ଅତି-ପଣ୍ତିତ

ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ‘ରାଷ୍ଟ୍ରପତ୍ନୀ’ ରୂପେ ସମ୍ବୋଧନ କରି କ˚ଗ୍ରେସ ପାର୍ଟିର ସା˚ସଦ ତଥା ଲୋକସଭା ନେତା ଅଧୀର ରଞ୍ଜନ ଚୌଧୁରୀ ଯେଉଁ ହଟହଟାରେ ପଡ଼ିଛନ୍ତି, ତାହା ଅନେକଙ୍କୁ ସେଇ ସୁପରିଚିତ କାହାଣୀର ଅନ୍ୟତମ ଚରିତ୍ର ଜଣେ ବ୍ୟାକରଣବିତ୍‌ ଅତି-ପଣ୍ତିତଙ୍କ ଦଶା କଥା ମନେ ପକାଇ ଦେଉଥିବ। କାହାଣୀଟିରେ ଚାରିଜଣ ପଣ୍ତିତ- ଜଣେ ଆୟୁର୍ବେଦବିତ୍‌, ଜଣେ ସଙ୍ଗୀତ ବିଶାରଦ, ଜଣେ ଜ୍ୟୋତିଷଶାସ୍ତ୍ରଜ୍ଞ ଓ ଜଣେ ବୈୟାକରଣିକ- ରାଜ ଦରବାରରେ ନିଜ ନିଜର ପାଣ୍ତିତ୍ୟ ପ୍ରଦର୍ଶନ କରି ରାଜାଙ୍କ ଠାରୁ ପୁରସ୍କାର ଲାଭ କରିବା ଉଦ୍ଦେଶ୍ୟରେ ରାଜାଙ୍କ ସମ୍ମୁଖରେ ଉପସ୍ଥିତ ହେଲେ। ଚତୁର ମନ୍ତ୍ରୀ କିନ୍ତୁ ତା’ ପୂର୍ବରୁ ସେ ଚାରି ପଣ୍ତିତଙ୍କର ସାଧାରଣଜ୍ଞାନ ପରୀକ୍ଷାର ଏକ ଆୟୋଜନ କଲେ, ଯାହାର ବିଶଦ ବର୍ଣ୍ଣନା ଏଠାରେ ପ୍ରାସଙ୍ଗିକ ନୁହେଁ। ଏଠାରେ ଯାହା ପ୍ରାସଙ୍ଗିକ, ତାହା ହେଲା, ଏହି ପରୀକ୍ଷାର ଅ˚ଶ ସ୍ବରୂପ ବୈୟାକରଣିକ ଜଣକ ଦୁଧ କିଣିବା ପାଇଁ ଯାଇ ଜଣେ ଗୋପାଳ ଘରେ ପହଞ୍ଚିଲେ। ଗୋପାଳ ଜଣକ ପଣ୍ତିତଙ୍କୁ ସାଙ୍ଗରେ ନେଇ ଗୁହାଳରେ ପ୍ରବେଶ କରି ଗାଈକୁ ଦୁହିଁବା ଆରମ୍ଭ କଲେ। ଗାଈଟି ଟିକିଏ ତରକା ଥିଲା ଓ ଦୁହିଁବା ସମୟରେ ସ୍ଥିର ଭାବରେ ଛିଡ଼ା ନହୋଇ ହଲଚଲ ହେବାକୁ ଲାଗିଲା। ଗୋପାଳ ଜଣକ ଏଥିଯୋଗୁଁ ବିରକ୍ତ ହୋଇ କ୍ରୋଧରେ ଗାଈକୁ ଗାଳି ଦେଇ କହିଲେ: ‘‘ଦୁଷ୍ଟ ଗାଈ!’’ ଏହା ଏକ ବ୍ୟାକରଣଗତ ତ୍ରୁଟି ଥିଲା, କାରଣ ଗାଈ ସ୍ତ୍ରୀ-ଲିଙ୍ଗ ହୋଇଥିବାରୁ ତା ପ୍ରତି ଯେଉଁ ନିର୍ଭୁଲ୍‌ ବିଶେଷଣ ପ୍ରଯୁଜ୍ୟ ହେବା ଉଚିତ, ତାହା ହେଉଛି- ‘ଦୁଷ୍ଟା’। ଏଭଳି ଭୁଲ୍‌ ପଣ୍ତିତଙ୍କ ପାଇଁ ଅସହ୍ୟ ଥିଲା; ତେଣୁ ତତ୍‌କ୍ଷଣାତ୍‌ ଗୋପାଳଙ୍କର ଭ୍ରମ ସ˚ଶୋଧନ କରି ସେ କହିପକାଇଲେ: ‘‘ଦୁଷ୍ଟ ନୁହଁ, ଦୁଷ୍ଟା।’’ ଏକ ଅପରିଚିତ ସ୍ବର ଗାଈଟିର କାନରେ ପଡ଼ିବା ମାତ୍ରେ, ତରକା ଗାଈଟି ଜୋର‌୍‌ରେ ତାର ଗୋଡ଼ ଛାଟି ଦେବାରୁ ଗୋପାଳଙ୍କ ହାତରୁ ପାତ୍ରଟି ଓଲଟି ତଳେ ପଡ଼ିଗଲା ଓ ସବୁତକ ଦୁଧ ଢାଳି ହୋଇଗଲା। ଏଣେ ଗାଈର ଲାତ ଖାଇ ପଣ୍ତିତ ତଳେ ପଡ଼ିଗଲେ; ଦୁଧ ଢାଳି ହୋଇଯିବା ଯୋଗୁଁ କ୍ଷତିରେ ପଡ଼ିଥିବା ଗୋପାଳ ଜଣକ କ୍ରୋଧଜର୍ଜରିତ ହୋଇ ପଣ୍ତିତଙ୍କୁ ଉତ୍ତମ ମଧ୍ୟମ ଦେଇ ସେଠାରୁ ତଡ଼ିଦେଲେ।

ଭାରତର ବର୍ତ୍ତମାନର ରାଷ୍ଟ୍ରପତି ଜଣେ ମହିଳା ହୋଇଥିବାରୁ ମାନ୍ୟବର ସା˚ସଦ ଜଣକ ବୋଧହୁଏ ଜଣେ ବୈୟାକରଣିକ ଭୂମିକାରେ ଅବତୀର୍ଣ୍ଣ ହୋଇ ‘ଦୁଷ୍ଟ’ ସ୍ଥାନରେ ‘ଦୁଷ୍ଟା’ ପ୍ରୟୋଗ କଲାଭଳି, ‘ରାଷ୍ଟ୍ରପତି’ ସ୍ଥାନରେ ‘ରାଷ୍ଟ୍ରପତ୍ନୀ’ ରୂପେ ତାଙ୍କୁ ସମ୍ବୋଧନ କରିବାକୁ ଉଚିତ ମନେ କରିଥିଲେ। ଏହା କିିନ୍ତୁ ହେଉଛି ସା˚ସଦ ଅଧୀର ଚୌଧୁରୀଙ୍କ ଆଚରଣ ପ୍ରତି ଏକ ଅତ୍ୟନ୍ତ ଉଦାର ଦୃଷ୍ଟିଭଙ୍ଗୀ; କାରଣ ‘ରାଷ୍ଟ୍ରପତି’ ହେଉଛି ମୂଳତଃ ଏକ ସ˚ସ୍କୃତ ଶବ୍ଦ ଏବ˚ ଏହା ହେଉଛି ଏକ ଲିଙ୍ଗ ନିରପେକ୍ଷ ଶବ୍ଦ, ଯାହାର ସ୍ତ୍ରୀ-ଲିଙ୍ଗ ବାଚକ ରୂପ ‘ରାଷ୍ଟପତ୍ନୀ’ ନୁହେଁ। ସା˚ସଦଙ୍କର ତଥାକଥିତ ହିନ୍ଦୀ ଜ୍ଞାନ ଅଭାବ ସହିତ ‘ରାଷ୍ଟ୍ରପତ୍ନୀ’ ଶବ୍ଦ ବ୍ୟବହାରର କୌଣସି ସମ୍ପର୍କ ନାହିଁ। ସେ ଅବଶ୍ୟ ଚାପରେ ପଡ଼ି ଲିଖିତ ଭାବରେ ରାଷ୍ଟ୍ରପତି ମହୋଦୟାଙ୍କ ନିକଟରେ କ୍ଷମାପ୍ରାର୍ଥନା କରିଛନ୍ତି।

ସାଂସଦଙ୍କ ଭାଷା ବ୍ୟବହାରକୁ କେନ୍ଦ୍ର କରି ବର୍ତ୍ତମାନ ସୃଷ୍ଟି ହୋଇଥିବା ଏହି ରାଜନୈତିକ ଝଡ଼କୁ ଅତିକ୍ରମ କରି କିନ୍ତୁ ଯଦି ଦେଖାଯାଏ, ତେବେ ଏଭଳି ସମସ୍ୟାକୁ କେବଳ ମାତ୍ର ଏକ ଭାଷାଗତ ସମସ୍ୟା କହି ଆଡ଼େଇ ନିଆଯାଇପାରିବ ନାହିଁ। କାରଣ, ଏକ ନିର୍ଦ୍ଦିଷ୍ଟ ଭାଷାତତ୍ତ୍ବ ଅନୁସାରେ ଭାଷା କେବଳ ଭାବପ୍ରକାଶର ଏକ ମାଧ୍ୟମ ମାତ୍ର ନୁହେଁ; ଭାଷା ମଧ୍ୟ ଭାବକୁ ରୂପ ଦେଇଥାଏ। ବାସ୍ତବରେ ଏହି ଚିନ୍ତାଧାରା ୧୯୩୦ ଦଶକରେ ଏକ ଆନ୍ଦୋଳନକୁ ଜନ୍ମ ଦେଇଥିଲା, ଯାହା ‘ଜେନେରାଲ୍‌ ସେମାଣ୍ଟିିକ୍‌ସ’ (‘ସାଧାରଣ ଭାଷାତତ୍ତ୍ବ’) ରୂପେ ପରିଚିତ। ଏହି ଚିନ୍ତାଧାରାର ଅନୁସରଣକାରୀମାନେ ବିଶ୍ବାସ କରନ୍ତି ଯେ ମନୁଷ୍ୟର ଚିନ୍ତନ ପ୍ରକ୍ରିୟା ପ୍ରତି ଭାଷାର ଗଠନ ଯେଉଁ କ୍ଷତି ପହଞ୍ଚାଇଥାଏ, ସେଥି ଯୋଗୁଁ ସେ ବିଭିନ୍ନ ଭୁଲ୍‌ଭଟକା କରିଥାଏ। ଏହି ଅନ୍ତର୍ଘାତୀ ଭାଷାଜନିତ କ୍ଷତିର ନାମକରଣ କରାଯାଇଛି, ‘ସେମାଣ୍ଟିକ୍‌ ଡ୍ୟାମେଜ୍‌’। କାଉଣ୍ଟ୍‌ ଆଲ୍‌ଫ୍ରେଡ୍‌ କୋର୍ଜିବସ୍କି ନାମକ ଇଞ୍ଜିନିୟରଙ୍କ ଦ୍ବାରା ପ୍ରବର୍ତ୍ତିତ ଓ ତାଙ୍କର ଦୁଇ ଶିଷ୍ୟ ଷ୍ଟୁଆର୍ଟ ଚେଜ୍‌ ଓ ଏସ୍‌. ଆଇ. ହାୟାକାଵାଙ୍କର ବହୁଳ ଆଦୃତ ରଚନାମାନ ମଧ୍ୟରେ ପ୍ରସାରିତ ଏହି ମତବାଦର ସାରମର୍ମ ହେଲା ଏହା ଯେ ବ୍ୟକ୍ତି ବ୍ୟବହାର କରୁଥିବା ଭାଷା ତା’ର ଆଚରଣକୁ ରୂପ ପ୍ରଦାନ କରିଥାଏ। ଏହି ମତବାଦକୁ ପ୍ର‌େୟାଗ କରି କେତେକ ନାରୀ-ଅଧିକାର ଆନ୍ଦୋଳନକାରଣୀ ମାନେ କହିଥାନ୍ତି ଯେ ଯେଉଁମାନେ ନାରୀମାନଙ୍କ ପ୍ରତି ଅସମ୍ମାନଜନକ ବା ବିଦ୍ବେଷମୂଳକ ଭାଷା ପ୍ରୟୋଗ କରନ୍ତି, ନାରୀମାନଙ୍କ ପ୍ରତି ସେମାନଙ୍କର ଚିନ୍ତାଧାରା ଓ ଆଚରଣ ମଧ୍ୟ ଅନୁରୂପ ହୋଇଥାଏ। ସା˚ସଦ ଅଧୀର ଚୌଧୁରୀଙ୍କ ସମାଲୋଚକମାନେ କହନ୍ତି ଯେ ସେ ବ୍ୟବହାର କରିଥିବା ଶବ୍ଦ ‘ରାଷ୍ଟ୍ରପତ୍ନୀ’ ଏଇଭଳି ଲିଙ୍ଗ ବିଦ୍ବେଷ ବହନ କରିଥାଏ।

‘ଜେନେରାଲ୍‌ ସେମାଣ୍ଟିକ୍‌ସ’ ତତ୍ତ୍ବକୁ ଯାହା ଏକ ବୈଜ୍ଞାନିକ ଭିତ୍ତି ଯୋଗାଇବାକୁ ଚେଷ୍ଟା କରିଥାଏ, ତାହା ହେଉଛି ‘ଲିଙ୍ଗୁଇଷ୍ଟିକ୍‌ ଡିଟରମିନିଜ୍‌ମ୍‌’ (‘ଭାଷାଭିତ୍ତିକ ନିର୍ଣ୍ଣୟବାଦ’) ନାମକ ଏକ ନିୟମ, ଯାହାର ମୁଖ୍ୟ ପ୍ରବର୍ତ୍ତକ ବିଚକ୍ଷଣ ଭାଷାତତ୍ତ୍ବବିତ୍‌ ଦ୍ବୟ ହେଉଛନ୍ତି ଏଡ୍‌ଵାର୍ଡ ସାପିର‌୍‌ ଓ ବେଞ୍ଜାମିନ୍‌ ଲି ହର୍ଫ। ‘ସାପିର‌୍‌-ହର୍ଫ ନିୟମ’ ନାମକ ଏହି ମତବାଦ ଅନୁସାରେ ବ୍ୟକ୍ତି ପାଇଁ ଉପଲବ୍‌ଧ ଭାଷାର ପ୍ରକାରଭେଦ ହିଁ ତାର ଚିନ୍ତାଧାରାକୁ ନିର୍ଣ୍ଣୟ କରିଥାଏ। ଏହି ମତବାଦର ସର୍ବାଧିକ ପ୍ରଭାବଶାଳୀ ପ୍ରୟୋଗ ଯଦି କେଉଁଠି ଦେଖିବାକୁ ମିଳିଥାଏ, ତାହା ହେଉଛି ଜର୍ଜ ଅର୍‌ୱେଲ୍‌ଙ୍କର ୧୯୪୯ରେ ରଚିତ କାଳଜୟୀ ଉପନ୍ୟାସ ‘ନାଇଣ୍ଟିନ୍‌ ଏଇଟିଫୋର‌୍‌’ରେ।

ଏହି ଉପନ୍ୟାସର ବିଦଗ୍‌ଧ ପାଠକପାଠିକାମାନେ ହୁଏତ ଶାନ୍ତିରେ ନିଃଶ୍ବାସ ମାରୁଥିବେ ଯେ ୧୯୮୪ ସମ୍ବତ୍ସର ଇତିମଧ୍ୟରେ ଅତିକ୍ରାନ୍ତ ହୋଇଯାଇଛି, କିନ୍ତୁ ଅର୍‌‌େଵଲ୍‌ଙ୍କ ଉପନ୍ୟାସରେ ବର୍ଣ୍ଣିତ ଭୟଙ୍କର ଏକଛତ୍ର ସାମ୍ୟବାଦ ଦ୍ବାରା ମାନବ ସମାଜ କବଳିତ ହୋଇନାହିଁ। କିନ୍ତୁ ଯେଉଁମାନେ ଉକ୍ତ ଉପନ୍ୟାସର ଏକ ପରିଶିଷ୍ଟ ଉପରେ ଧ୍ୟାନ ଦେଇଥିବେ, ସେମାନଙ୍କ ଅସ୍ବସ୍ତିରେ ତଥାପି ଅନ୍ତ ଘଟି ନଥିବ; ସେମାନଙ୍କ ସମ୍ମୁଖରେ ଆଉ ଏକ ସମ୍ବତ୍ସର ତାର ନି‌େଷ୍ପଷଣକାରୀ ସମ୍ଭାବନା ଧରି ଉଭା ହୋଇଥିବ: ୨୦୫୦। ମୂଳ ଉପନ୍ୟାସରେ ନାୟକ ଵିନ୍‌ଷ୍ଟନ୍‌ ସ୍ମିଥ୍‌ର ମସ୍ତିଷ୍କରୁ ସମସ୍ତ ପ୍ରକାର ବିଦ୍ରୋହାତ୍ମକ ଚିନ୍ତାକୁ ବିତାଡ଼ିତ କରିବା ପାଇଁ ତା’ ପ୍ରତି କାରାଦଣ୍ଡରୁ ଆରମ୍ଭ କରି ଶାରୀରିକ ଯନ୍ତ୍ରଣା ପ୍ରଦାନ ଓ ଡ୍ରଗ୍‌ସ ପ୍ରୟୋଗ ଆଦି ପର୍ଯ୍ୟନ୍ତ ପ୍ରୟୋଗ କରିବା ଆବଶ୍ୟକ ହୋଇଛି। ୨୦୫୦ରେ କିନ୍ତୁ ଆଉ ଏସବୁ ଦରକାର ହେବନାହିଁ, କାରଣ ଆଉ କୌଣସି ଵିନ୍‌ଷ୍ଟନ୍‌ ସ୍ମିଥ୍‌ର ଆବିର୍ଭାବ ଘଟିବ ନାହିଁ। କାରଣ, ସେତେବେଳକୁ ଆଉ କୌଣସି ବ୍ୟକ୍ତିର ମସ୍ତିଷ୍କରେ ଵିନ୍‌ଷ୍ଟନ୍‌ ସ୍ମିଥ୍‌ ସୁଲଭ ବିଦ୍ରୋହୀ ଚିନ୍ତାଧାରାର ଉନ୍ମେଷ ମଧ୍ୟ ଘଟିବ ନାହିଁ। କାରଣ, ସେତେବେଳକୁ ‘ନିଉସ୍ପିକ୍‌’ (‘ନୂଆ ଭାଷା’) ନାମକ ଏକ ନୂତନ ଭାଷାର ପ୍ରଚଳନ ଘଟିସାରିଥିବ, ଯେଉଁଥିରେ ବିଦ୍ରୋହୀ ଚିନ୍ତା ଉଦ୍ରେକ କରୁଥିବା କୌଣସି ଶବ୍ଦ ହିଁ ନଥିବ। ‘ନିଉସ୍ପିକ୍‌’ ହେବ ବ୍ୟକ୍ତିର ଚିନ୍ତା ପ୍ରବାହକୁ ନିୟନ୍ତ୍ରଣ କରୁଥିବା ଅନ୍ତିମ ଅସ୍ତ୍ର। ଅର୍‌‌େଵଲ୍‌ କହିଥିବା ଭଳି, ନିଉସ୍ପିକ୍‌ରେ ହୁଏତ ‘ମୁକ୍ତ’ ନାମକ ଶବ୍ଦ ଥିବ, କିନ୍ତୁ ତା’ର ଅର୍ଥ ‘କୁକୁରଟି ଉକୁଣୀମୁକ୍ତ’ କିମ୍ବା ‘କ୍ଷେତଟି ଅନାବନା ଗଛମୁକ୍ତ’ ଭଳି ବ୍ୟବହାରରେ ସୀମିତ ଥିବ- ରାଜନୈତିକ କିମ୍ବା ବୌଦ୍ଧିକ ସ୍ବାଧୀନତା ସହିତ ଏହି ‘ମୁକ୍ତ’ର କୌଣସି ସମ୍ପର୍କ ନଥିବ।

‘ଜେନେରାଲ୍‌ ସେମାଣ୍ଟିକ୍‌ସ୍‌’ ତତ୍ତ୍ବର ଏପରି ଅର‌୍‌େଵଲୀୟ ପ୍ରୟୋଗ ହୁଏତ ଏକ ଅତିରଞ୍ଜନ ବା ଅବାସ୍ତବ କଥନ ଭଳି ମନେ ହୋଇପାରେ, କିନ୍ତୁ ଅଧୀର ଚୌଧୁରୀଙ୍କ ଘଟଣାରେ ତାହାର ଯେଉଁ ଛାପ ଦେଖିବାକୁ ମିଳିଛି, ତାହା ଆମକୁ ସତର୍କ କରାଇଥାଏ ଭାଷା ବ୍ୟବହାରରେ ନେତାମାନେ କିପରି ଚରମ ସ˚ଯମ ଆଚରଣ କରିବା ଆବଶ୍ୟକ।

ସମ୍ବନ୍ଧିତ ଖବର