ତିନି ବର୍ଷ ପରେ

ଆଜିକୁ ତିନି ବର୍ଷ ତଳେ ଅର୍ଥାତ୍‌ ୨୦୧୯ ମସିହା ଅଗଷ୍ଟ ମାସ ୫ ତାରିଖରେ ଯେଉଁ ଘଟଣାଟିକୁ ଘଟାଇ ନରେନ୍ଦ୍ର ମୋଦୀଙ୍କ ସରକାର ସମଗ୍ର ଉପମହାଦେଶୀୟ ଅଞ୍ଚଳକୁ ଏକ ‘ସକ୍‌ ଟ୍ରିଟ୍‌ମେଣ୍ଟ୍‌’ ଦେଇଥିଲେ, ତାହା ଥିଲା ଧାରା ୩୭୦ର ସହସା ଅପସାରଣ। ଏହା ଫଳରେ କାଶ୍ମୀର ସେ ଯାବତ୍‌ ଉପଭୋଗ କରି ଆସିଥିବା ଏକ ଅତ୍ୟନ୍ତ ବିଶେଷ ମାନ୍ୟତା ହରାଇଲା ଏବଂ ଏକ କେନ୍ଦ୍ର ଶାସିତ ଅଞ୍ଚଳ ରୂପେ ଭାରତ ସାଧାରଣତନ୍ତ୍ରର ଏକ ସାଧାରଣ ଅ˚ଶରେ ପରିଣତ ହେଳା। ଅବଶ୍ୟ, ସେ ଦିନ ଏହି ନିଷ୍ପତ୍ତି ଏକ ରାଜନୈତିକ ଭୂ-ଚଳନ ସଦୃଶ ପରିସ୍ଥିତି ସୃଷ୍ଟି କରିଥିଲା, ଯହିଁରେ ଏହାର ସମର୍ଥକମାନେ ଉଲ୍ଲାସର ହାବେଳି ଛାଡ଼ିଥିବା ବେଳେ ସମାଲୋଚକମାନେ ଏହାକୁ ରାଜନୈତିକ ସ୍ବୈରାଚାର ଭାବେ ଅଭିହିତ କରିଥିଲେ ଏବଂ ଏହା ଦ୍ବାରା କାଶ୍ମୀରର ସ୍ବାୟତ୍ତତା ଏବ˚ କାଶ୍ମୀର ଅଧିବାସୀଙ୍କ ସ୍ବାଧୀନତା ଏବ˚ ଅଧିକାରକୁ ଗୋଟିଏ ଚୋଟରେ ହନନ କରି ଦିଆଗଲା ବୋଲି କୋଳାହଳ ସୃଷ୍ଟି ହୋଇଥିଲା। ଏହା ପରେ ପାକିସ୍ତାନର ତତ୍କାଳୀନ ପ୍ରଧାନମନ୍ତ୍ରୀ ଇମରାନ ଖାଁ ‘ବସାରେ ଢମଣା ଅନୁପ୍ରବେଶ ପରେ କାଉ’ ତୁଲ୍ୟ ଚରମ ବିବ୍ରତ-ବୋଧର ଶିକାର ହୋଇ ପୃଥିବୀର ବିଭିନ୍ନ ରାଷ୍ଟ୍ର ଘୂରି ବୁଲି କିଭଳି ଭାରତ ସରକାରଙ୍କ ବିରୋଧରେ ତୀବ୍ର ବିଷୋଦ୍‌ଗାର କରିବା ସହିତ ବିଶ୍ବ ଜନମତ ସୃଷ୍ଟିରେ ବିକଳ ଭାବେ ବ୍ୟାପୃତ ହୋଇ ପଡ଼ିଥିଲେ, ତାହା ସମସ୍ତଙ୍କ ସ୍ମରଣରେ ଥିବ। ସେହି ଦୃଷ୍ଟିରୁ ଗଲା ଶୁକ୍ରବାର ଏହାର ତୃତୀୟ ବର୍ଷ ପୂର୍ତ୍ତି ପରିପ୍ରେକ୍ଷୀରେ ଏ ସ˚ଦର୍ଭରେ ବିଶେଷ କୌଣସି ଗଣମାଧୢମ ହଟଚମଟ ସୃଷ୍ଟି ନ ହେବା ବା ଏହାକୁ କେନ୍ଦ୍ର କରି ପ୍ରତିବାଦ ଦୃଷ୍ଟିଗୋଚର ନ ହେବା ଅଥବା ବିଶ୍ବ ସମୁୁଦାୟ ଏହି ପ୍ରସଙ୍ଗକୁ ସ˚ପୂର୍ଣ୍ଣ ପାଶୋରି ଯାଇଥିବା ଭଳି ମନେ ହେବା ଭାରତ ସରକାରଙ୍କ ସକାଶେ ଯଥେଷ୍ଟ ସନ୍ତୋଷ ଏବ˚ ଆଶ୍ବସ୍ତିର କାରଣ ହୋଇଥିବ। କିନ୍ତୁ କାଶ୍ମୀର ସକାଶେ ଯେଉଁ ଲକ୍ଷ୍ୟ ସ୍ଥିର କରି ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନିଆଯାଇଥିଲା, ତାହା କେତେ ଦୂର ଚରିତାର୍ଥ ହୋଇ ପାରିଛି, ତାହା ଏକ କ୍ଷୁଦ୍ର ଆଲୋଚନା ଲାଗି ଅବକାଶ ସୃଷ୍ଟି କରିଥାଏ।

ଉଲ୍ଲେଖଯୋଗ୍ୟ ଯେ ଧାରା ୩୭୦ର ଅପସାରଣ ପରେ ଉପତ୍ୟକାରେ ଆତଙ୍କବାଦୀ ଓ ବିଚ୍ଛନ୍ନତାବାଦୀ କାର୍ଯ୍ୟକଳାପରେ ଯଥେଷ୍ଟ ସ୍ଖଳନ ଘଟିଛି। ୨୦୨୧ ମସିହା ଏପ୍ରିଲ ମାସରେ ଗୃହ ମନ୍ତ୍ରଣାଳୟ ଦ୍ବାରା ରାଜ୍ୟ ସଭାରେ ପ୍ରଦତ୍ତ ଉତ୍ତର ଅନୁସାରେ ଧାରା ୩୭୦ର ଉଚ୍ଛେଦନ ପୂର୍ବରୁ ଘଟୁଥିବା ଆତଙ୍କବାଦୀ କାର୍ଯ୍ୟକଳାପ ସଂଖ୍ୟାରେ ୬୦ ପ୍ରତିଶତ ହ୍ରାସ ଘଟିଛି, ଯାହା କ୍ରମ ଅପସୃୟମାନ ହେବାର ଧାରା ମଧ୍ୟ ପ୍ରଦର୍ଶନ କରି ଚାଲିଛି। କିନ୍ତୁ ଅପର ପକ୍ଷରେ ଏକ ବିଡ଼ମ୍ବନା ସ୍ବରୂପ ବିଭିନ୍ନ ମାନବ ଅଧିକାର ସ˚ଗଠନ ଅଭିଯୋଗ କରିଥାଆନ୍ତି ଯେ ଉପତ୍ୟକାରେ ନିୟମିତ ଭାବେ ମାନବ ଅଧିକାରର ହନନ ଘଟି ଚାଲିଛି, ଯେଉଁଠି ଅନେକ ସାମ୍ବାଦିକ, ସମାଜ କର୍ମୀ ଓ ସଚେତନ ନାଗରିକ ଅବାଧ ଗିରଫଦାରି ଏବ˚ ଦୀର୍ଘ କାଳୀନ କାରାବାସର ଶରବ୍ୟ ହେବାରେ ଲାଗିଛନ୍ତି। ଗୋଟିଏ ପଟେ ଜାମ୍ମୁ ଓ କାଶ୍ମୀର ଉପରୁ ଆତଙ୍କବାଦୀ କାର୍ଯ୍ୟକଳାପ ଜନିତ ଭୟର ବାଦଲ ଯେ ଅପସରି ଯାଉଛି, ତାହାର ଏକ ବଡ଼ ସ˚କେତ ସ୍ବରୂପ ଏହି ମନୋରମ ଉପତ୍ୟକାରେ ପର୍ଯ୍ୟଟକମାନଙ୍କ ଭିଡ଼ ପରିଲକ୍ଷିତ ହେଉଛି; ଯହିଁରେ ଶ୍ରୀନଗର ଆନ୍ତର୍ଜାତିକ ବିମାନ ବନ୍ଦରରେ ପ୍ରତ୍ୟହ ୧୦୨ଟି ବିଦେଶାଗତ ବିମାନର ଯିବା ଆସିବା ଏବ˚ ହାହାରାରି ୧୫,୨୦୦ ପର୍ଯ୍ୟଟକଙ୍କ ପଦପାତ ସମ୍ଭବ ହେଲାଣି, ଯାହା ଏକ ରେକର୍ଡ। ଏକ ପରିସଂଖ୍ୟାନ ଅନୁସାରେ ୨୦୨୧ ଅକ୍‌ଟୋବରରୁ ୨୦୨୨ ମାର୍ଚ୍ଚ ଭିତରେ ୭୯ ଲକ୍ଷ ପର୍ଯ୍ୟଟକ କାଶ୍ମୀରରେ ପଦାର୍ପଣ କରିଛନ୍ତି। ସ୍ବାଭାବିକ ଭାବେ, ଏହା କାଶ୍ମୀରର ପର୍ଯ୍ୟଟନ ନିର୍ଭର ଅର୍ଥନୀତିକୁ ବିପର୍ଯ୍ୟୟମୁକ୍ତ କରିବା ଆରମ୍ଭ କଲାଣି। କିନ୍ତୁ, ଅପର ପକ୍ଷରେ ଏହି ଉପତ୍ୟକାରେ ପୁ˚ଜି ନିବେଶ କରିବା ଲାଗି ଉଦ୍ୟୋଗୀମାନଙ୍କ ମଧୢରେ ଏ ପର୍ଯ୍ୟନ୍ତ ଅନାଗ୍ରହ ବଳବତ୍ତର ରହିଛି, ଯାହାର ମୂଳ କାରଣ ଏକ ଅନାଗତ ଭୟ! ଏହି ପରିପ୍ରେକ୍ଷୀରେ କିଭଳି ଭୟ ଦୂର ହୋଇ ଯଥା ଶୀଘ୍ର ଏକ ପ୍ରତ୍ୟୟର ପରିବେଶ ସୃଷ୍ଟି ହେବା ସହିତ ଉଭୟ ପର୍ଯ୍ୟଟକ ଏବ˚ ପୁ˚ଜି ନିବେଶକ ଏହି ଉପତ୍ୟକାରେ ନିର୍ଭୟରେ ବିଚରଣ କରିପାରିବେ, ତାହା ଧାର୍ଯ୍ୟ କରିବା କେନ୍ଦ୍ର ସରକାରଙ୍କ ପ୍ରାଥମିକତା ହେବା ଉଚିତ।

ଏହି ପରିପ୍ରେକ୍ଷୀରେ ଶ୍ରୀନଗରରେ ବକ୍‌ସି ଫୁଟ୍‌ବଲ୍‌ ଷ୍ଟାଡିଅମର ଅତ୍ୟାଧୁନିକୀକରଣ ଏକ ସକାରାତ୍ମକ ପଦକ୍ଷେପ। ପ୍ରାୟ ୪୪ କୋଟି ଟଙ୍କା ବ୍ୟୟରେ ସ˚ପୂର୍ଣ୍ଣ ନୂଆ ଚେହେରା ସହିତ ଆବିର୍ଭୂତ ଏହି ଷ୍ଟାଡିଅମ ଯେ କୌଣସି ଅନ୍ତର୍ଜାତୀୟ ସ୍ତରର ଫୁଟ୍‌ବଲ୍‌ ମ୍ୟାଚର ଆୟୋଜନ କରିବାକୁ ସମର୍ଥ, ଯେଉଁଠି ୨୦ ହଜାର ଦର୍ଶକ ଦିବା-ରାତ୍ର ଖେଳ ଉପଭୋଗ କରିପାରିବେ। ପ୍ରକାଶ ଥାଉ କି ‘ଅନ୍ତର୍ଜାତୀୟ ଫୁଟ୍‌ବଲ୍‌ ଫେଡେରେସନ’ ବା ‘ଫିଫା’ର ଗାଇଡ୍‌ଲାଇନ୍‌ ଅନୁସାରେ ପ୍ରସ୍ତୁତ ଏହି ଷ୍ଟାଡିଅମ ଫୁଟ୍‌ବଲ୍‌ ପାଗଳ କାଶ୍ମୀରୀ ଯୁବକମାନଙ୍କ ମନରେ ବୈଦ୍ୟୁତିକ ଉନ୍ମାଦନା ସୃଷ୍ଟି କରିଛି। କାଳକ୍ରମେ ଏହି ଷ୍ଟାଡିଅମରେ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ମ୍ୟାଚ୍‌ମାନ ଅନୁଷ୍ଠିତ ହେଲେ ଉପତ୍ୟକାକୁ ଅନେକ ବାତାୟନ ଖୋଲିଯିବ ଏବ˚ ସେଠାରେ ସଂପ୍ରୀତିର ଉଷ୍ମ ବାତାବରଣ ସୃଷ୍ଟି ହେବ, ଯାହା କ୍ରୀଡ଼ାର ଭାବାବେଗ ସମ୍ଭବ କରିଥାଏ।

ଧାରା ୩୭୦ ଅଚଳ ହୋଇଯିବା ପରେ ସହସା ଏକ ଧାରଣା ସୃଷ୍ଟି ହୋଇଥିଲା ଯେ ଏଣିକି ଇଚ୍ଛା କଲେ ପ୍ରତ୍ୟେକ ଭାରତୀୟ କାଶ୍ମୀରରେ ଯାଇ ବସବାସ କରିପାରିବେ। ଯଦିଓ ଆଇନତଃ ଏହା ସମ୍ଭବ, କିନ୍ତୁ ପରିବେଶ ଓ ପରିସ୍ଥିତି ଦୃଷ୍ଟିରୁ ଏହା ଆଦୌ ଏତେ ଶୀଘ୍ର ସହଜସାଧୢ ନୁହେଁ। କାରଣ ଏଥି ଲାଗି ଯାହା ସର୍ବପ୍ରଥମେ ଆବଶ୍ୟକ, ତାହା ହେଉଛି କାଶ୍ମୀରୀ ଏବ˚ ଅବଶିଷ୍ଟ ଭାରତୀୟଙ୍କ ମଧୢରେ ରହି ଆସିଥିବା ବିଶ୍ବାସ-ହାନିର ଅବସାନ। ଏହି ପରିପ୍ରେକ୍ଷୀରେ କାଶ୍ମୀରୀମାନଙ୍କ ମନରେ ଜାତ ଏହି ସନ୍ଦେହ ମଧୢ ଦୂର ହେବା ଆବଶ୍ୟକ ଯେ ଉପତ୍ୟକାରେ କୋଟି କୋଟି ହିନ୍ଦୁ ଧର୍ମାବଲମ୍ବୀଙ୍କୁ ବସବାସ କରାଇ କାଶ୍ମୀରର ଜନସ˚ଖ୍ୟାରେ ଏକ ନୂତନ ସା˚ପ୍ରଦାୟିକ ସ˚ରଚନା ସୃଷ୍ଟି କରିବା ହେଉଛି ଧାରା ୩୭୦ ଉଚ୍ଛେଦନ ପଛରେ ନିହିତ ଅଭିସନ୍ଧି। କିନ୍ତୁ, ଏହା ଏକ ଉଦ୍ଭଟ ସନ୍ଦେହ ଓ ଭୟ। େଵଷ୍ଟ-ବ୍ୟାଙ୍କରେ ଜନସା˚ଖ୍ୟିକ ସ˚ରଚନାରେ ବଳପୂର୍ବକ ପରିବର୍ତ୍ତନ ଅଣାଯିବା ଲାଗି ଇସ୍ରାଏଲ୍‌ ପକ୍ଷରୁ ସେଠାରେ ଇହୁଦୀମାନଙ୍କ ବସବାସ କରାଇବାର ଉଦ୍ୟମ ଯଦି ଏଭଳି ଭୟର କାରଣ ହୋଇଥାଏ, ତେବେ ଏହା ଏ ଯାବତ୍‌ ବିଫଳ ହେବା ପ୍ରମାଣିତ କରିନାହିଁ କି ଏଭଳି ଏକ ଉଦ୍ୟମ ଅବାନ୍ତର ଶ୍ରେଣୀର?

ଏହି ପରିପ୍ରେକ୍ଷୀରେ ପ୍ରଶ୍ନ ଉଠେ, ତେବେ, କ’ଣ କାଶ୍ମୀର ଓ ଅବଶିଷ୍ଟ ଭାରତ ମଧୢରେ ଜନ ବିିସରଣ କଦାପି ସମ୍ଭବ ହୋଇ ପାରିବ ନାହିଁ? ଏହା ସେତେବେଳେ ସମ୍ଭବ ହେବ, ଯେତେବେଳେ ଶିକ୍ଷିତ କାଶ୍ମୀରୀ ଯୁବକଯୁବତୀ ଶିକ୍ଷା ଓ କର୍ମ ସ˚ସ୍ଥାନ ଲାଗି ଭାରତ ସାରା ଅବାଧରେ ବିଚରଣ କରିପାରିବେ ଓ ସେମାନଙ୍କ ନିଜ ଇଚ୍ଛାରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ଗୃହଟିଏ କିଣି ଅବସ୍ଥାନ କରିବେ। ଏହା ଯେଉଁ ସଦ୍‌ଭାବନା ସୃଷ୍ଟି କରିବ, ତାହା ଅନ୍ୟାନ୍ୟ ଭାରତୀୟଙ୍କୁ ଉପତ୍ୟକାରେ ନିର୍ଭୟ ଆଶ୍ରୟ ମଧୢ ପ୍ରଦାନ କରିବ। ଏଭଳି ଏକ ପରିବେଶ ଯେତେ ଶୀଘ୍ର ସୃଷ୍ଟି ହେବ, ସେତେ ମଙ୍ଗଳ। କାରଣ, ପାକିସ୍ତାନ ଭୂମିରୁ ‘ଲସ୍କର ଏ ତୋଇବା’ ବା ‘ଜୈସ ଏ ମହମ୍ମଦ’ ଭଳି ଆତଙ୍କବାଦୀ ସ˚ଗଠନ କାଶ୍ମୀରର ଶିକ୍ଷିତ ଯୁବକଯୁବତୀମାନଙ୍କୁ ଆତଙ୍କବାଦର ଗ୍ରାହକ ରୂପେ ଟାର୍ଗେଟ୍‌ କରି ରଖିଛନ୍ତି, ଯହିଁରେ ଇଣ୍ଟର୍‌ନେଟ୍‌ ମାଧୢମରେ ଆତଙ୍କବାଦୀ ଚିନ୍ତାଧାରା, ଆଦର୍ଶ ଏବ˚ କାର୍ଯ୍ୟ କୌଶଳ ଆଦି ରପ୍ତାନି କରିବାଲାଗି ସେମାନେ ଉଦ୍‌ଗ୍ରୀବ। ଏହାର ଶିକାର ହେବା ପୂର୍ବରୁ କାଶ୍ମୀରୀ ଯୁବକଯୁବତୀମାନଙ୍କ ଲାଗି ଗଠନମୂଳକ ଭୂମିକା ନିର୍ବାହ ସକାଶେ ଯଥେଷ୍ଟ ଦ୍ବାର ଖୋଲି ଦିଆଯିବା ଉଚିତ।

ଉଲ୍ଲେଖ ଥାଉ କି ଧାରା ୩୭୦ ଉଚ୍ଛେଦ ହେବା ପୂର୍ବରୁ କାଶ୍ମୀରୀ ଯୁବତୀ କାଶ୍ମୀର ବାହାରେ ବିବାହ ବନ୍ଧନରେ ଆବଦ୍ଧ ହେଲେ ପୈତୃକ ସ˚ପତ୍ତ ଉପରେ ସେମାନଙ୍କ ଅଧିକାର ହରାଉଥିଲେ। ସେହି ଯୁବତୀର ସ୍ବାମୀ ମଧୢ କାଶ୍ମୀରରେ ସ୍ଥାୟୀ ବସବାସ କରିବାର ଅଧିକାର ଲାଭ କରି ପାରୁ ନ ଥିଲା। ୨୦୧୯, ଅଗଷ୍ଟ ୫ ତାରିଖ ପରେ କିନ୍ତୁ ଏହି ସ୍ଥିତିରେ ପରିବର୍ତ୍ତନ ଘଟିଛି। ଏହି କ୍ରମରେ ଯଦି କାଶ୍ମୀରୀଙ୍କ ସ˚ପ୍ରସାରିତ ପରିବାରରେ ଅନ୍ୟାନ୍ୟ ଭାରତୀୟ ଅନ୍ତର୍ଭୁକ୍ତ ହୁଅନ୍ତି, ତେବେ ଏକ ସୂକ୍ଷ୍ମ ସ୍ତରରେ ମଧୢ ଏହି ଉପତ୍ୟକା ଭାରତୀୟ ସାଧାରଣତନ୍ତ୍ରରେ ସମାହିତ ହୋଇଯିବ!

ସମ୍ବନ୍ଧିତ ଖବର