ଆସନ୍ତା ଅକ୍‌ଟୋବର ୩ ତାରିଖ ମଧୢରେ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ ଏକ ନୀତି ନିର୍ଦ୍ଧାରଣ ପାଇଁ ଦେଶବାସୀଙ୍କ ଠାରୁ କେତେକ ପ୍ରଶ୍ନର ଉତ୍ତର ପାଇବାକୁ ଅପେକ୍ଷା କରିଛି। ସେଗୁଡ଼ିକ ମଧୢରୁ କେତେକ ପ୍ରଶ୍ନ ହେଉଛି ଏଇଭଳି: ‘ୟୁପିଆଇ’ ପ୍ରତି ମାହାସୁଲ (‘ଫି’) ଲାଗୁ ହେବା ଉଚିତ କି? ଯଦି ‘ଫି’ ଲାଗୁ ହୁଏ, ତେବେ ତାହା ଏକ ସ୍ଥିର (‘ଫିକ୍ସଡ’) ହାରରେ ଲାଗୁ ହେବା ଉଚିତ ହେବ, ନା ସମ୍ପୃକ୍ତ କାରବାରର ମୂଲ୍ୟ ଆଧାରରେ ଏହି ହାର ପରିବର୍ତ୍ତନଶୀଳ ଅର୍ଥାତ୍‌ କମ୍‌ବେଶୀ ହେବା ଉଚିତ ହେବ? ଯଦି ‘ୟୁପିଆଇ’ ପ୍ରତି ‘ଫି’ ଲାଗୁ କରାଯାଏ, କାହାଦ୍ବାରା ଏହି ‘ଫି’ର ହାର ନିର୍ଣ୍ଣୟ କରାଯିବା ଉଚିତ ହେବ, ରିଜର୍ଭ ବ୍ୟାଙ୍କ୍‌ ଦ୍ବାରା ନା ବଜାରରେ ଚାହିଦା ଓ ଯୋଗାଣର କ୍ରିୟା-ପ୍ରତିକ୍ରିୟା ଦ୍ବାରା? ଯଦି ‘ୟୁପିଆଇ’ ପ୍ରତି କୌଣସି ‘ଫି’ ଲାଗୁ କରାନଯିବା ଉଚିତ ହେବ ବୋଲି ମନେ କରାଯାଏ, ତେବେ ଏ ବାବଦରେ କେତେକ ପକ୍ଷଙ୍କୁ ବହନ କରିବାକୁ ପଡୁଥିବା ଆର୍ଥିକ ବୋଝକୁ ସରକାର ‘ସବ୍‌ସିଡି’ ପ୍ରଦାନ ଦ୍ବାରା ବହନ କରିବା ଉଚିତ ହେବ କି, ଅର୍ଥାତ୍‌ ସରକାର ତହବିଲରୁ ଖର୍ଚ୍ଚ କରି ଜନସାଧାରଣଙ୍କ ପାଇଁ ମାଗଣାରେ ‘ୟୁପିଆଇ’ ସେବା ଯୋଗାଇ ଦେବା (‘ରେବଡ଼ି’?) ଉଚିତ ହେବ କି?

Advertisment

ଏ ‘ୟୁପିଆଇ’ କ’ଣ, ଆଜି ଦିନରେ ଏହା ବୋଧହୁଏ କୌଣସି ଭାରତୀୟଙ୍କୁ ଅଜଣା ନ ଥିବ। କାରଣ, ରାସ୍ତା କଡ଼ରେ ଗୁପ୍‌ଚୁପ୍‌ କିଣିବାରୁ ପେଟ୍ରୋଲ୍‌ ପମ୍ପରେ ଗାଡ଼ିରେ ତେଲ ପକାଇବା ପର୍ଯ୍ୟନ୍ତ, ଦୋକାନରେ ଶାଢ଼ି କିଣିବାରୁ କୌଣସି ସ୍ବେଚ୍ଛାସେବୀ ସ˚ଗଠନଙ୍କୁ ବନ୍ୟାଞ୍ଚଳରେ ରିଲିଫ୍‌ ବଣ୍ଟନ କରିବାରେ ସହାୟତା ପ୍ରଦାନ ପର୍ଯ୍ୟନ୍ତ ଆବଶ୍ୟକ ହେଉଥିବା ପାଣ୍ଠି ହସ୍ତାନ୍ତର ବା ‘ପେମେଣ୍ଟ’ ଏକ ‘କ୍ୟୁଆର‌୍‌ କୋଡ୍‌’ ନାମକ ଆବୁରୁଜାବୁରୁ ନକ୍‌ସା ସମ୍ମୁଖରେ ନିଜର ସ୍ମାର୍ଟ ଫୋନ୍‌ଟିକୁ ଦେଖାଇ ଦେବା ମାତ୍ରେ ସମ୍ପନ୍ନ ହୋଇଯାଉଛି, କିମ୍ବା ପ୍ରାପକର ବ୍ୟାଙ୍କ୍‌ ଆକାଉଣ୍ଟ ସହିତ ସ˚ଯୁକ୍ତ ଏକ ମୋବାଇଲ୍‌ ଟେଲିଫୋନ୍‌ ନମ୍ବରକୁ କିମ୍ବା ସିଧା ବ୍ୟାଙ୍କ୍‌ ଏକାଉଣ୍ଟକୁ ତତ୍‌କ୍ଷଣାତ୍‌ ପଠାଇ ଦେଇ ହେଉଛି। ଏପରିକି କେଉଁଠି କେଉଁଠି ଭିକାରିମାନେ ମଧୢ ସାମନାରେ ‘କ୍ୟୁଆର‌୍‌ କୋଡ୍‌’ ଥୋଇ ବସିବା ଖବର ବେଳେବେଳେ ପ୍ରକାଶ ପାଉଛି (ଏକ ନଗଦ-ମୁକ୍ତ ଭାରତର ପ୍ରଚାର ପାଇଁ ଏହାଠାରୁ ଅଧିକ ଶକ୍ତିଶାଳୀ ଛବି ଆଉ କ’ଣ ହୋଇପାରେ?)

୨୦୧୬ରେ ଯେତେବେଳେ ଏହି ‘ୟୁନିଫାଏଡ୍‌ ପେମେଣ୍ଟସ୍‌ ଇଣ୍ଟର‌୍‌ଫେସ୍‌’ (‘ୟୁପିଆଇ’)ର ଅନୁକୂଳ ହେଲା, ସେତେବେଳେ ଏହି ପ୍ଲାଟ୍‌ଫର୍ମରେ ଅ˚ଶ ଗ୍ରହଣ କରିଥିବା ବ୍ୟାଙ୍କ୍‌ ସ˚ଖ୍ୟା ଥିଲା ୨୧, ଯାହା ବର୍ତ୍ତମାନ ଆସି ୩୩୮ରେ ପହଞ୍ଚିଛି। କେବଳ ଗତ ମାସ, ଜୁଲାଇରେ ଦେଶରେ ‘ୟୁପିଆଇ’ ମାଧୢମରେ ସମ୍ପନ୍ନ ହୋଇଥିବା ମୋଟ ଦେଣନେଣ କାରବାର ସ˚ଖ୍ୟା ଥିଲା ୬୨୮ କୋଟି। ଏହାର ହୁ ହୁ ବୃଦ୍ଧି ପାଇ ଚାଲିଥିବା ଲୋକପ୍ରିୟତା ସମ୍ବନ୍ଧରେ ଧାରଣା କରିବାକୁ ହେଲେ ମନେ ରଖିବାକୁ ହେବ ଯେ ମାତ୍ର ବର୍ଷକ ତଳେ ସେଇ ଜୁଲାଇରେ ଏହି ସ˚ଖ୍ୟା ଥିଲା ଏହାର ପ୍ରାୟ ଅଧା- ୩୨୪ କୋଟି। ସୂଚନାଯୋଗ୍ୟ, ଏ ସମସ୍ତ କାରବାରର ପ୍ରାୟ ୯୯ ଶତା˚ଶ ସମ୍ପନ୍ନ ହୋଇଛି ମାତ୍ର ତିନିଟି ଆପ୍‌ ମାଧୢମରେ: ‘ଗୁଗ୍‌ଲ ପେ’, ‘ଫୋନ୍‌ ପେ’ ଓ ‘ପେଟିଏମ୍‌’।

ସରକାରୀ ନିର୍ଦ୍ଦେଶ ଅନୁଯାୟୀ ‘ୟୁପିଆଇ’ ସେବା ଏ ପର୍ଯ୍ୟନ୍ତ ବ୍ୟବହାରକାରୀମାନଙ୍କ ପାଇଁ ମାଗଣାରେ ଉପଲବ୍‌ଧ ହୋଇ ଆସୁଛି। ମନେ ରଖିବା କଥା ‘ୟୁପିଆଇ’ର ବିକଳ୍ପ ରୂପେ ବିବେଚିତ ‘କ୍ରେଡିଟ୍‌ କାର୍ଡ’ ବା ‘ଡେବିଟ୍‌ କାର୍ଡ’ ମାଧୢମରେ କ୍ରୟବିକ୍ରୟ ସମ୍ପନ୍ନ ହେଲେ ସମ୍ପୃକ୍ତ ବ୍ୟବସାୟୀଙ୍କୁ ପ୍ରାୟ ୨ ଶତା˚ଶ ହାରରେ ଏ ବାବଦରେ କମିସନ ବା ପାଉଣା ଦେବାକୁ ପଡ଼ିଥାଏ। ସେଇଭଳି ‘ଆର‌୍‌ଟିଜିଏସ୍‌’ ବା ‘ଏନ୍‌ଇଏଫ୍‌ଟି’ ମାଧୢମରେ ପାଣ୍ଠି ପ୍ରେରଣ କଲେ ମଧୢ ଏକ ପାଉଣା ଦେବାକୁ ପଡ଼ିଥାଏ। ‘ୟୁପିଆଇ’ ସେବା ବ୍ୟବହାରକାରୀମାନଙ୍କ ପାଇଁ ମାଗଣା ସତ, କିନ୍ତୁ ଏହି ସେବା ପ୍ରଦାନ ବିନା ଖର୍ଚ୍ଚରେ ସମ୍ଭବ ହୋଇନଥାଏ। ରିଜର୍ଭ ବ୍ୟାଙ୍କ୍‌ର ଆକଳନ ଅନୁସାରେ ଜଣେ ଖାଉଟି ଓ ବ୍ୟବସାୟୀଙ୍କ ମଧୢରେ ଯେତେବେଳେ ‘ୟୁପିଆଇ’ ମାଧୢମରେ ଏକ କାରବାର ସମ୍ପନ୍ନ ହୁଏ, ସେତେବେଳେ ପ୍ରତି ୮୦୦ ଟଙ୍କା ମୂଲ୍ୟର କାରବାର ସମ୍ଭବ କରାଇବା ପାଇଁ ‘ୟୁପିଆଇ’ ସହିତ ସମ୍ପୃକ୍ତ ବିଭିନ୍ନ ଅ˚ଶଗ୍ରହଣକାରୀମାନଙ୍କୁ ପ୍ରାୟ ୨ ଟଙ୍କାର ଖର୍ଚ୍ଚ ବହନ କରିବାକୁ ପଡ଼ିଥାଏ। ସରକାରଙ୍କ ନିର୍ଦ୍ଦେଶ ଦ୍ବାରା ‘ୟୁପିଆଇ’ କାରବାର ପ୍ରତି ଲାଗୁ ହେଉଥିବା ଜିରୋ ‘ମର୍ଚ୍ଚାଣ୍ଟ ଡିସ୍‌କାଉଣ୍ଟ୍‌ ରେଟ୍‌’ (‘ଏମ୍‌ଡିଆର‌୍‌’) ନୀତି ଯୋଗୁଁ ଏହି ଖର୍ଚ୍ଚର କୌଣସି ଅ˚ଶ ସମ୍ପୃକ୍ତ ବ୍ୟବସାୟୀଙ୍କ ଠାରୁ ଆଦାୟ କରାଯାଉନାହିଁ। ଏହାର ଫଳ ସ୍ବରୂପ ‘ୟୁପିଆଇ’ କ୍ରମେ ‘ଡେବିଟ୍‌ କାର୍ଡ’ ଓ ‘କ୍ରେଡିଟ୍‌ କାର୍ଡ’କୁ କ୍ରୟବିକ୍ରୟର ମାଧୢମ ରୂପେ ଦୃଶ୍ୟପଟରୁ ଅପସାରିତ କରିବାରେ ଲାଗିଛି। ଏହାର ଏକ ପ୍ରମାଣ ସ୍ବରୂପ ଜୁଲାଇରେ ‘ୟୁପିଆଇ’ ମାଧୢମରେ ପ୍ରାୟ ୨.୩ ଲକ୍ଷ କୋଟି ଟଙ୍କା ମୂଲ୍ୟର ବ୍ୟବସାୟ କାରବାର ସମ୍ପନ୍ନ ହୋଇଥିବା ବେଳେ ଉଭୟ ‘କ୍ରେଡିଟ୍‌ କାର୍ଡ’ ଓ ‘ଡେବିଟ୍‌ କାର୍ଡ’ ବ୍ୟବହାର କରାଯାଇ ସମ୍ପନ୍ନ ହୋଇଥିବା ମୋଟ କାରବାରର ମୂଲ୍ୟ ଥିଲା ୧.୪ ଲକ୍ଷ କୋଟି ଟଙ୍କା। ଏକ ଅନୁଶୀଳନ ଅନୁସାରେ ଦେଶରେ ଯେତିକି ସ˚ଖ୍ୟକ ୫୦୦ ଟଙ୍କାରୁ କମ୍‌ ମୂଲ୍ୟର କାରବାର ହୋଇଥାଏ, ତାହାର ପ୍ରାୟ ତିନି-ଚତୁର୍ଥା˚ଶ ବର୍ତ୍ତମାନ ‘ୟୁପିଆଇ’ ମାଧୢମରେ ଅନୁଷ୍ଠିତ ହେଉଛି।

ଏହା ଜଣାଣୁଣା ଯେ ଜନସାଧାରଣଙ୍କୁ ପାରମ୍ପରିକ ଅଦକ୍ଷ ନଗଦ ମୁଦ୍ରା ବ୍ୟବହାର ଅଭ୍ୟାସ ପରିତ୍ୟାଗ କରି ଡିଜିଟାଲ୍‌ ପେମେଣ୍ଟ ଭଳି ଏକ ଅତ୍ୟାଧୁନିକ ବ୍ୟବସ୍ଥା ପ୍ରତି ଆକର୍ଷିତ କରିବା ଉଦ୍ଦେଶ୍ୟରେ ସରକାର ଉପରୋକ୍ତ ‘ଏମ୍‌ଡିଆର‌୍‌’କୁ ଶୂନ୍ୟ ସ୍ତରକୁ ନେଇ ଆସିଛନ୍ତି। ଏଥିଯୋଗୁଁ ସମ୍ପୃକ୍ତ ବ୍ୟାଙ୍କ ଓ ସେବା ପ୍ରଦାନକାରୀ ସ˚ସ୍ଥାମାନେ ଏହି ସୂତ୍ରରୁ ଆଦୌ କିଛି ଆୟ ଅର୍ଜନ କରିପାରୁ ନ ଥିବା ବେଳେ, ସେମାନଙ୍କୁ ‘ନେସନାଲ୍‌ ପେମେଣ୍ଟସ୍‌ କର୍ପୋରେସନ୍‌ ଅଫ୍‌ ଇଣ୍ତିଆ’କୁ ଏଥିପାଇଁ ଏକ ‘ସ୍ବିଚିଙ୍ଗ୍‌ ଫି’ ଦେବାକୁ ପଡୁଥିବା ସଙ୍ଗେ ସଙ୍ଗେ ଏହି ବ୍ୟବସ୍ଥା ତ୍ରୁଟିହୀନ ଭାବରେ କାର୍ଯ୍ୟ କରିବା ନିମିତ୍ତ ଆବଶ୍ୟକ ଭିତ୍ତିଭୂମି ସୃଷ୍ଟି କରିବାକୁ ଓ ତା’ର ଉପଯୁକ୍ତ ରକ୍ଷଣାବେକ୍ଷଣ କରିବାକୁ ପଡୁଛି। ସରକାର ଏଥିପାଇଁ ସେମାନଙ୍କୁ ଯେଉଁ କ୍ଷତିପୂରଣ ପ୍ରଦାନର ବ୍ୟବସ୍ଥା କରିଛନ୍ତି ତାହା ଆଦୌ ପର୍ଯ୍ୟାପ୍ତ ନୁହେଁ। ଉଦାହରଣ ସ୍ବରୂପ, ‘ପେମେଣ୍ଟସ୍‌ କାଉନ୍‌ସିଲ୍‌ ଅଫ୍‌ ଇଣ୍ତିଆ’ର ଏକ ଆକଳନ ଅନୁସାରେ ‘ୟୁପିଆଇ’ ବ୍ୟବହାର କରୁଥିବା ବ୍ୟବସାୟୀମାନଙ୍କୁ ଛାଡ଼ କରି ଦିଆଯାଇଥିବା ମୋଟ ‘ଏମ୍‌ଡିଆର‌୍‌’ ପରିମାଣ ପ୍ରାୟ ୫,୫୦୦ କୋଟି ଟଙ୍କା ହୋଇଥିବା ବେଳେ ସରକାର ଉଭୟ ୨୦୨୨ ବିତ୍ତ ବର୍ଷ ଓ ୨୦୨୩ ବିତ୍ତ ବର୍ଷ ପାଇଁ ଏ ବାବଦରେ କ୍ଷତିପୂରଣ ପାଇଁ ବଜେଟ୍‌ରେ ମାତ୍ର ୧,୫୦୦ କୋଟି ଟଙ୍କା ଲେଖାଏଁ ବନ୍ଦୋବସ୍ତ କରିଛନ୍ତି।

ଏହି ପୃଷ୍ଠଭୂମିରେ ଯାହା ସ୍ପଷ୍ଟ ହୋଇଥାଏ ତାହା ହେଉଛି ଦୁଇଟି ପରସ୍ପର-ବିରୋଧୀ ଲକ୍ଷ୍ୟ ମଧୢରେ ସନ୍ତୁଳନ ରକ୍ଷା କରିବାର ଆବଶ୍ୟକତା- ‘ୟୁପିଆଇ’ର ବ୍ୟାପକ ପ୍ରସାର ଓ ଏହି ସେବା ପ୍ରଦାନକାରୀମାନଙ୍କର ସ୍ବାର୍ଥ ରକ୍ଷା। ଏହି ସନ୍ତୁଳନ ରକ୍ଷାର ଗୋଟିଏ ଉପାୟ ହେଉଛି ଏଇଭଳି: ଅଣ-ବ୍ୟବସାୟଜନିତ ସମସ୍ତ ‘ୟୁପିଆଇ’ କାରବାରକୁ ସମ୍ପୂର୍ଣ୍ଣ ରୂପେ ଶୁଳ୍‌କମୁକ୍ତ ଅର୍ଥାତ୍‌ ମାଗଣା ରଖାଯାଉ; ବ୍ୟବସାୟଜନିତ ‘ୟୁପିଆଇ’ କାରବାର ଉପରେ ‘ଏମ୍‌ଡିଆର‌୍‌’ ଆଦାୟ କରାଯାଉ କିନ୍ତୁ ତାହା ଗୋଟିଏ ମାତ୍ର ହାରରେ ଲାଗୁ ନ ହୋଇ କାରବାରର ଆକାର ଅନୁସାରେ କ୍ରମବର୍ଦ୍ଧିଷ୍ଣୁ ହେଉ। କ୍ଷୁଦ୍ର ବ୍ୟବସାୟୀମାନଙ୍କୁ ସୁରକ୍ଷା ପ୍ରଦାନ ନିମିତ୍ତ ଏକ ନିର୍ଦ୍ଦିଷ୍ଟ ମୂଲ୍ୟର ‘ୟୁପିଆଇ’ କାରବାରକୁ ସମ୍ପୂର୍ଣ୍ଣ ରୂପେ ନିଃଶୁଳ୍‌କ କରାଯାଉ। ଆଧୁନିକ ଅର୍ଥନୈତିକ ବ୍ୟବସ୍ଥାର ଏକ ଅବିଚ୍ଛେଦ୍ୟ ଅଙ୍ଗ ରୂପେ ବିବେଚିତ ‘ଡିଜିଟାଲ୍‌ ପେମେଣ୍ଟ୍‌’ ପଦ୍ଧତିକୁ ଏଭଳି ପ୍ରୋତ୍ସାହନ ପ୍ରଦାନ ନିଶ୍ଚିତ ରୂପେ ‘ରେବଡ଼ି’ ରୂପେ ବିବେଚିତ ହେବ। ଏଣୁ ବର୍ତ୍ତମାନ ପାଇଁ ରିଜର୍ଭ ବ୍ୟାଙ୍କ୍‌ର ଇସାରା ଦ୍ବାରା ସୃଷ୍ଟି ହୋଇଥିବା କଳ୍ପନା ଜଳ୍ପନାରେ ଅନ୍ତ ଘଟାଇ ରବିବାର ଦିନ କେନ୍ଦ୍ର ସରକାର ‘ୟୁପିଆଇ’ ଉପରେ କୌଣସି ‘ଫି’ ଲାଗୁ କରାଯିବାର ପ୍ରସ୍ତାବ ନାହିଁ ବୋଲି ଦେଇଥିବା ସ୍ପଷ୍ଟୀକରଣ ସମ୍ପୂର୍ଣ୍ଣ ସ୍ବାଗତଯୋଗ୍ୟ ମନେ ହୋଇଥାଏ।