ବ୍ରିଟିସ୍ ଦାର୍ଶନିକା ମେରୀ ଓଲ୍ଷ୍ଟୋନ୍କ୍ରାଫ୍ଟ ତାଙ୍କର ୧୭୯୨ରେ ପ୍ରକାଶିତ ପୁସ୍ତକ, ‘ଏ ଭିଣ୍ତିକେସନ୍ ଅଫ୍ ଦି ରାଇଟ୍ସ ଅଫ୍ ଓମ୍ୟାନ୍’ରେ ସମାଜରେ ନାରୀର ଅଧିକାର ଜାହିର କରିବା ପାଇଁ ଦେଇଥିବା ଆହ୍ବାନକୁ ଇତିହାସରେ ସର୍ବପ୍ରଥମ ନାରୀବାଦୀ ଦାର୍ଶନିକ ରଚନା ରୂପେ ସ୍ବୀକୃତି ପ୍ରଦାନ କରାଯାଇଥାଏ। ଓଲ୍ଷ୍ଟୋନ୍କ୍ରାଫ୍ଟ ଯେଉଁ ଅଷ୍ଟାଦଶ ଶତାବ୍ଦୀର ଇ˚ରେଜ ସମାଜର ସଦସ୍ୟା ଥିଲେ, ସେଥିରେ ନାରୀମାନଙ୍କର ନା ଥିଲା ଭୋଟ୍ ଦେବାର ଅଧିକାର, ନା ଥିଲା ଆଇନଗତ ଅଧିକାର, ନା ଥିଲା ବିତ୍ତୀୟ ଅଧିକାର କିମ୍ବା ନା ଥିଲା ଶିକ୍ଷା ଲାଭ କରିବାର ବିଶେଷ ସୁଯୋଗ। ଏବେ ବି ନାରୀବାଦକୁ କେତେକ ଏକ ଆନ୍ଦୋଳନ ରୂପେ ଦେଖିଥାନ୍ତି, ଯେଉଁଥିରେ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ନାରୀକୁ ଅଧିକ ଶକ୍ତିଶାଳୀ ଓ ପୁରୁଷକୁ ଦୁର୍ବଳ ସ୍ଥାନ ପ୍ରଦାନ କରାଯିବାକୁ ଲକ୍ଷ୍ୟ ରଖାଯାଇଥାଏ ବୋଲି ବିଶ୍ବାସ କରାଯାଇଥାଏ। ନାରୀ-ପୁରୁଷ ମଧୢରେ ଏଭଳି ଅସମତୁଲ ଅଧିକାର ବଣ୍ଟନ କିନ୍ତୁ ଓଲ୍ଷ୍ଟୋନ୍କ୍ରାଫ୍ଟଙ୍କର ଚିନ୍ତାର ବାହାରେ ଥିଲା। ସେ ବିଶ୍ବାସ କରୁଥିଲେ ଯେ ମନୁଷ୍ୟ ଭାବରେ ନାରୀ ଓ ପୁରୁଷ ହେଉଛନ୍ତି ସମ୍ପୂର୍ଣ୍ଣ ରୂପେ ସମାନ; ତେଣୁ ଉଭୟଙ୍କ ପାଇଁ ଉପଲବ୍ଧ ଅଧିକାର ଓ ସୁଯୋଗମାନ ମଧୢରେ କୌଣସି ତଫାତ୍ ରହିବା ଗ୍ରହଣୀୟ ନୁହେଁ।
ମେରୀ ଓଲ୍ଷ୍ଟୋନ୍କ୍ରାଫ୍ଟ ନାରୀ ଅଧିକାର ଆନ୍ଦୋଳନର ଏହି ମୂଳଦୁଆ ପକାଇବା ପରେ ଦୁଇ ଶତାବ୍ଦୀରୁ ଅଧିକ କାଳ ଅତିବାହିତ ହୋଇଗଲାଣି ଓ ସିମନ୍ ଡି ବିଭ୍ବାଙ୍କ ଠାରୁ ଆରମ୍ଭ କରି ଜର୍ମେନ୍ ଗ୍ରିଅର୍ ଆଦିଙ୍କ ପର୍ଯ୍ୟନ୍ତ ଅନେକ ଅଗ୍ନିବର୍ଷୀ ଆନ୍ଦୋଳନକାରିଣୀମାନେ ଓଲ୍ଷ୍ଟୋନ୍କ୍ରାଫ୍ଟଙ୍କର ସେଇ ସମାନତା ଲକ୍ଷ୍ୟ ହାସଲ ପାଇଁ ପ୍ରାଣପଣେ ଉଦ୍ୟମ କରି ଆସିଛନ୍ତି। ଆଧୁନିକ ଯୁଗର ପୁରୁଷ ପ୍ରଧାନ ସମାଜ ମଧୢ ସେଇ ଲକ୍ଷ୍ୟ ପୂରଣରେ ସହାୟକ ହେବ ବୋଲି ସର୍ବଦା ଘୋଷଣା କରି ଚାଲିଛି। କିନ୍ତୁ ତଥାପି ଆଶ୍ଚର୍ଯ୍ୟ ଓ ହତାଶ ନ ହୋଇ ରହିହୁଏ ନାହିଁ ଯେ, ସଦ୍ୟ ପ୍ରକାଶିତ ‘ଗ୍ଲୋବାଲ୍ ଜେଣ୍ତର୍ ରିପୋର୍ଟ ୨୦୨୨’ ଅନୁସାରେ ପୃଥିବୀରେ ନାରୀ-ପୁରୁଷ ମଧୢରେ ରହିଥିବା ଲିଙ୍ଗଗତ ତଫାତ୍ ସମ୍ପୂର୍ଣ୍ଣ ନିଶ୍ଚିହ୍ନ ହେବା ପାଇଁ ଲାଗିବ ହାରାହାରି ଆହୁରି ୧୩୨ ବର୍ଷ! ଯାହା ଆହୁରି ହତାଶାଜନକ, ତାହା ହେଲା ଆମ ଅଞ୍ଚଳ, ଅର୍ଥାତ୍ ଦକ୍ଷିଣ ଏସିଆ ଅଞ୍ଚଳରେ ନାରୀ-ପୁରୁଷ ମଧୢରେ ଲିଙ୍ଗଗତ ତଫାତ୍ ଦୂର ହେବା ପାଇଁ ଆଉ ୧୯୭ ବର୍ଷ, ଅର୍ଥାତ୍ ପ୍ରାୟ ଆଉ ଦୁଇ ଶତାବ୍ଦୀ ଲାଗିବ।
‘ଵର୍ଲଡ ଇକନମିକ୍ ଫୋରମ୍’ ଦ୍ବାରା ପ୍ରସ୍ତୁତ ଏହି ରିପୋର୍ଟର ଅ˚ଶବିଶେଷ ‘ଜେଣ୍ତର୍ ଗ୍ୟାପ୍ ଇଣ୍ତେକ୍ସ’ ବା ‘ଲିଙ୍ଗଗତ ତଫାତ୍ ସୂଚକ’ ଭାରତ ସମ୍ବନ୍ଧରେ ଯେଉଁ ଚିତ୍ର ପ୍ରଦାନ କରିଛି, ତାହା ଆମ ପାଇଁ ଚିନ୍ତାର କାରଣ ହେବା ଉଚିତ। କହିଲେ ବୋଧହୁଏ ଅତ୍ୟୁକ୍ତି ହେବ ନାହିଁ, ଭାରତର ପ୍ରାୟ ୬୬ କୋଟିରୁ ଅଧିକ ସ˚ଖ୍ୟକ ନାରୀ ଆଜି ବି ସେଇଭଳି ଲିଙ୍ଗଗତ ଫାଙ୍କକୁ ଅନାଇଛନ୍ତି, ସେ ସମୟରେ ଯେମିତି ଓଲ୍ଷ୍ଟୋନ୍କ୍ରାଫ୍ଟଙ୍କର ଦୃଷ୍ଟିଗୋଚର ହେଉଥିଲା। ଅବଶ୍ୟ ଗତ ବର୍ଷ ତୁଳନାରେ ଲିଙ୍ଗ ଫାଙ୍କ ମାନ୍ୟତା ତାଲିକାରେ ଭାରତ ଏଥର ପାଞ୍ଚଟି ପାହାଚ ଉପରକୁ ଉଠିଛି, କିନ୍ତୁ ତା’ସତ୍ତ୍ବେ ୧୪୬ଟି ଦେଶ ଥିବା ଏହି ତାଲିକାରେ ଭାରତକୁ ମିଳିଥିବା ସ୍ଥାନ ହେଉଛି ୧୩୫ତମ। ଯାହା ପୁଣି କଟା ଘା’ରେ ଲୁଣ ଭଳି ହୋଇଥାଏ, ତାହା ହେଲା ଭାରତର ପଡ଼ୋଶୀମାନଙ୍କର ପ୍ରଦର୍ଶନ ଭାରତ ଠାରୁ ବହୁ ଅଧିକ ସନ୍ତୋଷଜନକ ହୋଇଛି। ଉଦାହରଣ ସ୍ବରୂପ ତାଲିକାରେ ବା˚ଲାଦେଶର ସ୍ଥାନ ୭୧ ହୋଇଥିବା ବେଳେ ନେପାଳ ହେଉଛି ୯୬, ଶ୍ରୀଲଙ୍କା ୧୧୦, ମାଲ୍ଡିଭ୍ସ ୧୧୭ ଏବ˚ ଭୁଟାନ୍ ହେଉଛି ୧୨୬ତମ। ତାଲିକାରେ ଭାରତର ତଳେ ଥିବା ପାଖ ପଡ଼ୋଶୀ ଦେଶମାନେ ହେଲେ ଇରାନ୍ (୧୪୩), ପାକିସ୍ତାନ (୧୪୫) ଏବ˚ ଆଫଗାନିସ୍ତାନ (୧୪୬)। ଏମାନଙ୍କ ମଧୢରୁ କାହାରି ସହିତ ନିିଜକୁ ତୁଳନା କରି ଆତ୍ମସନ୍ତୋଷ ଲାଭ କରାଯାଇ ପାରିବ ନାହିଁ।
ଉପରୋକ୍ତ ଲିଙ୍ଗଗତ ତଫାତ୍ ବା ‘ଲିଙ୍ଗ ଫାଙ୍କ ସୂଚକ’ ପ୍ରସ୍ତୁତ କରିବା ପାଇଁ ରିପୋର୍ଟର ପ୍ରସ୍ତୁତକାରୀମାନେ ଚାରିଟି ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରରେ ଲିଙ୍ଗଗତ ସମାନତାର ପରିମାପ କରିଛନ୍ତି, ଯାହାକୁ ଉପ-ସୂଚକ ରୂପେ ପ୍ରଦର୍ଶିତ କରାଯାଇଛି। ଏହି ଉପ-ଲିଙ୍ଗ ଫାଙ୍କ ସୂଚକମାନ ପ୍ରତିନିଧିତ୍ବ କରୁଥିବା କ୍ଷେତ୍ରମାନ ହେଲେ- ରାଜନୈତିକ ସଶକ୍ତୀକରଣ, ସ୍ବାସ୍ଥ୍ୟ ଓ ଜୀବନସୁରକ୍ଷା, ଶିକ୍ଷାଗତ ଉପଲବ୍ଧି ଏବ˚ ଅର୍ଥନୈତିକ ସମ୍ପୃକ୍ତି ଓ ସୁଯୋଗ। ଅନୁଶୀଳନକାରୀମାନେ ଏହି ପ୍ରତ୍ୟେକ କ୍ଷେତ୍ରରେ ସମ୍ପୃକ୍ତ ଦେଶକୁ ସେ ଦେଶ ହାସଲ କରିଥିବା ଲିଙ୍ଗଗତ ସମାନତା ଅନୁସାରେ ଶୂନ (୦)ରୁ ଶହେ (୧୦୦) ମଧୢରେ ଏକ ମୂଲ୍ୟ ବା ସୂଚକ ପ୍ରଦାନ କରିଛନ୍ତି- ଶୂନ ଅର୍ଥ ଚରମ ଅସମାନତା ବା ବିଶାଳ ଲିଙ୍ଗ ଫାଙ୍କ; ଶହେ ଅର୍ଥ ସମ୍ପୂର୍ଣ୍ଣ ଲିଙ୍ଗଗତ ସମାନତା ବା ନିଶ୍ଚିହ୍ନ ଲିଙ୍ଗ ଫାଙ୍କ।
ଏହିପରି ନିର୍ଣ୍ଣୟ କରାଯାଇଥିବା ଉପ-ସୂଚକମାନଙ୍କ ଆଧାରରେ ରିପୋର୍ଟରେ ଭାରତକୁ ପ୍ରଦାନ କରାଯାଇଥିବା ସ୍ଥାନ ମାନ ହେଉଛି ନିମ୍ନ ପ୍ରକାର: ରାଜନୈତିକ ସଶକ୍ତୀକରଣ (୪୮ତମ); ଶିକ୍ଷାଗତ ଉପଲବ୍ଧି (୧୦୭ତମ); ସ୍ବାସ୍ଥ୍ୟ ଓ ଜୀବନରକ୍ଷା (୧୪୬ତମ); ଏବ˚ ଅର୍ଥନୈତିକ ସମ୍ପୃକ୍ତି ଓ ସୁଯୋଗ (୧୪୩ତମ)।
ଉପରୋକ୍ତ ଚାରିଟି ଉପ-ସୂଚକ ମଧୢରୁ ଭାରତ ହାସଲ କରିଥିବା ସର୍ବୋଚ୍ଚ, ରାଜନୈତିକ ସଶକ୍ତୀକରଣ କ୍ଷେତ୍ରରେ ପୃଥିବୀରେ କୌଣସି ଦେଶ ବିଶେଷ ଉନ୍ନତି ହାସଲ କରିବା ଦେଖାଯାଇନାହିଁ। ତେବେ ଏଠାରେ ଉଲ୍ଲେଖଯୋଗ୍ୟ ଯେ ରିପୋର୍ଟରେ ଦର୍ଶାଯାଇଛି ସ˚ସଦରେ ମହିଳା ସଦସ୍ୟମାନଙ୍କର ଅନୁପାତ ଏବ˚ ମନ୍ତ୍ରିମଣ୍ତଳରେ ମହିଳାମାନଙ୍କର ଅ˚ଶ ଭାରତରେ ବେଶ୍ ନୀଚା ରହିଛି। ଏହି ପରିପ୍ରେକ୍ଷୀରେ ମନେ ପକାଇ ଦିଆଯାଇପାରେ ଯେ ସ˚ସଦରେ ମହିଳା ଆରକ୍ଷଣ ପାଇଁ ବିଲ୍ ଆଗତ ହେବାର ତିନି ଦଶନ୍ଧି ବିତି ଯାଇଥିଲେ ମଧୢ ଏବ˚ ୨୦୧୦ରେ ବିଲ୍ଟି ରାଜ୍ୟସଭାରେ ପାରିତ ହୋଇ ସାରିଥିଲେ ମଧୢ ତାହା ଏପର୍ଯ୍ୟନ୍ତ ଲୋକସଭାରେ ପାରିତ ହେବାକୁ ଅପେକ୍ଷା କରି ରହିଛି।
ପ୍ରାୟ ଅଧିକା˚ଶ ଦେଶମାନଙ୍କ ପାଇଁ ଶିକ୍ଷା ଉପ-ସୂଚକ ଉଚ୍ଚା ରହିଛି। ତେବେ ଭାରତ ଏ କ୍ଷେତ୍ରରେ ଲାଭ କରିଥିବା ମାନ୍ୟତାରେ ସାମାନ୍ୟ ସ୍ଖଳନ ଘଟିଛି। ଏହି ମାନ୍ୟତା ନିର୍ଦ୍ଧାରଣ ନିମିତ୍ତ ପ୍ରାଥମିକ, ମାଧୢମିକ ଓ ଉଚ୍ଚତର ଶିକ୍ଷାନୁଷ୍ଠାନମାନଙ୍କରେ ପ୍ରବେଶ ପରିସ˚ଖ୍ୟାନକୁ ବିଚାରକୁ ନିଆଯାଇଥାଏ। ଏ ଦୃଷ୍ଟିରୁ ଭାରତର ଉପଲବ୍ଧି ହାରାହାରି ଉପରେ ରହିଥିଲେ ହେଁ ସାକ୍ଷରତା ଦୃଷ୍ଟିରୁ ପଛରେ ପଡ଼ି ଭାରତ ୧୨୧ତମ ସ୍ଥାନ ପ୍ରାପ୍ତ ହୋଇଛି। ଏହି ସମସ୍ୟାର ସମାଧାନ ଉଦ୍ଦେଶ୍ୟରେ ସରକାର କାର୍ଯ୍ୟକାରୀ କରିଥିବା ‘ବେଟି ବଚାଓ ବେଟି ପଢ଼ାଓ’ ଯୋଜନାର ଏକ ସମୀକ୍ଷାରୁ ଜଣାପଡ଼ିଛି ଯେ କେବଳ ତିନିଟି ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ୨୦୨୦-୨୧ରେ ଏ ବାବଦରେ ମିଳିଥିବା ପାଣ୍ଠିର ୮୮ ଶତା˚ଶରୁ ଅଧିକ ଉପଯୋଗ କରିବାରେ ସକ୍ଷମ ହୋଇଛନ୍ତି: ନାଗାଲାଣ୍ତ, ମିଜୋରାମ ଓ ସିକିମ୍।
ସ୍ବାସ୍ଥ୍ୟ ଓ ଜୀବନରକ୍ଷା ଉପ-ସୂଚକ ଅନୁସାରେ ଭାରତକୁ ପ୍ରଦାନ କରାଯାଇଥିବା ସ୍ଥାନ ହେଉଛି ମାନ୍ୟତା ତାଲିକାର ପାଦଦେଶରେ। ଏଥିପାଇଁ ଯେଉଁ ମାପକାଠି ବ୍ୟବହାର କରାଯାଇଥାଏ, ତାହା ହେଉଛି ଜନ୍ମକାଳୀନ ଲିଙ୍ଗ ଅନୁପାତ ଓ ସୁସ୍ଥ ଆୟୁଷର ସମ୍ଭାବନା। ଭାରତରେ ପ୍ରାୟ ୬୦ ଶତା˚ଶ ମହିଳାମାନଙ୍କ ଠାରେ ଦେଖାଯାଉଥିବା ରକ୍ତହୀନତା ହେଉଛି ଏହି ଦୁର୍ଭାଗ୍ୟଜନକ ଚିତ୍ରର ଅନ୍ୟତମ ପରିପ୍ରକାଶ। ଅନୁରୂପ ଭାବେ ଦୁର୍ଭାଗ୍ୟଜନକ ହେଉଛି ଅର୍ଥନୈତିକ କ୍ଷେତ୍ରରେ ମହିଳାମାନଙ୍କ ଭାଗୀଦାରିରେ ଥିବା ତଫାତ୍। ଦେଶର ଶ୍ରମଶକ୍ତିରେ ମହିଳାମାନଙ୍କର ଭାଗୀଦାରିର ଅନୁପାତ ହେଉଛି ମାତ୍ର ୩୩ ଶତା˚ଶ। ଏହା ହେଉଛି ଏକ ଆତ୍ମଘାତୀ ବିଡ଼ମ୍ବନା, କାରଣ ‘ଇଣ୍ତିଆ ସ୍କିଲ୍ସ ରିପୋର୍ଟ ୨୦୨୧’ ଅନୁସାରେ ଭାରତରେ ମହିଳାମାନେ ହେଉଛନ୍ତି ପୁରୁଷମାନଙ୍କ ଅପେକ୍ଷା ଅଧିକ ନିଯୁକ୍ତିଯୋଗ୍ୟ।
ଭାରତର ରାଷ୍ଟ୍ରମୁଖ୍ୟ ରୂପେ ଅଧିଷ୍ଠିତ ହେବାକୁ ଯାଉଥିବା ଜଣେ ଭାରତୀୟ ନାରୀଙ୍କର ଯାହା ସର୍ବପ୍ରଥମେ ପ୍ରଣିଧାନଯୋଗ୍ୟ ହେବା ଉଚିତ, ତାହା ହେଉଛି ଏହି ଲିଙ୍ଗ ଫାଙ୍କ ରିପୋର୍ଟ। ଆଗାମୀ ରିପୋର୍ଟରେ ଭାରତର ମାନ୍ୟତାରେ ଏକ ବିଶେଷ ଉନ୍ନତି ସାଧନ ତାଙ୍କର ସର୍ବପ୍ରଥମ ଲକ୍ଷ୍ୟ ହେବା ଉଚିତ।