ଆମେରିକାର ପୂର୍ବତନ ରାଷ୍ଟ୍ରପତି ରିଚାର୍ଡ ନିକ୍ସନ୍ ତାଙ୍କର ଶାସନ କାଳରେ ଯେଉଁ ସବୁ ପଦକ୍ଷେପ ନେଇଥିଲେ, ସେଥିପାଇଁ ଉଭୟ ସୁଖ୍ୟାତି (ଯେମିତି ଭିଏତ୍ନାମ ଯୁଦ୍ଧରୁ ଆମେରିକାର ଅପସାରଣ ନିଷ୍ପତ୍ତି) ଓ କୁଖ୍ୟାତି (ଯେମିତି ଵାଟର୍ଗେଟ୍ କେଳେଙ୍କାରୀ) ଅର୍ଜନ କରିଥିଲେ। ତେବେ ୧୯୭୧ ଅଗଷ୍ଟରେ ରାଷ୍ଟ୍ରପତି ନିକ୍ସନ୍ ନେଇଥିବା ଏକ ନିଷ୍ପତ୍ତି ସୁଖ୍ୟାତି ତାଲିକାରେ ଅନ୍ତର୍ଭୁକ୍ତ ହେବ କି କୁଖ୍ୟାତି ତାଲିକାରେ ଅନ୍ତର୍ଭୁକ୍ତ ହେବ, ତାହା ସମ୍ପୃକ୍ତ ମନ୍ତବ୍ୟ ପ୍ରଦାନକାରୀଙ୍କର ଏକ ନିର୍ଦ୍ଦିଷ୍ଟ କିସମର ମୁଦ୍ରା ବ୍ୟବସ୍ଥା ପ୍ରତି ଥିବା ଆଭିମୁଖ୍ୟ ଉପରେ ନିର୍ଭର କରିଥାଏ। ଏହି ବ୍ୟବସ୍ଥାର ନାମ ହେଉଛି- ‘ଗୋଲ୍ଡ୍ ଷ୍ଟାଣ୍ତାର୍ଡ’ ବା ‘ସ୍ବର୍ଣ୍ଣ ମାନ’।
ସେ ପର୍ଯ୍ୟନ୍ତ ଆମେରିକା ଅନୁସରଣ କରି ଆସୁଥିବା ଏହି ବ୍ୟବସ୍ଥା ଅନୁସାରେ ଆମେରିକୀୟ ମୁଦ୍ରା ଡଲାର୍ ଏକ ନିର୍ଦ୍ଦିଷ୍ଟ ବିନିମୟ ମୂଲ୍ୟରେ ସୁନା ସହିତ ପ୍ରତିବଦଳକ୍ଷମ ଥିଲା; ଏହି ବିନିମୟ ହାର ଥିଲା- ସୁନା ଆଉନ୍ସ ପିଛା ୩୫ ଡଲାର୍। କୌଣସି ଏକ ମୁଦ୍ରାର ସୁନା ସହିତ ଏପରି ଘନିଷ୍ଠ ଓ ସ୍ଥିର ସମ୍ପର୍କ ସ୍ଥାପନ ପଛରେ ରହିଥିବା ବିଭିନ୍ନ ଉଦ୍ଦେଶ୍ୟ ମଧୢରୁ ଗୋଟିିଏ ହେଉଛି ଏହା ଯେ ଏହା ସମ୍ପୃକ୍ତ ମୁଦ୍ରା ପ୍ରତି ବିଶ୍ବାସ ଦୃଢ଼ୀଭୂତ କରିଥାଏ। ସତେ ଯେମିତି ‘ନୋବ୍ଲ ମେଟାଲ୍’ ବା ‘ମହାନ୍ ଧାତୁ’ ରୂପେ ପରିଚିତ ଏହି ପୀତ ଧାତୁର ଅନ୍ତରଙ୍ଗ ସ୍ପର୍ଶ ‘କୁସୁମ ପରଶେ ପଟ ନିସ୍ତରେ’ ନ୍ୟାୟରେ ଡଲାର୍କୁ ଏକ ମହାନ୍ ମୁଦ୍ରାରେ ପରିଣତ କରୁଥିଲା।
ନିକ୍ସନ୍ ତାଙ୍କର ଉପରୋକ୍ତ ନିଷ୍ପତ୍ତି ଦ୍ବାରା ଡଲାର୍ ଓ ସୁନା ମଧ୍ୟରେ ପ୍ରଚଳିତ ପ୍ରତିବଦଳ ବ୍ୟବସ୍ଥାରେ ପୂର୍ଣ୍ଣଚ୍ଛେଦ ଟାଣିଦେଲେ। ତାଙ୍କର ଉଦ୍ଦେଶ୍ୟ- ଆଉ ସୁନାକୁ ଆଶ୍ରା କରି ନୁହେଁ, ଶକ୍ତିଶାଳୀ ଡଲାର୍ ଏଣିକି ନିଜ ଗୋଡ଼ରେ ଛିଡ଼ା ହେବ। କହିବା ବାହୁଲ୍ୟ, ଡଲାର୍ର ସ୍ବାଧୀନ ବଳ ଉପରେ ନିକ୍ସନ୍ ସ୍ଥାପନ କରିଥିବା ଭରସା ସେବେ ଠାରୁ ସମ୍ପୂର୍ଣ୍ଣ ଯଥାର୍ଥ ପ୍ରତିପାଦିତ ହୋଇ ଆସିଛି; ଭାରତ ସମେତ ପୃଥିବୀର ସମସ୍ତ ଦେଶ ଆନ୍ତର୍ଜାତିକ ବାଣିଜ୍ୟ କାରବାର ଡଲାର୍ ମାଧୢମରେ ହିଁ କରିଥାନ୍ତି; ଡଲାର୍ ଆକାରରେ ନିଜର ବୈଦେଶିକ ମୁଦ୍ରାପାଣ୍ଠି ମହଜୁଦ କରି ନିଜକୁ ନିରାପଦ ମନେ କରିଥାନ୍ତି- ଏପରିକି ଚୀନ୍ ମଧୢ ଏଥିରୁ ବାଦ୍ ପଡ଼ିନଥାଏ। ଏହି କାରଣରୁ ଡଲାର୍ ସହିତ ନିଜ ଦେଶର ମୁଦ୍ରାର ବିନିମୟ ହାର କେବଳ ବିତ୍ତୀୟ କ୍ଷେତ୍ରରେ ନୁହେଁ, ଜନମାନସରେ ମଧୢ ସର୍ବଦା ଏକ ଉତ୍କଣ୍ଠାପୂର୍ଣ୍ଣ ସ୍ଥାନ ଅଧିକାର କରିଥାଏ। ଏକ ଦେଶର ଭଣ୍ତାରରେ ସୁନା ଥିଲେ, ତାହା ଯେଉଁଭଳି ଅର୍ଥନୈତିକ ନିରାପତ୍ତା ଭାବ ସୃଷ୍ଟି କରିଥାଏ, ପାଖରେ ଡଲାର୍ ଥିଲେ ଅନୁରୂପ ନିରାପତ୍ତା ଭାବ ସୃଷ୍ଟି ହୋଇଥାଏ।
ଆମେରିକୀୟ ଡଲାର୍ ପ୍ରତି ସାରା ବିଶ୍ବ ପ୍ରକଟ କରିଆସିଥିବା ଏହି ପ୍ରଶ୍ନହୀନ ଆସ୍ଥାକୁ ଏବେ ଯେଉଁ ଏକ ଘଟଣା ଦୋହଲାଇ ଦେଇଛି, ତାହା ହେଉଛି ୟୁକ୍ରେନ୍ ଯୁଦ୍ଧ। ଆକ୍ରମଣକାରୀ ରୁଷିଆକୁ ଶିକ୍ଷା ଦେବା ପାଇଁ ଆମେରିକା ରୁଷିଆ ବିରୋଧରେ ଅର୍ଥନୈତିକ ବାସନ୍ଦ ଲାଗୁ କରିବା ସହିତ ବିଦେଶରେ ଥିବା ରୁଷୀୟ ସମ୍ପତ୍ତି ସବୁକୁ ଅଚଳ କରି ଦେଇଛି। ଆମେରିକା ପୂର୍ବରୁ ଅନ୍ୟ ଦେଶମାନଙ୍କ ପ୍ରତି ଏଭଳି ବାସନ୍ଦ ପ୍ରୟୋଗ କରି ଆସିଥିଲେ ହେଁ (ଯେମିତି ଅତୀତରେ ଇରାନ୍ ପ୍ରତି), ତାହା ଡଲାର୍ର ଆନ୍ତର୍ଜାତିକ ଗ୍ରହଣୀୟତା ପ୍ରତି ଏଭଳି ସନ୍ଦେହ ସୃଷ୍ଟି କରି ନ ଥିଲା, ଯାହା ରୁଷିଆ ବିରୋଧରେ ଆମେରିକାର ଏହି ପଦକ୍ଷେପ ଆରମ୍ଭ କରିଛି। କାରଣ, ଏହା ହେଉଛି ସର୍ବପ୍ରଥମ ଘଟଣା ଯେଉଁଥିରେ ଆମେରିକା ଏକ ଆଣବିକ ଅସ୍ତ୍ରଶସ୍ତ୍ର ଅଧିକାରୀ ଦେଶ ବା ଆଣବିକ ଶକ୍ତି ବିରୋଧରେ ଏଭଳି ପଦକ୍ଷେପ ନେଇଛି। ଏଥିରେ ତେଣୁ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ଯେ, ଆମେରିକାର ପକ୍ଷଭୁକ୍ତ ପଶ୍ଚିମ ଇଉରୋପକୁ ଛାଡ଼ିଦେଲେ ପୃଥିବୀର ଅଧିକା˚ଶ ଦେଶ ବର୍ତ୍ତମାନ ଡଲାର୍ ଉପରେ ସେମାନଙ୍କର ନିର୍ଭରଶୀଳତା ହ୍ରାସ କରିବାର ଉପାୟ ଖୋଜିବାକୁ ଆରମ୍ଭ କଲେଣି। ସେମାନେ ଆଶଙ୍କା କରୁଛନ୍ତି, ଯଦି ରୁଷିଆ ଭଳି ଏକ ପ୍ରମୁଖ ଆଣବିକ ଶକ୍ତି ବିରୋଧରେ ଆମେରିକା ଏଭଳି କାର୍ଯ୍ୟାନୁଷ୍ଠାନ କରିପାରୁଛି, ସେମାନେ କିବା ଛାର! ଆମେରିକାର ରାଜନୈତିକ ବିଚାର ସହିତ ଏକମତ ନ ହେଲେ ଆମେରିକା ଯେ ସମ୍ପୃକ୍ତ ଦେଶ ବିରୋଧରେ ସେଇ ଡଲାରକୁ ଓଲଟ ଅସ୍ତ୍ର ରୂପେ ପ୍ରୟୋଗ ନ କରିବ, କିଏ କହିବ?
ଠିକ୍ ଏଇ ଭାଷାରେ ପ୍ରକାଶ କରିନଥିଲେ ମଧୢ ଭାରତର କେନ୍ଦ୍ରୀୟ ବ୍ୟାଙ୍କ ‘ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ତିଆ’ ଏବେ କେତେକ ଆନ୍ତର୍ଜାତିକ ବାଣିଜ୍ୟ କାରବାରରେ ଇନ୍ଭଏସ୍ ପ୍ରସ୍ତୁତି, ପାଉଣା ପୈଠ, ଏବ˚ ଆମଦାନି ଓ ରପ୍ତାନି କାରବାରର ମାଧୢମ ଆକାରରେ ଡଲାର୍ ବଦଳରେ ଟଙ୍କାର ବ୍ୟବହାର ପାଇଁ ପ୍ରଦାନ କରିଥିବା ଅନୁମୋଦନର ଉଦ୍ଦେଶ୍ୟ ଯେ ଡଲାର୍ ଉପରେ ଆମର ନିର୍ଭରଶୀଳତା କ୍ରମଶଃ ହ୍ରାସ କରି ଭାରତୀୟ ମୁଦ୍ରା ଟଙ୍କାକୁ କ୍ରମେ ଏକ ଆନ୍ତର୍ଜାତିକ ମୁଦ୍ରାରେ ପରିଣତ କରିବା, ଏଥିରେ ସନ୍ଦେହ ନାହିଁ। ଆଜିର ପ୍ରଚଳିତ ଭାଷା ବ୍ୟବହାର କରି କୁହାଯାଇପାରେ ଯେ ଏ କ୍ଷେତ୍ରରେ ମଧୢ ଭାରତ ଆତ୍ମନିର୍ଭରତା ହାସଲ କରିବାକୁ ଉଦ୍ୟମ ଆରମ୍ଭ କରିଛି।
ଭାରତର ଏଭଳି ଉଚ୍ଚାକାଙ୍କ୍ଷା ମଧୢ ଅସ୍ବାଭାବିକ ନୁହେଁ। ଡଲାର୍ ହିସାବରେ ଭାରତ ଖୁବ୍ ଅଳ୍ପ ଦିନ ମଧୢରେ ବ୍ରିଟେନ୍କୁ ଅତିକ୍ରମ କରି ପୃଥିବୀର ପଞ୍ଚମ ବୃହତ୍ତମ ଅର୍ଥନୀତିରେ ପରିଣତ ହେବାକୁ ଉଦ୍ୟତ ହୋଇଥିଲେ ହେଁ, ମୁଦ୍ରାର ପ୍ରକୃତ କ୍ରୟ ଶକ୍ତିକୁ ଯଦି ମାପକାଠି ରୂପେ ବ୍ୟବହାର କରାଯାଏ (‘ପର୍ଚେଜିଙ୍ଗ୍ ପାଵାର ପ୍ୟାରିଟି’), ତେବେ ସ୍ବୀକାର କରିବାକୁ ହେବ ଯେ ଭାରତ ବର୍ତ୍ତମାନ ପୃଥିବୀର ତୃତୀୟ ବୃହତ୍ତମ ଅର୍ଥନୀତିର ସ୍ଥାନ ହାସଲ କରିସାରିଲାଣି। ଏହାର ତାତ୍ପର୍ଯ୍ୟ ହୃଦୟଙ୍ଗମ କରିବାକୁ ହେଲେ ମନେ ରଖିବାକୁ ହେବ ଯେ ବର୍ତ୍ତମାନ ଗୋଟିଏ ଡଲାର୍ ଦ୍ବାରା ଆମେରିକାରେ ଯେତିକି ଜିନିଷପତ୍ର କ୍ରୟ କରାଯାଇପାରିବ, ସେଇ ଡଲାର୍ଟିକୁ ଯଦି ଟଙ୍କାରେ ପରିଣତ କରି ଟଙ୍କା (ବର୍ତ୍ତମାନ ପ୍ରାୟ ୮୦ ଟଙ୍କା) ଦ୍ବାରା ଭାରତରେ ଜିନିଷପତ୍ର କ୍ରୟ କରାଯାଏ, ତେବେ ତାହା ଅପେକ୍ଷା ଅଧିକ ପରିମାଣର ଜିନିଷପତ୍ର ମିଳିପାରିବ। ଏହା ଯଦି ଆନ୍ତର୍ଜାତିକ ବାଣିଜ୍ୟ କାରବାରରେ ଡଲାର୍କୁ ପ୍ରଦାନ କରାଯାଉଥିବା ପାରିମ୍ପରିକ ପ୍ରାଧାନ୍ୟର ଅସ˚ଗତି ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଥାଏ, ୟୁକ୍ରେନ୍ ଯୁଦ୍ଧ ଡଲାର୍କୁ କୌଣସି ଦେଶର ମହଜୁଦ ସମ୍ପଦର ଧାରକ ରୂପେ ବ୍ୟବହାର କରିବାର ବିପଦକୁ ସ୍ପଷ୍ଟ କରି ଦେଇଛି।
ଆଶ୍ଚର୍ଯ୍ୟ ନ ହୋଇ ରହିହୁଏ ନାହିଁ ଯେ ସତେ ଯେମିତି ଏକ ଭବିଷ୍ୟଦ୍ରଷ୍ଟା ରୂପେ କାର୍ଯ୍ୟ କଲା ଭଳି ୟୁକ୍ରେନ୍ ଯୁଦ୍ଧ ପୂର୍ବରୁ ମଧୢ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଦେଶର ମହଜୁଦ ବୈଦେଶିକ ମୁଦ୍ରା ସମ୍ପତ୍ତିରେ ଡଲାର୍ର ଅ˚ଶରେ କ୍ରମଶଃ ହ୍ରାସ ଘଟାଇ ତା’ସ୍ଥାନରେ ସୁନା ଠୁଳ କରିବାକୁ ଆରମ୍ଭ କରିଥିଲା- ୨୦୨୧-୨୨ରେ ରିଜର୍ଭ ବ୍ୟାଙ୍କ ଆନ୍ତର୍ଜାତିକ ବଜାରରେ ଅନ୍ୟତମ ପ୍ରମୁଖ ସୁନା କ୍ରୟକାରୀ ଅନୁଷ୍ଠାନରେ ପରିଣତ ହୋଇଥିଲା।
ଏହା ଅବଶ୍ୟ ଜଣାଶୁଣା ଯେ ଉନ୍ନତ ପାଶ୍ଚାତ୍ୟ ଦେଶମାନେ ବର୍ତ୍ତମାନ ରିଜର୍ଭ ବ୍ୟାଙ୍କ୍ର ଅନୁମୋଦନ ସତ୍ତ୍ବେ ଭାରତ ସହିତ ବାଣିଜ୍ୟ କାରବାରରେ ଟଙ୍କାକୁ ବିନିମୟର ମାଧୢମ ରୂପେ ଗ୍ରହଣ କରିବାକୁ ରାଜି ହେବେ ନାହିଁ। ତେବେ ରିଜର୍ଭ ବ୍ୟାଙ୍କ୍ ନେଇଥିବା ଏହି ପଦକ୍ଷେପର ତାତ୍କାଳିକ ଲକ୍ଷ୍ୟ ହେଉଛି ବର୍ତ୍ତମାନ ରୁଷିଆରୁ ଆମଦାନି କରାଯାଉଥିବା (ପାଶ୍ଚାତ୍ୟ ବାସନ୍ଦକୁ ବେଖାତିର କରି) ତୈଳ, କୋଇଲା ଆଦି ବାବଦରେ ପାଉଣା ପ୍ରଦାନ ପାଇଁ ଡଲାର ବଦଳରେ ଟଙ୍କା ବ୍ୟବହାର କରାଯିବା, ଯାହା ଡଲାର ଉପରେ ଚାହିଦା ଚାପ କେତେକା˚ଶରେ ହ୍ରାସ କରିବାରେ ସହାୟକ ହେବ। ରୁଷିଆ ଏ ସୂତ୍ରରୁ ଅର୍ଜନ କରିବା ଟଙ୍କା ଦ୍ବାରା ଭାରତୀୟ ବଜାରର ପଣ୍ୟଦ୍ରବ୍ୟ କ୍ରୟ କରିପାରିବ କିମ୍ବା ଭାରତରେ ପୁଞ୍ଜି ନିବେଶ ମଧୢ କରି ପାରିବ। ଆଗାମୀ ଦିନରେ ଭାରତ ଶ୍ରୀଲଙ୍କାକୁ ଯେଉଁ ସହାୟତା ପ୍ରଦାନ କରିବ, ତାହା ଡଲାର୍ ଆକାରରେ କରାନଯାଇ ଟଙ୍କା ଆକାରରେ କରାଯାଇପାରିବ। କ୍ରମେ ଏସିଆ ଓ ଆଫ୍ରିକା ଅଞ୍ଚଳରେ ଟଙ୍କାକୁ ଭାରତ ସହିତ ବାଣିଜ୍ୟ କାରବାରରେ ଏକ ମାଧୢମ ରୂପେ ବ୍ୟବହାର କରାଯାଇପାରିବ। ଯଦି ଏହି ଧାରା ଅବ୍ୟାହତ ରହେ, ତେବେ କିଏ ଜଣେ ଅବିଳମ୍ବେ ଡଲାର୍ର ଆଧିପତ୍ୟରେ ଅନ୍ତ ଘଟି ଚୀନ୍ର ୟୁଆନ ଓ ଭାରତର ଟଙ୍କା ମଧୢ ତା’ର ଶକ୍ତିଶାଳୀ ପ୍ରତିଦ୍ବନ୍ଦ୍ବୀ ରୂପେ ଆବିର୍ଭୂତ ନ ହେବେ?