ଉତ୍ତରାୟଣ

ପୃଥିବୀ ନାମକ ଗ୍ରହରେ ବସତି ସ୍ଥାପନ କରିଥିବା ମାନବ ସମାଜ ସମ୍ମୁଖୀନ ହୋଇଥିବା ବିଭିନ୍ନ କିସମର ଶ୍ରେଣୀ ବିଭାଜନମାନ ମଧ୍ୟରୁ ଗୋଟିଏ ହେଉଛି: ‘ଉତ୍ତର-ଦକ୍ଷିଣ’। ଏହି ସୁପରିଚିତ ଅର୍ଥନୈତିକ ଶ୍ରେଣୀ-ବିଭାଜନ ଅନୁସାରେ ପୃଥିବୀର ସମୃଦ୍ଧ ଦେଶ ସମୂହ ‘ଉତ୍ତର’ ରୂପେ ଚିହ୍ନିତ ହେଉଥିବା ବେଳେ ବିକାଶଶୀଳ ଦେଶମାନେ ‘ଦକ୍ଷିଣ’ ଛାପା ବହନ କରିଥାନ୍ତି। ଏଭଳି ଜାତିଭେଦ ସ˚ଶ୍ଳିଷ୍ଟ ଥିବା ବିଭିନ୍ନ ଖୋଲାଖୋଲି ଓ ପରୋକ୍ଷ ବାଛବିଚାରମାନ ମଧ୍ୟରୁ ଆନ୍ତର୍ଜାତିକ ବିତ୍ତୀୟ କ୍ଷେତ୍ରରେ ଅନୁଭୂତ ହୋଇ ଆସୁଥିବା ଗୋଟିଏ ଗୁରୁତ୍ବପୂର୍ଣ୍ଣ ପକ୍ଷପାତିତା ଆମକୁ କିଭଳି ପ୍ରଭାବିତ କରିଥାଏ, ତାହା ଏଠାରେ ଉଲ୍ଲେଖଯୋଗ୍ୟ। ଆନ୍ତର୍ଜାତିକ ପୁଞ୍ଜିି ନିବେଶକମାନେ ସର୍ବଦା ଏହି ତଥାକଥିତ ଉତ୍ତର ଭାଗୀୟ ଦେଶମାନଙ୍କରେ ସେମାନଙ୍କର ପୁଞ୍ଜି ନିବେଶ କରିବା ପାଇଁ ପ୍ରବଳ ଆଗ୍ରହ ପ୍ରକାଶ କରିବା ଯେତିକି ଦେଖାଯାଇଥାଏ, ଦକ୍ଷିଣ ଭାଗର ଦେଶମାନଙ୍କରେ ସେମାନଙ୍କର ପୁଞ୍ଜି ଖଟାଇବା ପାଇଁ ସେତିକି କୁଣ୍ଠିତ ହେବା ଦେଖାଯାଇଥାଏ।

ଏହାର ଏକ ଅବିଶ୍ବାସ୍ୟ ପରିପ୍ରକାଶ ସ୍ବରୂପ ବିଗତ ବର୍ଷମାନଙ୍କରେ ସେ ସବୁ ଦେଶମାନଙ୍କରେ ସୁଧ ହାର ଶୂନ୍ୟ ପ୍ରତିଶତ ନିକଟବର୍ତ୍ତୀ ହେଲେ ମଧ୍ୟ ଏହି ନିବେଶକମାନେ ନିରାପତ୍ତାକୁ ପ୍ରାଧାନ୍ୟ ଦେଇ ସେ ଦେଶର ସରକାରୀ ଋଣ ପତ୍ର କିମ୍ବା ମୁଦ୍ରାରେ ନିଜର ପୁଞ୍ଜି ନିବେଶ କରିବାକୁ ଆଗ୍ରହୀ ହୋଇଥାନ୍ତି ପଛକେ ଦକ୍ଷିଣସ୍ଥ ଦେଶମାନଙ୍କରେ ଉପଲବ୍‌ଧ ଉଚ୍ଚତର ସୁଧ ହାର ଦ୍ବାରା ଆକର୍ଷିତ ହୋଇ ନ ଥାନ୍ତି। ଏହାର ଏକ ପରିଣାମ ସ୍ବରୂପ ବିକାଶଶୀଳ ଦେଶମାନଙ୍କୁ ସର୍ବଦା ଏହି ବିକଶିତ ଦେଶମାନଙ୍କରେ ପ୍ରଚଳିତ ସୁଧ ହାର ଉପରେ ନଜର ରଖି ନିଜ ଦେଶରେ ସୁଧ ହାରକୁ ସେଇ ଅନୁସାରେ ଯଥେଷ୍ଟ ଉଚ୍ଚା ରଖି ଆକର୍ଷଣୀୟ କରିବାକୁ ଚେଷ୍ଟା କରିବାକୁ ହୋଇଥାଏ।

ଗତ ଶୁକ୍ରବାର ଦିନ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ ତା’ର ନିର୍ଣ୍ଣାୟକ ସୁଧ ହାର ‘ରେପୋ ରେଟ୍‌’ରେ ୫୦ ବେସିସ୍‌ ପଏଣ୍ଟ୍‌ (୦.୫%) ବୃଦ୍ଧି ଘଟାଇ ତାହାକୁ ଉତ୍ତରାଭିମୁଖୀ କରି କୋଭିଡ୍‌ ପୂର୍ବବର୍ତ୍ତୀ ସ୍ତର ୫.୪%ରେ ପହଞ୍ଚାଇବାର ମୁଖ୍ୟ ଉଦ୍ଦେଶ୍ୟ ମୁଦ୍ରାସ୍ଫୀତି ନିୟନ୍ତ୍ରଣ ବୋଲି କୁହାଯାଉଥିଲେ ହେଁ, ଏହା ପଛରେ ନିହିତ ଥିବା ଅନ୍ୟ ଏକ ପ୍ରମୁଖ କାରଣ ଯେ ଉପରୋକ୍ତ ଉତ୍ତର-ଦକ୍ଷିଣ ଚାପ, ଏଥିରେ କୌଣସି ସନ୍ଦେହ ନାହିଁ। ବାସ୍ତବରେ ମୁଦ୍ରାନୀତି ନିର୍ଦ୍ଧାରକ କମିଟିର ନିଷ୍ପତ୍ତି ଘୋଷଣା କରିବା ଅବସରରେ ନିଜର ପ୍ରାରମ୍ଭିକ ଅଭିଭାଷଣରେ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଆମର ବାହ୍ୟ ପରିସ୍ଥିତି ପ୍ରତି ଯେଉଁ ଗୁରୁତ୍ବ ଆରୋପ କରିଥିଲେ, ତା’ ପଛରେ ଏହି ଚାପର ପ୍ରଭାବ ଥିବା ସୁସ୍ପଷ୍ଟ। ୨୦୨୧ ଅକ୍‌ଟୋବରରୁ ଏଥି ମଧ୍ୟରେ ଭାରତରେ ନିବେଶ କରାଯାଇଥିବା ବିଦେଶୀ ଘରୋଇ ପୁଞ୍ଜି (ପୋର୍ଟଫୋଲିଓ ଇନଭେଷ୍ଟ୍‌ମେଣ୍ଟ୍‌)ରୁ ୩୫ ବିଲିଅନ୍‌ ଡଲାର‌୍‌ ପ୍ରତ୍ୟାହୃତ ହୋଇସାରିଲାଣି। ଅର୍ଥାତ୍‌ ଏହି ନିବେଶକମାନେ ଦକ୍ଷିଣସ୍ଥ ଭାରତରେ ଖଟାଇଥିବା ନିଜର ପୁଞ୍ଜିକୁ କାଢ଼ି ନେଇ ଉତ୍ତରାୟଣ ଆରମ୍ଭ କଲା ଭଳି ଉତ୍ତର ଦିଗକୁ ପଳାୟନ କରିଛନ୍ତି- ଆମେରିକା, ବ୍ରିଟେନ୍‌ ଭଳି ଦେଶମାନଙ୍କୁ।

ଏହାର କାରଣ ବୁଝିବା କଷ୍ଟକର ନୁହେଁ। କୋଭିଡ୍‌ ଆହତ ଅର୍ଥନୀତିକୁ ସହାୟତା ପ୍ରଦାନ ସ୍ବରୂପ ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ୍‌ ବ୍ୟବସ୍ଥା ‘ଫେଡେରାଲ୍‌ ରିଜର୍ଭ’ ସେଠାରେ ସୁଧ ହାରରେ ହ୍ରାସ ଘଟାଇ ଶୂନ୍ୟ ନିକଟବର୍ତ୍ତୀ କରି ଦେଇଥିଲା। ଇତିମଧ୍ୟରେ ସେ ଦେଶରେ ମୁଦ୍ରାସ୍ଫୀତି ମୁଣ୍ତଟେକି କ୍ରମେ ଅଣାୟତ୍ତ ହେବା ଭଳି ମନେ ହେଲାଣି। ତେଣୁ ଅତି-ଉତ୍ତପ୍ତ ହୋଇ ଉଠୁଥିବା ଅର୍ଥନୀତିକୁ ଶୀତଳ କରିବା ଲକ୍ଷ୍ୟ ନେଇ ‘ଫେଡେରାଲ୍‌ ରିଜର୍ଭ’ ସେଠାରେ କ୍ରମାଗତ ଭାବରେ ସୁଧ ହାରରେ ବୃଦ୍ଧି ଘଟାଇବାରେ ଲାଗିଛି। ଏହି କ୍ରମରେ ‘ଫେଡେରାଲ୍‌ ରିଜର୍ଭ’ ଜୁଲାଇ ଶେଷ ସପ୍ତାହରେ ସୁଧ ହାରରେ ୭୫ ବେସିସ୍‌ ପଏଣ୍ଟ୍‌ (୦.୭୫%) ବୃଦ୍ଧି ଘଟାଇବା ପରେ ତାହା ୨.୨୫-୨.୫୦%ରେ ପହଞ୍ଚିଥିଲା। ଲକ୍ଷ୍ୟ କରିବା କଥା ଭାରତରେ ବଳବତ୍ତର ଥିବା ସୁଧ ହାରର ଅଧା ଠାରୁ ମଧ୍ୟ ଏହା ହେଉଛି କମ୍‌। ତଥାପି ଆନ୍ତର୍ଜାତିକ ପୁଞ୍ଜି ନିବେଶକମାନଙ୍କ ପାଇଁ ଏହାର ଆକର୍ଷଣ ହେଉଛି ଭାରତ ତୁଳନାରେ ବହୁ ଅଧିକ।

ସେହିପରି ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ ତା’ର ‘ରେପୋ ରେଟ୍‌’ରେ ବୃଦ୍ଧି ଘଟାଇବାର ପୂର୍ବ ଦିନ, ଗୁରୁବାର ଦିନ ବ୍ରିଟେନ୍‌ର କେନ୍ଦ୍ରୀୟ ‘ବ୍ୟାଙ୍ଗ୍‌ ଅଫ୍‌ ଇ˚ଲାଣ୍ତ’ ଏକ ଐତିହାସିକ ନିଷ୍ପତ୍ତି ନେଇ ସୁଧ ହାରରେ ଏକା ଥରକେ ୫୦ ପଏଣ୍ଟ୍‌ ବୃଦ୍ଧି ଘଟାଇଥିଲା- ଐତିହାସିକ, କାରଣ ୧୯୯୭ରେ ଏହି କେନ୍ଦ୍ରୀୟ ବ୍ୟାଙ୍କ୍‌ ସରକାରୀ ନିୟନ୍ତ୍ରଣରୁ ମୁକ୍ତ ହେବା ପର ଠାରୁ ଏହା ହେଉଛି ସର୍ବବୃହତ୍‌ ବୃଦ୍ଧି। କିନ୍ତୁ ତାତ୍ପର୍ଯ୍ୟପୂର୍ଣ୍ଣ ଭାବେ ଲଗାତାର ଘଟାଯାଇଥିବା ଷଷ୍ଠ ଥର ପାଇଁ ଏହି ବୃଦ୍ଧି ପରେ ମଧ୍ୟ ବ୍ରିଟେନ୍‌ରେ ସୁଧ ହାର କାନ୍ଦି କୁନ୍ଥେଇ ଯାଇ ପହଞ୍ଚିଛି ମାତ୍ର ୧.୭୫%ରେ। ଆେମରିକାର ଫେଡେରାଲ୍‌ ରିଜର୍ଭ ଚେୟାରମ୍ୟାନ୍‌ ଦେଇଥିବା ସୁରାକ୍‌ ଅନୁସାରେ ଚଳିତ ବର୍ଷ ଶେଷ ସୁଦ୍ଧା ସେଠାରେ ସୁଧ ହାରରେ ଆଉ ୧୦୦ ବେସିସ୍‌ ପଏଣ୍ଟ୍‌ ବୃଦ୍ଧି ଘଟିବାର ଦୃଢ଼ ସମ୍ଭାବନା ରହିଛି।

ଭାରତର ଦୃଷ୍ଟିକୋଣରୁ ଏଥିପାଇଁ ଆନ୍ତର୍ଜାତିକ ନିବେଶକମାନଙ୍କର ଉତ୍ତର ଦ୍ବାର ଦେଇ ଗଣପଳାୟନ ଘଟିପାରେ। ତାହାକୁ ପ୍ରତିହତ କରିବାର ଏକ ଉପାୟ ହେଉଛି ଭାରତୀୟ ସୁଧ ହାରରେ ବୃଦ୍ଧି ଘଟାଇବା। କିନ୍ତୁ ଉଚ୍ଚ ସୁଧ ହାର ଯେ ଆମର ଆଭ୍ୟନ୍ତରୀଣ ଅର୍ଥନୀତି ପାଇଁ କ୍ଷତିକାରକ, ତାହା ହେଉଛି ଏକ ଅସୁବିଧାଜନକ ସତ୍ୟ। ଏଣେ ଦେଶରେ ଦରଦାମ୍‌ ବୃଦ୍ଧି (ମୁଦ୍ରାସ୍ଫୀତି) ଏକ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିସାରିଲାଣି। ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବାର ଅନ୍ୟତମ ଚିରାଚରିତ ଉପାୟ ହେଉଛି ସୁଧ ହାରରେ ବୃଦ୍ଧି ଘଟାଇ ଚାହିଦା ଚାପରେ ହ୍ରାସ ଘଟାଇବା। ତେଣୁ ଉଭୟ ବାହ୍ୟ ଚାପ ଓ ଆଭ୍ୟନ୍ତରୀଣ ମୁଦ୍ରାସ୍ଫୀତି ଚାପ ଯୋଗୁଁ ସୁଧ ହାରରେ ବୃଦ୍ଧି ଯେତିକି ଆବଶ୍ୟକ, ଅର୍ଥନୈତିକ କାର୍ଯ୍ୟକଳାପ ନିରୁତ୍ସାହିତ ନ କରିବା ପାଇଁ ସୁଧ ହାରକୁ ନୀଚା ରଖିବା ମଧ୍ୟ ସେତିକି ଆବଶ୍ୟକ। ରିଜର୍ଭ ବ୍ୟାଙ୍କ୍‌ର ଦାୟିତ୍ବ ତେଣୁ ହେଉଛି ଏହି ଦୁଇ ପରସ୍ପର ବିରୋଧୀ ଆବଶ୍ୟକତା ମଧ୍ୟରେ ସନ୍ତୁଳନ ରକ୍ଷା କରି ସୁଧ ହାରରେ ଏକ ଗ୍ରହଣୀୟ ବୃଦ୍ଧି ଘଟାଇବା।

ମନେ ହେଉଛି ଶୁକ୍ରବାର ଦିନ ରିଜର୍ଭ ବ୍ୟାଙ୍କ୍‌ ନେଇଥିବା ନିଷ୍ପତ୍ତି ଏହି ସୂକ୍ଷ୍ମ ସନ୍ତୁଳନ ରକ୍ଷା କରିଛି। ରିଜର୍ଭ ବ୍ୟାଙ୍କ୍‌କୁ ଏହି ନିଷ୍ପତ୍ତି ନେବାରେ ଯାହା ସହାୟକ ହୋଇଥିବ, ତାହା ହେଲା ଆସନ୍ତା ବିତ୍ତ ବର୍ଷରେ ଭାରତୀୟ ଅର୍ଥନୀତି ୭.୨% ହାର ଅଭିବୃଦ୍ଧି ହାସଲ କରିବାକୁ ଯାଉଛି ବୋଲି ପ୍ରକାଶ ପାଉଥିବା ପ୍ରାୟ ସର୍ବସମ୍ମତ ବିେଶଷଜ୍ଞ ପୂର୍ବାନୁମାନ। ଏହା ଭାରତକୁ ପୃଥିବୀର ଦ୍ରୁତତମ ଅଭିବୃଦ୍ଧି ହାସଲକାରୀ ବୃହତ୍‌ ଅର୍ଥନୀତିରେ ପରିଣତ କରିବ। ଇତିମଧ୍ୟରେ ଆନ୍ତର୍ଜାତିକ ବଜାରରେ ତୈଳ, ଧାତବପଦାର୍ଥ ଆଦିର ବର୍ଦ୍ଧିଷ୍ଣୁ ଦରଦାମ୍‌ରେ କିଛି ଶିଥିଳତା ମଧ୍ୟ ଦେଖାଦେବାକୁ ଆରମ୍ଭ କଲାଣି। ଜୁଲାଇରେ ତୈଳ ଦରରେ ପ୍ରାୟ ୧୦% ହ୍ରାସ ଘଟିଥିବା ବେଳେ, ଧାତବପଦାର୍ଥ ଦିଗରେ ପ୍ରାୟ ୧୮% ହ୍ରାସ ଘଟିଛି। ଏହା ଭାରତର ଆମଦାନି ଶକ୍ତିିରେ ହ୍ରାସ ଘଟାଇବା ସହିତ ଦେଶରେ ଆମଦାନିଜନିତ ଦରବୃଦ୍ଧିକୁ ମଧ୍ୟ ସ˚ଯତ କରିବ। ଏଣୁ ରିଜର୍ଭ ବ୍ୟାଙ୍କ୍‌ ସୁଧହାରରେ ଘଟାଇଥିବା ବୃଦ୍ଧି ନିବେଶକ ପଳାୟନକୁ ନିରୁତ୍ସାହିତ କରିବା ପାଇଁ ଯଥେଷ୍ଟ ହେବା ସହିତ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବା ପାଇଁ ମଧ୍ୟ ଯଥେଷ୍ଟ ହେବ ଓ ଦେଶରେ ଶିଳ୍ପ ବାଣିଜ୍ୟକୁ ନିରୁତ୍ସାହିତ କରିବ ନାହିଁ ବୋଲି ଆଶା କରାଯାଏ।

ସମ୍ବନ୍ଧିତ ଖବର