ମୁର୍‌ଙ୍କ ରାୟ

ଆଉ ମାତ୍ର ୨୫ ବର୍ଷ ପରେ ଭାରତ ଏକ ସ୍ବାଧୀନ ରାଷ୍ଟ୍ର ରୂପେ ଜୀବନ ଆରମ୍ଭ କରିବାର ଗୋଟିଏ ଶତାବ୍ଦୀ ପୂର୍ଣ୍ଣ ହେବାକୁ ଯାଉଛି। ବିଗତ ୭୫ ବର୍ଷ ଧରି ଭାରତ ବିଶ୍ବ ସମୁଦାୟରେ ଯେଉଁ ପରିଚୟ ବହନ କରି ଚାଲି ଆସିଛି, ତାହା ହେଉଛି ଏକ ‘ବିକାଶଶୀଳ’ ଦେଶର। ଭାରତକୁ ବର୍ତ୍ତମାନ ନେତୃତ୍ବ ଦେଉଥିବା ରାଷ୍ଟ୍ରବାଦୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚାହାଁନ୍ତି ଆସନ୍ତା ୨୫ ବର୍ଷ ମଧୢରେ ଭାରତ ଏହି ଛାପା ପରିତ୍ୟାଗ କରି ଏକ ‘ବିକଶିତ’ ରାଷ୍ଟ୍ରରେ ପରିଣତ ହେଉ। ଖାଲି ଚାହାଁନ୍ତି, ତାହା ନୁହେଁ, ଏଥର ସେ ତାଙ୍କର ସ୍ବାଧୀନତା ଦିବସ ଅଭିଭାଷଣ ପ୍ରଦାନ କରିବା ଅବସରରେ ଏହି ଲକ୍ଷ୍ୟ ହାସଲ କରିବାର ଏକ ମନ୍ତ୍ର ମଧୢ ଦେଶବାସୀଙ୍କୁ ଶିଖାଇଛନ୍ତି। ଯୋଗାଭ୍ୟାସରେ ପ୍ରବୀଣ ପ୍ରଧାନମନ୍ତ୍ରୀ ଏହି ମନ୍ତ୍ର ରଚନା କରିବା ପାଇଁ ସେଇ ଯୋଗ ଶାସ୍ତ୍ରରେ ବ୍ୟବହୃତ ଏକ ସୁପରିଚିତ ଅଭିବ୍ୟକ୍ତିର ସାହାଯ୍ୟ ନେଇଛନ୍ତି: ‘ପଞ୍ଚ ପ୍ରାଣ’। (ଯୋଗାଭ୍ୟାସ ସହିତ ପରିଚିତ ଥିବା ସମସ୍ତେ ଜାଣନ୍ତି ଏହି ପଞ୍ଚ ପ୍ରାଣ ହେଉଛନ୍ତି: ପ୍ରାଣ, ଅପାନ, ବ୍ୟାନ, ଉଦାନ, ସମାନ। ଅଥବା ନୈବେଦ୍ୟ ଅର୍ପଣ ସମୟରେ ଏହି ମନ୍ତ୍ରପାଠ ସହିତ ଊଣା ଅଧିକେ ସମସ୍ତେ ପରିଚିତ ଥିବେ; ଓଁ ପ୍ରାଣାୟ ସ୍ବାହା, ଅପାନାୟ ସ୍ବାହା, ବ୍ୟାନାୟ ସ୍ବାହା…।)।

ପ୍ରଧାନମନ୍ତ୍ରୀ ଅବଶ୍ୟ ଉପନିଷଦ ବର୍ଣ୍ଣିତ ପ୍ରାଣ ସ୍ଥାନରେ ଦେଶବାସୀ ଅନୁସରଣ କରିବା ନିମିତ୍ତ ନିଜେ ଉଦ୍ଭାବନ କରିଥିବା ପାଞ୍ଚଗୋଟି ଆଚରଣ ବିଧି ସ୍ଥାପନ କରିଛନ୍ତି, ଯାହାର ଅନୁପାଳନ ୨୦୪୭ରେ ଦେଶକୁ ନେଇ ଉପରୋକ୍ତ ଲକ୍ଷ୍ୟ ସ୍ଥଳୀରେ ପହଞ୍ଚାଇବ ବୋଲି ସେ ବିଶ୍ବାସ କରନ୍ତି। ନରେନ୍ଦ୍ର ମୋଦୀଙ୍କ ଭଳି ସାମ୍ପ୍ରତିକ ପୃଥିବୀର ଜଣେ ତୁଙ୍ଗ ରାଜନେତାଙ୍କର ଏହି ଆହ୍ବାନ ଉପରେ ଦୃଷ୍ଟିପାତ କରିବା ପୂର୍ବରୁ ଯେଉଁ ଏକ ସତର୍କ ସୂଚନା ମନେ ରଖିବା ଆବଶ୍ୟକ ଭଳି ମନେ ହୋଇଥାଏ, ତାହା ଆମକୁ ଦୂର ଅତୀତକୁ ୧୯୩୦ ଦଶକର ବ୍ରିଟେନ୍‌ର କେମ୍ବ୍ରିଜ୍‌ ବିଶ୍ବବିଦ୍ୟାଳୟକୁ ନେଇଯାଇଥାଏ। (ଅବଶ୍ୟ ଆଉ ଟିକିଏ ପରେ ଆମେ ଦେଖିବା ଯେ ଏଭଳି ବିଦେଶୀ ଦୃଷ୍ଟାନ୍ତ ପ୍ରଦାନ ମୋଦୀ ପ୍ରଣୀତ ପଞ୍ଚ ପ୍ରାଣ ସୂତ୍ରର ବିରୋଧାଚରଣ କରିଥାଏ।)

ସେ ସମୟରେ ଦର୍ଶନଶାସ୍ତ୍ରର ଅନ୍ୟତମ ମୂଳାଧାର ରୂପେ ବିବେଚିତ ଆଧିଭୌତିକ ତତ୍ତ୍ବ (‘ମେଟାଫିଜିକ୍‌ସ’) ବିରୋଧରେ ଏକ ଦୁର୍ବାର ଆନ୍ଦୋଳନ ଭିଏନାରେ ଆରମ୍ଭ ହୋଇ ବ୍ରିଟେନ୍‌ରେ ପ୍ରବେଶ କରିବାକୁ ଉଦ୍ୟତ ହୋଇଥାଏ। ସାଧାରଣରେ ଦର୍ଶନଶାସ୍ତ୍ର କହିଲେ ଯାହା ବୁଝାଯାଏ, ତାହା ହିଁ ହେଉଛି ‘ମେଟାଫିଜିକ୍‌ସ’ର ବିଷୟବସ୍ତୁ: ଈଶ୍ବରଙ୍କ ସତ୍ତା, ନୈତିକତା, ସୌନ୍ଦର୍ଯ୍ୟବୋଧ, ଜୀବନର ଅର୍ଥ… ଇତ୍ୟାଦି। କହିବା ବାହୁଲ୍ୟ ଏଗୁଡ଼ିକ ମଧୢରୁ କୌଣସିଟିର କିନ୍ତୁ ନିରାସକ୍ତ ପର୍ଯ୍ୟବେକ୍ଷଣ ଓ ପରୀକ୍ଷଣ ସମ୍ଭବ ହୋଇନଥାଏ, ଯେମିତି ଜଡ଼ ବିଜ୍ଞାନ କ୍ଷେତ୍ରରେ ହୋଇପାରିଥାଏ। ଅଷ୍ଟ୍ରିଆର ରାଜଧାନୀ ଭିଏନାଠାରେ ସୃଷ୍ଟ ‘ଭିଏନା ସର୍କଲ’ ନାମକ ଏକ ଦାର୍ଶନିକ ଗୋଷ୍ଠୀ ବିଶ୍ବାସ କରୁଥିବା ମତବାଦ ଅନୁସାରେ ଯେଉଁ ଉକ୍ତି ବା ବକ୍ତବ୍ୟର ବିଶ୍ଳେଷଣ ସମ୍ଭବ ହୁଏ ନାହିଁ (ସେଥିରେ ବ୍ୟବହୃତ ଶବ୍ଦାବଳୀର ତର୍ଜମା ଦ୍ବାରା ତା’ର ସତ୍ୟତା ବା ମିଥ୍ୟାଚାର ସାବ୍ୟସ୍ତ ହୋଇପାରେ ନାହିଁ) କିମ୍ବା ତା’ର ପର୍ଯ୍ୟବେକ୍ଷଣ ମଧୢ ସମ୍ଭବ ନୁହେଁ, ସେଭଳି ବକ୍ତବ୍ୟ ନିରର୍ଥକ ହୋଇଥାଏ। ତେଣୁ ଦର୍ଶନ ଶାସ୍ତ୍ରର ମେଟାଫିଜିକ୍‌ସକୁ ସମ୍ପୂର୍ଣ୍ଣ ରୂପେ ବହିଷ୍କାର କରାଯିବା ଆବଶ୍ୟକ। ଏହି କଠୋର ପ୍ରମାଣାଶ୍ରୟୀ ମତବାଦର ନାମକରଣ କରାଯାଇଥିଲା- ‘ଲଜିକାଲ୍‌ ପଜିଟିଭିଜ୍‌ମ’ (‘ଯୁକ୍ତିନିଷ୍ଠ ଅସ୍ତିବାଦ’)।

ବ୍ରିଟେନ୍‌ର ସର୍ବପ୍ରଥମ ମହିଳା ଦର୍ଶନଶାସ୍ତ୍ର ପ୍ରଫେସର ସୁସାନ୍‌ ଷ୍ଟେବିଙ୍ଗ୍‌ ‘ଭିଏନା ସର୍କଲ୍‌’ର ଏଭଳି ସ୍ପଷ୍ଟ ଚିନ୍ତାଧାରା ଦ୍ବାରା ବିଶେଷ ରୂପେ ପ୍ରଭାବିତ ହୋଇ କେମ୍ବ୍ରିଜ୍‌ ବିଶ୍ବବିଦ୍ୟାଳୟର ପ୍ରଖ୍ୟାତ ଦର୍ଶନଶାସ୍ତ୍ର ବିଭାଗର ମୁଖ୍ୟ ପ୍ରଫେସର‌୍‌ ଜି ଇ ମୁର‌୍‌ଙ୍କୁ ଏଥିପ୍ରତି ଆକର୍ଷିତ କରିବାକୁ ଚେଷ୍ଟା କରିଥିଲେ। ଷ୍ଟେବିଙ୍ଗ୍‌ ଅନୁଭବ କରିଥିଲେ ଯେ ‘ଲଜିକାଲ୍‌ ପଜିଟିଭିଜମ୍‌’ର ବିଶ୍ଳେଷଣ କୌଶଳ ପ୍ରୟୋଗ ଦ୍ବାରା ଦର୍ଶନଶାସ୍ତ୍ର ଆଉ ଏକ ଅବୋଧୢ ବିଷୟ ରୂପେ ଶ୍ରେଣୀ କକ୍ଷ ମଧୢରେ ଆବଦ୍ଧ ନ ରହି ଆମେ ଦୈନନ୍ଦିନ ଜୀବନରେ ସମ୍ମୁଖୀନ ହେଉଥିବା ବାସ୍ତବ ପ୍ରସଙ୍ଗମାନଙ୍କର ରହସ୍ୟ ଉନ୍ମୋଚନରେ ସହାୟକ ହେବ। ସେ ନିର୍ଦ୍ଦିଷ୍ଟ ଭାବରେ ବିଶ୍ବାସ କରୁଥିଲେ ଯେ ସାଧାରଣ ଲୋକମାନେ ଯେତେବେଳେ କୌଣସି ରାଜନୈତିକ ପ୍ରଚାର କିମ୍ବା ବିଜ୍ଞାପନ କିମ୍ବା ସାମ୍ବାଦିକତାର ସମ୍ମୁଖୀନ ହୁଅନ୍ତି, ସେତେବେଳେ ଯଦି ସେମାନେ ପଚାରିବାକୁ ଶିଖନ୍ତି ‘‘ଏହାର ଅର୍ଥ କ’ଣ?’’ ଏବ˚ ସମ୍ପୃକ୍ତ ପ୍ରଚାର ବା ଉକ୍ତିକୁ ଖଣ୍ତ ଖଣ୍ତ କରି ବିଶ୍ଳେଷଣ କରି ସେଇ ଅର୍ଥ ଆବିଷ୍କାର କରିବାରେ ସମର୍ଥ ହୁଅନ୍ତି, ତେବେ ତାହା ଏକ ଅଧିକ ସଚେତନ ଓ ଅଧିକ ପରିପକ୍ବ ନାଗରିକ ସମାଜ ସୃଷ୍ଟି କରିବ, ଯାହାକୁ ରାଜନେତାମାନେ ବିଭ୍ରାନ୍ତ କରିବା ସହଜ ହେବ ନାହିଁ।

ଷ୍ଟେବିଙ୍ଗ୍‌ଙ୍କର ଏଭଳି ଚିନ୍ତାଧାରାକୁ ଆଉ ଟିକିଏ ଆଗେଇ ନେବା ଭଳି ଜି ଇ ମୁର‌୍‌ ତାଙ୍କର ପ୍ରସିଦ୍ଧ ରଚନା ‘ଦି ରେଫ୍ୟୁଟେସନ୍‌ ଅଫ୍‌ ଆଇଡିଆଲିଜମ୍‌’ (‘ଆଦର୍ଶବାଦର ଖଣ୍ତନ’) ପ୍ରକାଶ କରିବା ସଙ୍ଗେ ସଙ୍ଗେ ‘‘ତୁମେ କ’ଣ କହିବାକୁ ଚାହୁଁଛ?’’କୁ ବିଭିନ୍ନ ଅବସରରେ ଏପରି ଏକ ନିୟମିତ ପ୍ରଶ୍ନରେ ପରିଣତ କରି ଦେଲେ ଯେ ତାହା କେମ୍ବ୍ରିଜ୍‌ରେ ଦର୍ଶନ ଶାସ୍ତ୍ର ଅଧୢୟନ ଓ ଗବେଷଣା ପ୍ରଣାଳୀରେ ଏକ ପରିବର୍ତ୍ତନର ସୂତ୍ରପାତ ଘଟାଇ ଦେଇଥିଲା। ଏଥର ଦେଖାଯାଉ ଷ୍ଟେବିଙ୍ଗ୍‌ ବା ମୁର‌୍‌ଙ୍କ ସେଇ ପ୍ରଶ୍ନକୁ ଯଦି ‘ପଞ୍ଚ ପ୍ରାଣ’ ସୂତ୍ର ପ୍ରତି ପ୍ରୟୋଗ କରାଯାଏ, ତେବେ ସେଥିରୁ କିଭଳି ଉତ୍ତର ମିଳୁଛି।

‘ପଞ୍ଚ ପ୍ରାଣ’ର ଦେଶବାସୀଙ୍କ ପ୍ରତି ପ୍ରଥମ ଆହ୍ବାନ ହେଲା- ସେମାନେ ଏକ ‘‘ବିକଶିତ ଭାରତ’’ ପାଇଁ ଶପଥ ନେବେ। ‘‘ସେମାନେ ଏହାଠାରୁ କିଛି ବି କମ୍‌ରେ ସନ୍ତୁଷ୍ଟ ହେବେ ନାହିଁ।’’ ଏହାର ଯଦି ବିଶ୍ଳେଷଣ କରାଯାଏ ତେବେ ପ୍ରଶ୍ନ ହେବ: ‘କିଏ, କେଉଁଠି, କିଭଳି ଶପଥ ନେବେ?’; ‘ବିକଶିତ ଭାରତର ଲକ୍ଷଣ କ’ଣ?’, ‘ବିକଶିତ ଭାରତର ଆବିର୍ଭାବ ଏକ ଗଣ-ଶପଥ ଉପରେ ନିର୍ଭରଶୀଳ କି?’ ଦ୍ବିତୀୟ ଆହ୍ବାନ ହେଲା- ଆମର ଅସ୍ତିତ୍ବର କୌଣସି କୋଣରେ ବି ଦାସତ୍ବର ଚିହ୍ନବର୍ଣ୍ଣ ଯେପରି ନ ରହେ। ପ୍ରଶ୍ନ ଉଠୁଛି, ସ୍ବାଧୀନ ଭାରତରେ ଦାସତ୍ବ କେଉଁଠି ଅଛି?; ପୁଣି ସେଇ କାଳ୍ପନିକ ଦାସତ୍ବର ବର୍ଜନ ଭାରତକୁ କିପରି ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବ? ତୃତୀୟ ଆହ୍ବାନ ହେଲା- ଆମେ ଆମର ଐତିହ୍ୟକୁ ନେଇ ଗର୍ବିତ ବୋଧ କରିବା। ପ୍ରଶ୍ନ ଉଠୁଛି ଭାରତୀୟମାନେ ସେମାନଙ୍କର ଐତିହ୍ୟ ପାଇଁ ଗର୍ବିତ ନୁହଁନ୍ତି କି? ପୃଥିବୀର ଅନ୍ୟତମ ପ୍ରାଚୀନତମ ସଭ୍ୟତାର ଦାୟାଦ ରୂପେ ଭାରତୀୟମାନେ ତ ସର୍ବଦା ଗର୍ବ କରି ଆସିଛନ୍ତି; ତାହା କିନ୍ତୁ ସମୃଦ୍ଧିର କାରଣ ରୂପେ ବିବେଚିତ ହୋଇନଥାଏ, ଯାହା ଆଉ ୨୫ ବର୍ଷ ମଧୢରେ ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବ। ‘ପଞ୍ଚ ପ୍ରାଣ’ର ଚତୁର୍ଥ ସୂତ୍ର ହେଉଛି ଜାତୀୟ ସ˚ହତି। ଏଥିରେ କୌଣସି ସନ୍ଦେହ ନାହିଁ ଯେ ଜାତୀୟ ସ˚ହତି ବିନା ଜାତିର ଅସ୍ତିତ୍ବ ଲୋପ ପାଇଯିବ। କିନ୍ତୁ ଏହା ଏପରି ଏକ ବ୍ୟାପକ ଓ ଜଟିଳ ପ୍ରକ୍ରିୟା ଯେ ଏହାକୁ ଅତୁଟ ରଖିବା ପାଇଁ ଯେଉଁ ଜାତୀୟ ଉଦ୍ୟମ ଲୋଡ଼ା, ତାହା କେବଳ ଏକ ଶପଥ ଗ୍ରହଣ ମଧୢରେ ସୀମିତ ନୁହେଁ। ପଞ୍ଚମ ସୂତ୍ର ହେଲା- ଜାତି ପ୍ରତି କର୍ତ୍ତବ୍ୟବୋଧ, ଯେଉଁଥିରୁ ‘‘ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀମାନେ ମଧୢ ବହିର୍ଭୂତ ନୁହଁନ୍ତି’’ (ସେମାନେ କାହିଁକି ବହିର୍ଭୂତ ହୁଅନ୍ତେ?)। ସୂଚାଇବା ଅନାବଶ୍ୟକ ଏହା ଯେଉଁଭଳି ସ୍ବତଃସିଦ୍ଧ, ସେଇଭଳି ଅନିର୍ଦ୍ଦିଷ୍ଟ।

ବର˚ ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ ହେବାରେ ଯାହା ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବ, ତାହା ଏହି ‘ପଞ୍ଚ ପ୍ରାଣ’ ଶପଥ ନୁହେଁ; ତାହା ହେଉଛି ପ୍ରଧାନମନ୍ତ୍ରୀ ତାଙ୍କର ଅଭିଭାଷଣରେ ଅବଶିଷ୍ଟ ଅ˚ଶରେ ଉଲ୍ଲେଖ କରିଥିବା କାରଣମାନ: ବିଜ୍ଞାନ ଗବେଷଣାରୁ ଆରମ୍ଭ କରି ଶିଳ୍ପ ଉତ୍ପାଦନରେ ପ୍ରୋତ୍ସାହନ ପର୍ଯ୍ୟନ୍ତ; ମହିଳା ସଶକ୍ତୀକରଣରୁ ଆରମ୍ଭ କରି ପରିବେଶ ସୁରକ୍ଷା ପର୍ଯ୍ୟନ୍ତ; ଦୁର୍ନୀତି ନିବାରଣରୁ ଆରମ୍ଭ କରି ପରିବାରବାଦ ବିଲୋପନ ପର୍ଯ୍ୟନ୍ତ। ‘ବିକାଶ’ ହେଉଛି ‘ଶପଥ’ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଏକ ପ୍ରସଙ୍ଗ: ‘ବିକାଶ’ ଅର୍ଥନୀତି ହୋଇଥିବା ବେଳେ ‘ଶପଥ’ ଅବଶ୍ୟ ହେଉଛି ରାଜନୀତି। ମୁର‌୍‌ ଓ ଷ୍ଟେବିଙ୍ଗ୍‌ ମୋଦୀଙ୍କର ପଞ୍ଚ ପ୍ରାଣ ଶପଥ ପାଇଁ ଆହ୍ବାନର ବିଶ୍ଳେଷଣ କରି ଏହି ରାୟ ଦିଅନ୍ତେ।

ସମ୍ବନ୍ଧିତ ଖବର