ସୁସ୍ଥ ସନ୍ତାନ ସୃଷ୍ଟିରେ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ଭାରତ ଯଦି ଏକ ଦୀର୍ଘାୟୁମାନଙ୍କର ଦେଶ ହେବାକୁ ଚାହେଁ, ଆମକୁ ଏହି ମୂଳଦୁଆକୁ ସୁଦୃଢ଼ କରିବାକୁ ହେବ।

ସମ୍ବନ୍ଧିତ ଖବର