ନିରାନନ୍ଦ ଦିଆଲି

ଆଉ ଦୁଇ ଦିନରେ ଦୀପାବଳି। ଦେଶ ସାରା ଦୀପ (ମହମବତି, ବିଜୁଳି ବଲ୍‌ବ) ଓ ବାଣର ଆଲୋକ ଏବଂ ଶବ୍ଦରେ ଅମାବାସ୍ୟାର ରାତି ପରିଣତ ହୋଇଯିବ ଦିନରେ। ରାଜଧାନୀ ଦିଲ୍ଲୀ କିନ୍ତୁ ଏଥର ବାକି ଦେଶ ସହିତ ତାଳ ଦେଇ ନପାରେ। ପୃଥିବୀର ସର୍ବାଧିକ ପ୍ରଦୂଷିତ ନଗରୀର ଲଜ୍ଜାଜନକ ମାନ୍ୟତା ଲାଭ କରିଥିବା ଏହି ସହରର ପରିବେଶ ପକ୍ଷରେ ଦୀପାବଳିର ଅତିରିକ୍ତ ବାଣ ବୋଝ ସମ୍ଭାଳିବା ସମ୍ଭବ ହେବ ନାହିଁ ବୋଲି ବିଚାର କରି ଦେଶର ସର୍ବୋଚ୍ଚ ଅଦାଲତ ସୁପ୍ରିମ୍‌ କୋର୍ଟ ଗତ ୯ ତାରିଖ ଦିନ ଏକ ନିର୍ଦ୍ଦେଶ ପ୍ରଦାନ କରି ଆସନ୍ତା ନଭେମ୍ବର ୧ ତାରିଖ ପର୍ଯ୍ୟନ୍ତ ସମଗ୍ର ଜାତୀୟ ରାଜଧାନୀ ଇଲାକା (ନେସ୍‌ନାଲ୍‌ କ୍ୟାପିଟାଲ ରିଜନ- ଏନ୍‌ସିଆର୍‌)ରେ ବାଣ ବିକ୍ରୟ ଉପରେ ନିଷେଧାଦେଶ ଜାରି କରି ଦେଇଛନ୍ତି। ପରେ ଏହି ଆଦେଶର ପୁନର୍ବିଚାର ପାଇଁ ଆଗତ ଏକ ଆବେଦନର ବିଚାର କରି ପ୍ରଦାନ କରିଥିବା ରାୟରେ ମଧ୍ୟ ସୁପ୍ରିମ୍‌ କୋର୍ଟ ତାଙ୍କର ପୂର୍ବ ନିଷ୍ପତ୍ତିକୁ କାଏମ ରଖିଛନ୍ତି।

ଗତ ବର୍ଷ ନଭେମ୍ବରରୁ ଅନୁରୂପ ନିଷେଧାଦେଶ ଜାରି କରିଥିବା ସୁପ୍ରିମ୍‌ କୋର୍ଟ ଏବର୍ଷ ତାହାର ପୁନରାବୃତ୍ତି କରିଛନ୍ତି। କୋର୍ଟ ଦେଖିବାକୁ ଚାହୁଁଛନ୍ତି ଯେ ଏହି ନିଷେଧାଦେଶ ଏହି ସମୟରେ ପରିବେଶକୁ ସୁରକ୍ଷିତ ରଖିବାରେ ସାହାଯ୍ୟ କରୁଛି କି ନାହିଁ। ଗତ ବର୍ଷ ଦୀପାବଳି ସମୟରେ ସୃଷ୍ଟି ହୋଇଥିବା ପାର୍ବଣ କୁହୁଡ଼ି ଦିନ ଦିନ ଧରି ପରିବେଶରେ ଝୁଲି ରହି ଦିଲ୍ଲୀବାସୀଙ୍କୁ ଶ୍ୱାସରୁଦ୍ଧ କରିବା ଦେଖା ଯାଇଥିଲା। ଉଦାହରଣ ସ୍ୱରୂପ ଅତ୍ୟନ୍ତ କ୍ଷତିକାରକ ପିଏମ୍‌ ୨.୫ କଣିକା ବାୟୁମଣ୍ଡଳରେ ଯେଉଁ ମାତ୍ରାରେ ଭରି ରହିଥିବା ଦେଖା ଯାଇଥିଲା ତାହା ମନୁଷ୍ୟର ସ୍ୱାସ୍ଥ୍ୟ ପାଇଁ ନିରାପଦ ବିବେଚିତ ସ୍ତରଠାରୁ ୩୦ ଗୁଣରୁ ଅଧିକ ଥିଲା। ଏଥିରେ କିଛି ଆଶ୍ଚର୍ଯ୍ୟ ହେବାର ନାହିଁ, କାରଣ ଆମେ ଫୁଟାଉଥିବା ବାଣ ମାନଙ୍କରୁ ହଠାତ୍‌ ଯେଉଁ ପରିମାଣର ପ୍ରଦୂଷକ ଧୂଆଁ ନିର୍ଗତ ହୋଇଥାଏ, ତାହା ପରିବେଶର ହାରାହାରି ପ୍ରଦୂଷିତ ଅବସ୍ଥାରେ ଏଭଳି ଅଧୋଗତି ଘଟାଇବା ସ୍ୱାଭାବିକ।

ଯେମିତି, ଲୋକପ୍ରିୟ ବାଣ ‘ଫୁଲଝରି’ରୁ ଯେଉଁ ପରିମାଣର ବିଷାକ୍ତ ଧୂଆଁ ନିର୍ଗତ ହୋଇଥାଏ ତାହା ହେଉଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ସ୍ଥିରୀକୃତ ନିରାପଦ ସର୍ବାଧିକ ସୀମାର ୧,୦୦୦ ଗୁଣରୁ ଅଧିକ। ‘ସାପ ବଟିକା’ ନାମକ ଯେଉଁ ବଟିକାରେ ଅଗ୍ନି ସଂଯୋଗ କଲେ ତାହା ଫୁଲି ଫୁଲି ସାପ ଭଳି ଲମ୍ବିଯାଏ, ସେଥିରୁ କିଭଳି ଭସ୍‌ ଭସ୍‌ ଧୂଆଁ ବାହାରିଥାଏ ତାହା କାହାରି ନଜରରୁ ବାଦ୍‌ ପଡ଼ି ନଥିବ। କିନ୍ତୁ ଏକଥା ବୋଧହୁଏ ସମସ୍ତଙ୍କୁ ଜଣା ନଥିବ ଯେ ତାହାର ବିଷାକ୍ତତା ହେଉଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସ୍ଥିର କରିଥିବା ଉପରୋକ୍ତ ନିରାପତ୍ତା ସୀମାଠାରୁ ୨,୫୬୦ ଗୁଣ ଅଧିକ। ଏ ସବୁର ଫଳକୁ ଅନ୍ୟ ପ୍ରକାର ଦେଖାଯାଇପାରେ: ଦିଲ୍ଲୀ ଅଞ୍ଚଳରେ ଗତ ବର୍ଷ ଏହି ସମୟରେ ବାୟୁମଣ୍ଡଳରେ ପ୍ରତି ଘନମିଟର ପିଛା ସୂକ୍ଷ୍ମ କଣିକା ମାତ୍ରା ଥିଲା ୧୦୦୦ ମାଇକ୍ରୋଗ୍ରାମରୁ ଅଧିକ। ଶୀତଦିନରେ ସାଧାରଣତଃ ଦିଲ୍ଲୀର ବାୟୁମଣ୍ଡଳରେ ଏହାର ମାତ୍ରା ଥାଏ ଅଳ୍ପ କେତେ ଶହ ମାଇକ୍ରୋଗ୍ରାମ୍‌ ମାତ୍ର ଯାହା ତଥାପି କ୍ଷତିକାରକ କିନ୍ତୁ କଳ୍ପନାତୀତ ନୁହେଁ। ସୁପ୍ରିମ୍‌ କୋର୍ଟ ଆଶା କରୁଛନ୍ତି ତାଙ୍କର ନିଷେଧାଦେଶ ଦିଲ୍ଲୀ ବାୟୁମଣ୍ଡଳର ପ୍ରଦୂଷଣ ସ୍ତରକୁ ଉପରୋକ୍ତ ନଭଶ୍ଚୁମ୍ବୀ ସ୍ତରରୁ ଖସାଇ ଆଣି ଏହି ଗତାନୁଗତିକ କ୍ଷତିକାରକ ସ୍ତରରେ ରଖିବ।

ଏକ ଅନୁଶୀଳନ ଅନୁସାରେ ଦିଲ୍ଲୀରେ ପ୍ରଦୂଷଣର ପ୍ରତ୍ୟକ୍ଷ ପ୍ରଭାବ ଯୋଗୁଁ ପ୍ରତିିଦିନ ଆଠଜଣ ଅଧିବାସୀଙ୍କର ମୃତ୍ୟୁ ଘଟିଥାଏ। ଅନ୍ୟ ଏକ ଅନୁଶୀଳନ ଅନୁସାରେ ଯଦି ଦିଲ୍ଲୀର ବାୟୁମଣ୍ଡଳର ପ୍ରଦୂଷଣ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁମୋଦିତ ସ୍ତର ମଧ୍ୟରେ ସୀମିତ ରହନ୍ତା, ତେବେ ଦିଲ୍ଲୀ ଅଧିବାସୀ ମାନଙ୍କର ହାରାହାରି ଆୟୁଷରେ ୯ ବର୍ଷ ବୃଦ୍ଧି ଘଟନ୍ତା। ତେଣୁ ସୁପ୍ରିମ୍‌ କୋର୍ଟଙ୍କ ଉପରୋକ୍ତ ନିର୍ଦ୍ଦେଶ ପଛରେ ଯେ ମହତ୍‌ ଉଦ୍ଦେଶ୍ୟ ନିହିତ ଅଛି, ଏଥିରେ କୌଣସି ସନ୍ଦେହ ନାହିଁ। କିନ୍ତୁ ଉଦ୍ଦେଶ୍ୟ ମହତ୍‌ ହେଲେ ଯେ କାର୍ଯ୍ୟସିଦ୍ଧି ପାଇଁ କେବଳ ତାହା ହିଁ ଯଥେଷ୍ଟ, ଏହା ସବୁବେଳେ ସତ ହୋଇ ନଥାଏ। ସୁପ୍ରିମ୍‌ କୋର୍ଟଙ୍କର ପଦକ୍ଷେପ ସେଇଭଳି ଏକ ନିଷ୍ଫଳ ପ୍ରଚେଷ୍ଟା ଭଳି ମନେ ହୋଇଥାଏ।

ଶୀତ ଋତୁରେ ଦିଲ୍ଲୀ ଓ ତା’ର ଆଖପାଖ ଅଞ୍ଚଳର ବାୟୁମଣ୍ଡଳ ଯେଉଁଭଳି ବିଷାକ୍ତ ହୋଇଯାଏ, ଦୀପାବଳିର ବାଣ ତା’ର ଏକମାତ୍ର କିଂବା ମୁଖ୍ୟ କାରଣ ନୁହେଁ। ନିର୍ମାଣ ଶିଳ୍ପରୁ ଉତ୍ପନ୍ନ ଧୂଳି, ଗାଡ଼ି ମଟରର ଧୂଆଁ, ବର୍ଜ୍ୟବସ୍ତୁ ଦହନ, ଡିଜେଲ୍‌ ଜେନେରେଟର ମାନଙ୍କରୁ ନିର୍ଗତ ଧୂଆଁ ଏବଂ ଗାଙ୍ଗେୟ ଉପତ୍ୟକାର ସମତଳ ଭୂମିରେ ଥିବା କୃଷିକ୍ଷେତ୍ର ମାନଙ୍କରେ ଫସଲ ଅମଳ ପରେ ବିଲରେ ଛାଡ଼ି ଦିଆଯାଉଥିବା ନଡ଼ାକୁ ଜଳାଇ ଦିଆଯିବା ଦ୍ୱାରା ନିର୍ଗତ ହେଉଥିବା ସର୍ବବ୍ୟାପୀ ଧୂଆଁ ଆଦି ମିଶି ଦିଲ୍ଲୀ ଅଞ୍ଚଳର ବାୟୁମଣ୍ଡଳକୁ ଏପରି ବିଷାକ୍ତ କରି ତୋଳିଥାନ୍ତି। ଏ ସବୁକୁ ପ୍ରତିହତ କରିବାକୁ ହେଲେ ଦୃଢ଼ ଓ ଫଳପ୍ରଦ ନୀତିଗତ ପଦକ୍ଷେପ ନିଆଯିବା ଦରକାର। କୌଣସି କ୍ଷଣସ୍ଥାୟୀ ନିଷେଧାଦେଶ ଦ୍ୱାରା ଏହାର ସମାଧାନ କରାଯାଇ ପାରିବ ନାହିଁ। ଉଦାହରଣ ସ୍ୱରୂପ ୨୦୧୫ରେ ପଞ୍ଜାବ ଓ ହରିଆନାରେ ଲାଗୁ କରାଯାଇଥିବା କୃଷି କ୍ଷେତ୍ରରେ ନଡ଼ା ପୋଡ଼ି ଉପରେ ନିଷେଧାଦେଶକୁ ଦେଖାଯାଉ।

ଦୁଇ ବର୍ଷ ପରେ ମଧ୍ୟ କୃଷକମାନେ ସେଠାରେ ପୂର୍ବଭଳି ନଡ଼ା ପୋଡ଼ି ଚାଲିଛନ୍ତି। କାରଣ ରାଜ୍ୟ ସରକାରମାନେ ନଡ଼ାକୁ ନ ପୋଡ଼ି ତା’ର କିଭଳି ପରିଚାଳନା କରାଯିବ, ସେଥି ପାଇଁ କୌଣସି ବାସ୍ତବ ବିକଳ୍ପର ବ୍ୟବସ୍ଥା କରି ନାହାନ୍ତି। ସେଭଳି ବିକଳ୍ପ ଯଦି ଅତ୍ୟଧିକ ବ୍ୟୟସାପେକ୍ଷ ହୁଏ ତେବେ ଚାଷୀମାନେ ତାହାକୁ ବ୍ୟବହାର କରିବା ସମ୍ଭବ ହେବ ନାହିଁ। ଉଲ୍ଲେଖଯୋଗ୍ୟ ଯେ ସେଠାରେ ଗହମ ବିହନ ବୁଣିବା ପାଇଁ ‘ହାପି ସିଡର୍‌’ ନାମକ ଏକ ଯନ୍ତ୍ର ବ୍ୟବହାର କଲେ କ୍ଷେତରୁ ଧାନ ନଡ଼ା ହଟାଇବା ଦରକାର ହେବ ନାହିଁ। କିନ୍ତୁ ସରକାରୀ ସବ୍‌ସିଡି ସତ୍ତ୍ୱେ ଏହା ଏପରି ବ୍ୟୟ ବହୁଳ ଯେ, କୃଷକମାନେ ତାହାକୁ ବ୍ୟବହାର କରିପାରୁ ନାହାନ୍ତି। ସେହିପରି ଧାନ ନଡ଼ାକୁ ଇନ୍ଧନ ରୂପେ ବ୍ୟବହାର କରି ଯଦି ଶକ୍ତି ଉତ୍ପାଦିତ କରାଯାଆନ୍ତା ତେବେ ଏ ସମସ୍ୟାର ସମାଧାନ ହୁଅନ୍ତା; କିନ୍ତୁ ଯଥେଷ୍ଟ ସରକାରୀ ପ୍ରୋତ୍ସାହନ ଅଭାବରୁ ତାହା ମଧ୍ୟ କାର୍ଯ୍ୟକାରୀ ହୋଇପାରୁ ନାହିଁ।

ଏହି ପରିପ୍ରେକ୍ଷୀରେ ସୁପ୍ରିମ୍‌ କୋର୍ଟଙ୍କର ଅଚାନକ ଅସ୍ଥାୟୀ ବାଣ ନିଷେଧକୁ ଦେଖିଲେ ଦିଲ୍ଲୀର ପ୍ରଦୂଷଣ ଉପରେ ଏହାର କୌଣସି ଦୀର୍ଘସ୍ଥାୟୀ ପ୍ରଭାବ ପଡ଼ିବାର ଆଶା ଦେଖାଯାଉ ନାହିଁ। କେବଳ ବାଣର ବିକ୍ରୟ ଉପରେ ନିଷେଧାଦେଶ ଲଗାଯାଇଥିବାରୁ, ଏହା ବାଣର ଚୋରା କାରବାରକୁ ଯାହା ପ୍ରୋତ୍ସାହିତ କରିବ ଏବଂ ପୁଲିସ୍‌ର ଲାଞ୍ଚ କାରବାରକୁ ସୁଗମ କରିବ। ଭାଗ୍ୟକୁ କୋର୍ଟ ବାଣ ଫୁଟାଇବା ଉପରେ ନିଷେଧାଦେଶ ଲଗାଇ ନାହାନ୍ତି, ନଚେତ୍‌ ତାହା ସାଧାରଣ ନାଗରିକଙ୍କୁ ଆହୁରି ହଇରାଣ ହରକତ କରି ପୁଲିସକୁ ଆହୁରି ମାଲାମାଲ୍‌ କରିଥାନ୍ତା। ଲାଇସେନ୍‌ସପ୍ରାପ୍ତ ବାଣ ବ୍ୟବସାୟୀ ମାନଙ୍କ ପାଇଁ ଏପରି ଏକ ଅପ୍ରତ୍ୟାଶିତ ପ୍ରତିବନ୍ଧ ସୃଷ୍ଟି କୌଣସି ସମସ୍ୟା ସମାଧାନ କରିବା ପରିବର୍ତ୍ତେ ଦୀପାବଳି ଭଳି ଏକ ପ୍ରଧାନ ଉତ୍ସବର ଆନନ୍ଦ ନଷ୍ଟ କରିବ ଯାହା।

ସମ୍ବନ୍ଧିତ ଖବର