ଏକ ଉଲ୍ଲସିତ କ୍ଷଣର ଅନୁଚିନ୍ତା
ଆଜି ସୋମବାର ଭାରତୀୟ ସାଧାରଣତନ୍ତ୍ରର ପଞ୍ଚଦଶତମ ରାଷ୍ଟ୍ରପତି ରୂପେ ଶପଥ ଗ୍ରହଣ କରିବାକୁ ଯାଉଥିବା ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରର ସର୍ବୋଚ୍ଚ ସାମ୍ବିଧାନିକ ପଦରେ ଅଧିଷ୍ଠିତ ପ୍ରଥମ ଓଡ଼ିଆ ହୋଇଥିବା ସହିତ କୌଣସି ଜନଜାତି ସ˚ପ୍ରଦାୟର ସର୍ବ ପ୍ରଥମ ସଦସ୍ୟ ରୂପେ ଏହି ଅନନ୍ୟ ଗରିମାର ଅଧିକାରିଣୀ ହୋଇଛନ୍ତି। ସେହି ଦୃଷ୍ଟିରୁ ଏହା କେବଳ ଆମ ରାଷ୍ଟ୍ରର ୧୦ କୋଟିରୁ ଅଧିକ ସ˚ଖ୍ୟା ବିଶିଷ୍ଟ ଆଦିବାସୀ ସ˚ପ୍ରଦାୟ ଲାଗି ଏକ ଆନନ୍ଦମୟ କ୍ଷଣ ନୁହେଁ; ଏହା ଆମ ରାଷ୍ଟ୍ର ଲାଗି, ବିଶେଷତଃ ଆମ ରାଜ୍ୟ ଓଡ଼ିଶା ସକାଶେ ଏକ ଐତିହାସିକ ମୁହୂର୍ତ୍ତ। ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଏନ୍.ଡି.ଏ. ପକ୍ଷରୁ ଦ୍ରୌପଦୀ ମୁର୍ମୁଙ୍କ ନାମ ଘୋଷଣା କରାଯିବା ବେଳେ ଏହି ଚୟନ ପଛରେ ନିହିତ ଏକ ସୂକ୍ଷ୍ମ ବିବେଚନାବୋଧ ଦିଶି ଯାଉଥିଲା; ଯାହା ହେଉଛି ଏଭଳି ଜଣେ ପ୍ରାର୍ଥୀଙ୍କୁ ରାଷ୍ଟ୍ରର ସର୍ବୋଚ୍ଚ ସାମ୍ବିଧାନିକ ପଦ ସକାଶେ ଯୋଗ୍ୟ ବୋଲି ବିଚାର କରିବା, ଯିଏ ତିନିଟି ସୀମାନ୍ତରିତ ବିଭାବର ଦୃଷ୍ଟାନ୍ତମୂଳକ ପ୍ରତିନିଧିତ୍ବ କରୁଥିବେ। ସୁତରାଂ, ଦେଶର ଗୋଟିଏ ଅନଗ୍ରସର ରାଜ୍ୟ ଅନ୍ତର୍ଗତ ଗୋଟିଏ ଅନଗ୍ରସର ବର୍ଗ ମଧ୍ୟରୁ ଅନଗ୍ରସର ଲିଙ୍ଗର ଜଣେ ସଦସ୍ୟଙ୍କ ନାମ ଘୋଷଣା କରାଯାଇଥିଲା। କହିବା ଅନାବଶ୍ୟକ ଯେ ଅନେକ ସମାଲୋଚକଙ୍କ ପକ୍ଷରୁ ଏହାକୁ କେବଳ ଏକ ‘ପ୍ରତୀକାତ୍ମକ’ ପଦକ୍ଷେପ ରୂପେ ଅଭିହିତ କରାଯାଇଛି, ଯାହା ପ୍ରସାଧନ-ଧର୍ମୀ ଏବ˚ ଏହା ରାଷ୍ଟ୍ର ତଥା ସମାଜକୁ ଆକ୍ରନ୍ତ କରି ଆସୁଥିବା ଉପରୋକ୍ତ ତିନି ଅନଗ୍ରସରତାକୁ ଦୂର କରିବାର ଆଗ୍ରହ ବା ଆନ୍ତରିକତାର କୌଣସି ପ୍ରମାଣ ନୁହେଁ। ସୁତରା˚, ଏଭଳି ସ୍ଥଳେ ଏ ସମ୍ବନ୍ଧରେ ଏକ କ୍ଷୁଦ୍ର ଆଲୋଚନା ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।
Sambad is now on WhatsApp
Join and get latest news updates delivered to you via WhatsApp
କହିବା ଅନାବଶ୍ୟକ ଯେ କୌଣସି ଅପା˚କ୍ତେୟ ବର୍ଗର ବ୍ୟକ୍ତିଙ୍କୁ ଏଭଳି ପ୍ରତୀକ ସ୍ଥାନୀୟ ହେବା ସକାଶେ ତାଙ୍କୁ ଦୃଷ୍ଟାନ୍ତମୂଳକ ହିଁ ହେବାକୁ ପଡ଼ିଥାଏ; ଯହିଁରେ ସମାଜର ମୁଖ୍ୟ ସ୍ରୋତର ଅ˚ଶ ହୋଇ ତହିଁରେ ସଫଳ ହେବାର ଲକ୍ଷ୍ୟରେ ସୀମାନ୍ତରୁ ଆରମ୍ଭ ହୋଇଥିବା ଏକ ବିନମ୍ର ଯାତ୍ରା ଅନେକ ଅନତିକ୍ରମ୍ୟ ପ୍ରାଚୀରକୁ ଲଂଘି ପରିଶେଷରେ ଉଦାହରଣୀୟ ହିଁ ହୋଇ ଉଠିଥାଏ। ତାହା ହିଁ ହେଉଛି ଆଜିକୁ ପ୍ରାୟ ଛଅ ଦଶନ୍ଧି ପୂର୍ବେ ରାଇରଙ୍ଗପୁର ଭଳି ଏକ ଆଦିବାସୀ ଅଧ୍ୟୁଷିତ ତମସାଚ୍ଛନ୍ନ ଅଞ୍ଚଳର ଏକ ଅତ୍ୟନ୍ତ ଅଖ୍ୟାତ ପଲ୍ଲୀରୁ ପ୍ରାରମ୍ଭ ହୋଇଥିବା ଜଣେ ଏକାକିନୀ କନ୍ୟାର କାହାଣୀ ଯାହା ଆଜି ‘ରାଇସେନା ହିଲ୍’ରେ ଏକ ଯଥାର୍ଥ ଉପସଂହାରରେ ପହଞ୍ଚିବାକୁ ଯାଉଛି। ସେହି ପରିପ୍ରେକ୍ଷୀରେ ଦ୍ରୌପଦୀ ମୁର୍ମୁ କେବଳ ଜଣେ ପ୍ରତୀକ ମାତ୍ର ନୁହନ୍ତି, ସେ ହେଉଛନ୍ତି ଏକ ପ୍ରେରଣାର ଉତ୍ସ। କହିବା ବାହୁଲ୍ୟ, ଆଜି ସେ ନିଶ୍ଚୟ ଦେଶର କୌଣସି ନା କୌଣସି କୋଣରେ କିଛି ଆଦିବାସୀ କନ୍ୟାଙ୍କ ଚକ୍ଷୁରେ ଆଶା ଓ ସମ୍ଭାବନାର ଚମକ ସୃଷ୍ଟି କରି ପାରିଥିବେ।
ତେବେ, ଏହି ଅବସରରେ ପ୍ରଶ୍ନ ମଧ୍ୟ ଉଠିଥାଏ ଯେ ଆଜିକୁ ପ୍ରାୟ ଅର୍ଦ୍ଧ ଶତାବ୍ଦୀରୁ ଅଧିକ କାଳ ପୂର୍ବେ ଦ୍ରୌପଦୀ ମୁର୍ମୁ ତାଙ୍କ ଯାତ୍ରା ପଥରେ ସମ୍ମୁଖୀନ ହୋଇଥିବା ପ୍ରତିବନ୍ଧଗୁଡ଼ିକର ସଂଖ୍ୟା ଏବଂ ଉଚ୍ଚତାରେ ଏବେ ଊଣା ଘଟିଛି କି? ଏହାର ଉତ୍ତର ଏକ ନିଷ୍ପ୍ରଭ ‘ହଁ’; କାରଣ ସ୍ବାଧୀନତା ଲାଭ କରିବାର ପଚସ୍ତରି ବର୍ଷ ମଧୢରେ ଭାରତର ଜନଜାତି ସ˚ପ୍ରଦାୟ କିଛି ଉନ୍ନତି ହାସଲ କରିଥିବା ସତ୍ତ୍ବେ ସର୍ବାଧିକ ଦୁର୍ବଳ ବର୍ଗ ହୋଇ ରହିଛନ୍ତି, ସୁତରାଂ, ପଥେର ପ୍ରତିବନ୍ଧର ପ୍ରଭାବ ସାମାନ୍ୟ ଊଣା ହୋଇଛି ସିନା, ଯାତ୍ରା ‘ବାଧକ’ ରହିତ ହୋଇପାରିନାହିଁ। ୨୦୧୧ ମସିହାର ଜନଗଣନା ଅନୁସାରେ ଆଦିବାସୀ ବର୍ଗର ମାତ୍ର ୧୦.୦୩ ପ୍ରତିଶତ ସହରାଞ୍ଚଳରେ ଏବ˚ ୮୯.୯୭ ପ୍ରତିଶତ ଗ୍ରାମାଞ୍ଚଳରେ ବସବାସ କରୁଥିଲେ, ଯେଉଁ ଚିତ୍ର ପ୍ରାୟ ଅକ୍ଷୁଣ୍ଣ ରହିଛି। କେବଳ ସେତିକି ନୁହେଁ, ଆଦିବାସୀ ଗ୍ରାମଗୁଡ଼ିକ ମଧୢରୁ ଅଧିକା˚ଶ ଏବେ ସୁଦ୍ଧା ଅଗମ୍ୟ ହୋଇ ରହିଛନ୍ତି।
୨୦୧୭ ମସିହାରେ ପ୍ରକାଶିତ କେନ୍ଦ୍ର ଆଦିବାସୀ ମନ୍ତ୍ରଣାଳୟର ରିପୋର୍ଟ ସ୍ବୀକାର କରିଥାଏ ଯେ ଏବେ ସୁଦ୍ଧା ଆଦିବାସୀଙ୍କ ସ୍ଥିତି ଅତ୍ୟନ୍ତ ଦୟନୀୟ। ୟୁନିସେଫ୍ ଦ୍ବାରା ପ୍ରସ୍ତୁତ ଏକ ଆକଳନ କହିଥାଏ ଯେ ଭାରତୀୟ ଜନଜାତିଙ୍କ ମଧ୍ୟରେ ପ୍ରାୟ ୫ ନିୟୁତ ଶିଶୁ କୁପୋଷଣର ଶିକାର। ‘ନେସନାଲ ନ୍ୟୁଟ୍ରିସନନାଲ ସର୍ଭେ’ ବା ଜାତୀୟ ପୋଷଣ ସର୍ବେକ୍ଷଣ ରିପୋର୍ଟ (୨୦୧୬-୨୦୧୮) ଅନୁସାରେ ଜନଜାତି ସ˚ପ୍ରଦାୟର ୪୦ ପ୍ରତିଶତ ଶିଶୁ ଅପପୁଷ୍ଟି ଜନିତ ଶାରୀରିକ ଏବ˚ ମାନସିକ କ୍ଷୟାବସ୍ଥା ଭୋଗିଥାଆନ୍ତି; ଯହିଁରୁ ପ୍ରାୟ ୧୬ ପ୍ରତିଶତଙ୍କ ସ୍ଥିତି ଗୁରୁତର ପର୍ଯ୍ୟାୟର। କେବଳ ସେତିକି ନୁହେଁ, ବିଭିନ୍ନ ବିକାଶମୂଳକ କାର୍ଯ୍ୟରେ ଉଦ୍ବାସ୍ତୁ ହୋଇଥିବା ଆଦିବାସୀଙ୍କ ସ˚ଖ୍ୟା ହେଉଛି ପ୍ରାୟ ୮୫ ଲକ୍ଷ, ଯେଉଁମାନଙ୍କ ମଧ୍ୟରୁ ଏକ-ଚତୁର୍ଥାଂଶଙ୍କ ଉପଯୁକ୍ତ ପୁନର୍ବାସ କରାଯାଇ ପାରିନାହିଁ। ଏହି ପରିପ୍ରେକ୍ଷୀରେ ସ୍ବାଭାବିକ ଭାବେ ମତ ପ୍ରକାଶ ପାଇଥାଏ ଯେ ଜନଜାତି ସ˚ପ୍ରଦାୟର ପ୍ରଗତି ସକାଶେ ସ୍ବାଧୀନତୋତ୍ତର ଭାରତରେ ଅନେକ ପ୍ରକଳ୍ପ ଏବ˚ କାର୍ଯ୍ୟକ୍ରମ ବିଦ୍ୟମାନ ଥିବା ସତ୍ତ୍ବେ ଏକ ହତାଶାଜନକ ସ୍ଥିତି ବଳବତ୍ତର ରହିବାର କାରଣ ହେଲା ସେ ସବୁର ପରିଚାଳନା ଏବଂ ରୂପାୟନରେ ଉଭୟ ଆଗ୍ରହ ଏବଂ ଆନ୍ତରିକତାର ଅଭାବ, ଯାହା ଜନଜାତିଙ୍କ ବିକାଶକୁ ଦୁର୍ନୀତି ଏବଂ ବାଟମାରଣାର ରାହୁଗ୍ରାସରୁ ମୁକ୍ତ କରି ପାରିନାହିଁ।
ଏଠାରେ ଏକ ଉଦାହରଣ ହେଉଛି ଅନୁସୂଚିତ ଜନଜାତି ବର୍ଗ ସକାଶେ ରହି ଆସିଥିବା ଆରକ୍ଷଣ ବ୍ୟବସ୍ଥା, ଯହିଁରେ ଏ ଯାବତ୍ ‘କ୍ରିମି ଲେୟର’ ବାହାରେ ରହିଥିବା ଆଦିବାସୀଙ୍କ ମଧ୍ୟରୁ ଏହି ବ୍ୟବସ୍ଥାରୁ ଲାଭାନ୍ବିତ ହେଉଥିବା ବ୍ୟକ୍ତିବିଶେଷଙ୍କ ସଂଖ୍ୟା ଅତ୍ୟନ୍ତ ସ୍ବଳ୍ପ। ଏହି ପରିପ୍ରେକ୍ଷୀରେ ଆଶା କରାଯିବା ଉଚିତ ଯେ ଦ୍ରୌପଦୀ ମୁର୍ମୁଙ୍କ ଦୃଷ୍ଟାନ୍ତ ଏକ ଅଲଂଘନୀୟ ବ୍ୟତିକ୍ରମ ଭଳି ପ୍ରତୀତ ନ ହେବା ଲାଗି ଜନଜାତି ସଂପ୍ରଦାୟର ସର୍ବବିଧ ବିକାଶ ଲାଗି ପଥିକୃତ୍ ଉଦ୍ୟମ ଆରମ୍ଭ ହେଉ।
ଏହି ପରିପ୍ରେକ୍ଷୀରେ ଗଲା ୧୬ ତାରିଖ ବିଧାନସଭାର ପ୍ରଶ୍ନୋତ୍ତର କାଳରେ ‘ଅନୁସୂଚିତ ଜାତି, ଜନଜାତି, ପଛୁଆ ବର୍ଗ ଓ ସଂଖ୍ୟାଲଘୁ ଉନ୍ନୟନ’ ବିଭାଗର ମନ୍ତ୍ରୀଙ୍କ ମନ୍ତବ୍ୟ ଉପରେ ଦୃଷ୍ଟି ନିକ୍ଷେପ କରାଯାଇପାରେ, ଯହିଁରେ ଏକ ପ୍ରଶ୍ନର ଉତ୍ତରରେ ତାଙ୍କ ବକ୍ତବ୍ୟ ଥିଲା ଯେ ‘ରାଜ୍ୟରେ କୌଣସି ଅବକ୍ଷୟମୁଖୀ ଆଦିମ ଜନଜାତି ଚିହ୍ନଟ ହୋଇନାହାନ୍ତି ଓ ସେମାନଙ୍କ ବିକାଶ ପାଇଁ କୌଣସି ସ୍ବତନ୍ତ୍ର ବିକାଶ ସଂସ୍ଥା ଗଠନ କରାଯାଇ ନାହିଁ।’ ଉଲ୍ଲେଖ ଥାଉ କି ଅବକ୍ଷୟମୁଖୀ ଜନଜାତିଙ୍କ ବିକାଶ ଲକ୍ଷ୍ୟରେ କାର୍ଯ୍ୟକ୍ଷମ ଥିବା ସ୍ବତନ୍ତ୍ର ବିକାଶ ସଂସ୍ଥା ଲାଗି ୨୦୧୦-୧୧ରୁ ହୋଇ ଆସିଥିବା ବଜେଟ୍ ପ୍ରାବଧାନ ଏବଂ କେନ୍ଦ୍ରୀୟ ସହାୟତାର ପରିମାଣ ଏବଂ ତଦ୍ଦ୍ବାରା ଏହି ନିର୍ଦ୍ଦିଷ୍ଟ ଜନଜାତି ସଂପ୍ରଦାୟର ସଂଖ୍ୟା, ଶିକ୍ଷା, ସ୍ବାସ୍ଥ୍ୟ ଓ ଦାରିଦ୍ର୍ୟ ହାରରେ ଘଟିଥିବା ପରିବର୍ତ୍ତନ ସମ୍ବନ୍ଧରେ ଜାଣିବା ଲାଗି ପ୍ରଶ୍ନଟି ପଚରାଯାଇଥିଲା। ତେବେ, ମନ୍ତ୍ରୀ ମହୋଦୟଙ୍କ ଏଭଳି ଉତ୍ତର ସତ୍ତ୍ବେ ପ୍ରକୃତ କଥା ହେଲା, ସପ୍ତମ ଦଶକରୁ ସମସ୍ତ ସରକାରୀ ନଥିପତ୍ରରେ ‘ପାର୍ଟିକୁଲାର ଭଲ୍ନେରବଲ ଟ୍ରାଇବାଲ ଗ୍ରୁପ୍ସ’ ବା (ପି.ଭି.ଟି.ଜି.) ଅଥବା ‘ନିର୍ଦ୍ଦିଷ୍ଟ ଆପଦଗ୍ରସ୍ତ/କ୍ଷୟପ୍ରବଣ/ଅବକ୍ଷୟମୁଖୀ ଜନଜାତି ସଂପ୍ରଦାୟ’ (ଓଡ଼ିଆ ଭାଷାନ୍ତର) ବର୍ଗରେ ରାଜ୍ୟର ୧୩ଟି ବିରଳ ଜନଜାତିଙ୍କୁ ଚିହ୍ନଟ କରାଯାଇଛି; ଯେଉଁ ସଂଖ୍ୟା ଦେଶରେ ସର୍ବାଧିକ ଏବଂ ସମ୍ବିଧାନର ଧାରା ୨୭୫ ଆଧାରରେ ସ୍ବତନ୍ତ୍ର ଅନୁଦାନ ସମେତ ଅନ୍ୟାନ୍ୟ ସୂତ୍ରରୁ କେନ୍ଦ୍ରୀୟ ଅନୁଦାନରେ ଏମାନଙ୍କ ବିକାଶ ସକାଶେ ବିଧିବଦ୍ଧ ଭାବେ ସଂପ୍ରଦାୟଗୁଡ଼ିକର ନାମରେ ପୃଥକ୍-ପୃଥକ୍ ବିକାଶ ସଂସ୍ଥା ସୃଷ୍ଟି କରାଯାଇଛି (ଉଦାହରଣ ସ୍ବରୂପ ବଣ୍ଡା ଡେଭଲପମେଣ୍ଟ ଏଜେନ୍ସି)।
ସପ୍ତମ ଦଶକରୁ ଆରମ୍ଭ ହୋଇଥିବା ଏହି ଯୋଜନାମାନ ବର୍ତ୍ତମାନ ସୁଦ୍ଧା ସକ୍ରିୟ ଏବଂ ଏହି ସ୍ବତନ୍ତ୍ର ବିକାଶ ସଂସ୍ଥାଗୁଡ଼ିକର ସଂଖ୍ୟା ଇତିମଧ୍ୟରେ ୧୭କୁ ବୃଦ୍ଧି ପାଇଛି। ତେଣୁ ପ୍ରଶ୍ନ ଉଠେ ଯେ ମନ୍ତ୍ରୀଙ୍କ ବୟାନ କ’ଣ ଏକ ଉପରଠାଉରିଆ ମନୋଭାବର ସୂଚନା ନା ଅଦକ୍ଷତାକୁ ଘୋଡ଼ାଇବାର ଏକ ପ୍ରୟାସ? ସରକାରୀ ଅଦକ୍ଷତାର ଏଭଳି ଗୋଟିଏ ଉଦାହରଣ ଉପରେ ଦୃଷ୍ଟି ଦିଆଯାଉ। ୨୦୨୦ ମସିହାରେ ରାଜ୍ୟ ସରକାର ୮୮୮ଟି ଆଦିବାସୀ ପଡ଼ା ଗ୍ରାମକୁ ରାଜସ୍ବ ଗ୍ରାମର ମାନ୍ୟତା ଦେଲେ, ଯାହାର ଅର୍ଥ କାହିଁ କେଉଁ କାଳରୁ ସେଠାରେ ବସବାସ କରିଆସୁଥିବା ପ୍ରାୟ ଦେଢ଼ ଲକ୍ଷ ଆଦିମ ଜନଜାତି ବର୍ଗର ସଦସ୍ୟ ଗଲା ଦୁଇ ବର୍ଷ ପୂର୍ବ ପର୍ଯ୍ୟନ୍ତ ତାଲିକାଭୁକ୍ତ ହୋଇ ନ ଥିଲେ କି ଆପଦଗ୍ରସ୍ତ ବିରଳ ଜନଜାତିଙ୍କ ସକାଶେ ଗଲା ଚାରି ଦଶନ୍ଧିରୁ ଅଧିକ କାଳ ଧରି କାର୍ଯ୍ୟକାରୀ ହୋଇ ଆସୁଥିବା ବିକାଶ ଯୋଜନା ଲାଗି ଏମାନଙ୍କୁ ଚିହ୍ନଟ କରାଯାଇ ନ ଥିଲା। ଏଥିରେ ଦ୍ବିରୁକ୍ତି ନାହିଁ ଯେ ଅନେକ ବିକାଶମୂଳକ କାର୍ଯ୍ୟକ୍ରମର ଉପସ୍ଥିତି ସତ୍ତ୍ବେ କାଶୀପୁରରେ ଏବେ ବି ହଇଜା ଏକ ସଂକ୍ରାମକ ବ୍ୟାଧି ରୂପେ ପ୍ରାଣ ନେଉଥିବା ପଛରେ ମୂଳ କାରଣ ହେଉଛି ଜନଜାତିଙ୍କ କଷଣ ଦୂର କରିବାରେ ଶାସନ ଓ ପ୍ରଶାସନର ଆଗ୍ରହ ଏବଂ ଆନ୍ତରିକତାର ଅଭାବ।
ଦ୍ରୌପଦୀ ମୁର୍ମୁଙ୍କ ନାମ ରାଷ୍ଟ୍ରପତି ପଦ ଲାଗି ଘୋଷିତ ହେବା ପରେ ତାଙ୍କ ବିଜୟର ସମ୍ଭାବନା ଯେ ଅଧିକ, ତାହା ଜଣା ପଡ଼ି ଯାଇଥିଲା। ଏହି ଘୋଷଣା ପରେ ଖବର ପ୍ରକାଶ ପାଇଥିଲା ଯେ ତାଙ୍କ ଗ୍ରାମ ଉପରବେଡ଼ା, ଯାହା ସେ ପର୍ଯ୍ୟନ୍ତ ଆ˚ଶିକ ବିଦ୍ୟୁତ୍ ସ˚ଯୋଗର ସୌଭାଗ୍ୟ ଲାଭ କରିଥିଲା, ତତ୍କ୍ଷଣାତ୍ ସ˚ପୂର୍ଣ୍ଣ ଭାବେ ଆଲୋକିତ ହୋଇ ଉଠିଛି। ଏହାର ଅର୍ଥ ତାଙ୍କ ଗ୍ରାମର ଯେଉଁ ଅ˚ଶ ସ୍ବାଧୀନତାର ୭୫ ବର୍ଷ ପର୍ଯ୍ୟନ୍ତ ଅନ୍ଧକାରାଚ୍ଛନ୍ନ ଥିଲା, ତାହା ମାତ୍ର ଦିନେ ଦୁଇ ଦିନ ମଧୢରେ ଆଲୋକର ସୁବର୍ଣ୍ଣ ଛଟା ଦେଖିଲା। କିନ୍ତୁ ରାଷ୍ଟ୍ରର ବିକାଶ କ୍ରମରେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳଗୁଡ଼ିକ ସ୍ବାଭାବିକ ଭାବେ ଆଲୋକିତ ହୋଇ ଉଠିବା ଉଚିତ ନୁହେଁ କି? ସେଥି ଲାଗି ଦ୍ରୌପଦୀ ମୁର୍ମୁ ମହାମହିମ ରାଷ୍ଟ୍ରପତି ପଦରେ ଅଳଙ୍କୃତ ହେବା ଯାଏ ପ୍ରତୀକ୍ଷା କରିବା ଆବଶ୍ୟକ କି?