ସିନ୍‌ଜୋ ଆବେ

ଗଲା ୮ ତାରିଖରେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ୬୭ ବର୍ଷ ବୟସ୍କ ସିନ୍‌ଜୋ ଆବେଙ୍କୁ ଗୁଳି କରି ହତ୍ୟା କରାଯିବା ଘଟଣା ଏଥି ଲାଗି ଅବିଶ୍ୱାସ୍ୟ ମନେ ହୋଇଥିଲା ଯେ ଜାପାନ ଭଳି ଏକ ଶୃଙ୍ଖଳିତ ଏବଂ ଶାନ୍ତ ରାଷ୍ଟ୍ର ଯେଉଁଠି ଆଗ୍ନେୟାସ୍ତ୍ରର ଉପଲବ୍‌ଧତା ଅତ୍ୟନ୍ତ ବିରଳ ଏବଂ ତାର ଘାତକ ବ୍ୟବହାର ନଗଣ୍ୟ, ସେଠାରେ ସେ ଦେଶର ଜଣେ ସର୍ବାଧିକ ପ୍ରଭାବଶାଳୀ ରାଜନେତା ବନ୍ଧୁକ ଗୁଳିରେ ଟଳି ପଡ଼ିଲେ। ପଶ୍ଚିମ ଜାପାନର ନାରା ସହରର ରାସ୍ତା କଡ଼ରେ ସିନ୍‌ଜୋ ଆବେ ଏକ ନିର୍ବାଚନୀ ଭାଷଣ ପ୍ରଦାନ କରୁଥିବା ବେଳେ ଆତତାୟୀ ଜଣକ ଅତି ସନ୍ତର୍ପଣରେ ତାଙ୍କ ପଛରୁ ଗୁଳି କଲା; ଯେଉଁ ଭଳି ଏକ ଘଟଣା କେବେ ଘଟିବ ବୋଲି କେହି ଘୁଣାକ୍ଷରରେ ସୁଦ୍ଧା ଚିନ୍ତା କରି ନ ଥିଲେ। ତାହା ହୋଇ ନ ଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଚତୁଃପାର୍ଶ୍ବରେ ଏକ ସୁରକ୍ଷା ବଳୟର ଅନୁପସ୍ଥିତି ନ ଥାଆନ୍ତା, ଯାହା, କହିବା ବାହୁଲ୍ୟ ଯେ, ଆତତାୟୀକୁ ଅତ୍ୟନ୍ତ ନିକଟରୁ ଗୁଳି ଚଳାଇବାର ସୁବର୍ଣ୍ଣ ସୁଯୋଗ ପ୍ରଦାନ କରିଥିଲା। ଏହା ଖୁବ୍‌ ସମ୍ଭବ ଯେ ଏହା ପର ଠାରୁ ଜାପାନରେ ରାଜନୈତିକ ହସ୍ତୀମାନଙ୍କ ସୁରକ୍ଷା ବ୍ୟବସ୍ଥା ନେଇ ନୂତନ ଭାବେ ଚିନ୍ତା କରାଯିବା ଆରମ୍ଭ ହେବ।

ଏଥିରେ ସନ୍ଦେହ ନାହିଁ ଯେ ସିନ୍‌ଜୋ ଆବେଙ୍କ ଧମନୀରେ ଜଣେ ‘କ୍ୟାରିଅର ରାଜନେତା’ଙ୍କ ଶୋଣିତ ପ୍ରବାହିତ ହେଉଥିବ; କାରଣ ତାଙ୍କ ପିତା ରାଜନୀତିରେ ଅତ୍ୟନ୍ତ ସକ୍ରିୟ ରହି ମନ୍ତ୍ରୀ ପଦ ଲାଭ କରିଥିଲେ ଏବଂ ତାଙ୍କ ଅଜା ଏକଦା ଜାପାନର ପ୍ରଧାନମନ୍ତ୍ରୀ ମଧ୍ୟ ଥିଲେ। ତେଣୁ ୨୦୦୭ ମସିହାରେ ମାତ୍ର ବର୍ଷକ ଲାଗି ପ୍ରଧାନମନ୍ତ୍ରୀ ହେବା ପରେ ସ୍ୱାସ୍ଥ୍ୟଗତ କାରଣରୁ ପଦ ତ୍ୟାଗ କରିଥିବା ସିନ୍‌ଜୋ ଆବେଙ୍କ ଲାଗି ରାଜନୈତିକ ମୃତ୍ୟୁର ଶୋକଗୀତି ଲେଖି ଦିଆଯାଇଥିବା ବେଳେ ତାର ପାଞ୍ଚ ବର୍ଷ ପରେ ସେ ଏକ ବିପୁଳ ଜନସମର୍ଥନ ସହିତ ବିଜୟୀ ହୋଇ ପୁନର୍ବାର ପ୍ରଧାନମନ୍ତ୍ରୀ ହେବା ସହିତ ଦୀର୍ଘତମ କାଳ ସେହି ପଦରେ ଅଧିଷ୍ଠିତ ରହି ଏକ ଇତିହାସ ସୃଷ୍ଟି କରିଥିଲେ। ନିଜର ତୀବ୍ର ସଂସ୍କାର ଧର୍ମୀ ଆଭିମୁଖ୍ୟ ସକାଶେ ବିଶେଷ ପରିଚିତି ଲାଭ କରିଥିବା ଆବେ ଏହି କାରଣରୁ ବିବଦମାନ ମଧ୍ୟ ହୋଇଥିଲେ। ତାଙ୍କ ଦ୍ୱିତୀୟ ପାଳିରେ ଏକ ତନ୍ଦ୍ରାଳସ ଜାପାନକୁ ଜାଗ୍ରତ କରିବାର ଦାୟିତ୍ୱ ସେ ନେଇଥିଲେ। ଏକଦା ପୃଥିବୀର ଦ୍ୱିତୀୟ ବୃହତ୍ତମ ଅର୍ଥନୀତି ରୂପେ ବିବେଚିତ ଜାପାନ କାଳ କ୍ରମେ ଏକ ଚଳଚଞ୍ଚଳତା-ଶୂନ୍ୟ ବଜାର, ନିରୁତ୍ସାହୀ କ୍ରେତା, ଏବଂ ସୁପ୍ତ ଷ୍ଟକ୍‌ ମାକେର୍ଟ କାରଣରୁ ସ୍ଥାଣୁ ହୋଇ ପଡ଼ିଥିଲା, ଯହିଁରେ ଶକ୍ତି ସଂଚାର କରିବା ଲାଗି ସେ ଏକ ତ୍ରିମୁଖୀ ଆର୍ଥିକ ସଂସ୍କାରର ପ୍ରବର୍ତ୍ତନ କଲେ, ଯାହା ‘ଆବେନୋମିକ୍‌ସ’ ଭାବେ ଖ୍ୟାତ। ଦେଶରେ ବିପୁଳ ପରିମାଣରେ ୟେନ୍‌ (ଜାପାନୀ ମୁଦ୍ରା) ଉପଲବ୍‌ଧ କରାଇବା ସହିତ ସରକାରୀ ବ୍ୟୟରେ ବୃଦ୍ଧି ଘଟାଇ ଏବଂ ଅନେକ ଢାଞ୍ଚାଗତ ପରିବର୍ତ୍ତନ ଆଣି ସେ ଜାପାନର ଅର୍ଥନୀତିକୁ ଚଳଚଞ୍ଚଳ କରିବାକୁ ଉଦ୍ୟମ କରିଥିଲେ, ଯାହା ତାଙ୍କ ଲକ୍ଷ୍ୟକୁ ଆଂଶିକ ପୂରଣ କରିବାରେ ସମର୍ଥ ହୋଇଥିଲା ସିନା, ଏହା ଦ୍ୱାରା ଜାପାନ ମାତ୍ରାଧିକ ଋଣଗ୍ରସ୍ତ ହୋଇପଡ଼ିଥିଲା, ଯହିଁରେ ଋଣ ପରିମାଣ ପହଞ୍ଚିଥିଲା ଜିଡିପିର ୨୪୦ ପ୍ରତିଶତରେ।

ସେହିଭଳି ଏକ ଶାନ୍ତିକାମୀ ବା ‘ପାସିଫିଷ୍ଟ୍‌’ ରାଷ୍ଟ୍ର ରୂପେ ଜାପାନର ସାଂବିଧାନିକ ଘୋଷଣା ସତ୍ତ୍ବେ ଜାପାନର ସାମରିକ ଶକ୍ତି ବୃଦ୍ଧି ଲାଗି ତାଙ୍କ ଦ୍ୱାରା ଅଧିକ ସରକାରୀ ବ୍ୟୟର ନିଷ୍ପତ୍ତି ସେଠାରେ ବିରୋଧର ସୂତ୍ରପାତ ମଧ୍ୟ କରିଥିଲା। କେବଳ ସେତିକି ନୁହେଁ, ୨୦୧୧ ମସିହାର ଭୟାବହ ସୁନାମିରେ ଆକ୍ରାନ୍ତ ଫୁକୁସିମା ଆଣବିକ ପ୍ରକଳ୍ପରୁ ଆଣବିକ ବିକିରଣର ଭୟାବହତା ପରିପ୍ରେକ୍ଷୀରେ ଜାପାନରେ ଆଣବିକ ପ୍ରକଳ୍ପଗୁଡ଼ିକର ଅସ୍ତିତ୍ୱ ଓ ଚଳମାନତା ନେଇ ସୃଷ୍ଟ ସଂଶୟକୁ ଦୂର କରି ସିନ୍‌ଜୋ ଆବେ ଆଣବିକ ଶକ୍ତିର ଉପଯୋଗିତା ସପକ୍ଷରେ ଛିଡ଼ା ହୋଇଥିଲେ। ଏହି ଭଳି କେତେକ ନିଷ୍ପତ୍ତି ତାଙ୍କୁ ବିବାଦୀୟ କରି ଦେଇଥିଲା। କେବଳ ସେତିକି ନୁହେଁ, ରାଜନୈତିକ ଚାତୁର୍ଯ୍ୟର ପରିଚୟ ଦେଇ ଦଳ ମଧ୍ୟରେ ତାଙ୍କ ବିରୋଧୀମାନଙ୍କୁ କଷ୍ଟସାଧ୍ୟ ବିଭାଗମାନରେ ମନ୍ତ୍ରୀ କରାଇ ସୂକ୍ଷ୍ମ ରୂପେ ସେମାନଙ୍କୁ ଦମନ କରିବା ଅଥବା ଗଣମାଧ୍ୟମକୁ ବଶମ୍ବଦ କରିବା ଲାଗି ୟଶିଡେ ସୁଗା ନାମଧାରୀ ଏଭଳି ଜଣେ ବ୍ୟକ୍ତିଙ୍କୁ ନିଯୁକ୍ତ କରିବା, ଯାହାଙ୍କ ‘ବୁଲ୍‌ଡଗ୍‌’ ତୁଲ୍ୟ ନଜର (ପ୍ରଖ୍ୟାତ ବ୍ରିଟିସ୍‌ ଖବରକାଗଜ ‘ଦ ଗାର୍ଡିଆନ୍‌’ର ଭାଷାରେ) ଗଣମାଧ୍ୟମକୁ ତ୍ରସ୍ତ ଓ ନିଷ୍ପ୍ରଭ କରି ରଖିଥିଲା; ତାଙ୍କୁ ଅଧିକ ବିବଦମାନ କରି ଦେଇଥିଲା।

ଆବେଙ୍କ ନିକଟତର ମହଲର କେତେକ ସଦସ୍ୟ କହିଥାଆନ୍ତି ଯେ ୨୦୨୦ ମସିହାରେ ଟୋକିଓ ଅଲିଂପିକ୍‌ସ ଉତ୍ସବରେ ସଭାପତିତ୍ୱ କରିବା ଥିଲା ତାଙ୍କର ଏକ ମହତ୍ତ୍ୱାକାଂକ୍ଷୀ ସ୍ୱପ୍ନ, ଯାହା ପୂରଣ ହେଉ ହେଉ ଅଳ୍ପକେ ରହିଯାଇଥିଲା। କୋଭିଡ୍‌ ପାନ୍‌ଡେମିକ୍‌ କାରଣରୁ ୨୦୨୦ ମସିହାଟି ଅଲିଂପିକ୍‌ସ ଶୂନ୍ୟ ହେବାକୁ ବାଧ୍ୟ ହୋଇଥିଲା, ଏବଂ ପର ବର୍ଷ ଦର୍ଶକ ଶୂନ୍ୟ ଷ୍ଟାଡିଅମଗୁଡ଼ିକରେ ଅଲିଂପିକ୍‌ସ କ୍ରୀଡ଼ା ଶୃଙ୍ଖଳା କୌଣସିମତେ ଅନୁଷ୍ଠିତ ହୋଇ ପାରିଥିଲେ ମଧ୍ୟ ସିନ୍‌ଜୋ ଆବେ ସେତିକି ବେଳକୁ ଶାସନ କ୍ଷମତା ହରାଇ ସାରିଥିଲେ। କୋଭିଡ୍‌ ପରିଚାଳନାଗତ ସରକାରୀ ଅଦକ୍ଷତା ଓ ଅନ୍ୟାନ୍ୟ କେତେକ କାରଣରୁ ତୀବ୍ର ବିରୋଧ ପରିପ୍ରେକ୍ଷୀରେ ସେ ୨୦୨୦ ମସିହା ଅଗଷ୍ଟ ମାସରେ ଇସ୍ତଫା ପ୍ରଦାନ କରି ଦେଇଥିଲେ। କିନ୍ତୁ ତା’ ସତ୍ତ୍ବେ ସିନ୍‌ଜୋ ଆବେ ତାଙ୍କ ମୃତ୍ୟୁ ପର୍ଯ୍ୟନ୍ତ ଥିଲେ ଜାପାନ ରାଜନୀତିର ଅନ୍ୟତମ ସର୍ବାଧିକ ପ୍ରଭାବଶାଳୀ ନେତା।

ଭାରତ ସହିତ ସିନ୍‌ଜୋ ଆବେଙ୍କ ସଂପର୍କ ଥିଲା ମଧୁର। ଚୀନର କ୍ରମବର୍ଦ୍ଧିଷ୍ଣୁ ପ୍ରଭାବକୁ ପ୍ରତିହତ କରିବା ଲାଗି ସିନ୍‌ଜୋ ଆବେ ୨୦୦୭ ମସିହାରେ ଯେଉଁ ଚତୁର୍ଦେଶୀୟ ସଂଗଠନ ‘କ୍ୱାଡ୍‌’ର ପରିକଳ୍ପନା କରିଥିଲେ, ତାର ଅନ୍ୟତମ ସଦସ୍ୟ ଥିଲା ଭାରତ, ଯେଉଁ ଅନୁଷ୍ଠାନ ‘କୋଭିଡ୍‌ ପାନ୍‌ଡେମିକ୍‌’ ପରିପ୍ରେକ୍ଷୀରେ ଅଧିକ ସକ୍ରିୟ ହୋଇ ଉଠିଛି। ୨୦୧୪ ମସିହା ଜାନୁଆରି ୨୬ରେ ସିନ୍‌ଜୋ ଆବେ ହୋଇଥିଲେ ଭାରତ ସରକାରଙ୍କ ଦ୍ୱାରା ଆମନ୍ତ୍ରିତ ସାଧାରଣତନ୍ତ୍ର ଦିବସର ବରେଣ୍ୟ ଅତିଥି; ଜଣେ ଜାପାନୀ ପ୍ରଧାନମନ୍ତ୍ରୀ ଭାବେ ଯାହା ପ୍ରଥମ। ଭାରତ ସରକାରଙ୍କ ଦ୍ୱାରା ତାଙ୍କୁ ‘ପଦ୍ମବିଭୂଷଣ’ ସମ୍ମାନ ଦ୍ୱାରା ମଧ୍ୟ ଭୂଷିତ କରାଯାଇଥିଲା।

ଏଠାରେ ଉଲ୍ଲେଖ ଥାଉ ଯେ ସିନ୍‌ଜୋ ଆବେଙ୍କ ହତ୍ୟା ଘଟଣା ପରେ ଜାପାନର ଇତିହାସ ପୃଷ୍ଠାରୁ ଅନେକ ରାଜନୈତିକ ହତ୍ୟାର ଚିତ୍ର ଜାପାନୀମାନଙ୍କ ସ୍ମୃତି ପଟଳରେ ଭାସି ବୁଲି ସେମାନଙ୍କୁ ମୁହ୍ୟମାନ କରି ପକାଇଛି। ପ୍ରକାଶ ଥାଉ କି ଦ୍ୱିତୀୟ ବିଶ୍ୱଯୁଦ୍ଧ ପୂର୍ବରୁ ଏକ ସମର ବିଳାସୀ ଏବଂ ହିଂସା-ଅନୁରକ୍ତ ଜାତି ରୂପେ ପରିଚିତ ଥିବା ଜାପାନୀଙ୍କ ଭିତରେ ରାଜନୈତିକ ହିଂସା ଓ ହତ୍ୟା ଥିଲା ଏକ ସାଧାରଣ ଘଟଣା। ତେବେ ଦ୍ୱିତୀୟ ବିଶ୍ୱଯୁଦ୍ଧ କାଳରେ ଦୁଇଟି ଆଣବିକ ବୋମା ଦ୍ୱାରା ବିଧ୍ୱସ୍ତ ହୋଇଯିବା ପରେ ଜାପାନୀ ଜନ ସମୁଦାୟ ଯେଉଁ ଚରିତ୍ରଗତ ଭୂ-ଚଳନ ଦେଇ ଗତି କରିଥିଲେ, ତହିଁରେ ସେମାନଙ୍କୁ ଏକ ଅତ୍ୟନ୍ତ ଶୃଙ୍ଖଳିତ, ନିଷ୍ଠାପର ଏବଂ ଶାନ୍ତ ଜାତି ରୂପେ ଦେଖିବାକୁ ମିଳିଥିିଲା, ଯେଉଁମାନେ ଯୁଦ୍ଧ ଦ୍ୱାରା ଚୂର୍ଣ୍ଣ ଜାପାନକୁ ପୁନର୍ବାର ଗଢ଼ି ଏକ ଅନନ୍ୟ ଉଚ୍ଚତାରେ ପହଞ୍ଚାଇ ଥିଲେ। ସୁତରାଂ, ବିଶ୍ୱଯୁଦ୍ଧ ପରବର୍ତ୍ତୀ ଜାପାନରେ ଅପରାଧର କ୍ଷୀଣ ଉପସ୍ଥିତି ଦେଖିବାକୁ ମିଳିଥାଏ, ଯେଉଁ ପରିପ୍ରେକ୍ଷୀରେ ସିନ୍‌ଜୋ ଆବେଙ୍କ ହତ୍ୟାକୁ ଏକ ବ୍ୟତିକ୍ରମ ରୂପେ ଦେଖାଯାଉଛି। କିନ୍ତୁ ସତ କହିଲେ ସ୍ୱଳ୍ପ ହେଲେ ମଧ୍ୟ ଜାପାନରେ ସମୟାନ୍ତରାଳରେ ଲୋମ ହର୍ଷଣକାରୀ ରାଜନୈତିକ ହିଂସା ଓ ହତ୍ୟାକାଣ୍ଡମାନ ସଂଘଟିତ ହୋଇଛି; ଉଦାହରଣ ସ୍ୱରୂପ ୨୦୦୨ ଅକେ୍ଟାବର ମାସରେ କୁକି ଇଶି ନାମଧାରୀ ବିରୋଧୀ ଦଳର ଜଣେ ପ୍ରଭାବୀ ସାଂସଦ ବା ୨୦୦୭ରେ ନାଗାସାକୀର ମେୟର ଇଚୋ ଇଟୋ ଅଥବା ୨୦୧୬ରେ ଇନ୍‌ଜେଇରୋ ଅନୁମା ନାମକ ଜଣେ ଲୋକପ୍ରିୟ ବିରୋଧୀଦଳର ନେତା; ଯେଉଁମାନେ ଆବେଙ୍କ ଭଳି ପ୍ରକାଶ୍ୟରେ କ୍ରୂର ହତ୍ୟାର ଶିକାର ହୋଇଥିଲେ।

ଜାପାନରେ ଘଟୁଥିବା ଅପରାଧରେ ମାରଣାସ୍ତ୍ର ଭାବେ ବନ୍ଧୁକର ବ୍ୟବହାର କମ୍‌ ହୋଇଥାଏ, ଯାହାର କାରଣ ସେଠାକାର କଠୋର ବନ୍ଧୁକ ନିରୋଧକ ଆଇନ। ସିନ୍‌ଜୋ ଆବେଙ୍କ ହତ୍ୟାରେ କିନ୍ତୁ ଗୁଳିର ଶବ୍ଦ ଶୁଭିଲା। ଅନୁସନ୍ଧାନରୁ ଲବ୍‌ଧ ତଥ୍ୟାନୁସାରେ ଆତତାୟୀ ଜଣକ ନିଜେ ସେହି ଆଗ୍ନେୟାସ୍ତ୍ରକୁ ନିର୍ମାଣ କରିଥିଲା। ଆବେଙ୍କ କେତେକ ନୀତି ପ୍ରତି ତାର ବିରୋଧ ଏହି ହତ୍ୟାକାଣ୍ଡର କାରଣ ବୋଲି ସେ ସ୍ବୀକାର କରିଛି। ଆବେ ଏକ ନିର୍ବାଚନୀ ପ୍ରଚାରରେ ଥିବାରୁ ତାଙ୍କ ଅନ୍ତିମ କ୍ଷଣର ଦୃଶ୍ୟ ଟେଲିଭିଜନ କ୍ୟାମେରାରେ ବନ୍ଦୀ ହୋଇ ସାରା ପୃଥିବୀରେ ପ୍ରସାରିତ ହୋଇଛି। ସେହି ସମୟରେ ସୃଷ୍ଟ ଗୁଳିକାଣ୍ଡର ଶବ୍ଦ ବାରମ୍ବାର ଗୁଂଜରିତ ହୋଇ ବନ୍ଧୁକ-ହିଂସା ଅନଭ୍ୟସ୍ତ ଜାପାନକୁ ଏବଂ ତା’ ସହିତ ପୃଥିବୀକୁ ତଟସ୍ଥ ମଧ୍ୟ କରିଛି।

ସମ୍ବନ୍ଧିତ ଖବର