ସତ୍ୟକାମ

ଛାନ୍ଦୋଗ୍ୟ ଉପନିଷଦରେ ପ୍ରଦତ୍ତ ବର୍ଣ୍ଣନା ଅନୁସାରେ ବାଳକ ସତ୍ୟକାମ ତାଙ୍କର ଜ୍ଞାନ ପିପାସା ପୂରଣ ନିମିତ୍ତ ଜଣେ ବ୍ରହ୍ମଚାରୀ ରୂପେ ଗୌତମ ଋଷିଙ୍କ ଶିଷ୍ୟତ୍ବ ଲାଭ ଉଦ୍ଦେଶ୍ୟରେ ବାହାରିବା ପୂର୍ବରୁ ତାଙ୍କର ମାତା ଜବାଳାଙ୍କୁ ନିଜର ପିତୃ ପରିଚୟ ଜାଣିବା ପାଇଁ ପ୍ରଶ୍ନ କରିଥିଲେ। ମାତା ଜବାଳା ପୁତ୍ର ସତ୍ୟକାମଙ୍କୁ ଦେଇଥିବା ଉତ୍ତର ଥିଲା ଏହିପରି: ‘‘ପୁଅରେ, ମୁଁ ତୋ’ର ପିତା କିଏ ଜାଣେ ନାହିଁ। ମୋର ଯୌବନ ସମୟରେ ଜଣେ ପରିଚାରିକା ଭାବରେ ମତେ ବହୁତ ଘୂରି ବୁଲିବାକୁ ପଡୁଥିଲା, ଯେଉଁ ସମୟରେ ମୋ ଗର୍ଭରେ ତୋ’ର ସଞ୍ଚାର ଘଟିଥିଲା। ତେଣୁ ତୁ କେଉଁ ପିତାର ସନ୍ତାନ, ତାହା ମତେ ଜଣାନାହିଁ। ମୋର ନାମ ହେଉଛି ଜବାଳା; ତୋ’ର ନାମ ହେଉଛି ସତ୍ୟକାମ। ତେଣୁ ତୋ’ର ପରିଚୟ ହେଉଛି- ସତ୍ୟକାମ ଜାବାଳ। ତୁ ଏହି ନାମରେ ନିଜର ପରିଚୟ ଦେବୁ।’’

ଏହାପରେ ସତ୍ୟକାମ ଯାଇ ହରିଦ୍ରୁମତ୍‌ଙ୍କ ପୁତ୍ର ଗୌତମ ମୁନିଙ୍କ ଆଶ୍ରମରେ ପହଞ୍ଚି ତାଙ୍କର ଶିଷ୍ୟତ୍ବ ଲାଭ ନିମିତ୍ତ ପ୍ରାର୍ଥନା କଲେ। ତାଙ୍କ ନିକଟରେ ବ୍ରହ୍ମଚାରୀ ହେବା ପାଇଁ ଇଚ୍ଛା ପ୍ରକଟ କରୁଥିବା ଏହି ବାଳକକୁ ନିଜର ପିତୃ ପରିଚୟ ପ୍ରଦାନ କରିବା ପାଇଁ ଗୌତମ ନିର୍ଦ୍ଦେଶ ଦେଲେ। ଗୌତମଙ୍କ ପ୍ରଶ୍ନର ଉତ୍ତର ସ୍ବରୂପ ସତ୍ୟକାମ ତାଙ୍କୁ ନିଜର ପିତୃ ପରିଚୟ ସମ୍ବନ୍ଧରେ ଅଜ୍ଞତା କଥା ଜଣାଇ ଜନନୀ ଜବାଳା ସେ ବିଷୟରେ ଯାହା କହିଥିଲେ ତାହା ଋଷିଙ୍କ ନିକଟରେ ପ୍ରକାଶ କଲେ। ତା’ପରେ ସେ ଋଷିଙ୍କୁ କହିଲେ, ‘‘ଗୁରୁଦେବ! ସେଇଥିପାଇଁ ମୁଁ ହେଉଛି ସତ୍ୟକାମ ଜାବାଳ।’’ ସତ୍ୟକାମଙ୍କର ସତ୍ୟବାଦିତାରେ ମୁଗ୍‌ଧ ହୋଇ ଗୌତମ ମୁନି ତାଙ୍କୁ ଶିଷ୍ୟ ରୂପେ ଗ୍ରହଣ କରିବା ସହିତ କହିଥିଲେ: ‘‘କେବଳ ଜଣେ ପ୍ରକୃତ ବ୍ରାହ୍ମଣ ହିଁ ଏଭଳି ସତ୍ୟବାଦୀ ହୋଇପାରିବ। ତୁମେ ଯାଅ ସମିଧ ସ˚ଗ୍ରହ କରି ଆଣ, ମୁଁ ତୁମର ଆଶ୍ରମରେ ପ୍ରବେଶ ବିଧି ଆରମ୍ଭ କରିବି। ତୁମେ ସତ୍ୟ ପଥରୁ ବିଚ୍ୟୁତ ହୋଇନାହଁ।’’

ସତ୍ୟକାମଙ୍କର ଏହି କାହାଣୀ ଯାହା ପ୍ରତିପାଦିତ କରିଥାଏ, ତାହା ହେଲା ବୈଦିକ ଯୁଗର ଭାରତୀୟ ଚିନ୍ତାଧାରାରେ ଜଣେ ବ୍ୟକ୍ତି ରୂପେ ନାରୀକୁ ଯେଉଁ ସ୍ବାଧୀନ ମର୍ଯ୍ୟାଦା ପ୍ରଦାନ କରାଯାଉଥିଲା, ତାହା ଆଧୁନିକ ପୃଥିବୀର ସର୍ବାଧିକ ପ୍ରଗତିଶୀଳ ସମାଜମାନଙ୍କରେ ମଧୢ ଏବେ ବି ସ୍ବପ୍ନ ସଦୃଶ ହୋଇ ରହିଛି କହିଲେ ଅତ୍ୟୁକ୍ତି ହେବନାହିଁ। ତେଣୁ ଗତ ସପ୍ତାହରେ ମଙ୍ଗଳବାର ଦିନ କେରଳ ହାଇକୋର୍ଟ ପ୍ରଦାନ କରିଥିବା ଏକ ରାୟରେ ସେଇ ଉପନିଷଦୀୟ ବିଚାରର ଯେଉଁ ଶକ୍ତିଶାଳୀ ପ୍ରତିଫଳନ ଘଟିଛି, ତାହା ଦେଖି ସମ୍ପୂର୍ଣ୍ଣ ରୂପେ ଅଭିଭୂତ ନ ହୋଇ ରହି ହୁଏନାହିଁ। ହାଇକୋର୍ଟଙ୍କ ବିଚାର ନିମିତ୍ତ ଆଗତ ମାମଲାରେ ଦୁଇ ଜଣ ଆବେଦନକାରୀଙ୍କ ମଧୢରୁ ଜଣେ ସତ୍ୟକାମଙ୍କ ଜନନୀ ଜବାଳାଙ୍କ ଭୂମିକାରେ ଅବତୀର୍ଣ୍ଣ ହେବା ଭଳି ମନେ ହେଉଥିବା ବେଳେ ଅନ୍ୟ ଜଣକ ତାଙ୍କର ପୁତ୍ର ସତ୍ୟକାମ ଭଳି ପ୍ରତୀୟମାନ ହୋଇଥାନ୍ତି। ଜବାଳା ତାଙ୍କର ଯୌବନାବସ୍ଥାରେ କୌଣସି ଅଜ୍ଞାତ ପୁରୁଷଦ୍ବାରା ଅନ୍ତଃସତ୍ତ୍ବା ହୋଇଥିବା ଭଳି, କେରଳର ଏହି ମହିଳା ଜଣକ ଅପ୍ରାପ୍ତ ବୟସ୍କା ଥିବା ସମୟରେ କୌଣସି ଏକ ଅଚିହ୍ନା ପୁରୁଷ ଦ୍ବାରା ରହସ୍ୟଜନକ ପରିସ୍ଥିତିରେ ଗର୍ଭବତୀ ହୋଇଥିଲେ। ପରେ ସେ ଏକ ପୁତ୍ର ସନ୍ତାନ ପ୍ରସବ କରିଥିଲେ।

ପରବର୍ତ୍ତୀ ସମୟରେ ପିତୃ ପରିଚୟ ଅନିଶ୍ଚିତ ଥିବା ଏହି ବାଳକ ଏଥିଯୋଗୁଁ ଏକ ଉଦ୍ଭଟ ପରିସ୍ଥିତିର ସମ୍ମୁଖୀନ ହୋଇଛି: ବିଭିନ୍ନ ସମୟରେ ତିନିଗୋଟି ଭିନ୍ନ ଭିନ୍ନ ନଥିରେ ତା’ର ପିତାଙ୍କ ନାମ ଭିନ୍ନ ଭିନ୍ନ ଭାବେ ଲିପିବଦ୍ଧ ହୋଇଛି। ଏହା ଯେ ସେ ପୁତ୍ର ପାଇଁ ଏକ ଘୋର ବିଭ୍ରାନ୍ତିକର ପରିସ୍ଥିତି ସୃଷ୍ଟି କରିଥାଏ, କେବଳ ତାହା ନୁହେଁ, ଆମର ପୁରୁଷ ପ୍ରଧାନ ସମାଜରେ ଏଥିପାଇଁ ତାକୁ ଅନେକ ସମୟରେ ଚରମ ଲଜ୍ଜା ଓ ଅପମାନର ଶିକାର ହେବାକୁ ମଧୢ ପଡ଼ିଥାଏ। ଅଦାଲତଙ୍କ ନିକଟରେ ତେଣୁ ମାତା ଓ ପୁତ୍ର ନିବେଦନ କରିଥିଲେ ଯେ ପୁତ୍ରର ଜନ୍ମ ପ୍ରମାଣ ପତ୍ର (ବାର୍ଥ‌୍‌ ସାର୍ଟିଫିକେଟ୍‌)ରୁ ପିତାଙ୍କ ନାମକୁ ସମ୍ପୂର୍ଣ୍ଣ ରୂପେ ଅପସାରିତ କରାଯାଇ ସେଥିରେ କେବଳ ମାତାଙ୍କ ନାମ ଉଲ୍ଲେଖ କରାଯାଉ। ଅର୍ଥାତ୍‌ ସେମାନଙ୍କ ନିବେଦନ ଅନୁସାରେ ପୁତ୍ରର ବାର୍ଥ‌୍‌ ସାର୍ଟିଫିକେଟ୍‌କୁ ପ୍ରତ୍ୟାହାର କରି ଏକ ନୂତନ ସାର୍ଟିଫିକେଟ୍‌ ପ୍ରସ୍ତୁତ କରି ପ୍ରଦାନ କରାଯାଉ ଯେଉଁଥିରେ କେବଳ ମାତାଙ୍କ ନାମ ଲିପିବଦ୍ଧ ହେବା ପାଇଁ ବ୍ୟବସ୍ଥା ଥିବ, ପିତାଙ୍କ ନାମ ଉଲ୍ଲେଖ କରିବାର ଅବକାଶ ହିଁ ନ ଥିବ। ସେହିପରି ଅନ୍ୟ ସମସ୍ତ ପରିଚୟ ବହନକାରୀ ନଥିମାନଙ୍କରେ ମଧୢ କେବଳ ମାତୃ ପରିଚୟର ଉଲ୍ଲେଖ ରହିବା ପାଇଁ ସେମାନେ ଆବେଦନ କରିଥିଲେ।

କେରଳ ହାଇକୋର୍ଟର ମାନ୍ୟବର ନ୍ୟାୟମୂର୍ତ୍ତି ପି.ଭି. କୁହ୍ନିକୃଷ୍ଣନ୍‌ ଉପରୋକ୍ତ ଉପାଖ୍ୟାନର ଗୌତମ ମୁନିଙ୍କ ଭଳି ଉଦାରତା ଓ ବିଜ୍ଞତା ପ୍ରଦର୍ଶନ କରି ମାତା ଓ ପୁତ୍ରଙ୍କର ଆବେଦନକୁ ଗ୍ରହଣ କରିବା ସହିତ କେବଳ ମାତାଙ୍କ ନାମ ବହନ କରୁଥିବା ବାର୍ଥ‌୍‌ ସାର୍ଟିଫିକେଟ୍‌ ପ୍ରଦାନ କରିବା ପାଇଁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମାନ୍ୟବର ନ୍ୟାୟମୂର୍ତ୍ତି ଏହି ରାୟ ଦେବା ବେଳେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମ୍‌ କୋର୍ଟଙ୍କର ୨୦୧୫ରେ ପ୍ରଦତ୍ତ ଏକ ପଥ ପ୍ରଦର୍ଶକ ନିର୍ଦ୍ଦେଶର ଅନୁସରଣ କରିଥିଲେ, ଯେଉଁଥିରେ କୋର୍ଟ କହିଥିଲେ ଯେ ସନ୍ତାନର ବାର୍ଥ‌୍‌ ସାର୍ଟିଫିକେଟ୍‌ରେ ଉଲ୍ଲେଖ କରାଯିବା ନିମିତ୍ତ ତା’ର ଜୈବିକ ପିତାଙ୍କର ନାମ ପ୍ରକାଶ କରିବା ପାଇଁ କୌଣସି ଏକକ-ଜନନୀଙ୍କୁ ବାଧୢ କରାଯାଇପାରିବ ନାହିଁ। କେରଳ ହାଇକୋର୍ଟ ପ୍ରଦାନ କରିଥିବା ରାୟରେ ଦେଶର ସମସ୍ତ ଜନ୍ମ-ମୃତ୍ୟୁ ପଞ୍ଜୀକରଣ କରୁଥିବା ‘ଚିଫ୍‌ ରେଜିଷ୍ଟ୍ରାର’ମାନଙ୍କ ଉଦ୍ଦେଶ୍ୟରେ ନିର୍ଦ୍ଦେଶ ବହନ କରୁଥିବା କେନ୍ଦ୍ର ସରକାରଙ୍କର ଗୃହ ମନ୍ତ୍ରଣାଳୟ ଦ୍ବାରା ଜାରି କରାଯାଇଥିବା ଏକ ପତ୍ରର ଉଦ୍ଧାର କରିଥିଲେ, ଯେଉଁଥିରେ ସ୍ପଷ୍ଟ କରି ଦିଆଯାଇଥିଲା ଯେ ଏକକ-ଜନନୀଙ୍କ କ୍ଷେତ୍ରରେ ସନ୍ତାନର ପିତାଙ୍କ ନାମ ପ୍ରକାଶ କରିବାକୁ ବାଧୢ ନ କରି ଏକ ସତ୍ୟପାଠ ଭିତ୍ତିରେ କେବଳ ମାତାଙ୍କ ନାମ ବହନ କରୁଥିବା ସାର୍ଟିଫିକେଟ୍‌ ପ୍ରଦାନ କରାଯିବ। ହାଇକୋର୍ଟ ମଧୢ କେରଳ ରାଜ୍ୟ ସରକାରଙ୍କୁ ବାର୍ଥ‌୍‌ ସାର୍ଟିଫିକେଟ୍‌ ପ୍ରସ୍ତୁତି ନିମିତ୍ତ ଏକ ଅଲଗା ଫର୍ମ ତିଆରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି, ଯେଉଁଥିରେ ପିତାଙ୍କ ସମ୍ପର୍କରେ କୌଣସି ସୂଚନା ପ୍ରଦାନ ଆବଶ୍ୟକ କରୁଥିବା ସ୍ଥାନ ବା ‘ଫିଲ୍‌ଡ’ ନ ଥିବ। ଅର୍ଥାତ୍‌, ‘ମୂଳୁ ମାରିଲେ ଯିବ ସରି’।

ସୁପ୍ରିମ୍‌ କୋର୍ଟଙ୍କ ରାୟ ଉଦ୍ଧାର କରି ହାଇକୋର୍ଟ ତାଙ୍କ ରାୟରେ କହିଛନ୍ତି ଯେ ଜଣେ ନାରୀଙ୍କର ପ୍ରଜନନ ଅଧିକାର ହେଉଛି ତାଙ୍କର ଏକ ମୌଳିକ ଅଧିକାର ଏବ˚ ଏହା ସମ୍ବିଧାନର ଧାରା-୨୧ ଜଣେ ନାଗରିକକୁ ପ୍ରଦାନ କରୁଥିବା ମୌଳିକ ଅଧିକାର ମଧୢରେ ଅନ୍ତର୍ଭୁକ୍ତ। ଜଷ୍ଟିସ୍‌ କୁହ୍ନିକୃଷ୍ଣନ୍‌ ଏ ସମ୍ପର୍କରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ଯାଇ ରାୟରେ ଉଲ୍ଲେଖ କରିଛନ୍ତି ଯେ ଏ ଦେଶରେ ଧର୍ଷଣ-ପୀଡ଼ିତା ଓ ଅବିବାହିତା ମାତାମାନଙ୍କର ଅନେକ ସନ୍ତାନସନ୍ତତି ରହିଛନ୍ତି, ଯେଉଁମାନଙ୍କର ଗୋପନୀୟତା, ଆତ୍ମସମ୍ମାନ ଏବ˚ ସ୍ବାଧୀନତାର ଅଧିକାରକୁ କୌଣସି କର୍ତ୍ତୃପକ୍ଷ କ୍ଷୁଣ୍ଣ କରି ପାରିବେ ନାହିଁ। ନ୍ୟାୟମୂର୍ତ୍ତି ଏଭଳି ବ୍ୟକ୍ତିମାନଙ୍କର ମାନସିକ ଯନ୍ତ୍ରଣାକୁ ହୃଦୟଙ୍ଗମ କରିବା ପାଇଁ ଦେଶର ପ୍ରତ୍ୟେକ ନାଗରିକକୁ ଆହ୍ବାନ ଦେବା ସଙ୍ଗେ ସଙ୍ଗେ ସେମାନଙ୍କୁ ଏ ସମ୍ଭାବ୍ୟ ଯନ୍ତ୍ରଣାରୁ ସୁରକ୍ଷିତ ରଖିବା ଦାୟିତ୍ବ ହେଉଛି ରାଷ୍ଟ୍ରର ବୋଲି ଜୋର‌୍‌ ଦେଇ କହିଛନ୍ତି।

ଏହି ଅବସରରେ ସେ ଭାବବିହ୍ବଳ ହୋଇ ଯେଉଁ ଏକ ପ୍ରସିଦ୍ଧ ପୌରାଣିକ ଚରିତ୍ରଙ୍କର ଏଭଳି ମାନସିକ ଯନ୍ତ୍ରଣା ପ୍ରତି ଆମ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି, ସେ ହେଉଛନ୍ତି ମହାଭାରତର ପିତୃ ପରିଚୟହୀନ କର୍ଣ୍ଣ। ନିଜର ଏହି ଆହ୍ବାନକୁ ସୁଦୂର ପ୍ରସାରୀ କରିବା ପାଇଁ ନ୍ୟାୟମୂର୍ତ୍ତି କହିଛନ୍ତି ଯେ ଆମେ ଏଭଳି ଏକ ସମାଜ ସୃଷ୍ଟି କରିବା, ଯେଉଁଠି ‘ଜାରଜ’ ନାମକ ଶବ୍ଦ କେବଳ ଅଭିଧାନ ଭିତରେ ଆବଦ୍ଧ ହୋଇରହିବ, ସମାଜର କୌଣସି ସଦସ୍ୟଙ୍କୁ ଏହାର ଉଦାହରଣ ରୂପେ ପ୍ରଦର୍ଶିତ କରାଯାଇ ପାରିବ ନାହିଁ। ନ୍ୟାୟମୂର୍ତ୍ତି କୁହ୍ନିକୃଷ୍ଣନ୍‌ଙ୍କର ଯେଉଁ ମନ୍ତବ୍ୟ ହେଉଛି ସର୍ବାଧିକ ମର୍ମସ୍ପର୍ଶୀ, ତାହା ହେଲା: ଏକ ଅବିବାହିତ ମାତାଙ୍କର ସନ୍ତାନ ଜଣେ କେବଳ ତା’ ମାତାଙ୍କର ସନ୍ତାନ ନୁହେଁ, ସେ ମଧୢ ହେଉଛି ଏହି ମହାନ୍‌ ଦେଶ ଭାରତର ସନ୍ତାନ। ଅନ୍ୟ ଭାଷାରେ କହିଲେ, ଏ ଦେଶରେ ପ୍ରତ୍ୟେକ ସତ୍ୟକାମ ହେଉଛନ୍ତି କେବଳ ଜବାଳାଙ୍କର ନୁହେଁ, ସ୍ବୟ˚ ଭାରତମାତାଙ୍କ ସନ୍ତାନ!

ସମ୍ବନ୍ଧିତ ଖବର