ସଗର ବ˚ଶ

ଫରାସୀ ଅର୍ଥନୀତିଜ୍ଞ ଥମାସ୍‌ ପିକେଟି ତାଙ୍କର ୨୦୧୩ରେ ପ୍ରକାଶିତ ଚହଳ ସୃଷ୍ଟିକାରୀ ପୁସ୍ତକ ‘କ୍ୟାପିଟାଲ୍‌ ଇନ୍‌ ଦି ଟ୍ବେଣ୍ଟିଫାଷ୍ଟ ସେଞ୍ଚୁରି’ (‘ଏକବି˚ଶ ଶତାବ୍ଦୀରେ ପୁଞ୍ଜି’)ରେ ପୃଥିବୀରେ ଜନସ˚ଖ୍ୟାର ଗତି ସମ୍ପର୍କରେ ଏକ କୌତୂହଳଜନକ ଚିତ୍ର ପ୍ରଦାନ କରିଥିଲେ। ଏହାର ଏକ ଅ˚ଶ ସ୍ବରୂପ ସେ ଦର୍ଶାଇଥିଲେ ଯେ ୧୭୮୦ ସାଲରେ ପଶ୍ଚିମ ଇଉରୋପର ଜନସ˚ଖ୍ୟା ୧୦୦ ନିୟୁତ (୧୦ କୋଟି) ଅତିକ୍ରମ କରି ସାରିଥିଲା। ସେତେବେଳେ ଉତ୍ତର ଆମେରିକାର ଜନସ˚ଖ୍ୟା ଥିଲା ମାତ୍ର ପ୍ରାୟ ୩ ନିୟୁତ। ୨୦୧୦ ବେଳକୁ ପଶ୍ଚିମ ଇଉରୋପ୍‌ର ଜନସ˚ଖ୍ୟା ହୋଇଥିଲା ୪୧୦ ନିୟୁତରୁ ସାମାନ୍ୟ ଅଧିକ, ଅର୍ଥାତ୍‌ ପୂର୍ବର ପ୍ରାୟ ଚାରି ଗୁଣରୁ କିଛି ଅଧିକ। ସେଇ ସମୟ ମଧୢରେ ଉତ୍ତର ଆମେରିକାର ଜନସ˚ଖ୍ୟା ହୋଇଯାଇଥିଲା ୩୫୦ ନିୟୁତ, ଅର୍ଥାତ୍‌ ପୂର୍ବର ପାଖାପାଖି ୧୨୦ ଗୁଣ!

ପିକେଟି ଦର୍ଶାଇଛନ୍ତି ଯେ ଉତ୍ତର ଆମେରିକାରେ ବହୁ ସ˚ଖ୍ୟକ ଦେଶାନ୍ତର ଗମନକାରୀଙ୍କ ପ୍ରବେଶ ଦୁଇ ଅଞ୍ଚଳ ମଧୢରେ ଜନସ˚ଖ୍ୟା ବୃଦ୍ଧି ହାରରେ ପରିଲକ୍ଷିତ ତାରତମ୍ୟର ଏକ କାରଣ ହୋଇଥିଲେ ହେଁ, ଏହାର ଅସଲ କାରଣ ହେଉଛି ଇଉରୋପ ତୁଳନାରେ ଆମେରିକାରରେ ଦେଖାଯାଉଥିବା ଉଲ୍ଲେଖନୀୟ ଭାବରେ ଉଚ୍ଚତର ସନ୍ତାନ ଜନ୍ମ ହାର। ସାଧାରଣ ଭାଷାରେ କହିଲେ, ଇଉରୋପୀୟମାନେ ସନ୍ତାନ ଜନ୍ମ କରିବାକୁ କୁଣ୍ଠିତ ହେବା ବେଳେ ଆମେରିକୀୟମାନେ ଉତ୍ସାହର ସହ ସନ୍ତାନ ଉତ୍ପାଦନ କରିଥାନ୍ତି। ଉଭୟ ଅଞ୍ଚଳର ପ୍ରଜନନ ପ୍ରବଣତାରେ ଦେଖାଯାଇଥିବା ଏଭଳି ତାରତମ୍ୟର କାରଣ ଅନୁସନ୍ଧାନ କରିବାକୁ ଯାଇ ପିକେଟି ଏକ ପ୍ରଶ୍ନ ପଚାରିଛନ୍ତି: ଆମେରିକୀୟମାନେ କ’ଣ ଭବିଷ୍ୟତ ସମ୍ବନ୍ଧରେ ଇଉରୋପୀୟମାନଙ୍କ ଅପେକ୍ଷା ଅଧିକ ଆଶାବାଦୀ ହୋଇଥିବାରୁ ଅଧିକ ସ˚ଖ୍ୟାରେ ସନ୍ତାନ ଉତ୍ପାଦନରେ ପ୍ରବୃତ୍ତ ହୋଇଛନ୍ତି କି? ଭବିଷ୍ୟତରେ ସେଠାରେ ଅର୍ଥନୈତିକ ଅଭିବୃଦ୍ଧିର ଜୟଯାତ୍ରା ଅବ୍ୟାହତ ରହି ଯେଉଁ ସମୃଦ୍ଧି ଆଣିବାରେ ଲାଗିବ, ତାହା ସେମାନଙ୍କର ସନ୍ତାନ ସନ୍ତତିଙ୍କର ଜୀବନକୁ ସୁଖମୟ ଓ ଭବିଷ୍ୟତକୁ ସୁରକ୍ଷିତ କରିବ ବୋଲି ବିଶ୍ବାସ କରୁଥିବା ଯୋଗୁଁ ଆମେରିକୀୟମାନେ ସନ୍ତାନ ସନ୍ତତିମାନଙ୍କୁ ଅଧିକ ସ˚ଖ୍ୟାରେ ସ˚ସାରକୁ ଆଣିବାକୁ ପଛାଇ ନାହାନ୍ତି କି?

ଭାରତର ଜନସ˚ଖ୍ୟା ବୃଦ୍ଧି ସମ୍ବନ୍ଧରେ ସଦ୍ୟ ପ୍ରକାଶିତ ଜାତିସ˚ଘର ଏକ ପୂର୍ବାନୁମାନ ବର୍ତ୍ତମାନ ସୃଷ୍ଟି କରିଥିବା ଚହଳ ଯେଉଁମାନଙ୍କର ଦୃଷ୍ଟି ଆକର୍ଷଣ କରିଥିବ, ସେମାନଙ୍କ ଠାରେ ପିକେଟିଙ୍କର ଏହି ପ୍ରଶ୍ନ ଏକ ପ୍ରତିଧ୍ବନି ସୃଷ୍ଟି କରିପାରେ। ‘ଵର୍ଲଡ୍‌ ପପୁଲେସନ୍‌ ପ୍ରସ୍‌ପେକ୍ଟସ୍‌ ୨୦୨୨’ ନାମକ ଏହି ରିପୋର୍ଟ ଅନୁସାରେ ଆସନ୍ତା ବର୍ଷ, ୨୦୨୩ରେ ଭାରତର ଜନସ˚ଖ୍ୟା ଚୀନ୍‌ର ଜନସ˚ଖ୍ୟାକୁ ଅତିକ୍ରମ କରି ଭାରତକୁ ପୃଥିବୀର ସର୍ବାଧିକ ଜନବହୁଳ ଦେଶରେ ପରିଣତ କରିବାକୁ ଯାଉଛି। ଭାରତର ବର୍ତ୍ତମାନ ଜନସ˚ଖ୍ୟା ହେଉଛି ୧୪୧ କୋଟି ୨୦ ଲକ୍ଷ; ଚୀନ୍‌ର ବର୍ତ୍ତମାନ ଜନସ˚ଖ୍ୟା ହେଉଛି ୧୪୨ କୋଟି ୬୦ ଲକ୍ଷ (ଅବଶ୍ୟ କୋଭିଡ୍‌ ପାଣ୍ତେମିକ୍‌ ଯୋଗୁଁ ୨୦୨୦ରେ ଚୀନ୍‌ରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ଜନଗଣନା ତଥା ୨୦୨୧ରେ ଭାରତରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ଜନଗଣନା କରାଯାଇପାରିନାହିଁ; ଏହି ସ˚ଖ୍ୟା ଗୁଡ଼ିକ ହେଉଛି ପରିସ˚ଖ୍ୟାନ ବିଜ୍ଞାନ ସମ୍ମତ ଆକଳନମାନ)। ଉଭୟେ ପଡ଼ୋଶୀ ଦେଶଙ୍କର ଜନସ˚ଖ୍ୟା ମଧୢର ଥିବା ଏହି ସ˚କୀର୍ଣ୍ଣ ତଫାତ୍‌ ଆସନ୍ତା ବର୍ଷ ନିଶ୍ଚିହ୍ନ ହୋଇ ଏକ ନୂତନ ତଫାତ୍‌ର ଉନ୍ମେଷ ଘଟିବାକୁ ଯାଉଛି, ଯାହା ଭାରତର ବୃହତ୍ତର ଓ ଚୀନ୍‌ର କ୍ଷୁଦ୍ରତର ଜନସ˚ଖ୍ୟା ମଧୢରେ ଦେଖାଦେବ।

ଆଜିକୁ ୭୫ ବର୍ଷ ତଳେ ଭାରତ ଯେତେବେଳେ ବ୍ରିଟିସ୍‌ ଶାସନ କବଳରୁ ମୁକୁଳି ଏକ ସ୍ବାଧୀନ ସାର୍ବଭୌମ ରାଷ୍ଟ୍ରରେ ପରିଣତ ହେଲା, ସେତେବେଳର ଚିତ୍ର ସହିତ ବର୍ତ୍ତମାନର ଏହି ଚିତ୍ରକୁ ତୁଳନା କରି ଦେଖିଲେ ଆଶ୍ଚର୍ଯ୍ୟ ନ ହୋଇ ରହିହୁଏ ନାହିଁ। ୧୯୪୭ରେ ଭାରତର ଲୋକସ˚ଖ୍ୟା ଥିଲା ପ୍ରାୟ ୩୪ କୋଟି ମାତ୍ର। ଭାରତବର୍ଷ ନାମକ ଏହି ପ୍ରାଚୀନ ସଭ୍ୟତା ଏକ ସୁଦୀର୍ଘ ଇତିହାସ ଦେଇ ଗତି କରିବା ପରେ ବି˚ଶ ଶତାବ୍ଦୀର ମଧୢ ସମୟରେ ଯାଇ ତା’ର ଜନସ˚ଖ୍ୟା ଏହି ନିଶାଣ ଖୁଣ୍ଟି ଛୁଇଁବାରେ ସଫଳ ହୋଇଥିଲା। ଏହି ୩୪ କୋଟି ସ˚ଖ୍ୟାରେ ପହଞ୍ଚିବାକୁ ଭାରତର ଜନସ˚ଖ୍ୟାକୁ ହଜାର ହଜାର ବର୍ଷ ଲାଗିଥିବା ବେଳେ ପରବର୍ତ୍ତୀ ମାତ୍ର ୭୫ ବର୍ଷ ସମୟରେ ତାହା ଚାରିଗୁଣରୁ ଅଧିକ ହୋଇଯାଇଛି।

ଆଧୁନିକ ସ୍ବାଧୀନ ଭାରତର ଜନସ˚ଖ୍ୟାରେ ଘଟିଥିବା ଏହି ଚମକପ୍ରଦ ବୃଦ୍ଧିର କାରଣ କ’ଣ ହୋଇପାରେ? ଆମେ ଯଦି ପିକେଟିଙ୍କ ପୂର୍ବବର୍ଣ୍ଣିତ ଅନୁଶୀଳନକୁ ଅନୁସରଣ କରିବା, ତେବେ ଆମ ସମ୍ମୁଖରେ ଭାରତରେ ବର୍ତ୍ତମାନ ଏ ଯେଉଁ ସଗର ବ˚ଶ ସୁଲଭ ବିଶାଳ ଜନସ˚ଖ୍ୟାର ଆବିର୍ଭାବ ଘଟିଛି (ପୁରାଣ ଅନୁସାରେ ଇକ୍ଷ୍ବାକୁ ବ˚ଶର ରାଜା ସଗରଙ୍କର ପୁତ୍ର ସ˚ଖ୍ୟା ଥିଲା ୬୦ ହଜାର!), ତାହାର ଯାହା ଏକ ସମ୍ଭାବ୍ୟ କାରଣ ରୂପେ ଉଭା ହୋଇଥାଏ, ତାହା ହେଉଛି- ସେଇ ସ୍ବାଧୀନତା। ୧୯୪୭ରେ ଭାରତ ସିନା ଅଢ଼େଇ ଶହ ବର୍ଷର ବ୍ରିଟିସ୍‌ ଶାସନ କବଳରୁ ମୁକ୍ତି ଲାଭ କଲା, ଭାରତ କିନ୍ତୁ ଦୀର୍ଘ ପ୍ରାୟ ଏକ ହଜାର ବର୍ଷ ଧରି ବହିରାଗତ ଆକ୍ରମଣକାରୀମାନଙ୍କର ଶାସନରେ ପରାଧୀନ ଅବସ୍ଥାରେ ଥିଲା। ବୋଧହୁଏ ଏତେ ଦୀର୍ଘ କାଳର ପରାଧୀନତା ପରେ ଯେତେବେଳେ ଭାରତୀୟମାନେ ହଠାତ୍‌ ନିଜକୁ ଏକ ସ୍ବାଧୀନ ଦେଶର ନାଗରିକ ରୂପେ ଆବିଷ୍କାର କଲେ ସେତେବେଳେ ଭବିଷ୍ୟତ ସେମାନଙ୍କୁ ସେଇଭଳି ସମ୍ଭାବନାମୟ ବୋଧ ହୋଇଛି ଯେଉଁଭଳି ଆମେରିକୀୟମାନଙ୍କ କ୍ଷେତ୍ରରେ ଘଟିଛି ବୋଲି ପିକେଟି ବିଶ୍ବାସ କରନ୍ତି। ସ୍ବାଧୀନ ଭାରତରେ ନିଜ ସନ୍ତାନସନ୍ତତିଙ୍କ ଭବିଷ୍ୟତ ସୁରକ୍ଷିତ ବୋଲି ନିଶ୍ଚିତ ହୋଇ ଭାରତୀୟମାନେ ସେମାନଙ୍କର ପ୍ରଜନନ କ୍ଷମତା ଉପରୁ ଲଗାମ ହଟାଇଦେଲେ ବୋଧହୁଏ। ସ୍ବାଧୀନ ଦେଶର ଲୋକପ୍ରିୟ ଜନମଙ୍ଗଳକାମୀ ସରକାର ମଧୢ ଜନସ୍ବାସ୍ଥ୍ୟ ସେବାରୁ ଆରମ୍ଭ କରି ମାତୃମଙ୍ଗଳ, ଶିଶୁକଲ୍ୟାଣ ଆଦି କ୍ଷେତ୍ରରେ ଗ୍ରହଣ କରିଥିବା ପଦକ୍ଷେପମାନ ମୃତ୍ୟୁ ହାରରେ ହ୍ରାସ ହଟାଇବା ସଙ୍ଗେ ସଙ୍ଗେ ଦେଶର ଅର୍ଥନୈତିକ ଅଭିବୃଦ୍ଧି ସହିତ ତାଳ ଦେଇ ଭାରତୀୟମାନଙ୍କର ହାରାହାରି ଆୟୁଷରେ ମଧ୍ୟ ବୃଦ୍ଧି ଘଟିବାରେ ଲାଗିଛି, ଯାହା ମଧୢ ହେଉଛି ଜନସ˚ଖ୍ୟା ବୃଦ୍ଧିର ଅନ୍ୟ ଏକ କାରଣ।

ତେବେ ଏଭଳି ଲଗାମଛଡ଼ା ଜନସ˚ଖ୍ୟା ବୃଦ୍ଧି ଦେଶର ସୀମିତ ସମ୍ବଳ ଉପରେ ଯେ ଅସହନୀୟ ଚାପ ସୃଷ୍ଟି କରିପାରେ, ସ୍ବାଧୀନ ଭାରତର ସରକାର ଆରମ୍ଭରୁ ସେ ସମ୍ବନ୍ଧରେ ସଚେତନ ହୋଇ ଜନ୍ମ ନିୟନ୍ତ୍ରଣ ବା ପରିବାର ନିୟୋଜନକୁ ଏକ ଜାତୀୟ ଉଦ୍ୟମରେ ପରିଣତ କରିଛନ୍ତି। ଏହାର ଫଳ ସ୍ବରୂପ ତଥା ଏକ ପ୍ରଗତିଶୀଳ ସମାଜରେ ସଚେତନତା ବୃଦ୍ଧି ଯୋଗୁଁ ଭାରତୀୟ ନାରୀମାନଙ୍କର ସନ୍ତାନ ଜନ୍ମ ହାର (ଟିଏଫ୍‌ଆର‌୍‌)ରେ କ୍ରମଶଃ ହ୍ରାସ ଘଟିଚାଲି ବର୍ତ୍ତମାନ ତାହା ୨.୦ରେ ପହଞ୍ଚିଲାଣି, ଯାହା ଚଳିତ ଜନସ˚ଖ୍ୟାକୁ ଅକ୍ଷୁଣ୍ଣ ରଖିବା ପାଇଁ ଆବଶ୍ୟକ ‘ଟିଏଫ୍‌ଆର‌୍‌’ ୨.୧ ଠାରୁ ମଧୢ କମ୍‌। କିନ୍ତୁ ଏଥିସତ୍ତ୍ବେ ଭାରତର ଜନସ˚ଖ୍ୟା ଚୀନ୍‌କୁ ଟପିବାର କାରଣ ହେଉଛି ଅତୀତରେ ଚୀନ କାର୍ଯ୍ୟକାରୀ କରିଥିବା କଠୋର ‘ଗୋଟିଏ ସନ୍ତାନ’ ନୀତି। ବିଶେଷଜ୍ଞମାନେ କିନ୍ତୁ ଏକମତ ଯେ ଭାରତ ଅବଲମ୍ବନ କରିଥିବା କ୍ରମଶଃ ଓ ଇଚ୍ଛାମୂଳକ ଜନ୍ମ ନିୟନ୍ତ୍ରଣ ନୀତି କଠୋର ଚୀନା ନୀତି ଠାରୁ ଅଧିକ ଉପାଦେୟ ହୋଇଛି, କାରଣ ଚୀନ୍‌ର ଜନସ˚ଖ୍ୟାରେ ଏଥିଯୋଗୁଁ ନିର୍ଭରଶୀଳ ଶୁକ୍ଳକେଶଧାରୀ/ଧାରିଣୀମାନଙ୍କ ଅନୁପାତରେ ଯେଉଁ ଭଳି ବିସ୍ଫୋରକ ବୃଦ୍ଧି ଦେଖା ଦେଇଛି, ଭାରତରେ ସେଭଳି ଘଟିନାହିଁ। ଅପରପକ୍ଷେ ଭାରତର ବିଶାଳ କର୍ମକ୍ଷମ ପିଢ଼ି ଭାରତକୁ ଏକ ଅର୍ଥନୈତିକ ଶକ୍ତିରେ ପରିଣତ ହେବାରେ ସହାୟକ ହେଉଛି। ପ୍ରବାଦ ଅନୁସାରେ ସଗର ବ˚ଶ ସବୁ ଖାଇ ଧ୍ବ˚ସ କରିଦିଅନ୍ତି; ଭାରତର ଏହି ସଗର ବ˚ଶ କିନ୍ତୁ ଭାରତକୁ ପୃଥିବୀର ପଞ୍ଚମ ବୃହତ୍ତମ ଅର୍ଥନୀତିରେ ପରିଣତ କରିବାକୁ ଯାଉଛନ୍ତି।

ସମ୍ବନ୍ଧିତ ଖବର