ମଧ୍ୟରାତ୍ରିର ସନ୍ତାନ

ଆଜି ଠାରୁ ଠିକ୍‌ ପଚସ୍ତରି ବର୍ଷ ପୂର୍ବେ ମଧୢ-ରାତ୍ରି ସମୟରେ ଭାରତବର୍ଷ ନାମକ ସନ୍ତାନ ଜନ୍ମ ଲାଭ କରିବାର ମାତ୍ର ଅଳ୍ପ କିଛି ଦିନ ପୂର୍ବରୁ ତାର କୋଷ୍ଠୀ ଗଣନା କରିବା ତୁଲ୍ୟ ଭଙ୍ଗୀରେ ଇ˚ଲାଣ୍ତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଵିନ୍‌ଷ୍ଟନ ଚର୍ଚ୍ଚିଲ ଯେଉଁ ବିମର୍ଷକର ଭବିଷ୍ୟତ୍‌ବାଣୀ କରିଥିଲେ; ତାହା ଯେ ସ˚ପୂର୍ଣ୍ଣ ଭ୍ରମାତ୍ମକ ସାବ୍ୟସ୍ତ ହୋଇଛି, ତାହା କହିବା ବାହୁଲ୍ୟ ମାତ୍ର। ଏହି ପ୍ରସିଦ୍ଧ ବିଦ୍ବାନ-ରାଜନେତା କହିଥିଲେ ଯେ ଭାରତ ଏକ ‘ଭୌଗୋଳିକ ଅଭିବ୍ୟକ୍ତି’ ମାତ୍ର, ଏହା ଏକ ରାଷ୍ଟ୍ର ନୁହେଁ। ସୁତରା˚, ସ୍ବାଧୀନତା ଲାଭ କରିବା କ୍ଷଣି ଅନ୍ତର୍ବିବାଦରେ ଲିପ୍ତ ରହି ଏହା ଖଣ୍ତବିଖଣ୍ତିତ ହୋଇଯିବ। କେବଳ ସେତିକି ନୁହେଁ, ୨୨ଟି ଭାଷା, ୨୦,୦୦୦ରୁ ଅଧିକ ସ˚ଖ୍ୟକ ‘ବୋଲି’, ଅନେକ ଧର୍ମ ଏବ˚ ଶତାଧିକ ପନ୍ଥର ଅନୁଗମନ କରୁଥିବା ଏହି ଭୂଖଣ୍ତର ମୁଖ୍ୟତଃ ନିରକ୍ଷର ବ୍ୟକ୍ତିମାନେ ଗଣତନ୍ତ୍ର ଭଳି ଏକ ଉଚ୍ଚାଙ୍ଗ ରାଜନୈତିକ ମତାଦର୍ଶକୁ ଅନୁସରଣ କରିବାର ଆଶା ଶୂନ୍ୟପ୍ରାୟ ବୋଲି ଏହି ବିଜ୍ଞ ବ୍ରିଟିସ୍‌ ଏକ ଧାରଣା ପୋଷଣ କରିଥିଲେ। କିନ୍ତୁ, ସ୍ବାଧୀନତା ପର ଠାରୁ ବିଗତ ପଚସ୍ତରି ବର୍ଷ ଧରି ଏହି ଭୂଖଣ୍ତରେ ଗଣତନ୍ତ୍ରର ପ୍ରବାହ ନିରବଚ୍ଛିନ୍ନ ରହି ଏହାକୁ ପୃଥିବୀର ବୃହତ୍ତମ ଗଣତାନ୍ତ୍ରିକ ରାଷ୍ଟ୍ରରେ ପରିଣତ କରିବା ସହିତ ନିର୍ଦ୍ଧାରିତ ସମୟାନ୍ତରେ ଏଠାରେ ହୋଇ ଚାଲିଥିବା ଅସ˚ଖ୍ୟ ନିର୍ବାଚନମାନକୁ ସମଗ୍ର ପୃଥିବୀ ‘ଗଣତନ୍ତ୍ରର ନୃତ୍ୟ’ ବୋଲି ଆଖ୍ୟା ମଧ୍ୟ ଦେଇଥାଏ। ଚର୍ଚ୍ଚିଲ ଆଜି ଜୀବିତ ଥିଲେ ହୁଏ’ତ ଏ ସ˚ଦର୍ଭରେ ଆତ୍ମରକ୍ଷା ମୁଦ୍ରାରେ ଦେଖିବାକୁ ମିଳନ୍ତେ!

ପ୍ରକାଶ ଥାଉ କି ସାଧାରଣ ଭାରତୀୟଙ୍କ ନିକଟରେ ଯେଉଁ ଏକ ସୂକ୍ଷ୍ମ ଚେତନା ବିଦ୍ୟମାନ ରହି ତଥାକଥିତ ସମସ୍ତ ପ୍ରତିକୂଳତା ସତ୍ତ୍ବେ ଆମ ରାଷ୍ଟ୍ରକୁ ଏକ ପ୍ରାଣୋଚ୍ଛଳ ଗଣତନ୍ତ୍ରରେ ପରିଣତ କରିଛି, ତାହାକୁ ସମ୍ଭବତଃ ଅନେକ ପାଶ୍ଚାତ୍ୟ ବିଦ୍ବାନ ସେମାନଙ୍କ ସ୍ଥୂଳ ଦୃଷ୍ଟିରେ ଠଉରାଇ ପାରିବେ ନାହିଁ। କିନ୍ତୁ ସେହି ଚେତନାର ଏକ ଆଭାସ ମିଳିଥିଲା ୧୯୭୭ ମସିହା ଜାନୁଆରି ମାସ ୧୮ ତାରିଖ ସଂଧ୍ୟାରେ; ଯେତେବେଳେ ଏକ କେଠାର ‘ଇମର୍ଜେନ୍‌ସି’ ମଧୢରେ ସହସା ଚାରି ମିନିଟିଆ ବେତାର ଭାଷଣ ଜରିଆରେ ଇନ୍ଦିରା ଗାନ୍ଧୀ ଆଗାମୀ ସାଧାରଣ ନିର୍ବାଚନର ଘୋଷଣା କରିଥିଲେ। ଉଲ୍ଲେଖ ଥାଉ କି ସେତିକି ବେଳକୁ ଲୌହ ମୁଷ୍ଟି ପ୍ରୟୋଗ କରି ଇନ୍ଦିରା ଗାନ୍ଧୀ ଏକ ବିରୋଧୀ ଶୂନ୍ୟ ରାଜନୈତିକ ପରିବେଶରେ ସ˚ପୂର୍ଣ୍ଣ ନିରଙ୍କୁଶ ହୋଇ ସାରିଥିଲେ; ସେହି ସମୟରେ ମୁଦ୍ରାସ୍ଫୀତି ନିୟନ୍ତ୍ରଣକୁ ଆସି ଯାଇଥିଲା, ଭଲ ଫସଲ ଅମଳ ହୋଇଥିଲା, ଉଦ୍ୟୋଗଗୁଡ଼ିକର ଉତ୍ପାଦନରେ ବୃଦ୍ଧି ଘଟିଥିଲା ଏବ˚ ଭାରତୀୟ ବିଦେଶୀ ମୁଦ୍ରା ଭଣ୍ତାର ୯.୭ ବିଲିଅନ ଡଲାର (୧୯୭୪-୭୫)ରୁ ବୃଦ୍ଧି ପାଇ ୧୮.୭ ବିଲିଅନ ଡଲାର (୧୯୭୫-୭୬)ରେ ପହଞ୍ଚିଥିଲା; ଏବ˚ ୧୯୭୬ ମସିହା ନଭେମ୍ବର ମାସରେ ସେ ଲୋକସଭାର ଅବଧିକୁ ଆହୁରି ଗୋଟିଏ ବର୍ଷ ବୃଦ୍ଧି କରିବା ଲାଗି ସ˚ସଦର ଅନୁମୋଦନ ମଧୢ ହାସଲ କରି ସାରିଥିଲେ। ଏଭଳି ଏକ ସମୟରେ ତାଙ୍କ ମୁଖ୍ୟ ପ୍ରେସ ପରାମର୍ଶଦାତା ଏଚ୍‌. ଵାଇ. ଶାରଦାପ୍ରସାଦଙ୍କୁ ଇନ୍ଦିରା ଗାନ୍ଧୀ ଯେଉଁ ଅତ୍ୟନ୍ତ ସ˚କ୍ଷିପ୍ତ ଦୁଇଟି ବାକ୍ୟ କହିଥିଲେ, ତାହା ଥିଲା ଏହିପରି: ‘ଯଦିଓ ମୁଁ ଜାଣେ ଯେ ମୁଁ ପରାଜିତ ହେବି, ତଥାପି ନିର୍ବାଚନ କରିବାକୁ ହେବ।’ ଇନ୍ଦିରା ଗାନ୍ଧୀଙ୍କ ଏଭଳି ଏକ ଦୁର୍ବୋଧ୍ୟ ନିଷ୍ପତ୍ତିର କାରଣ ସ˚ପର୍କରେ ଯଦିଓ ଅନେକ ପ୍ରକାର ମତ ପ୍ରକାଶ ପାଇଥାଏ, ତେବେ ଏହା କ’ଣ ସେହି ଭାରତୀୟ ସୂକ୍ଷ୍ମ ଚେତନା ନୁହେଁ, ଯାହା କ୍ଷମତାଚ୍ୟୁତ ହେବାର ଆଶଙ୍କା ସତ୍ତ୍ବେ କ୍ଷମତାଧାରୀଙ୍କୁ ପରୀକ୍ଷା ଦେବାକୁ ପ୍ରରୋଚିତ କରିଥାଏ? ବା ଏହା କ’ଣ ଭାରତୀୟ ଗଣତନ୍ତ୍ରର ସେହି ଅଦୃଶ୍ୟ ଆତ୍ମା ନୁହେଁ, ଯାହାର ରହସ୍ୟଭେଦ କରିବା ଚର୍ଚ୍ଚିଲ ମହାଶୟଙ୍କ ଲାଗି ସମ୍ଭବ ନ ଥିଲା?

ସ˚ପ୍ରତି ଅନେକ ବିଦ୍ବାନ ଭାରତର ଗଣତନ୍ତ୍ରକୁ ‘ଆ˚ଶିକ’ ବା ‘ତ୍ରୁଟି-ପୂର୍ଣ୍ଣ’ ବୋଲି ଆରୋପ ଲଗାଇଥାଆନ୍ତି। ସେମାନେ ଥରଟିଏ ହେଲେ ଆମ ରାଷ୍ଟ୍ରର ପଚସ୍ତରି ବର୍ଷର ଚମକପ୍ରଦ ଯାତ୍ରା ଉପରେ ଏକ କ୍ଷିପ୍ର ନଜର ପକାନ୍ତେ କି? ସ୍ବାଧୀନତା କାଳରେ ଆମ ଦେଶର ମୁଣ୍ତପିଛା ଆୟ ଥିଲା ମାତ୍ର ୩ ଡଲାରରୁ କମ୍‌, ଯାହା ଆଜି ପ୍ରାୟ ୨୦୦୦ ଡଲାର; ସେହି ସମୟରେ ଭାରତୀୟଙ୍କ ହାରାହାରି ଆୟୁଷ ଥିଲା ମାତ୍ର ୩୨ ବର୍ଷ, ଯାହା ଆଜି ୭୦.୧୯ ବର୍ଷ; ସେତେବେଳେ ୨୩% ଭାରତୀୟ ଥିଲେ ମ୍ୟାଲେରିଆ ପୀଡ଼ିତ ଏବ˚ ପ୍ରତ୍ୟହ ୫୦୦ ଶିଶୁ ପୋଲିଓ ଦ୍ବାରା ପକ୍ଷାଘାତର ଶିକାର ହେଉଥିଲେ, ଅଥଚ ବର୍ତ୍ତମାନ ମ୍ୟାଲେରିଆ ସ˚ପୂର୍ଣ୍ଣ ନିୟନ୍ତ୍ରଣାଧୀନ ଏବ˚ ୨୦୧୪ ମସିହାରୁ ଭାରତ ପୋଲିଓ ମୁକ୍ତ (ପଲ୍‌ସ ପୋଲିଓ ଅଭିଯାନର ସଫଳତା ସମଗ୍ର ପୃଥିବୀରେ ଏକ ପଠିତ ବିଷୟ); ୧୯୪୭ ମସିହା ବେଳକୁ ପ୍ରତି ଏକ ଲକ୍ଷ ମହିଳାରୁ ୨୦,୦୦୦ ସନ୍ତାନ ପ୍ରସବକାଳୀନ ମୃତ୍ୟୁର ଶିକାର ହେଉଥିଲେ, ଯେଉଁ ସ˚ଖ୍ୟା ସ˚ପ୍ରତି ମାତ୍ର ୧୦୩; ଦେଶ ସ୍ବାଧୀନ ହେଲା ବେଳକୁ ଏଠାରେ ଥିଲା ମାତ୍ର ୨୮ଟି ମେଡିକାଲ ସ୍କୁଲ ଏବ˚ ୩୩ଟି ଇ˚ଜିନିଅରି˚ କଲେଜ, ଯେଉଁ ସ˚ଖ୍ୟା ବର୍ତ୍ତମାନ ଯଥାକ୍ରମେ ୬୧୨ ଏବ˚ ୨୫୦୦ (୨୦୨୧ର ଆକଳନ); ସେହି ସମୟରେ ପ୍ରତି ଶହେ ଜଣରେ ୧୨ ଜଣ ଥିଲେ ସାକ୍ଷର, ଯାହା ବର୍ତ୍ତମାନ ପହଞ୍ଚିଛି ୭୪ରେ; ଏବ˚ ପୃଥିବୀର ପଞ୍ଚମ ବୃହତ୍ତମ ଅର୍ଥନୀତି ରୂପେ ବିଶ୍ବ ଜିଡିପିରେ ଏହି ରାଷ୍ଟ୍ରର ଭାଗ ୩.୭%। ତା’ ସହିତ ଭାରତ ବର୍ତ୍ତମାନ ପୃଥିବୀର ଦ୍ବିତୀୟ ବୃହତ୍ତମ ଉପଭୋକ୍ତା ବଜାର, ବୃହତ୍ତମ ପ୍ରତିଷେଧକ ନିର୍ମାତା, ମହାକାଶ ବିଜ୍ଞାନ କ୍ଷେତ୍ରରେ ବିଶେଷ ଉପଲବ୍‌ଧି ହାସଲ କରିଥିବା ୬ଟି ଦେଶ ମଧୢରେ ଅନ୍ୟତମ, ପୃଥିବୀର ଉଚ୍ଚ ଦକ୍ଷତାସ˚ପନ୍ନ ମାନବ ସମ୍ବଳର ଏକ ବୃହଦା˚ଶ ଏବ˚ ପୃଥିବୀର ଅଧିକା˚ଶ ସର୍ବାଧିକ ମୂଲ୍ୟବାନ ଉଦ୍ୟୋଗର ସି.ଇ.ଓ. ଆସନରେ ଭାରତୀୟମାନେ ଉପବିଷ୍ଟ।

କହିବା ବାହୁଲ୍ୟ ଯେ ଏଭଳି ବିରଳ ଯାତ୍ରା ସକାଶେ ଶ୍ରେୟର ଅଧିକାରୀ ବିଗତ ସାତ ଦଶନ୍ଧିର ଅବଧିରେ ଦେଶକୁ ନେତୃତ୍ବ ପ୍ରଦାନ କରିଥିବା ସମସ୍ତ ସରକାର ଏବ˚ ଶାସନ ମୁଖ୍ୟ। କିନ୍ତୁ ଏକ ବିଡ଼ମ୍ବନା ସ୍ବରୂପ ଯାହା ଦେଖିବାକୁ ମିଳିଥାଏ, ତାହା ହେଲା ଭାରତ-ରାଷ୍ଟ୍ର ଗଠନର କତିପୟ ଆଦ୍ୟ ବିଶ୍ବକର୍ମାଙ୍କ ଅବଦାନକୁ ନିଶ୍ଚିହ୍ନ ବା ନିଷ୍ପ୍ରଭ କରିବାର ଉଦ୍ୟମ। ଏହାର ପୃଷ୍ଠଭୂମିରେ ରହିଛି ସ୍ବାଧୀନତା ପରବର୍ତ୍ତୀ କାଳରୁ ପ୍ରାୟ ଛଅ ଦଶନ୍ଧି ଧରି ପ୍ରଚଳିତ ରହି ଆସିଥିବା ଧର୍ମ ନିରପେକ୍ଷ ରାଜନୀତିକୁ କ୍ଷୀଣପ୍ରଭ କରି ଉଦୟ ହୋଇଥିବା ସ˚ଖ୍ୟା-ଗରିଷ୍ଠଙ୍କ ସା˚ପ୍ରଦାୟିକ ପ୍ରଭୁତ୍ବବାଦୀ ରାଜନୀତି। କିନ୍ତୁ ସତ କଥାଟି ହେଲା, ବର୍ତ୍ତମାନ ଦୃଢ଼ ଭାବେ ଦୌଡ଼ିବାକୁ ସମର୍ଥ ଏବ˚ ଉଦ୍ୟତ ରାଷ୍ଟ୍ର ଯଦି ପଶ୍ଚାତ୍‌ ଦୃଷ୍ଟିରେ ତାର ଚାଲି ଶିଖିବା କାଳୀନ ‘ଝୁଣ୍ଟିବା’କୁ ଦୋଷ ରୂପେ ବିଚାର କରେ, ତେବେ ତାହା ଅପରିପକ୍ବତା ନୁହେଁ କି? ସୁତରା˚, ଆଜି ଯେତେବେଳେ ସ୍ବାଧୀନତାର ୭୫ ବର୍ଷ ପୂରଣ ଉପଲକ୍ଷେ ରାଷ୍ଟ୍ର ‘ଅମୃତ ମହୋତ୍ସବ’ ପାଳନ କରୁଛି, ସେତିକି ବେଳେ ସମସ୍ତ ରାଷ୍ଟ୍ରନାୟକ ଯେ କୃତଜ୍ଞତାର ପାତ୍ର, ଏଥିରେ ସନ୍ଦେହ ନାହିଁ।

ଆଜି କେନ୍ଦ୍ର ସରକାରଙ୍କ ମହାତ୍ତ୍ବାକା˚କ୍ଷୀ ଅଭିଯାନ ‘ହର ଘର ତିରଙ୍ଗା’ ଜାତୀୟତାବୋଧର ଏକ ପ୍ରତିଦ୍ବନ୍ଦ୍ବିତା ମଧୢ ସୃଷ୍ଟି କରିଛି, ଯାହାର ମୂଳରେ ରହିଛି ରାଜନୈତିକ ପ୍ରତିସ୍ପର୍ଦ୍ଧା; ଯହିଁରେ ଦିଲ୍ଲୀରେ ‘ଆପ୍‌’ ଦଳ ପକ୍ଷରୁ ୫୦୦ଟି ଅତ୍ୟନ୍ତ ବିଶାଳାକୃତିର ଜାତୀୟ ପତାକା ଉଡ଼ାଇବାର ବ୍ୟବସ୍ଥା ସହିତ ବିଜେପି ଠାରୁ ଚମକ ହରଣର ଉଦ୍ୟମ କରାଯାଇଛି। କିନ୍ତୁ ଜାତୀୟତାବୋଧକୁ ନେଇ ଏଭଳି ରାଜନୈତିକ ଛକାପ˚ଝାକୁ ଅତିକ୍ରମ କରିଗଲେ ଏହା ମଧୢ ଦିଶିଥାଏ, କିଭଳି ସହିନବାଗରେ ନାଗରିକତା ଆଇନ ବିରୋଧୀ ଆନ୍ଦୋଳନରେ ବା ଦିଲ୍ଲୀ ସୀମାରେ ଏକ ବର୍ଷ ବ୍ୟାପୀ ଚାଲିଥିବା କୃଷକ ଆନ୍ଦୋଳନରେ ଅସ˚ଖ୍ୟ ଜାତୀୟ ପତାକା ଦର୍ପ ଭରେ ଉଡ୍‌ଡ଼ୀୟମାନ ଥିଲେ। ଏହା ବୋଧହୁଏ ହେଉଛି ଜାତୀୟତାବୋଧର ପ୍ରକୃତ ନିଦର୍ଶନ, ଯାହା ସରକାର ଓ ରାଷ୍ଟ୍ର ମଧୢରେ ପାର୍ଥକ୍ୟ ହୃଦୟଙ୍ଗମ କରିଥାଏ, ସରକାର ବିରୋଧୀ ହେବା ରାଷ୍ଟ୍ରର ବିରୋଧ ନୁହେଁ ବୋଲି ଅଭିବ୍ୟକ୍ତ କରିଥାଏ। ଏହି ବିଦଗ୍‌ଧ ଭାବ ଭାରତୀୟ ଖେଳାଳିମାନେ କୃତିତ୍ବ ପ୍ରଦର୍ଶନ କରୁଥିବା ପୃଥିବୀର ଯେ କୌଣସି ସ୍ଥାନରୁ ଆରମ୍ଭ କରି ସୁଦୂର ଆଫ୍ରିକାର କିଲିମାନ୍‌ଜାରେ ପର୍ବତ ଶୃଙ୍ଗ ପର୍ଯ୍ୟନ୍ତ ସର୍ବତ୍ର ଭାରତୀୟ ସୁନାମର ସ୍ବାକ୍ଷର ସ୍ବରୂପ ଜାତୀୟ ପତାକାକୁ ଉଡ଼ାଇ ଅପାର ସନ୍ତୋଷ ଲାଭ କରିଥାଏ। ଏହିଭଳି ଏକ ଭାବ ଆଜିକୁ ପଚିଶ ବର୍ଷ ପୂର୍ବେ ଅର୍ଥାତ୍‌ ଦେଶ ସ୍ବାଧୀନତାର ସୁବର୍ଣ୍ଣ ଜୟନ୍ତୀ ପାଳନ ଅବସରରେ ଜଣେ ଦକ୍ଷିଣ ଭାରତୀୟ ମୁସଲମାନ ସ˚ଗୀତ ନିର୍ଦ୍ଦେଶକଙ୍କୁ ଏଭଳି ଏକ ଗୀତ ସୃଷ୍ଟି କରିବାକୁ ପ୍ରେରିତ କରିଥିଲା ଯେ ଭାରତର ତରୁଣ ବର୍ଗ ତାହାକୁ ଦ୍ବିତୀୟ ଜାତୀୟ ସଙ୍ଗୀତ ଭଳି ଗୁଣୁଗୁଣେଇବାରେ ଲାଗିଥିଲେ। ଚଳିତ ବର୍ଷ ପଞ୍ଜାବର ମାଲେରକୋଟା ଜିଲ୍ଲାର ହଜାର ହଜାର ମୁସଲିମ ମହିଳାମାନଙ୍କ ହାତ ତିଆରି ତ୍ରିରଙ୍ଗା ଅସ˚ଖ୍ୟ ଭାରତୀୟ ଗୃହର ମଥାନରେ ଉଡ଼ିବା ପଛରେ ମଧୢ ସେହି ଭାବ ବିଦ୍ୟମାନ; କାରଣ ତାହାକୁ ତିଆରି କରିବା ସେମାନଙ୍କ ଜୀବନକୁ ଧନ୍ୟ କରିଛି ବୋଲି ସେମାନେ ମୁକ୍ତ କଣ୍ଠରେ ସ୍ବୀକାର କରିଥାଆନ୍ତି। ଏହି ମନୋରମ ଭାବନା ହିଁ ଭାରତ ନାମକ ମଧୢରାତ୍ରିର ସନ୍ତାନଟିକୁ ସର୍ବଦା ଆକର୍ଷଣୀୟ କରି ରଖିଛି ଏବ˚ ଆଗକୁ ରଖିବ ମଧ୍ୟ!

ସମ୍ବନ୍ଧିତ ଖବର