ଅଯୋଗ୍ୟ ଶିକ୍ଷାନବିସ!

ପ୍ରସିଦ୍ଧ ଲେଖକ ଆଲଡସ ହକ୍‌ସଲି କହିଥିଲେ: ଇତିହାସ ନିଜେ ସାକ୍ଷୀ ଯେ ତହିଁରୁ କେହି କୌଣସି ଶିକ୍ଷା ଲାଭ କରି ନ ଥାଆନ୍ତି। ତାହା ହୋଇ ନ ଥିଲେ ଐତିହାସିକ ଭୁଲ୍‌ଗୁଡ଼ିକର ପୁନରାବୃତ୍ତିମାନ ଚକ୍ରାକାରରେ ବାରମ୍ବାର ଘଟି ଚାଲନ୍ତା ନାହିଁ। ସେହି ଦୃଷ୍ଟିରୁ ଯୁକ୍ତରାଷ୍ଟ୍ର ଆମେରିକା ଦ୍ବାରା ପାକିସ୍ତାନ ପ୍ରତି ସହସା ଓ ସଦ୍ୟ ପ୍ରଦର୍ଶିତ କୋମଳ ମନୋଭାବରେ ହକ୍‌ସଲି ତାଙ୍କ ବକ୍ତବ୍ୟରେ ଇଙ୍ଗିତ କରିଥିବା ଦୂରଦୃଷ୍ଟିହୀନତା ବା ବିବେଚନାବୋଧର ଅଭାବକୁ ଦେଖିହୁଏ ଏବଂ ମନେ ହୁଏ ସତେ ଯେମିତି ଆମେରିକା ଇତିହାସର ଅଯୋଗ୍ୟ ଶିକ୍ଷାନବିସରେ ପରିଣତ ହୋଇଛି।

ତେବେ ଘଟଣାଟି ହେଲା, ପାକିସ୍ତାନ ବିମାନ ବାହିନୀରେ ଅନ୍ତର୍ଭୁକ୍ତ ଏଫ୍‌-୧୬ ଲଢୁଆ ବିମାନଗୁଡ଼ିକର ଆଧୁନିକୀକରଣ ସକାଶେ ଯୁକ୍ତରାଷ୍ଟ୍ର ଆମେରିକା ଦ୍ବାରା ୪୫୦ ନିୟୁତ ଡଲାର ବ୍ୟୟ ଓ ସହଯୋଗର ପ୍ରତିଶ୍ରୁତି। କିଛି ବର୍ଷ ହେଲାଣି ଅନେକ ଘଟଣାକ୍ରମରୁ ପ୍ରତୀତ ହେବାକୁ ଲାଗିଥିଲା ସତେ ଯେମିତି ପାକିସ୍ତାନ ଆମେରିକାର ଶୁଭ ଦୃଷ୍ଟିରୁ ସବୁ ଦିନ ଲାଗି ଅନ୍ତର ହେବାକୁ ବସିଛି। ସେହି କ୍ରମରେ ଦକ୍ଷିଣ-ଏସିଆ ଅଞ୍ଚଳରେ ଭାରତ ଆମେରିକାର ସର୍ବାଧିକ ଗୁରୁତ୍ବପୂର୍ଣ୍ଣ ରଣନୈତିକ ସହଯୋଗୀ ଭାବେ ଉଭା ହୋଇଛି। ସୁତରାଂ, ପାକିସ୍ତାନ ପ୍ରତି ଆମେରିକା ଦ୍ବାରା ହଠାତ୍‌ ଏକ ଅନୁକୂଳ ମନୋଭାବ ପ୍ରଦର୍ଶନ ଭାରତ ଲାଗି ଚିନ୍ତାର କାରଣ ହୋଇପଡ଼ିବା ସ୍ବାଭାବିକ। ତେବେ, ଏହି ପରିପ୍ରେକ୍ଷୀରେ ଆମେରିକା ପକ୍ଷରୁ ପ୍ରଦତ୍ତ ସଫେଇରେ ଶୁଣିବାକୁ ମିଳିଥାଏ ଯେ ପାକିସ୍ତାନର ଅନୁରୋଧ କାରଣରୁ ଏଭଳି ଆଧୁନିକୀକରଣ କରାଯାଉଛି ସିନା, ଏହା ଦ୍ବାରା ବିମାନଗୁଡ଼ିକ କୌଣସି ଅତିରିକ୍ତ ଅସ୍ତ୍ରଶସ୍ତ୍ର ବା ସାମର୍ଥ୍ୟ ଦ୍ବାରା ସ˚ଯୋଜିତ ହେବେ ନାହିଁ ବା ଏହା ଦ୍ବାରା ଦକ୍ଷିଣ ଏସୀୟ ଅଞ୍ଚଳସ୍ଥ ସାମରିକ ଶକ୍ତିର ଭାରସାମ୍ୟରେ କୌଣସି ପରିବର୍ତ୍ତନ ଘଟିବ ନାହିଁ; ଅପର ପକ୍ଷରେ ଏହିି ପଦକ୍ଷେପ ଆତଙ୍କବାଦ ବିରୋଧରେ ପାକିସ୍ତାନର ସ˚ଗ୍ରାମକୁ ଅଧିକ ସମର୍ଥ କରିବା ସହିତ ପାକିସ୍ତାନର ପରମାଣୁ ଅସ୍ତ୍ର ଭଣ୍ତାର ଯେପରି ଭବିଷ୍ୟତ୍‌ରେ କଦାଚିତ୍‌ କୌଣସି ଆତଙ୍କବାଦୀ ସ˚ଗଠନର ଅକ୍ତିଆରକୁ ନ ଆସେ, ତାହା ନିଶ୍ଚିତ କରିବ।

ତେବେ କହିବା ଅନାବଶ୍ୟକ ଯେ ଏହା କେବଳ ଭାରତକୁ ସାନ୍ତ୍ବନା ପ୍ରଦାନ କରିବା ସକାଶେ ଆମେରିକାର ଏକ ନିରର୍ଥକ ଉଦ୍ୟମ। ଏଠାରେ ସ୍ମରଣ ଯୋଗ୍ୟ ଯେ ଏକଦା ଆମେରିକାର ସର୍ବାଧିକ ଘନିଷ୍ଠ ମିତ୍ର ରାଷ୍ଟ୍ର ରୂପେ ପରିଚିତ ପାକିସ୍ତାନ ଗଲା ଶତାବ୍ଦୀର ଅଷ୍ଟମ ଦଶକରେ ଆମେରିକା ଠାରୁ ଲାଭ କରିଥିବା ଅତ୍ୟାଧୁନିକ ଏଫ୍‌-୧୬ ଲଢୁଆ ବିମାନଗୁଡ଼ିକ ପ୍ରକୃତରେ ଆଫଗାନିସ୍ତାନ ଦଖଲକାରୀ ସୋଭିଏତ୍‌ ରୁଷିଆର ଆଧିପତ୍ୟକୁ କ୍ଷୁଣ୍ଣ କରିବା ଲାଗି ଉଦ୍ଦିଷ୍ଟ ଥିଲେ। ‘ଓ୍ୱାର ଅନ ଦ ରକ୍‌ସ’ ନାମକ ଏକ ପ୍ରତିଷ୍ଠିତ ସାମରିକ ୱେବ୍‌ସାଇଟ୍‌ରୁ ଜଣାପଡ଼ିଥାଏ ଯେ ୧୯୮୬ରୁ ୧୯୯୦ ମସିହା ମଧ୍ୟରେ ପାକିସ୍ତାନ ପକ୍ଷରୁ ହୋଇଥିବା ଏଫ୍‌-୧୬ ବିମାନ ଆକ୍ରମଣ ଜରିଆରେ ଅତି କମ୍‌ରେ ୧୦ଟି ସୋଭିଏତ୍‌ ବିମାନକୁ ଧ୍ବଂସ କରିଦିଆଯାଇଥିଲା। କିନ୍ତୁ, ଏହା ମଧ୍ୟ ସର୍ବଜନବିଦିତ ଯେ ସେହି ସମୟରେ ତାଲିବାନ ଗୋଷ୍ଠୀର ସୃଷ୍ଟି ଏବ˚ ସେମାନଙ୍କୁ ଅସ୍ତ୍ର ସଜ୍ଜିତ କରିବାରେ ପାକିସ୍ତାନକୁ ସମର୍ଥ କରିଥିଲା ଯୁକ୍ତରାଷ୍ଟ୍ର ଆମେରିକାର ଅର୍ଥ ଓ ଅସ୍ତ୍ରଶସ୍ତ୍ର ଯୋଗାଣ। କିନ୍ତୁ ଯେତେବେଳେ ଆମେରିକା ପ୍ରଦତ୍ତ ବିପୁଳ ଅର୍ଥରାଶି ଗୋପନୀୟ ଭାବେ ପାକିସ୍ତାନର ଆଣବିକ ବୋମା ବିକାଶରେ ବ୍ୟୟିତ ହେଲା ଏବ˚ ତାଲିବାନ ସର୍ଜନାର ଅନ୍ତରାଳରେ ସନ୍ତର୍ପଣରେ ଅଲ୍‌ କାଏଦା ଭଳି ଆନ୍ତର୍ଜାତିକ ଆତଙ୍କବାଦୀ ସ˚ଗଠନ ପାକିସ୍ତାନ ଭୂମିରେ ଶାଖା ବିିସ୍ତାର କରିବା ସହିତ ସେହି ଠାରୁ କତିପୟ ପାକିସ୍ତାନୀ ଆତଙ୍କବାଦୀ ପ୍ରେରଣ କରି ସେମାନଙ୍କ ଦ୍ବାରା ଯୁକ୍ତରାଷ୍ଟ୍ର ଆମେରିକା ଉପରେ ପୃଥିବୀର ସର୍ବାଧିକ ଭୟାବହ ଆତଙ୍କବାଦୀ ତାଣ୍ତବ ରଚନା କଲା, ସେତେବେଳେ ଯାଇ ଆମେରିକା ସମେତ ଅବଶିଷ୍ଟ ପୃଥିବୀର ତନ୍ଦ୍ରା ଭଙ୍ଗ ହୋଇଥିଲା। ଆତଙ୍କବାଦ ସହିତ ପାକିସ୍ତାନ ସେନାବାହିନୀ ଏବ˚ ଗୁଇନ୍ଦା ବିଭାଗର ସେହି ଅନ୍ତରଙ୍ଗତା ଯେ ଏ ଯାବତ୍‌ ଅକ୍ଷୁଣ୍ଣ ରହି ଆସିଛି, ତାହାର ଅନେକ ପ୍ରମାଣ ବାରମ୍ବାର ମିଳି ଆସିଛି; ଯହିଁରୁ ପାକିସ୍ତାନର ଅବୋଟାବାଦରେ ଅଲ୍‌ କାଏଦା ମୁଖ୍ୟ ଓସାମା ବିନ ଲାଦେନର ନିର୍ଭୟ ଆଶ୍ରୟ ଠାରୁ ଆରମ୍ଭ କରି ଆଫଗାନିସ୍ତାନ ଦଖଲକାରୀ ତାଲିବାନ ଆକ୍ରମଣ ପଛରେ ପାକିସ୍ତାନର ପ୍ରତ୍ୟକ୍ଷ ଭୂମିକା ପର୍ଯ୍ୟନ୍ତ ଅନେକ ଉଦାହରଣରେ ସ୍ପଷ୍ଟ।

ପ୍ରକାଶ ଥାଉ କି ୨୦୧୮ ମସିହାରେ ଡୋନାଲଡ୍‌ ଟ୍ର˚ପ୍‌ଙ୍କ ଦ୍ବାରା ପ୍ରଦର୍ଶିତ ପାକିସ୍ତାନ ବର୍ଜନ ମନୋଭାବ ପରବର୍ତ୍ତୀ ରାଷ୍ଟ୍ରପତି ଜୋ ବାଇଡେନ୍‌ ମଧ୍ୟ ଅବ୍ୟାହତ ରଖିଥିଲେ, ଯାହାର ପ୍ରମାଣ ସ୍ବରୂପ ଦେଖିବାକୁ ମିଳିଥିଲା ଯେ ରାଷ୍ଟ୍ରପତି ଭାବେ କ୍ଷମତାସୀନ ହେବା ପରେ ବାଇଡେନ୍‌ ପାକିସ୍ତାନର ତତ୍କାଳୀନ ପ୍ରଧାନମନ୍ତ୍ରୀ ଇମରାନ ଖାଁଙ୍କ ସହିତ ପାର˚ପରିକ ଔପଚାରିକ ସମ୍ଭାଷଣ ମଧ୍ୟ କରି ନ ଥିଲେ। ଏହା ମଧ୍ୟ ସତ ଯେ ଏଣେ ଇମରାନ ଖାଁ ନୂତନ ବନ୍ଧୁ ଭାବେ ଚୀନ ପ୍ରତି ଅନୁରକ୍ତି ପ୍ରକାଶ କରି ପାକିସ୍ତାନକୁ ଆମେରିକା ଠାରୁ ଆହୁରି ଦୂରବର୍ତ୍ତୀ କରି ଦେଇଥିଲେ। ଏହି ପରିପ୍ରେକ୍ଷୀରେ ପ୍ରଶ୍ନ ଉଠିଥାଏ ଯେ ଏମିତି ପୁଣି କ’ଣ ହେଲା ଯେ ଯୁକ୍ତରାଷ୍ଟ୍ର ଆମେରିକାର ବିଦେଶ ନୀତି ସ˚ପୂର୍ଣ୍ଣ ବିପରୀତ ଦିଗରେ ଗତି କରି ସହସା ପାକିସ୍ତାନ ଅନୁକୂଳ ହୋଇ ପଡ଼ିଲା?

ଏହା ପଛରେ ଅପାତତଃ ଦୁଇଟି କାରଣ ଦେଖି ହୋଇଥାଏ। ତହିଁରୁ ଗୋଟିଏ ହେଲା ଇମରାନ ଖାଁ କ୍ଷମତାଚ୍ୟୁତ ହେବା ପରେ ନୂତନ ପ୍ରଧାନମନ୍ତ୍ରୀ ଶେହବାଜ୍ ଖାଁ ଚୀନ ଠାରୁ ଦୂରେଇ ଏକ ଆମେରିକା ଅନୁକୂଳ ମନୋଭାବ ପୋଷଣ କରୁଥିବା ଦେଖିବାକୁ ମିଳିଛି। ସ˚ପ୍ରତି ପାକିସ୍ତାନ ଏକ ଅତ୍ୟନ୍ତ ଦୟନୀୟ ଆର୍ଥିକ ପରସ୍ଥିତି ମଧ୍ୟ ଦେଇ ଗତି କରୁଥିବା ବେଳେ ‘ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି’ର ଋଣ ଅତ୍ୟନ୍ତ ଜରୁରୀ ହୋଇ ପଡ଼ିଛି। ଏହି ପରିପ୍ରେକ୍ଷୀରେ ଏହି ଋଣ ପ୍ରାପ୍ତି ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ଲାଗି ପାକିସ୍ତାନ ସେନା ମୁଖ୍ୟ ଜେନେରାଲ କମର ଜାଭେଦ ବାଜୱା ଯୁକ୍ତରାଷ୍ଟ୍ର ଆମେରିକା ସରକାରଙ୍କ ହସ୍ତକ୍ଷେପ ଲୋଡ଼ି ଅନୁରୋଧ ଜଣାଇଛନ୍ତି। ସମ୍ଭବତଃ ଏହା ଆମେରିକା ଠାରେ ତାର ଏକଦା ପ୍ରିୟପାତ୍ର ପାକିସ୍ତାନ ପ୍ରତି ପୁରୁଣା ଅନୁରାଗକୁ ଜନ୍ମ ଦେଇଥିବ! କିନ୍ତୁ ଅନେକ ପର୍ଯ୍ୟବେକ୍ଷକ ଏହା ମଧ୍ୟ କହିଥାଆନ୍ତି ଯେ ନିଜର ସ୍ବାର୍ଥ ନ ଥାଇ କୌଣସି କାର୍ଯ୍ୟ କରୁ ନ ଥିବା ଆମେରିକା ସହସା ପାକିସ୍ତାନ ପ୍ରତି ଏକ କୋମଳ ଭାବ ପ୍ରଦର୍ଶନ କରିବା ପଛର ଏକ କାରଣ ହେଉଛି ଆଲ୍‌ କାଏଦାର ମୁଖ୍ୟ ଅଲ ଜୱାହିରିଙ୍କ ଆଫଗାନିସ୍ତାନସ୍ଥିତ ଗୁପ୍ତ ଠିକଣା ଜଣାଇବାରେ ପାକିସ୍ତାନର ସନ୍ଦେହାସ୍ପଦ ଭୂମିକା। ଗଲା ମେ ମାସରେ ପାକିସ୍ତାନ ଆଇଏସ୍‌ଆଇର ଡି.ଜି. ଜେନେରାଲ  ନଇମ ଅନଜୁମଙ୍କ ରହସ୍ୟମୟ ଆମେରିକା ଗସ୍ତ ଏବ˚ ତାର ମାତ୍ର ଅଳ୍ପ କିଛି ଦିନ ପରେ ଆମେରିକୀୟ ଡ୍ରୋନ୍‌ ଆକ୍ରମଣରେ ଜୱାହିରିର ହତ୍ୟା କେବଳ ମାତ୍ର ଏକ ସ˚ଯୋଗ ହୋଇ ନ ପାରେ! ସୁତରା˚, ପାକିସ୍ତାନର ଏଭଳି ସାହାଯ୍ୟ ଲାଗି ଏହା ଆମେରିକୀୟ ‘ସଉଦାବାଜି’ର ଏକ ଅ˚ଶ ବୋଲି ସେମାନେ କହିଥାଆନ୍ତି।

ନିକଟରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ୍ ଶରିଫ କହିବା ଶୁଣିବାକୁ ମିଳିଥିଲା ଯେ ଆର୍ଥିକ ଦୁଃସ୍ଥିତି କାରଣରୁ ପାକିସ୍ତାନ ଯେ ଶ୍ରୀଲଙ୍କା ଭଳି ଏକ ଅରାଜକ ରାଷ୍ଟ୍ରରେ ପରିଣତ ହେଉ, ତାହା ବିଶ୍ବ ସମୁଦାୟ ଆଦୌ ଚାହିଁବ ନାହିଁ; କାରଣ ପାକିସ୍ତାନ ପାଖରେ ବିପୁଳ ପରମାଣୁ ଶସ୍ତ୍ର ଭଣ୍ତାର ରହିଛି। ତାଙ୍କର ଏହି ବକ୍ତବ୍ୟରେ ଯେଉଁ ପ୍ରଚ୍ଛନ୍ନ ଧମକର ଆଭାସ ମିଳିଥାଏ, ତାହା ଆସିଥାଏ ଏକ ଅରାଜକ ପାକିସ୍ତାନର ଅର୍ଥ ନିରୂପଣରେ, ଯେଉଁଠି ଅରାଜକ ପାକିସ୍ତାନ ବୋଇଲେ ଆତଙ୍କବାଦୀଙ୍କ ଦ୍ବାରା ପରିଚାଳିତ ପାକିସ୍ତାନକୁ ବୁଝାଏ, ଯେଉଁମାନଙ୍କ ହାତରେ ପରମାଣୁ ଅସ୍ତ୍ର ଭଣ୍ତାର ଅବଲୀଳା କ୍ରମେ ସମଗ୍ର ପୃଥିବୀକୁ ଏକ ଧ୍ବ˚ସସ୍ତୂପରେ ପରିଣତ କରି ଦେବାର ଆଶଙ୍କା ବହନ କରିଥାଏ। ଏହା ମଧ୍ୟ ସତ ଯେ ପାକିସ୍ତାନରେ ତେହରିକେ ଇ ଲବ୍ବାକ୍‌ ଭଳି ଏକ ପ୍ରାୟ ଆତଙ୍କବାଦୀ ଗୋଷ୍ଠୀ ବିପୁଳ ଜନ ସମର୍ଥନ ସହିତ ଏକ ରାଜନୈତିକ ଦଳରେ ପରିଣତ ହେବାକୁ ଉଦ୍ୟତ। ଏଣେ ଇମରାନ ଖାଁଙ୍କ ‘ପାକିସ୍ତାନ ଦେହରିକ ଏ ଇନସାଫ’ ମଧ୍ୟ ଚରମ ମୌଲବାଦୀ ଆଭିମୁଖ୍ୟ ବହନକାରୀ ଆମେରିକା ବିରୋଧୀ ରାଜନୈତିକ ଦଳରେ ପରିଣତ ହୋଇଛି। ଏଭଳି ସ୍ଥଳେ ପାକିସ୍ତାନ ଭୂମି ଆତଙ୍କବାଦ ଲାଗି କ୍ରମେ ଅଧିକ ଉର୍ବର ହେବାର ସମ୍ଭାବନା ଅଧିକ। ସୁତରା˚, ପାକିସ୍ତାନ ସହିତ ଆମେରିକାର ସ˚ପର୍କ ଭବିଷ୍ୟତ୍‌ରେ ଦୀର୍ଘ କାଳ ଧରି ମଧୁର ରହିପାରିବାର ଆଶା ଅତ୍ୟନ୍ତ କ୍ଷୀଣ। ସେହି ପରିପ୍ରେକ୍ଷୀରେ ପାକିସ୍ତାନ ପ୍ରତି ଆମେରିକା ପ୍ରଦର୍ଶନ କରୁଥିବା କୋମଳ ମନୋଭାବ ଆଗକୁ ଜାରି ରହିବାର ଅର୍ଥ ଅତୀତର ଭୁଲକୁ ଦୋହରାଇବ‌ା ଏବଂ ପାକିସ୍ତାନ ଦ୍ବାରା ବିଶ୍ବାସଭଙ୍ଗର ସାମନା କରିବା। ତେଣୁ, ଯଦି ଚୈତନ୍ୟ ଉଦୟ ନ ହୁଏ, ତେବେ ଇତିହାସର ଅଯୋଗ୍ୟ ଶିକ୍ଷାନବିସ ଭାବେ ଆମେରିକା ନିଜକୁ ପ୍ରମାଣିତ କରିବ।

ସମ୍ବନ୍ଧିତ ଖବର