କୁଳ ରକ୍ଷା

ଯେ କୌଣସି ଏକ ପରିସ୍ଥିତିର ମୁକାବିଲା କରିବା ପାଇଁ ଆମ ଆଗରେ ସବୁବେଳେ ବିଭିନ୍ନ ବାଟ ପଡ଼ିଥାଏ। ସେଥିମଧ୍ୟରୁ କେଉଁ ବାଟଟି ଆମେ ବାଛିବା ଉଚିତ ହେବ, ତାହା ସ୍ଥିର କରିବା ସାଧାରଣତଃ ଆଦୌ ସହଜ ହୋଇନଥାଏ। ଯଦି ସର୍ବାଧିକ ଉପଯୁକ୍ତ ବାଟଟି ବାଛିବା ପାଇଁ ଏକ ଫର୍ମୁଲା ଥାନ୍ତା, ତେବେ ତାହାକୁ ପ୍ରୟୋଗ କରି ଆମେ ସହଜରେ ଓ ସୁବିଧାରେ ଆଦର୍ଶ ପଥକୁ ଚିହ୍ନଟ କରି ଅନୁସରଣ କରିପାରନ୍ତେ।

ଅଷ୍ଟାଦଶ ଶତାବ୍ଦୀର ଇଂରେଜ ଦାର୍ଶନିକ ଜେରେମି ବେନ୍ଥାମ୍‌ ଠିକ୍‌ ଏଇଭଳି ଏକ ଫର୍ମୁଲା ଉଦ୍ଭାବନ କରିଥିଲେ, ଯାହାର ସେ ନାମକରଣ କରିଥିଲେ- ‘ହେଡୋନିକ୍‌ କାଲ୍‌କୁଲସ୍‌’ (ଆନନ୍ଦ ହିସାବ)। ବେନ୍ଥାମ୍‌ଙ୍କ ମାନଦଣ୍ଡ ଅନୁସାରେ ସେହି କାର୍ଯ୍ୟ ହେଉଛି ନୈତିକ, ଯାହା ସର୍ବାଧିକ ସମ୍ଭବ ସଂଖ୍ୟକ ଲୋକମାନଙ୍କର ସର୍ବାଧିକ ସମ୍ଭବ ମଙ୍ଗଳ ସାଧନ କରିଥାଏ। ବାରଶ’ ବଢ଼େଇଙ୍କ ପ୍ରାଣରକ୍ଷା ପାଇଁ ଗୋଟିଏ ପୁଅକୁ ସମୁଦ୍ରରେ ବିସର୍ଜନ କରିଦେବା ହେଉଛି ନୈତିକ। ଯେ କୌଣସି କାର୍ଯ୍ୟ ସୃଷ୍ଟି କରୁଥିବା ଆନନ୍ଦ ଓ ଯନ୍ତ୍ରଣାର ହିସାବ କରିବା ପାଇଁ ‌ବେନ୍ଥାମ୍‌ ତାଙ୍କର ‘ହେଡୋନିକ୍‌ କାଲ୍‌କୁଲସ୍‌’ରେ ସାତଟି ଭିନ୍ନ ଭିନ୍ନ ମାନକ ବ୍ୟବହାର କରିଥିଲେ: ଗଭୀରତା, ଅବଧି, ସମ୍ଭାବନା, ସାନ୍ନିଧ୍ୟ, ଉତ୍ପାଦନଶୀଳତା (ସେଥିରୁ ଭବିଷ୍ୟତରେ ଆହୁରି ଆନନ୍ଦ ଉତ୍ପନ୍ନ ହେବ କି?), ବିଶୁଦ୍ଧତା (ଯନ୍ତ୍ରଣା ଆହୁରି ଅଧିକ ଯନ୍ତ୍ରଣା ଉତ୍ପନ୍ନ କରିବ କି?) ଓ ଆକାର।

ସମ୍ପ୍ରତି ପୃଥିବୀ ବ୍ୟାପୀ ଶିଳ୍ପ ବ୍ୟବସାୟ ଜଗତ୍‌ରେ ଏହିଭଳି ଏକ ‌ବେନ୍ଥାମ୍‌ ସୁଲଭ ସଚେତନତାର ଦ୍ରୁତ ପ୍ରସାର ଘଟିବା ଦେଖାଦେଇଛି, ଯାହା ଭାରତରେ ମଧ୍ୟ ପ୍ରବେଶ କରିବାକୁ ଆରମ୍ଭ କଲାଣି। ଅଷ୍ଟାଦଶ ଶତାବ୍ଦୀର ଦ୍ବିତୀୟାର୍ଦ୍ଧରୁ ଅର୍ଥାତ୍‌‌‌ ‌େସଇ ବେନ୍ଥାମ୍‌ଙ୍କ ସମୟରୁ ଆରମ୍ଭ ହୋଇଥିବା ଶିଳ୍ପ ବିପ୍ଳବ ପର ଠାରୁ କିନ୍ତୁ ଶିଳ୍ପୋଦ୍ୟୋଗୀମାନେ ଯାହାକୁ ସେମାନଙ୍କର ଆଦର୍ଶ ଆଚରଣ ରୂପେ ଅନୁସରଣ କରି ଆସୁଥିଲେ, ତାହା ଥିଲା ସର୍ବାଧିକ ସମ୍ଭବ ଲାଭ ଅର୍ଜନ। ଏହି ଲକ୍ଷ୍ୟ ହାସଲ ପାଇଁ ବୃହତ୍ତର ସମାଜକୁ ଯେଉଁ ମୂଲ୍ୟ ଦେବାକୁ ପଡ଼ିଛି, ତାହା ଶ୍ରମିକ ଶୋଷଣରୁ ପରିବେଶ ଧ୍ବଂସ ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇଥିଲେ ହେଁ ଉଦ୍ୟୋଗପତି ଓ ନିବେଶକମାନେ ସେଥିପ୍ରତି ଭ୍ରୂକ୍ଷେପ ନ କରି ଏ ପର୍ଯ୍ୟନ୍ତ ଏକାଗ୍ର ଚିତ୍ତରେ କେବଳ ଲାଭ ଅର୍ଜନରେ ଯେଉଁଭଳି ଲାଗି ପଡ଼ିଥିଲେ, ବର୍ତ୍ତମାନ ସେଥିରେ ଏକ ପୁନର୍ଚିନ୍ତନ ଦେଖାଦେବାକୁ ଆରମ୍ଭ କରିଛି।

ଏହି ପୁନର୍ଚିନ୍ତନକୁ ବେନ୍ଥାମ୍‌ ସୁଲଭ କହିଲେ ଅତ୍ୟୁକ୍ତି ହେବ ନାହିଁ। ବେନ୍ଥାମ୍‌ଙ୍କ ସାତ ସୂତ୍ରୀ ଫର୍ମୁଲାର ସ୍ଥାନ ଏବେ ନେଇଛି ଏକ ତିନି ସୂତ୍ରୀ ଫର୍ମୁଲା, ଯାହାର ନାମ ହେଉଛି ତିନିଗୋଟି ଇଂରେଜୀ ଅକ୍ଷର ସମ୍ବଳିତ: ‘ଇଏସ୍‌ଜି’। ଏହି ତିନିଟି ଅକ୍ଷର ତିନିଟି ମାନକର ପ୍ରତିନିଧିତ୍ବ କରିଥାନ୍ତି: ଏନ୍‌ଭାଇରନ୍‌ମେଣ୍ଟ୍‌ (ପରିବେଶ), ସୋସିଆଲ (ସାମାଜିକ), ଗଭର୍ନାନ୍‌ସ (ପରିଚାଳନା)। ପୁଞ୍ଜିବାଦୀ ଶିଳ୍ପବ୍ୟବସାୟ ବ୍ୟବସ୍ଥା ଏପର୍ଯ୍ୟନ୍ତ ଯେଉଁ ଆଦର୍ଶ ଅନୁସରଣ କରି ଆସିଥିଲା, ତାହା ଥିଲା ବାରଶ’ ବଢ଼େଇଙ୍କର ମୁଣ୍ଡ କାଟ କରାଇ ପୁଅର ଜୀବନ ରକ୍ଷା କରିବା ଶ୍ରେଣୀର: ପରିବେଶ ଓ ସମାଜର ଧ୍ବଂସ ସାଧନ କରି ପୁଞ୍ଜିପତିଙ୍କ ପାଇଁ ସର୍ବାଧିକ ସମ୍ଭବ ଲାଭ ଅର୍ଜନ କରିବା। ଥମାସ୍‌ ପିକେଟି ୨୦୧୩ରେ ପ୍ରକାଶିତ ତାଙ୍କର ପୁସ୍ତକ ‘କ୍ୟାପିଟାଲ ଇନ୍‌ ଦି ଟ୍ବେଣ୍ଟିଫାଷ୍ଟ ସେଞ୍ଚୁରି’ରେ ଏହାର ଯେଉଁ ଫଳାଫଳ ଉନ୍ମୋଚନ କରି ପୃଥିବୀବ୍ୟାପୀ ଚହଳ ସୃଷ୍ଟି କରିଥିଲେ, ତାହା ହେଲା, ଇତିହାସ ସାରା ପ୍ରତ୍ୟେକ ଦେଶର ଜାତୀୟ ଆୟରେ ଯେଉଁ ହାରରେ ବୃଦ୍ଧି ଘଟିଛି, ପୁଞ୍ଜିପତିମାନଙ୍କର ଆୟରେ ତା’ଠାରୁ ବହୁ ଅଧିକ ହାରରେ ବୃଦ୍ଧି ଘଟିଛି। ଏହା କେବଳ ଅନିବାର୍ଯ୍ୟ ଭାବରେ ଅଚିରେ ସାମାଜିକ ଅସ୍ଥିରତା ସୃଷ୍ଟି କରିବ, ତାହା ନୁହେଁ, ପରିବେଶର ଧ୍ବଂସ ସାଧନ କରି ପୃଥିବୀ ପୃଷ୍ଠରେ ମାନବ ସଭ୍ୟତାର ସ୍ଥିତି ମଧ୍ୟ ବିପନ୍ନ କରିବ। ଉ‌େଦ୍ୟା‌ଗପତି ଓ ପୁଞ୍ଜିନିବେଶକମାନେ ଯଦି ‘ଇଏସ୍‌ଜି’ କାଲ୍‌କୁଲସ୍‌ ପ୍ରୟୋଗ କରି ନିଜର ଆଚରଣକୁ ସଜାଡ଼ନ୍ତି, ତେବେ ଏଭଳି ବିଷମ ପରିଣତିକୁ ଟାଳି ଦେଇ ହେବ ବୋଲି ‘ଇଏସ୍‌ଜି’ର ସମର୍ଥକମାନେ ଦୃଢ଼ ଭାବରେ ବିଶ୍ବାସ କରନ୍ତି।

ଏହି ଚିନ୍ତାଧାରା ଅନୁସାରେ ପୁଞ୍ଜିନିବେଶକମାନେ (ଉଭୟ ବ୍ୟକ୍ତିଗତ ଓ ଆନୁଷ୍ଠାନିକ) କୌଣସି ଏକ କମ୍ପାନି ବା ବ୍ୟବସାୟରେ ପୁଞ୍ଜିନିବେଶ ପାଇଁ ନିଷ୍ପତ୍ତି ନେବା ସମୟରେ କେବଳ ତାହାର ଲାଭ ଅର୍ଜନ କ୍ଷମତା ବା ବ୍ୟାବସାୟିକ ଦକ୍ଷତାକୁ ବିଚାରକୁ ନ ନେଇ, ସେମାନଙ୍କର ପରିବେଶ ଓ ସମାଜ ଉପରେ ପ୍ରଭାବ ତଥା ସେମାନଙ୍କର ବ୍ୟବସାୟ ପରିଚାଳନା ଶୈଳୀକୁ ମଧ୍ୟ ବିଚାରକୁ ନେବେ। ଏଥିପାଇଁ ସେମାନେ ଉପର ଠାଉରିଆ ଢଙ୍ଗରେ ନିଷ୍ପତ୍ତି ‌ନ ନେଇ ‌ବେନ୍ଥାମ୍‌ଙ୍କ ଶୈଳୀରେ ସଂଖ୍ୟାଭିତ୍ତିକ ମାର୍କ ପ୍ରଦାନ କରି ସେଇ ଅନୁଯାୟୀ ନିଷ୍ପତ୍ତି ନେବେ।

ଈଶ୍ବରଙ୍କ ନାମରେ ଶପଥ ନେବା ପରି ଆଜିକାଲି ନିବେଶକମାନେ ‘ଇଏସ୍‌ଜି’ ନାମରେ ଯେଉଁଭଳି ଶପଥ ନେବା ଦେଖାଗଲାଣି, ତାହାକୁ ଏକ ଆନ୍ଦୋଳନ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହାର ଉଦ୍ଦେଶ୍ୟ ଯେ ଅତୀବ ମହତ୍‌, ଏଥିରେ କୌଣସି ସନ୍ଦେହ ନାହିଁ। ଏହାର କିନ୍ତୁ ଅନ୍ତତଃ ତିନିଟି ଏପରି ମୌଳିକ ଦୁର୍ବଳତା ରହିଛି, ଯେଉଁ କାରଣରୁ ଦୁର୍ଭାଗ୍ୟଜନକ ଭାବରେ ଏହାର ଫଳପ୍ରଦ ପ୍ର‌ୟୋଗ ସମ୍ଭବ ନ ହୋଇପାରେ।

ପ୍ରଥମ, ଏହାର ଲକ୍ଷ୍ୟମାନ ସଂଖ୍ୟାବହୁଳ ତଥା ପରସ୍ପର-ବିରୋଧୀ ହୋଇପାରନ୍ତି। ଉଦାହରଣ ସ୍ବରୂପ ଗୋଟିଏ କୋଇଲା ଖଣି ବନ୍ଦ କରିଦେଲେ ପରିବେଶ ସୁରକ୍ଷା ପାଇବ କିନ୍ତୁ ସେଥିରେ କାମ କରୁଥିବା ଶ୍ରମିକମାନେ ଜୀବିକା ହରାଇବା ଦ୍ବାରା ସାମାଜିକ ଅମଙ୍ଗଳ ସାଧିତ ହେବ। ସେହିପରି ଇଲେକ୍‌ଟ୍ରିକ୍‌ କାର୍‌ ନିର୍ମାଣ ପରିବେଶ ପାଇଁ ମଙ୍ଗଳପ୍ରଦ ହୋଇଥିବା ବେଳେ ଏହାର ନିର୍ମାତା ‘ଟେସ୍‌ଲା’ କମ୍ପାନି କର୍ମଚାରୀମାନଙ୍କର ଶୋଷଣ ଅର୍ଥାତ୍‌ କୁପରିଚାଳନା ପାଇଁ କୁଖ୍ୟାତ। ନିବେଶକମାନେ ଟେସ୍‌ଲାରେ ପୁଞ୍ଜିନିବେଶ କରିବା ଉଚିତ ନା ନୁହେଁ? ସେହିପରି ଭାରତରେ ‘ଜମାଟୋ’ ଭଳି କମ୍ପାନିମାନେ ହଜାର ହଜାର ଯୁବକମାନଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି, କିନ୍ତୁ ଏହି ‘ଗିଗ୍‌’ କର୍ମଚାରୀମାନେ କମ୍ପାନି ଦ୍ବାରା ଶୋଷଣର ଶିକାର ହୋଇଥାନ୍ତି।

ଦ୍ବିତୀୟ, ‘ଇଏସ୍‌ଜି’ର ସମର୍ଥକମାନେ ଦାବି କରନ୍ତି ଯେ ଏହାର ପାଳନ ଉଭୟ ଉଦ୍ୟୋଗ ଓ ନିବେଶକମାନଙ୍କ ପାଇଁ ପାରମ୍ପରିକ ଆଚରଣ ଅପେକ୍ଷା ଅଧିକ ଲାଭପ୍ରଦ ହେବ- ଉତ୍ତମ ଆଚରଣ ଅଧିକ ଲାଭପ୍ରଦ ହେବ। ସାଧାରଣ ଜ୍ଞାନ କହେ ଯେ ଏହା ସମ୍ଭବ ନୁହେଁ- ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଅଧିକ ଖର୍ଚ୍ଚ କଲେ କମ୍ପାନିର ଲାଭ ହ୍ରାସ ପାଇବ; କର୍ମଚାରୀଙ୍କ ଦରମା ବୃଦ୍ଧି କଲେ ଲାଭରେ ହ୍ରାସ ଘଟିବ…। ‘ଇଏସ୍‌ଜି’ ପାଳନ କରିବା ତେଣୁ ସମ୍ପୃକ୍ତ କମ୍ପାନି ପାଇଁ ବ୍ୟୟ ସାପେକ୍ଷ ହେବ, ଅର୍ଥାତ୍‌ କମ୍ପାନିର ଆୟ ସଂକୁଚିତ ହେବ।

ତୃତୀୟ, ‘ଇଏସ୍‌ଜି’ ବ୍ୟବହାର କରୁଥିବା ସଂଖ୍ୟାଗତ ମୂଲ୍ୟାୟନ ପଦ୍ଧତିରେ ଘୋର ତାରତମ୍ୟ ଥିବା ଦେଖାଯାଉଛି। ତେଣୁ ଏହା ଆଧାରରେ ନିବେଶ ନିଷ୍ପତ୍ତି ନେବା ବିଭ୍ରାନ୍ତିକର ହେବାର ଦୃଢ଼ ସମ୍ଭାବନା ରହିଛି। ଯଦି ଏ ସମସ୍ତ ଦୁର୍ବଳତା ସତ୍ତ୍ବେ ‘ଇଏସ୍‌ଜି’ ଏକ ସାଧାରଣ ଆଚରଣ ବିଧିରେ ପରିଣତ ହୁଏ, ତେବେ‌ ବେନ୍ଥାମ୍‌ଙ୍କ କାଲ୍‌କୁଲସ୍‌ ଭଳି ତାହାର ଅନୁପାଳନ ମୁଖ୍ୟତଃ କାଗଜପତ୍ରରେ ସୀମିତ ହେବ ସିନା ବାସ୍ତବ ଫଳ ମିଳିବା ବିରଳ ହେବ। ବାସ୍ତବ ଫଳ ମିଳିବାର ଯାହା ହେଉଛି ନିଶ୍ଚିତ ଉପାୟ, ତାହା ହେଉଛି ସରକାରୀ ନିୟନ୍ତ୍ରଣ ଓ ଜନ ସଚେତନତା। କେବଳ ତିନିଟି ଅକ୍ଷର ଦ୍ବାରା ବାରଶ’ ବଢ଼େଇଙ୍କର କୁଳରକ୍ଷା ହୋଇପାରିବ ନାହିଁ।

ସମ୍ବନ୍ଧିତ ଖବର