ଯୁଗର ଯାତ୍ରୀ
ଜଣେ ଗାନ୍ଧୀ ଏକ ଦୀର୍ଘ ପଦଯାତ୍ରା ଆରମ୍ଭ କରି ବର୍ତ୍ତମାନ ଭାରତୀୟ ସଡ଼କରେ ପଥିକ ସାଜିଥିବା ବେଳେ ‘ସମ୍ବାଦ’ର ୧୦ ତାରିଖ ସଂସ୍କରଣରେ ଗୌରାଙ୍ଗ ଚରଣ ପରିଡ଼ା ତାଙ୍କର ନିୟମିତ ସ୍ତମ୍ଭ ମାଧ୍ୟମରେ ଆଉ ଜଣେ ଗାନ୍ଧୀଙ୍କ ଦ୍ବାରା ଆରମ୍ଭ କରାଯାଇଥିବା ମୂଳ ପଦଯାତ୍ରା ଉପରେ କରିଥିବା ଆଲୋକପାତ ବିଗତ ପ୍ରାୟ ଏକ ଶତାବ୍ଦୀ ମଧ୍ୟରେ ପଦଯାତ୍ରାରେ ଘଟିଥିବା ବିବର୍ତ୍ତନ ହୃଦୟଙ୍ଗମ କରିବାରେ ଆମକୁ ସହାୟକ ହୋଇଥାଏ। ତେବେ ଆମେ ମୋହନ ଦାସ ଗାନ୍ଧୀଙ୍କର ପଦଯାତ୍ରା ଚିନ୍ତାଧାରା ପଛରେ ନିହିତ ଥିବା ପ୍ରେରଣା ଉପରେ ପ୍ରଥମେ ଦୃଷ୍ଟିପାତ କରିବା ବୋଧହୁଏ ସମୀଚୀନ ହେବ।
Sambad is now on WhatsApp
Join and get latest news updates delivered to you via WhatsApp
ସମେସ୍ତ ଜାଣନ୍ତି ଗାନ୍ଧୀ ଭାରତର ସ୍ବାଧୀନତା ଆନ୍ଦୋଳନରେ ଯେଉଁ ‘ସତ୍ୟାଗ୍ରହ’ ନାମକ ବ୍ରହ୍ମାସ୍ତ୍ର ପ୍ରୟୋଗ କରିଥିଲେ, ତାହା ସେ ଆହରଣ କରିଥିଲେ ତାଙ୍କ ପୂର୍ବ ପିଢ଼ିର ପ୍ରସିଦ୍ଧ ଆମେରିକୀୟ ପ୍ରକୃତିପ୍ରେମୀ ଚିନ୍ତାନାୟକ ଓ ଦାର୍ଶନିକ ହେନ୍ରି ଡେଭିଡ୍ ଥୋରୁଙ୍କ ଚିନ୍ତାଧାରା (ସିଭିଲ୍ ଡିସ୍ଓବିଡିଏନ୍ସ’)ରୁ। ଏହା ବୋଧହୁଏ ସେଇଭଳି ସର୍ବଜନବିଦିତ ନୁହେଁ ଯେ ସେଇ ଥୋରୁଙ୍କ ରଚନାରୁ ହିଁ ଗାନ୍ଧୀ ପଦଯାତ୍ରାର ଅପରିସୀମ ମହତ୍ତ୍ବ ସମ୍ବନ୍ଧରେ ଶିକ୍ଷାଲାଭ କରିଥିଲେ। ଥୋରୁ ତାଙ୍କର ଅନ୍ୟତମ ପ୍ରସିଦ୍ଧ ରଚନା ‘ୱାକିଙ୍ଗ୍’ (‘ପଦବ୍ରଜ’)ରେ ଲେଖିଥିଲେ ଯେ ପ୍ରତ୍ୟେକ ପଦଯାତ୍ରା ହେଉଛି ଏକ ‘‘ଧର୍ମ ଯୁଦ୍ଧ’’ ଭଳି… ‘‘ଆଗେଇ ଯାଇ ଏହି ପବିତ୍ର ଭୂମିକୁ ବିଧର୍ମୀମାନଙ୍କ ହାତରୁ ପୁନର୍ଜୟ କରିବା ପାଇଁ’’ ଆମ ଅନ୍ତରର ଏକ ଆହ୍ବାନ।
ନିଃସନ୍ଦେହରେ ମହାତ୍ମା ଗାନ୍ଧୀଙ୍କ ଦୃଷ୍ଟିରେ ଏହା ଭାରତ ଭୂମିକୁ ବ୍ରିଟିସ୍ ଦଖଲରୁ ମୁକ୍ତ କରିବାର ଏକ ନିଶ୍ଚିତ ଉପାୟ ଭଳି ଯଦି ମନେ ହୋଇଥିବ, ରାହୁଳ ଗାନ୍ଧୀଙ୍କ ପାଇଁ ଥୋରୁଙ୍କର ଏହି ଘୋଷଣା ଯେଉଁ ଆଶାର ଆଲୋକ ବହନ କରିଥାଏ, ତାହା ହେଲା, ମହାତ୍ମାଙ୍କ ପରି ପଦ ଚାଳନା କରି ସେ ସେଇ ଭାରତଭୂମିକୁ ଏବେ ବିଜେପି ଦଖଲରୁ ମୁକ୍ତ କରିପାରିବେ। ଥୋରୁ ପଦଯାତ୍ରାକୁ ଅଙ୍କାବଙ୍କା ହୋଇ ବହି ଯାଉଥିବା ଏକ ନଦୀ ସହିତ ତୁଳନା କରିଥିଲେ, ଯିଏ ସମୁଦ୍ରରେ ପହଞ୍ଚିବାର ସଂକ୍ଷିପ୍ତତମ ରାସ୍ତା ଆବିଷ୍କାର କରିବାରେ ସଫଳ ହୋଇଥାଏ। ପଦଯାତ୍ରା ସେଇଭଳି ଯାତ୍ରୀକୁ ତା’ର ଲକ୍ଷ୍ୟସ୍ଥଳରେ ସଂକ୍ଷିପ୍ତତମ ସମୟ ମଧ୍ୟରେ ପହଞ୍ଚିବାରେ ସହାୟକ ହୋଇଥାଏ।
ପଦଯାତ୍ରାକୁ ଥୋରୁ ପ୍ରଦାନ କରିଥିବା ଏଭଳି ଗୁରୁତ୍ବ ଯୋଗୁଁ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ପ୍ରାୟ ଛ’ନିୟୁତ ବର୍ଷ ତଳେ ମନୁଷ୍ୟ ଅର୍ଥାତ୍ ଆମର ପୂର୍ବ ପୁରୁଷମାନେ ମାଙ୍କଡ଼ ଭଳି ଉଭୟ ହାତେଗାଡ଼ ତଳେ ଲଗାଇ ଚାଲିବା ବନ୍ଦ କରି ସଳଖ ହୋଇ କେବଳ ଦୁଇ ଗୋଡ଼ରେ ଚାଲିବାକୁ ଆରମ୍ଭ କଲେ। ଏହା ମନୁଷ୍ୟର ହାତ ଦୁଇଟିକୁ ଅନ୍ୟ କାର୍ଯ୍ୟ କରିବା ପାଇଁ ସ୍ବାଧୀନ କରି ଦେଲା, ଯାହା ହିଁ ଆଜି ମନୁଷ୍ୟକୁ ସାରା ପୃଥିବୀର ଅଧୀଶ୍ବର କରି ଦେଇଛି। ଏହି ସ୍ବାଧୀନ ହାତ ବ୍ୟବହାର କରି ମନୁଷ୍ୟ ବିଭିନ୍ନ ଉପକରଣ, ଯନ୍ତ୍ରପାତିରୁ ଅସ୍ତ୍ରଶସ୍ତ୍ର ପର୍ଯ୍ୟନ୍ତ ନିର୍ମାଣ କରିପାରୁଛି; ଆଉଁଶି ପାରୁଛି, ଅଙ୍ଗୁଳି ନିର୍ଦ୍ଦେଶ କରିପାରୁଛି, ହାତ ଧରି ପାରୁଛି; ତାଳି ମାରି ପାରୁଛି; ବନ୍ଧୁକ ଚଳାଇ ପାରୁଛି…। ସେହିପରି, ଆମେ ଯେତେବେଳେ ହେନ୍ରିଙ୍କ ପରି କିମ୍ବା ମୋହନ ଦାସଙ୍କ ପରି କିମ୍ବା ରାହୁଳଙ୍କ ପରି ଗୋଡ଼ ଦୁଇଟି ଆଗକୁ ଆଗକୁ ପକାଇ ସ୍ବଚ୍ଛନ୍ଦରେ ଚାଲିବାକୁ ଆରମ୍ଭ କରୁ, ଆମ ମସ୍ତିଷ୍କ ସେତେବେଳେ ଚିନ୍ତା କରିବାକୁ ସ୍ବାଧୀନ ହୋଇଯାଏ। ଏହା ସତ ଯେ ସାମନାର ଭୂମି ଉପରେ- ଖାଲ, ଢିପ, ଉଠାଣି, ଗଡ଼ାଣି…- ଆମର ନଜର ଥାଏ ଏବଂ ଆମର ପାର୍ଶ୍ବ ଦୃଷ୍ଟି ସହାୟତାରେ ଆମ ଦୁଇ କଡ଼ର ଦୃଶ୍ୟ ସମ୍ବନ୍ଧରେ ଆମେ ଊଣା ଅଧିକେ ସଚେତନ ଥାଉ। କିନ୍ତୁ ଆମ ମସ୍ତିଷ୍କର ଚିନ୍ତା କରିବାର ଅନ୍ତର୍ନିହିତ କ୍ଷମତାର ଏକ କ୍ଷୁଦ୍ରାତିକ୍ଷୁଦ୍ର ଅଂଶ ଏ କାର୍ଯ୍ୟରେ ନିୟୋଜିତ ହୋଇଥାଏ, ବାକି ଅଂଶ ମୁକ୍ତ ଚିନ୍ତା କରିବା ପାଇଁ ଉପଲବ୍ଧ ଥାଏ।
ଏଥିରେ ତେଣୁ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ଯେ କେବଳ ଥୋରୁ (ସେ ପ୍ରତିଦିନ ଅନ୍ତତଃ ଚାରି ଘଣ୍ଟା କାଳ ଚାଲିବାରେ ବିତାଉଥିଲେ) ନୁହଁନ୍ତି, ଇତିହାସ ସାରା ପ୍ରଖ୍ୟାତ ଦାର୍ଶନିକମାନଙ୍କ ମଧ୍ୟରୁ ଅନେକ ଚାଲିବା ପାଇଁ ପ୍ରସିଦ୍ଧି ଅର୍ଜନ କରିଛନ୍ତି। ସେକ୍ରଟିସ୍ କିପରି ‘ଆଗୋରା’ରେ ଚାଲି ଚାଲି ଏଥେନ୍ସର ନାଗରିକମାନଙ୍କୁ ଧରି ପ୍ରେଶ୍ନାତ୍ତରରେ ଛନ୍ଦି ଦେଉଥିଲେ, ତାହା ଆଜି ବି ସୁବିଦିତ। ଫ୍ରେଡେରିକ ନିଚା କହୁଥିଲେ ଯେ ସ୍ବିସ୍ ଆଲ୍ପସ ପାର୍ବତ୍ୟ ଅଞ୍ଚଳରେ ସେ ନିୟମିତ ଚାଲିବା ସମୟରେ ହିଁ ତାଙ୍କ ମସ୍ତିଷ୍କରେ ତାଙ୍କର ସମସ୍ତ ଗମ୍ଭୀର ଚିନ୍ତାଧାରାମାନଙ୍କର ଉନ୍ମେଷ ଘଟିଥାଏ। ଥମାସ୍ ହବ୍ସ ତାଙ୍କର ଚାଲିବା ସମୟରେ ଧରୁଥିବା ବାଡ଼ିରେ ଏକ କାଳି ଦୁଆତ ଖଞ୍ଜି ଦେଇଥିଲେ, ଯେପରି ଚାଲିବା ବେଳେ ମସ୍ତିଷ୍କ ସକ୍ରିୟ େହାଇ ଚିନ୍ତା ପ୍ରବାହ ଆରମ୍ଭ ହେବା ମାତ୍ରେ ସେ ତାହାକୁ ସାଙ୍ଗରେ ନେଇଥିବା ଖାତାରେ କଲମ ଓ କାଳି ଦ୍ବାରା ଲିପିବଦ୍ଧ କରି ଦେଇପାରିବେ। ଏମାନଙ୍କ ମଧ୍ୟରୁ କାହାର ନିୟମିତ ଚାଲିବା ଯଦି ସର୍ବାଧିକ ଆଦୃତ ଲୋକ କଥାରେ ପରିଣତ ହୋଇଥାଏ, ସେ ହେଉଛନ୍ତି ମହାନ୍ ଜର୍ମାନ୍ ଦାର୍ଶନିକ ଇମାନୁଏଲ୍ କାଣ୍ଟ। ସେ ପ୍ରତିଦିନ ଠିକ୍ ୧୨.୪୫ରେ ମଧ୍ୟାହ୍ନ ଭୋଜନ କରିସାରି ଠିକ୍ ଏକ ଘଣ୍ଟା କାଳ -ତା’ଠାରୁ ଅଧିକ ନୁହେଁ କି କମ୍ ନୁହେଁ- ଚାଲିବା ପାଇଁ ବାହାରି ପଡୁଥିଲେ। ସେ ସର୍ବଦା କୋନିଗ୍ସବର୍ଗ ସହର (ବର୍ତ୍ତମାନ ରୁଷିଆ ଅନ୍ତର୍ଗତ କାଲିନିନ୍ଗ୍ରାଡ୍)ର ଏକ ନିର୍ଦ୍ଦିଷ୍ଟ ରାସ୍ତା ଦେଇ ଏକ ନିର୍ଦ୍ଦିଷ୍ଟ ପାର୍କ ଅଭିମୁଖେ ଯାତ୍ରା କରୁଥିଲେ ଓ ପ୍ରତ୍ୟାବର୍ତ୍ତନ କରୁଥିଲେ। କାଣ୍ଟ୍ଙ୍କର ଏହି ପଦଯାତ୍ରା ଘଣ୍ଟା କଣ୍ଟା ପରି ଏଭଳି ନିୟମିତି ଥିଲା ଯେ ତାଙ୍କର ଯାତ୍ରାପଥରେ ଥିବା କୋନିଗ୍ସବର୍ଗର ବାସିନ୍ଦାମାନେ ତାଙ୍କୁ ଦେଖି ନିଜର ଘଡ଼ି ମିଳାଉଥିଲେ ବୋଲି ପ୍ରବାଦ ଅଛି।
କିନ୍ତୁ ନିଜର ଚିନ୍ତନ ନିମିତ୍ତ ପଦ ଚାଳନା ଉପରେ ନିର୍ଭର କରିବାରେ ଏମାନଙ୍କ ମଧ୍ୟରୁ କେହି ହେଲେ ଯେଉଁ ଜଣେ ପ୍ରଖ୍ୟାତ ଦାର୍ଶନିକଙ୍କର ସମକକ୍ଷ ନୁହଁନ୍ତି ସେ ହେଉଛନ୍ତି ଫରାସୀ ବିପ୍ଳବର ଅନ୍ୟତମ ବୌଦ୍ଧିକ ସୂତ୍ରଧର ରୂପେ ବିବେଚିତ ସ୍ବିସ୍ ଦାର୍ଶନିକ ଜିନ୍ ଜାକ୍ ରୁଷୋ। ରୁଷୋଙ୍କ ପାଇଁ ଚାଲିବା ଥିଲା ନିଃଶ୍ବାସ ପ୍ରଶ୍ବାସ ନେବା ଭଳି ଏକ ମୌଳିକ ଆବଶ୍ୟକତା। ସେ କହୁଥିଲେ, ‘‘ମୋର ଶରୀର ସ୍ଥିର ଥିବା ସମୟରେ ମୁଁ ଆଦୌ ଚିନ୍ତା କରିପାରେ ନାହିଁ, ମୋର ମସ୍ତିଷ୍କକୁ ସକ୍ରିୟ କରିବା ପାଇଁ ମୋର ଶରୀର ଚଳମାନ ହେବା ଦରକାର ହୋଇଥାଏ।’’ ସେ ଚାଲିବା ସମୟରେ ପକେଟ୍ରେ ରଖିଥିବା ତାସ୍ ମୁଠାରୁ ଗୋଟିଏ ଗୋଟିଏ ତାସ୍ ବାହାର କରି ତା’ଉପରେ ନିଜର ଚିନ୍ତା ସବୁକୁ ସଂକ୍ଷେପରେ ଟିପି ଦେଉଥିଲେ।
ତାଙ୍କର ପଦଯାତ୍ରା ସମୟରେ ଭାରତକୁ ବିଜେପିମୁକ୍ତ କରିବାର ଯେଉଁ ସବୁ ରୁଷୋ ସୁଲଭ ବୈପ୍ଳବିକ କୌଶଳ ରାହୁଳ ଗାନ୍ଧୀଙ୍କ ବିଚକ୍ଷଣ ମସ୍ତିଷ୍କରେ ଢୁକିବା ନିଶ୍ଚିତ, ତାହା ଟିପି ପକାଇବା ପାଇଁ ଆଜିକାଲି ଆଉ ତାସ୍ ମୁଠା ପାଖରେ ରଖିବା ଆବଶ୍ୟକ ନାହିଁ- ସ୍ମାର୍ଟଫୋନ୍ ଅଧିକ ଦକ୍ଷତାର ସହିତ ସେ କାର୍ଯ୍ୟ କରିପାରିବ। ଯୁଗ ବଳଦି ଯାଇ ନାହିଁ କି? ନଚେତ୍ ଗୌରାଙ୍ଗ ପରିଡ଼ା ଗାନ୍ଧୀଙ୍କର ଯେଉଁ ପଦଯାତ୍ରାର ବର୍ଣ୍ଣନା କରିଛନ୍ତି, ସେଥିରେ ବିଶ୍ରାମ ପାଇଁ ବିଳାସପୂର୍ଣ୍ଣ କଣ୍ଟେନର୍ ଗାଡ଼ି ମାଳ କିମ୍ବା ପଦଯାତ୍ରୀଙ୍କ ଦେହରେ ଅତି ମୂଲ୍ୟବାନ୍ ‘ବର୍ବେରି’ ଟି-ସାର୍ଟ କିମ୍ବା ପାଦକୁ ସୁରକ୍ଷିତ ରଖିବା ପାଇଁ ଦାମିକା ସ୍ନିକର୍ସ ପାଇଁ ସ୍ଥାନ କାହିଁ? ମୂଳ ଗାନ୍ଧୀଙ୍କ ଫୁଙ୍ଗୁଳା ଦେହ, ଆଣ୍ଠୁ ନ ଲୁଚିବା ଲୁଗା ଓ ଶସ୍ତା ଚପଲ ହଳେକୁ ଆଶ୍ରା କରି ରଚିତ ପଦଯାତ୍ରାରେ ଘଟିଥିବା ଆଜିର ବିବର୍ତ୍ତନ କେତେ ଚମକପ୍ରଦ ସତେ!