କଣ୍ଢେଇ ନାଚ

ପୃଥିବୀ ପୃଷ୍ଠରେ ମନୁଷ୍ୟ ନିଜକୁ ଏକ ବିଶେଷ ଅଧିକାର ଉପଭୋଗ କରୁଥିବା ଶ୍ରେଷ୍ଠତମ ପ୍ରାଣୀ ରୂପେ ବିଶ୍ବାସ କରିଥାଏ। ମନୁଷ୍ୟର ଏଭଳି ଧାରଣା କିପରି ଅତ୍ୟନ୍ତ ଭ୍ରମାତ୍ମକ ହୋଇପାରେ, ସେଥିପ୍ରତି ଯିଏ ବୋଧହୁଏ ସର୍ବାଧିକ ପ୍ରଭାବଶାଳୀ ଢଙ୍ଗରେ ଆମର ଦୃଷ୍ଟି ଆକର୍ଷଣ କରିଛନ୍ତି, ସେ ହେଉଛନ୍ତି ବ୍ରିଟିସ୍‌ ବୈଜ୍ଞାନିକ ଜେମ୍‌ସ ଲଭ୍‌ଲକ୍‌। ଆମକୁ ଆମର ମାନବକୈନ୍ଦ୍ରିକ ଭ୍ରମ ଧାରଣାରୁ ମୁକ୍ତ କରିବା ପାଇଁ ଲଭ୍‌ଲକ୍‌ ଯେଉଁ ଏକ ସରଳ ପଦ୍ଧତି ଅବଲମ୍ବନ କରିଥାନ୍ତି, ତାହା ହେଉଛି ଏଇଭଳି: ତୁମର କଳ୍ପନାରେ ତୁମେ ନିଜକୁ ହାତରେ ‘ସମ୍ବାଦ’ ଖବରକାଗଜ ଧରି ଏହାକୁ ପଢୁଥିବା ଅବସ୍ଥାରେ ଦେଖ। ଏଥର ସେଇ କଳ୍ପନାରେ ଆଉ ଟିକିଏ ଉପରକୁ ଉଠିଯାଇ ଯେଉଁ ଘର ଭିତରେ ବସି ପଢୁଛ, ସେ ବାସଗୃହଟିକୁ ଉପରୁ ଦେଖ। ତା’ପରେ ଶୂନ୍ୟରେ ଆଉ ଟିକିଏ ଉପରକୁ ଉଠିଯାଇ ନିଜର ଗ୍ରାମ ବା ସହରକୁ ଦେଖ; ନିଜର ରାଜ୍ୟକୁ ଦେଖ, ନିଜର ଦେଶ, ମହାଦେଶ, ନଦନଦୀ, ପାହାଡ଼, ପର୍ବତ, ସମୁଦ୍ର, ମହାସମୁଦ୍ର… ଏକ ଗୋଲାକାର ପୃଥିବୀ ନାମକ ଗ୍ରହ (କାର୍ଲ ସାଗାନ୍‌ଙ୍କର ଅବିସ୍ମରଣୀୟ ‘ସୂର୍ଯ୍ୟାଲୋକରେ ଭାସି ବୁଲୁଥିବା ଏକ ଫିକା ନୀଳ କଣିକା)କୁ ଦେଖ। ତୁମେ ଯାହା ଦେଖୁଛ, ତାହା ଗୋଟିଏ ଏକକ ଜୈବିକ ବସ୍ତୁ ବା ‘ଇକୋସିଷ୍ଟମ୍‌’ ନୁହେଁ କି?

ଲଭ୍‌ଲକ୍‌ ଏହାର ନାମ ଦେଇଥିଲେ: ‘ଗାଇଆ’ (ଧରିତ୍ରୀ ଦେବୀଙ୍କର ପ୍ରାଚୀନ ଗ୍ରୀକ୍‌ ପୌରାଣିକ ନାମ)। ଆମର ନିଜର ଶରୀର ଭଳି ଏହି ‘ଗାଇଆ’ ହେଉଛି ଏକ ଜୈବିକ ବସ୍ତୁ, ଯାହା ସହସ୍ର କୋଟି ବର୍ଷ ଧରି ଜୀବିତ ରହି ଆସିଛି। ଏହି ସମୟ ମଧୢରେ ଆମ ଭଳି ଅସୁମାରି ସ˚ଖ୍ୟକ ମନୁଷ୍ୟ ଓ ଅନ୍ୟାନ୍ୟ ପ୍ରାଣୀ ଏଠାରେ ଲୀଳା ଖେଳା ସାରି ବାହୁଡ଼ି ଗଲେଣି। ଆମେ ହେଉଛୁ ତେଣୁ ପ୍ରକୃତରେ ଆମ ପାକସ୍ଥଳୀରେ ଥିବା ବ୍ୟାକ୍‌ଟେରିଆମାନଙ୍କ ଭଳି, ଯେଉଁମାନେ ଏକ ସ˚କ୍ଷିପ୍ତ ସମୟ ସେଠାରେ ବାସ କଲା ପରେ ମନୁଷ୍ୟର ମଳତ୍ୟାଗ ମାଧୢମରେ ନିଷ୍କାସିତ ହୋଇଯାଇଥାନ୍ତି।

ଲଭ୍‌ଲକ୍‌ଙ୍କ ଅନୁସାରେ ନିଜକୁ ବଞ୍ଚାଇ ରଖିବା ପାଇଁ ‘ଗାଇଆ’ ଏକ ନିୟନ୍ତ୍ରକ ରୂପେ କାର୍ଯ୍ୟ କରିଥାଏ ଯିଏ ଘଟିଚାଲିଥିବା ଘଟଣାମାନଙ୍କ ଉପରେ ନଜର ରଖି ସନ୍ତୁଳନ ରକ୍ଷା ପାଇଁ ‘ଇକୋସିଷ୍ଟମ୍‌’ରେ ଅବିରତ ପରିବର୍ତ୍ତନମାନ ଘଟାଇ ଚାଲିଥାଏ। ଏହି ‘ଗାଇଆ’ ନିୟମ ବାୟୁମଣ୍ତଳର ତାପମାନରୁ ଆରମ୍ଭ କରି ଅମ୍ଳଜାନ-ଅଙ୍ଗାରକାମ୍ଳ ଅନୁପାତ, ସମୁଦ୍ରର ଲବଣ ମାତ୍ରା… ଆଦି ଅସ˚ଖ୍ୟ ଉପାଦାନ (‘ହୋମିଓଷ୍ଟାଟିକ୍‌ ଫ୍ୟାକ୍‌ଟର‌୍‌ସ)ମାନଙ୍କୁ ନିୟନ୍ତ୍ରିତ କରି ସନ୍ତୁଳିତ ଅବସ୍ଥାରେ ରଖିଥାଏ, ଯେପରି ଶରୀରର ସାମଗ୍ରିକ ସ୍ଥିତି ବିପନ୍ନ ହେବ ନାହିଁ। ଆମ ପାଇଁ ପରିବେଶ ବା ଜଳବାୟୁ ଏକ ଅତ୍ୟନ୍ତ ଜଟିଳ ବ୍ୟବସ୍ଥା ହୋଇପାରେ, କିନ୍ତୁ ‘ଗାଇଆ’ ପାଇଁ ସେଗୁଡ଼ିକୁ ନିୟନ୍ତ୍ରଣ କରିବା ହେଉଛି ଆମ ପାଇଁ ନିତ୍ୟକର୍ମ ଭଳି ଏକ ଦୈନନ୍ଦିନ ସାଧାରଣ କାର୍ଯ୍ୟ। ‘ଗାଇଆ’ ହେଉଛି ଏକ କଣ୍ଢେଇ ନଚାଳି ଏବ˚ ଏ କଣ୍ଢେଇ ନାଚରେ ବ୍ୟାପୃତ ଏହି କଣ୍ଢେଇମାନଙ୍କୁ ନିୟନ୍ତ୍ରଣ କରିବାକୁ ସମସ୍ତ ରଶି ଥାଏ ‘ଗାଇଆ’ ହାତରେ। ଠେକୁଆର ପ୍ରଜନନ କ୍ଷମତାରେ ବିସ୍ଫୋରକ ବୃଦ୍ଧି ଘଟିବା ସହିତ ତାକୁ ସୀମା ଲ˚ଘନ କରିବାକୁ ନ ଦେବା ପାଇଁ ‘ଗାଇଆ’ ଛଞ୍ଚାଣକୁ ମଧୢ ସୃଷ୍ଟି କରିଥାଏ; ତୃଣଭୋଜୀ ପ୍ରାଣୀ ଗାଈର ଆବିର୍ଭାବ ଘଟିବା ସହିତ ତୃଣର ଯେପରି ବିଲୟ ନ ଘଟେ ତାହା ନିଶ୍ଚିତ କରିବା ପାଇଁ ଘାସର ମଞ୍ଜିଠାରେ ଗାଈର ପାକସ୍ଥଳୀରୁ ଅକ୍ଷତ ଅବସ୍ଥାରେ ବାହାରି ଆସିବାର କ୍ଷମତା ଖଞ୍ଜି ଦିଆଯାଇଥାଏ।

ମନୁଷ୍ୟ ତେଣୁ ହେଉଛି ଏକ ବିବର୍ତ୍ତନଶୀଳ ଧରିତ୍ରୀର ଏକ କ୍ଷୁଦ୍ର ଅ˚ଶ ମାତ୍ର। ଏହି ଅ˚ଶ ଯଦି ଅନ୍ୟ ଅ˚ଶମାନଙ୍କ ସହିତ ଖାପ ଖାଇ ଚାଲି ନ ପାରେ, ଓ ଏହାର ବେଖାପ ଆଚରଣ ଯଦି ସମଗ୍ର ଇକୋସିଷ୍ଟମ୍‌ ପ୍ରତି ବିପଦ ସୃଷ୍ଟି କରେ, ତେବେ କଣ୍ଢେଇ ନଚାଳି ‘ଗାଇଆ’ ଏହି ମନୁଷ୍ୟ ନାମକ କଣ୍ଢେଇକୁ ନିଶ୍ଚଳ କରି ଦେଇ କଣ୍ଢେଇ ନାଚ ଜାରି ରଖିବ। ପୃଥିବୀ ନାମକ ଗ୍ରହରେ ଅନ୍ୟ କଣ୍ଢେଇମାନଙ୍କର ନାଚ ଜାରି ରହିବ, ନୂଆ କଣ୍ଢେଇମାନଙ୍କର ମଧୢ ଆବିର୍ଭାବ ଘଟିପାରେ। ଉଦାହରଣ ସ୍ବରୂପ ମନୁଷ୍ୟ ବର୍ତ୍ତମାନ ତାକୁ ସମ୍ଭାଳି ରଖିଥିବା ପରିବେଶକୁ ଧ୍ବ˚ସ କରିବା ଦିଗରେ ଯେଉଁଭଳି ଆଚରଣ ପ୍ରଦର୍ଶନ କରିଚାଲିଛି, ତା’ର ଶେଷ ପରିଣତି ହୋଇପାରେ- ମନୁଷ୍ୟ ଜାତିର ଏଇ ଗ୍ରହ ପୃଷ୍ଠରେ ବିଲୟ ଘଟିବା। ସେତେବେଳେ ଆମର କଳକାରଖାନା, ଗାଡ଼ିମଟର, ଆଣବିକ ଅସ୍ତ୍ରଶସ୍ତ୍ର, ନଭଶ୍ଚୁମ୍ବୀ ଅଟ୍ଟାଳିକା… ଅତୀତର ଭଗ୍ନାବଶେଷରେ ପରିଣତ ହୋଇ ଭୂଇଁ ତଳେ କିମ୍ବା ସମୁଦ୍ରର ଅତଳ ଗର୍ଭରେ ନିଶ୍ଚଳ ହୋଇ ପଡ଼ିରହିଥିବେ। ‘ଗାଇଆ’ର ନିଷ୍ଠୁର ନିୟମ ଅନୁସାରେ ‘ସମଗ୍ର’ର ସୁରକ୍ଷା ନିମିତ୍ତ ଗୋଟିଏ ‘ଅ˚ଶ’ର ଏହିପରି ବିଲୟ ଘଟିବା ଅନିବାର୍ଯ୍ୟ।

ମନୁଷ୍ୟର ଯେଉଁ ସବୁ ଆଚରଣ ଯୋଗୁଁ ତା’ପାଇଁ ପରିଣାମ ଏପରି ବିଷମ ହେବାକୁ ଯାଉଛି, ତା’ ମଧୢରୁ ଏକ ପ୍ରମୁଖ ହେଉଛି ଆମର ପ୍ଲାଷ୍ଟିକ୍‌ ନାମକ ପଦାର୍ଥର ବ୍ୟବହାର। ଶ୍ରୀମଦ୍‌ ଭଗବଦ୍‌ ଗୀତାରେ ବର୍ଣ୍ଣିତ ଆତ୍ମା ଭଳି (‘‘ନୈନ˚ ଛିନ୍ଦନ୍ତି ଶସ୍ତ୍ରାଣି ନୈନ˚ ଦହତି ପାବକଃ। ନ ଚୈନ˚ କ୍ଳେଦୟନ୍ତ୍ୟାପୋ ନ ଶୋଷୟତି ମାରୁତଃ।।’’) ଅଜର ଅମର ହୋଇଥିବା ଏହି ମନୁଷ୍ୟ ସୃଷ୍ଟ ପଦାର୍ଥ ଯେ ଅନିୟନ୍ତ୍ରିତ ଉତ୍ପାଦନ ଓ ବ୍ୟବହାର ଯୋଗୁଁ ଧରିତ୍ରୀର ଶ୍ବାସରୁଦ୍ଧ କରିବାକୁ ବସିଲାଣି, ଏହା ବର୍ତ୍ତମାନ ସମସ୍ତେ ସ୍ବୀକାର କରୁଛନ୍ତି। ନାଳ ନର୍ଦ୍ଦମାରୁ ଆରମ୍ଭ କରି, ରାସ୍ତାଘାଟ, କୃଷିକ୍ଷେତ୍ର, ନଈନାଳ ଓ ଗଭୀର ସମୁଦ୍ର ପର୍ଯ୍ୟନ୍ତରେ ପ୍ଲାଷ୍ଟିକ୍‌ର ଏହି ଶ୍ବାସରୁଦ୍ଧକାରୀ ଆଲିଙ୍ଗନ ଅନୁଭୂତ ହେବାକୁ ଲାଗିଛି।

ଯଦି ମନୁଷ୍ୟ ବ୍ୟବହାର କରୁଥିବା ସମସ୍ତ ପ୍ଲାଷ୍ଟିକ୍‌ ପଦାର୍ଥ ରିସାଇକ୍‌ଲ ହୋଇ ପୁନଃବ୍ୟବହୃତ ହେଉଥାନ୍ତା, ତେବେ ଏଭଳି ସମସ୍ୟା ଦେଖା ଦିଅନ୍ତା ନାହିଁ। କିନ୍ତୁ ପୃଥିବୀରେ ମୋଟ ପରିତ୍ୟକ୍ତ ପ୍ଲାଷ୍ଟିକ୍‌ର ଯେତିକି ଅ˚ଶ ରିସାଇକ୍‌ଲ ହୋଇଥାଏ, ତାହା ହେଉଛି ମାତ୍ର ୯ ଶତା˚ଶ। ୨୦୬୦ ବେଳକୁ ପୃଥିବୀରେ ସୃଷ୍ଟି ହେଉଥିବା ପ୍ଲାଷ୍ଟିକ୍‌ ବର୍ଜ୍ୟବସ୍ତୁ ପରିମାଣରେ ପ୍ରାୟ ତିନି ଗୁଣ ବୃଦ୍ଧି ଘଟିଥିବ ବୋଲି ଅନୁମାନ କରାଯାଉଛି। ଏଥିରେ ଭାରତର ଅବଦାନ ନଗଣ୍ୟ ନୁହେଁ; ପୃଥିବୀର ମୋଟ ଏଭଳି ଅନିୟନ୍ତ୍ରିତ ବା କୁପରିଚାଳିତ ପ୍ଲାଷ୍ଟିକ୍‌ ଆବର୍ଜନାର ଏକ ପଞ୍ଚମା˚ଶରୁ ଅଧିକ ସୃଷ୍ଟି ହୋଇଥାଏ ଭାରତରେ।

ସମସ୍ୟାର ଭୟାବହତା ଓ ଭାରତର ଭୂମିକା ସମ୍ବନ୍ଧରେ ସଚେତନ ହେବା ଭଳି ଭାରତ ସରକାର ଏବେ ଜୁଲାଇ ପହିଲା ତାରିଖଠାରୁ ସାରା ଦେଶରେ କେବଳ ଥରଟିଏ ବ୍ୟବହାର ହୋଇ ପିଙ୍ଗି ଦିଆଯାଉଥିବା ପ୍ଲାଷ୍ଟିକ୍‌ (‘ସିଙ୍ଗଲ୍‌ ଇଉଜ୍‌ ପ୍ଲାଷ୍ଟିକ୍‌’- ‘ଏସୟୁପି’) ପଦାର୍ଥ ମାନଙ୍କର ଉତ୍ପାଦନ, ଆମଦାନି, ମହଜୁଦ, ବିତରଣ, ବିକ୍ରୟ ଓ ବ୍ୟବହାରକୁ ନିଷିଦ୍ଧ କରି ଦେଇଛନ୍ତି। ଏହି ଚିହ୍ନିତ ପଦାର୍ଥମାନଙ୍କର ଉପଯୋଗିତା କମ୍‌ ଓ ଏଣେତେଣେ ଫିଙ୍ଗା ହେବା ସମ୍ଭାବନା ଅଧିକ ବୋଲି ବିଚାର କରାଯାଇଛି। ଏହି ନିଷିଦ୍ଧ ତାଲିକାରେ ଅନ୍ତର୍ଭୁକ୍ତ ପଦାର୍ଥମାନଙ୍କ ମଧୢରେ ରହିଛି- କାନ ସଫାରେ ବ୍ୟବହୃତ ତୁଳା ଲାଗିଥିବା ପ୍ଲାଷ୍ଟିକ୍‌ କାଠି, ପ୍ଲାଷ୍ଟିକ୍‌ କାଠି ଲାଗିଥିବା ପିଲାଙ୍କ ମିଠେଇ, ପ୍ଲାଷ୍ଟିକ୍‌ କପ୍‌, ଚାମଚ, ଛୁରୀ, ପାନୀୟ ଶୋଷିବାରେ ବ୍ୟବହୃତ ପ୍ଲାଷ୍ଟିକ୍‌ ନଳୀ ବା ‘ଷ୍ଟ୍ର’, ୭୫ ମାଇକ୍ରନ୍‌ରୁ କମ୍‌ ମୋଟା ହୋଇଥିବା ପ୍ଲାଷ୍ଟିକ ଥଳୀ, ସିଗାରେଟ୍‌ ଖୋଳର ପ୍ଳାଷ୍ଟିକ୍‌ ଆବରଣ ଆଦି ମୋଟ ୨୧ କିସମର ପଦାର୍ଥ।

ଉଭୟ ଯୋଗାଣ ପାର୍ଶ୍ବରୁ ଓ ଚାହିଦା ପାର୍ଶ୍ବରୁ ସରକାରଙ୍କର ଏହି ପଦକ୍ଷେପକୁ ବିଫଳ କରିବାକୁ ଯେ ପ୍ରୟାସ ଲାଗି ରହିବ, ଏଥିରେ କୌଣସି ସନ୍ଦେହ ନାହିଁ। ଯୋଗାଣ ପାର୍ଶ୍ବରେ ଉତ୍ପାଦନକାରୀମାନଙ୍କୁ ଯେଉଁଭଳି ପ୍ଲାଷ୍ଟିକ୍‌ ଉପାଦାନର ବିକଳ୍ପ ସନ୍ଧାନ କରିବାକୁ ହେବ, ଉପଭୋକ୍ତାମାନଙ୍କୁ ସେହିପରି ନିଜର ଅଭ୍ୟାସ ବଦଳାଇବାକୁ ପଡ଼ିବ (ଯେମିତି ପ୍ଲାଷ୍ଟିକ୍‌ ଥାଳି ଜାଗାରେ ଖଲିପତ୍ର, ପ୍ଲାଷ୍ଟିକ୍‌ ଥଳୀ ଜାଗାରେ କନା ବ୍ୟାଗ୍‌… ଆଦି)। ଆମେ ଯଦି ତଥାପି ନଛୋଡ଼ବନ୍ଦା ହେଉ, କଣ୍ଢେଇ ନଚାଳି ‘ଗାଇଆ’ ମଣିଷ କଣ୍ଢେଇମାନଙ୍କୁ ଦୃଶ୍ୟପଟରୁ ସମ୍ପୂର୍ଣ୍ଣ ହଟାଇ ଦେବାକୁ ତିଳେ ହେଲେ କୁଣ୍ଠିତ ହେବ ନାହିଁ।

ସମ୍ବନ୍ଧିତ ଖବର