ଆଧୁନିକ ପାଶ୍ଚାତ୍ୟ ଦର୍ଶନଶାସ୍ତ୍ରର ଜନକ ରୂପେ ସ୍ବୀକୃତ ସପ୍ତଦଶ ଶତାବ୍ଦୀର ଫରାସୀ ଦାର୍ଶନିକ ରେନେ ଡେକାର୍ଟ୍ ତାଙ୍କର ଯେଉଁ ଦ୍ବୈତବାଦ ପାଇଁ ପ୍ରସିଦ୍ଧ, ତାହା ଅନୁସାରେ ଏ ଜଗତ୍ ଯେ କେବଳ ଦୁଇଟି ସମ୍ପୂର୍ଣ୍ଣ ପୃଥକ ଶ୍ରେଣୀର, ପରସ୍ପର ବିରୋଧୀ ପଦାର୍ଥମାନଙ୍କରେ ବିଭକ୍ତ, ତାହା ନୁହେଁ, ସେଇ ମନସ୍ତାତ୍ତ୍ବିକ-ଦୈହିକ ବିଭାଜନ ମଧ୍ୟ ବ୍ୟକ୍ତି ଭାବରେ ପ୍ରତ୍ୟେକ ମନୁଷ୍ୟ ପ୍ରତି ପ୍ରଯୁଜ୍ୟ। ବ୍ୟକ୍ତିର ଏହି ଦୁଇ ଅଂଶ ହେଉଛି: ଶରୀର (ବଡି) ଓ ମନ (ମାଇଣ୍ଡ୍)। ସ୍ଥୂଳ ଶରୀର ରକ୍ତ ମାଂସ ଅସ୍ଥି ଆଦିରେ ଗଢ଼ା ଏବଂ ଚିନ୍ତାଶକ୍ତି, ବୃଦ୍ଧି ଆଦି ବହନ କରୁଥିବା ମନ ହେଉଛି ଡେକାର୍ଟ୍ଙ୍କ ଅନୁସାରେ ଅଶରୀରୀ। ଡେକାର୍ଟ୍ଙ୍କ ମତରେ ଏ ଦୁଇ ଅଂଶ ହେଉଛନ୍ତି ସ୍ବାଧୀନ: ଶରୀର ଜଡ଼ ବିଜ୍ଞାନର ନିୟମମାନ ଦ୍ବାରା ନିୟନ୍ତ୍ରିତ ହେଉଥିବା ବେଳେ, ମନ ବା ଆତ୍ମାର ନିୟନ୍ତ୍ରକ ହେଉଛନ୍ତି ଈଶ୍ବର, ଯାହାଙ୍କର ପୃଥିବୀରେ ପ୍ରତିନିଧି ହେଉଛି ଚର୍ଚ୍ଚ।
ସେ ସମୟରେ ନୂତନ ଭାବରେ ଆବିର୍ଭୂତ ହେଉଥିବା ଆଧୁନିକ ବିଜ୍ଞାନ ଓ ବଦ୍ଧମୂଳ ଧାରଣାମାନଙ୍କର ପୃଷ୍ଠପୋଷକ ଭୂମିକା ନିର୍ବାହ କରୁଥିବା ଚର୍ଚ୍ଚ୍ ମଧ୍ୟରେ ଯେଉଁ ଭୟଙ୍କର ସଂଘାତ ସୃଷ୍ଟି ହେଉଥିଲା, ସେଥିରୁ ନିରାପଦ ରହିବା ପାଇଁ (ସୂର୍ଯ୍ୟ ହେଉଛନ୍ତି ମାତ୍ର ଏକ ‘ତାରା’ ବୋଲି କହିବା ଅପରାଧରେ ଜିଓର୍ଡାନୋ ବ୍ରୁନୋଙ୍କୁ ୧୬୦୦ ସାଲ୍ରେ ଚର୍ଚ୍ଚ୍ ନିର୍ଦ୍ଦେଶରେ ରୋମ୍ରେ ଜିଅନ୍ତା ଜଳାଇ ଦିଆ ଯାଇଥିଲା) ଡେକାର୍ଟ୍ ଏହି ବିଭାଜନ କୌଶଳ ଅବଲମ୍ବନ କରିଥିଲେ ବୋଲି ବିଶ୍ବାସ କରାଯାଇଥାଏ। କିନ୍ତୁ ଡେକାର୍ଟ୍ ନିଜେ ଏହି କୃତ୍ରିମ ବିଭାଜନକୁ ସମ୍ପୂର୍ଣ୍ଣ ରୂପେ ଗ୍ରହଣ କରିପାରୁନଥିଲେ, କାରଣ ଶରୀର ଓ ମନ ମଧ୍ୟରେ ଥିବା ପାରସ୍ପରିକ ସମ୍ପର୍କର ଅେନକ ଅକାଟ୍ୟ ପ୍ରମାଣମାନ ତାଙ୍କୁ ଅବିଦିତ ନ ଥିଲା। ସେ ତେଣୁ ଏକ ସାଲିସ୍ ସୂତ୍ର ବାହାର କରିଥିଲେ ଯେ ମନୁଷ୍ୟର ମସ୍ତିଷ୍କରେ ଥିବା ‘ପିନିଆଲ୍’ ଗ୍ରନ୍ଥି ହେଉଛି ଆତ୍ମାର ବା ମନର ଆସ୍ଥାନ ସ୍ଥଳୀ, ଯେଉଁଠି ଶରୀର ଓ ମନ ମଧ୍ୟରେ ସମ୍ପର୍କ ସ୍ଥାପିତ ହୋଇଥାଏ, ସୂଚନାର ଆଦାନ ପ୍ରଦାନ ଘଟିଥାଏ ଓ କ୍ରିୟାପ୍ରତିକ୍ରିୟା ସଂଘଟିତ ହୋଇଥାଏ।
କହିବା ବାହୁଲ୍ୟ, ଶରୀର ଓ ମନ ମଧ୍ୟରେ ସମ୍ପର୍କ ରହିଛି ବୋଲି ସ୍ବୀକାର କରିବା ପାଇଁ ଏହା ଥିଲା ଡେକାର୍ଟ୍ ଅବଲମ୍ବନ କରିଥିବା ଏକ ଅତ୍ୟନ୍ତ ଦୁର୍ବଳ କୌଶଳ- ‘ପିନିଆଲ୍’ ଗ୍ରନ୍ଥିକୁ ଏକ କେପାଳକଳ୍ପିତ ଭୂମିକା ପ୍ରଦାନ। ନିକଟ ଅତୀତରେ ପୃଥିବୀରେ ମାନବଜାତି କିନ୍ତୁ ଏଭଳି ଏକ ଅନୁଭୂତି ଦେଇ ଗତି କରିଛି, ଯାହା ଶରୀର ଓ ମନ ମଧ୍ୟରେ ଥିବା ସମ୍ପର୍କକୁ ଏପରି ଦୃଢ଼ ଭାବରେ ପ୍ରତିପାଦିତ କରିଛି, ଯାହା ଡେକାର୍ଟ୍ଙ୍କର ‘ପିନିଆଲ୍’ ଗ୍ରନ୍ଥି-ସମାଧାନ ଠାରୁ ବହୁ ଅଧିକ ବାସ୍ତବ ଓ ଯାହା ତାଙ୍କର ଦ୍ବୈତ ପରିକଳ୍ପନାକୁ ଅଦ୍ବୈତରେ ପରିଣତ କରି ଦେବାର ସମ୍ଭାବନା ବହନ କରିଥାଏ। ଅନୁଭୂତିଟି ଅବଶ୍ୟ ହେଉଛି ଅତ୍ୟନ୍ତ ବେଦନା ଦାୟକ- ବିଗତ ଦୁଇ ବର୍ଷରୁ ଅଧିକ କାଳ ଧରି ସାରା ପୃଥିବୀର ମାନବ ସମାଜକୁ ଆକ୍ରାନ୍ତ କରିଥିବା ଚୀନା କରୋନା ଜନିତ ପାଣ୍ଡେମିକ୍ କୋଭିଡ୍-୧୯।
ତୁହାକୁ ତୁହା ମାଡ଼ି ଆସିଥିବା ଏହି ଭୂତାଣୁ ଜନିତ ବ୍ୟାଧି ମନୁଷ୍ୟର ଶରୀର ଉପରେ ଯେଉଁ ଅତ୍ୟାଚାର ଚଳାଇଛି, ନିୟୁତ ନିୟୁତ ଲୋକଙ୍କ ପାଇଁ ତାହାର ଅନ୍ତିମ ପରିଣତି ମୃତ୍ୟୁ ହୋଇଥିବା ବେଳେ ଅନେକଙ୍କର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ପୂର୍ବର କାର୍ଯ୍ୟକ୍ଷମତା ହରାଇ ବସିଛନ୍ତି। ‘ଲଙ୍ଗ୍ କୋଭିଡ୍’ ନାମରେ କୋଭିଡ୍ର ଦୀର୍ଘ କାଳୀନ ପ୍ରଭାବରୁ ଅନେକ ଆକ୍ରାନ୍ତ ଦୀର୍ଘ ଦିନ ପରେ ମଧ୍ୟ ମୁକ୍ତ ହୋଇପାରୁନାହାନ୍ତି। ମନୁଷ୍ୟ ଉପରେ କୋଭିଡ୍ର ଏହି ପ୍ରଭାବ କିନ୍ତୁ ତା’ର ଡେକାର୍ଟ୍ ବର୍ଣ୍ଣିତ ସ୍ଥୂଳ ଶରୀର ମଧ୍ୟରେ ସୀମିତ ନୁହେଁ। ଡେକାର୍ଟ୍ଙ୍କ ବିଭାଜକ ଅତିକ୍ରମ କରି ମନୁଷ୍ୟକୁ ଏକ ଅଦ୍ବୈତ ସତ୍ତାରେ ପରିଣତ କରି କୋଭିଡ୍ ତା’ର ବୌଦ୍ଧିକ ଇଲାକାରେ ମଧ୍ୟ ଯେଉଁଭଳି ବିପର୍ଯ୍ୟୟ ସୃଷ୍ଟି କରିଛି, ତାହା କୋଭିଡ୍ ଘଟାଇଥିବା ଶାରୀରିକ କ୍ଷତି ଠାରୁ ମଧ୍ୟ ଆହୁରି ଭୟଙ୍କର ହୋଇପାରେ।
ସେଇ ଡେକାର୍ଟ୍ଙ୍କ ଅନୁସାରେ ମନୁଷ୍ୟ ହେଉଛି ଏକମାତ୍ର ବୁଦ୍ଧିମାନ୍ ପ୍ରାଣୀ, ଯାହାର ଚିନ୍ତା କରିବାର କ୍ଷମତା ଥାଏ। ଏଥିରେ କେହି ଦ୍ବିମତ ହେବେ ନାହିଁ ଯେ ଡେକାର୍ଟ୍ଙ୍କ ସମୟ ଠାରୁ ବର୍ତ୍ତମାନ ସମୟ ମଧ୍ୟରେ ଯେଉଁ ପ୍ରାୟ ଚାରି ଶହ ବର୍ଷ ବିତିଯାଇଛି, ତା’ ମଧ୍ୟରେ ମନୁଷ୍ୟର ବୁଦ୍ଧି ଓ ଜ୍ଞାନରେ ଅକଳ୍ପନୀୟ ଉନ୍ନତି ଘଟି ଚାଲିଛି। ଏହି ଉନ୍ନତିର ଏକମାତ୍ର ଆଧାର ହେଉଛି ଶିକ୍ଷା ଓ ନିର୍ଦ୍ଦିଷ୍ଟ ଭାବରେ ଆନୁଷ୍ଠାନିକ ଶିକ୍ଷା। ସ୍ବିସ୍ ମନସ୍ତତ୍ତ୍ବବିତ୍ ଜାଁ ପିଆଜେ ପ୍ରମାଣ କରିଥିଲେ ଯେ ଜଣେ ପିଲାର ବୌଦ୍ଧିକ କ୍ଷମତା ଅନ୍ତର୍ନିହିତ ନୁହେଁ, ତା’ର ଶୈଶବର ବିଭିନ୍ନ ସ୍ତରରେ ସେ ତାହା ଶିକ୍ଷା କରିଥାଏ।
ଏଥିରେ ସନ୍ଦେହ ନାହିଁ ଯେ ଜ୍ଞାନ ଭଣ୍ଡାରରେ ନିରନ୍ତର ଘଟୁଥିବା ବୃଦ୍ଧି ପିଢ଼ି ପରେ ପିଢ଼ି ହସ୍ତାନ୍ତରିତ ହୋଇ ଚାଲିଥାଏ। ମୁଖ୍ୟତଃ ବିଦ୍ୟାଳୟ ହେଉଛି ଏହି ହସ୍ତାନ୍ତର ସ୍ଥଳୀ। କୋଭିଡ୍ ସମୟରେ ବିଦ୍ୟାଳୟମାନ ବନ୍ଦ ହୋଇ ଏହି ପ୍ରକ୍ରିୟା କିପରି ବନ୍ଦ ହୋଇଯାଇଥିଲା, ତାହା ଆମେ ସମସ୍ତେ ଅଙ୍ଗେ ନିଭାଇଛୁ। ପ୍ରତ୍ୟକ୍ଷ ଶିକ୍ଷାଦାନ ପରିବର୍ତ୍ତେ ଯେଉଁ ଅନ୍ଲାଇନ୍ ଶିକ୍ଷାଦାନ ଉଦ୍ୟମ କରାଗଲା, ତାହା ବିଭିନ୍ନ କାରଣରୁ ଆଦୌ ଫଳପ୍ରଦ ହୋଇନାହିଁ, ଏହା ଜଣାଶୁଣା। ପିଲାମାନଙ୍କର ପିତାମାତା, ମୁରବିମାନଙ୍କ ଠାରୁ ଆରମ୍ଭ କରି ଶିକ୍ଷକ ଓ ବୃହତ୍ତର ସମାଜ ପର୍ଯ୍ୟନ୍ତ ଆଶଙ୍କା କରୁଛନ୍ତି ଯେ ଅଳ୍ପ ସଂଖ୍ୟକ ଅତୀବ ମେଧାବୀ ଛାତ୍ରଛାତ୍ରୀମାନେ ହୁଏତ ଅନ୍ଲାଇନ୍ ଶିକ୍ଷା ଓ ନିଜସ୍ବ ଉଦ୍ୟମ ବଳରେ ନିଜର ଜ୍ଞାନ ଆହରଣ ଅକ୍ଷୁଣ୍ଣ ରଖି ପାରିଥିବେ, କିନ୍ତୁ ଅଧିକାଂଶ ପିଲାମାନଙ୍କର ଶିକ୍ଷାଲାଭରେ ଘୋର ଅବନତି ଘଟିଥିବା ନିଶ୍ଚିତ।
ଭାରତରେ ଏପର୍ଯ୍ୟନ୍ତ ଏହାର କୌଣସି ନିର୍ଭରଯୋଗ୍ୟ ସର୍ବେକ୍ଷଣ କରାଯାଇନାହିଁ। କିନ୍ତୁ ଏଭଳି ଆଶଙ୍କା ଯେ ଅମୂଳକ ନୁହେଁ, ତାହାର ଏକ ନିଶ୍ଚିତ ପ୍ରମାଣ ମିଳିଥାଏ ଆମେରିକାରେ ଜାତୀୟ ସ୍ତରରେ କରାଯାଇଥିବା ଏକ ପରୀକ୍ଷାର ଫଳାଫଳରୁ। ଏଥିରେ ୯ ବର୍ଷ ବୟସର ପିଲାମାନଙ୍କ ପାଇଁ ପଠନ ଓ ଗଣିତରେ ବ୍ୟୁତ୍ପତ୍ତି ପରୀକ୍ଷା କରାଯାଇଥିଲା। ସୂଚାଇବା ଅନାବଶ୍ୟକ, ଶିଶୁର ଦୀର୍ଘ କାଳୀନ ବୌଦ୍ଧିକ ବିକାଶରେ ଏ ଦୁଇଟିରେ ଦକ୍ଷତା ମୌଳିକ ଗୁରୁତ୍ବ ବହନ କରିଥାନ୍ତି। ପରୀକ୍ଷାରୁ ଯେଉଁ ଫଳ ମିଳିଲା, ସେଥିରୁ ଯାହା ସାବ୍ୟସ୍ତ ହୋଇଛି, ତାହା ହେଲା, ବିଗତ ଦୁଇ ଦଶନ୍ଧି ଧରି ପଠନ ଓ ଗଣିତରେ ଛାତ୍ରଛାତ୍ରୀମାନଙ୍କର ପ୍ରଦର୍ଶନରେ ଯେଉଁ ଉନ୍ନତି ଘଟି ଚାଲିଥିଲା, ଦୁଇ ବର୍ଷର କୋଭିଡ୍ ପାଣ୍ଡେମିକ୍ ତାହାକୁ ପୂରା ପୋଛି ଦେଇଛି। ଅର୍ଥାତ୍, ବର୍ତ୍ତମାନ ପଠନ ଓ ଗଣିତରେ ପିଲାମାନେ ପ୍ରଦର୍ଶନ କରିଥିବା ସେମାନଙ୍କର ଦକ୍ଷତା ୨୦ ବର୍ଷ ତଳେ ସେଇ ୯ ବର୍ଷ ବୟସର ପିଲାମାନେ ପ୍ରଦର୍ଶନ କରିଥିବା ଦକ୍ଷତା ସ୍ତରକୁ ଫେରିଯାଇଛି। ଏହାର ଯଦି ସଂଶୋଧନ କରାନଯାଏ ତେବେ ଦେଶର ଜନଶକ୍ତିରେ ଏକ ମୂର୍ଖ ପିଢ଼ି ପ୍ରବେଶ କରିବା ନିଶ୍ଚିତ।
ବ୍ୟକ୍ତିଗତ ପ୍ରଶିକ୍ଷଣ, ସମ୍ପ୍ରସାରିତ ବିଦ୍ୟାଳୟ ସମୟ, ଗ୍ରୀଷ୍ମ ଶିକ୍ଷା ଶିବିର ଆୟୋଜନ ଆଦି ମାଧ୍ୟମରେ ପିଲାମାନଙ୍କର ଏହି କ୍ଷତି ଭରଣା କରିବା ପାଇଁ ସେଠାରେ ଯୋଜନା କରାଯାଉଛି। ଆମେରିକା ସରକାର ଏଥିପାଇଁ ୧୨୨ ବିଲିଅନ୍ ଡଲାର୍ର ଏକ ବିଶାଳ ବ୍ୟୟ ବରାଦ ମଧ୍ୟ କରିଛନ୍ତି। ଏକ ମେଧା ଭଣ୍ଡାର ରୂପେ ଆନ୍ତର୍ଜାତିକ ପରିଚିତି ଲାଭ କରିବାକୁ ଆରମ୍ଭ କରିଥିବା ଭାରତରେ ଅବିଳମ୍ବେ ଅନୁରୂପ ପଦକ୍ଷେପର ଯେ ଆବଶ୍ୟକତା ରହିଛି, ତାହା ହୃଦୟଙ୍ଗମ କରି ଏଠାରେ ମଧ୍ୟ ଉଭୟ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନମାନଙ୍କରେ ସେ ଦିଗରେ ଉଦ୍ୟମ ଆରମ୍ଭ ହୋଇଯିବା ଜରୁରୀ। କେବଳ ଶରୀରକୁ ସୁରକ୍ଷିତ ରଖିବା ପାଇଁ ଉଦ୍ଦିଷ୍ଟ ଟିକାକରଣ ଭଳି ଅଭିଯାନ ଦ୍ବାରା କୋଭିଡ୍ର ଅଦ୍ବୈତ ଆଘାତରୁ ମୁକ୍ତି ମିଳିପାରିବ ନାହିଁ।