ତାତିର ଗତି

୧୯୭୫ରେ ବୁକର‌୍‌ ପ୍ରାଇଜ୍‌ ପାଇଥିବା ଆଙ୍ଗ୍ଲୋଇଣ୍ତିଆନ୍‌ ଲେଖିକା ରୁଥ୍‌ ପ୍ରାଵର‌୍‌ ଝାଭାଲାଙ୍କର ଉପନ୍ୟାସ ‘ହିଟ୍‌ ଆଣ୍ତ ଡଷ୍ଟ୍’ (‘ଗରମ ଓ ଧୂଳି’)ରେ ନାୟିକା ଅଲିଭିଆଙ୍କ କାହାଣୀ ବର୍ଣ୍ଣନା କରାଯାଇଥିଲେ ହେଁ, କୁହାଯାଇଥାଏ ଯେ କାହାଣୀର ପ୍ରକୃତ ନାୟିକା ହେଉଛି-ଭାରତ। ଉପନ୍ୟାସର ଶୀର୍ଷକରୁ ହିଁ ଏହା ସ୍ପଷ୍ଟ ହୋଇଥାଏ, କାରଣ ଭାରତର ଜଳବାୟୁକୁ ଲକ୍ଷ୍ୟ କରି ଝାଭାଲା ତାଙ୍କ କାହାଣୀର ଏପରି ନାମକରଣ କରିଥିଲେ। ଭାରତରେ ସର୍ବବିଦ୍ୟମାନ ଗରମ ଓ ଧୂଳି ଭାରତୀୟମାନଙ୍କୁ ଅସ୍ଥିର, ଚିଡ୍‌ଚିଡ଼ା କରି ତୋଳିଥାଏ ବୋଲି ସେ ଦର୍ଶାଇଛନ୍ତି। ଡଗ୍‌ଲାସ୍‌ଙ୍କ ବିଶାଳ ବାସଭବନରେ ଅଲିଭିଆ ଏକୁଟିଆ ଥିବା ସମୟରେ ଘରର ସମସ୍ତ କବାଟ ଝରକା ବନ୍ଦ କରି ରହୁଥିଲେ; କୌଣସି ଚୋର ତସ୍କରଙ୍କର ଅନୁପ୍ରବେଶର ଭୟ ଯୋଗୁଁ ନୁହେଁ; ଅସହ୍ୟ ଗରମ ଓ ଧୂଳିର ଅନୁପ୍ରବେଶକୁ ଅଟକାଇବା ପାଇଁ। ଖୋଦ୍‌ ଲେଖିକା ମଧୢ ଭାରତରେ ତାଙ୍କର ବ୍ୟକ୍ତିଗତ ଅନୁଭୂତି ସମ୍ବଳିତ ପ୍ରବନ୍ଧ, ‘ମାଇଁସେଲ୍‌ଫ୍‌ ଇନ୍‌ ଇଣ୍ତିଆ’ (‘ଭାରତରେ ମୁଁ’)ରେ ଲେଖିଛନ୍ତି ଯେ ଭାରତର ଅବିରାମ ତାତିରେ ସମୟ ସ୍ଥିର ହୋଇରହିଯାଏ ଏବ˚ ଏ ତାତି ତାଙ୍କୁ ଗିଳି ପକାଇବା ଭଳି ମନେ ହୁଏ।

ସେଇ ଭାରତ ମୂଳର ଜଣେ ବର୍ତ୍ତମାନ ତା’ର ପୂର୍ବ ଶାସକମାନଙ୍କର ଦେଶ, ହେମାଳ ଦ୍ବୀପ ବ୍ରିଟେନ୍‌କୁ ପ୍ରଧାନମନ୍ତ୍ରୀ ରୂପେ ଶାସନ କରିବାର ସମ୍ଭାବନା ଯେତେବେଳେ ଦେଖା ଦେଇଛି (ଯଦି ଶାସନ କ୍ଷମତାରେ ଥିବା କନ୍‌ସର୍ଭେଟିଭ୍‌ ପାର୍ଟିର ସଦସ୍ୟମାନେ ସେମାନଙ୍କର ରକ୍ଷଣଶୀଳ ଜାତି ବିଦ୍ବେଷକୁ ଅତିକ୍ରମ କରି ପ୍ରତିଯୋଗିତାର ଦ୍ବିତୀୟ ସ୍ଥାନରେ ଥିବା ପକ୍‌କା ଇ˚ରେଜ୍‌ ପ୍ରାର୍ଥିନୀ ଲିଜ୍‌ ଟ୍ରସ୍‌ଙ୍କୁ ଚୟନ ନ କରି ଋଷି ସୁନାକ୍‌ଙ୍କ ସପକ୍ଷରେ ସ˚ଖ୍ୟାଗରିଷ୍ଠ ମତଦାନ କରନ୍ତି), ମନେ ହେଉଛି ସତେ ଯେମିତ ଏଥି ସହିତ ଖାପ ଖାଇବା ପାଇଁ ସେଠାକାର ଜଳବାୟୁ ମଧୢ ରୁଥ୍‌ ପ୍ରାଵର‌୍‌ ଝାଭାଲା ବର୍ଣ୍ଣିତ ଭାରତର ଜଳବାୟୁକୁ ଏବେ ଅନୁକରଣ କରିବାକୁ ଆଗେଇ ଆସିଛି। ସେଠାରେ ପ୍ରବାହିତ ତାପ ଲହରୀ ଗତ ସପ୍ତାହରେ ଜନଜୀବନଙ୍କୁ ସେଇ ଭଳି ଅସ୍ତବ୍ୟସ୍ତ କରି ପକାଇଥିଲା, ଯେଉଁଭଳି ଭାରତର ତାତି ତାଙ୍କୁ କରିଥିଲା ବୋଲି ଝାଭାଲା ଲେଖିଥିଲେ। ଏକ ସମୟରେ ଲଣ୍ତନରେ ତାତି ୪୦˚ ସେଲ୍‌ସିଅସ୍‌ ଅତିକ୍ରମ କରିଯାଇଥିଲା, ଯାହା ହେଉଛି ଏକ ସର୍ବକାଳୀନ ରେକର୍ଡ।

ଏଭଳି ତାତି ସହିତ ଆଦୌ ଅଭ୍ୟସ୍ତ ନ ଥିବା ସେ ଦେଶର ଅଧିବାସୀଙ୍କଠାରୁ ଭିତ୍ତିଭୂମି ପର୍ଯ୍ୟନ୍ତ ଏହାର ମୁକାବିଲା କରିବାରେ ଅସମର୍ଥ ହୋଇ ପଡ଼ିଥିଲେ। ଦେଶର ବିଭିନ୍ନ ସ୍ଥାନରେ ଏହି ତାତିର ପ୍ରଭାବରେ ଅଗ୍ନିକାଣ୍ତମାନ ଘଟିଥିବା ବେଳେ ତାପଘାତରେ ଅନ୍ୟୂନ ଦଶ ଜଣଙ୍କର ମୃତ୍ୟୁ ଘଟିଥିଲା। ବିମାନ ବନ୍ଦର ରନ୍‌େଵର ପିଚୁ ତରଳି ଯିବାରୁ କେତେକ ବିମାନବନ୍ଦରକୁ ବନ୍ଦ କରିବାକୁ ପଡ଼ିଥିଲା; ତାତି ଯୋଗୁଁ ରେଳଧାରଣା ବଙ୍କା ହୋଇଯିବାରୁ ରେଳ ଚଳାଚଳ ବ୍ୟାହତ ହେବା ସହିତ ସଡ଼କ ପଥ ଅସୁରକ୍ଷିତ ହୋଇପଡ଼ିବା ଯୋଗୁଁ ଗାଡ଼ି ଚଳାଚଳ ମଧୢ ବନ୍ଦ ହୋଇଯାଇଥିଲା। ପରିସ୍ଥିତି ଏପରି ହୋଇଥିଲା ଯେ ବ୍ରିଟେନ୍‌ରେ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷିତ ହୋଇଥିଲା। ଟେଲିକମ୍‌ ଭିତ୍ତିଭୂମି ଏହି ତୀବ୍ର ଉତ୍ତାପରେ ଅଚଳ ହୋଇ ପଡ଼ିବାରୁ କେତେକ ସେବା ବ୍ୟାହତ ହେବା ମଧୢ ଦେଖା ଯାଇଥିଲା। ବ୍ରିଟେନ୍‌ର ଜାତୀୟ ସ୍ବାସ୍ଥ୍ୟ ସେବା (‘ଏନ୍‌ଏଚ୍‌ଏସ୍‌’) ଜନସାଧାରଣଙ୍କ ପାଇଁ ନିରାପଦ ଆଚରଣ ସମ୍ବଳିତ ଉପଦେଶାବଳୀ ପ୍ରସାରଣ କରିବା ଆବଶ୍ୟକ ମନେ କରିଥିଲା, ଯେଉଁଥିରେ ଅନ୍ତର୍ଭୁକ୍ତ ଥିଲା- ଖରାରେ ଚାଲ ନାହିଁ, ଯଥେଷ୍ଟ ପାଣି ପିଅ, ଇତ୍ୟାଦି। ବ୍ରିଟେନ୍‌ରେ ଯଦି ପରିସ୍ଥିତି ଏଭଳି ହୋଇଛି, ପର୍ତ୍ତୁଗାଲ୍‌, ସ୍ପେନ୍‌, ଫ୍ରାନ୍‌ସ ଆଦି ତା’ର ୟୁରୋପୀୟ ପଡ଼ୋଶୀ ଦେଶମାନଙ୍କରେ ପରିସ୍ଥିତି ଆହୁରି ସଙ୍ଗିନ୍‌ ହୋଇଛି। ତାପ ପ୍ରବାହ ଓ ଅଗ୍ନିକାଣ୍ତ ଯୋଗୁଁ ୟୁରୋପରେ ମୃତ୍ୟୁ ସ˚ଖ୍ୟା ପ୍ରାୟ ଏକ ହଜାର ଛୁଇଁବାକୁ ବସିଲାଣି।

ଶୀତପ୍ରଧାନ ୟୁରୋପରେ ଏପରି ବିନାଶକାରୀ ତାପ ଲହରୀର ଆବିର୍ଭାବର କାରଣ ସମ୍ବନ୍ଧରେ ଅବଶ୍ୟ ସମସ୍ତେ ଏକମତ- ଜଳବାୟୁ ପରିବର୍ତ୍ତନ। ଜଳବାୟୁରେ ପରିବର୍ତ୍ତନ ଘଟିବାର କାରଣ- ବିଶ୍ବ ତାପନ। ବିଶ୍ବ ତାପନର କାରଣ- ଶିଳ୍ପାୟନ। ଶିଳ୍ପାୟନର ଆରମ୍ଭ ଶିଳ୍ପ ବିପ୍ଳବରୁ। ଶିଳ୍ପ ବିପ୍ଳବର ଜନନୀ- ବ୍ରିଟେନ୍‌। ଭାରତ ଭଳି ଗରମ ଓ ଧୂଳିର ଦେଶ ଓ ଅନ୍ୟାନ୍ୟ ସେଇଭଳି ଉପନିବେଶମାନଙ୍କରୁ ଶୋଷଣ କରି ଆଣିଥିବା କଞ୍ଚାମାଲ ଏହି ବିପ୍ଳବକୁ ଖୋରାକ ଯୋଗାଇଥିବା ବେଳେ ସେଇମାନେ ହିଁ ଉତ୍ପାଦିତ ଦ୍ରବ୍ୟ ପାଇଁ ବଜାରରେ ପରିଣତ ହୋଇଥିଲେ। ଇ˚ରେଜୀରେ ଗୋଟିଏ ଢଗ ଅନୁସାରେ, ‘ତୁମେ ଯଦି ପବନ ବୁଣିଥିବ, ତେବେ ତୁମେ ଚକ୍ରବାତ ଅମଳ କରିବ’। ତାହାକୁ ଟିକିଏ ବଦଳାଇ ବର୍ତ୍ତମାନ ପରିପ୍ରେକ୍ଷୀରେ ବୋଧହୁଏ କୁହାଯାଇ ପାରିବ, ‘ତୁମେ ଯଦି ପବନ ବୁଣିଥିବ, ତେବେ ତାତିଲା ପବନ ଅମଳ କରିବ’।

ଏକ ବିଡ଼ମ୍ବନା ଭଳି, ତାତିଲା ପବନର ମୁକାବିଲା କରିବାରେ ଯଦି କାହାର ପାରଦର୍ଶିତା ଥାଏ, ସେମାନେ ହେଉଛନ୍ତି ସେଇ ତାତି ଓ ଧୂଳିର ଦେଶର ଲୋକ- ଭାରତୀୟମାନେ। ସେମାନଙ୍କ ଅଞ୍ଚଳର ଜଳବାୟୁ ଯେତେବେଳେ ଭାରତର ଜଳବାୟୁର ନିକଟତର ହେବାକୁ ଆରମ୍ଭ କଲାଣି, ତାହା ସହିତ ମେଳ ଖାଇ ଚଳିବାକୁ ହେଲେ ଇ˚ରେଜ ଓ ୟୁରୋପୀୟମାନଙ୍କୁ ଏଥର ଭାରତୀୟମାନଙ୍କୁ ଅନୁକରଣ କରି ନିଜର ଜୀବନଶୈଳୀ ବଦଳାଇବାକୁ ପଡ଼ିବ।

ଦିନ ବେଳାର ତାପମାନ ଯେତେବେଳେ ୩୦˚ ସେଲ୍‌ସିଅସ୍‌ ନିକଟବର୍ତ୍ତୀ ହେବ, ସେତେବେଳେ ସୁଟ୍‌, ଟାଇ ଭଳି ତଥାକଥିତ ସାହେବୀ ପୋଷାକ ଯେ ତାପ ଜ୍ବାଳା ହ୍ରାସ କରିବାରେ ଆଦୌ ସହାୟକ ହେବ ନାହିଁ, ଏଥିରେ କୌଣସି ସନ୍ଦେହ ନାହିଁ। ସେମାନେ ତେଣୁ ଭାରତୀୟମାନଙ୍କୁ ଅନୁକରଣ କରି ନିଜର ପରିଧାନରେ ଯେଉଁ ପରିବର୍ତ୍ତନ ଆଣିବା ଉଚିତ ହେବ, ତାହା ହେଲା- କୋଟ୍‌ ଓ ଟାଇକୁ ପରିହାର କରି କେବଳ ପ୍ୟାଣ୍ଟ୍‌ ଓ ସାର୍ଟ ପରିଧାନ କରିବା। ହୁଏତ ସେଠାରେ ପାରଦ ଆଉ ଟିକିଏ ଉପରକୁ ଚଢ଼ିଲେ, ଭାରତୀୟମାନଙ୍କର ଢିିଲା କୁର୍ତ୍ତା ପାଇଜାମା ଇଉରୋପୀୟମାନଙ୍କର ପସନ୍ଦର ପୋଷାକରେ ପରିଣତ ହୋଇଯାଇପାରେ। ଅଳ୍ପ ଦିନ ତଳେ ଜର୍ମାନିରେ ଅନୁଷ୍ଠିତ ଜି-୭ ଶୀର୍ଷ ସମ୍ମିଳନୀରେ ନେତାମାନେ ଯେଉଁ ନେକ୍‌ଟାଇ ପରିତ୍ୟାଗ କରିବା ଦେଖା ଯାଇଥିଲା, ତାହା ଏ ଦିଗରେ ଏକ ପଦକ୍ଷେପ କି ଆଉ? ସେଠାରେ ଗୃହ ନିର୍ମାଣରେ ମଧୢ ଆବଶ୍ୟକ ତାପ ପ୍ରତିରୋଧକ ପରିବର୍ତ୍ତନ ଲୋଡ଼ା ହେବ- ଭାରତରେ ହେଉଥିବା ଭଳି ସେମାନେ ଯଦି କାନ୍ଥକୁ ମୋଟା କରିବେ, ଛାତକୁ ଉଚ୍ଚା କରିବେ, ଝରକାର ଆକାର ଛୋଟ କରିବେ, ତେବେ ତାତିକୁ ଘର ବାହାରେ ଅଟକାଇବା ସହଜ ହେବ।

ବାୟୁମଣ୍ତଳର ଉଷ୍ଣତାରେ ଯେତେ ବୃଦ୍ଧି ଘଟିବ, ସେ ଅଞ୍ଚଳରେ କେତେକ ନୂତନ ପତଙ୍ଗ ଅତିଥିମାନଙ୍କର ଆଗମନର ସମ୍ଭାବନା ସେତେ ବୃଦ୍ଧି ପାଇବ। ଏମାନଙ୍କ ମଧୢରେ ଅନ୍ତର୍ଭୁକ୍ତ ଥିବେ ଏନୋଫିଲିସ୍‌ ଓ ଇଡିସ୍‌ ଭଳି ମଶା, ଯେଉଁମାନେ ହେଉଛନ୍ତି ମ୍ୟାଲେରିଆ ଓ ଡେଙ୍ଗୁ ଭଳି ଭୟଙ୍କର ସ˚କ୍ରାମକ ରୋଗମାନଙ୍କର ବାହକ। ପ୍ରକୃତରେ ସ୍ବିଡେନ୍‌ ଭଳି ମେରୁ ଅଞ୍ଚଳ ନିକଟବର୍ତ୍ତୀ ଦେଶରେ ମଧୢ ଏ ମଶାମାନଙ୍କର ଆବିର୍ଭାବ ଘଟିଲାଣି ବୋଲି ଖବର ପ୍ରକାଶ ପାଇଲାଣି। ଏ ସ˚କ୍ରାମକ ରୋଗ ବିରୋଧରେ ଅଭିଯାନ ଚଳାଇବାରେ ଭାରତର ଅନୁଭୂତି ଓ ଦକ୍ଷତା ହେଉଛି ନେତୃସ୍ଥାନୀୟ। ତାତିଲା ପବନର ଏହି ପାର୍ଶ୍ବ ପରିଣାମର ମୁକାବିଲା ପାଇଁ ମଧୢ ସେମାନେ ଭାରତକୁ ଅନୁକରଣ କରିପାରିବେ। ଝାଭାଲାଙ୍କ ତାତି ଓ ଧୂଳିରେ ହିଁ ଲୁଚି ରହିଛି ଇଉରୋପୀୟମାନଙ୍କର ଉଦ୍ଧାର ପାଇବାର ଉପାୟ।

ସମ୍ବନ୍ଧିତ ଖବର