ପତାକାର ପ୍ରଶ୍ନ

ଭାରତର ସ୍ବାଧୀନତା ସ˚ଗ୍ରାମର ଇତିହାସ ସହିତ ପରିଚିତ ସମସ୍ତଙ୍କୁ ଜଣା ଏହି ସ˚ଗ୍ରାମ କିପରି ଆଉ ଏକ ଉପ-ସ˚ଗ୍ରାମ ଉପରେ ପ୍ରତିଷ୍ଠିତ ହୋଇଥିଲା: ଖଦି ବନାମ ମିଲ୍‌ ଲୁଗା। ଏହି ଉପ-ସ˚ଗ୍ରାମ ଏଭଳି ଶକ୍ତିଶାଳୀ ଥିଲା ଯେ ଖଦି ପ୍ରସ୍ତୁତିର ମୁଖ୍ୟ ଉପକରଣ ଅରଟ ବା ଚରଖା ସ୍ବାଧୀନତା ଆନ୍ଦୋଳନର ମୁଖ୍ୟ ପ୍ରତୀକରେ ପରିଣତ ହୋଇଗଲା। ଇତିମଧ୍ୟରେ ଭାରତ ସ୍ବାଧୀନତା ଲାଭ କରିବାର ୭୫ ବର୍ଷ ପୂର୍ଣ୍ଣ ହେବାକୁ ଯାଉଛି ଓ ଦେଶ ଏହାକୁ ଅମୃତ ମହୋତ୍ସବ ରୂପେ ପାଳନ କରିବାକୁ ପ୍ରସ୍ତୁତ ହେଉଛି। ଏହି ଅବସରରେ ଇତିହାସର ଦୁଷ୍ଟାମି ଭଳି ଆବିର୍ଭୂତ ହୋଇଥିବା ଏକ ଘଟଣା ଦେଖି ବିସ୍ମିତ ନହୋଇ ରହି ହୁଏ ନାହିଁ ଯେ ସ୍ବାଧୀନ ଭାରତର ସର୍ବପ୍ରଧାନ ପ୍ରତୀକ ଆମର ଜାତୀୟ ପତାକା ତ୍ରିରଙ୍ଗାକୁ କେନ୍ଦ୍ର କରି ପୁଣି ଏକ ଖଦି ବନାମ ମିଲ୍‌ ଲୁଗା ଭଳି ବିବାଦ ଏବେ ମୁଣ୍ତ ଟେକିଛି।

ଏହି ଅମୃତ ମହୋତ୍ସବ ପାଳନର ଅ˚ଶ ସ୍ବରୂପ ସରକାର ଦେଇଥିବା ‘ହର‌୍‌ ଘର‌୍‌ ତିରଙ୍ଗା’ (‘ପ୍ରତ୍ୟେକ ଘରେ ତ୍ରିରଙ୍ଗା’) ଆହ୍ବାନ ଅନୁସାରେ ଆଶା କରାଯାଉଛି ଯେ ଦେଶର ପ୍ରାୟ ୨୬ କୋଟି ଗୃହ ମଧ୍ୟରୁ ଅନ୍ୟୂନ ୨୦ କୋଟି ସ˚ଖ୍ୟକ ଗୃହମାନଙ୍କରେ ଅଗଷ୍ଟ ୧୩ରୁ ସ୍ବାଧୀନତା ଦିବସ ଅଗଷ୍ଟ ୧୫ ପର୍ଯ୍ୟନ୍ତ ତ୍ରିରଙ୍ଗା ପତାକା ଉତ୍ତୋଳିତ ହୋଇ ରହିବ। ଜାତୀୟ ପତାକା ସହିତ ପ୍ରତ୍ୟକ୍ଷ ସମ୍ପର୍କ ସ୍ଥାପନ କରି ଏହା ଦେଶବାସୀଙ୍କୁ ଦେଶପ୍ରେମ ଓ ଜାତୀୟତାବୋଧରେ ଉଦ୍‌ବୁଦ୍ଧ କରିବ ବୋଲି ଆଶା କରାଯାଉଛି। ଏହି ‘ହର‌୍‌ ଘର‌୍‌ ତିରଙ୍ଗା’ ଅଭିଯାନ ଦେଶରେ ଜାତୀୟ ପତାକା ପାଇଁ ଚାହିଦାରେ ହଠାତ୍‌ ଯେଉଁ ବିସ୍ଫୋରକ ବୃଦ୍ଧି ଘଟାଇବ, ତାହା ପୂର୍ବ ପ୍ରଚଳିତ ଯୋଗାଣ ବ୍ୟବସ୍ଥା ଦ୍ବାରା ପୂରଣ ହୋଇପାରିବା ସମ୍ଭବ ନୁହେଁ। ଏହି ବ୍ୟବସ୍ଥା ଅନୁସାରେ ଜାତୀୟ ପତାକା କେବଳ ହାତବୁଣା ଖଦି କପଡ଼ାରେ ତିଆରି ହେବା ନିୟମ ଥିଲା। ସରକାର ତେଣୁ ଏହି ଆସନ୍ନ ନୂତନ ଚାହିଦା ପୂରଣରେ ସହାୟକ ହେବା ଉଦ୍ଦେଶ୍ୟରେ ୨୦୨୧ ଡିସେମ୍ବର ୩୦ରେ ଭାରତର ପତାକା ନିୟମ, ‘ଫ୍ଲାଗ୍‌ େକାଡ୍‌ ଅଫ୍‌ ଇଣ୍ତିଆ, ୨୦୦୨’ରେ ଏକ ସ˚ଶୋଧନ ଘଟାଇଲେ। ଏହି ସ˚ଶୋଧିତ କୋଡ୍‌ର ପ୍ରଥମ ଭାଗ, ପାରା ୧.୨ରେ ଉଲ୍ଲେଖ ହେଲା: ‘‘ଜାତୀୟ ପତାକା ହାତକଟା ଓ ହାତବୁଣା କିମ୍ବା ଯନ୍ତ୍ର ନିର୍ମିତ, କାର୍ପାସ/ପଲିଏଷ୍ଟର‌୍‌/ପଶମ/ରେଶମ ଖଦି କପଡ଼ାରେ ତିଆରି ହେବ।’’ ସ˚କ୍ଷେପରେ କହିଲେ ଏଥର ମିଲ୍‌ କପଡ଼ା ଓ ପଲିଏଷ୍ଟର‌୍‌ ପଦାର୍ଥ ବ୍ୟବହାର କରି ହାତରେ ବା ମେସିନ୍‌ ଦ୍ବାରା ଜାତୀୟ ପତାକା ପ୍ରସ୍ତୁତ କରାଯାଇ ପାରିବ ଓ ବ୍ୟବହାର କରାଯାଇ ପାରିବ।

ଗତ ମାସ ୨୦ ତାରିଖରେ ସରକାର ‘ଫ୍ଲାଗ୍‌ କୋଡ୍‌’ରେ ଆଉ ଏକ ସ˚ଶୋଧନ ମଧ୍ୟ ଘଟାଇଛନ୍ତି। ଏହା ଅନୁସାରେ କୋଡ୍‌ର ଦ୍ବିତୀୟ ଭାଗ, ପାରା ୨.୨ରେ କୁହାଯାଇଛି: ‘‘ଯେଉଁଠି ପତାକା ଖୋଲା ସ୍ଥାନରେ କିମ୍ବା ଜନସାଧାରଣଙ୍କ ଗୃହ ଉପରେ ପ୍ରଦର୍ଶନ କରାଯାଉଥିବ, ତାହା ଦିବାରାତ୍ର ଉତ୍ତୋଳିତ ଅବସ୍ଥାରେ ରହିପାରିବ। ଏଥି ପୂର୍ବରୁ ଜାତୀୟ ପତାକା ସୂର୍ଯ୍ୟୋଦୟଠାରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଉତ୍ତୋଳିତ ହୋଇ ପ୍ରଦର୍ଶିତ ହେବା ନିୟମ ଥିଲା।

ଜାତୀୟ ପତାକା ପ୍ରସ୍ତୁତି ଓ ବ୍ୟବହାରକୁ ଏପରି ହୁୁଗୁଳା କରିଦେବା କିନ୍ତୁ ସମସ୍ୟାମୁକ୍ତ ନୁହେଁ। ପ୍ରଥମ ହେଲା, ଏହା ଏକ ଆବେଗିକ ପ୍ରଶ୍ନ ଉତ୍ପନ୍ନ କରିଥାଏ। ପରାକ୍ରମୀ ବ୍ରିଟିଶ୍‌ ସାମ୍ରାଜ୍ୟକୁ ପରାସ୍ତ କରିବାରେ ଏକ ମୁଖ୍ୟ ଭୂମିକା ନିର୍ବାହ କରିଥିବା ଖଦିକୁ ଜାତୀୟ କୃତଜ୍ଞତା ଓ ସମ୍ମାନ ପ୍ରଦର୍ଶନ ସ୍ବରୂପ ସ୍ଥାନ ପ୍ରଦାନ କରାଯାଇଥିଲା ଆମର ଜାତୀୟ ପତାକାରେ। ଏବେ ସେଠାରେ ଉପରୋକ୍ତ ଅନୁପ୍ରବେଶକାରୀମାନଙ୍କର ଉପସ୍ଥିତି ଖଦିର ଗୌରବ ହାନି କରିବା ସହିତ ଜାତୀୟ ପତାକାର ଗରିମା ହାନି କରିବ ନାହିଁ କି? ତା’ଛଡ଼ା ଏପର୍ଯ୍ୟନ୍ତ ଜାତୀୟ ପତାକାର ବ୍ୟବହାର ଗାମ୍ଭୀର୍ଯ୍ୟପୂର୍ଣ୍ଣ ଅବସର ତଥା ସମ୍ମାନସୂଚନ ଆଚରଣ ମଧ୍ୟରେ ସୀମିତ ଥିଲା। ବର୍ତ୍ତମାନ ତ୍ରିରଙ୍ଗାର ସାହାଣମେଲା ବ୍ୟବହାର ସେଥିରେ ଆଞ୍ଚ ଆଣିବାର ଦୃଢ଼ ସମ୍ଭାବନା ରହିଛି।

ଜାତୀୟ ପତାକା ପ୍ରତି ଅସମ୍ମାନ ମଧ୍ୟ ସମ୍ପୃକ୍ତ ବ୍ୟକ୍ତି ବା ଅନୁଷ୍ଠାନକୁ ବିପଦରେ ପକାଇପାରେ। ଏହି ଅପରାଧ ପାଇଁ ଅର୍ଥଦଣ୍ତ ସମେତ ତିନିବର୍ଷ ପର୍ଯ୍ୟନ୍ତ କାରାଦଣ୍ତ ମିଳିପାରେ। ପତାକା ଉତ୍ତୋଳନ ଓ ଅବତରଣ ସମ୍ପର୍କିତ ବିଧି ପାଳନରେ ବ୍ୟତିକ୍ରମ ଏହିପରି ଏକ ଅପରାଧ ରୂପେ ବିବେଚିତ ହେଉଥିଲା। ବର୍ତ୍ତମାନ ଜନସାଧାରଣଙ୍କୁ ସେଥିରୁ ମୁକ୍ତି ପ୍ରଦାନ କରିବା ଉଦ୍ଦେଶ୍ୟରେ ସମ୍ପୃକ୍ତ ନିୟମାବଳୀରେ କରାଯାଇଥିବା ସ˚ଶୋଧନ ଅନୁସାରେ ସେମାନେ ନିଜ ଘରମାନଙ୍କରେ ଉଡ଼ାଇଥିବା ପତାକା ସବୁକୁ ଦିନରାତି ଉଡ଼ିବା ଅବସ୍ଥାରେ ଛାଡ଼ିଦିଆଯାଇ ପାରିବ। ଏହା ମଧ୍ୟ କେତେକ ସମସ୍ୟା ସୃଷ୍ଟି କରିପାରେ। ଯେତେବେଳେ କେବଳ ଗୁରୁତ୍ବପୂର୍ଣ୍ଣ ଅବସରମାନଙ୍କରେ ପତାକା ଉତ୍ତୋଳନ ଓ ଅବତରଣ କରାଯାଉଥିଲା ଓ ତାହା ଯତ୍ନ ସହକାରେ ସମାପିତ ହେଉଥିଲା, ସେତେବେଳେ ଆମେ ଜାତୀୟ ପତାକାର ବିଶେଷତ୍ବ ଓ ଉପସ୍ଥିତି ସମ୍ବନ୍ଧରେ ଯେଉଁଭଳି ସଚେତନ ହେଉଥିଲୁ, ଏବେ ପତାକା ଉଡ଼ାଇଦେଇ ତା’ପରେ ତା’ ବିଷୟରେ ସମ୍ପୂର୍ଣ୍ଣ ଭୁଲିଯିବା ଆମଠାରେ ସେଇଭଳି ଭାବନା ସୃଷ୍ଟି କରିବ ନାହିଁ।

ପୁଣି, ଯେତେବେଳେ ସଦାବେଳେ ଉଡ଼ିବା ଅବସ୍ଥାରେ ଥିବା ଯୋଗୁଁ ପତାକାଗୁଡ଼ିକ ବିବର୍ଣ୍ଣ ହୋଇଯିବେ ବା ଚିରିଫାଟି ଯିବେ, ସେତେବେଳେ ଏହି କୋଟି କୋଟି ସ˚ଖ୍ୟକ ପତାକାଗୁଡ଼ିକୁ କିଭଳି ବିଦାୟ ଦିଆଯିବ? ଉପରୋକ୍ତ ‘ଫ୍ଲାଗ୍‌ କୋଡ୍‌’ ଅନୁସାରେ ପତାକାକୁ ଏଣେତେଣେ ଫିଙ୍ଗି ଦିଆଯାଇ ପାରିବ ନାହିଁ ଏବ˚ ନିଭୃତରେ ଓ ସସମ୍ମାନେ ତା’ର ଶେଷକୃତ୍ୟ ସମାପନ କରାଯିବ। ନିର୍ଦ୍ଦେଶ ଅନୁସାରେ ଏହାକୁ ଏକ ପ୍ରଦର୍ଶନୀରେ ପରିଣତ ନକରି, ପତାକାକୁ ଅତ୍ୟନ୍ତ ସନ୍ତର୍ପଣରେ ଅଗ୍ନି ସ˚ଯୋଗ କରି ଭସ୍ମୀଭୂତ କରାଯିବ। ସୂଚାଇବା ଅନାବଶ୍ୟକ, ଯଦି ଏହି ନିର୍ଦ୍ଦେଶ ପାଳନ କରି ପଲିଏଷ୍ଟର‌୍‌ ନିର୍ମିତ ପତାକାକୁ ଜଳାଇ ଦିଆଯାଏ, ତେବେ ସେଥିରୁ ନିର୍ଗତ ବିଷାକ୍ତ ଧୂଆଁ ଯୋଗୁଁ ପରିବେଶ ପ୍ରଦୂଷଣ ଘଟିବ, ଯାହା ଘଟାଇ ନଦେବା ପାଇଁ ପ୍ୟାରିସ୍‌ ଜଳବାୟୁ ଚୁକ୍ତି ସ୍ବାକ୍ଷକାରୀ ଦେଶ ରୂପେ ଭାରତ ହେଉଛି ପ୍ରତିଶ୍ରୁତିବଦ୍ଧ। ପ୍ରଦୂଷଣଠାରୁ ଦୂରେଇ ରହିବାକୁ ହେଲେ ଏହି ପତାକାଗୁଡ଼ିକୁ ଠିକଣା ସମୟରେ ସ˚ଗ୍ରହ କରି ସେଥିରେ ଥିବା ପଲିଏଷ୍ଟର‌୍‌ ‘ରିସାଇକ୍‌ଲ’ ବା ପୁନର୍ବ୍ୟବହାରକ୍ଷମ କରାଯିବା ଆବଶ୍ୟକ। କିନ୍ତୁ ଦେଶସାରା ବିଛାଇ ହୋଇ ରହିଥିବା ଅସ˚ଖ୍ୟ ପତାକାଗୁଡ଼ିକୁ ବିଭିନ୍ନ ସମୟରେ ସ˚ଗ୍ରହ କରି ଏହା ସମ୍ପନ୍ନ କରିବା ନିଶ୍ଚିତ ରୂପେ ଏକ ଦୁରୂହ ବ୍ୟାପାର ସାବ୍ୟସ୍ତ ହେବ।

ଗୃହୀ ବା ଗୃହିଣୀ ଯଦି ଚିରାଫଟା ପତାକାକୁ ଏକ ସାଧାରଣ ଅଳିଆ ରୂପେ ବର୍ଜନ କରିବସନ୍ତି, ତାହା ‘ଫ୍ଲାଗ୍‌ କୋଡ୍‌’ ଅନୁସାରେ କିଭଳି ଏକ ଦଣ୍ତନୀୟ ଅପରାଧ ରୂପେ ବିବେଚିତ ହେବ, ତାହା ଉପରେ ସୂଚିତ ହୋଇଛି। ଦେଶର ପ୍ରାୟ ୨୦ କୋଟି ବାସଗୃହର ବାସିନ୍ଦାମାନେ ଯେ ଏ ସମ୍ବନ୍ଧରେ ସଚେତନ ହୋଇ ବର୍ଜନ ସମୟରେ ପତାକା ପ୍ରତି ଉପଯୁକ୍ତ ସମ୍ମାନ ପ୍ରଦର୍ଶନ କରିବେ, ଏହା ଆଶା କରିବା ବୋଧହୁଏ ଅବାସ୍ତବ ହେବ। ଆଉ ସେମାନଙ୍କୁ ଜଗିବା ଦାୟିତ୍ବ କାହାକୁ ଦିଆଯିବ? ମନେହେଉଛି ଆଗାମୀ ଦିନରେ ପ୍ରତ୍ୟେକ ଘରେ ଉଡୁଥିବା ପତାକାମାନ ଏହି ସମସ୍ତ ଅସମାହିତ ପ୍ରଶ୍ନମାନ ପଚାରି ଚାଲିବେ।

ସମ୍ବନ୍ଧିତ ଖବର