ମିଶୁ ମୋର ଦେହ…
ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ନିଜର ବଳିଷ୍ଠ ନେତୃତ୍ବ ବଳରେ ମିତ୍ର ଶକ୍ତି ବିଜୟ ହାସଲ କରିବାରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିବା ବ୍ରିଟେନ୍ର ପ୍ରଧାନମନ୍ତ୍ରୀ ଵିନ୍ଷ୍ଟନ୍ ଚର୍ଚ୍ଚିଲ୍ ତାଙ୍କର ବିରଳ ବ୍ୟକ୍ତିତ୍ବର ବିଭିନ୍ନ ଦିଗକୁ କେନ୍ଦ୍ର କରି ସୃଷ୍ଟି ହୋଇଥିବା ଅସ˚ଖ୍ୟ କି˚ବଦନ୍ତିର ଅ˚ଶ ପାଲଟିଛନ୍ତି। ସେଥିମଧୢରୁ କେତେକ ଅତ୍ୟନ୍ତ ଉପଭୋଗ୍ୟ ହେଉଛନ୍ତି ଚର୍ଚ୍ଚିଲ୍ଙ୍କର ଶରୀରର ମେଦବହୁଳତା ସହିତ ତାଙ୍କର ମସ୍ତିଷ୍କର ତୀକ୍ଷ୍ଣତାର ସହାବସ୍ଥାନକୁ ଆଧାର କରି ପ୍ରସାର ଲାଭ କରିଥିବା କାହାଣୀମାନ। ଅନିୟନ୍ତ୍ରିତ ଭୋଜନ, ସୁରାପାନ ଓ ଧୂମପାନ ଥିଲା ଚର୍ଚ୍ଚିଲ୍ଙ୍କର ମେଦ ବୃଦ୍ଧିର କାରଣ (ଏକଦା ତାଙ୍କର ଆମେରିକା ଗସ୍ତ ସମୟରେ ତାଙ୍କୁ ଅତିଥି ରୂପେ ଆପ୍ୟାୟିତ କରିଥିବା ରାଷ୍ଟ୍ରପତି ଫ୍ରାଙ୍କ୍ଲିନ୍ ରୁଜ୍ଭେଲ୍ଟଙ୍କ ପତ୍ନୀ ଏଲିନର୍ ରୁଜ୍ଭେଲ୍ଟ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ ଯେ ଏପରି ଜଣେ ଅତିରିକ୍ତ ମଦ୍ୟପାନ ଓ ଧୂମପାନ କରୁଥିବା ବ୍ୟକ୍ତି କିପରି ନିଜର ମାନସିକ ସନ୍ତୁଳନ ରକ୍ଷା କରି ବିଚକ୍ଷଣ ନେତୃତ୍ବ ପ୍ରଦାନ କରି ପାରୁଥିଲେ!
Sambad is now on WhatsApp
Join and get latest news updates delivered to you via WhatsApp
ସେଇ ଯୁଦ୍ଧର ଅନ୍ତ ଘଟିବାର କେତେ ମାସ ପୂର୍ବରୁ କୃଷ୍ଣସାଗରର କ୍ରାଇମିଆରେ ଅବସ୍ଥିତ ୟାଲ୍ଟା ଠାରେ ଯୁଦ୍ଧ ପରେ ଜର୍ମାନୀ ଓ ଇଉରୋପର ରୂପରେଖ ନିର୍ଦ୍ଧାରଣ କରିବା ପାଇଁ ଅନୁଷ୍ଠିତ ଶୀର୍ଷ ସମ୍ମିଳନୀରେ ଚର୍ଚ୍ଚିଲ୍, ରୁଜ୍ଭେଲ୍ଟ ଓ ରୁଷିଆର ନେତା ଷ୍ଟାଲିନ୍ ଏକତ୍ର ହୋଇଥିଲେ। ଏକ ସମୟରେ ଚର୍ଚ୍ଚିଲ୍ ଧୂମପାନ କରିବା ଉଦ୍ଦେଶ୍ୟରେ ବୈଠକ ଗୃହ ବାହାର ବାରଣ୍ତାକୁ ଚାଲି ଆସିଥିବା ବେଳେ ସେଠାରେ ନିରାପତ୍ତା ରକ୍ଷା ଦାୟିତ୍ବରେ ଥିବା ଜଣେ ଆମେରିକୀୟ ସୈନ୍ୟ (ଜିଆଇ) ତାଙ୍କୁ ହାବୁଡ଼ି ଯାଇ ପଚାରିଲା: ‘‘ହେ ମୋଟୁ! ଏଠାରେ ପୁରୁଷ ଶୌଚାଳୟ କେଉଁଠି?’’। ସିଏ ନିଶ୍ଚିତ ରୂପେ ଚର୍ଚ୍ଚିଲ୍ଙ୍କୁ ଚିହ୍ନି ନ ଥିଲା। ଚର୍ଚ୍ଚିଲ କିନ୍ତୁ କ୍ଷୁବ୍ଧ ନ ହୋଇ ସେ ଅଭଦ୍ର, ରୁକ୍ଷ ଜିଆଇ ଜଣକୁ ତତ୍କ୍ଷଣାତ୍ ଉତ୍ତର ଦେଲେ: ‘‘ସିଧା ଆଗକୁ ଯାଇ ପ୍ରଥମ ମୋଡ଼ରେ ଡାହାଣକୁ ଗଲେ ଦେଖିବ ଏକ ଶୌଚାଳୟର ଦ୍ବାର ଦେଶରେ ଲେଖା ହୋଇଛି- ‘ଜେଣ୍ଟ୍ଲମେନ୍’ (ଭଦ୍ରଲୋକ); କିନ୍ତୁ ତୁମେ ସେ ଲେଖା ଦେଖି ଅଟକିଯିବ ନାହିଁ।”
କିନ୍ତୁ ଚର୍ଚ୍ଚିଲ୍ଙ୍କର ଏହି ବିଚକ୍ଷଣ ପ୍ରତ୍ୟୁତ୍ପନ୍ନମତିତା ଏଇଭଳି ଅନ୍ୟ ଏକ ଅବସରରେ ଯାହାଙ୍କ ପାଖରେ ହାର ମାନି ଯାଇଥିଲା, ସେ ହେଉଛନ୍ତି ପ୍ରଖ୍ୟାତ ନାଟ୍ୟକାର ବର୍ଣ୍ଣାଡ୍ ଶ’। କି˚ବଦନ୍ତି ଅନୁସାରେ ବପୁବାନ୍ ଚର୍ଚ୍ଚିଲ୍ ଥରେ ଦୁର୍ବଳ ପତଳା ଶରୀରଧାରୀ ଶ’ଙ୍କୁ ଲକ୍ଷ୍ୟ କରି କହିଲେ: ‘‘ମିଷ୍ଟର୍୍ ଶ’, ତୁମକୁ ଯିଏ ଦେଖିବ ସେ ଭାବିବ ଯେ ଇ˚ରେଜମାନେ ହେଉଛନ୍ତି ଏକ ଅନାହାରକ୍ଳିଷ୍ଟ ଭୋକିଲା ଜାତି।’’ ବର୍ଣ୍ଣାଡ୍ ଶ’ କାଳ ବିଳମ୍ବ ନ କରି ଚର୍ଚ୍ଚିଲ୍ଙ୍କୁ ଉତ୍ତର ଦେଇଥିଲେ: ‘‘ମିଷ୍ଟର୍ ଚର୍ଚ୍ଚିଲ୍, ମୋ ସହିତ ତୁମକୁ ଦେଖିବା ମାତ୍ରେ ସିଏ ଜାଣିଯିବ ଏହାର କାରଣ କିଏ।’’ କହିବା ବାହୁଲ୍ୟ ଫେବିଆନ୍ ସମାଜବାଦ ନାମକ ଗଣତାନ୍ତ୍ରିକ ସମାଜବାଦ ଆନ୍ଦୋଳନର ଅନ୍ୟତମ ପ୍ରତିଷ୍ଠାତା ବର୍ଣ୍ଣାଡ୍ ଶ’ଙ୍କର ବ୍ୟଙ୍ଗର ନିଶାଣ କେବଳ ଚର୍ଚ୍ଚିଲ୍ ନ ଥିଲେ; ଶ’ ଯାହା ଚର୍ଚ୍ଚିଲଙ୍କୁ କହିବାକୁ ଚାହିଁଥିଲେ, ତାହା ହେଲା- ଚର୍ଚ୍ଚିଲ୍ଙ୍କ ପରି ରାଜନେତାମାନେ ସମାଜର ସମ୍ବଳ ତକ ଖାଇ ମୋଟା ହୋଇ ଯାଉଥିବାରୁ, ଶ’ଙ୍କ ପରି ସାଧାରଣ ନାଗରିକମାନେ ଖାଇବାକୁ ନ ପାଇ କଙ୍କାଳସାର ହୋଇଯାଆନ୍ତି।
ମୋଟା ହେବା ରାଜନେତାଙ୍କ କ୍ୟାରିଅର୍ ଉପରେ ଯେ ଏକ ପ୍ରତିକୂଳ ପ୍ରଭାବ ପକାଇ ପାରେ, ବର୍ଣ୍ଣାଡ୍ ଶ’ଙ୍କର ଏହି ଚଟୁଳ ପ୍ରତ୍ୟୁତ୍ତର ନିଶ୍ଚିତ ରୂପେ ତାହାର ଏକ ଅସ୍ବସ୍ତିକର ସମ୍ଭାବନା ବହନ କରିଥାଏ। ଏହାକୁ ପେସାଦାର ରାଜନେତାମାନଙ୍କ ପାଇଁ ଏକ ସତର୍କବାଣୀ ରୂପେ ମଧୢ ବିଚାର କରାଯାଇପାରେ। ବୁଦ୍ଧିମାନ ରାଜନେତାମାନେ ଯଦି ଶ’ସୁଲଭ ସମାଲୋଚନାର ଶିକାର ନ ହେବାକୁ ଚାହାନ୍ତି, ତେବେ ସେମାନେ ଆପଣା ଛାଏଁ ନିଜ ଶରୀରର ଓଜନ ଓ ପରିଧିକୁ ନିରାପଦ ସୀମା ମଧୢରେ ରଖନ୍ତି। ଏହା ସେମାନଙ୍କର ଅତ୍ୟନ୍ତ କଷ୍ଟକର ବୃତ୍ତି ପାଳନ ପାଇଁ ସେମାନଙ୍କର ଶରୀରକୁ ମଧୢ ଆବଶ୍ୟକତା ମତେ ସୁସ୍ଥ ରଖିଥାଏ। ଏ ଲକ୍ଷ୍ୟ ହାସଲ ନିମିତ୍ତ ଉଭୟ ଆହାର ଓ ବ୍ୟାୟାମରେ ଯେଉଁଭଳି ସ˚ଯମ ଓ ନିଷ୍ଠା ଆବଶ୍ୟକ ହୋଇଥାଏ, ତାହା ସର୍ବଦା ରକ୍ଷା କରିବା କିନ୍ତୁ ସମସ୍ତଙ୍କ ପକ୍ଷରେ ସମ୍ଭବ ହୋଇନଥାଏ। ସେମାନଙ୍କର ଜାଣତରେ କିମ୍ବା ଅଜାଣତରେ ସେମାନଙ୍କର ଶରୀର ବାଟ ହୁଡ଼ି ନିଜର କଳେବର ବୃଦ୍ଧି କରିବାରେ ଲାଗିଯାଏ।
ବୁଦ୍ଧିମାନ ରାଜନେତାମାନେ କିନ୍ତୁ ଏକ ସମୟରେ ହଠାତ୍ ଏ ବିଷୟରେ ସଚେତନ ହୋଇ ନିଜ ଶରୀରର ଗତିପଥରେ ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରିବା ଦେଖା ଯାଇଥାଏ। ଯେମିତି ଅତୀତରେ ଦେବେନ୍ଦ୍ର ଫଡ୍ନାବିସ୍ କରିବା ଦେଖାଯାଇଥିଲା। ମହାରାଷ୍ଟ୍ର ରାଜନୀତିକୁ ଓଲଟ ପାଲଟ କରିବାରେ ମୁଖ୍ୟ ଭୂମିକା ନିର୍ବାହ କରି ବର୍ତ୍ତମାନ ଦେଶର ସର୍ବାଧିକ ଚର୍ଚ୍ଚିତ ରାଜନେତାରେ ପରିଣତ ହୋଇଥିବା ଫଡ୍ନାବିସ୍ଙ୍କର ୨୦୧୬ ଆରମ୍ଭରେ ଓଜନ ଥିଲା ୧୨୨ କେଜି। ସେତେବେଳେ ସେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଥିଲେ। ସେ ଚର୍ଚ୍ଚିଲ୍ଙ୍କ ପଦାଙ୍କ ଅନୁସରଣ କରୁଛନ୍ତି ବୋଲି ହଠାତ୍ ସଚେତନ ହୋଇ ଡାକ୍ତରଙ୍କ ପରାମର୍ଶ ନେଲା ପରେ ତାଙ୍କର ଉପଦେଶ ଅନୁସାରେ ଯେଉଁ ଶୃଙ୍ଖଳିତ ଜୀବନଚର୍ଯ୍ୟା ଅନୁସରଣ କଲେ, ତାହାର ସୁଫଳ ସ୍ବରୂପ ପରବର୍ତ୍ତୀ ତିନି ମାସ ମଧୢରେ ସେ ନିଜ ଶରୀରର ଓଜନରେ ୧୮ କେଜି ହ୍ରାସ ଘଟାଇ ପାରିଥିଲେ, ଯାହା ସେତେବେଳେ ସ୍ଥାନୀୟ ଗଣମାଧୢମରେ ଚର୍ଚ୍ଚାର ବିଷୟରେ ପରିଣତ ହୋଇଥିଲା। (ବର୍ତ୍ତମାନ ଫଡ୍ନାବିସ୍ଙ୍କର ଓଜନ ହେଉଛି ୧୦୨ କେଜି।)
ତେବେ ଏମିତି ଅନେକ ଭାରୀ ଶରୀରଧାରୀ ରାଜନେତା ଥିବେ ଯେଉଁମାନଙ୍କ ଠାରେ ସଚେତନତା ଥିଲେ ମଧୢ ନିଜର ଶରୀରକୁ ହାଲୁକା କରିବା ନିମିତ୍ତ ସ୍ବୟ˚ପ୍ରବୃତ୍ତ ନିଷ୍ଠାର ଅଭାବ ଥାଏ। ଯଦି ଏମାନଙ୍କୁ ଏକ ସୁଚିନ୍ତିତ ବାହ୍ୟ ପ୍ରୋତ୍ସାହନ ମିଳେ, ତାହା ଏଭଳି ନେତାଙ୍କ ମେଦହ୍ରାସ କ୍ଷେତ୍ରରେ କିପରି ଚମତ୍କାରିତା ହାସଲ କରିବା ସଙ୍ଗେ ସଙ୍ଗେ ସମାଜର ମଧୢ ତତ୍କ୍ଷଣାତ୍ ମଙ୍ଗଳ ସାଧନ କରିପାରେ, ତାହାର ଏକ ରୋଚକ ଉଦାହରଣ ନିକଟରେ ଦେଖିବାକୁ ମିଳିଛି ମଧୢପ୍ରଦେଶରେ।
ସେଠାରେ ଉଜ୍ଜୟିନୀ ଲୋକସଭା କ୍ଷେତ୍ରରୁ ନିର୍ବାଚିତ ହୋଇ ପ୍ରଥମ ଥର ପାଇଁ ସା˚ସଦ ହୋଇଥିବା ଅନିଲ ଫିରୋଜିୟା ନିଜ ସ˚ସଦୀୟ କ୍ଷେତ୍ରରେ ବିକାଶମୂଳକ କାର୍ଯ୍ୟକ୍ରମ ପାଇଁ ସମ୍ବଳ ଆବଣ୍ଟନ କରିବା ପାଇଁ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ୍ ଗଡ଼କାରୀଙ୍କୁ ବାରମ୍ବାର ଅନୁରୋଧ କରି ଚାଲିଥିଲେ। ସାକ୍ଷାତକାର ସମୟରେ ଫିରୋଜିୟାଙ୍କ ପ୍ରଭାବଶାଳୀ ଆକାର ବିଶିଷ୍ଟ ଶରୀର କେବେହେଲେ ଗଡ଼କାରୀଙ୍କ ଦୃଷ୍ଟି ଏଡ଼ାଇ ଯାଇନଥିବ, କାରଣ ସେ ମଧୢ ଅତୀତରେ ବହନ କରିଥିବା ଅତିରିକ୍ତ ମେଦଭାରକୁ ଶୃଙ୍ଖଳିତ ସାଧନା ମାଧୢମରେ ଗ୍ରହଣୀୟ ସ୍ତରକୁ ଖସାଇ ଆଣିବାରେ ସଫଳ ହୋଇଛନ୍ତି। ଗଡ଼କାରୀ ଫିରୋଜିୟାଙ୍କ ଅନୁରୋଧକୁ ଏ ଦିଗରେ ଏକ ସୁଯୋଗରେ ପରିଣତ କରିବାର ଯୋଜନା କଲେ। ଏହା ଅନୁସାରେ ସେ ଫିରେଜିୟାଙ୍କୁ ଏକ ପ୍ରସ୍ତାବ ଦେଲେ ଯେ ଫିରୋଜିୟା ଯଦି ତାଙ୍କ ଶରୀର ଓଜନରେ ହ୍ରାସ ଘଟାଇବାକୁ ରାଜି ହୁଅନ୍ତି, ତେବେ ତାଙ୍କ ଓଜନରେ ସେ ହାସଲ କରିବା ପ୍ରତି କିଲୋଗ୍ରାମ ପିଛା ଗଡ଼କାରୀ ଉଜ୍ଜୟିନୀ ଲୋକସଭା କ୍ଷେତ୍ରରେ ବିକାଶମୂଳ କାର୍ଯ୍ୟକ୍ରମରେ ୧,୦୦୦ କୋଟି ଟଙ୍କା ଲେଖାଏଁ ନିବେଶ କରିବେ।
ଗତ ଫେବ୍ରୁଆରିରେ ଗଡ଼କାରୀ ତାଙ୍କୁ ଏହି ପ୍ରସ୍ତାବ ଦେବା ବେଳେ ଅନିଲ୍ ଫିରୋଜିୟାଙ୍କ ଓଜନ ଥିଲା ୧୨୭ କିଲୋଗ୍ରାମ। ଫିରୋଜିୟା ତତ୍କ୍ଷଣାତ୍ ଗଡ଼କାରୀଙ୍କର ଏହି ପ୍ରସ୍ତାବରେ ରାଜି ହୋଇଗଲେ। ଏହାର ଚାରି ମାସ ପରେ ସେ ତାଙ୍କ ଶରୀର ଓଜନରେ ୧୫ କିଲୋଗ୍ରାମ ହ୍ରାସ ଘଟାଇ ବର୍ତ୍ତମାନ ନୀତିନ୍ ଗଡ଼କାରୀଙ୍କ ମନ୍ତ୍ରଣାଳୟରୁ ନିଜର ସ˚ସଦୀୟ କ୍ଷେତ୍ରର ବିକାଶ ପାଇଁ ୧୫,୦୦୦ କୋଟି ଟଙ୍କା ପାଇବା ପାଇଁ ହକ୍ଦାର ହୋଇଛନ୍ତି। ଏହି ସମ୍ବଳ ବିନିଯୋଗ ହୋଇ ସେଠାରେ ଯେଉଁ ସବୁ ରାସ୍ତାଘାଟ ନିର୍ମିତ ହେବ, ବସ୍ତୁତଃ ଅନିଲ୍ ଫିରୋଜିୟାଙ୍କ ଶରୀରର ସେତିକି ଅ˚ଶ ଉପରେ ନିର୍ମିତ ହେବ ବୋଲି କହିଲେ ଭୁଲ ହେବ ନାହିଁ, ଯାହାର ଓଜନ ହେଉଛି ୧୫ କିଲୋଗ୍ରାମ। ଗୋପବନ୍ଧୁଙ୍କ ‘‘ମିଶୁ ମୋର ଦେହ ଏ ଦେଶ ମାଟିରେ, ଦେଶବାସୀ ଚାଲିଯାଆନ୍ତୁ ପିଠିରେ’’ ଏଭଳି ଆକ୍ଷରିକ ଭାବେ ଏଥି ପୂର୍ବରୁ କେଉଁଠି ଅନୁସୃତ ହେବା ଦେଖାଯାଇନଥିଲା।